ପ୍ରବନ୍ଧ

ଭାବର ଭୂମିରେ ଶ୍ରୀକ୍ଷେତ୍ରର ରଥଯାତ୍ରା

Pradip Nayak's Odia Prose Bhabara Bhoomire Shreekshetrar Rathajatra

ତେବେ ଭକ୍ତର ଭାବରେ ସେ ବନ୍ଧା ଏପରି ଏକ ଠାକୁର ତାଙ୍କୁ ପ୍ରେମରେ, ଭକ୍ତିରେ, ଭାବରେ ଡାକିଲେ ଆର୍ତ୍ତିର ଆର୍ତ୍ତ ପାଇଁ ସେ ସବୁବେଳେ ନିକଟରେ ହିଁ ଅନୁଭୂତ ହୁଅନ୍ତି । ସେ ଅପହଞ୍ଚ ନୁହଁନ୍ତି, ଅଚିନ୍ତ୍ୟ କି ଅବ୍ୟକ୍ତ ନୁହଁନ୍ତି ପ୍ରମାଣ ଦେବାକୁ ଅନେକ ଲୀଳା କଥା ଆମେ ପୁରାଣ ଶାସ୍ତ୍ରରୁ ଶୁଣିଥାଉ ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜଗତଜନଙ୍କ ଆରାଧ୍ୟ , ପତିତ ଉଦ୍ଧାରକର୍ତ୍ତା , ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥ ଭକ୍ତର ଧ୍ୟାନରେ ଯେତିକି ଆଲୌକିକ, ତାର ଆଖିରେ ସେତିକି ଲୌକିକ । କିଏ ଅବା ଅଛି, ଯିଏ ପୁରୁଷୋତ୍ତମ କ୍ଷେତ୍ରର ରଥଯାତ୍ରା ଦେଖିବା ପରେ କହିବ, ଇଏ କଣ ସେଇ ଅନେକ ତପର ଶୀର୍ଷାଧୀଶ ଠାକୁର ଶ୍ରୀଜଗନ୍ନାଥ ! କେଉଁ ଆବହମାନ ସମୟରୁ ଶ୍ରୀକ୍ଷେତ୍ରର ରଥଯାତ୍ରା ସହ ପାଖରେ ହେଉ କି ଦୂରରେ, ଚିନ୍ତାରେ ହେଉ କି ଚେତନାରେ ଯୋଡ଼ି ହେଉଥିବା ଭକ୍ତ ଏକା ଜାଣେ ଏ ଲୋକଲୀଳାର ମାହାତ୍ମ୍ୟ କଣ । ଏ ଅଲୌକିକତା ଭିତରେ ଥିବା ଅଚିନ୍ତ୍ୟ ମହିମା, ଏ ଲୌକିକତା ଭିତରେ ଥିବା ଭାବିନୋଦିଆଙ୍କ ଉଦାର ଭାବନାର ରହସ୍ୟ କଣ ?

ମାୟାତୀତଂ ମାଧବମାଦ୍ୟଂ ଜଗଦାଦିଂ
ମାନାତୀତଂ ମୋହବିନାଶକଂ ମୁନି ବନ୍ଦ୍ୟଂ
ଯୋଗୀଧ୍ୟେୟ୦ ଯୋଗ ବିଧାନମ୍ ପରିପୂର୍ଣ୍ଣଃ
ବନ୍ଦେ ବଳରାମଂ ରଂଜିତ ଲୋକମ୍ ରମଣୀୟମ୍ ।

ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଯେଉଁ ଚତୁର୍ଦ୍ଧା ବିଗ୍ରହ ରତ୍ନ ସିଂହାସନରୁ ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ ସେମାନଙ୍କୁ ରଥ ଉପରେ ଦର୍ଶନ କରିବାର ଭାଗ୍ୟଠୁ ବଳି ସୌଭାଗ୍ୟ ଆଉ କଣ ଥାଇପାରେ ! ମୁକ୍ତି କଣ , ତାର ରୂପରେଖ କଣ ଜାଣି ନଥିବା ଭକ୍ତଟି ସେଇ ଅପୂର୍ବ ଦର୍ଶନରେ ଅନୁଭବ କରେ ଜୀବନ ମୁକ୍ତିର ସ୍ୱାଦ। ଅରାଧ୍ୟଙ୍କ ସହ ଏକାତ୍ମ ହେବାର ଆନନ୍ଦ।

ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ରରେ ବର୍ଷ ତମାମ ଅନେକ ଯାତ ଅନୁଷ୍ଠିତ ହୋଇଥାଏ । ଏଇ ଯାତ୍ରା ମାନଙ୍କରେ ପ୍ରଭୁଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଦେଶ ବିଦେଶରୁ ଛୁଟି ଆସିଥାନ୍ତି। ରଥାରୁଢ଼ ବିଗ୍ରହଙ୍କୁ ଦର୍ଶନ କରି ନିଜକୁ କୃତାର୍ଥ ମଣନ୍ତି। ତେବେ ପରମାର୍ଥ ପ୍ରାପ୍ତି ପାଇଁ ଯେଉଁ ରୂପର କଥା କୁହାଯାଇଛି ତାହା ହେଲା –

ଦୋଳେ ଚ ଦୋଳଗୋବିନ୍ଦ ଚାପେ ଚ ମଧୁସୂଦନ
ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନବିଦ୍ୟତେ ।

ଭକ୍ତ ତାର ଆକାଂକ୍ଷିତ ଈଶ୍ୱରଙ୍କୁ ଏପରି ଏକ ପ୍ରେମର, ଭକ୍ତିର ଉଦବେଳିତ ବେଳାରେ ଦର୍ଶନ କରିଥାଏ ଯାହାର ଅନୁଭବକୁ ତାର ସୀମିତ ଚିତ୍ତବୃତିରେ, ଭାବର ପରିମିତ ଭୂମିରେ ଆୟତ୍ତ କରି ରଖିପାରେ ନାହିଁ । ରଥ ଉପରେ ଦର୍ଶନକୁ ଆଧ୍ୟାତ୍ମ୍ୟ ମାର୍ଗୀ ମାନେ ଆତ୍ମାର ପରମାତ୍ମା ସହ ଦର୍ଶନ, ପ୍ରକୃତି ସହ ପରମପୁରୁଷଙ୍କ ମିଳନ ବୋଲି ଅଭିହିତ କରିଥାନ୍ତି । ତେବେ ଏ ରଥ କେବଳ ବିଶ୍ୱକର୍ମା ମହାରଣାଙ୍କ କଲ୍ପନାପ୍ରସୂତ ମଧ୍ୟ ନୁହଁ ଏହି ରଥ ଶଦ୍ଦ ଆମେ ପ୍ରାଚୀନ ଋଗ୍ ବେଦ, ଅଥର୍ବ ବେଦରୁ , ଉପନିଷଦ ଓ ଅନ୍ୟ ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ଆମେ ପାଇଅଛୁ । ଶାସ୍ତ୍ରବିତ୍ ମାନେ କହନ୍ତି ରଥ ସନ୍ଧିନୀ ଶକ୍ତିର ଅଧିକାରୀ ହୋଇଥିବାରୁ ଏଥିରେ ବିଜେ ମହାପ୍ରଭୁ ଆପେଆପେ ଦୟା ଓ କରୁଣାସିକ୍ତ ହୋଇ ଉଠନ୍ତି । ଶ୍ରୀବିଗ୍ରହ ମାନଙ୍କୁ ବହନ କରୁଥିବା ରଥର ଏହା ଆଲୌକିକ ଶକ୍ତି, ସାମର୍ଥ୍ୟ ଭାବରେ ଗ୍ରହଣ କରି ନିଆଯାଇଥାଏ। ରଥରେ ବିଜେ ପ୍ରଭୁଙ୍କର କରୁଣାର ଧାରାରେ ଉଚ୍ଚ ନୀଚ, ଧନୀ ନିର୍ଧନ, ସବର୍ଣ୍ଣ ଅସବର୍ଣ୍ଣର ଭେଦ ସମାପ୍ତ ହୋଇ ସମଗ୍ର ଯାତ୍ରା ହୁଏ ପ୍ଳାବିତ । ଏଥି ପାଇଁ ଏହି ଯାତ୍ରାକୁ ପ୍ରଭୁଙ୍କ ଉଦାରଲୀଳା ମଧ୍ୟ କୁହାଯାଏ । ଜଗନ୍ନାଥ ପୁରାଣରେ ପ୍ରଭୁ ନିଜେ କହିଛନ୍ତି –

ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନୀ
ରଥାଯାତ୍ରା ନାମେ ଖ୍ୟାତ ହେବ ଯେ ଅବନୀ ।

ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ତିନି ରଥ ଚାଲିବାର ବିଧି ରହଆସିଛି । ତାଳଧ୍ୱଜ ରଥରେ ଜ୍ୟେଷ୍ଠଭାଇ ବଳଦେବ, ଦେବଦଳନ ରଥରେ ଭଉଣୀ ସୁଭଦ୍ରା, ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରଜଗନ୍ନାଥ ବିଜେ ହୋଇ ନିଜର ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ନବଦିନାତ୍ମକ ଏହି ଯାତ୍ରାକୁ ମହାଚେତନାର ଏକ ଯାତ୍ରା କୁହାଯାଇଥାଏ । ଏହି ଯାତ୍ରାରେ ରଥରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ସୁଦର୍ଶନ, ତିନି ଠାକୁରଙ୍କ ଚଳନ୍ତି ପ୍ରତିମାକୁ ଶ୍ରୀ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମ କୃଷ୍ଣଙ୍କ ସମେତ ଅନେକ ଦେବଦେବୀଙ୍କ ଗୁଣ୍ଡିଚା ମନ୍ଦିର ପଥରେ ସାମିଲ ହୁଅନ୍ତି । ଏହି ଯାତ୍ରାର ଅଦ୍ଭୂତ, ଅପୂର୍ବ ସମ୍ମେଳନକୁ ଦେଖିବାକୁ ସାରା ବ୍ରହ୍ମାଣ୍ଡର ଦେବ, ମାନବ, ଯକ୍ଷ ,ଗନ୍ଧର୍ବ, କିନ୍ନର ଏପରିକି ପଞ୍ଚଭୂତରେ ମଧ୍ୟ ଉତ୍କଣ୍ଠା ଉନିଦ୍ର ରହିଥାଏ । ତିନିପୁରର ସମସ୍ତ ଆତ୍ମସତ୍ତା ଯେପରି ଜାଗ୍ରତ ହୋଇଉଠନ୍ତି । ରଥ, ପଥ, ମତ ଓ ଜଗନ୍ନାଥ ଏକ ହୋଇଯିବା ପରେ ରଥ ଦାଣ୍ଡର ଧୂଳି ରୂପାନ୍ତରିତ ହୋଇଯାଏ ପବିତ୍ରତାରେ, ଅସଂଖ୍ୟ ଜନ ସମୁଦ୍ର ହୋଇଯାଏ ଭାବର ପାବନ ଗଙ୍ଗା ।

ବର୍ଷର ଅନ୍ୟ ସବୁ ଉତ୍ସବ ଅବସର ଇଚ୍ଛାମୟଙ୍କ ଇଚ୍ଛାରେ ପରିଚାଳିତ କରୁଥିବା ଠାକୁର କିନ୍ତୁ ଏଇ ଦିନରେ ଭକ୍ତଙ୍କ ଇଚ୍ଛାର ଅଧୀନ ବୋଲି ଅନୁଭବ ହୁଏ । ରତ୍ନ ସିଂହାସନରୁ ଆସିବା ଠାରୁ ପହଣ୍ଡିର ଛେଚା କଚଡା, ଭିଡ଼ା ଓଟରା ପୁଣି ରଥରେ ବସି ଜନ୍ମବେଦୀକୁ ଯିବା ସବୁ ତାଙ୍କ ଭକ୍ତର ଇଚ୍ଛାରେ ପରିଚାଳନା ହେଇଥାଏ । ଯିଏ ସକଳ ଜୀବର ଗତି ନିୟନ୍ତ୍ରଣକାରୀ ସେ ଭକ୍ତର ଇଚ୍ଛାରେ ନିୟନ୍ତ୍ରିତ ହେବାର ଲୀଳାକୁ ଲୋକନାଥଙ୍କ ଲୋକଲୀଳା କୁହାଯିବନି ତ ଆଉ କଣ କୁହାଯାଇ ପାରିବ ! ଜୀବର ସୁଖ ଦୁଃଖ, ହସ କାନ୍ଦ, ଅନ୍ଧାର ଆଲୁଅ ଯାହାଙ୍କ ପରିକ୍ରମା କରିବାରେ ପରିକ୍ରମଣ କରନ୍ତି ଏଇ ରଥାଯାତ୍ରା ତାଙ୍କରି ଯାତ୍ରା ହୋଇଥାଏ ।

ନନ୍ଦିଘୋଷ ରଥର ଅଧୀଶ୍ଵର ହେଉଛନ୍ତି ନିଜେ କଳାଠାକୁର । ତାଙ୍କ ସହ ବିଜେ ହୁଅନ୍ତି ଚଳନ୍ତି ପ୍ରତିମା ତଥା ଉତ୍ସଵ ମୂର୍ତ୍ତି ମଦନମୋହନ । ରଥର ସାରଥୀ ଦାରୁକ । ଶଙ୍ଖଚୂଡ ନାମ୍ନୀ ନାଗୁଣୀ ଏହି ରଥର ଦଉଡ଼ି ରହିଥାନ୍ତି । ରଥର ଧ୍ୱଜାରେ ବିରାଜିତ ହୁଅନ୍ତି ସ୍ଵୟଂ ମହାବୀର ହନୁମାନ । ନେତର ନାମ ତ୍ରୈଲୋକ୍ୟ ମୋହିନୀ । ରଥ ଦଧିନଉତିର ଉଭୟ ପାର୍ଶ୍ୱରେ ଶୋଭା ପାଆନ୍ତି ଦୁଇଟି ଶୁକପକ୍ଷୀ ଯାହାଙ୍କୁ ଜୀବ, ପରମ ରୂପେ ଅଭିହିତ କରାଯାଇଛି । ରଥର ଦ୍ୱାରପାଳ ହୁଅନ୍ତି ଜୟ ବିଜୟ । ପାର୍ଶ୍ୱ ଦେବାଦେବୀ ରୁହନ୍ତି ହରିହର, ପଣ୍ଡୁ ନୃସିଂହ, ରାବଣ ଛତ୍ରଭଙ୍ଗ, ଚିନ୍ତାମଣି, ଗିରିଗୋବର୍ଦ୍ଧନ ଧାରୀ , କୃଷ୍ଣ, ମଧୁସୂଦନ, ଲକ୍ଷ୍ମଣ , ପଞ୍ଚମୁଖୀ ହନୁମାନ । ରଥର ଦେବତା ଶ୍ରୀ ନୃସିଂହ । ପୀତ ଲୋହିତ ବର୍ଣ୍ଣ ଧାରଣ କରିଥିବା, ୮୩୦ ଖଣ୍ଡ କାଠରେ ନିର୍ମିତ ଏହି ରଥର ଚକ ସଂଖ୍ୟା ୧୬ , ଷୋହଳ କଳାର ଅଧିକାରୀ ଶ୍ରୀ ଜଗନ୍ନାଥ ହୋଇଥିବାରୁ ଚକ ସଂଖ୍ୟା ସେଇ ଅନୁସାରେ ରଖାଯାଇଅଛି । ଏହି ରଥର ଉଚ୍ଚତା ୩୩ ହାତ ପାଞ୍ଚ ଆଙ୍ଗୁଳି ଏବଂ ରଥର ଆଡ ଦୀର୍ଘ ମଧ୍ୟ ୨୩ ହାତ ହୋଇଥାଏ । ସବୁ ଦୃଷ୍ଟିରୁ ନନ୍ଦିଘୋଷ ରଥକୁ ଅନ୍ୟ ରଥମାନଙ୍କ ଠାରୁ ସବୁଠୁ ଗରୀୟାନ କୁହାଯାଇଥାଏ ।

ବଡବାଡ଼ ମଣିମା, ଯାହାଙ୍କ ଆଦେଶ ଓ ଇଚ୍ଛା ବିନା ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିରରେ କିଛି ବି କାର୍ଯ୍ୟ ଅନୁଷ୍ଠିତ ହୁଏ ନାହିଁ ସେ ହେଉଛନ୍ତି ଶ୍ରୀ ବଳଭଦ୍ର । ବଡଭାଇ ହଳାୟୁଧ ଜ୍ୟେଷ୍ଠ ଓ ଶ୍ରେଷ୍ଠ । ଶୌର୍ଯ୍ୟ ପରାକ୍ରମର ପ୍ରତୀକ । ତାଙ୍କ ରଥର ନାମ ତାଳଧ୍ଵଜ । ଏହି ରଥକୁ ଦେବତାମାନେ ତାଙ୍କୁ ଦାନ କରିଥଲେ । ତାଙ୍କ ସହ ଥାଆନ୍ତି ତାଙ୍କ ବିଜେ ପ୍ରତିମା ଦୁଇ ମୂର୍ତ୍ତି ରାମ କୃଷ୍ଣ । ସାରଥୀ ରୂପରେ ବିଜେ ହୁଅନ୍ତି ମାତଳୀ । ରଥର ଦ୍ୱାରପାଳ ଥାଆନ୍ତି ନନ୍ଦ ସୁନନ୍ଦ । ରଥର ଆୟୁଧ ହଳ ମୂଷଳ । ରଥ ଦଉଡିର ନାମ ବାସୁକୀ । ନେତର ନାମ ଉନ୍ନନୀ, ଦଧିନଉତି ପାର୍ଶ୍ୱରେ ସ୍ଥାପିତ ହୁଅନ୍ତି ଦୁଇ ଶୁକ ଶ୍ରଦ୍ଧା ଓ ବିଶ୍ୱାସ । ପାର୍ଶ୍ଵ ଦେବତା ଭାବରେ ବିଜେ କରାଯାଏ ପ୍ରଳମ୍ବାରି ମହାଦେବ, ବାଇଶିଭୁଜ ନୃସିଂହ , ବଳରାମ, ନଟବର ଶ୍ରୀଗଣେଶ, ଅଙ୍ଗଦ ଆଦି ଦେବତା । ସର୍ବବିଘ୍ନ ବିନାଶକ ତଥା ୭୩୬ ଖଣ୍ଡ କାଠରେ ନିର୍ମିତ ଏହି ରଥର ଚକ ଚଉଦ ଭୁବନର ପ୍ରତୀକ ଭାବରେ ସଂଖ୍ୟା ୧୪ , ଉଚ୍ଚତା ୩୨ ହାତ ୧୦ ଆଙ୍ଗୁଳି । ଆଡ ଦୀର୍ଘ ମଧ୍ୟ ସେଇ ୨୧ ହାତ ରହିଥାଏ ।

ଦେବଦଳନ, ପଦ୍ମଧ୍ଵଜ, ଦର୍ପଦଳନ ପରି ନାମରେ ନାମିତ ରଥରେ ବିଜେ ହୁଅନ୍ତି ମହାମାୟା ସୁଭଦ୍ରା । ମାଣିକ୍ୟ ଖଚିତ ଏହି ରଥକୁ ଦେବତାଗଣ ବାମଦେବଙ୍କ ଦ୍ୱାରା ନିର୍ମାଣ କରାଇ ଦେବୀ ସୁଭଦ୍ରାଙ୍କୁ ପ୍ରଦାନ କରିଥଲେ । ଏହି ରଥର ସାରଥୀ ହୁଅନ୍ତି ସାତ୍ତ୍ୱକୀ ବା ଦେବଦତ୍ତ । ନେତର ନାମ ନାଦାମ୍ୱିକା । ଶୁକ ଦ୍ୱୟଙ୍କ ନାମ ସୁପର୍ଣ୍ଣ ଓ ଦ୍ୱାସୂପର୍ଣ୍ଣ , ଦଉଡିର ନାମ ସ୍ୱର୍ଣ୍ଣଚୂଡ, ଧ୍ୱଜାରେ ଅବସ୍ଥାପିତ ହୁଅନ୍ତି ତ୍ରିପୁରା ସୁନ୍ଦରୀ । ରଥରେ ପାର୍ଶ୍ୱଦେବୀ ରୁହନ୍ତି ବିମଳା, ମଙ୍ଗଳା, ବରାହୀ, ଭଦ୍ରକାଳୀ, ଉମା, ହରଚଣ୍ଡୀ, ରାମଚଣ୍ଡୀ ଓ ଅଘୋରା । ସର୍ବଦର୍ପଦଳନକାରୀ ଏହି ରଥର ଚକ ସଂଖ୍ୟା ବାର ମାସ, ବାର ରାଶି ଦୃଷ୍ଟିରୁ ରଖାଯାଇଛି ୧୨ , ଉଚ୍ଚତା ୨୧ ହାତ । ଆଡ ଦୀର୍ଘ ମଧ୍ୟ ୨୧ ହାତ ରହିଥାଏ ।

ରଥଯାତ୍ରା ଦିନ ସକାଳ ପ୍ରହରୁ ଲାଗିଯାଏ ପୁରୋହିତ, ଶ୍ରୋତିୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ରଥ ପ୍ରତିଷ୍ଠା, ପରେପରେ ପହଣ୍ଡି ବିଜେ । ରଥ ସହିତ ଚାରମାଳ ସଂଯୁକ୍ତ ହୁଏ । ତାପରେ ପରେ ଠାକୁର ମାନଙ୍କ ବେଶ, ଚିତାଲାଗି ଆଦି ନୀତି ସମାପନ ପରେ ଆଦ୍ୟସେବକ ଠାକୁର ରାଜା ଗଜପତିଙ୍କ ଦ୍ୱାରା ରଥ ଛେରା ପହଁରା ଆଦି ବିଭିନ୍ନ ନୀତି ଅନୁଷ୍ଠିତ ହୁଏ । ଜଗନ୍ନାଥଙ୍କ ରଥରେ ଧଳା ଓ ବଳଭଦ୍ରଙ୍କ ରଥରେ କଳଘୋଡା ସଂଯୁକ୍ତ କରାଯାଇ ରଥଦଉଡ଼ି ଲଗାଯାଏ । ମାଉସୀ ମାଆ ମନ୍ଦିରକୁ ଯାତ୍ରାରମ୍ଭ ସମୟରେ ପ୍ରଥମେ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ହିଁ ବାହାରି ଥାଏ । ତାପରେ ଭଉଣୀ ସୁଭଦ୍ରାଙ୍କ ରଥ ଦେବଦଳନ ରଥ ଗଡେ । ଶେଷ ରଥ ଓ ସବା ପଛରେ ତ୍ରିଭୁବନ ଆକର୍ଷଣର କେନ୍ଦ୍ର, ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଯାତ୍ରା କରିଥାଏ ।

ଋକ୍ ବେଦର ପ୍ରତୀକ ଶ୍ରୀଜଗନ୍ନାଥଙ୍କୁ କର୍ମ, ଜ୍ଞାନର ଉର୍ଦ୍ଧ୍ୱରେ ନିଷ୍କାମ ଭକ୍ତି ତତ୍ତ୍ୱର ଦେବତା, ମହାଶୂନ୍ୟର ମହାନନ୍ଦ ବ୍ରହ୍ମ ଭାବରେ ବିଭିନ୍ନ ଶାସ୍ତ୍ର କହିଥିବା ଜଣାଯାଏ । ସେହିପରି ବଳଭଦ୍ରଙ୍କୁ ସାମ ବେଦର ପ୍ରତୀକ, ସ୍ଥୂଳ ଦେହ ବହିର୍ମୁଖୀ, ବଳ ଓ ଶିଷ୍ଟତାର ଦେବତା କୁହାଯାଇଛି । ମାନ୍ୟତା ଦୃଷ୍ଟିରୁ ସିଏ ହିଁ ବଡ ଅଟନ୍ତି । ଏଥି ସହିତ ଚିନ୍ମୟୀ, ଜ୍ଞାନ ସ୍ୱରୂପା ଯିଏ ବଳଭଦ୍ର ରୂପୀ ଶରୀରକୁ ପରିଚାଳନା କରିପାରନ୍ତି ସେଇ ଭଉଣୀ ସୁଭଦ୍ରାଙ୍କୁ ଯଦୁର୍ବେଦର ପ୍ରତୀକ ଭାବରେ ଶାସ୍ତ୍ର ଅଭିହିତ କରିଛି । ସେ ଏକାଧାରରେ ଭଦ୍ରେ, ସୁଭଦ୍ରେ, ଭଗବତୀ,ପଦ୍ମନୟନୀ, ପଦ୍ମାଳୟା, ଯୋଗମାୟା ଆଦି ଶକ୍ତିର ଦେବୀ ଅଟନ୍ତି ।

ଶ୍ରୀକ୍ଷେତ୍ର ହେଉ ଅବା ଶ୍ରୀନାଥ ଆର୍ତ୍ତି, ଅର୍ଥାର୍ଥି,ଯୋଗୀ ଭୋଗୀଙ୍କ ପାଇଁ ସବୁବେଳେ ଭାବାତୀତ, ବର୍ଣ୍ଣନାତୀତ ହୋଇ ରହି ଆସିଛି । କୁହାଯାଇଛି ସେ –

ଜ୍ଞାନସ୍ୟ ମୂଳମ୍, ନିଗମସ୍ୟ ଚୁଳମ୍, ଭବାବ୍ଧି କୂଳମ୍ କାଳସ୍ୟ କାଳମ୍ ଅଟନ୍ତି।

ସେ ଦାରୁ ହୋଇ ମଧ୍ୟ ବ୍ରହ୍ମ, ବ୍ରହ୍ମ ହୋଇ ମଧ୍ୟ ଦାରୁ । ତାଙ୍କର ଆକାର ଥାଇ ସେ ନିରାକାର, ସେ ଉପାସକଙ୍କ ଆଖିରେ ନିର୍ଗୁଣ ହୋଇ ମଧ୍ୟ ସଗୁଣ, ଅସୀମ ହୋଇ ସସୀମ ଅଟନ୍ତି । ସବୁ ଧର୍ମ, ପ୍ରତୀକର ସମନ୍ଵୟ ଘଟିଛି ତାଙ୍କ ରୂପରେ । ସବୁ ମତ, ପନ୍ଥା ଏକାକାର ହୋଇଛି ଶ୍ରୀକ୍ଷେତ୍ର ମାଟିରେ । ତାଙ୍କୁ କେନ୍ଦ୍ର କରି ଜଗନ୍ନାଥ ସଂସ୍କୃତି ଗଢ଼ି ଉଠିଛି । ଅସୁମାରୀ ଶାସ୍ତ୍ର, ପୁରାଣରେ ତାଙ୍କୁ ଅପୁରୁଷେୟ ବିଗ୍ରହ ଭାବରେ ବର୍ଣ୍ଣନା କରାଯାଇଛି । ଅନେକ କଥା, କିମ୍ବଦନ୍ତୀ, ଆଖ୍ୟାନ, ଭଜନ ଜଣାଣ ତାଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଛି । ଯିଏ ଯେଉଁ ରୂପରେ ତାଙ୍କୁ ଦର୍ଶନ କରିବାକୁ ଚାହିଁଛି ତାଙ୍କୁ ସେଇ ରୂପରେ ଦେଖାଦେଇ ନିଜକୁ ସର୍ବଧର୍ମର ସମନ୍ୱିତ ଆକାର ଭାବରେ ପ୍ରତିପାଦିତ କରିଛନ୍ତି । ତାଙ୍କ ଅଙ୍ଗେ ଅଙ୍ଗେ ଫୁଟି ଉଠିଛି ଅସୁମାରୀ ଧର୍ମୀୟ ପ୍ରତୀକ । ତାଙ୍କ ଗଠନ ଶୈଳୀ ମଧ୍ୟ ବୌଦ୍ଧ, ଜୈନ, ଶୈବ, ଶାକ୍ତର ସଙ୍କେତ ବହନ କରିଥାଏ । ଏହା ବାଦ୍ ଶ୍ରୀମନ୍ଦିର, ଚାରିଦ୍ୱାର , ବାଇଶି ପାହାଚ,କୋଇଲି ବୈକୁଣ୍ଠ , ମୁକ୍ତି ମଣ୍ଡପ, ଅଁଳା ବେଢ଼ା, ରତ୍ନବେଦୀ, ଦଧିନଉତି, ନୀଳଚକ୍ର, ପତିତପାବନ ପ୍ରତିଟି କଳା କୃତି ସହ ଜଡ଼ିତ ରହିଛି ବହୁ ପୌରାଣିକ ଆଖ୍ୟାନ । ଗୋଟିଏ ବର୍ଷ ଅବଧିରେ ଶ୍ରୀମନ୍ଦିରରେ ପାଳନ କରାଯାଇ ଆସିଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ଯାତ୍ରା ସ୍ଵତନ୍ତ୍ର ଅଟେ । ପଞ୍ଚସଖା କବି ଅଚ୍ୟୁତାନନ୍ଦ ଶୂନ୍ୟ ସଂହିତାରେ ଲେଖିଛନ୍ତି –

ଅବତାର ଦଶ ଏହି ଦାରୁ ରୂପ
ଏହି ଦାରୁରେ ସେ ଲୀନ
ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ
ବିଜେ ରତ୍ନ ସିଂହାସନ ।

ରଥଯାତ୍ରା ବ୍ୟତୀତ ଶ୍ରୀ ଜଗନ୍ନାଥଙ୍କ ପ୍ରାତ୍ୟହିକ ନୀତି, ସ୍ନାନ, ମାର୍ଜନା, ପୋଷାକ ପରିଧାନ ଆହାର, ନିଦ୍ରା, ଋତୁ ଭିତ୍ତିକ ସେବା ସବୁଥିରେ ଲୌକିକ ଲୀଳା ପ୍ରଦର୍ଶିତ ହୋଇଥାଏ । ବିଶେଷ ଭାବରେ ସ୍ନାନ ପୂର୍ଣ୍ଣିମାରେ ପ୍ରଭୁଙ୍କ ୧୦୮ ଗରା ପାଣିରେ ଗାଧୋଇବା, ସ୍ନାନାନ୍ତେ ଜ୍ୱର ଭୋଗିବା, ସେବାୟତଙ୍କ ଫୁଲୁରି ସେବାରେ ପଥି ଖାଇ ରୋଗମୁକ୍ତ ହେବା, ନିଦାଘରେ ଚନ୍ଦନ ଲାଗି, ଶୀତରେ ଶୀତ ବସ୍ତ୍ର ପିନ୍ଧିବା ଇତ୍ଯାଦି ଇତ୍ୟାଦି ମଧ୍ୟରେ ତାଙ୍କ ମାନବୀୟ ଲୀଳା ପରିଦୃଷ୍ଟ ହୋଇଥାଏ । ତେବେ ଭକ୍ତର ଭାବରେ ସେ ବନ୍ଧା ଏପରି ଏକ ଠାକୁର ତାଙ୍କୁ ପ୍ରେମରେ, ଭକ୍ତିରେ, ଭାବରେ ଡାକିଲେ ଆର୍ତ୍ତିର ଆର୍ତ୍ତ ପାଇଁ ସେ ସବୁବେଳେ ନିକଟରେ ହିଁ ଅନୁଭୂତ ହୁଅନ୍ତି । ସେ ଅପହଞ୍ଚ ନୁହଁନ୍ତି, ଅଚିନ୍ତ୍ୟ କି ଅବ୍ୟକ୍ତ ନୁହଁନ୍ତି ପ୍ରମାଣ ଦେବାକୁ ଅନେକ ଲୀଳା କଥା ଆମେ ପୁରାଣ ଶାସ୍ତ୍ରରୁ ଶୁଣିଥାଉ । ତେଣୁ ଅଧିକ ଭାବରେ ସେ ସାଧାରଣ ମଣିଷ ପାଇଁ ଲୋକନାଥ ଅଟନ୍ତି ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top