ଭକ୍ତ ଏବଂ ଭଗବାନଙ୍କ ଏକ ଅଲଗା ସମ୍ପର୍କ ରହିଛି । ସାଧାରଣ ଘଟଣାଟି ଭକ୍ତ ପାଇଁ ଔଲକିକ ପ୍ରତୀୟମାନ ହୁଏ ଓ ତା ଭିତରେ ସେ ଭଗବାନଙ୍କୁ ଦର୍ଶନ କରିପାରେ । TV ରେ ଅନେକ ବ୍ୟକ୍ତି ନିଜ ଅନୁଭୁତିରେ କିପରି ଜଗନ୍ନାଥ ଙ୍କୁ ପାଇଛନ୍ତି ବର୍ଣ୍ଣନା କରୁଛନ୍ତି । ଡାକ୍ତର କବି ପ୍ରସାଦ ମିଶ୍ର ତାଙ୍କର ‘ବାଇଶି ପାହାଚ’ ବହିରେ ବର୍ଣ୍ଣନା କରିଥିବା ପ୍ରତିଟି ଅନୁଭୂତି ଅଦ୍ଭୁତ ଓ ଅବିସ୍ୱାଶନୀୟ ମନେହୁଏ, ଯଦିଓ ପ୍ରତିଟି ଘଟଣା ସତ ।
ମୋତେ ଥରେ ଜଣେ ବନ୍ଧୁ/ଭକ୍ତ ଏକ ଅଦ୍ଭୁତ ଘଟଣା ଶୁଣେଇଥିଲେ । ବନ୍ଧୁ ଜଣକ ମୋତେ ଘଟଣାଟି ୨୦୦୬ ମସିହାରେ କଥାଟି କହିଥିଲେ । କିନ୍ତୁ ଘଟଣାଟି ପ୍ରାୟ ୧୯୫୭-୫୮ ମସିହାର । ସେ ଦକ୍ଷିଣ ଭାରତୀୟ କିନ୍ତୁ ମାମୁଁଙ୍କ ଘରେ ରହି ଭୁବନେଶ୍ୱରରେ ପଢୁଥିଲେ । ମାମୁଁ ଥାନ୍ତି ଓଡିଶା ସରକାରଙ୍କ PWD ରେ Executive Engineer । ଯେଉଁ ସମୟର କଥା କୁହାଯାଉଛି ସେତେବେଳେ ଆଜି ଭଳିଆ ଶହ ଶହ Engineer ନଥିଲେ । ଓଡ଼ିଶାରେ ମାତ୍ର ଅଳ୍ପ କିଛି Executive Engineer ପଦ ଥାଏ । ସେମାନଙ୍କୁ ସରକାରୀ ଜିପ୍ ମିଳିଥାଏ । କିନ୍ତୁ ଅନ୍ୟ ବଡ ଅଫିସରଙ୍କ ସରକାରୀ ଗାଡି ନଥିଲା । Executive Engineer ଯେହେତୁ ବିଭିନ୍ନ କାମ Inspection କରିବାକୁ ଯିବେ ତାଙ୍କୁ ଏକ ସରକାରୀ ଜିପ୍ ଗାଡି ମିଳିଥାଏ ।
ସେ ପ୍ରତିବର୍ଷ ଜିପ୍ରେ ରଥଯାତ୍ରା ଦିନ ପୁରୀ ଯାଆନ୍ତି । ସେ ବର୍ଷ ମଧ୍ୟ ରଥ ଦେଖିବାକୁ ଯିବା ସ୍ଥିର ହେଲା । Executive Engineer ଜଣକ ଏଥରକ ଜିପ୍ ଗାଡ଼ିରେ ନିଜ ଭଣଜା( ଯିଏକି ନିଜେ ମୋତେ ଏ ଘଟଣା ବର୍ଣ୍ଣନା କରିଥିଲେ )କୁ ସାଙ୍ଗରେ ରଥ ଦେଖେଇ ନେବେ କହିଲେ । ବନ୍ଧୁ ଜଣକ ସେତବେଳେ ନବମ ଶ୍ରେଣୀରେ ପଢ଼ୁଥାନ୍ତି । ଏକଥା ଶୁଣି ସେ ସବୁ ସାଙ୍ଗମାନଙ୍କୁ ଜଣେଇ ଦେଇଥାନ୍ତି, ସେ ମାମୁଁଙ୍କ ସାଙ୍ଗରେ ଜିପ୍ରେ ଜଗନ୍ନାଥ ଦର୍ଶନ କରିବାକୁ ଯିବେ । ତେବେ ଠିକ ରଥଯାତ୍ରା ପୂର୍ବଦିନ ଏକ ନାଟକୀୟ ଘଟଣା ଘଟିଲା । ସନ୍ଧ୍ୟାବେଳେ ମାମୁଁଙ୍କ ପାଖକୁ ଏକ ଟେଲିଫୋନ୍ ଆସିଲା । ତତ୍କାଳୀନ ଓଡିଶା ସରକାରଙ୍କ ଚିଫ୍ ସେକ୍ରେଟାରୀ ଟେଲିଫୋନରେ ଜଣେଇଲେ ସେ ନିଜ ଜିପ୍ରେ ପୁରୀ ନଯାଇ ତାଙ୍କ ସହ ଯିବାକୁ ଚାଁହୁଛନ୍ତି । ଏ କଥାରେ ମାମୁଁ ସଂଗେ ସଂଗେ ରାଜି ହେଇଗଲେ । ଉଭୟ ଦକ୍ଷିଣ ଭାରତୀୟ ହୋଇ ଥିବାରୁ ତାଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଥିଲା । କିନ୍ତୁ ତାଙ୍କ ଭଣଜାକୁ ଜଣାଇ ଦେଲେ ତାଙ୍କୁ ଜିପ୍ରେ ନିଆଯାଇ ପାରିବ ନାହିଁ କାରଣ ସାଙ୍ଗରେ ଚିଫ୍ ସେକ୍ରେଟାରୀ ଯିବେ ।
ବନ୍ଧୁ ଜଣକ କିଛି କହିଲେ ନାହିଁ କିନ୍ତୁ ବହୁତ ମନଦୁଃଖ ହେଲା । ରାତିସାରା ଖାଲି ରଥଯାତ୍ରା ଓ ଜଗନ୍ନାଥଙ୍କ କଥା ଭାବୁଥାନ୍ତି । ଜମାରୁ ନିଦ ହେଲାନି । ପୁଣି ସବୁ ସାଙ୍ଗଙ୍କୁ କହିସାରିଥାନ୍ତି ପୁରୀ ଯିବା କଥା, ଏବେ ନଯାଇ ପାରିଲେ ସେମାନଙ୍କୁ କଣ କହିବେ, ଏକଥା ଭାବି ତାଙ୍କୁ ବଡ଼ ଦୁଃଖ ଲାଗିଲା । କେତେବେଳେ ସାମାନ୍ୟ ନିଦ ଆସିଯାଇଛି ଜାଣିପାରିଲେ ନାହିଁ, କିନ୍ତୁ ହଠାତ ନିଦ ଭାଙ୍ଗିଗଲା, ଭୋର୍ରୁ ଉଠିପଡ଼ିଲେ ଓ ନିଷ୍ପତି ନେଲେ ସେ ଯେମିତି ହେଲେ ରଥଯାତ୍ରା ଦେଖିବାକୁ ଯିବେ । ଜଗନ୍ନଥାଙ୍କୁ ମୁଣ୍ଡିଆ ମାରି, କାହାକୁ କିଛି ନ ଜଣେଇ ସାଇକେଲ୍ରେ ପୁରୀ ବାହାରି ପଡିଲେ । ମନରେ ଅନେକ ଆଶଙ୍କା ଓ ଭୟ ଥିଲା, ସତରେ କଣ ସାଇକେଲ୍ରେ ଯାଇ ରଥଯାତ୍ରା ଦେଖିହେବ । ପିପିଲି ପାଖାପାଖି ହେଇଛନ୍ତି, ତାଙ୍କୁ ଟପି ମାମୁଁଙ୍କ ଜିପ୍ ଆଗକୁ ଗଲା ।
ଜିପ୍କୁ ଦେଖିବାପରେ ତାଙ୍କ ମନରେ ରାଗ, ଦୁଃଖ ଓ ଅଭିମାନର ଏକ ମିଶ୍ରିତ ରୂପ ପ୍ରକାଶିତ ହେଲା । ସେ ଅଟକି ଯାଇ ଜଗନ୍ନାଥଙ୍କୁ ଗୁହାରି କଲେ, ପ୍ରଭୁ ଯଦି ସତରେ ଯଦି ତୁମେ ଅଛ, ମୋ ଆଗରୁ ଏହି ଦୁଇଜଣ ( ମାମୁଁ ଓ ଚିଫ୍ ସେକ୍ରେଟାରୀ) ଆପଣଙ୍କ ଦର୍ଶନ ପାଇବେ ନାହିଁ । ବନ୍ଧୁ ଜଣକ ପୁଣି ପେଡାଲ ମାରି ଆଗକୁ ଯିବା ଆରମ୍ଭ କଲେ । ଭାବୁଥାନ୍ତି ଯଦି ପୁରୀ ପହଂଚିବା ପୂର୍ବରୁ ରଥଯାତ୍ରା ସରିଯିବ ଓ ରଥ ଉପରେ ଦର୍ଶନ ହେଇ ପାରିବନି ଏତେ ପରିଶ୍ରମ ବୃଥା ଯିବ । ମନରେ ଅନେକ ଭାବନା ନେଇ ଆଗକୁ ଯାଉଥାନ୍ତି । ଦେଖିଲେ ଆଗରେ (ଦାଣ୍ଡ ମୁକୁନ୍ଦପୁର ପରେ ) ମାମୁଁ ଙ୍କ ଜିପ୍ ଖରାପ ହେଇ ଛିଡା ହେଇଛି । ସେତେବେଳେ ଜିପ୍ ସଂଖ୍ୟା ବହୁତ କମ୍, ଗାଡି ଚିହ୍ନିବା ଅସୁବିଧା ହେଲାନାହିଁ । କିଛି ଲୋକ ଗାଡି ପାଖରେ ଭିଡ କରିଥାନ୍ତି । ଡ୍ରାଇଭର ଜଣକ ଇଂଜିନ ଖୋଲି କଣ କରୁଥାନ୍ତି । ସେ ସମୟରେ ପ୍ରାୟ ଡ୍ରାଇଭର ମାନଙ୍କୁ ଅଳ୍ପ ବହୁତ ମେକାନିକ ବିଦ୍ୟା ଜଣାଥିଲା । ତା ଛଡା ଇଂଜିନ ଗରମ ହେଇ ଗାଡି ବନ୍ଦ ହେବା ସାଧାରଣ ଘଟଣା ଥିଲା ।
ଏଥରକ ବନ୍ଧୁ ଜଣକ ଜୋରେରେ ପେଡାଲ ମାରି ପୁରୀ ପହଂଚି ଗଲେ । ପୁରୀରେ କିଛି ଆଗରୁ ଜଗନ୍ନାଥଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥାଏ । ଭକ୍ତ ମାନେ ରଥ ଉପରେ ଦର୍ଶନ କରୁଥାନ୍ତି ।
ସେତେବେଳେ ଭକ୍ତ ମାନଙ୍କୁ ରଥ ଉପରେ ଚଢି ଦର୍ଶନ କରିବାରେ କିଛି ପ୍ରତିବନ୍ଧକ ନଥିଲା । ବନ୍ଧୁ ଅତି ଆନନ୍ଦରେ ଦର୍ଶନ କଲେ । ଦର୍ଶନ କରି ଫେରିବା ବେଳେ ତାଙ୍କ କାନରେ ତେଲୁଗୁ କଥାବାର୍ତ୍ତା ପଡିଲା । ଅନେଇ ଦେଖନ୍ତି, ଚିଫ ସେକ୍ରେଟାରୀ ଓ ତାଙ୍କ ମାମୁଁ ରଥ ଉପରକୁ ଚଢୁଛନ୍ତି । ସେତେବେଳର ଚିଫ୍ ସେକ୍ରେଟାରୀ ଜଣେ ତେଲୁଗୁ ଥିଲେ ।
ବାଲ୍ୟ ଚପଳତା ହେଉ ବା ଠିକ୍ ଭୁଲ ବିଚାର କରିପାରୁନଥିବା ଜଣେ ଭକ୍ତର ମାନସିକତା ହେଉ ସେଦିନ ସେ ବନ୍ଧୁ ଜଣକ ଅତି ଆନନ୍ଦରେ ଭୁବନେଶ୍ୱର ଫେରିଲେ । ତାଙ୍କୁ ଲାଗିଲା ଜଗନ୍ନାଥ ତାଙ୍କ ଡାକ ଶୁଣିଲେ । ତାଙ୍କୁ ଜିପ୍ରେ ନ ନେବାରୁ , ସରକାରୀ ବାବୁ ଦି ଜଣକୁ ଜଗନ୍ନାଥ ପଛରେ ପକେଇ ଦେଲେ । ସେ ଆତ୍ମବିଭୋର ହେଇ ଯାଇଥିଲେ । ଭୁବନେଶ୍ୱରରୁ ପୁରୀ ସାଇକେଲ ଯାତ୍ରାର କଷ୍ଟ ସେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ତାଙ୍କ କହିବା କଥା, ପ୍ରକୃତରେ ରଥ ଅଟକେଇବାକୁ ହେଲେ ନିଜକୁ ସାଲବେଗ କରିବାକୁ ପଡିବ ।
ଜୟ ଜଗନ୍ନାଥ