ପ୍ରବନ୍ଧ

ଭୀମଭୋଇଙ୍କ ପ୍ରାର୍ଥନା

Priyanka Priyadarshini Mishra's Odia Prose Bheemabhoinka Prarthanaa

ତାଙ୍କ ଅନୁଭବରେ ସମସ୍ତଙ୍କ ମଧ୍ୟରେ ସେଇ ହାଡ଼, ରକ୍ତ, ମାଉଁସ ଅଛି; କେହି ଭିନ୍ନ ନୁହନ୍ତି । ସେହି ଅଭିନ୍ନତାର ପରମ ଅନୁଭବ ହିଁ ତାଙ୍କୁ ଜଗତର ଉଦ୍ଧାର ପାଇଁ ପ୍ରାର୍ଥନା କରିବାର ଦୃଷ୍ଟିକୋଣ ଦେଇଛି ।

ଭୀମଭୋଇଙ୍କ ପ୍ରାର୍ଥନା

ସକାଳ ନ ପାହୁଣୁ ଚାରି ପାଞ୍ଚଟା ମନ୍ଦିର ଯାଇ ଲୋକେ ଧନଜନ ପାଇଁ ହଜାରେ ମାନସିକ କରୁଛନ୍ତି । ଏଥିରେ ଉଚିତ/ଅନୁଚିତ ବିଚାର କରିବାର ଆବଶ୍ୟକତା ନାହିଁ କି ଆମର ଅଧିକାର ମଧ୍ୟ ନାହିଁ । ଯିଏ ଯାହାର ପ୍ରାର୍ଥନା ଈଶ୍ୱରଙ୍କୁ ଜଣେଇବେ, ଏଥିରେ ଅସୁବିଧା ବା କୋଉଠି । କିଏ ପ୍ରାର୍ଥନା କରୁଛନ୍ତି ସନ୍ତାନ ପାଇଁ, କିଏ ବ୍ୟବସାୟରେ ସଫଳତା ପାଇଁ, କିଏ ଝିଅର ବାହାଘର ବିଦେଶଫେରନ୍ତା ପୁଅ ସହ ହେଉ ବୋଲି । କିଏ ଗୁହାରି କରୁଛନ୍ତି ପୁଅର ଅମୁକ ବିଶ୍ୱବିଦ୍ୟାଳୟରେ ସିଟ୍‌ ହୋଇଯାଉ ବୋଲି ତ କିଏ କହୁଛି – “ଭଗବାନ୍‌, ମୋ ପିଲା ବର୍ଷଯାକ ବହି ଧରିନି । କପି କଲାବେଳେ ବର୍ତ୍ତୀ ଯାଉ ।” ଏମିତି ସମଗ୍ର ବିଶ୍ୱରେ କୋଟି କୋଟି ଲୋକଙ୍କ କୋଟି କୋଟି ପ୍ରାର୍ଥନା ।

ହେଲେ ସଂସାର ରଥର ଚକ ଗଡ଼ି ଗଡ଼ି ଯେଉଁ ସମୟରେ ପ୍ରବେଶ କରିଛି , ଯେତେବେଳେ ଜାତି, ଧର୍ମ, ଧନ, କ୍ଷମତା ନାମରେ ଆଖିଥିବା ଲୋକେ ଅନ୍ଧ ହୋଇ ଜଣେ ଆଉଜଣକୁ ନିନ୍ଦା କରିବାରେ ଯନ୍ତ୍ରଣା ଦେବାରେ ଅବା ହାଣି ଦେବାରେ ମଧ୍ୟ ପଛଉ ନାହାନ୍ତି ; ଅନ୍ଧ କବି ଭୀମଭୋଇଙ୍କ ପ୍ରାର୍ଥନା କଣ ଥିଲା – ତାର ଗୁରୁତ୍ୱ ବୁଝିବା ଅତ୍ୟନ୍ତ ଆବଶ୍ୟକ ମନେ ହୁଏ । ସେ ପ୍ରାର୍ଥନା କଲେ :-

“ଜଣାଉଛି ମୁଁ ଯେ ଭକ୍ତିଭାବରଞ୍ଜେ ମଣିମା ଅନନ୍ତ,
ତିନି ବ୍ରହ୍ମାଣ୍ଡରେ ଯେତେ ଜୀବଛନ୍ତି ସମସ୍ତେ ତୁମ ଭଗତ ।
କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୁରି ,
ତୁମ୍ଭେ ପୂରିଅଛ କାହିଁ ଉଣାନାହିଁ ସର୍ବ ଘଟେ ସମସରି ।
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।”

ସେ ସର୍ବମୟ, ସର୍ବଘଟେ ବିରାଜିତ ଅନନ୍ତ ଈଶ୍ୱରଙ୍କୁ ଗୁହାରି କରି ନିଜ ପାଇଁ କିଛି ମାଗୁ ନାହାନ୍ତି, ନିଜେ ଅନ୍ଧବୋଲି, ଦୃଷ୍ଟିଶକ୍ତି ମାଗୁ ନାହାନ୍ତି ଅବା ନିଜସ୍ୱ ସ୍ୱାର୍ଥସିଦ୍ଧି କଥା କଳ୍ପନାକୁ ମଧ୍ୟ ଆଣି ନାହାନ୍ତି । ବରଂ ସେ କହିଛନ୍ତି ତାଙ୍କ ଜୀବନ ପଛେ ନର୍କରେ ପଡ଼ିଥାଉ , ଜଗତର କଲ୍ୟାଣ ହେଉ, ସମସ୍ତଙ୍କର ଦୁଃଖଶୋକ ଉଭେଇ ଯାଉ ।

ସେ କଣପାଇଁ ଜଗତର ଦୁଃଖ ସହିପାରୁ ନାହାନ୍ତି ? ଶହେକୋଶ ଦୂରରେ କିଏ ରୋଗରେ ପଡି ଛଟପଟ ହେଉଥିବ ଭାବି କାହିଁକି ସେ ବିଚଳିତ ହେଉଛନ୍ତି ? ପଡ଼ିଶା ଘର ଛୁଆଙ୍କ ପେଟରେ ଦାନା ପଡିନି, ତାଙ୍କୁ କାହିଁକି ବାଧୁଛି ? ଅଚିହ୍ନା ଅଜଣା ଜଣେ ରାସ୍ତାରେ କାନ୍ଦିକାନ୍ଦି ଯାଉଛନ୍ତି, ଭୀମ ଭୋଇଙ୍କୁ କାହିଁକି କଷ୍ଟ ହେଉଛି ? ଏସବୁ ପ୍ରଶ୍ନର କାରଣ ସେ ତାଙ୍କ ପ୍ରାର୍ଥନାରେ ହିଁ ସ୍ପଷ୍ଟ କରିଛନ୍ତି –

“ଏକ ଖଣ୍ଡ ହାଡ଼, ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ
ତେଣୁକରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ ।”

ତାଙ୍କ ଅନୁଭବରେ ସମସ୍ତଙ୍କ ମଧ୍ୟରେ ସେଇ ହାଡ଼, ରକ୍ତ, ମାଉଁସ ଅଛି; କେହି ଭିନ୍ନ ନୁହନ୍ତି । ସେହି ଅଭିନ୍ନତାର ପରମ ଅନୁଭବ ହିଁ ତାଙ୍କୁ ଜଗତର ଉଦ୍ଧାର ପାଇଁ ପ୍ରାର୍ଥନା କରିବାର ଦୃଷ୍ଟିକୋଣ ଦେଇଛି ।

ଆଜିକା ଦୁନିଆରେ ମାନବିକତାର କବର ଉପରେ ସ୍ୱାର୍ଥରଧ୍ୱଜା ଫରଫର ହୋଇ ଉଡୁଛି । ବାଟରେ ଗଲାବେଳେ ଫଲଭରା ଗଛଟେ ଦୃଶ୍ୟମାନ ହେଲେ, ଲୋକ ଫଳ ନେଇ ଗଛକୁ ବି ହାଣି ନଉଛି । ମଣିଷ ତରାଜୁ ଧରି ଉଠୁଛି ବସୁଛି -“ତୋ ସହ ବନ୍ଧୁତା କଲେ ମୋତେ କଣ ମିଳିବ ? ତୋତେ ସାହାଯ୍ୟ କଲେ ମୋର କି ଲାଭ ? ତୋ ବୋଉକୁ କର୍କଟ ରୋଗ, ଏଥିରେ ମୋର କଣ ଗଲା ? ଅନ୍ୟ ରାଜ୍ୟକୁ ବାତ୍ୟାର ପ୍ରଭାବ ପଡିଲା, ଯାହଉ ଆମେ ବଞ୍ଚିଗଲୁ !! ଅନ୍ୟ ଦେଶରେ ବୋମା ପଡିଲା ବୋଲି ଟି.ଭି.ରେ ଆସିଲେ, ବନ୍ଦ କର୍‌ମ, କୋଉ ଭଲ ଫିଲିମ୍‌ ଚଲା ଦେଖିବା । ଅନେକ ଉଦାର ହୃଦୟର ମଣିଷ ମଧ୍ୟ ଅଛନ୍ତି ଯିଏକି ଅନ୍ୟର ଦୁଃଖ ଦେଖିପାରୁ ନାହାନ୍ତି ଏବଂ ସାହାଯ୍ୟ ମଧ୍ୟ କରୁଛନ୍ତି; ସେଥିରେ ଦ୍ଵିମତ ନାହିଁ ।

ସନ୍ଥକବି ଭୀମଭୋଇଙ୍କ ପ୍ରାର୍ଥନା ସମସ୍ତଙ୍କ ମନରେ ଗୁଞ୍ଜରି ଉଠୁ । ସମସ୍ତଙ୍କ ହୃଦୟକମଳରେ ମଣିଷକୁ ଆପଣେଇନେବାର ଭାବ ଆସୁ ।

ଅଭିନ୍ନତାର ପରମ ଆନନ୍ଦ ସମସ୍ତଙ୍କୁ ପ୍ରାପ୍ତ ହେଉ । ଗୋଟିଏ ହସ ଚାରିଆଡେ ହସର ଲହରୀ ଖେଳେଇ ଦେଉ, ଗୋଟିଏ ଆଖିର ଲୁହ ସବୁ ଆଖିକୁ ଭିଜେଇ ଦେଉ । ମାନବକୁ ମାନବିକତା ପ୍ରାପ୍ତ ହେଉ । ଜଗତର ଉଦ୍ଧାର ହେଉ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top