କବିତା

ଜଗନ୍ମୟୀ

ଗୁଣ-ଆଶ୍ରୟେ ଲୀଳାମୟୀ ତୁମେ ଶାଶ୍ୱତ-ସନାତନୀ,
ପରିତ୍ରାତା ଶରଣାଗତେ, ଚାମୁଣ୍ଡା, ନାରାୟଣୀ ।

ଜଗନ୍ମୟୀ

କବିତାର ଭୂମିକା:

ଶାରଦୀୟ ସମ୍ଭାର ନେଇ ଆସିଛି ପାର୍ବଣର ମହୋତ୍ସବ । ଦେବୀ ଦଶଭୁଜାଙ୍କର ଆଗମନୀରେ ଗଗନ ଭୁବନ ପ୍ରକମ୍ପିତ ହେବା ସଂଗେ ସଂଗେ, ସମସ୍ତ ବାତାବରଣରେ ଖେଳି ଉଠିଛି ଏକ ଅଲୌକିକ ଓ ଅତିଭୌତିକ ଆନନ୍ଦର ଲହରୀ । ଦୁର୍ଗତି ନାଶିନୀ ‘ମା’ ଦୁର୍ଗାଙ୍କର ଆବିର୍ଭାବରେ ଉଲ୍ଲସିତ ଏବଂ ରୋମାଂଚିତ ହେଉଛି ଧରାର ପ୍ରତିଟି ଧାରା ଆଉ ପ୍ରାଣ-ସ୍ପନ୍ଦନ: ଯେପରି ମୃଣମୟକୁ ଚିନ୍ମୟ ସୋପାନକୁ ଉତ୍ତୋଳିତ କରିନେବାପାଇଁ ଚିନ୍ମୟୀ ଜଗଜ୍ଜନନୀଙ୍କ ଧରାବତରଣ । ଏହାର ଠିକ ପରେ ପରେ ଆସି ଉପଗତ ହେବ ଶ୍ରୀମୟୀ “ମା” ମହାଲକ୍ଷ୍ମୀଙ୍କର ଭବ୍ୟ ଉପାସନା ଏବଂ ପୁଣି ଦୀପାବଳି ଅମାବାସ୍ୟାର ଘୋର ତମସାର କୁଝଟିକାକୁ ବିଦୀର୍ଣ୍ଣ କରି ଆଲୋକର ଚପଳା ଖେଳାଇ ନୃତ୍ୟରତା ହେବେ ଦିଗମ୍ବରୀ “ମା” ମହାକାଳୀ । ବେଶ କିଛି ମାସ ଶୀତର ପ୍ରକୋପ ଓ ପ୍ରାବଲ୍ୟ ଅତିକ୍ରାନ୍ତ ହେଲାପରେ, ଦିବ୍ୟ ଜନନୀଙ୍କର ଧରାବତରଣର ପ୍ରକ୍ରିୟାକୁ ଜାରି ରଖି ବସନ୍ତ ପଞ୍ଚମୀରେ ଉପାସିତା ହେବେ ବୀଣା-ବାଦିନୀ, ବିଦ୍ୟା-ଦାୟିନୀ “ମା” ସରସ୍ୱତୀ ।

ତେବେ ଆମ ସମ୍ମୁଖରେ ବିଭିନ୍ନ ରୂପେ ଆବିର୍ଭୁତା ହେଉଥିବା “ମା”ଙ୍କର ଏହି ବହୁଧା ଶକ୍ତିରୂପା ଦେବୀ ମାନେ କିଏ? ସେମାନେ କଣ ବିବିଧ ଅଥବା ଏକଇ ଦିବ୍ୟ ଜନନୀଙ୍କର ବହୁରୂପୀ ଆତ୍ମପ୍ରକାଶ । ଏହି ସମ୍ପର୍କରେ, ମହାଯୋଗୀ ଋଷି ଶ୍ରୀ ଅରବିନ୍ଦଙ୍କର ଦିବ୍ୟ ଦୃଷ୍ଟିରେ ଉଦ୍ଭାସିତ “ମା”ଙ୍କର ସ୍ୱରୂପ ଏକାନ୍ତ ପ୍ରଣିଧାନ ଯୋଗ୍ୟ ଓ ପ୍ରାମାଣିକ । ଶ୍ରୀ ଅରବିନ୍ଦଙ୍କ ଭାଷାରେ ଏହି ଅଦ୍ଵିତୀୟା ଦିବ୍ୟ ଜନନୀ ହେଲେ ଭଗବତୀ ଚିତଶକ୍ତି । ମାହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ – ଏହି ଶକ୍ତିଚତୁଷ୍ଟୟ ହେଲେ “ମା”ଙ୍କର ଚାରୋଟି ପ୍ରଧାନ ବ୍ୟକ୍ତିରୁପ ଏବଂ ତାଙ୍କ ଦିବ୍ୟ ସ୍ୱରୂପର ଅଂଶ ଓ ବିଗ୍ରହ । ଏମାନଙ୍କ ମଧ୍ୟ ଦେଇ “ମା” ତାଙ୍କ ସନ୍ତାନମାନଙ୍କ ଉପରେ କାର୍ଯ୍ୟ କରନ୍ତି; ଭୁବନ ଭୁବନରେ, ତାଙ୍କର ସୃଷ୍ଟି ମଧ୍ୟରେ ଶୃଙ୍ଖଳା ଓ ସାମଞ୍ଜସ୍ୟ ବିଧାନ କରନ୍ତି ।

ଏତାଦୃଶ ଦିବ୍ୟ ଭଗବତୀ ଜନନୀଙ୍କୁ ଧ୍ୟାନପୂର୍ବକ, ଶାରଦୀୟ ବାସରରେ “ମା” ଦୁର୍ଗତି ନାଶିନୀ ଦୁର୍ଗାଙ୍କୁ ଆବାହନ କରିବାର ଆସ୍ପୃହା ନେଇ “ଜଗନ୍ମୟୀ” ତାଙ୍କରି ଚରଣରେ ଭକ୍ତିପୂତ ପୁଷ୍ପାଞ୍ଜଳି ।

ତୁ ଲୋ ଚାରୁ-ଚନ୍ଦନ ଚର୍ଚ୍ଚିତ ତୋ’ର ଚପଳ ଚରଣ ଥାପିଲେ,
ମୋ’ର କଳ୍ମଷ ଯେତେ ଧୋଇଯିବ ସବୁ ପଦ୍ମ-ପୟର ଛୁଇଁଲେ ।

ତୁ ଲୋ କାରୁ-କଜ୍ଜ୍ୱଳ ଚାହାଣିରେ ତୋ’ର ଅନ୍ତରେ ମୋ’ର ଚାହିଁଲେ,
ଅମା-ଅନ୍ଧାର ଘୋର ନାଶଯିବେ ମୋ’ର ହୃଦୟ-ପଦ୍ମ ଖୋଲିଲେ ।

ତୋ’ର କମଳ-କୋରକ ଅଙ୍ଗୁଳି ଚାଳି ମସ୍ତକ ମୋ’ର ଚୁମିଲେ,
ହୀନ କପାଳ-ଲିଖନ ଖଣ୍ଡନ ହେବ ସ୍ପର୍ଶ ତୋହର ପାଇଲେ ।

ହାସ୍ୟମୟୀ ତୋ’ ନୟନ ଯୁଗଳେ ମୋର ଏ ନୟନ ଥାପିଲେ,
ତୁ ଗୋ ଝରିପଡ଼ୁ ହୋଇ ଅଶ୍ରୁର ଧାରା ଲୋତକ-ବନ୍ୟା ସଲିଳେ ।

ତୁ ଲୋ ପଦ୍ମ-ପଲାଶ ଲୋଚନେ ତୋହର ନୟନ ମଣି ମୋ ସାଜିଲେ,
ହେବ ଝଙ୍କୃତ ମୋ’ର ଜୀବନ-ବିତାନ ପୁଷ୍ପିତ କରି ସହଳେ ।

ତୋ’ର ଦୃଷ୍ଟି-ମଧୁର ସମ୍ମୋହନର ମନ୍ତ୍ର ଯାହାରେ ଛୁଇଁଛି,
ସେ ଯେ ଆପଣା ଭିତରେ ତନ୍ତ୍ରିତ, ତୋ’ର ଆଶିଷ ଧନ୍ୟ ହୋଇଛି ।

ତୁ ଲୋ ଲକ୍ଷ୍ମୀ-ପୟର ପକାଇ ତୋହର ଥିରି ଥିରି ହୋଇ ଚାଲିଲେ,
କେତେ ଫୁଟି ଉଠେ ପୁଣି ଲକ୍ଷ କମଳ କକ୍ଷ ପଥେ ତୋ ଅଚିରେ ।

ଶ୍ୟାମା-ଶର୍ବରୀ ତୁ ଲୋ କଣ୍ଠେ ତୋହର ରକ୍ତ ଜବାର ଭୂଷଣ,
ପୁଣି ମହାକାଳୀ ତୋ’ର ଅଳକ୍ତ-ପଦେ କାଳର କରାଳ ବଦନ ।

ଆଗୋ ବରବର୍ଣ୍ଣିନୀ, ଚମ୍ପା-ବରଣୀ, ଭୁବନ-ମୋହିନୀ ପରମା,
ଆଗୋ ବିଦ୍ୟାଦାୟିନୀ, ଶୁକ୍ଳାମ୍ବରୀ, ସୁମନୋହାରିଣୀ ସୁଷମା ।

ଆଗୋ ଦର୍ପ-ହାରିଣୀ, ଅସୁର-ନାଶିନୀ, ଚିର-ସଂହାର କାରିଣୀ,
ଆଗୋ କରାଳ-ବଦନୀ, ମହାକାଳୀ ତୁମେ ଦୁଷ୍ଟ, ଦନୁଜ ଦଳିନୀ ।

ଆଗୋ ଶୌର୍ଯ୍ୟ ଦାୟିନୀ, ଧୈର୍ଯ୍ୟ ଦାୟିନୀ, ଦୁଃଖ-ବିପଦ ତାରିଣୀ,
ଆଗୋ ମହା-ଈଶ୍ଵରୀ, ବୈରୀ-ଗଞ୍ଜନୀ, ଅଭୟ-ମୁଦ୍ରା ବାରିଣୀ ।

ଶ୍ରୀମୟୀ, ଧୀମୟୀ, ମାଧୁର୍ଯ୍ୟମୟୀ, ଶ୍ରୀମନ୍ତ, ଶୋଭା-ମାଳିନୀ,
ତୁମେ ମହାଲକ୍ଷ୍ମୀ ଗୋ ସୌମ୍ୟା, ସୁଷମା, ଅନ୍ତରତମା ମୋହିନୀ ।

ବିଶ୍ୱବ୍ୟାପିଣୀ, ବିଶ୍ୱରୂପିଣୀ, ବିଶ୍ୱେଶ୍ୱରୀ ଜନନୀ,
ପ୍ରକୃତିଭୁତା ଗୁଣମୟୀ ତୁମେ, ତ୍ରିଗୁଣାତୀତା ଭବାନୀ ।

ତ୍ରିଗୁଣାତ୍ମିକା ଅବିଦ୍ୟା ପଥେ ବିଦ୍ୟା-ପ୍ରଦାୟୀ ବରଦା,
ସୃଷ୍ଟି-ପାଳନ-ସଂହାରେ କର ଆଲୋକନ୍ମୁଖୀ ସାରଦା ।

ବିଶ୍ୱାତୀତା ଗୋ ଅଦ୍ବିତୀୟା ତୁମେ ଆଦ୍ୟା ଶକ୍ତି ଶିବାନୀ,
ଅନନ୍ତ କୋଟି ଭୁବନ-ଭବନେ ବ୍ରହ୍ମାଣ୍ଡ ଶୋଭା ଧାରିଣୀ ।

ଅକଳ୍ପନୀୟା, ମାନଷାଗୋଚର, ମହାଶକ୍ତି ଗୋ ପ୍ରଥମା,
ଦେବୀ ବିଗ୍ରହେ ଅର୍ଚ୍ଚିତା ତୁମେ କୃପା-ଆବିଷ୍ଟ ମହିମା ।

ଯୋଗୀ, ମୁନି-ଜନ ଧ୍ୟାନ ବିହାରିଣୀ ଭୂଲୋକେ ପୂଜିତା ବନ୍ଦ୍ୟ।,
ଦ୍ୟୁଲୋକେ, ଗୋଲକେ ଦେବା-ଦେବୀଗଣ କରୁଥା’ନ୍ତି ସ୍ତୁତି-ସନ୍ଧ୍ୟା ।

ଆନନ୍ଦମୟୀ ଲୋ, ଚୈତନ୍ୟମୟୀ ତୁ, ସତ୍ୟମୟୀ ଗୋ ପରମା,
ଚିନ୍ମୟୀ ତୁ ଲୋ ମହା ଭୈରବୀ ତ୍ରିତାପ ନାଶିନୀ ରମ୍ୟ। ।

କୃପା ପରବଶେ କୃପାମୟୀ ଆଗୋ ଆସିଅଛ ଅବତରି,
ଜଡର ଜଠରେ ଚୈତନ୍ୟ-ଚମକ ଦେବାପାଇଁ ତୁମେ ଭରି ।

ଗୁଣ-ଆଶ୍ରୟେ ଲୀଳାମୟୀ ତୁମେ ଶାଶ୍ୱତ-ସନାତନୀ,
ପରିତ୍ରାତା ଶରଣାଗତେ, ଚାମୁଣ୍ଡା, ନାରାୟଣୀ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top