ପ୍ରବନ୍ଧ

ବୃତ୍ତିର ନାମ ରାଜନୀତି

Sudipta Pani's Odia Prose Bruttira Nama Raajaniti

ସ୍ୱାର୍ଥଲୋଭୀ ରାଜନେତାମାନେ ନିଜ ନିଜର ବଳିଦତ୍ତ ପଣିଆକୁ ତ୍ୟାଗ କରି ଭୁଲକୁ ସଜାଡ଼ି ଦେଶର ଓ ଜାତିର ଉନ୍ନତି ନିମନ୍ତେ ନିଜକୁ ନିୟୋଗ କରନ୍ତୁ

ଜନସାଧାରଣମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ମିଳିତ ହୋଇ, ରାଜ୍ୟର ସୁବିଧା ଓ ସହଯୋଗ ନିମନ୍ତେ ସର୍ବଗ୍ରାହ୍ୟ ନୀତିକୁ ନିର୍ଦ୍ଧାରଣ କରୁଥିବାରୁ ତାହାକୁ ରାଜନୀତିର ଆଖ୍ୟା ଦିଆଯାଇଛି । ପୂର୍ବେ ରାଜନୀତିକୁ ରାଜନେତାମାନେ ଜୀବନର ବ୍ରତ ଭାବେ ଗ୍ରହଣ କରି ଅମାବାସ୍ୟାର ଅନ୍ଧାକାରକୁ ଦୂରୀକରଣ କରି ପୂର୍ଣ୍ଣମୀର ଜ୍ୟୋସ୍ନାକୁ ବିଞ୍ଚିଦେଉଥିଲେ । ଯେଉଁ କେତେଜଣ ଓଡ଼ିଆ ତାଙ୍କର ସମଗ୍ର ଜୀବନକୁ ଦେଶ ସେବା ଲାଗି ଉତ୍ସର୍ଗ କରିଦେଇଥିଲେ, ତାଙ୍କ ମଧ୍ୟରେ ଜଣେ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ସେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ସହିତ ଦୁର୍ଭିକ୍ଷ ସମୟରେ ଖାଦ୍ୟ ଧରି ଗାଁ ଗାଁ ବୁଲି ବଣ୍ଟନ କରିଥିଲେ । ତାଙ୍କ ସାହିତ୍ୟର ସ୍ୱର ମଧ୍ୟ ଥିଲା – ମାନବପ୍ରୀତି, ଦେଶପ୍ରୀତି ଏବଂ ଜାତୀୟତାବୋଧ । ପ୍ରବନ୍ଧ ଓ କବିତାରେ ସେ ଏହାର ନିପୁଣ ଚିତ୍ରକୁ ପ୍ରସ୍ଫୁଟିତ କରାଇଛନ୍ତି। ସେ ତାଙ୍କ କବିତାରେ ଲେଖିଛନ୍ତି:-

” ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ଵ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ। “

ଆଉ ମଧ୍ୟ,

” ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲିଯାଆନ୍ତୁ ପିଠିରେ।
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ । “

ଏହିପରି ଅନେକ ପଙ୍କ୍ତିରେ ତାଙ୍କର ଜାତୀୟତାବାଦୀ ସ୍ୱର ଦେଖିବାକୁ ମିଳେ । ସେ ସମୟରେ ରାଜନୀତିଜ୍ଞମାନେ ନିଜର ପରିବାରକୁ ପଛରେ ପକାଇ ଦେଶସେବାକୁ ପ୍ରାଧାନ୍ୟ ଦେଇ ଆଗେଇଚାଲୁଥିଲେ।

ବର୍ତ୍ତମାନ ଆତ୍ମସ୍ୱାର୍ଥର ପରିପୂରଣ ହେଉଛି ରାଜନୀତିର ମୂଖ୍ୟ ଧର୍ମ ! ତେଲିଆ ମୁଣ୍ଡରେ ତେଲ ଢାଳି ପ୍ରତିପତ୍ତି ହାସଲ ନିମନ୍ତେ ନେତାମାନେ ଉଚ୍ଚପଦସ୍ଥ ରାଜନେତାମାନଙ୍କୁ ବିଭିନ୍ନ ମୂଲ୍ୟବାନ ଭେଟି ଦେବା ସହିତ ସଭାସମିତିରେ ତାଙ୍କର ପ୍ରଶଂସା ଗାନ କରୁଛନ୍ତି । ଯାହା ଫଳରେ ଉପରିସ୍ଥ ରାଜନେତାଙ୍କ ପ୍ରିୟଭାଜନ ହୋଇ ନିଜ ସ୍ବାର୍ଥକୁ ହାସଲ କରୁଛନ୍ତି । ବିପତ୍ତିର ଶିକାର ହେଉଛନ୍ତି ସରଳ ବିଶ୍ୱାସୀ ଜନସାଧାରଣ । ନିର୍ବାଚନ ଆସିଲେ ନେତାମାନେ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରନ୍ତି । ଠକ, ଚୋରମାନଙ୍କୁ ଟଙ୍କା ବାଣ୍ଟି ଭୋଟ ମଧ୍ୟ କିଣି ନିଅନ୍ତି । ‘ ମାଆ – ମାଉସୀ, ବାପା – ଭାଇମାନେ ଆପଣମାନେ ଭୋଟ ଆମକୁ ଦିଅନ୍ତୁ, ଏଥର ପଦବୀକୁ ଆସିଲେ ଆପଣଙ୍କ ଦୁଃଖ ସାଗରକୁ ଶୁଖେଇଦେଇ ସୁଖକୁ ଆପଣଙ୍କ ହାତ ପାପୁଲିରେ ରଖିଦେବୁ ‘- କହି ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି । ତାଙ୍କ କୁମ୍ଭୀର କାନ୍ଦଣାରେ ପଲ୍ଲୀବାସୀ ଭାସିଯାଇ ଉପଯୁକ୍ତ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କଲାପରେ କୁଜିନେତାମାନେ ନିଜର ପ୍ରତିଶ୍ରୁତି ଭୁଲିଯାଇ ଦେଖା ମଧ୍ୟ ଦିଅନ୍ତିନାହିଁ । କୌଣସି କାମରେ ସେହି ନେତାଙ୍କ ପାଖକୁ ଗଲେ, ସେ ଘର ଦୁଆର ମୁହଁରୁ ତଡ଼ିଦିଅନ୍ତି କିମ୍ବା ପତ୍ନୀଙ୍କ ମୁହଁରୁ କୁହାନ୍ତି – ସେ ଘରେ ନାହାନ୍ତି । ପଞ୍ଚାୟତର ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୁଜିନେତାମାନେ ନିଜ ନିଜର ପ୍ରତିଶତକୁ ଭାଗକରି ନିଅନ୍ତି । ଶେଷକୁ ଯାହା ବଳେ ତାହା ନ କହିବା ଭଲ ହେବ! ଶାସନର ୫ବର୍ଷ ନ ପୁରୁଣୁ ନିଜେ ତିଆରି କରିଥିବା ବନ୍ଧ, ଘର, ପୋଲରୁ ସିମେଣ୍ଟ ଅତଡ଼ା ଖସି ଦୟନୀୟ ଦେଖାଯିବା ସହ ତାଙ୍କ ନିତ୍କୃଷ୍ଟ କାର୍ଯ୍ୟ ଦକ୍ଷତାର ପ୍ରମାଣ ମଧ୍ୟ ମିଳିଥାଏ । ଯୋଗ୍ୟ ହିତାଧିକାରୀଙ୍କୁ ଉପଯୁକ୍ତ ସରକାରୀ ଯୋଜନାର ସୁଯୋଗ ନ ଦେଇ, ନିଜ ଭାଇ ଭାଉଜ ସେଥିପାଇଁ ଅଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ଦୁଇ ଦୁଇଟା ସରକାରୀ ଯୋଜନାର ଅଂଶୀଦାର କରିଥାନ୍ତି ।

ଅଧିକାଂଶ ଶିକ୍ଷିତ ବ୍ୟକ୍ତି ଏବଂ ବେକାରୀ ବ୍ୟକ୍ତି ଇଲେକ୍ସନ୍‌ ସମୟରେ ଜଣେ ଜଣେ ପ୍ରାର୍ଥୀର ସପକ୍ଷରେ ରହି ଟଙ୍କା ରୋଜଗାରର ପନ୍ଥା ଖୋଜି ବସନ୍ତି । ସାମ୍ପ୍ରତିକ ସମୟରେ ଟଙ୍କା ରୋଜଗାରର ଏକ ସୁବିଧା ଉପାୟ ରାଜନୀତି ବୋଲି ବିଚାର କରି କ୍ରମେ ସେମାନଙ୍କ ସହ ମିଶି ସେ ଜଣେ ଜଣେ କୁଜିନେତା ପଲଟିଯାନ୍ତି । ଫଳରେ ପରବର୍ତ୍ତୀ ସମୟରେ ରାଜନୀତିକୁ ପେଷା ରୂପେ ଗ୍ରହଣ କରିନିଅନ୍ତି । ମିଛରେ ଛଳନା କରି ସାଧାରଣ ଜନତାଙ୍କଠୁ କିଛି ଟଙ୍କା ନେଇ ସରକାରୀ ସହାୟତା ଯୋଗେଇଦେବେ କହି ମିଛ ପ୍ରତିଶ୍ରୁତି ଦେବାକୁ ମଧ୍ୟ ପାଶ୍ଚାତପଦ କରନ୍ତି ନାହିଁ ।

ରାଜନୀତିର ପ୍ରକୃତ ଅର୍ଥ ସମ୍ପର୍କରେ ସ୍ଵାଧୀନତା ପୂର୍ବରୁ ଉତ୍କଳ ଗୌରବ ମଧୁସୂଦନ ଦାସ ତାଙ୍କ ‘ ଉତ୍କଳ ସନ୍ତାନ ‘ କବିତାରେ ଉଲ୍ଲେଖ କରିଯାଇଛନ୍ତି । ଯଥା:-

“ଜାତିର ଉନ୍ନତି ସେ କାହିଁ କରିବ
ସ୍ୱାର୍ଥେ ଯା’ର ବ୍ୟସ୍ତ ମନ
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବ ପ୍ରାଣ? “

ବର୍ତ୍ତମାନ ବି ପାଖରେ ସମୟ ଅଛି, ସ୍ୱାର୍ଥଲୋଭୀ ରାଜନେତାମାନେ ନିଜ ନିଜର ବଳିଦତ୍ତ ପଣିଆକୁ ତ୍ୟାଗ କରି ଭୁଲକୁ ସଜାଡ଼ି ଦେଶର ଓ ଜାତିର ଉନ୍ନତି ନିମନ୍ତେ ନିଜକୁ ନିୟୋଗ କରନ୍ତୁ । ଯାହା ଫଳରେ ସମାଜରେ ନିଜର ଏକ ଛବି ରହିବା ସହିତ ଆପଣଙ୍କୁ ପ୍ରେରଣାର ଉତ୍ସ ଭାବେ ଗ୍ରହଣ କରି ପରବର୍ତ୍ତୀ ପିଢ଼ିର ଯୁବକମାନେ ଠିକ୍ ଭାବେ ନିଜ କାର୍ଯ୍ୟ ନିର୍ବାହ କରିବେ ଏବଂ ସେ ଅଞ୍ଚଳର ଅଧିବାସୀ ହୋଇଥିବାରୁ ନିଜକୁ ଗର୍ବ ମନେ କରିବେ । ମଧୁସୂଦନ ଦାସଙ୍କ ଲେଖାରେ:-

“ତୋଷାମଦ ଛାଡ଼ି ସ୍ୱାର୍ଥ ପରିହରି
ସତ୍ୟକୁ ଆଶ୍ରୟ କର
ଦୁଇ ଦିନ ପରେ ସ୍ୱାଧୀନ ରାଷ୍ଟ୍ରରେ
ମଙ୍ଗଳ ହୋଇବ ତୋର! “

ନିଜ ନିଜର କର୍ମ ଅନୁସାରେ ଲୋକମାନେ ଫଳକୁ ଭୋଗ କରିଥାନ୍ତି । ଧର୍ମ ମାଧ୍ୟମରେ କର୍ମ କରିବାକୁ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କଲେ; ଜୀବନ ସୁଖ ସ୍ୱାଛନ୍ଦ୍ୟମୟ ହୋଇ ଉଠେ । ଅନ୍ୟାୟର ସପକ୍ଷରେ ରହିଲେ ଦ୍ଵାପର ଯୁଗର ଭୀଷ୍ମ, ଦ୍ରୋଣ, କର୍ଣ୍ଣଙ୍କ ପରି ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଅକାଳରେ ନାଶ ଯିବ । ମୃତ୍ୟୁ ପରି ଅନ୍ୟାୟର କର୍ମଫଳ କଦାପି ଧନୀ – ଗରିବ, ସୁଖୀ – ଦୁଃଖୀ ଦେଖି ପକ୍ଷପାତି କରେନାହିଁ; କର୍ମ ଅନୁସାରେ ଫଳକୁ ଏହି ମର୍ତ୍ତ୍ୟ ଭୁବନରେ ଭୋଗିବାକୁ ପଡ଼ିଥାଏ । ରାଧାନାଥ ରାୟଙ୍କ ‘ ବଡ଼ପଣ ‘ କବିତାର ଏକ ପଙ୍କ୍ତି ଏଠାରେ ପ୍ରଣିଧାନ ଯୋଗ୍ୟ । ଯଥା:-

” ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି
ତରିବାକୁ ଏହି ସଂସାର ବାରିଧି। “

ରାଜନୀତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସମାଜର ସେବା କରିବା, ଅସହାୟ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବା, ଗ୍ରାମାଞ୍ଚଳରେ ପ୍ରଚଳିତ ଅସ୍ପୃଶ୍ୟତା ପ୍ରତି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା, ନିଜର କର୍ତ୍ତବ୍ୟ ସୁଚାରୁରୂପେ ନିର୍ବାହ କରି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ସରକାରୀ ଯୋଜନା ପ୍ରାପ୍ୟ ହିତାଧିକାରୀଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବାଦ୍ୱାରା ଆମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା, ରାଜ୍ୟ ତଥା ଦେଶ ସର୍ବୋଚ୍ଚ ଆସନରେ ଅଳଙ୍କୃତ ହୋଇପାରିବ । ଆମ ଏଇ ରାଜ୍ୟ ସ୍ୱର୍ଗପୁରରେ ପରିଣତ ହୋଇ ପାରିବ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top