କବିତା

ଆଲୋକରେ ଖୋଜିହୁଏନା ଅନ୍ଧାର

Dr Nilamadhab Kar's odia poem Aalokare Khojihuena Andhaara

ଜୋଛନାରେ ଜଳି,
ତମ ମୁଁହ ଭାସୁଥାଏ ସମୁଦ୍ରରେ,
ଚିକିଚିକି ଅସଂଖ୍ୟ ଜ୍ୟୋତିରେ
ସେଇମିତି ସବୁ ପୂର୍ଣ୍ଣିମାରେ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତମ ଦୁଃଖର ଚିହ୍ନ
ଚିକିମିକି ତାରା ପରି
ସଫା ଆକାଶରେ

କିଟିମିଟି ଅନ୍ଧାରରେ ବେଶ୍ ଦେଖିହୁଏ
ଅନୁଭବ କରିହୁଏ
ତୋଳି ହୁଏନି
ସାଉଁଟି, ଅଣ୍ଟିରେ ପୁରେଇ ହୁଏନି
ଘୋଡ଼େଇ ଦେଇ ହୁଏନି
ଅନ୍ୟମାନଙ୍କଠୁ
ଜକଜକ କରୁଥାଏ ସାରା ରାତି

ତେବେ ଏ ଅନ୍ଧାର
ଲୁଚେଇ ଦିଏ ତମକୁ, ଆଉ
ତମ ଦୁଃଖର ନିଃଶ୍ୱାସ ସବୁକୁ
ତାରାର ଆଲୋକରେ
ଖୁସି ହେଇଯାଉଥିବା ମଣିଷ
ଭୁଲିଯାଏ ତମ ଲୁହ ବୁନ୍ଦା ବୋଲି
ଏ ତାରାସବୁ, ରାତି ଆକାଶରେ

ଏ ଅନ୍ଧାର ମାୟା ରଚେ
ତମକୁ ଲୁଚେଇ ଦେଇ
ତମ ଦୁଃଖକୁ ଅଚିହ୍ନା ଅଜଣା କରିଦିଏ
ଦୂରେଇଦିଏ, ଅଲଗା କରିଦିଏ
ତମକୁ, ତମ ଦୁଃଖଠୁ

ସକାଳର ପ୍ରଥମ ଆଭାରେ
ତମ ଧୀର ସୁନ୍ଦର ହସରେ
ତମ ଦୁଃଖ ଦିଶେନି

ବରଷାରେ ଧୋଇ
ତମ ଲୁହର ଚିହ୍ନସବୁ
ନେସି ହେଇ ଅସ୍ପଷ୍ଟ ହେଇଯାଏ
ସବୁକାଳେ

ଏ କୁହେଳି
କିଏ ବୁଝେ, କିଏ ବୁଝେନା

ଆଲୋକରେ,
ଖୋଜିହୁଏନା ଅନ୍ଧାର

ଜୋଛନାରେ ଜଳି,
ତମ ମୁଁହ ଭାସୁଥାଏ ସମୁଦ୍ରରେ,
ଚିକିଚିକି ଅସଂଖ୍ୟ ଜ୍ୟୋତିରେ
ସେଇମିତି ସବୁ ପୂର୍ଣ୍ଣିମାରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top