ଏକଦା ଜଣେ ଧନୀ ବ୍ୟକ୍ତି ଥିଲେ । ଧନ ସମ୍ପଦ ଠୁଳ କରିବାରେ ସେ ସୁଖ ଅନୁଭବ କରୁଥିଲେ । ତେଣୁ ବିଭିନ୍ନ ଉପାୟରେ ଧନ ବଢ଼ାଇବାରେ ସେ ଲାଗି ପଡ଼ିଥିଲେ । ବେପାରବଣିଜ, କୃଷି, ମହାଜନୀ ବ୍ୟବସାୟ ଇତ୍ୟାଦିରୁ ସେ ପ୍ରଚୁର ଆୟ କରୁଥିଲେ । ଧନର ଉତ୍ତରୋତ୍ତର ବୃଦ୍ଧି ସାଙ୍ଗକୁ ତାଙ୍କର ସୁଖ ମଧ୍ୟ ବୃଦ୍ଧିପ୍ରାପ୍ତ ହେଉଥିଲା ।
କିନ୍ତୁ ଏହି ସମୟରେ ଏକ ଅଘଟଣ ଘଟିଲା । ବିଦେଶରେ ଥିବା ଉଚ୍ଚ ବେତନ ଭୋଗୀ ଏକମାତ୍ର ପୁତ୍ରର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲା । ବିନା ମେଘେ ବ୍ରଜପାତ ଭଳି ଧନୀ ବ୍ୟକ୍ତି ଜଣକ ଭାଙ୍ଗି ପଡ଼ିଲେ, କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲେ । ପୁତ୍ର କଥା ଭାବି ଭାବି ସେ ଶଯ୍ୟାଶାୟୀ ହେଲେ । ସେ ଭାବିଲେ, ଭଗବାନଙ୍କ ପାଖରେ ମୁଁ କି ଅପରାଧ କଲି ଯେ, ମୋର ଏକମାତ୍ର ଯୁବକ ପୁତ୍ରକୁ ସେ ଛଡ଼ାଇ ନେଲେ । ଆଉ ଏ କଷ୍ଟ ଲବ୍ଧ ଧନ ମୋର କ’ଣ ହେବ ? କିଏ ଏହାକୁ ଭୋଗ କରିବ ?
ଏହି ସମୟରେ ଜଣେ ସାଧୁ ତାଙ୍କ ଘରେ ପହଞ୍ଚିଲେ । ସେ ତାଙ୍କର ଆତିଥ୍ୟ କରି ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ । ସାଧୁ କହିଲେ, “ତୁ ଯେଉଁ ଧନକୁ ସୁଖ ବୋଲି ଭାବୁଛୁ, ତାହା ସୁଖ ନୁହେଁ । କାରଣ ପୁତ୍ରସୁଖ ଅପେକ୍ଷା ଧନସୁଖ ଅଧିକ ସୁଖଦାୟୀ ନୁହେଁ । ତେଣୁ ତୁ ପୁତ୍ରପାଇଁ ଚିନ୍ତା ନ କରି ଧନର ସଦୁପଯୋଗ କର । ଦୁଃଖିରଙ୍କୀଙ୍କ ସେବା କର । ପରର ଉପକାର କର । ପ୍ରବୀଣ ଜ୍ଞାନୀ ମହାପୁରୁଷ ନିକଟକୁ ଯାଇ ସଦ୍ଜ୍ଞାନ ଲାଭ କର । ସତ୍ସଙ୍ଗ କର । ଦୁଃଖ ସୁଖ, ଲାଭ କ୍ଷତି, ଜୟ ପରାଜୟରେ ସମଭାବ ରଖ । ଭଗବତ୍ ପ୍ରେମୀ ହୁଅ । ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ତେଣୁ ଭଗବାନଙ୍କ ଉପରେ ଭରସା ରଖି ତୁ କର୍ତ୍ତବ୍ୟ କର୍ମ କର ।”
ସାଧୁଙ୍କର ଅମୃତମୟ କଥା ଧନୀ ବ୍ୟକ୍ତିଙ୍କ ହୃଦୟକୁ ସ୍ପର୍ଶ କଲା । ସେ ନର ନାରାୟଣ ସେବାରେ ନିଜକୁ ବ୍ରତୀ କଲେ । ଦେବାରେ ଯେଉଁ ସୁଖ, ଧନ ସଞ୍ଚୟରେ ତାହା ନାହିଁ ବୋଲି ଉପଲବ୍ଧି କଲେ ।
Service to humanity is service to God.
“ନର ନାରାୟଣ ସେବା ହିଁ ପ୍ରକୃତ ସେବା ।”