ପ୍ରବନ୍ଧ

ଦୁଷ୍ୟନ୍ତ କୁମାର ତ୍ୟାଗୀ

Shraddhananda Moharana's Odia Prose Dushyant Kumar Tyagi

ନିଃସଙ୍କୋଚ ଭାବେ ଭଲ କୁ ଭଲ ଏବଂ ଖରାପ୍‌ କୁ ଖରାପ୍‌ କହିବାର ସତ୍ସାହସ ରହିବା ଦରକାର, ଲେଖିବାର ଏ ଶୈଳୀରେ ଦୁଷ୍ୟନ୍ତଙ୍କୁ ଶାୟର ମାନଙ୍କଙ୍କ ଭିଡ଼ରୁ ଏକ ଭିନ୍ନ ପରିଚୟ ପ୍ରଦାନ କରେ ।

हो गई है पीर पर्वत-सी पिघलनी चाहिए,
इस हिमालय से कोई गंगा निकलनी चाहिए।
आज यह दीवार, परदों की तरह हिलने लगी,
शर्त लेकिन थी कि ये बुनियाद हिलनी चाहिए।

ସାହସ/ବୀରତାର ଆବଶ୍ୟକତା କେବଳ ମାତ୍ର ଯୁଦ୍ଧ କ୍ଷେତ୍ରରେ ଆବଶ୍ୟକତା ହୁଏ କଥା ତା ନୁହେଁ । ଯଦି ଆପଣ ବି କବି, ଲେଖକ କିମ୍ବା ଶାୟର ତେବେ ମସ୍ତିଷ୍କ ସନ୍ତୁଳନ ରକ୍ଷାକରି ଦମ୍ଭର ସହିତ ଆପଣଙ୍କୁ ମଧ୍ୟ କଲମକୁ ଠିକ୍‌ ଯୁଦ୍ଧ କ୍ଷେତ୍ରର ଅସ୍ତ୍ର ରୂପେ ବ୍ୟବହାର କରିବାର କୌଶଳ ଏବଂ ସାହସ ରହିବା ଦରକାର । ନିଃସଙ୍କୋଚ ଭାବେ ଭଲ କୁ ଭଲ ଏବଂ ଖରାପ୍‌ କୁ ଖରାପ୍‌ କହିବାର ସତ୍ସାହସ ରହିବା ଦରକାର, ଲେଖିବାର ଏ ଶୈଳୀରେ ଦୁଷ୍ୟନ୍ତଙ୍କୁ ଶାୟର ମାନଙ୍କଙ୍କ ଭିଡ଼ରୁ ଏକ ଭିନ୍ନ ପରିଚୟ ପ୍ରଦାନ କରେ ।

ଯେତେବେଳେ ଏହି ଜରୁରୀକାଳୀନ ପରିସ୍ଥିତି (Emergency) ଲାଗୁ ହେଲା, ଶ୍ୱାସରୁଦ୍ଧ ପରିବେଶ ସୃଷ୍ଟି ହେଲା ଆଉ ସ୍ଵପ୍ନ ସବୁ ଖଣ୍ଡବିଖଣ୍ଡିତ ହେବାର ଯେଉଁ ପ୍ରକ୍ରିୟା, ମଣିଷ କଣ ଭାବିଥିଲା ହେଲେ କଣ ହେଲା, ସେହି ବିରୋଧର ସ୍ୱରକୁ ଦୁଷ୍ୟନ୍ତ ଅଧିକ ଟାଣ କରିଥିଲେ ।

एक गुड़िया की कई कठपुतलियों में जान है
आज शायर यह तमाशा देखकर हैरान है

ଯେତେବେଳେ ସେ ଇନ୍ଦିରା ଗାନ୍ଧୀଙ୍କ ନାମରେ ପ୍ରଥମ ଗଜଲ ଲେଖିଥିଲେ ସେଥିରେ କହିଥିଲେ ଯେ “କହି ତ ଥିଲ ଯେ ପ୍ରତ୍ୟେକ ଟି ଘର ଆଲୋକିତ ହେବ ହେଲେ , ଏଠି ତ ସହରରେ ବି ଠିକ୍‌ ସେ ଆଲୋକ ଆସୁନି ।”

ଆପାତ କାଳରେ ସେ ଗୋଟେ ଚିଠି ଭାରତୀଜିଙ୍କୁ ଲେଖିଥିଲେ ଆଉ ସେଥିରେ ଲେଖିଥିଲେ ଯେ

जिस बात का खतरा था सोचो कि कल होगी,
जरखेज जमीनों में बीमार फसल होगी.

मेरे सीने में नहीं तो तेरे सीने में सही,
हो कहीं भी आग, लेकिन आग जलनी चाहिए।
हर सड़क पर, हर गली में, हर नगर, हर गाँव में,
हाथ लहराते हुए हर लाश चलनी चाहिए।
सिर्फ़ हंगामा खड़ा करना मेरा मक़सद नहीं,
मेरी कोशिश है कि ये सूरत बदलनी चाहिए।

ଘଟଣା ଟି ବହୁତ ପୁରୁଣା ନୁହେଁ । କିଛି ଦଶନ୍ଧି ପୂର୍ବରୁ ହିଁ ଗଜଲ କାବ୍ୟର ଏକ ଧାରା ଭାବରେ ବିବେଚନା କରାଯାଉଥିଲା ଯାହାକୁ ଲୋକମାନେ ସନ୍ଧ୍ୟାରେ ଚୁପ୍‌ଚାପ୍ ବସିଥିବା ସମୟରେ ଶୁଣିବାକୁ ପସନ୍ଦ କରନ୍ତି । ତା’ପରେ ବୋଧହୁଏ କେହି ଭାବି ନଥିବେ ଯେ ଆରାମଦାୟକ ବାତାବରଣରେ ଶୁଣାଯାଇଥିବା ଗଜଲଗୁଡ଼ିକ ଦିନେ ଆନ୍ଦୋଳନର ଆଧାର ହୋଇଯିବ । ପ୍ରେମର ଚିନ୍ତାଧାରା ସହିତ କଥିତ ଗଜଲ ଦିନେ ଆନ୍ଦୋଳନର ମଶାଲ ହୋଇଯିବ ।

୨୭ ସେପ୍ଟେମ୍ବର ୧୯୩୧ ରେ ଉତ୍ତରପ୍ରଦେଶର ବିଜ୍‌ନୋର ଜିଲ୍ଲାର ରାଜପୁର ନୱାଡା ଗାଁର ଭଗବତ ସାହା ଏବଂ ରାମ କିଶୋରୀ ଦେବୀଙ୍କ ଘରେ ଦୁଷ୍ୟନ୍ତ ଜନ୍ମ ହୋଇଥିଲେ, ସେତେବେଳେ ତାଙ୍କ ପିତାମାତାଙ୍କୁ ଏପରି କୌଣସି ଆଭାସ ମଧ୍ୟ ହୋଇ ନ ଥିବ ଯେ ତାଙ୍କ ପୁଅ ଯୁଗ ଯୁଗ ଧରି ପ୍ରେମିକାର କେଶ ଗହଣରେ ଛନ୍ଦି ହୋଇଥିବା ଗଜଲର ଆତ୍ମାକୁ ଥରାଇବେ ଏବଂ ଏହାକୁ ବିପ୍ଳବର ନିଆଁରେ ପରିଣତ କରିବେ ।

भूख है तो सब्र कर रोटी नहीं तो क्या हुआ
आजकल दिल्ली में है ज़ेर-ए-बहस ये मुद्दआ ।

ଗଜଲ ଲେଖନୀ ରେ ଆସିଥିବା ଏହି କ୍ରାନ୍ତିକାରୀ ଜନକ ଥିଲେ ଦୁଷ୍ୟନ୍ତ କୁମାର ତ୍ୟାଗୀ । ଯିଏ “ଦୁଷ୍ୟନ୍ତ ” ଏବଂ “ଦୁଷ୍ୟନ୍ତ କୁମାର” ନାମରେ ପରିଚିତ । ଆରବୀ ଭାଷାର ଶବ୍ଦ ଏ ‘ଗଜଲ’ ଯାହାର ଅର୍ଥ ହିଁ ସ୍ତ୍ରୀ ଲୋକ କିମ୍ବା ସ୍ତ୍ରୀ ଲୋକଙ୍କ ବିଷୟରେ କହିବାକୁ ବୁଝାଏ, ତାକୁ ଆକ୍ରୋଶ ଏବଂ ବିଦ୍ରୋହର ଭାଷାରେ ପରିବର୍ତ୍ତନ କରାଇ ଦେବା କିଛି ସରଳ କାର୍ଯ୍ୟ ନୁହେଁ । ଦୁଷ୍ୟନ୍ତଙ୍କ ପୂର୍ବରୁ କେହି ଏ କାମ କରିବାକୁ ସାହସ ବୋଧେ କରି ନାହାନ୍ତି । ନିଜ ପ୍ରାରମ୍ଭିକ ଶିକ୍ଷା ଗାଁ ରୁ ସାରି ଚନ୍ଦୋସୀରୁ ଇଣ୍ଟର ମିଡିଏଟ୍‌ କଲେ, ପରେ ଏଲାହାବାଦ୍‌ ବିଶ୍ୱବିଦ୍ୟାଳୟରୁ ବି.ଏ. ଏବଂ ଏମ.ଏ. ଶିକ୍ଷା ପୁରଣ କଲେ ।

ଗୋଟେ ପଟେ ଦୁଷ୍ୟନ୍ତ ଯେତେବେଳେ ନିଜ ଶିକ୍ଷା ଚାଲୁ ରଖିଥିଲେ ଠିକ୍‌ ସେହି ସମୟରେ ତାଙ୍କ ଭିତରେ ଥିବା କବିତ୍ୱ ନିଜ ଲେଖା ପ୍ରକାଶନ ପାଇଁ ଛଟ୍‌ପଟ୍‌ ହେଉ ଥିଲା । ନିଜ ଭିତରେ ଥିବା କବିକୁ ଦୁଷ୍ୟନ୍ତ ବହୁତ ଦିନ ପର୍ଯ୍ୟନ୍ତ ସୁପ୍ତ ରଖି ପାରିଲେ ନାହିଁ । ଦଶମ ରୁ ହିଁ କବିତା ଲେଖିବା ଆରମ୍ଭ କରିଦେଲେ । ଇଣ୍ଟର ମେଡିଏଟ୍‌ ପଢିଲା ବେଳେ ହିଁ ତାଙ୍କ ବିବାହ ହୋଇଗଲା । ନିଜ ପତ୍ନୀଙ୍କ ପ୍ରତି ତାଙ୍କ ପ୍ରେମ ଲେଖା ମାଧ୍ୟମରେ ବାହାରୁ ଥିଲା ।

ତାଙ୍କ ମା ତାଙ୍କ ଲେଖାର ପ୍ରଥମ ପାଠକ ଥିଲେ ।

एक जंगल है तेरी आँखों में
मैं जहाँ राह भूल जाता हूँ
तू किसी रेल सी गुज़रती है
मैं किसी पुल सा थरथराता हूँ

ଏପରି ବସ୍ତୁକୁ ନେଇ ସେଥିରେ ନିଜ ପ୍ରେମର କୋମଳ ଭାବ କୁ ବ୍ୟକ୍ତ କରିବା ବହୁତ କଷ୍ଟକର ପାଠ, କେହି କୌଶଳୀ କବି ହିଁ କରି ପାରିବ । ପ୍ରେମିକାର ଚାଲିରେ ରେଳ ଗାଡ଼ିର କମ୍ପନ ଅନୁଭବ କରୁଥିବା ଶାୟର ଆସି ସାରିଥିଲା । ଆଉ ଏ ଗଜଲ ଦୁନିଆ ପାଇଁ କିଛି ସାଧାରଣ କଥା ନ ଥିଲା ।

ସେ ଗଜଲ ରଚନା ପାଇଁ ଉର୍ଦ୍ଦୁ ର ଅନାବଶ୍ୟକ ଶବ୍ଦ ବ୍ୟବାହାର କରୁ ନ ଥିଲେ ଏବଂ ତା ସହିତ ହିନ୍ଦୀ ର ଗାଉଁଲି ଶବ୍ଦର ପ୍ରୟୋଗ ବହୁଳ ବ୍ୟବହାର କରୁଥିଲେ ।

ମୁରାଦାବାଦ ରୁ ବି.ଏଡ଼. ର ପାଠ ସାରି ସେ ୧୯୫୮ ଆକାଶବାଣୀ ଦିଲ୍ଲୀ ପହଁଚିଲେ । ଏବଂ ଅଲ ଇଣ୍ଡିଆ ରେଡିଓରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ ।

ତାଙ୍କର ଜଣେ ସରକାରୀ ସେବକ ଏବଂ କବି ଏ ଦୁଇ ବ୍ୟକ୍ତିତ୍ୱ ମଧ୍ୟରେ ଯେତେବେଳେ ବି ଦ୍ୱନ୍ଦ ଉପୁଜେ ସଦାବେଳେ କବି ହିଁ ବାଜି ମାରିନିଏ ।

ଏକ ସରକାରୀ ଚାକିରୀଆ ପାଖରୁ ସରକାରଙ୍କର କୌଣସି ଛୋଟରୁ ଛୋଟ ନିର୍ଣ୍ଣୟ ବିରୁଦ୍ଧରେ ସ୍ୱର ଆଶା କରନ୍ତି ନାହିଁ ହେଲେ ଦୁଷ୍ୟନ୍ତ ସରକାରୀ ଚାକିରୀଆ ଥାଇ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କୃତ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ । ଆପାତକାଳ କୁ ନେଇ ତାଙ୍କର ଯେଉଁ ବିଚାର ଥିଲା ତାହା ଏହା ଥିଲା ଯେ ଏହା ସିଧା ସିଧା ଲୋକ ତାନ୍ତ୍ରିକ ଉପରେ ଏକ ପ୍ରହାର ଏବଂ ଏହାର ବିରୋଧ ହେବା ଆବଶ୍ୟକ ।

ख़ास सड़कें बंद हैं तब से मरम्मत के लिए
ये हमारे वक़्त की सब से सही पहचान है

ଭାବୁକ ମନର ଏ ଶାୟର ଆପାତକାଳରେ ଆକ୍ରୋଶିତ ହୋଇ ଉଠିଲା ଏବଂ ଯାହାର ଲେଖନୀରେ କଲମର କାଳି ସହିତ ପ୍ରେମର ମଧୁର ରସ ନିର୍ଝର ହେଉଥିଲେ ସେଥୁରୁ ହଠାତ ଆଗ୍ନେୟଗିରି ଲାଭା ଉଦଗୀରଣ ଆରମ୍ଭ ହେଲା । ସେମିତି ତ ଦୁଷ୍ୟନ୍ତ ନିଜ ଲେଖନୀର ଭରପୁର ପ୍ରୟୋଗ କରି ଅନେକ ରଚନା କରିଥିଲେ ହେଲେ ତାଙ୍କ ଗଜଲ ସଂଗ୍ରହ “ଶାୟେ ମେଁ ଧୂପ” ସଂକଳିତ ୫୨ ଟି ଗଜଲରେ ତାଙ୍କ ରକ୍ତର ଲାଭା ଏବଂ ତତ୍କାଳୀନ ଲୋକତାନ୍ତ୍ରିକ ବ୍ୟବସ୍ଥା ଉପରେ ବିରୋଧର ସ୍ୱର ମନକୁ ଉଦ୍ବେଳିତ କରିଦିଏ ।

गूँगे निकल पड़े हैं ज़बाँ की तलाश में
सरकार के ख़िलाफ़ ये साज़िश तो देखिए

ମଧ୍ୟପ୍ରଦେଶ ସଂସ୍କୃତି ବିଭାଗର ସରକାରୀ ଚାକିରୀ ବି ଦୁଷ୍ୟନ୍ତଙ୍କୁ ସରକାରଙ୍କ ବିରୋଧରେ କାଲାମ ଚଳାଇବାକୁ ଅଟକାଇ ପାରିଲା ନାହିଁ । “ଈଶ୍ୱର କୋ ସୁଲି” (ईश्वर को सूली) ଯାହା ସରକାରଙ୍କୁ ସିଧା ବିଦ୍ରୋହ । ଏକ ତ ସରକାରୀ ଚାକିରୀଆ ଆଉ ତା ସହିତ ଆପଣ ସିଧା ସରକାର ବିରୋଧରେ ଲେଖା ପ୍ରକାଶ କରିବେ । ଆନ୍ଦୋଳନ ହେଲା ।

ମଧ୍ୟପ୍ରଦେଶ ର ତତ୍କାଳୀନ ମୂଖ୍ୟମନ୍ତ୍ରୀ ଦ୍ଵାରକା ପ୍ରସାଦ ତାଙ୍କୁ ଡକାଇଲେ ଏବଂ ସିଧା ସିଧା ସରକାରୀ କଳ ଉପରେ ଲେଖା ନ ଲେଖିବାକୁ ଉପଦେଶ ଦେଲେ ହେଲେ ଦୁଷ୍ୟନ୍ତ ତ ସ୍ୱଭାବରୁ ବିଦ୍ରୋହୀ ଥିଲେ ସେ ବା କୋଉ କଥା ଶୁଣିଲେ

उन की अपील है कि उन्हें हम मदद करें
चाक़ू की पसलियों से गुज़ारिश तो देखिए

ଯେତେ ତାଙ୍କ ଉପରେ ଚାପି ବଢ଼ିଲା ତାଙ୍କ ଲେଖନୀ ରେ ବିଦ୍ରୋହ ର ମାତ୍ର ସେତେ ବଢି ଚାଲିଲା । ଦୁଷ୍ୟନ୍ତଙ୍କ ଲେଖନୀରୁ ବାହାରୁଥିବା ଜ୍ୱାଳା ହଜାର ହଜାର ନବ ଯୁବକ ମାନଙ୍କ ହୃଦୟରେ ନିଆଁ ଭଳି ଜଳି ଉଠିଲା ।

ଅସୁବିଧା, ଆହ୍ୱାନ , ଆପତ୍ତି କୁ ସେ କେବେ ଖାତିର କରୁ ନ ଥିଲେ । ତାଙ୍କ ସ୍ୱଭାବରେ କଣ ଥିଲା କେ ଜାଣି ତାଙ୍କୁ ଲଢେଇରେ ମଜା ଆସୁଥିଲା ।

परिन्दे अब भी पर तोले हुए हैं
हवा में सनसनी घोले हुए हैं

तुम्हीं कमज़ोर पड़ते जा रहे हो
तुम्हारे ख़्वाब तो शोले हुए हैं

ଦୁଷ୍ୟନ୍ତ ନିଜ ଗଜଲ ରେ ସାଧାରଣ ଲୋକ ବ୍ୟବହାର କରୁଥିବା ଭାଷାର ପ୍ରୟୋଗ କରୁଥିଲେ । ଲେଖନୀ ର ଏ ଶୈଳୀ ବର୍ତ୍ତମାନ ପର୍ଯ୍ୟନ୍ତ ଲେଖାଯାଉଥିବା ଶୈଳୀ ଠୁଁ ଭିନ୍ନ ଥିଲା । ସାଧାରଣତଃ ଉର୍ଦ୍ଦୁ ର ଶବ୍ଦ ଗୁଡିକ ଗଜଲ ଲେଖନୀ ରେ ପ୍ରୟୋଗ କର ଯାଉଥିଲା । ହେଲେ ଦୁଷ୍ୟନ୍ତ ହିନ୍ଦୀ ଏବଂ ଉର୍ଦ୍ଦୁ ଶବ୍ଦର ଏପରି ମିଶ୍ରଣ ନିଜ ଗଜଲ ରେ ପ୍ରସ୍ତୁତ କଲେ ଯେଉଁଥିରୁ ଗଜଲ ଲେଖନୀ ଶୈଳୀ ରେ ପରିବର୍ତ୍ତନ ଝଲସୁଥିଲା ।

ଦୁଷ୍ୟନ୍ତ କୁମାର ଙ୍କ ବିଷୟରେ ଯେବେ କୁହାଯାଏ ସେତେବେଳେ କୁହାଯାଏ ଯେ ସେ ହିନ୍ଦୀ ଶବ୍ଦର ବ୍ୟବହାର କରୁଥିଲେ ହିନ୍ଦୀ ରେ ଗଜଲ ଲେଖୁଥିଲେ ହେଲେ କଥା ସେଇଆ ନୁହେଁ ସେ ହିନ୍ଦୀ ରେ ସାଧାରଣ ଲୋକଙ୍କ ଭାଷାରେ ଗଜଲ ଲେଖିଥିଲେ ।

मैं जिसे ओढ़ता बिछाता हूँ
वो ग़ज़ल आप को सुनाता हूँ

इस नदी की धार में ठंडी हवा आती तो है,
नाव जर्जर ही सही, लहरों से टकराती तो है।

ଦୁଷ୍ୟନ୍ତ ଏହା ଜାଣିଥିଲେ ଯେ ଜଣେ କବି କିମ୍ବା ଶାୟର ର ଅସଲ ଧର୍ମ ଚାଟୁକାରିତା ନୁହେଁ ବରଂ ରଚନା ଗୁଡ଼ିକ ଦର୍ପଣ ପରି ହେବା ଦରକାର, ଏବଂ ଦର୍ପଣ ବି ଏପରି ଯେତେବେଳେ ଯାହା ସମ୍ମୁଖରେ ରଖିଦିଆଯିବ ସେ ତା ଅସଲ ଚେହେରା ଦେଖାଇ ଦେବ ।

मुझमें रहते हैं करोड़ों लोग चुप कैसे रहूँ
हर ग़ज़ल अब सल्तनत के नाम एक बयान है

ସରକାର ସବୁବେଳେ ଦୁଷ୍ୟନ୍ତଙ୍କ ଲକ୍ଷରେ ଥିଲା । ସେ ନେତାଙ୍କ ପ୍ରଲୋଭନକାରୀ ପ୍ରତିଜ୍ଞା ଉପରେ ପ୍ରହାର କରିଥିଲେ ଯାହା ପୂରଣ ହୋଇପାରିଲା ନାହିଁ ।

कहाँ तो तय था चिरागाँ हरेक घर के लिए,
कहाँ चिराग मयस्सर नहीं शहर के लिए।

ଏହି ପ୍ରହାର ମାନଙ୍କ ମାଧ୍ୟମରେ ସେ ଲୋକତନ୍ତ୍ରର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ କାଠ ଗଡା ଭିତରେ ଠିଆ କଲେ । ଦୁଷ୍ୟନ୍ତଙ୍କ ଅନ୍ତରାତ୍ମା କୁ କ୍ଷତାକ୍ତ କରୁଥିବା ଏହି ପ୍ରଶ୍ନ ଗୁଡିକର ଉତ୍ତର କୌଣସି ରାଜନେତାଙ୍କ ପାଖରେ ନ ଥିଲା ।

କିନ୍ତୁ ନିଜ ହୃଦୟ ମଧ୍ୟରେ ଏହି ଜ୍ୱଳନ୍ତ ନିଆଁ ଧରି ଦୁଷ୍ୟନ୍ତ ୩୦ ଡିସେମ୍ବର ୧୯୭୫ ରେ ଇହ ଧାମ ପରିତ୍ୟାଗ କଲେ । ତତ୍କାଳୀନ ସାହିତ୍ୟିକ ମାନଙ୍କୁ ଦୁଷ୍ୟନ୍ତଙ୍କ ରଚନା ଗୁଡିକ ପସନ୍ଦ ଆସୁ ନ ଥିଲା । ଦୁଷ୍ୟନ୍ତ ସାଧାରଣ ଲୋକଙ୍କର ଶାୟର ଥିଲେ । ଯଦିଓ ଆମେ ତାଙ୍କ କାମ କିମ୍ବା ତାଙ୍କ ଶାୟରୀ ନ ଜାଣୁ କେଉଁଠି ନ କେଉଁଠି ଆମ କଥାବାର୍ତ୍ତାର ଭାଷାରେ ଦୁଷ୍ୟନ୍ତଙ୍କ ଲିଖିତ ବିଚାର ଧାରାର ମିଶ୍ରଣ ପରିଲକ୍ଷିତ ହୁଏ । ଏହା ହେଉଛି ଜଣେ ମହାନ ବ୍ୟକ୍ତି ହେବାର ପ୍ରମାଣ ।

ଏ କଥା ହେଲା ଜଣେ ଶାୟର ଜଣେ ସାଧାରଣ ଲୋକର ଯିଏ ପରିସ୍ଥିତିକୁ ବଦଳାଇବାର ସାହସ ଦେଖାଇଥିଲେ । ଆଉ ଏଇଥି ପାଇଁ ଦୁଷ୍ୟନ୍ତ ଏକ ଜ୍ୱାଳାମୁଖୀ ହୋଇ ଆମ ସମସ୍ତଙ୍କୁ ସଦା ସର୍ବଦା ଉତ୍ସାହିତ କରିବେ ।

ये जो शहतीर है पलकों पे उठा लो यारो
अब कोई ऐसा तरीक़ा भी निकालो यारो
कैसे आकाश में सूराख़ नहीं हो सकता
एक पत्थर तो तबीअ’त से उछालो यारो

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top