ଅନୁବାଦ ସାହିତ୍ୟ

ଅଧ୍ୟାୟ -୮-

ଅପିଲର ପରିଶିଷ୍ଟ
ଉପଭାଗ -୧
ପାକିସ୍ତାନର ଅବଶିଷ୍ଟ ଅର୍ଥରାଶି ଦେବା ବିଷୟରେ ଉପ-ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ମାନନୀୟ ସର୍ଦାର ବଲ୍ଲଭଭାଇ ପଟେଲ, ଉପ-ପ୍ରଧାନମନ୍ତ୍ରୀ, ନୂଆ ଦିଲ୍ଲୀଠାରେ ୧୨ ଜାନୁଆରୀ, ୧୯୪୮ରେ ପତ୍ରକାର ପରିଷଦରେ ଏକ ବକ୍ତବ୍ୟ ଦେଇଥିଲେ ।

“ମିତ୍ରଗଣ! ପାକିସ୍ତାନର ବିତ୍ତମନ୍ତ୍ରୀ ଗୁଲାମ ଅହମଦ ସେମାନଙ୍କୁ ଅର୍ଥ ରାଶି ପ୍ରଦାନ ବାବଦରେ ଯେଉଁ ଉକ୍ତି ଦେଇଛନ୍ତି ତାହା ଆପଣମାନେ ପଢ଼ିଥିବେ । ସଂପୃକ୍ତ ବିତ୍ତମନ୍ତ୍ରୀ ଜଣକ ଏକ ସରକାରୀ ସେବକ ହିସାବରେ ଅନେକ ଉଚ୍ଚ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ହାଇଦ୍ରାବାଦ ସଂସ୍ଥାନରେ ବି ବିତ୍ତମନ୍ତ୍ରୀ ଥିଲେ । ତାଙ୍କର ଅର୍ଥନୀତି ବିଷୟରେ ଗଭୀର ଜ୍ଞାନ ଅଛି । ଏପରି ପ୍ରତିଷ୍ଠିତ ଜ୍ଞାନୀ ବ୍ୟକ୍ତି ଯଦି କଦବା କ୍ୱଚିତ ନିଜ କଥନରେ ଅସତ୍ୟ କହିଥାନ୍ତି ବା ସତ୍ୟର ଅପଳାପ ହୁଏ ତାହେଲେ ମଧ୍ୟ ସାଧାରଣତଃ ତାକୁ କେହି ଅବିଶ୍ୱାସ କରିବେ ନାହିଁ । କିନ୍ତୁ ତାଙ୍କର ସମସ୍ତ ଭାଷଣ, ବ୍ୟକ୍ତବ୍ୟ, ଉକ୍ତି ଏପରି ଅସତ୍ୟରେ ଓତଃପ୍ରୋତଃ । କେବଳ ଏତିକି ନୁହେଁ ତାଙ୍କ ସରକାର ଦ୍ୱାରା ପ୍ରରୋଚିତ କାଶ୍ମୀର ସମସ୍ୟା ହିଁ ଅର୍ଥରାଶି ପ୍ରଦାନରେ ବାଧକ ସାଜିଛି । ତେଣୁ ଏହି ପ୍ରଶ୍ନକୁ ନ୍ୟାୟ ଦ୍ୱାରା ସମାଧାନ କରିବା ଅସମ୍ଭବ ଅଟେ । ସେ ଏ ବିଷୟରେ ଭଲ ଭାବେ ଅବଗତ । ତେଣୁ ସେ ନିଜ ବିବେକ-ବୁଦ୍ଧି ଏବଂ ବିଚାର-ବୁଦ୍ଧି ତ୍ୟାଗ କରିଦେଇଛନ୍ତି । ଧମକଚମକ ଦେଇ, ଅଯଥା ଦୋଷାରୋପଣ କରି ଅର୍ଥ ଝାମ୍ପିନେବା ପାଇଁ ଗୁଣ୍ଡା ସ୍ତରକୁ ଖସିଆସିଛନ୍ତି ।

ସତ୍ୟ ଘଟଣାର ସ୍ଥାନ ନାହିଁ

ମୁଁ ଏପରି ଶବ୍ଦର ବ୍ୟବହାର ଜାଣିଶୁଣି କରିଛି କାରଣ ଯେଉଁ ବ୍ୟକ୍ତି ସଂପୂର୍ଣ୍ଣ ବିଚାର ବିବେକ ପୂର୍ବକ ତାଙ୍କ ବକ୍ତବ୍ୟ ପଢ଼ିବ ସେ ବୁଝିପାରିବ ଯେ ରିଜର୍ଭ ବ୍ୟାଙ୍କକୁ ଧମକର ବର୍ଷା କରି ଏବଂ ବ୍ୟାଙ୍କ ଉପରେ ଅକାରଣ ଦୋଷାରୋପ କରି, ଡରାଇ ନୋଇଁଯିବା ପାଇଁ କୌଶଳ ଆପଣେଇଛନ୍ତି ଗୁଲାବ ଅହମଦ । ହିନ୍ଦୁସ୍ତାନ ଶାସନ ନିରପେକ୍ଷ ନୁହେଁ ଭଳି ଆରୋପ ବାଢ଼ିଛନ୍ତି । ସେ ଆଶା କରୁଛନ୍ତି ଯେ ଏପରି ଆରୋପ କରି ସେ ସେଇ ଅନୁଦାନ ରାଶି ପ୍ରାପ୍ତ କରିଯିବେ ସେଥିରେ ହିନ୍ଦୁସ୍ତାନ ସରକାର ଅବହେଳା କରୁଛନ୍ତି ବା ରୋକ ଲଗାଇଛନ୍ତି । ବିଶ୍ୱର ଅନ୍ୟ ରାଷ୍ଟ୍ରର ସମର୍ଥନ ପ୍ରାପ୍ତ କରିବାକୁ ସେ ଭରପୂର ଚେଷ୍ଟା ଚଲାଇଛନ୍ତି । ସେ ଅନ୍ୟ ରାଷ୍ଟ୍ରକୁ ଉକୁସାଉଛନ୍ତି । ଯେକୌଣସି ସମର୍ଥନକାରୀ ରାଷ୍ଟ୍ର ହିନ୍ଦୁସ୍ତାନକୁ ତା ନୀତି ବଦଳାଇକୁ କହୁ ଏହା ତାଙ୍କର ଚାଲ୍ । ମୁଁ ବୁଝି ପାରୁଛି ଯେ ପାକିସ୍ତାନ ଅସୁବିଧାଜନକ ସ୍ଥିତିରେ ଅଛି । ଏଥିରୁ ରକ୍ଷା ନିମିତ୍ତ ସେ ଏପରି ଧୂର୍ତ୍ତ କୌଶଳମାନ ଆପଣେଇଛି । ବରଂ ସେମାନଙ୍କୁ ସନ୍ତୁଳନ ରକ୍ଷା କରିବା ଶ୍ରେୟସ୍କର ହୋଇଥାନ୍ତା । ଏପରି ଆଶା କରିବା ମୋର ଅଧିକାର ଅଟେ । ଯେତେ ଧମକଚମକ, ଚିତ୍କାର କରିବେ ଅପଯଶ ତାଙ୍କରି ହିଁ ହେବ । ଏହି କଥା ସୂର୍ଯ୍ୟ ପ୍ରକାଶ ସମାନ ନିରାଟ ସତ୍ୟ ଅଟେ । ଅସଭ୍ୟତା ଏବଂ ଉଦ୍ଧଣ୍ଡ ପ୍ରକୃତି ପ୍ରଦର୍ଶନ ସମସ୍ୟାର ସମାଧାନ ନୁହେଁ । ସେମାନେ ଏପରି କରି ସ୍ଥିତିର ସତ୍ୟାସତ୍ୟକୁ ପରଖି ପାରିନାହାଁନ୍ତି । ପୁଣି ସ୍ଥିତିର ମୂଲ୍ୟାଙ୍କନ କରିବା ତ ଦୂର କଥା ।

ଦେଖନ୍ତୁ –

କାଶ୍ମୀର ପ୍ରଶ୍ନ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ ଏହାର କୌଣସି ପରଉଆ ନାହିଁ ପାକିସ୍ତାନର । ଏହି କଥାର ଛାନଭିନ୍ ପ୍ରଥମେ ଆମେ କରିବୁ । ଏଥି ସହିତ ସେମାନେ ହିନ୍ଦୁସ୍ତାନ ସରକାରଙ୍କ ଉପରେ ଅପ୍ରମାଣିକତା ବା ଅବିଶ୍ୱସନୀୟ ବୋଲି ଆରୋପ ବି କରିଛନ୍ତି । ଏହି ଆଲୋଚନାର ଅନୁକ୍ରମର କିଛି ବିବରଣୀ ମୁଁ ଆପଣଙ୍କୁ ଦେଉଛି । “ଗତ ନଭେମ୍ବର ମାସ ଅନ୍ତିମ ସପ୍ତାହରେ ପାକିସ୍ତାନ ଏବଂ ହିନ୍ଦୁସ୍ତାନ ସରକାରଙ୍କ ପ୍ରତିନିଧିଙ୍କ ମଧ୍ୟେ ଅନେକବାର ଆଲୋଚନା ହୋଇଛି । ଉଦ୍ଧେଶ୍ୟ ଥିଲା ନିଜ ନିଜ ମଧ୍ୟରେ ଥିବା କାଶ୍ମୀର ବିବାଦ ସହିତ ଅନ୍ୟାନ୍ୟ ମତଭେଦର ସମାପ୍ତି ଘଟୁ । ଯେଉଁ ଆଲୋଚନା ହେଲା ତାହା କେବଳ ବିଭାଜନ ଜନିତ ପ୍ରଶ୍ନରେ ସୀମିତ ନୁହେଁ । ନିର୍ବାସିତଙ୍କ ଅବସ୍ଥା ଏବଂ ସେମାନଙ୍କ ପୁନର୍ବାସ ଭଳି ପ୍ରଶ୍ନକୁ ମହତ୍ୱ ଦିଆଯାଇଥିଲା ଚର୍ଚ୍ଚାରେ । ନଭେମ୍ବର ୨୬ରେ କାଶ୍ମୀର ଉପରେ ଯେଉଁ ଆଲୋଚନା ହେଲା ତାହା ଆଶା,ସଦ୍ଭାବନା ଏବଂ ସୌଜନ୍ୟର ବାତାବରଣ ମଧ୍ୟ ହୋଇଥିଲା । ଏହି ଚର୍ଚ୍ଚା ଆହୁରି ବ୍ୟାପକ ହେଲା ଏବଂ ପରଦିନ ଅର୍ଥରାଶି ତଥା ଅନ୍ୟାନ୍ୟ ବିଷୟରେ ମଧ୍ୟ ଚର୍ଚ୍ଚା ହେଲା । ଅର୍ଥ ସମ୍ବନ୍ଧରେ ଏକ ତକ୍ରାଳ ସନ୍ଧିପତ୍ର ପ୍ରସ୍ତୁତ କରାଗଲା । ଏହି ସନ୍ଧିପତ୍ରକୁ ତୁରନ୍ତ ମାନ୍ୟତା ମିଳୁ ବୋଲି ପାକିସ୍ତାନର ଅଭିପ୍ରାୟ ଥିଲା । ଆମର ଅନୁମତି ପ୍ରାପ୍ତ ପାଇଁ ସେମାନେ ଯତ୍ପରୋନାସ୍ତି ଚେଷ୍ଟା କଲେ । ଆମେ ଏହାର ବିରୋଧ କଲୁ । ୨୭ ନଭେମ୍ବର ସନ୍ଧ୍ୟାରେ ମୁଁ ସମାଚାର ପତ୍ରକୁ ଏକ ବକ୍ତବ୍ୟ ଦେଲି । ମୁଁ ସେମାନଙ୍କୁ କହିଲି ଯେ ଆମର ଆଲୋଚନା ବାବଦରେ ସେମାନେ ତର୍କ ନ କରନ୍ତୁ ଏବଂ ଆମର କଥାବାର୍ତ୍ତା ସମାପ୍ତ ପରେ ହିଁ ଅଧିକୃତ ଖଣ୍ଡ ଯେପର୍ଯ୍ୟନ୍ତ ତାଙ୍କୁ ନଦେଇଛୁ ସେମାନେ ଧୈର୍ଯ୍ୟ ରଖନ୍ତୁ । ମୋ ଶବ୍ଦ ଏହି ପ୍ରକାର ଥିଲା, “ ସମସ୍ତ ସ୍ଥଗିତ ପ୍ରଶ୍ନ ଉପରେ ଆଲୋଚନା ପୂର୍ବକ ଆମେ ସମାଧାନର ସୂତ୍ର ବାହାର କରିବାରେ ଲାଗିପଡ଼ିଛୁ । କିନ୍ତୁ ଆମ ଚର୍ଚ୍ଚା ଉପରେ ତର୍କବିତର୍କ ପ୍ରକଟ କରାଗଲେ, ସେଥିରୁ ଲାଭ ଅପେକ୍ଷା ହାନି ହେବାର ସମ୍ଭାବନା ଅଧିକ । ଏହି ସମୟରେ ମୁଁ ବାସ୍ ଏତିକି କହିବି ଯେ ଆମର ବାର୍ତ୍ତା ମିତ୍ରତା ଏବଂ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣରେ ଚାଲୁଅଛି ଏବଂ ପାକସ୍ତାନର ପ୍ରଧାନମନ୍ତ୍ରୀ ଏବଂ ବିତ୍ତ ମନ୍ତ୍ରୀ ଶନିବାରଯାଏ ଏଠାରେ ରହିବେ ।

ଯେବେ କଥାବାର୍ତ୍ତାର ସମାପ୍ତି ହେବ ସମସ୍ତ ବିବରଣୀ ଦିଆଯିବ । ଯଦି କୌଣସି ଖବରକାଗଜ ଛପାଇଲେ, ଯେ ଏକରୁ ଅଧିକ ପ୍ରଶ୍ନ ଉପରେ ଅନୁବନ୍ଧ ହୋଇଛି ତାହେଲେ ସେଥିରେ ଶାସକୀୟ ସଂପୃଷ୍ଟି ନାହିଁ ଏବଂ ଏପରି ପ୍ରକଟ କରିବା ଅସାମୟିକ ବା ସମୟପୂର୍ବ ଅଟେ ବୋଲି ମାନିନିଆଯିବ ।

ପରଦିନ ସକାଳେ ମୁଁ (ପଟେଲ) ନିଜ ବକ୍ତବ୍ୟରେ ଏକ ସ୍ପଷ୍ଟୀକରଣ ଦେଲି । ଏହା ଶାସକୀୟ ଭବନ ଅର୍ଥାତ୍ ଗଭର୍ଣ୍ଣମେଣ୍ଟ ହାଉସରେ ପଢ଼ାଗଲା । ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ବିତ୍ତ ମନ୍ତ୍ରୀ ସେଠାରେ ଉପସ୍ଥିତ ଥିଲେ । ଯେପର୍ଯ୍ୟନ୍ତ ସ୍ଥଗିତ ପ୍ରଶ୍ନର ସମାଧାନ ସୂତ୍ର ନ ବାହାରିଛି ସେ ପର୍ଯ୍ୟନ୍ତ ଏହି ଅନୁବନ୍ଧ ଅନ୍ତିମ ନୁହେଁ ଏହା ମୋର ସ୍ପଷ୍ଟୀକରଣ । ମୁଁ ଏହା ମଧ୍ୟ ସ୍ପଷ୍ଟ ଶବ୍ଦରେ କହିଛି ଯେ ଯେପର୍ଯ୍ୟନ୍ତ କାଶ୍ମୀର ପ୍ରଶ୍ନ ଉପରେ କୌଣସି ନିର୍ଣ୍ଣୟ ନହୋଇଛି ସେପର୍ଯ୍ୟନ୍ତ ଆମେ କୌଣସି ଧନରାଶି ଦେବାକୁ ଅନୁମତି ଦେବୁନାହିଁ । ମୋ ଏହି କଥାକୁ ସମ୍ମାନ ଦେଇ ଆପୋଷ ଆଲୋଚନା ପତ୍ରର ପ୍ରକଟ କରାଗଲା ନାହିଁ । ଏହା ମଧ୍ୟରେ ପାକିସ୍ତାନର ପ୍ରତିନିଧିଗଣ ସେମାନଙ୍କ ଫେରିବା ସ୍ଥଗିତ କଲେ । କାଶ୍ମୀର ଏବଂ ଅନ୍ୟାନ୍ୟ ପ୍ରଶ୍ନ ଉପରେ କଥାବାର୍ତ୍ତା ଚାଲୁରହିଲା । ବିଭିନ୍ନ ପ୍ରସଙ୍ଗରେ ଏକମତ ସ୍ଥାପିତ ହୋଇପାରିଲା ନାହିଁ । ତଥାପି ଅପେକ୍ଷାକୃତ ସୁସ୍ଥ ବାତାବରଣରେ କଥାବାର୍ତ୍ତା ଚାଲୁ ରହି ବିଭାଜନରୁ ଉତ୍ପନ୍ନ ଆଉ କିଛି ସମସ୍ୟା ଉପରେ ଆମର ଅନୁବନ୍ଧ ହେଲା । ୧ ଡ଼ିସେମ୍ବର ୧୯୪୭ରେ ବିଭାଜନ-ମଣ୍ଡଳ ସମ୍ମୁଖରେ ଏହି ଅନୁବନ୍ଧ ରଖାଗଲା । କିନ୍ତୁ ଏହି ଅନୁବନ୍ଧ ପରେ ଲିପିବଦ୍ଧ କରାଯିବାର ଥିଲା । ୨ ଡ଼ିସେମ୍ବରକୁ ଏହା ହେଲା । ସେଇ ସମୟରେ ଏହା ମଧ୍ୟ ସ୍ପଷ୍ଟ ହେଲା ଯେ କାଶ୍ମୀର ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ସୂତ୍ର ମିଳିବା ପଶ୍ଚାତ୍ ହିଁ ଏହି ଅନୁବନ୍ଧର ପ୍ରକଟ କରାଯିବ । ସେଇ ସମୟରେ ଆଶା ଥିଲା ଯେ ସବୁ ପ୍ରଶ୍ନର ସମାଧାନପୂର୍ଣ୍ଣ ପଦ୍ଧତିରେ ନିର୍ଣ୍ଣିତ ହୋଇଯିବ ।

ବକ୍ତବ୍ୟ ପ୍ରକଟ କରିବା ପାଇଁ ଏହି ଉପାୟକୁ ଦୁଇ ପକ୍ଷ ମଧ୍ୟସ୍ଥ ଆୟୋଗଙ୍କ ସାମ୍ନାରେ ମାନିନେଇଥିଲେ । ଚର୍ଚ୍ଚିତ ପ୍ରସଙ୍ଗ ଉପରେ ପ୍ରସ୍ତାବ ପାରିତ ହେବା ପାଇଁ ସମୟ ଅନୁକୂଳ ଥିବା ଭଳି ପ୍ରତୀତ ହେଉଥିଲା । ୮ ଏବଂ ୯ ଡ଼ିସେମ୍ବରରେ ଲାହୋରଠାରେ ଏକ ବୈଠକର ଆୟୋଜନ କରାଗଲା । ଏହି ବୈଠକରେ ସ୍ଥିତି ଅଧିକ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଥିଲା । ଦେଖାଗଲା ୫୫ କୋଟି ଧନରାଶି ତୁରନ୍ତ ପ୍ରାପ୍ତି ପ୍ରୟାସରେ ପାକିସ୍ତାନ ବୈଠକ ମଝିରେ ବ୍ୟଗ୍ର ହୋଇଉଠିଲା । ମୁଁ ଏହି ଚାଲର ବିରୋଧ କଲି । ଆର୍ଥିକ ଦେଣନେଣ ବିଷୟକ ପ୍ରଶ୍ନର ପୃଥକ ଆଲୋଚନା ହେଉ ଏବଂ ଆମେ କିଛି ନ କରି ପାରୁ ଉଦ୍ଧେଶ୍ୟରେ ପାକିସ୍ତାନର ଉଚ୍ଚ ଆୟୁକ୍ତ (ହାଇ କମିଶନର) ୭ ଡିସେମ୍ବରକୁ କହିଲେ ଯେ ଆର୍ଥିକ ପ୍ରଶ୍ନର ଆମର ଅନୁବନ୍ଧ ହେଇଗଲା, କିନ୍ତୁ ଆମେ ଆମର ପୁରୁଣା କଥାରେ ଅଟଳ ରହିଲୁ । ଲାହୋର ଚର୍ଚ୍ଚାରେ ବି ଆମେ ଆମର ଆଗ୍ରହ ସ୍ଥିର ରଖିଲୁ ଏବଂ ପାକିସ୍ତାନ ସହିତ କିଛି ମାତ୍ରରେ ସହମତ ହୋଇ ଆମେ ନିଶ୍ଚିତ କଲୁ ଯେ ଦିଲ୍ଲୀଠାରେ ହେବାକୁ ଥିବା ସଂସଦ ଅଧିବେଶନରେ ୯ ଡିସେମ୍ବରକୁ ଏକ ବକ୍ତବ୍ୟ ଦିଆଯାଉ । ପାକିସ୍ତାନର ଅର୍ଥମନ୍ତ୍ରୀ ଖବରକାଗଜରେ ପ୍ରକାଶିତ କରିବାକୁ ସ୍ଫୂର୍ତ୍ତି ଦେଖାଇଲେ ଏବଂ ଏହା ୭ ଡିସେମ୍ବରକୁ ପ୍ରକାଶ ହୋଇଗଲା । ପାକିସ୍ତାନର କପଟତାପୂର୍ଣ୍ଣ ମନୋଭାବ ସେହି ସମୟରେ ହିଁ ସ୍ପଷ୍ଟ ହୋଇଗଲା ।

ଆର୍ଥିକ ପ୍ରଶ୍ନ ଉପରେ ଯେଉଁ ଅନୁବନ୍ଧ ପ୍ରସ୍ତୁତ ହେଲା ତାହାକୁ ପାକିସ୍ତାନ ଅସ୍ତ୍ର ରୂପରେ ପ୍ରକଟୀକରଣ ଏବଂ ପ୍ରୟୋଗ କଲା । ତାହାର ଉପଯୋଗ କରି କାଶ୍ମୀର ବିଷୟକ ନୀତିରେ ପୁଣି ପରିବର୍ତ୍ତନ କଲା ଏବଂ କିଛି ଦିନ ପୂର୍ବ ଦିଲ୍ଲୀ ଆଲୋଚନାରେ ଯେଉଁ ଆଶାର ଝଲକ ଦିଶିଥିଲା ତାହା ଲିଭିଗଲା । ୯ ଡିସେମ୍ବରରେ ସଂସଦରେ ମୋ ବକ୍ତବ୍ୟରେ ମୁଁ ଏହାର ସ୍ପଷ୍ଟୀକରଣ କରିବାକୁ ଅନିବାର୍ଯ୍ୟ ମଣିଲି । ତାହା ଥିଲା ଆର୍ଥିକ ଅନୁସନ୍ଧାନର କାର୍ଯ୍ୟାନ୍ୱୟନ ଯେପର୍ଯ୍ୟନ୍ତ ସମ୍ଭବ ସେତେବେଳେ କରାଯିବ ଯେବେ କାଶ୍ମୀର ପ୍ରଶ୍ନର ସମାଧାନ ହୋଇଯିବ । ମୋର ଏହି ପ୍ରସ୍ତାବରେ ସେ ସମୟରେ ପାକିସ୍ତାନ କୌଣସି ଆପତ୍ତି କଲା ନାହିଁ । ୧୨ ଡିସେମ୍ବରରେ ପାକିସ୍ତାନ ଉଚ୍ଚ ଆୟୁକ୍ତଙ୍କ ଉପସ୍ଥି୍ିତିରେ ମୁଁ ଏକ ବିସ୍ତୃତ ବକ୍ତବ୍ୟ ଦେଲି । ସେଥିରେ ମୁଁ କହିଲି ସେହି ଅନୁବନ୍ଧର ଯଶସ୍ୱୀ କାର୍ଯ୍ୟାନ୍ୱୟନ ଅନ୍ୟ ମହତ୍ୱପୂର୍ଣ୍ଣ ପ୍ରଶ୍ନର ସମାଧାନ ଉପରେ ନିର୍ଭର କରିବ । କାଶ୍ମୀର ପ୍ରଶ୍ନ ସେସବୁ ପ୍ରଶ୍ନ ମଧ୍ୟରୁ ଅନ୍ୟତମ । ଏହା ସ୍ପଷ୍ଟ ଥିଲା । ପାକିସ୍ତାନ ସେହି ସମୟରେ କୌଣସି ଆପତ୍ତି କଲା ନାହିଁ । ୫୫ କୋଟି ଛଡ଼ାଇ ନେବା ପାଇଁ ପାକିସ୍ତାନର ସମସ୍ତ ପ୍ରଯତ୍ନକୁ ଆମେ ବିରୋଧ କଲୁ । ପୁଣି ୨୬ ଡିସେମ୍ବରରେ କାଶ୍ମୀର ବିଷୟରେ ଅନ୍ତିମ ଚର୍ଚ୍ଚା ପ୍ରାରମ୍ଭ ହେଲା । ସେତିକିବେଳେ ପାକିସ୍ତାନର ମହାମନ୍ତ୍ରୀ ପ୍ରଥମଥର ପାଇଁ କାଶ୍ମୀର ପ୍ରଶ୍ନ ଏବଂ ଆର୍ଥିକ ପ୍ରଶ୍ନ ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ ବୋଲି ଆମର ମତକୁ ବିରୋଧ କଲେ ଏବଂ ୫୫ କୋଟି ଟଙ୍କା ତ୍ୱରିତ ପ୍ରଦାନ ପାଇଁ ଦାବି କଲେ । ଆମେ ସେହି ସମୟରେ ବି କହିଲୁ ଏବଂ ପରେ ୩୦ ଡିସେମ୍ବରରେ ଆମେ ଯେଉଁ ତାରବାର୍ତ୍ତା ପ୍ରେରଣ କଲୁ ସେଥିରେ ସ୍ପଷ୍ଟ କଲୁ ଯେ ଅନୁବନ୍ଧର ଧାରାର ପାଳନ କରିବା ପାଇଁ ଆମେ ବଚନବଦ୍ଧ ନିଶ୍ଚୟ କିନ୍ତୁ କାଶ୍ମୀର ପ୍ରଶ୍ନରେ ପାକିସ୍ତାନ ଯେଉଁ ଶତ୍ରୁତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିଛି ସେଥିପାଇଁ ଧନ ପ୍ରଦାନ ସ୍ଥଗିତ କରିବାକୁ ପଡ଼ିଲା । ସଂପୂର୍ଣ୍ଣ ଚର୍ଚ୍ଚାରେ ଆମର ଏହି ଭୂମିକା ରହିଥିଲା ।

ଏହି ପ୍ରକାର ଆମର ପାକିସ୍ତାନ ସହିତ ବ୍ୟବହାର ଅନୁଚିତ ନ ଥିଲା । ଆମେ କେବେ ବି ବଚନଭଙ୍ଗ କରିନଥିଲୁ । ଏହାର ବିପରିତ ପାକିସ୍ତାନର ପ୍ରତିନିଧିମାନେ ସୁଆଙ୍ଗ କଲେ ଯେ ସେମାନେ ପାକିସ୍ତାନ ସମସ୍ୟାର ଶୀଘ୍ର ସମାଧାନ ଚାହୁଁଛନ୍ତି ଏବଂ ଅନ୍ୟ ପକ୍ଷେ ଆର୍ଥିକ ତଥା ଅନ୍ୟାନ୍ୟ ପ୍ରଶ୍ନ ଉପରେ ଆଧିକାରିକ ସୁବିଧାମାନ ଛଡେ଼ଇ ନେବା ପାଇଁ ଚେଷ୍ଟିତ ହେଲେ । ଆର୍ଥିକ ପ୍ରଶ୍ନ ଅନ୍ୟ ପ୍ରଶ୍ନଠାରୁ ଭିନ୍ନ ଏହାର ତାଙ୍କର ଉକ୍ତି ଥିଲା । ପାକିସ୍ତାନର ଉଚ୍ଚ ଆୟୁକ୍ତ ଏବଂ ଅର୍ଥମନ୍ତ୍ରୀ ଆମକୁ ବାଧ୍ୟ କରିବାକୁ ଅନେକ ପ୍ରୟାସମାନ କଲେ କିନ୍ତୁ ଆମେ ସଦାବେଳେଏହାର ସଫଳ ବିରୋଧ କଲୁ । ଆମେ କେବେ ଅପ୍ରାମାଣିକ ନଥିଲୁ ବରଂ ସବୁ ପ୍ରଶ୍ନର ସମାଧାନର ଏହା ଏକ ମାତ୍ର ଅଂଶ । ଏହା ଆମେ ମନରେ ଏବଂ ସତ୍ୟର ସହିତ ମାନିନେଇଥିଲୁ । ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟେ ମିତ୍ରତା ଏବଂ ଶାନ୍ତି ସ୍ଥାପିତ ହେଉ ଏଥିପାଇଁ ଆମର ଏପରି ନିର୍ଣ୍ଣୟ ଥିଲା ।

ଆମେ ବି କହୁଛୁ ଯେ ଆର୍ଥିକ ପ୍ରଶ୍ନକୁ ମାନ୍ୟତା ଦେବା ପଛରେ ଆମର ମନରେ ପାକିସ୍ତାନ ପ୍ରତି ଉଦାର ଭାବନା ଥିଲା । ବିଭାଜନ ମଣ୍ଡଳ ସାମ୍ନାରେ ମୁଁ ଏହା ମଧ୍ୟ କହିଥିଲି ଯେ ପାକିସ୍ତାନର ବୈଭବପୂର୍ଣ୍ଣ ଏବଂ ପ୍ରତିଷ୍ଠାଶାଳୀ ପଡେ଼ାଶୀ ରୂପେ ଉଭା ହେଉ, ଏହା ଆମର ଇଚ୍ଛା ଅଟେ । ଆମର ଆଶା ଥିଲା ଯେ ଅନ୍ୟ ବିବାଦିତ ପ୍ରସଙ୍ଗରେ ପାକିସ୍ତାନ ବି ଆମ ପ୍ରତି ସମାନ ମନଭାବ ପୋଷାଣ କରିବ । କିନ୍ତୁ ତା’ର ବ୍ୟବହାର ଆମକୁ ନିରାଶ କଲା । ପାକିସ୍ତାନର ଉଚ୍ଚ ଆୟୁକ୍ତ ଏବଂ ସାର ଆର୍ଚିବାଲ୍ଡ ରୋୱଲ୍ୟାଣ୍ଡସ୍ଙ୍କ ପ୍ରଚାରିତ ମନ୍ତବ୍ୟରୁ ଏହା ସ୍ପଷ୍ଟ ପ୍ରତୀତ ହେଉଛି ଯେ ଆର୍ଥିକ ସମ୍ବନୟ ପାକିସ୍ତାକୁ ବହୁତ ଆକର୍ଷକ ଲାଗିଲା ଏବଂ ପାକିସ୍ତାନକୁ ଏହାଠାରୁ ବଡ଼ ସହାରା ମିଲିବାର ଥିଲା । ଏଣୁ ନିଜର ଆର୍ଥିକ ଭିତ୍ତି ସନ୍ତୁଳିତ ରଖିବା ନିମନ୍ତେ ପାକିସ୍ତାନ ଏହି ବଚନ ହାସଲ କଲା । ଏହା ସହିତ ହିନ୍ଦୁସ୍ତାନର ଭାବନାର ପ୍ରତିବାଦ କରିବା ସେମାନେ ଟାଳିଲା ।

ମୁଁ ଏହା ମଧ୍ୟ କହିବାକୁ ଚାହିଁବି ଯେ ଆମର ଦୃଷ୍ଟିକୋଣ ଥିଲା କେବଳ ନ୍ୟାୟ ଏବଂ ଶାନ୍ତିର ସମନ୍ୱୟ । ତଥାପି ଏହାକୁ ଅଧିକ, ବ୍ୟାପକ, ବିଶାଳ କରିବାର ଜିଜ୍ଞାସା ଆମେ ରଖିଥିଲୁ । ଭୁଲ ବୁଝାମଣା, ଝଗଡ଼ାକୁ କେବଳ ସାମଞ୍ଜସ୍ୟ, ସହାନୁଭୂତି, ସହନଶୀଳତା ଏବଂ କଲ୍ୟାଣକାରୀ ଦୃଷ୍ଟି ଦ୍ୱାରା ସମାଧାନ କରାଯାଇପାରିଲେ ହିଁ ଆମର ଏବଂ ପାକିସ୍ତାନ ମଧ୍ୟରେ ପଡେ଼ାଶୀ ଭଳି ସୌହାର୍ଦ୍ଧପୂର୍ଣ୍ଣ ସମ୍ବନ୍ଧ ସ୍ଥାପିତ ହୋଇପାରିବ । କିନ୍ତୁ ପାକିସ୍ତାନ ଆମର ଉଦାର ଆଚରଣର ଅନୁଚିତ ଲାଭ ଉଠାଇଲା ଯଥା ନିଜର ସଂକୁଚିତ ଏବଂ ସ୍ୱାର୍ଥ ସକାଶେ ପ୍ରୟୋଗ କଲା । ସ୍ପଷ୍ଟ ଥିଲା ଆଉ ଏକ ସର୍ବବ୍ୟାପକ ଉଦାର ଭାବନାର ଆବଶ୍ୟକତା ଥିଲା । ଅବିଭାଜିତ ହିନ୍ଦୁସ୍ତାନ ଅର୍ଥାତ୍ ବିଭାଜନ ପୂର୍ବର ହିନ୍ଦୁସ୍ତାନର ଋଣ ବୋଝ ଉଠାଇଲା ଏବଂ ପାକିସ୍ତାନଠାରୁ ସଦ୍ଭାବନା ଏବଂ ବିଶ୍ୱାସ ଲାଗି ଭରସା କଲୁ । ଆମେ ନିର୍ଣ୍ଣୟ ନେଲୁ ଯେ ପାକିସ୍ତାନ ଆମର ଋଣ ପଇଠ କରୁ, ଦୀର୍ଘକାଳୀନ ଏବଂ ସୁଲଭ ଅଂଶରେ । ତେଣୁ ଆମର ସୁରକ୍ଷା ଏବଂ ପ୍ରତିଷ୍ଠା ଉପରେ ପ୍ରହାର କରିବା ଭଳି ପ୍ରଶ୍ନ ଅର୍ଥ ଦେବାନେବା ଉପରେ ନିର୍ଭର ରହୁ । ଆମକୁ ସଂପୂର୍ଣ୍ଣ ଦକ୍ଷତାର ସହିତ ଲକ୍ଷ୍ୟ ରଖିବାକୁ ହେବ ଯେ ଯେଉଁ ସମ୍ବନ୍ଧ ଦୁର୍ବଳ ତାହା ଆଉ ଅଧିକ ବିଗିଡ଼ି ନ ଯାଉ । ମୁଁ ୧୨ ଡିସେମ୍ବରରେ ମୋ ବକ୍ତବ୍ୟରେ କହିସାରିଛି ଯେ ଆମର ସଦ୍ଭାବନାକୁ ଆଘାତ ଲାଗିଛି ଅର୍ଥାତ୍ ଆମ ସହିତ ଧୋକା ହୋଇଛି ।

କାଶ୍ମୀରରେ ଯେଉଁ ଆକ୍ରମଣ ହେଲା, ତାହା ପ୍ରତିରୋଧତାତ୍ମକ ଉପାୟ ପୂର୍ବକ ଆମେ ଏହି ଆର୍ଥିକ ଦେଣନେଣର କାର୍ଯ୍ୟାନ୍ୱୟନକୁ ସ୍ଥଗିତ ରଖିଲୁ । ଆମେ ସଦା ନ୍ୟାୟୋଚିତ ବ୍ୟବହାର କରିଆସିଛୁ । ଆମେ ସେହି ସନ୍ଧିପତ୍ର ଦ୍ୱାରା ଅନୁବନ୍ଧିତ । ଏହି କଥା ଆମେ ପାକିସ୍ତାନକୁ ଥରେ ନୁହେଁ ଅନେକଥର କହିସାରିଛୁ । ଅର୍ଥ ଦେବା ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇନଥିଲା ସେହି ସନ୍ଧିପତ୍ରରେ । ଏହି ସମୟରେ ଆମ ସହିତ ପାକିସ୍ତାନ ନିଜ ସେନା ସହିତ ସଶସ୍ତ୍ର ସଂଘର୍ଷ ଆରମ୍ଭ କଲା । ପ୍ରତୀତ ହେଉଛି ଏହା ଆହୁରି ବ୍ୟାପକ ହେବ । ଏହା ଦ୍ୱାରା ଆର୍ଥିକ ସମ୍ବନ୍ୱୟର ମୂଳଦୁଆ ଦୋହଲି ଯିବାର ଭୟ ଅଛି । ସନ୍ଧିପତ୍ରରେ ଲିପିବଦ୍ଧ ଋଣ ଉତ୍ତରଦାୟିତ୍ୱ ସ୍ୱୀକାର କରିବା , ସାମଗ୍ରୀର ବଣ୍ଟାବଣ୍ଟି କରିବା ଭଳି କାର୍ଯ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ । ଏପରି ଅବସ୍ଥାରେ ଆମେ ଅର୍ଥ ଦେବୁ ବୋଲି ପାକିସ୍ତାନର ଦାବିର କୌଣସି ଭାବେ ନ୍ୟାୟୋଚିତ ନୁହେଁ ।

ଆରୋପର କୌଣସି ଆଧାର ନାହିଁ ।
ପାଠକ ବୃନ୍ଦ!

ପାକିସ୍ତାନର ଅର୍ଥମନ୍ତ୍ରୀ ଆମକୁ ଯେଉଁ ଦୋଷ ଦେଉଛନ୍ତି ତାହା ନିରାଧାର ଏବଂ ଦୁର୍ବଳ ଅଟେ । ଏହା ଦର୍ଶାଇବାକୁ ମୁଁ ପର୍ଯ୍ୟାପ୍ତ ବିବରଣୀ ଦେଇଛି ବୋଲି ଭାବୁଛି । ମୁଁ ଏହା ମଧ୍ୟ ବୁଝାଇବାକୁ ଚେଷ୍ଟା କରିଛି ଯେ ଆର୍ଥିକ ପ୍ରଶ୍ନ ଅନ୍ୟ ପ୍ରଶ୍ନଠାରୁ ଭିନ୍ନ ନୁହେଁ ଏବଂ ସନ୍ଧିପତ୍ରର କାର୍ଯ୍ୟାନ୍ୱୟନ ଏକ ସମୟରେ ହୋଇପାରିବ । ଏହା ଆମେ ଆରମ୍ଭରୁ କହିଆସୁଛୁ । ଯାହା ବୁଝାମଣା ହୋଇଛି ତା’ଠୁ ପଛକୁ ହଟିବାର ପ୍ରଶ୍ନ ହିଁ ଉଠୁନି । କେବଳ ଏତିକି କାମନା ଯେ ବୁଝାମଣାର କାର୍ଯ୍ୟାନ୍ୱୟନ ସକାଶେ ଅନୁକୂଳ ଯୋଗ୍ୟ ବାତାବରଣର ନିର୍ମାଣ ହେଉ । ଯଦି ପାକିସ୍ତାନ ପ୍ରଥମରୁ ହିଁ ଧନରାଶି ପ୍ରାପ୍ତ କହିବାକୁ ଦାବି କରେ ତାହେଲେ ଗୋଟିଏ କଥା ସ୍ପଷ୍ଟ ଯେ ଯେଉଁ ସନ୍ଧି ହୋଇଛି ତାହାର ପୃଷ୍ଠଭୂମିରେ ଯେଉଁ ସୌଜନ୍ୟ,ସଦଭାବନା ନିହିଛି ତାକୁ ସେ ନଷ୍ଟ କରିବାକୁ ଚାହୁଁଛି । ତେଣୁ ଭାରତ ଧନରାଶି ଦେବା ପାଇଁ ବିରୋଧ କରୁଛି । ଯଦି ପାକିସ୍ତାନ ନିଜ ଗୁଣ୍ଡା-ନୀତିରେ ସଫଳ ହୁଏ ତାହେଲେ ସନ୍ଧିପତ୍ରର ମୂଳଦୁଆ ହିଁ ଧ୍ୱସ୍ତ ହୋଇଯିବ । ଯୁଦ୍ଧ ପାଇଁ ପାକିସ୍ତାନର ମନୋକାମନାରେ ଏହି ଅର୍ଥରାଶି ବହୁତ ସହାୟତା କରିବ । ଏହା ସହିତ ସନ୍ଧିପତ୍ରର ଅନ୍ୟ ପ୍ରଶ୍ନ ଉପରେ ଯେ ଏହାର ବିପରୀତ ପ୍ରଭାବ ପଡ଼ିବ ଏହା ସୁସ୍ପଷ୍ଟ ।

ଉପଭାଗ -୨
ସନ୍ଧି ସମ୍ବନ୍ଧରେ ବିତ୍ତମନ୍ତ୍ରୀଙ୍କ ପ୍ରତିବୃତ୍ତର ଅଂଶ ।

ଏସବୁ ଉପରାନ୍ତ ଯେଉଁ ଘଟଣା ହେଲା ତାହାଦ୍ୱାରା ଆମର ଉଦାରତା କୁପାତ୍ରରେ ପରଷାଗଲା ବୋଲି କୁହାଯାଇପାରେ । ଶ୍ରୀ ଗୁଲାମ ଅହମଦ ଆମ ଉପରେ ରାଜନୈତିକ ଡକାୟତିର ଆରୋପ କରିଛନ୍ତି । ସହାନୁଭୂତି ଅର୍ଜନ ପାଇଁ ପାକିସ୍ତାନର ଏହା ଏକ ନୀଚ ମାର୍ଗ । ସେମାନେ ଆମକୁ ଚିଡ଼ାଇଭଳି ବ୍ୟବହାର କରିଛନ୍ତି । ଏହା ପରେ ବି ଆମ ଭୂମିକା ସ୍ପଷ୍ଟ । ଦୁଇ ଦେଶ ମଧ୍ୟରେ ସନ୍ଧିପତ୍ରରେ ଉଲ୍ଲିଖିତ ଧାରାଠାରୁ ବିପରୀତ କରିବାର ପ୍ରଶ୍ନ ହିଁ ଉଠୁନି, ଅର୍ଥାତ୍ ଧାରା ଅନୁସାରେ ହିଁ କାମ କରିବାକୁ ଆମେ ଚାହୁଁ । ଆମେ ପ୍ରଥମରୁ କହିଛୁ ସେ ଏସବୁ ଧାରା ସର୍ବବ୍ୟାପକ ସନ୍ଧିର ମାତ୍ର ଗୋଟିଏ ଅଂଶ ଏବଂ ସେଥିରେ ଥିବା ଧାରାର କାର୍ଯ୍ୟାନ୍ୱୟନ ସବୁ ପ୍ରଶ୍ନର ସମାଧାନ ସହିତ କରାଯିବ । ଏହିସବୁ ଘଟଣା ପ୍ରବାହ ମଧ୍ୟେ ପାକିସ୍ତାନର ଉତ୍ତରଦାୟୀ ମନ୍ତ୍ରୀଙ୍କ ଉଦ୍ଧଣ୍ଡ ବ୍ୟବହାର , ଗୁଣ୍ଡାନୀତିର ପ୍ରଚାର କରାଗଲା । ଆମକୁ ଦୋଷୀ ଦର୍ଶାଇବାର ଅପଚେଷ୍ଟା କରାଗଲା କିନ୍ତୁ ଆମେ ଆମର ଯୋଗ୍ୟନୀତିରେ ଅଟଳ ରହିବୁ, ବିଚଳିତ ହେବୁ ନାହିଁ ।

ଉପଭାଗ ୩
ହିନ୍ଦୁସ୍ତାନର ସଦ୍ଭାବନା ପାଇଁ ପ୍ରଯତ୍ନ
ହିନ୍ଦସ୍ତାନ-ପାକିସ୍ତାନ ଆର୍ଥିକ ସାମଞ୍ଜସ୍ୟର ତ୍ୱରିତ କାର୍ଯ୍ୟାନ୍ୱୟନ

ଗୃହ-ମନ୍ତ୍ରଣାଳୟ ୧୫ ଜାନୁଆରୀ, ୧୯୪୭ରେ ବିତ୍ତମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପତ୍ର ଲେଖିଲେ । ସେଥିରେ ଉଲ୍ଲେଖ ଥିଲା ଯେ ଭାରତ ସରକାର, ଉଭୟ ଦେଶ ମଧ୍ୟରେ ହୋଇଥିବା ଆର୍ଥିକ ବିଷୟକ ବୁଝାମଣା ବିଷୟରେ ନିଜ ଭୂମିକା ସ୍ପଷ୍ଟ କରିଦେଇଛନ୍ତି । ଆମେ ଏହା ମଧ୍ୟ କହିଛୁ ଯେ ଦୁଇ ଦେଶ ମଧ୍ୟରେ ଯେଉଁ ବିବାଦାତ୍ମକ ପ୍ରଶ୍ନ ଅଛି ସେସବୁର ସମାଧାନ ଦ୍ୱାରା ହିଁ ଆର୍ଥିକ ସମନ୍ୱୟର କ୍ରିୟାନ୍ୱୟନ କରାଯିବ । ଏହା ସହିତ ଆମେ ଏହା ମଧ୍ୟ କହିଛୁ ଯେ ସନ୍ଧିରେ ଉଲ୍ଲଖିତ ଧାରାର ଆମେ ପାଳନ କରୁଛୁ ।

ପାକିସ୍ତାନର ଅର୍ଥମନ୍ତ୍ରୀଙ୍କ ଅର୍ଥହୀନ ବାଦବିବାଦ ଏବଂ ଉକ୍ତି ଆମକୁ ଦୁଃଖିତ କରିଛି । ଆମେ ଏହା କଦାପି ମାନିବୁନି । ଭାରତର ଉପ-ପ୍ରଧାନମନ୍ତ୍ରୀ ଏବଂ ବିତ୍ତମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେଥିରେ ବସ୍ତୁସ୍ଥିତି ଏବଂ ସତ୍ୟ ଘଟଣାର ବିସ୍ତୃତ ବର୍ଣ୍ଣନା ଅଛି । ଏଥିରୁ ନିଷ୍କର୍ଷ, ନିର୍ଣ୍ଣୟ ଏବଂ ତର୍କ ସହିତ ଭାରତୀୟ ମନ୍ତ୍ରୀମଣ୍ଡଳ ସହମତ । ପାକିସ୍ତାନର ବିତ୍ତମନ୍ତ୍ରୀ ଯେ ତଥାପି ଆହ୍ୱାନ କରିଛନ୍ତି ଆମେ ଏଥିରେ ମର୍ମାହତ । ଆମର ପ୍ରସ୍ତାବିତ ସର୍ତ୍ତକୁ ବିରୋଧ କରିବାରେ କୌଣସି ଯଥାର୍ଥତା ନାହିଁ । ହିନ୍ଦୁସ୍ତାନ ଶାସନ ନ୍ୟାୟସଙ୍ଗତି ସହିତ ଯେଉଁ ନୀତି ଆପଣେଇଛନ୍ତି ଏହା ତାହାରି ଆଧାର ।

ଗାନ୍ଧୀଙ୍କ ଅନଶନ

ଗାନ୍ଧୀଜୀଙ୍କ ଅନଶନ କେବଳ ଭାରତ ସରକାରଙ୍କୁ ଚିନ୍ତିତ କଲା ନାହିଁ ଅପିତୁ ବିଶ୍ୱ ବ୍ୟଥିତ ହୋଇପଡ଼ିଲା । ଭାରତ ଏବଂ ପାକିସ୍ତାନ ମଧ୍ୟେ ଯେଉଁ ଈର୍ଷା, ଦ୍ୱେଷ, ବୈଷମ୍ୟ ଭାବନା ଉତ୍ପନ୍ନ ହେଲା ତା’ର ସମାଧାନର ଉପାୟ ଖୋଜାଗଲା ।

ଭାରତ ସରକାର ମଧ୍ୟ ସମାଧାନ ଚାହୁଁଥିଲେ କିନ୍ତୁ ରାଷ୍ଟ୍ରହିତର ବଳିଦାନ ଦ୍ୱାରା ନୁହେଁ । ହିନ୍ଦୁସ୍ତାନ ଶାସନ ଦେଶହିତ, ସମାଜହିତ ଏବଂ ଗାନ୍ଧୀହିତ ପାଇଁ ଏହି ନିର୍ଣ୍ଣୟ ସ୍ୱୀକାର କରିନେଲେ ।

ଏହି ନିର୍ଣ୍ଣୟ ଦ୍ୱାରା ଭାରତ ଏବଂ ପାକିସ୍ତାନ ମଧ୍ୟେ ସଦ୍ଭାବନା ଉଜ୍ଜ୍ୱଳ ହେବ । ରାଷ୍ଟ୍ରପିତା ଗାନ୍ଧୀଜୀ ଯେଉଁ ଆତ୍ମଉସôର୍ଗ କରିବାକୁ ଆଗଭର ସେଥିରୁ ବିରତ ହେବେ ଏବଂ ସମସ୍ତଙ୍କ ଆଶ୍ୱସ୍ତ ହେବେ । ସେ ଅନଶନ ସମାପ୍ତ କରିବେ । ସେ ଦେଶର ଆହୁରି ସେବା କରିବେ । ତେଣୁ ପାକିସ୍ତାନକୁ ଏହି ଧନରାଶି ଦେବାକୁ ନିଶ୍ଚୟ କରାଗଲା ।

ବସ୍ତୁତଃ ଏଇ ନିର୍ଣ୍ଣୟ ଏହି ଦେଶର ଜାଜ୍ଜ୍ୱଲ୍ୟମାନ ମହାନ୍ ପରମ୍ପରା ଅନୁସାରେ ଶାନ୍ତି ଏବଂ ସଦିଚ୍ଛା ପାଇଁ ଗାନ୍ଧୀଜୀଙ୍କ ଅହିସଂକ ଏବଂ ଉଦାତ୍ତ ପ୍ରଯତ୍ନକୁ ହିନ୍ଦୁସ୍ତାନର ମନପ୍ରାଣଭରା ଭେଟି ଥିଲା ।

ହିନ୍ଦୁସ୍ତାନର ପ୍ରଧାନମନ୍ତ୍ରୀଙ୍କ ନିବେଦନର ଉଦ୍ଧୃତାଂଶ

ପାକିସ୍ତାନକୁ ଧନରାଶି ପ୍ରଦାନ ବିଷୟ ଭାରତ ସରକାର ପୂର୍ଣ୍ଣ ବିଚାର-ବିମର୍ଶ ତଥା ଗାନ୍ଧୀଜୀଙ୍କ ସହିତ ପରାମର୍ଶ କରି ନିଶ୍ଚିତ କଲେ । ମୋ ମନ୍ତ୍ରୀମଣ୍ଡଳୀର ସଦସ୍ୟ ସମୟ ସମୟରେ ଯେଉଁ ନିବେଦନ କରିଆସୁଛନ୍ତି ସେଥିରେ ହିନ୍ଦୁସ୍ତାନର ଭୂମିକା ସ୍ପଷ୍ଟ ହୁଏ । ଏହା ଆମ ସମସ୍ତଙ୍କ ଏକମତ । ଏହାର ପଛରେ ଦଣ୍ଡାୟମାନ ଶକ୍ତି ଏବଂ ବୋଧ ଆମର ହିଁ ସଦ୍ଭାବନା ପ୍ରୟାସରେ କୌଣସି ଅନ୍ତର ଆସିଛି ଏପରି ଭାବିବା ଅର୍ଥହୀନ । ପାକିସ୍ତାନର ବିତ୍ତମନ୍ତ୍ରୀ ଯେଉଁ ଅନ୍ତିମ ପତ୍ରକ ପ୍ରଚାରିତ କରିଛନ୍ତି ସେଥିରେ ସେ ଯେଉଁ ବିବାଦକୁ ଉପôନ୍ନ କରାଇଲେ ଆମେ ମାନୁନାହୁଁ । ଏହା ବି ଆମେ ସ୍ପଷ୍ଟ ଶବ୍ଦରେ ଉଦ୍ଘୋଷଣା କରିଛୁ ।

ଉପଭାଗ ୪

ହିନ୍ଦୁ ମହାସଭାର ଲୋକତନ୍ତ୍ର ବିଷୟକ ପ୍ରସ୍ତାବ

୧୯୪୪ ଡ଼ିସେମ୍ବରରେ ବିଳାସପୁରଠାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ୨୬ତମ ଅଧିବେଶନ ସମ୍ପନ୍ନ ହେଲା । ଅଧିବେଶନରେ ପାରିତ ପ୍ରସ୍ତାବ ନିମ୍ନରେ ଦିଆଯାଇଛି ।

(୧) ସାର୍ବଭୌମ୍ୟ ସତ୍ତାର ଘଟକ ହିନ୍ଦୁସ୍ତାନର ଜନତା । ବିଶ୍ୱର ଅନ୍ୟ ଦେଶର ଲୋକଙ୍କ ଭଳି ହିନ୍ଦୁସ୍ତାନର ଲୋକଙ୍କ ବି ସ୍ୱତନ୍ତ୍ର ହେବାକୁ ସଂପୂର୍ଣ୍ଣ ଅଧିକାର ଅଛି । ଏଣୁ ହିନ୍ଦୁସ୍ତାନ ଏକ ସ୍ୱତନ୍ତ୍ର ରାଷ୍ଟ୍ର ହେବା ସହିତ ନିଜ ସମ୍ବିଧାନର ଗରିମା ବଜାୟ ରଖିବ । ‘ସ୍ୱତନ୍ତ୍ର ହିନ୍ଦୁସ୍ତାନ ରାଷ୍ଟ୍ରର ସମ୍ବିଧାନ ଅଟେ ।’

(୨) ଐତିହାସିକ ପରମ୍ପରା ଦୃଷ୍ଟିରୁ ଏବଂ ସାଂସ୍କୃତିକ ଭୂମିକାରେ ମଧ୍ୟ ହିନ୍ଦୁସ୍ତାନ ଏକ, ସଂପୂର୍ଣ୍ଣ ଅଟେ । ଅବିଭାଜ୍ୟ ଅଟେ ଏବଂ ଏହି ଭୂଭାଗ ସେପରି ରହିବ ।

(୩) ହିନ୍ଦୁସ୍ତାନର ସ୍ୱତନ୍ତ୍ର ରାଷ୍ଟ୍ରର ସ୍ୱରୂପ ଲୋକତନ୍ତ୍ର ପ୍ରଧାନ ଏବଂ ଗଣତନ୍ତ୍ର ପଦ୍ଧତିରେ ସ୍ଥାପିତ ହେବ ।

(୪) ଗଣତନ୍ତ୍ରର ବିଧିମଣ୍ଡଳ ପଦ୍ଧତି ଦୁଇ ପ୍ରକାରର ରହିବ ।

(୫) ବିଧିମଣ୍ଡଳର ନିର୍ବାଚନ କେନ୍ଦ୍ରୀୟ ହେଉ ଅବା ପ୍ରାନ୍ତୀୟ ସଜ୍ଞାନ ମତଦାତା ସଙ୍ଘ ଦ୍ୱାରା ଏକ ବ୍ୟକ୍ତିର ମତ ଆଧାରରେ ହେବ । ମତଦାତା ସଂଯୁକ୍ତ ହେବେ । ଅଳ୍ପସଂଖ୍ୟକଙ୍କ ତାଙ୍କ ସଂଖ୍ୟା ଅନୁସାରେ ସୁରକ୍ଷିତ ପ୍ରତିନଧିତ୍ୱ ରହିବ ।

ମୂଳଭୂତ ଅଧିକାର:

(୧) ସମସ୍ତ ନାଗରିକଙ୍କ ବିଧିବିଷୟକ ସମାନତା ରହିବ । ନାଗରୀ ଅଥବା ଦଣ୍ଡବିଷୟକ ମୂଳଭୂତ ଅଥବା କାର୍ଯ୍ୟବହନାତ୍ମକ କୌଣସି ବିଧିର ଭେଦଭାବ କରିବା ଭଳି ହେବ ନାହିଁ ।

(୨) ସାର୍ବଜନିକ ସ୍ୱରୂପର ସେବାବୃତ୍ତି ଅଧିକାର ପଦ , ମାନ-ସମ୍ମାନ ସ୍ଥାନରେ ଅଥବା ବ୍ୟବସାୟ କରିବାକୁ ଅଧିକାର ସମସ୍ତଙ୍କ ସମାନ ରହିବ ଯାହାଦ୍ୱାରା ବର୍ଣ୍ଣ, ଜାତି ଅଥବା ପନ୍ଥ ଯୋଗୁଁ କୌଣସି ବାଧା ଉତ୍ପନ୍ନ ହେବାନାହିଁ ।

(୩) ସାର୍ବଜନିକ ସୁବ୍ୟବସ୍ଥା ଏବଂ ନୀତିମତ୍ତା ଏଥିରେ କୌଣସି ବାଧା ନ ଆଣି ସମସ୍ତ ନାଗରିକଙ୍କ ବିଚାର କରିବାକୁ ସ୍ୱତନ୍ତ୍ର ରହିବେ । ସ୍ୱସ୍ୱ ଧର୍ମର ପାଳନ ନିଜ ନିଜର ସଂସ୍କୃତିର ସଂରକ୍ଷଣ କରିବା ପାଇଁ ପ୍ରତ୍ୟେକ ସ୍ୱତନ୍ତ୍ର ରହିବେ ଏବଂ ଧର୍ମ-ଦ୍ୱେଷ ଆଧାରିତ ଅଥବା ଧର୍ମ ନାମରେ ପ୍ରତିବନ୍ଧ କରିବାକୁ କୌଣସି କାନୁନ ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ରୂପରେ ଅଣାଯିବ ନାହିଁ । ଏହି ପ୍ରକାର ଧର୍ମ ବିଷୟକ ଅଥବା ଧାର୍ମିକ ଶ୍ରେଣୀ ଯୋଗୁଁ କାହାକୁ ବି ବିଶେଷ ଅଧିକାର ପ୍ରାପ୍ତ ହେବନି ବା କାହାର ଅଧିକାରରୁ ତାକୁ ବଞ୍ଚିତ କରାଯିବନି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top