ସକାଳ ହେଲା । ମଣ୍ଟୁର ନିଦ ଭାଙ୍ଗିଲା !!
– “ଆରେ ଏ କଣ ? ! ମୁଁ ସ୍ୱପ୍ନ ଦେଖୁନି ତ !”
“କାଲି ପର୍ଯ୍ୟନ୍ତ ହାତରେ ଶଙ୍ଖ ଧରି ଦିନରାତି ରାଜାଙ୍କ ନାମରେ ହୁଳହୁଳି ପକାଉଥିବା ଗଣମାଧ୍ୟମଟି ହଠାତ୍ ଶଙ୍ଖ ଫୋପାଡ଼ି ଦେଇ ରାତାରାତି ଏକ ସଚ୍ଚୋଟ ଓ ନିରପେକ୍ଷ ଗଣମାଧ୍ୟମରେ ରୂପାନ୍ତରିତ ହୋଇଯାଇଛି ! କାଲି ପର୍ଯ୍ୟନ୍ତ ଦିନରାତି ରାଜାଙ୍କ ପ୍ରତି ବିଷ ଉଦ୍ଗାରୁଥିବା ଏକ ଗଣମାଧ୍ୟମ ସେହି ଫୋପଡା ଶଙ୍ଖକୁ ଗୋଟେଇ ଆଣି ରାତାରାତି ରାଜାଙ୍କର ଗୁଣକୀର୍ତ୍ତନରେ ଶତମୁଖ ହୋଇ ଉଠିଛି! ”
ଏ ସବୁକୁ ଦେଖି ମଣ୍ଟୁ ଜୋରରେ ହସି ଉଠିଲା; ମୁହଁରେ ଦି ଥର ପାଣି ଛାଟି ମନେ ମନେ ଭାବିଲା-
“ଆଉ କେତେ କାଳ ତୁମେମାନେ ଦର୍ଶକମାନଙ୍କୁ ବୋକା ବୋଲି ଭାବି ସେମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସତକୁ ମିଛ ଆଉ ମିଛକୁ ସତ କରି ଦେଖେଇବ ବୋଲି ଭାବିଛ ? ଦର୍ଶକ ସବୁ ବୁଝୁଛନ୍ତି – ଫରୁଆ ଭିତରେ ବୁଢ଼ୀ ଅସୁରୁଣୀର ଜୀବନ ଭଳି ସେହି ଶଙ୍ଖରେ ହିଁ ତୁମମାନଙ୍କର ଜୀବନ । ସେହି ଶଙ୍ଖକୁ ହାତେଇବା ପାଇଁ ଦରକାର ହେଲେ-ତୁମେମାନେ ଶହ ଶହ ବାର ଘଟ ପରିବର୍ତ୍ତନ କରିବ; ଜରୁରୀ ହେଲେ – ତୁମେମାନେ ଜନତାଙ୍କ ତିଳ, ତାଳ, ଚୂଳ ,ଚାଳ ସବୁ କାଟି ନେଇଯିବ ।”
-“ବୋଉ ତୁ ଜଲଦି ପଖାଳ ବାଢ଼ିଲୁ, ମୁଁ ଗାଧେଇକି ଆସୁଛି .. ଖାଇକି କାମକୁ ଯିବି, ମୋର ଲେଟ୍ ହେଲାଣି।”
