ଏକବିଂଶ ଶତାବ୍ଦୀର ଓଡ଼ିଆ କଥା ସାହିତ୍ୟରେ ମୌସୁମୀ ପରିଡ଼ା (୧୯୭୫) ଜଣେ ଉଜ୍ଜ୍ବଳ ପ୍ରତିଭା । କବିତା, କ୍ଷୁଦ୍ରଗଳ୍ପ, ଉପନ୍ୟାସ, ସ୍ତମ୍ଭଲିଖନ, ପ୍ରବନ୍ଧ ପ୍ରଭୃତି ବିଭାଗରେ ପାଦ ଦେଇ ଓଡ଼ିଆ ସାହିତ୍ୟର କଳେବର ବୃଦ୍ଧି କରିଛନ୍ତି । ଅଧ୍ୟାପକ ଜୀବନର ଗାଢ଼ ଅନୁଭୂତି ମଣିଷ ଓ ସମାଜକୁ ଚିହ୍ନି ଚିହ୍ନେଇବାରେ ତାଙ୍କର ବହୁ ଅଭିଜ୍ଞତା ରହିଛି । ‘ସମର୍ପିତା’, ‘ଯାଯାବରର ଘର’, ‘ଶିଉଳିର ଛାଇ’, ‘ପରାଜିତ ସ୍ୱପ୍ନ’, ‘ଅଗଳ୍ପ ଗଳ୍ପ’, ‘ସ୍ଵୀକରୋକ୍ତି’ ପ୍ରଭୃତି ତାଙ୍କର ଗୋଟିଏ ଗୋଟିଏ ଗଳ୍ପ ସଂକଳନ । ସେ ଜଗତସିଂପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କ କୋଳାହଳମୟ ପରିବେଶରେ ଶାରୀରିକ ଭାବେ ଉପସ୍ଥିତ ଥିଲେ ମଧ୍ୟ ମାନସିକ ସ୍ତରରେ ସେ ପ୍ରକୃତିର କୋଳେ ବିଚରଣ କରୁଥାନ୍ତି । ସହରୀ ଜୀବନର ଅଶାନ୍ତି ମଧ୍ୟରେ ପଲ୍ଲୀ ଜୀବନର ଶାନ୍ତିକୁ ଆଘ୍ରାଣ କରିଥାନ୍ତି । ରୋଗୀମାନଙ୍କ ଆର୍ତ୍ତ ଚିତ୍କାର ଭିତରୁ ସେ ଖୋଜି ପାଇଛନ୍ତି ପ୍ରକୃତିର ସଙ୍ଗୀତ । ରାଜ ରାସ୍ତାରେ ଗଡୁଥିବା ଗାଡ଼ିର ହର୍ଣ୍ଣ ଶବ୍ଦରୁ ସେ ଆବିଷ୍କାର କରନ୍ତି କୋଇଲିର କୁହୁକୁହୁ ତାନ ଓ ଝରଣାର ନିନାଦ । ପ୍ରତିଦିନ ପରିବାରର ଜଞ୍ଜାଳ ଏବଂ ମହାବିଦ୍ୟାଳୟର ଅଧ୍ୟାପନା କାର୍ଯ୍ୟରେ ଲିପ୍ତ ରହିଥିଲେ ମଧ୍ୟ ସାହିତ୍ୟର ସେବା କରିବାରେ କେବେବି ପଶ୍ଚାତପଦ ହୋଇନାହାନ୍ତି । ତାଙ୍କ ଗଳ୍ପଗୁଡିକରେ ସମାଜର ବାସ୍ତବ ଚିତ୍ର, ସମାଜର ସମସ୍ୟା, ମନୁଷ୍ୟ ମନର ଅନ୍ତର୍ଦ୍ୱନ୍ଦ୍ୱ, ବିଷାଦବୋଧ, ବିଭୁବୋଧ, ପଲ୍ଲୀଚେତନା, ନାରୀ ଜୀବନର ଚିତ୍ର ପ୍ରଭୃତି ପ୍ରତିଫଳିତ ହୋଇଥାଏ ।
ସମାଜର ବାସ୍ତବ ଘଟଣାକୁ ରୂପାୟିତ କରିଥାଏ ସାହିତ୍ୟ । ତେଣୁ ସାହିତ୍ୟ ହେଉଛି ସମାଜର ଦର୍ପଣ । ‘ବେରଙ୍ଗ ଚିତ୍ରପଟ୍ଟ’ ଦୀର୍ଘ ଗଳ୍ପରେ ଗାଳ୍ପିକା ମୌସୁମୀ ପରିଡ଼ା ମଧୁର ପଲ୍ଲୀଜୀବନର ଚିତ୍ରକୁ ନିଚ୍ଛକ ଭାବରେ ଚିତ୍ରିତ କରିଛନ୍ତି । ଗଳ୍ପର ନାୟିକା ସୋନି ତା’ର ବାପା ଓ ମାଆ ସହ ସହରରେ ରହି ପାଠ ପଢ଼ୁଥିଲା । ଗ୍ରୀଷ୍ମ ଛୁଟିରେ ସୋନି ମାମୁ ଘରକୁ ଆସି ଛୁଟିଦିନ କାଟି ବାପା ଓ ମାଆ ସହ ସହରକୁ ଚାଲିଯାଇଥିଲା । ମାମୁ ଘରେ କଟାଇଥିବା ଅତୀତର ଦିନକୁ ସେ ଭୁଲିପାରିନଥିଲା । ପାଠ ପଢ଼ା ଅନ୍ତେ କିଛି ବର୍ଷ ଅତିକ୍ରାନ୍ତ ହୋଇଯାଇଛି ଦିନେ ସେ ମାମୁ ଘର ସ୍ମୃତିଚାରଣ କରି ଭାବିଛି ଆମ୍ବ ତୋଟା, ପାଳଗଦା, ଗ୍ରାମ ଦେବତୀ, ପୋଖରୀ ପ୍ରଭୃତି ସ୍ଥାନରେ ବିତେଇଥିବା ଅଫେରନ୍ତା ମୁହୂର୍ତ୍ତ କଥା । ଏହି ଗଳ୍ପରେ ସୋନି ଅନୁଭବ କରିଛି ସହରର କୋଠାବାଡ଼ି, ଗାଡ଼ିମଟରଠାରୁ ବହୁତ ଭଲ ଲାଗେ ଗ୍ରାମର ମାଟି, ପକ୍ଷୀଙ୍କର ସ୍ଵନ ଓ ଗାଁ ପରିବେଶ । ଗାଳ୍ପିକା ସୋନିର ମାମୁଘର ଗାଁ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି – “ତାକୁ ମାମୁ ଘର ଗାଁ ଖୁବ୍ ଭଲ ଲାଗେ । ନିଜର ପରି ମନେ ହୁଏ । ଏମାନଙ୍କ ଗାଳିରେ ବି ଥାଏ ଆକଟ । ଲାଗେ ସୁନ୍ଦର ଚିତ୍ରପଟଟିଏ ଯେଉଁଠି ଭରି ରହିଛି କୋଳାହଳ, ଉତ୍ସବ ଓ ନିରୀହପଣ । ଭାରି ଜୀବନ୍ତ ଗାଁ ପରିବେଶ । ଗାଁ ତୋଟା, ବିଲ ବାଡ଼ି, ଗାଈଗୋରୁ, ପୋଖରୀ ତୁଠ, ସେଠି ନିଜକୁ ମାଜି ମାଜିି ଗାଧୋଉଥିବା ଅନେକ କିଶୋର କିଶୋରୀ, ପିଲା, ବୁଢ଼ା ସମସ୍ତେ । ଭାଇଚାରା ଓ ଆପଣାପଣରେ ଭାରି ପରିବେଶ…ଆଉ କୋଉଠି ନ ଥିବ ।” ଏ ଉକ୍ତିରୁ ଆମେ ଗାଳ୍ପିକାଙ୍କର ଗାଁ ପ୍ରତି ଥିବା ମୋହ ସମ୍ପର୍କରେ ଅତି ସହଜରେ ଜାଣିପାରିବା । ସାହାଡ଼ା ଦାନ୍ତ କାଠିରେ ଦାନ୍ତ ଘଷିବା, ଛେଳି ଚରାଇବା, ବାଡ଼ିରୁ ଚୋରି କରିବା, ପଲ୍ଲୀ ଜୀବନର ଲୋକ ବିଶ୍ୱାସ, ଅନ୍ଧ ବିଶ୍ୱାସ ଓ ପର୍ବପର୍ବାଣୀ ସମ୍ପର୍କରେ ଧାରଣା, ଗୋବରରେ ଚଟାଣ ଲେପିବା, ପୋଖରୀ ତୁଠରେ ନାରୀମାନଙ୍କର ଗପସପ, ବୋହୂମାନେ ଓଢଣା ଦେବା, ଭ୍ରାତ୍ରୁବୋଧ, ଯୌଥ ପରିବାରର ନିଦର୍ଶନ, ଛୋଟ ଶିଶୁଙ୍କର ଆଈ କାହାଣୀ ଶୁଣିବା, ଗ୍ରାମୀଣ ବିବାହ, ଗ୍ରାମ୍ୟ ଯୁବକ ଯୁବତୀଙ୍କ ଲୁଚାଛପା ପ୍ରେମ କାହାଣୀ ପ୍ରଭୃତି ପଲ୍ଲୀ ଜୀବନର ଜୀବନ୍ତଚିତ୍ରକୁ ଗାଳ୍ପିକା ମୌସୁମୀ ପରିଡ଼ା ପାଠକଙ୍କ ନିକଟରେ ଉପସ୍ଥାପନା କରିଛନ୍ତି ।
କ୍ଷୁଦ୍ରଗଳ୍ପ ପଠନ ପୂର୍ବରୁ ପାଠକ ଗଳ୍ପର ଶୀର୍ଷକ ପ୍ରତି ଆକର୍ଷିତ ହୋଇଥାଏ । ଯାହା ଫଳରେ କ୍ଷୁଦ୍ରଗଳ୍ପ ସମ୍ପୂର୍ଣ୍ଣ ପାଠ କରିବା ନିମିତ୍ତ ତା ମନରେ ଉତ୍କଣ୍ଠା ଜାତ ହୋଇଥାଏ। ଗାଳ୍ପିକା ମୌସୁମୀ ପରିଡ଼ାଙ୍କ ଗଳ୍ପ ‘ବେରଙ୍ଗ ଚିତ୍ରପଟ୍ଟ’ ଶୀର୍ଷକଟି ଠିକ୍ ସେହିପରି । ଅତୀତରେ ସୋନି ମାମୁଘରେ ଅତିବାହିତ କରିଥିବା ବାଲ୍ୟଜୀବନର ସମୟ ଓ ସେ ବର୍ତ୍ତମାନ ମାମୁଘରକୁ ଫେରି ଦେଖୁଥିବାର ସମୟ ମଧ୍ୟରେ ଆକାଶ ପାତାଳ ଫରକ୍ ବାରି ହୋଇପଡ଼େ । ପିଲାବେଳେ ଆଈ ସହିତ ପୋଖରୀକୁ ଗାଧୋଇ ଯିବା, ଦୁଷ୍ଟାମୀ କରିବା, ପାଟିତୁଣ୍ଡ କରିବା, ଗାଁ ଦାଣ୍ଡରେ ଖେଳିବା, ମାମୁ ମାଇଁ ଆଈଙ୍କଠାରୁ ସ୍ନେହ ଆଦର ପାଇବା, ଲୁଚି ଚୋରି କରିବା, ଅଳି କରି ମାଟିରେ ଗଡିବା, ସାଙ୍ଗମେଳେ ବୁଲିବା ପରି ସୋନିର ସୁଖମୟ ଗ୍ରାମ୍ୟ ଜୀବନର ଗାଢ଼ରଙ୍ଗର ଇନ୍ଦ୍ରଧନୁ ସମୟକ୍ରମେ ଫିକା ହୋଇ ରଙ୍ଗହୀନ ହୋଇଯାଇଛି । କିଛି ବର୍ଷ ପରେ ସୋନି ମାମୁ ଘରକୁ ଆସି ଦେଖେ ତ ଅଜା ଆଈ ଆଉ ଏ ପାରିରେ ନାହାଁନ୍ତି, ମାମୁ ଓ ମାଇଁମାନେ ବୁଢ଼ାବୁଢ଼ୀ ହୋଇଗଲେଣି, ପୂର୍ବ ପରି ସ୍ନେହ ଆଦର ନାହିଁ, ଭାଇ ଓ ଭଉଣୀମାନେ ବାହା ହୋଇଗଲେଣି, ଗାଁର ଧୂଳିଉଡ଼ା ପଥ କଂକ୍ରିଟର ଚାଦର ପିନ୍ଧିଲାଣି, ଗାଁ ମାଟିରେ ସହରର ବାସ୍ନା ମହକୁଛି, ପୋଖରୀ ତୁଠ ଘାସମୟ ହୋଇଯାଇଛି, ଭାଉଜମାନେ ନିଜ କାମରେ ବ୍ୟସ୍ତ ରହୁଛନ୍ତି, ଏହିପରି ଦୃଶ୍ୟ ଦେଖି ସୋନି ନଗରକୁ ଫେରିଆସିଛି । ଅତୀତର ପତ୍ରଭରା ବନଲତା ସୋନି ପାଇଁ ପାଲଟି ଯାଇଛି ଗ୍ରୀଷ୍ମକାଳର ପତ୍ରହରା ଶୁଷ୍କ ଥୁଣ୍ଟା ବୃକ୍ଷ । ଯାହାର ଫଳସ୍ୱରୂପ ଅତୀତର ରଙ୍ଗୀନ୍ ମୁହୂର୍ତ୍ତ ସବୁ ବର୍ତ୍ତମାନ ଅବସ୍ଥାରେ ସୋନିର ମାନସପଟରେ ଆଙ୍କି ଦେଇଛି ବେରଙ୍ଗ ଚିତ୍ରପଟ୍ଟ ।
ପଲ୍ଲୀରେ ବସବାସ କରୁଥିବା ଲୋକମାନେ ନିଜର ସଂସ୍କୃତି, ପରମ୍ପରା ଓ ବିଶ୍ବାସବୋଧକୁ ଗଭୀର ସମ୍ମାନ ପ୍ରଦର୍ଶନ କରିଥାନ୍ତି । ଗାଳ୍ପିକା ମୌସୁମୀ ପରିଡ଼ାଙ୍କ ‘ବେରଙ୍ଗ ଚିତ୍ରପଟ୍ଟ’ ଗଳ୍ପରେ ଅନେକ ଲୋକବିଶ୍ୱାସ, ଲୋକ ପ୍ରଥା, ଲୋକ ଚଳନୀ ସଂପର୍କରେ ଉଲ୍ଲେଖ କରି ପରବର୍ତ୍ତୀ ପିଢ଼ିର ପାଠକମାନଙ୍କୁ ଅବଗତ କରାଇଛନ୍ତି । ଯେପରି କି, ଘରର ସ୍ତ୍ରୀଲୋକମାନେ ନ ଗାଧୋଇବା ପୂର୍ବରୁ ହାଣ୍ଡିଶାଳକୁ ଅଥବା ରୋଷେଇଘରକୁ ପ୍ରବେଶ କରନ୍ତି ନାହିଁ । ଯଦି କାହାର କିଛି ଖାଦ୍ୟ ଆବଶ୍ୟକ ପଡେ ତାହେଲେ ଛୋଟ ଶିଶୁଙ୍କୁ (ଶିଶୁ ଭଗବାନଙ୍କର ଏକ ସ୍ୱରୂପ) ପଠାଇ ନେଇ ଆସନ୍ତି ପଛେ ନିଜେ ନ ଗାଧୋଇ ସେ ଏରୁଣ୍ଡିବନ୍ଧ ଡିଅଁନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଉଛି ଅଗାଧୁଆ ପ୍ରବେଶ କଲେ ଦେଇପିଣ୍ଡି ମାରା ହୋଇଯାଏ ଫଳରେ ପାପର ଭାଗୀଦାର ହେବାକୁ ପଡ଼େ । ଖାଇବସିଥିବାବେଳେ କଂସା ଚାରିପଟେ ଭାତ ପକାଇଲେ ଲକ୍ଷ୍ମୀଛଡ଼ା ହୋଇଯାଆନ୍ତି । ଗ୍ରାମୀଣ ଲୋକଙ୍କ ଏକ ବିଶ୍ୱାସ ଗୋବର ଏକ ପବିତ୍ର ଜିନିଷ । ତାହାକୁ ଚଟାଣରେ ଲିପିଲେ ଅଶାନ୍ତି ବଦଳରେ ଶାନ୍ତି ଘରେ ବଜାୟ ରହେ ଏବଂ ଲକ୍ଷ୍ମୀମାତା ପ୍ରବେଶ କରନ୍ତି । ଓଡ଼ିଆ ସଂସ୍କୃତିର ପ୍ରାରମ୍ଭରୁ ରହିଆସିଛି ସ୍ୱାମୀ ଅଥବା ଘରର ମୁରବିଲୋକ ଅନ୍ନ ଗ୍ରହଣ କଲାପରେ ଘରର ସ୍ତ୍ରୀଲୋକମାନେ ଭୋଜନ କରନ୍ତି । ବୋହୂଟିଏ ଦେଢ଼ଶୁର କିମ୍ବା ବୟୋଜ୍ୟେଷ୍ଠଙ୍କୁ ଦେଖିଲେ ମୁଣ୍ଡରେ ହାତେ ଲମ୍ବର ଓଢଣା ପକାଇଦେଇଥାଏ । ଗଳ୍ପରେ ଆଉ ଏକ ଲୋକବିଶ୍ୱାସ ରହିଛି କୁକୁର ମଳ କୁଦିଲେ ଗାଧୋଇକି ଗୋବରପାଣି ଢାଳି ଘରକୁ ପ୍ରବେଶ କରାଯାଏ ।
ଓଡ଼ିଆ ଲୋକମାନେ ଅନେକ ଓଷା, ବ୍ରତ ଓ ପର୍ବପର୍ବାଣୀ ପାଳନ କରିଥାନ୍ତି । ଆମର ଦୃଢ଼ ବିଶ୍ଵାସ ନିଷ୍ଠା ଓ ଭକ୍ତିର ସହକାରେ ଏସବୁ ପାଳନ କଲେ ଇଶ୍ୱରପ୍ରାପ୍ତି ସହିତ ମନୋସ୍କାମନା ପୂର୍ଣ୍ଣ କରିପାରିବା । ପୁରୁଷ ଅପେକ୍ଷା ବହୁଗୁଣରେ ନାରୀମାନେ ପର୍ବପର୍ବାଣୀ ପାଳନ କରିଥାନ୍ତି । ଗଳ୍ପରେ ଗାଳ୍ପିକା ଖୁଦୁରୁକୁଣୀ ଓଷା, ଜହ୍ନି ଓଷା, କୁଆଁର ପୁନେଇ ଓଷା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଗ୍ରାମର ତରୁଣୀମାନେ ମିଶିକରି ଏକାଠି ବିଭିନ୍ନ ଓଷା କରିଥାନ୍ତି । ତାଙ୍କ ମଧ୍ୟରୁ ଯାହାର ବିବାହ ହୋଇଯାଏ ସେ ନିଜ ଶ୍ଵଶୁର ଘରକୁ ଯାଇ ସେଠାରେ ଓଷା କରେ । ବିଭାଘର ଦିନ ସାଙ୍ଗମାନଙ୍କ ସହ ଅତୀତର ଫୁଲତୋଳା, ସଜସାଜ୍ଜ କଥା ମନେପକାଇ କାନ୍ଦନ୍ତି ।
ବିବାହ ହେଉଛି ଏକ ପବିତ୍ର ସମ୍ପର୍କ। ଗ୍ରାମ୍ୟଜୀବନରେ ବିବାହ ବୈଦିକରୀତିର ଅନୁସରଣରେ ହୋଇଥାଏ । ଗଳ୍ପରେ ସୋନି ଜଣେ ସମ୍ପର୍କୀୟ ମାଉସୀର ବିବାହ ଦେଖିବା ପାଇଁ ସାଙ୍ଗମାନଙ୍କ ସହ ଯାଇଛି । ଝର୍କାପାଖରେ ରୁଣ୍ଡ ହୋଇ ସେ ଦେଖୁଛି ମାଉସୀ ଜଣକ ବିଭା ହୋଇ ତାଙ୍କ ଶାଶୁ ଘରକୁ ଚାଲିଯିବେ ବୋଲି ବାହୁନି ବାହୁନି କାନ୍ଦୁଛନ୍ତି । ବିଭା ହୋଇ କନ୍ୟାଟିଏ ଶାଶୁଘରକୁ ଗଲାବେଳେ ଠାକୁରାଣୀ ପରି ସଜେଇ ହୋଇଯାଇଥାଏ । ଚନ୍ଦନ, ସିନ୍ଦୂର, କଜ୍ଜଳ, ଲିପଷ୍ଟିକ୍ ଲଗାଇ ବହୁ ଅଳଙ୍କାର ପରିଧାନ କରି ଶ୍ଵଶୁର ଘରକୁ ଯାଏ । ଗାଳ୍ପିକାଙ୍କ ଭାଷାରେ – “ସେ ଗଭାରେ ଫୁଲହାର । ହାତରେ ନେଲପଲିସ ଆଉ ଅଙ୍କା ହୋଇଥିବ କେତେ ସବୁ ଫୁଲ, ଗଛ, ଲଟା ପାଦରେ ଅଳତା, ଦେହରେ କରିପାଟ, ଏମିତି କେତେକଣ ପିନ୍ଧିଛି, ଗହଣା ପିନ୍ଧି ଠାକୁରାଣୀ ଭଳି ଦିଶୁଛି ।”
ଲୋକଗୀତ, ଢଗଢମାଳି ପ୍ରଭୃତି ସାହିତ୍ୟ ସୃଷ୍ଟିର ଆଦିମ କାଳରୁ ରହି ଆସିଛି । ଏହାର ସ୍ରଷ୍ଟା ହେଉଛନ୍ତି ସାଧାରଣ ଜନତା । ଆଦିମ କାଳରୁ ଲୋକମୁଖରୁ ଲୋକମୁଖକୁ ପବନର ସ୍ରୋତ ପରି ଏହି ଗୀତ ସବୁ ଛୁଟି ଆସିଛି । ଆଧୁନିକ ଯୁଗରେ ଲୋକମାନଙ୍କଦ୍ଵାରା ଏହି ସବୁ ଗୀତ ସଂଗ୍ରହ କରାଯାଇ ପୁସ୍ତକର ରୂପ ପ୍ରଦାନ କରାଗଲା । ଗାଳ୍ପିକା ମୌସୁମୀ ପରିଡ଼ାଙ୍କ ଏହି ଗଳ୍ପରେ ଆଈ ଓ ଅନ୍ୟ ଦୁଇଜଣଙ୍କ କଣ୍ଠରେ ଲୋକ ଗୀତ, ଢଗଢମାଳି କୁହାଇ ଏକବିଂଶ ଶତାବ୍ଦୀର ଯାନ୍ତ୍ରିକ ମନୁଷ୍ୟ ସମାଜକୁ ସୂଚାଇଦେଇଛନ୍ତି କି, ଯୁଗ ସମୟ ସ୍ରୋତରେ ଯେତେ ଆଗକୁ ଆଗେଇଲେ ମଧ୍ୟ ତୁମେ ତୁମ ସଂସ୍କୃତି, ପରମ୍ପରା ଓ ଜାତିର ମୂଳ ମେରିକୁ କେବେବି ଅଣଦେଖା କର ନାହିଁ ।
ଆଈଙ୍କ ମୁଖରେ – “ଯାହା ନ ହୋଇଚି ଯୁବା କାଳେ
ତାହା କି ହବ ପାଚିଲା ବାଳେ”
ଆଉ ଜଣଙ୍କ ମୁଖେ – “ଦୋଳି ପିଢ଼ା କଟମଟ
ମୋ ଭାଇ ମୁଣ୍ଡରେ ଲୋ ସୁନା ମୁକୁଟ
ସୁନା ମୁକୁଟ ଲୋ ଦିଶୁଥାଇ ଜକମକ”
ପୁଣି – “ବାଉଁଶ ପତର ସରୁ
ତତେ ନେଇଯିବି ଲୋ ସମ୍ବଲପୁର
ସମ୍ବଲପୁର ଲୋ ଧାନ କଟାକରି ସବୁ”
କେବଳ ପୁରୁଷ ବିନା ସମାଜ ଗଠନ ଯେପରି ଅକଳ୍ପନୀୟ ଠିକ୍ ସେହିପରି କେବଳ ନାରୀ ବିନା ସମାଜ ଗଠନ ଅସମ୍ଭବ। ମନୁଷ୍ୟ ସମାଜ ଗଠନରେ ଉଭୟ ନାରୀ ଓ ପୁରୁଷର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପରିବାରରେ ନାରୀର ଅବଦାନ ଯେପରି ଅତ୍ୟାବଶ୍ୟକ ସାହିତ୍ୟରେ ସମାଜର ଚିତ୍ର ଉପସ୍ଥାପନା କଲାବେଳେ ନାରୀର ଭୂମିକା ସେପରି ମହତ୍ତ୍ୱପୂର୍ଣ୍ଣ । ଗାଳ୍ପିକା ମୌସୁମୀ ପରିଡ଼ାଙ୍କ ଗଳ୍ପର ନାରୀ ସର୍ବସଂହା, ମାମତାମୟୀ ଓ ସ୍ନେହମୟୀ । ସକାଳୁ ଘରର ଅନ୍ୟାନ୍ୟ ସଦସ୍ୟ ଉଠିବା ପୂର୍ବରୁ ନାରୀ ଉଠିପଡ଼େ । ଘରର ବାସି କାମ ଶେଷ କରେ, ଗାଈ ବଳଦଙ୍କୁ ଖାଇବାକୁ ଦିଏ, ସ୍ନାନ କରି ଅନ୍ୟ ସଦସ୍ୟଙ୍କ ପାଇଁ ଖାଦ୍ୟ ପରଶିଦିଏ । ସନ୍ଧ୍ୟା ହେଲେ ପୁଣି ଖାଦ୍ୟ ତିଆରି କରି ପରଶିଦିଏ, ନିଜେ ଖାଇସାରି ରାତ୍ରିର ଅଇଁଠା ବାସନ ମାଜି ଶୋଇପଡେ । ସାଧାରଣତଃ ଘର ଲୋକଙ୍କ ଉଠିବା ପୂର୍ବରୁ ଉଠେ ଓ ଶୋଇବା ପରେ ଶୁଏ । ନାରୀମାନେ ଗାଧୋଇବା ପାଇଁ ପୋଖରୀ ତୁଠକୁ ଯାଆନ୍ତି । ସେଠାରେ ନାରୀ ମେଳ ହୋଇ ଗାଁ ଯାକର କଥା ପକାଇଥାନ୍ତି । ନାରୀମାନେ ଲଜ୍ଜାର ଅଳଙ୍କାର ପରିଧାନ କରିଥିବାରୁ ପୁରୁଷମାନଙ୍କ ପରି ବାହାରକୁ ଯାଇ ମନୋରଞ୍ଜନ କରିପାରୁନଥିଲେ ମଧ୍ୟ ତାସ୍ ଖେଳ, କଉଡ଼ି ଖେଳ, ଗପସପରେ ସମୟ ଅତିବାହିତ କରିନିଅନ୍ତି । ବୃଦ୍ଧା ବୟସ୍କାମାନେ ନାତି ନାତୁଣୀଙ୍କୁ ଶୁଆଇବା ପାଇଁ ଲୋକ କାହାଣୀର ପସରା ମେଲାନ୍ତି । ବିଭିନ୍ନ ପର୍ବପର୍ବାଣୀରେ ନାରୀମାନେ ବିରି, ଚାଉଳରେ ସୁସ୍ୱାଦୁ ପିଠାପଣା ପ୍ରସ୍ତୁତିରେ ଲାଗିପଡ଼ନ୍ତି । ବିବାହ ପରେ ଝିଅ ବିଦାବେଳେ ଓ କାହାର ମୃତ୍ୟୁ ହେଲେ ଚତୁର୍ଦ୍ଦିଗକୁ କରୁଣ ରସରେ ବୁଡାଇ ଦେଇଥାନ୍ତି ।
ମନୁଷ୍ୟକୁ ସମାଜରେ ରହିବା ପାଇଁ ବାସ, ପିନ୍ଧିବା ପାଇଁ ବସ୍ତ୍ର ଓ ବଞ୍ଚିବା ପାଇଁ ଖାଦ୍ୟର ନିତାନ୍ତ ଆବଶ୍ୟକତା ରହିଛି । ଓଡ଼ିଆ ଘରେ ଓଷାବ୍ରତ ଓ ବିଭିନ୍ନ ପର୍ବପର୍ବାଣୀରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥାଏ । ଈଶ୍ୱରଙ୍କ ପାଖେ ପୂଜା କରି ଭୋଗ ଲଗାଇ ନିଜେ ସେବନ କରିଥାନ୍ତି । ସକାଳେ ବିନା ଭୋଜନରେ କେହି ମଧ୍ୟ କର୍ମକ୍ଷେତ୍ରକୁ ଗମନ କରନ୍ତି ନାହିଁ । ଭୋଜନର ଆବଶ୍ୟକତା ଶରୀର ପାଇଁ ନିହାତି ଜରୁରୀ । ବୋହୂଟିଏ ଗର୍ଭବତୀ ଥିଲାବେଳେ ତାକୁ ଜାତିଜାତିକା ପିଠାପଣା ଦେଇଥାନ୍ତି । ଗାଳ୍ପିକାଙ୍କ ମତରେ – “ଦହିବରା, ଆଳୁଚପ, ନଡ଼ିଆ ରାଇ, ମିଠେଇ, ଆଚାର, ଓଉଖଟା, ବାଡ଼ି ପିଜୁଳି ଏମିତି କେତେ କଣ ଯାହା ତାଙ୍କୁ ଭଲ ଲାଗେ ସବୁ ସଜଡ଼ା ହେଉଛି । ସେ ବାସ୍ନାରେ ଚାରିଆଡ଼େ ମହକି ଉଠୁଛି । ସେ ସବୁ କୁଆଡେ଼ ନୂଆମାଇଁ ଖାଇବେ।”
ପ୍ରେମ ଶାଶ୍ଵତ ଓ ଚିରନ୍ତନ । ପ୍ରେମର ବୀଜ ସଜୀବ ହୃଦୟରେ ବୁଣି ହୋଇଯାଇଥାଏ । ପ୍ରତ୍ୟେକ ଗ୍ରାମରେ କିଛି ନା କିଛି ପୁଅ ଓ ଝିଅଙ୍କ ମଧ୍ୟରେ ପ୍ରେମ କାହାଣୀ ସୃଷ୍ଟି ହୋଇଥାଏ । ‘ବେରଙ୍ଗ ଚିତ୍ରପଟ୍ଟ’ ଗଳ୍ପରେ ଚିନାଅପା ଓ ବିନୟଭାଇଙ୍କ ମଧ୍ୟରେ ପ୍ରେମ କାହାଣୀ ଫୁଟି ଉଠିଛି । ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ । ରାତି ଅଧରେ ପରସ୍ପରକୁ ଦେଖାକରିବାକୁ ଯାଆନ୍ତି । ଉଭୟଙ୍କ ପ୍ରେମର ଦୂତ ସାଜିଥିଲା ରତନା (ମାମୁଙ୍କ ପୁଅ) । ଚିଠି ଦେବା ନେବାରେ ସାହାଯ୍ୟ କରି ତାଙ୍କଠାରୁ ଚକୋଲେଟ୍ ଖାଏ । ଚିନାଅପା ଓ ବିନୟଭାଇଙ୍କ ପ୍ରେମର ପରିଣତି ଜାଣିବା ପୂର୍ବରୁ ସେ ବୋଉ ସହ ସହରକୁ ପଳେଇଆସିଥିଲା ।
ଯୌଥ ପରିବାରର ନିଦର୍ଶନ ଦେଖିବାକୁ ହେଲେ ଆମକୁ ଗ୍ରାମାଞ୍ଚଳକୁ ଯିବାକୁ ପଡ଼େ । ଘରେ ସ୍ୱାମୀ-ସ୍ତ୍ରୀ, ଭାଇ-ଭଉଣୀ, ଜେଜେବାପା-ଜେଜେମାଆ, ପୁଅ-ଝିଅଙ୍କ ମଧ୍ୟରେ ମଧୁମୟ ସମ୍ପର୍କ ଗଢ଼ିଉଠିଥାଏ । ଯୌଥ ପରିବାରକୁ ଦେଖିଲେ ପ୍ରାଚ୍ୟ ସଭ୍ୟତା ଓ ପାଶ୍ଚାତ୍ୟ ସଭ୍ୟତା ମଧ୍ୟରେ ଥିବା ଅନ୍ତର ବାରି ହୋଇପଡ଼େ । ପରିବାରରେ ସମସ୍ତେ ମିଶିକରି ଖାଇବା, କର୍ଯ୍ୟଟିଏ କରିବା ପାଇଁ ପରିବାରବର୍ଗଙ୍କ ପରାମର୍ଶ ଗ୍ରହଣ କରନ୍ତି, ଅସୁବିଧାବେଳେ ଅନ୍ୟ ଜଣଙ୍କର ସାହା ପାଲଟିବା ପ୍ରଭୃତି ଏହି ଗଳ୍ପରେ ବର୍ଣ୍ଣିତ ହୋଇଛି ।
ବୈଦେଶିକ ଭାଷାମାନଙ୍କ ମଧ୍ୟରୁ ଓଡ଼ିଶା ତଥା ଭାରତରେ ବୋଲାଯାଉଥିବା ସର୍ବାଧିକ ବୈଦେଶିକ ଭାଷା ହେଉଛି ଇଂରାଜୀ । ମୌସୁମୀ ପରିଡ଼ା ତାଙ୍କ ‘ବେରଙ୍ଗ ଚିତ୍ରପଟ୍ଟ’ ଗଳ୍ପରେ ଅନେକ ଇଂରାଜୀ ଶବ୍ଦର ବ୍ୟବହାର କରିଛନ୍ତି । ଭିନ୍ନ ଭିନ୍ନ ଭାଷାର ଶବ୍ଦକୁ ବ୍ୟବହାର କରିବାଦ୍ଵାରା ପାଠକର ଦୃଷ୍ଟି ଆକର୍ଷଣ ହୋଇଥାଏ – ଏ ସଂପର୍କରେ ଗାଳ୍ପିକା ପ୍ରାରମ୍ଭରୁ ଅବଗତ ହୋଇଛନ୍ତି । ଏମିତି କେତେକ ଶବ୍ଦ ମଧ୍ୟ ରହିଛି ଯାହାକୁ ଇଂରାଜୀରେ କହିଲେ ସହଜରେ ବୁଝିପାରିବା କିନ୍ତୁ ଓଡ଼ିଆରେ କହିଲେ ବୁଝିବା କଷ୍ଟସାଧ୍ୟ । ସଂପ୍ରତିର ସମୟକୁ ଦୃଷ୍ଟି ଆଗରେ ରଖି ଗାଳ୍ପିକା ଏପରି ଇଂରାଜୀ ଶବ୍ଦର ବ୍ୟବହାର କରିଛନ୍ତି । ସେଗୁଡିକ ହେଲା – ଆଇଡିଆ, ପାସ୍, ଲିପଷ୍ଟିକ, ଚିଜ୍, ନେଲପଲିସ, ପୋଷ୍ଟପିଅନ, ଚକୋଲେଟ୍, ରେଡ଼ିଓ, ଟିଉସନ, ସମର କୋର୍ସ, କଲେଜ୍, ଫୋନ୍ ପ୍ରଭୃତି ।
ପ୍ରାଚ୍ୟ ସଭ୍ୟତାର ମୂଳପୀଠ ହେଉଛି ପଲ୍ଲୀ । ପଲ୍ଲୀରେ ଆଞ୍ଚଳିକ ଭାଷା ଅଥବା ଗାଉଁଲିଭାଷାର ବ୍ୟବହାର କରାଯାଇଥାଏ । ଗାଳ୍ପିକା ତାଙ୍କର ଏହି ପଲ୍ଲୀଚେତନାଧର୍ମୀ ଗଳ୍ପରେ ଆଞ୍ଚଳିକ ଶବ୍ଦର ବ୍ୟବହାର କରିବାକୁ ଭୁଲିନାହାନ୍ତି । ସେଗୁଡିକ ହେଲା – ବାଡ଼ିପଡ଼ାଏ, ବଗୁଲିଆ ପିଲା, ଅଖାମୁଣା, କଡ଼ା, ସୁ ସୁୁ, ନିଠେଇ ହେଇ, ବାଉଁଶ ବୁଦା, ସୁରେଇ ପ୍ରଭୃତି । ଗାଳ୍ପିକା ଆଈ ମୁଖରେ ଗାଉଁଲି ଭାଷାର ସ୍ବର ଛୁଟେଇ କହିଛନ୍ତି – ” ବାଡ଼ିପଡ଼ାଏ ଏମିତି କାଇଁ କହୁଚ । ଘରକୁ ଚାଲ ସବୁ, ତମ ବାପାମାନଙ୍କୁ କହି ଯଦି ମାଡ଼ ନା ଖୁଆଇଚି, ତେବେ କହିବ।”
ମୌସୁମୀ ପରିଡ଼ାଙ୍କ ‘ବେରଙ୍ଗ ଚିତ୍ରପଟ୍ଟ’ ଗଳ୍ପଟି ପଲ୍ଲୀକୈନ୍ଦ୍ରିକ ସମାଜ-ଚେତନା ଆଧାରିତ ଗଳ୍ପ । ପଲ୍ଲୀ ସମାଜର ସୁଖ-ଦୁଃଖ, ଆଚାର-ବ୍ୟବହାର, ପ୍ରଥା-ପରମ୍ପରା, ରୀତି-ନୀତି, ଲୋକ ବିଶ୍ୱାସ, ପର୍ବପର୍ବାଣୀର ଚିତ୍ର ଏହି ଗଳ୍ପରେ ପ୍ରତିଫଳିତ ହୋଇଛି । ଗ୍ରାମ୍ୟ ସମାଜର ସବୁ ବିଷୟ ପ୍ରତି ତାଙ୍କର ସଚେତନ ଦୃଷ୍ଟିଭଙ୍ଗୀ ରହିଛି । ବିଷୟଟି ପାଠ କଲାବେଳେ ବାଲ୍ୟକାଳରେ ଗ୍ରାମରେ ବିତେଇଥିବା ଅତୀତ ଜୀବନର ସ୍ପୁରଣ ହେବା ସୁନିଶ୍ଚିତ । ଗଳ୍ପଟିର ଭାଷା ସରଳ, ସହଜ ଓ ସୁବୋଧ୍ୟ। ଗଳ୍ପଟି ପାଠ କଲାବେଳେ ଜୀବନ୍ତ ମନେ ହୁଏ ।