ପ୍ରଖ୍ୟାତ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କର ‘ ସାହିତ୍ୟରେ ଚୟନ ଓ ଅଚୟନ ‘ ପ୍ରବନ୍ଧରୁ ଗୋଟିଏ ଉଦ୍ଧୃତି ଉଦ୍ଧାର କରାଯାଇପାରେ । ” ସାହିତ୍ୟ ବାଡ଼ ଉଠାଇବ , ବାଡ଼କୁ ଭାଙ୍ଗିବ , ସଂସ୍କାରଗତ ସଂଜ୍ଞାଗୁଡ଼ିକୁ ବଦଳାଇବ , ଆତ୍ମଶ୍ରଦ୍ଧାଗୁଡ଼ିକ ଲାଗି ନୂଆନୂଆ ଡେଣା ଆଣିଦେବ । ଗୋଟାଏ ଦେଶର , ଗୋଟାଏ ଜାତିର ଅଥବା ଗୋଟିଏ ଭାଷାର ସାହିତ୍ୟ ହୋଇ ମଧ୍ୟ ତାହା ଜୀବନର ବିଶ୍ଵବଳୟଗୁଡ଼ିକୁ ସ୍ପର୍ଶ କରିବାକୁ ସ୍ପର୍ଦ୍ଧା ରଖିଥିବ ।” ସହିତ ଶଦ୍ଦରେ ‘ ଯତ୍ ‘ ପ୍ରତ୍ୟୟ ଯୁକ୍ତ ହୋଇ ସାହିତ୍ୟ ଶବ୍ଦ ନିଷ୍ପନ୍ନ ହୋଇଛି । ଏହାର ଅର୍ଥ ହେଉଛି ଶବ୍ଦ ଓ ଅର୍ଥର ଯଥାର୍ଥ ସମନ୍ଵୟ । ସାହିତ୍ୟ ଜୀବନର କଳାତ୍ମକ ଅଭିବ୍ୟକ୍ତି । ଜୀବନର ସମସ୍ତ ସୌନ୍ଦର୍ଯ୍ୟ , ମାଧୁର୍ଯ୍ୟ , ତିକ୍ତ ମଧୁର ଅନୁଭବ ଏଥିରେ ସ୍ଥାନିତ । ଗୋଟିଏ ହୃଦୟକୁ ଅନ୍ୟ ସହ ଯୋଡ଼ିଦେବାର ସଂଯୋଗସେତୁ ପରି ସାହିତ୍ୟ କାର୍ଯ୍ୟ କରିଥାଏ । ସାହିତ୍ୟ ଏକ ପାଠ , ପୁସ୍ତକ ମଧ୍ୟରେ ସୀମିତ ନୁହେଁ । ପାଠକ ନଥିଲେ କୌଣସି ବି ସୃଷ୍ଟି ନିରର୍ଥକ । ବିବେକୀ ଗ୍ରାହକ , ସହୃଦୟ ପାଠକଟିର ଆବଶ୍ୟକତା ସବୁକାଳେ ରହିଛି । ଏହି ପରିପ୍ରେକ୍ଷୀରେ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ‘ ବିଦଗ୍ଧ ଚିନ୍ତାମଣି ‘ ରୁ ଏକ ପଦ ମନେପଡ଼େ ।
ବିବେକ ଗ୍ରାହକ କୋଟି କବି ଆୟୁ ଘେନି
ବର୍ତ୍ତିଥିଲେ କବି କବିତ୍ଵ କି ହେବ ମ୍ଲାନି ହେ ।
ସାହିତ୍ୟ ହେଉଛି ବ୍ୟକ୍ତିଠାରୁ ବିଶ୍ୱକୁ ସଞ୍ଚରି ଯାଉଥିବା ମୂଲ୍ୟବୋଧ ସମ୍ପନ୍ନ ଏକ ଭାଷିକ ସଂରଚନା । ଲେଖକର ନିଜସ୍ଵ ଅନୁଭବ ଯେତେବେଳେ ପାଠକର ହୃଦୟରେ ସମାନ ଭାବରେ ପ୍ରତିବିମ୍ବିତ ହୁଏ , ସେଠାରେ ସେମାନେ ଏକାତ୍ମ ହୋଇଯାଆନ୍ତି । The Encyclopedia Britannica ଗ୍ରନ୍ଥରେ କୁହାଯାଇଛି ” The content of literature is as limitless as the desire of human beings to communicate with one another. ” ସାହିତ୍ୟ ଶିଖାଏ ବଞ୍ଚିବାର କଳା , ଜୀବନରୁ ସମସ୍ତ ଅମଙ୍ଗଳକୁ ହଟାଇ ମଙ୍ଗଳର ଶଙ୍ଖଧ୍ୱନି ଶୁଣାଏ । ସାହିତ୍ୟ ଦୂର କରେ ହୃଦୟରୁ ଘୃଣା , ଛଳନା , ପ୍ରତାରଣା ଭଳି ତିକ୍ତ ଉପାଦାନ । ଜୀବନକୁ ମଧୁମୟ , ଆନନ୍ଦମୟ କରିବା ଏହାର କାର୍ଯ୍ୟ । ଆନନ୍ଦଦାନ ମାଧ୍ୟମରେ ଲୋକଶିକ୍ଷା ପ୍ରଦାନ ( teaching by pleasing ) ହେଉଛି ସାହିତ୍ୟର କ୍ରିୟାତ୍ମକ ବୈଶିଷ୍ଟ୍ୟ । ସାହିତ୍ୟ ଆଶାବାଦର ମଧୁମୂର୍ଚ୍ଛନା ଶୁଣାଏ , ସମନ୍ବୟରେ ବିଶ୍ୱାସ କରେ ।
ସାହିତ୍ୟରେ ବ୍ୟକ୍ତି ଜୀବନର ମାନବୀୟ ଆବେଗ ଆଦିର ଚିତ୍ରଣ ଯେଉଁପ୍ରକାରେ ଉପଲବ୍ଧ , ଅନ୍ୟ କୌଣସି ବିଷୟରେ ଏପରି ପ୍ରତିଫଳନ ସମ୍ଭବ ନୁହେଁ । ଶୁଷ୍କ ନୀରସ ତୁଲ୍ୟ ଅନ୍ୟ ପାଠ୍ୟ ବିଷୟ ମନେ ହେଉଥିଲେ ହେଁ ସାହିତ୍ୟରେ ବିଭିନ୍ନ ମାଧୁର୍ଯ୍ୟ ଭାବଧାରାର ସୁସମନ୍ଵୟ ଘଟିଛି । ସାହିତ୍ୟର ଅଧ୍ୟୟନ ବ୍ୟକ୍ତିର ଚିନ୍ତାଶକ୍ତିକୁ ପରିମାର୍ଜିତ କରେ ତଥା ତା’ ମଧ୍ୟରେ ବିଶ୍ୱକୁ କଳାତ୍ମକ ଦୃଷ୍ଟିରେ ଅବଲୋକନ କରିବାର ଭାବାବେଗ ସୃଷ୍ଟି କରେ । ଆଜିର ବସ୍ତୁବାଦୀ ଯୁଗରେ ବ୍ୟକ୍ତି ମଧ୍ୟରେ ଅନୁରାଗ , ଆବେଗ , ପରୋପକାର , ସହାନୁଭୂତି , ଦୟା ଆଦି ସ୍ୱର୍ଗୀୟ ଗୁଣଗୁଡ଼ିକର ଅଭାବ ପରିଲକ୍ଷିତ ହେଉଛି । ସାହିତ୍ୟ ବ୍ୟତିରେକ ଅନ୍ୟ କୌଣସି ବିଷୟ ଏଭଳି ଭାବୋଦ୍ରେକ କରିପାରେନାହିଁ ।
କୌଣସି ଘଟଣାର ସାହିତ୍ୟିକ ରୂପରେଖ କେବଳ ତଥ୍ୟସମ୍ବଳିତ ନୁହେଁ ବରଂ ବ୍ୟକ୍ତିର ଅବରୁଦ୍ଧ ଭାବାବେଗର ପ୍ରାଣୋଚ୍ଛଳ ପରିପ୍ରକାଶ । ଇତିହାସରେ ନଅଙ୍କ ଦୁର୍ଭିକ୍ଷ ୧୮୬୬ ମସିହାର ଏକ ଯନ୍ତ୍ରଣାଦାୟକ ଅଧ୍ୟାୟ ତଥା କ୍ଷୟକ୍ଷତି ଆକଳନର ସାଂଖ୍ୟିକ ପରିପ୍ରକାଶ । ମାତ୍ର ଖ୍ୟାତିସମ୍ପନ୍ନ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କ ଅମୃତ ଲେଖନୀ ସ୍ପର୍ଶରେ ଉପରୋକ୍ତ ଘଟଣାଟି ‘ ହା ଅନ୍ନ ‘ ଉପନ୍ୟାସ ମାଧ୍ୟମରେ କୋଟିକୋଟି ଜନତାଙ୍କ ମର୍ମସ୍ଥଳକୁ ବିଦ୍ଧ କରିଛି । ଦୁର୍ଭିକ୍ଷ ପରବର୍ତ୍ତୀ ସମାଜର ନଗ୍ନରୂପ ତାଙ୍କର ‘ ଶାସ୍ତି ‘ ଉପନ୍ୟାସରେ ଯେଭଳି ଭାବରେ ପ୍ରତୀକିତ ହୋଇଛି , ତାହା ଆଜିର ପାଠକକୁ ତତ୍କାଳୀନ ସମାଜର ଜୀବନ୍ତ ରୂପ ସହ ସଂଯୋଗ କରିଛି ।
ରାଜନୀତି ବିଜ୍ଞାନ ପାଠକଲେ ଦେଶାତ୍ମବୋଧ ଏକ ଶବ୍ଦ ଭଳି ପ୍ରତୀୟମାନ ହୁଏ । କିନ୍ତୁ ଦେଶପ୍ରେମର ଅପୂର୍ବ ଉନ୍ମାଦନା , ଦେଶପାଇଁ ଆତ୍ମୋତ୍ସର୍ଗର ଅଦ୍ଭୁତ ସାଧନା , ଦିବ୍ୟଚେତନାର ମହାନ ପରିସ୍ଫୁରଣ ସାହିତ୍ୟ ବ୍ୟତୀତ ଅନ୍ୟ କୌଣସି ବିଷୟ ଶିକ୍ଷା ଦିଏନାହିଁ । ଏଇ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ‘ ବନ୍ଦୀର ଆତ୍ମକଥା ‘ ରୁ ଏକ ପଂକ୍ତିକୁ ଉଦ୍ଧାର କରାଯାଉ।
ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲିଯାଆନ୍ତୁ ପିଠିରେ
ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।
ଦେଶପ୍ରେମର ଏଭଳି ଉତ୍ସର୍ଗୀକୃତ ଭାବନା ପାଠକ ସାହିତ୍ୟର ଏହି ସୃଷ୍ଟିକୁ ଅଧ୍ୟୟନ କରିବା ପରେ ଉପଲବ୍ଧି କରେ।
ସାମାଜିକ ଉନ୍ନତି , ସାମାଜିକ ସମ୍ବନ୍ଧ , ସଂସ୍କୃତି ଆଦିର ବିସ୍ତୃତ ଚିତ୍ର ପ୍ରଦାନ କରେ ସମାଜବିଜ୍ଞାନ । ଉଦାହରଣସ୍ୱରୂପ , ଜନଜାତି ଜୀବନକୁ ବିଚାର କରାଯାଉ । ସମାଜବିଜ୍ଞାନରୁ କୌଣସି ଜନଜାତି ଜୀବନର ଆର୍ଥନୀତିକ, ସାମାଜିକ ସମସ୍ୟାର ଆକଳନ କରାଯାଇପାରିବ । କିନ୍ତୁ ତା’ର ମାନସରାଜ୍ୟରେ ସଂଘଟିତ ଜୀବନଭିତ୍ତିକ ଭାବଧାରା , ତା’ର ସୂକ୍ଷ୍ମଦୃଷ୍ଟିରେ ପାରିପାର୍ଶ୍ବିକ ପ୍ରକୃତିର ମୂଲ୍ୟାୟନ , ଧର୍ମବିଶ୍ୱାସର ଗଭୀରତା , ସବୁଜ ବନାନୀ ସହ ଅନ୍ତରଙ୍ଗତା, ନିଷ୍କପଟ ମନୋଭାବ , ଛଳଛଳ ପ୍ରବାହଧର୍ମୀ ଚରିତ୍ର ଆଦିକୁ ସୂକ୍ଷ୍ମ ରୂପେ କେବଳ ସାହିତ୍ୟରେ ଅନୁଭବ କରିହୁଏ । ଜ୍ଞାନପୀଠ ପୁରସ୍କାର ବିଜେତା ଔପନ୍ୟାସିକ ଗୋପୀନାଥ ମହାନ୍ତି ତାଙ୍କ ଉପନ୍ୟାସରେ ଓଡ଼ିଶାର କନ୍ଧ , ପରଜା ଆଦି ଜନଜାତିଙ୍କ ନିଖୁଣ ଚିତ୍ର ଆଙ୍କିଛନ୍ତି। ପରଜାର ବିଶ୍ୱାସବୋଧ , ଖଜୁରୀବୃକ୍ଷକୁ ‘ ଦାଦିବୁଢ଼ା ‘ ଭାବରେ ପୂଜା କରିବା ଆଦିର ଚିତ୍ର ଅନ୍ୟ କୌଣସି ବିଜ୍ଞାନରେ ଉପଲବ୍ଧ ହୁଏ ନାହିଁ ।
ଆଞ୍ଚଳିକ ଚିନ୍ତା ଯେ ବିଶ୍ଵଚିନ୍ତାରେ ପରିଣତ ହୋଇପାରେ ଏକଥା ଗୋପବନ୍ଧୁ ଦାସଙ୍କ କବିତାରୁ ଅନୁଭବ କରିହୁଏ । ଭାରତର କଲ୍ୟାଣରେ ବିଶ୍ୱର କଲ୍ୟାଣ , କାରଣ ଭାରତ ହେଉଛି ପୃଥିବୀର ଆତ୍ମା । ଏକଥାର ମହତ୍ତ୍ଵ ଗୋପବନ୍ଧୁ ହୃଦୟଙ୍ଗମ କରିଥିଲେ । ‘ କାଠଯୋଡ଼ି ତୀରେ ସାୟଂକାଳ ‘ କବିତାରେ କବି ବିଶ୍ଵ ମଧ୍ୟରେ ନିଜକୁ ଏବଂ ନିଜ ମଧ୍ୟରେ ସମଗ୍ର ବିଶ୍ୱକୁ ଉପଲବ୍ଧି କରିଛନ୍ତି ।
ସର୍ବ ଅନୁଭୂତି ସର୍ବଭୁତେ ତାର
ତା ଦୃଷ୍ଟିରେ ବିଶ୍ୱ ଏକ ପରିବାର ।
ସେହି ନିଜେ ବିଶ୍ୱ, ବିଶ୍ୱ ମଧ୍ୟ ସେହି
ଅନ୍ୟ ହୋଇ ତାର ନାହିଁ ଆଉ କେହି ।
କବିବର ରାଧାନାଥ ରାୟ ‘ ଉତ୍କଳ ସାହିତ୍ୟର ଉନ୍ନତି ‘ ସମ୍ବନ୍ଧରେ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ଅଧିବେଶନରେ ଏକ ଅଭିଭାଷଣ ପ୍ରଦାନ କରି କହିଥିଲେ ” ଜାତିକୁ ଉନ୍ନତ କରିବାକୁ ହେଲେ ଉନ୍ନତ ଜାତୀୟ ସାହିତ୍ୟ ନିତାନ୍ତ ପ୍ରୟୋଜନ ।”
ଆମ ସମାଜରେ ଓଡ଼ିଆ ଭାଷା ସାହିତ୍ୟକୁ ବିଷୟ ଭାବରେ ଚୟନ କରି ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନିମ୍ନଗୁରୁତ୍ଵ ଦିଆଯାଇଥାଏ । ସାଧାରଣ କ୍ଷେତ୍ରରେ ଧାରଣା କରାଯାଏ ଯେ ନିମ୍ନ ବିଦ୍ୟାବୁଦ୍ଧିସମ୍ପନ୍ନ ପିଲାଟିଏ ହିଁ ଓଡ଼ିଆ ବିଷୟରେ ପାଠ ପଢ଼ିଥାଏ। ପ୍ରକୃତରେ ଏହା ଏକ ଭୁଲ୍ ଧାରଣା । ସାହିତ୍ୟ ଅଧ୍ୟୟନ କରିବା ଫଳରେ ଛାତ୍ରଟିଏ ସହାନୁଭୂତିଶୀଳ, ସମଭାବାପନ୍ନ , ସହୃଦୟ , ସକରାତ୍ମକ ଭାବନାକୁ ହୃଦୟରେ ଧାରଣ କରେ । ଆଧୁନିକ ସମୟର ପାଠ୍ୟ ଖସଡ଼ା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟାନ୍ୟ ବିଷୟ ସହ ସମତାଳ ଦେଇ ଚାଲିବା ପାଇଁ ପ୍ରୋତ୍ସାହିତ କରିଛି । ଲିଖନ ଶୈଳୀ , ଭାଷଣ ପ୍ରଦାନ କଳା, ବିଜ୍ଞାପନ ପ୍ରସ୍ତୁତି , ଯୋଗାଯୋଗର ବିଭିନ୍ନ ମାଧ୍ୟମ , ସଂଳାପ ଲିଖନ ଶୈଳୀ , ଭାବ ସମ୍ପ୍ରସାରଣ ଆଦି ପାଠ୍ୟଗୁଡ଼ିକର ପଠନ ଫଳରେ ଛାତ୍ରଟିଏ ନିଯୁକ୍ତିର ସୁଯୋଗ ଲାଭ କରିପାରୁଛି ।
ଉପରୋକ୍ତ ସମସ୍ତ ପ୍ରସଙ୍ଗଗୁଡ଼ିକୁ ଆଲୋଚନା କଲାପରେ ଓଡ଼ିଆ ଭାଷା ସାହିତ୍ୟକୁ ଅଧ୍ୟୟନ କରିବାର ଗୁରୁତ୍ଵ ଉପଲବ୍ଧି କରିହୁଏ । ଅଧ୍ୟାପନା ପାଇଁ ନିରବଚ୍ଛିନ୍ନ ଅଧ୍ୟୟନ ନିତାନ୍ତ ଆବଶ୍ୟକ । ଜଣେ ଭାଷା ସାହିତ୍ୟ ଶିକ୍ଷକର ଦୂରଦୃଷ୍ଟି ସମାଜକୁ ଉନ୍ନତିର ଶିଖରରେ ପହଞ୍ଚାଇପାରେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ । ଦେଶହିତକର କାର୍ଯ୍ୟରେ ନିୟୋଜିତ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଏକ ଉତ୍ତମ ଶିକ୍ଷକର ଲକ୍ଷଣ । ସାହିତ୍ୟରେ ଆନନ୍ଦବାଦର ଅଧ୍ୟାପନା ନୈରାଶ୍ୟମୟ ଜୀବନରେ ସକରାତ୍ମକ ଆଶାର କିରଣ ବିଚ୍ଛୁରିତ କରିପାରେ । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ଓଡ଼ିଆରେ ଅଧ୍ୟୟନ ଓ ଅଧ୍ୟାପନାର ଅଧିକ ସୁଯୋଗ ଓ ପରିସର ସୃଷ୍ଟି ହୋଇଛି । ସମାଜକୁ ସାହିତ୍ୟ ପଠନର ଗୁରୁତ୍ଵ ସଂପର୍କରେ ଅଧ୍ୟାପନା ମାଧ୍ୟମରେ ଅବଗତ କରାଗଲେ ଅଧିକ ସଂଖ୍ୟକ ସାହିତ୍ୟାନୁରାଗୀ ସୃଷ୍ଟି ହୋଇପାରନ୍ତେ । ସାହିତ୍ୟ ଆଶାବାଦର ସ୍ଵର ଶୁଣାଏ । ହାହତୋଽସ୍ମି ଜୀବନରେ ସାହିତ୍ୟ ଆନନ୍ଦବାଦର ବୀଜ ବପନ କରେ । କବିବର ରାଧାନାଥ ରାୟଙ୍କର ‘ଚିଲିକା’ ରୁ ଏକ ପଂକ୍ତିକୁ ଏଠାରେ ଉଦ୍ଧାର କରାଯାଇପାରେ ।
ତମଃ ପଳାଉଛି ହୋଇ ତରତର
ପ୍ରାଚୀ ନଭଃ ନବ-ବିଭାରେ ଭାସ୍ୱର
ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟୟନଜନିତ ସଂକୀର୍ଣ୍ଣ ମାନସିକତା ରୂପକ ତମସାର ଅନ୍ତଃ ଘଟାଇ ଏହାର ଅଧ୍ୟାପନା ଏକ ନୂତନ ସୂର୍ଯ୍ୟୋଦୟର ସଙ୍କେତ ବହନ କରୁଛି ।
