ଅକ୍ସଫୋର୍ଡ଼ର ସହରରେ ଏକ ଦର୍ଶନୀୟ ସ୍ଥାନ ହେଉଛି ପିଟ ରିଭରସ୍ ମ୍ୟୁଜିଅମ । ଏଠି ପ୍ରାୟ ପ୍ରତ୍ୟେକ ଦେଶରୁ ବିଭିନ୍ନ ପ୍ରକାରର ୬୦୦,୦୦୦ରୁ ଅଧିକ ବସ୍ତୁ ସଂଗ୍ରହ କରି ରଖାଯାଇଛି । ଏଥିରେ ସ୍ଥାନ ପାଇଥିବା ପ୍ରାଚୀନ କଳାକୃତିସବୁ ପୃଥିବୀର ବିଭିନ୍ନ ସଂସ୍କୃତିର ଅଭିନବ କଳାତ୍ମକ ପରିପ୍ରକାଶ ଓ ବିଭିନ୍ନତାକୁ ସୁନ୍ଦର ଭାବେ ଦର୍ଶାଇଥାଏ । ଅକ୍ସଫୋର୍ଡ଼ ବୁଲିଗଲା ବେଳେ ଅନେକ ପ୍ରଦର୍ଶନକାରୀ ଏ ମ୍ୟୁଜିଅମ ନିଶ୍ଚିତ ଭାବେ ଦେଖିଥାନ୍ତି ।

ପ୍ରଦର୍ଶିତ ଫଳକ : ଚିତ୍ର ସୌଜନ୍ୟ: ନୀଳମାଧବ କର
ଏହି ପିଟ ରିଭରସ୍ ମ୍ୟୁଜିଅମରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କର ମୂର୍ତ୍ତି ବି ଅଛି । ଶହେ ବର୍ଷରୁ ଅଧିକ ପୁରୁଣା, ଏ ବିଗ୍ରହ ୧୮୯୪ ମସିହାରେ ପୁରୀର ଜଗନ୍ନାଥ ମନ୍ଦିରରୁ କିଣା ଯାଇଥିଲା । ତେବେ ଫଳକ ଅନୁଯାୟୀ, ଉଇଲିଆମ କୄକଙ୍କ ଦ୍ୱାରା ଏ ବିଗ୍ରହ ସବୁ ୧୮୭୨ ଓ ୧୮୯୪ ଭିତରେ ପୁରୀରୁ ସଂଗୃହିତ ହୋଇଥିବା କଥା ଏଠି ଲେଖା ଅଛି । ଏ ମୂର୍ତ୍ତିସବୁ ବିଷୟରେ ମ୍ୟୁଜିଅମର ବର୍ଣ୍ଣନାରେ ଜଗନ୍ନାଥ, ତାଙ୍କ ଓ ପୁରୀ, ରଥଯାତ୍ରା ଉପରେ ଅନେକ କଥା ଲେଖା ଅଛି । ଜଗନ୍ନାଥ ଓ ତାଙ୍କ ଭାଇ ଭଉଣୀଙ୍କର ବିଶାଳକାୟ ରଥସବୁରୁ ଯେ ଇଂରାଜୀ ଶବ୍ଦ ‘ଜଗରନଟ୍’ ଉତ୍ପତ୍ତି ହୋଇଛି ବୋଲି ବି ଦର୍ଶାଯାଇଛି ।
ଅନେକ ବର୍ଷର ପୁରୁଣା ହୋଇଥିବାରୁ ଏ ମୂର୍ତ୍ତିଗୁଡିକର ସଂରକ୍ଷଣ / ପୁର୍ନବିନ୍ୟାସ ପାଇଁ ମ୍ୟୁଜିଅମ ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ଓ ସାଧୁ ପଦକ୍ଷେପ ନେଇଛି । ବର୍ଷବର୍ଷ ବିତିଯାଇଥିବାରୁ ସେସବୁର ବସ୍ତ୍ରସବୁ ଚିରିଯାଇଥିଲା ଓ କାଗଜ ମୁକୁଟ ଭଙ୍ଗୁର ହୋଇ ଯାଇଥିଲା । ସୁତା ତିଆରି ଲୁଗାରେ ଧାତୁର ଜରି ଧାର ଦିଆ ଯାଇଥିଲା । ଏସବୁ ଧୀରେ ଧୀରେ ଆଲୋକର ପ୍ରଭାବ ଓ ଧାତୁର ଓଜନ ପାଇଁ ଖରାପ ହୋଇ ଯାଇଥିଲା । ଯେଉଁ ସିଲ୍କ ସୂତାରେ ଏ ସବୁ ବନ୍ଧା ଯାଇଥିଲା ସେସବୁ ବି ଛିଡ଼ି ଛିଡ଼ି ଆସିଥିଲା ।

ମୂର୍ତ୍ତିଗୁଡିକର ସଂରକ୍ଷଣ / ପୁର୍ନବିନ୍ୟାସ ପୂର୍ବରୁ : ଚିତ୍ର ସୌଜନ୍ୟ: ନୀଳମାଧବ କର
ତିନିଜଣ ସଂରକ୍ଷଣକାରୀଙ୍କର ପ୍ରାୟ ୨୦୦ ଘଣ୍ଟାର କଷ୍ଟସାଧ୍ୟ କାମ ପରେ ବିଗ୍ରହ ଗୁଡିକର ରୂପ ସଜ୍ଜା ପୁଣିଥରେ ପୂର୍ବପରି ହୋଇଥିଲା । ଏଥିରେ ଅତ୍ୟାଧୁନିକ ସଂରକ୍ଷଣ ଟେକ୍ନିକ୍ସବୁର ଉପଯୋଗ ହୋଇଥିଲା । ବିଗ୍ରହ ସଂରକ୍ଷଣର ଏ ଅପୂର୍ବ ଉଦାହରଣ ସର୍ବଜନ ଗୋଚରର୍ଥେ ଦେବା ଉଚିତ ବୋଲି ମନେହେଲା ।
ବିଦେଶ ଭୂମିରେ ବିଗ୍ରହସବୁର ଏତେ ଯତ୍ନ ନେଇ ସେସବୁର ସଂରକ୍ଷଣ କରାଯାଉଥିବା ବେଳେ, ଆମ ଓଡ଼ିଶାରେ ଏହିପରି ଉଦାହରଣ ଖୋଜିବା ଉଚିତ । ଏବେ ପୁରୀ ଓ ଭୁବନେଶ୍ଵରର ଅନେକ ମନ୍ଦିର ଓ ସେମାନଙ୍କର ବେଢାଗୁଡିକର ପୁନରୁଦ୍ଧାର କାମ ଖୁବ ପ୍ରଶଂସନୀୟ । ତେବେ ଆହୁରି ଅନେକ ଅବହେଳିତ ଅବକ୍ଷୟମାନ ପୁରାତନ କଳାକୃତି, ମନ୍ଦିର, ବିଗ୍ରହ ଦେଖିଲେ ମନେହୁଏ ଓଡ଼ିଶାରେ ଆହୁରି ଅଧିକ ସଂରକ୍ଷଣର ଆବଶ୍ୟକତା ଅଛି । ବିଶେଷ କରି ଓଡ଼ିଶାର ଚିତ୍ରକଳା, ଭାସ୍କର୍ଯ୍ୟ, ପଟ୍ଟଚିତ୍ର, ତାଳପତ୍ର ପୋଥିସବୁର ସଂରକ୍ଷଣ ବିଧିବଦ୍ଧ ଭାବେ ହେବା ଦରକାର । ଉତ୍ତର ପିଢ଼ିଙ୍କ ପାଇଁ ଓଡ଼ିଶାର ଏ ଗର୍ବର ବିଷୟ ସାଇତା ହୋଇ ରହିବା ଉଚିତ । ଉତ୍କଳୀୟ ସୃଜନଶୀଳତାର ନିଦର୍ଶନ ରୂପେ ଏକ ନିର୍ଦ୍ଦିଷ୍ଟ ସଂଗ୍ରହାଳୟର ଆବଶ୍ୟକତା ରହିଛି ।