କିଏସେ ଡାକଇ କହ୍ନେଇ କହ୍ନେଇ
କିଏସେ ଡାକଇ କାହ୍ନା,
କିଏ ଡାକେ ପୁଣି କୃଷ୍ଣ,ବାସୁଦେବ,
ଅଚ୍ୟୁତ,କାଳିଆ ସୁନା ।
ନିତି ଗାଳି ଶୁଣେ ବନମାଳୀ ସିନା
ଖୁଆଇଲେ ଦହି,ସର,
ହେଲେ ନିତି ଖାଏ ପର ଘରେ ପଶି
ଗୋଟିକା, ଅଧାମ, କ୍ଷୀର ।
ଗୋପ ଗୋପାଳୁଣୀ ସିକା,ହାଣ୍ଡି ଘେନି
ନନ୍ଦ ନଅରକୁ ଯାଇ,
ଖୋଜନ୍ତି କହ୍ନେଇ କାହିଁଗଲା ଦେଖ
ଦଧି ହାଣ୍ଡି ଭାଙ୍ଗିଦେଇ ।
ଚଗଲା କହ୍ନେଇ କ୍ଷୀର ସର ଖାଇ
ଲୁଚି ପଡ଼ିଅଛି କାହିଁ,
ଗୋପପୁର ସାରା ଖୋଜି ସାରିଲୁଣି
କୋଉଠି ସେ ମିଳୁ ନାହିଁ ।
