ପ୍ରବନ୍ଧ

ତମାଖୁ ସେବନର ହାନିକାରକ ପ୍ରଭାବ ଏବଂ ତା’ର ନିରାକରଣ

Shri Nihar Ranjan Sabat's Odia Prose Tamakhu Sebanara Hanikaaraka Prabhaba ebn Taara Nirakarana

ପାନବିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େନାହିଁ ଟାଣେ ପଇସା”

ବର୍ତ୍ତମାନ ସମୟରେ ତମାଖୁ ସେବନ ତଥା ଧୂମପାନ ଏକ ବୈଶ୍ଵିକ ସମସ୍ୟା ଭାବରେ ଉଭା ହୋଇଛି । ଏହାର ହାନିକାରକ ପ୍ରଭାବରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଅକାଳରେ ମୃତ୍ୟୁ ହେଉଛି । ସାରା ବିଶ୍ୱର ସମାଜ ଜୀବନ, ଅର୍ଥନୀତି, ସଂସ୍କୃତି ଏବଂ ପରିବେଶ ଏହାର ପ୍ରଭାବରେ ଗଭୀର ଭାବରେ କ୍ଷତିଗ୍ରସ୍ତ ହେଉଛି । ମାନବଜାତି ଉପରେ ତମାଖୁ ସେବନର ସମସାମୟିକ ହାନିକାରକ ପ୍ରଭାବ ଗୁଡିକ ମଧ୍ୟରେ ଅନେକ ଦୁରାରୋଗ୍ୟ ବ୍ୟାଧିର ସୃଷ୍ଟି, ପରିବେଶ ପ୍ରଦୂଷଣ, ବିକାଶ ପ୍ରକ୍ରିୟାରେ ବାଧା, ଏବଂ ଗରିବୀ ଭଳି ଅବାଂଛିତ ସମସ୍ୟାର ସୃଷ୍ଟି ଇତ୍ୟାଦି ଅନ୍ୟତମ । ଫୁସଫୁସ, ମୁହଁ, ଗଳା ତଥା ଅଗ୍ନାଶୟରେ କର୍କଟ ରୋଗ, ହୃଦରୋଗ ଏବଂ ମଧୁମେହ ଭଳି ରୋଗର ସୃଷ୍ଟି ତମାଖୁ ସେବନ ପ୍ରଭାବରେ ହୋଇଥାଏ । ଅନେକ କ୍ଷେତ୍ରରେ ଧୂମପାନ ନକରୁଥିବା ବ୍ୟକ୍ତିବିଶେଷ ଧୂମପାନକରୀଙ୍କ ସଂସ୍ପର୍ଶରେ ଆସି ଏହି ରୋଗ ଗୁଡିକ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ଦେଖାଦେଇଥାଏ । ମାଆ ଗର୍ଭାବସ୍ଥାରେ ଧୂମପାନ କରିବା ଦ୍ୱାରା ଅପରିପକ୍ଵ ତଥା ଦୁର୍ବଳ ଶିଶୁ ସମୟ ହେବା ଆଗରୁ ଜନ୍ମ ହୋଇଥାଏ । ଇ-ସିଗାରେଟ୍‌ ପ୍ରତି ଯୁବପିଢ଼ି ଅହେତୁକ ଭାବେ ଆକର୍ଷିତ ହୋଇ ତା ସହ ଜଡିତ ଭେପିଙ୍ଗ ପ୍ରକ୍ରିୟାରେ ନିକୋଟିନ ଏବଂ ଅନ୍ୟ ରାସାୟନିକ ପଦାର୍ଥ ମିଶ୍ରିତ ସୁଗନ୍ଧିତ ଏରୋସଲକୁ ଶ୍ୱାସକ୍ରିୟାରେ ନେବା ଫଳରେ ଫୁସଫୁସ ଜନିତ ରୋଗ ସହିତ ଅନେକ ଦୀର୍ଘ କାଳୀନ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି । ତମାଖୁସେବନ ସମୟରେ ଅନାବଶ୍ୟକ ଭାବରେ ବାରମ୍ବାର ମୁହଁକୁ ହାତଦ୍ଵାରା ସ୍ପର୍ଶ କରିବା, ଏକାଧିକ ବ୍ୟକ୍ତି ମିଳିମିଶି ତମାଖୁ ସେବନ କିମ୍ବା ଧୂମପାନ କରିବା ଫଳରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣର ସମ୍ଭାବନା ବଢ଼ିଥାଏ । ଧୂମପାନ ତଥା ତମାଖୁ ଜନିତ ରୋଗର ଚିକିତ୍ସା କଷ୍ଟସାଧ୍ୟ ଏବଂ ବ୍ୟୟବହୁଳ । ଏପରି ରୋଗଗୁଡ଼ିକର ଚିକିତ୍ସାରେ ବିପୁଳ ଅର୍ଥ ବ୍ୟୟ ହେବା ଯୋଗୁଁ ଅନେକ କ୍ଷତି ଘଟିଥାଏ, ବିଶ୍ୱସ୍ତରରେ ଏହି କ୍ଷତିର ପରିମାଣ ପ୍ରାୟ ଏକ ଦଶମିକ ଚାରି ଟ୍ରିଲିୟନ ଆମେରିକୀୟ ଡଲାର ହେବ ବୋଲି ଏକ ଆକଳନରୁ ଜଣାଯାଇଛି । ତମାଖୁ ବ୍ୟବହାରକାରୀମାନଙ୍କ ମଧ୍ୟରୁ ପ୍ରାୟ ଅଶୀ ପ୍ରତିଶତ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶମାନଙ୍କରେ ବାସ କରନ୍ତି । ସେହି ଦେଶଗୁଡ଼ିକ ଏଥିପାଇଁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ବିକାଶ କ୍ଷେତ୍ରରେ ପଛୁଆ ହୋଇ ରହିଥାନ୍ତି ।

ଅନେକ ଦେଶରେ ବହୁଳ ଭାବରେ ଜଙ୍ଗଲ ନଷ୍ଟ କରାଯାଇ ତମାଖୁ ଚାଷ କରାଯାଏ କାରଣ ସେଠାକାର ଅର୍ଥନୀତିକୁ ଏହା ପ୍ରୋତ୍ସାହନ ଦେଇଥାଏ । ଏହାଦ୍ୱାରା ମାଟିର ଉତ୍ପାଦନ କ୍ଷମତା ହ୍ରାସ, ମୃତ୍ତିକା କ୍ଷୟ, ଏବଂ ଫସଲ ଉତ୍ପାଦନ ହ୍ରାସ ପାଇବା ଭଳି ସମସ୍ୟାଗୁଡ଼ିକ ଉପୁଜିଥାଏ । ତମାଖୁଜାତ ଦ୍ରବ୍ୟଗୁଡ଼ିକର ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବିଷାକ୍ତ ରାସାୟନିକ ପଦାର୍ଥ ଏବଂ ଭେପିଙ୍ଗ ଉପକରଣମାନଙ୍କରେ ବ୍ୟବହୃତ ମାଇକ୍ରୋପ୍ଲାଷ୍ଟିକ୍‌ ଭଳି ବସ୍ତୁମାନଙ୍କ ଦ୍ୱାରା ମାଟି ଓ ପାଣି ବହୁଳ ଭାବରେ ଦୂଷିତ ହୋଇଥାଏ । ଏହିପରି ଦ୍ରବ୍ୟଗୁଡିକୁ ଉତ୍ପାଦନ କରୁଥିବା ଶିଳ୍ପାନୁଷ୍ଠାନମାନେ ଅନେକ ପରିମାଣରେ ଅଙ୍ଗାରକାମ୍ଳ(କାର୍ବନ) ବାୟୁମଣ୍ଡଳକୁ ଛାଡ଼ିଥାନ୍ତି । ଏକ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ, ତମାଖୁ ଉତ୍ପାଦନକାରୀ କଳକାରଖାନାମାନଙ୍କରୁ ବାହାରୁଥିବା ଅଙ୍ଗାରକାମ୍ଳ ବାଷ୍ପର ପରିମାଣ, ସାରା ବିଶ୍ଵରେ ଚଳାଚଳ କରୁଥିବା ବାଣିଜ୍ୟିକ ବିମାନଗୁଡ଼ିକରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ପରିମାଣର ଏକ ପଞ୍ଚମାଂଶ ସହ ସମାନ ।

ଅଭ୍ୟାସଗତ ଭାବରେ ତମାଖୁ ସେବନ ବ୍ୟକ୍ତି ଗରିବ ହେବାର ଏକ ମୁଖ୍ୟ କାରଣ । ଓଡ଼ିଶାରେ ପ୍ରଚଳିତ ଏକ ଲୋକକଥା “ପାନବିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େନାହିଁ ଟାଣେ ପଇସା”, ଏହା ପ୍ରତିପାଦନ କରେ । ଏହା କବଳରେ ପଡ଼ିଥିବା ଲୋକ, ଜୀବନର ଅତ୍ୟାବଶ୍ୟକୀୟ ଜିନିଷ ବଦଳରେ ତମାଖୁଜାତ ଦ୍ରବ୍ୟଗୁଡିକୁ ଆଗ କିଣି ଅର୍ଥ ଅପଚୟ କରିବାର ଦେଖାଯାଏ । ଗ୍ରାହକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ତମାଖୁ ଉତ୍ପାଦନକାରୀ ଉଦ୍ୟୋଗମାନଙ୍କ ଦ୍ୱାରା ପ୍ରସ୍ତୁତ ଲୋଭନୀୟ ବିଜ୍ଞାପନ, ସ୍ୱାଦଯୁକ୍ତ ତମାଖୁ ଦ୍ରବ୍ୟ ଉତ୍ପାଦନ ଏବଂ ଅତ୍ୟାଧୁନିକ ପ୍ୟାକେଜିଙ୍ଗ୍‌ କୌଶଳ ଦ୍ୱାରା ପ୍ରଭାବିତ ହୋଇ ଜନସାଧାରଣ ବିଶେଷକରି ଯୁବପିଢ଼ି ତମାଖୁ ସେବନ ଅଭ୍ୟାସର ବଶବର୍ତ୍ତୀ ହୋଇଥାନ୍ତି । ଏହାଦ୍ୱାରା ସେମାନେ ବିଭିନ୍ନ ଦୁଃସାଧ୍ୟ ରୋଗରେ ପୀଡ଼ିତ ହେବା ସହ ଅନେକ ପ୍ରକାର ଶୋଷଣର ଶିକାର ହୋଇଥାନ୍ତି ।

ତମାଖୁବିରୋଧୀ ଆଇନ ପ୍ରଣୟନ, ତମାଖୁ ଦ୍ରବ୍ୟ ବ୍ୟବହାର ଉପରେ କଟକଣା, ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ଶିକ୍ଷା ତଥା ସଚେତନତାର ପ୍ରସାର, ତମାଖୁ ବର୍ଜନ ଅଭିଯାନ ପ୍ରତି ସମର୍ଥନ, ଏବଂ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଜୀବନର ସୁରକ୍ଷା ପ୍ରତି ଗୁରୁତ୍ୱ ପ୍ରଦାନ ଭଳି ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କୁ ଅନେକାଂଶରେ ତମାଖୁସେବନ ଠାରୁ ଦୂରେଇଦିଆଯାଇପାରିବ । ତମାଖୁଜାତ ଦ୍ରବ୍ୟଗୁଡ଼ିକର ବିକ୍ରୟ ଉପରେ ଅତ୍ୟଧିକ କର ବସାଗଲେ ବଜାରରେ ଏହାର ସୁଲଭତା କମିଯାଇପାରିବ, ବିଶେଷକରି ଛାତ୍ର ତଥା କାମ ବୟସର ଯୁବକମାନେ ଏହାର ବ୍ୟବହାରରୁ ନିବୃତ ରହିବାକୁ ବାଧ୍ୟ ହେବେ । ଡିଜିଟାଲ୍‌ ପ୍ଲାଟଫର୍ମ୍‌, ବିଭିନ୍ନ ପ୍ରକାର ଗଣମାଧ୍ୟମ ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମମାନଙ୍କରେ ଏସବୁ ଦ୍ରବ୍ୟର ବିଜ୍ଞାପନ, ପ୍ରଚାର, ତଥା ପ୍ରାୟୋଜକତା ଉପରେ ପ୍ରତିବନ୍ଧକ ଲାଗୁ କରାଗଲେ ଜନସାଧାରଣଙ୍କ ମନରେ ସମୟକ୍ରମେ ଅନାଗ୍ରହ ଭାବ ସୃଷ୍ଟି ହୋଇ ତମାଖୁ ଜାତ ଦ୍ରବ୍ୟମାନଙ୍କର ବିକ୍ରୟ ତଥା ବ୍ୟବହାରକୁ ନିୟନ୍ତ୍ରିତ କରାଯାଇପାରିବ । ସାର୍ବଜନୀନ ସ୍ଥାନ, କର୍ମକ୍ଷେତ୍ର ତଥା ଘନ ଜନବସତିପୂର୍ଣ୍ଣ ଅଞ୍ଚଳରେ ଧୂମପାନ ନିଷେଧ କରାଗଲେ ଅନେକ ଏହାର ପ୍ରତ୍ୟକ୍ଷ ତଥା ପରୋକ୍ଷ କୁପ୍ରଭାବରୁ ରକ୍ଷା ପାଇପାରିବେ ।

ନିକୋଟିନ୍‌ ରିପ୍ଲେସମେଣ୍ଟ୍‌ ଥେରାପି ଏବଂ ତମାଖୁ ନିବାରଣକାରୀ ଆଚରଣ ତଥା ଔଷଧଗୁଡ଼ିକ ବିଷୟରେ ପରାମର୍ଶ ପ୍ରଦାନର ବ୍ୟବସ୍ଥା, ତମାଖୁ ବର୍ଜନ କାର୍ଯ୍ୟକ୍ରମରେ ସମ୍ପୃକ୍ତ ସ୍ୱେଚ୍ଛାସେବୀ ତଥା ସହାୟକ ଗୋଷ୍ଠୀମାନଙ୍କନିମନ୍ତେ ଆମ ଦେଶ ଭାରତ ପରି ହେଲ୍ପଲାଇନ୍‌, ମୋବାଇଲ୍‌ ଆପ୍‌ ବ୍ୟବସ୍ଥାର ବିଶ୍ଵବ୍ୟାପୀ ପ୍ରଚଳନ ଭଳି ଅନ୍ୟ କେତେକ ସମୟୋପଯୋଗୀ ପଦକ୍ଷେପ ତମାଖୁ ନିବାରଣ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହାୟକ ହେବ । ତମାଖୁ ସେବନ ଅଭ୍ୟାସକୁ ଛଡ଼ାଇବା ପାଇଁ ଚେଷ୍ଟା କଲାବେଳେ, ଅନେକ ଅଭ୍ୟାସଗତ ସେବନକାରୀଙ୍କ ଶରୀରରେ ପ୍ରଥମେ ଅସନ୍ତୁଳନ, ଚାପ ତଥା ଅସ୍ଥିରତା ସୃଷ୍ଟି ହୋଇଥାଏ । ଯୋଗ, ପ୍ରାଣାୟମ, ଏବଂ ଧ୍ୟାନ ଆଦି କ୍ରିୟାଗୁଡିକ ପ୍ରତି ଉତ୍ସାହିତ କରି ସେମାନେ ଏହି କୁଅଭ୍ୟାସ ପ୍ରଭାବରୁ ମୁକ୍ତି ପାଇପାରିବେ । ତମାଖୁଜାତ ଦ୍ରବ୍ୟ ଗୁଡ଼ିକର ଚାହିଦାକୁ ହ୍ରାସ କରିବା ତଥା ତମାଖୁବିରୋଧୀ ନୀତିନିୟମଗୁଡ଼ିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଣୟନ କରାଯାଇଥିବା ଏଫ୍‌ସିଟିସି ଏବଂ ଏମ୍‌ପାୱାର୍‌ ପରି ନିୟମାବଳୀକୁ ନିଷ୍ଠାପର ଭାବେ ପାଳନ କରିବା ଦ୍ୱାରା ସେହି ଦ୍ରବ୍ୟଗୁଡ଼ିକର ବିକ୍ରୟ ଓ ବ୍ୟବହାରକୁ ବିଶ୍ୱ ସ୍ତରରେ ବ୍ୟାପକ ଭାବରେ ରୋକାଯାଇପାରିବ।

ତମାଖୁ ଏବଂ ନିକୋଟିନ ଜାତ ଦ୍ରବ୍ୟମାନଙ୍କ ବିଷୟରେ ଉଦ୍ୟୋଗ ଜଗତର ଛଳନାପୂର୍ଣ୍ଣ ବ୍ୟବସାୟ କୌଶଳ ଆଢ଼ୁଆଳରେ ଲୁଚି ରହିଥିବା ଅସଲକଥାକୁ ସମସ୍ତଙ୍କୁ ଜଣାଇବା ହେଉଛି ଅନ୍ତର୍ଜାତୀୟ ସ୍ତରରେ ଚଳିତ ୨୦୨୫ ବର୍ଷ ପାଇଁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନର ବିଷୟବସ୍ତୁ । ଶିକ୍ଷାନୁଷ୍ଠାନମାନଙ୍କରେ କୋମଳମତି ଛାତ୍ରଛାତ୍ରୀମାନଙ୍କୁ, ଗଣମାଧ୍ୟମ ତଥା ମନୋରଞ୍ଜନଧର୍ମୀ ସାମୁହିକ କାର୍ଯ୍ୟକ୍ରମମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ତମାଖୁଦ୍ରବ୍ୟ ସେବନର ଅପକାରିତା ବିଷୟରେ ସଚେତନ କରିବା ଉଚିତ । କେନିଆ ଦେଶର କୃଷକମାନେ ଯେପରି ତମାଖୁ ଚାଷ ବନ୍ଦ କରିବା ସହ ବିକଳ୍ପ ଫସଲ ଉତ୍ପାଦନ କରି ଲାଭବାନ ହେଲେ ଏବଂ ତମାଖୁ ବିରୋଧୀ ଆନ୍ଦୋଳନକୁ ଆଗେଇ ନେବାରେ ସଫଳ ହେଲେ, ସେହିପରି ପ୍ରେରଣାଦାୟୀ ସଫଳ କାହାଣୀ ଗୁଡିକର ବିଶ୍ୱସ୍ତରରେ ବ୍ୟାପକ ପ୍ରଚାର, ପ୍ରସାର କରାଗଲେ ବିଶ୍ବବାସୀଙ୍କ ମନରେ ତମାଖୁ ସେବନ ତ୍ୟାଗ କରିବା ନିମନ୍ତେ ସୃଷ୍ଟି ହେବ ଏକ ଗଭୀର, ବ୍ୟାପକ ଓ ସକାରାତ୍ମକ ପ୍ରଭାବ । ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଆମେ ସମସ୍ତେ ଏକାଠି ହୋଇ ତମାଖୁଜାତ ଦ୍ରବ୍ୟଗୁଡ଼ିକର ନକାରାତ୍ମକ ଆକର୍ଷଣକୁ ଏଡ଼ାଇ ଏକ ସୁସ୍ଥ ତମାଖୁ ମୁକ୍ତ ବିଶ୍ୱ ଗଠନ କରିବା ନିମନ୍ତେ ଶପଥ ନେବା ।

 

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top