ମୀରାକୁ କେବେ ତ ମୋ’ର କହିନ
ମୁଁ କହେ ମୋ’ର ମୋ’ର
ଶୟନେ ସପନେ ଜାଗରଣେ ପ୍ରଭୁ
ଦେଖେ ଶ୍ରୀରଙ୍ଗ ଅଧର ।
ପ୍ରେମରେ ମୁଁ ତମ ପାଗଳିନୀଟିଏ
ଭକତି ଜାଣିନି ଯାହା
ଗାଇବା ଜାଣିଛି କୃଷ୍ଣ କହ୍ନେଇ
ହୃଦୟକୁ କରି ସ୍ବାହା ।
ବହିବା ଜାଣିଛି ଝରଣାଟି ପରି
ଝୁରିବା କପୋତୀ ପରି
ଛାତିରେ ପଥର ରଖି ମୁଁ ଜହର
ପିଇଛି ତୋ ନାମ ଧରି ।
ତୋ ପୁରୁଷପଣେ ଏକାକାର ମୁଁ
ପ୍ରକୃତିପଣରେ ବରି
ଅଙ୍ଗେଅଙ୍ଗେ ମୋର ବୋଳି ଦେଇଅଛି
ତୋ ପ୍ରୀତି ଚନ୍ଦନ ଘୋରି ।
ପରିଚିତା ମୁଁ ସମର୍ପିତା ମୁଁ
ସାଧନା ମନ୍ଦିରେ ଦାସୀ
ଏ ଦେହ ବାହାରେ ଏ ପ୍ରାଣ ଭିତରେ
ତତେ ପାଇ ମୁଁ ଖୁସି ।