ହିମାଳୟ ପାଦଦେଶର ବିସ୍ତୀର୍ଣ୍ଣ ଇଲାକାରେ ମାଡ଼ିଯାଇ ସବୁ କିଛିକୁ ଧୂଆଁଳିଆ କରିଦେଉଥିବା କୁହୁଡ଼ି ଭଳି ପ୍ଲେଗର ଭୟ ଚାରିଆଡ଼େ ରାଜତ୍ୱ ଜମାଇ ସାରିଥିଲା ।
ପ୍ଲେଗ୍ତ ବିପଦଜନକ ଥିଲା ହିଁ କିନ୍ତୁ ଏହାଠାରୁ ଅଧିକ ଭୟାନକ ଥିଲା କ୍ୱାରେଣ୍ଟିନ୍ । ଲୋକେ ପ୍ଲେଗ ପାଇଁ ଏତେ ବିବ୍ରତ ନଥିଲେ ଯେତେ କ୍ୱାରେଣ୍ଟିନ୍ ସକାଶେ । ଏହି କାରଣ ଯୋଗୁଁ ସ୍ୱାସ୍ଥ୍ୟ ସୁରକ୍ଷା ବିଭାଗ ମୂଷାଙ୍କଠୁ ସୁରକ୍ଷିତ ରହିବା ପାଇଁ ଯେଉଁ ମଣିଷ-ଉଚ୍ଚ ସଚେତନତା ବିଜ୍ଞାପନ ବିଭିନ୍ନ ସାହିବସ୍ତି ଓ ସଡ଼କରେ ଲଗେଇଥିଲେ ସେଥିରେ ‘ନା ମୂଷା ନା ପ୍ଲେଗ’ର ସଂଶୋଧନ କରି ‘ନା ମୂଷା ନା ପ୍ଲେଗ ନା କ୍ୱାରେଣ୍ଟିନ୍’ ଲେଖିଥିଲେ ।
ଏକ ଡାକ୍ତର ହିସାବରେ ମୁଁ ଦୃଢ଼ତାର ସହିତ କହିପାରେ କି ସହରରେ ଯେତିକି ମୃତ୍ୟୁ କ୍ୱାରେଣ୍ଟିନ୍ରେ ହୋଇଛି ସେତିକି ପ୍ଲେଗ୍ରେ ହେଇନଥିବ ଯଦିଓ କ୍ୱାରେଣ୍ଟିନ୍କୌଣସି ବେମାରି ନୁହେଁ, ଏହା ତ ସେଇ ବୃହତ୍ କ୍ଷେତ୍ରାଞ୍ଚଳର ନାମ ଯେଉଁଠାରେ ମହାମାରୀରେ ସଂକ୍ରମିତ ଲୋକଙ୍କୁ ସୁସ୍ଥ ଲୋକଙ୍କଠୁ ପୃଥକ ରଖାଯାଏ ଯଦ୍ଧ୍ୱାରା ସଂକ୍ରମଣକୁ ନିୟନ୍ତ୍ରିତ କରାଯାଇପାରିବ । କ୍ୱାରେଣ୍ଟିନ୍କେନ୍ଦ୍ରମାଙ୍କରେ ଡାକ୍ତର ଓ ନର୍ସଙ୍କ ପର୍ଯ୍ୟାପ୍ତ ବନ୍ଦୋବସ୍ତ ଥିଲା କିନ୍ତୁ ବେମାରଙ୍କ ସଂଖ୍ୟା ବଢୁଥିବାରୁ ପ୍ରତ୍ୟେକ ରୋଗୀଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଅସମ୍ଭବ ଥିଲା । ନିକଟରେ କୌଣସି ପରିଜନଙ୍କୁ ନପାଇ ଅନେକ ରୋଗୀଙ୍କ ମନବଳ ଭାଙ୍ଗି ପଡ଼ୁଥିବାର ମୁଁ ଦେଖିଲି । କେତେ ଲୋକ ତ ନିଜ ଆଖପାଖରେ ଲୋକଙ୍କୁ ମରୁଥିବାର ଦେଖି ମୃତ୍ୟୁ ପୂର୍ବରୁ କେତେ ଥର ମୃତ୍ୟୁ ଲଭୁଥିଲେ । କେବେ ଏମିତି ବି ହୋଇଥିଲା ଯେ, ସେଠାକାର ବାତାବରଣ ସଂସ୍ପର୍ଶରେ ଆସି କେତେକ ମାମୁଲି ରୋଗଗ୍ରସ୍ତ ମଧ୍ୟ ମୃତ୍ୟୁ ପ୍ରାପ୍ତ ହେଉଥିଲେ । ଅନେକ ସଂଖ୍ୟକ ଲୋକ ମୃତ୍ୟୁବରଣ କରୁଥିବା ହେତୁ ସେମାନଙ୍କ କ୍ରିୟାକର୍ମ ବି କ୍ୱାରେଣ୍ଟିନ୍ର ଦିଶା ନିର୍ଦ୍ଧେଶାନୁସା ବା ନିୟମରେ ହେଉଥିଲା, ଅର୍ଥାତ୍ ହଜାର ହଜାର ଲାସ୍କୁ ଘୋଷାଡ଼ି ନେଇ ଏକ ବଡ଼ ଗଦା କରି ସେଥିରେ ଧାର୍ମିକ ରୀତିନୀତି ବିନା ପେଟ୍ରୋଲ ଢାଳି ଅଗ୍ନି ସଂଯୋଗ କରାଯାଉଥିଲା । ସନ୍ଧ୍ୟା ସମୟରେ ଚିତାନଳର ଶିଖା ଦେଖି ଅନ୍ୟ ରୋଗୀ ଭାବୁଥିଲେ ସତେ କି ପୁରା ଦୁନିଆଁ ଜଳୁଛି ।
କ୍ୱାରେଣ୍ଟିନ୍ରେ ମୃତ୍ୟୁର ଆଧିକ୍ୟର ଅନ୍ୟତମ କାରଣ ଏହା ମଧ୍ୟ ଥିଲା ଯେ, ବେମାରୀର ଲକ୍ଷଣ ଦେଖାଗଲେ ଆକ୍ରାନ୍ତର ପରିବାର ଲୋକେ ଏହାକୁ ଲୁଚାଉ ଥିଲେ କାରଣ ଏହି ଖବର ଜଣାପଡ଼ିବା ମାତ୍ରେ ରୋଗୀକୁ ଜବରଦସ୍ତ କ୍ୱାରେଣ୍ଟିନ୍କୁ ପଠାଇ ଦିଆଯିବାର ବ୍ୟବସ୍ଥା କରାଯାଉଥିଲା ଓ ଏଥିପାଇଁ ଡାକ୍ତରଙ୍କୁ ତାଗିଦ କରାଯାଇଥିଲା । ଅଗତ୍ୟା ଲୋକେ ଚିକିତ୍ସା ଲାଗି ଡାକ୍ତରଙ୍କ ନିକଟକୁ ଯିବାକୁ ମଧ୍ୟ ଭୟ କରୁଥିଲେ । ଏଣୁ ପରିବାରଟି ଯେ ମହାମାରୀର କବଳରେ ଏହା ଯେତେବେଳକୁ ଜଣାପଡୁଥିଲା ଯେବେ ପୀଡ଼ାର ଓଃ ଆଃ ଚିତ୍କାର ପରେ କାନ୍ଦବୋବାଳି ଶୁଭୁଥିଲା ଓ ଏକ ଲାସ୍ ସେ ଘରୁ ବାହାରୁଥିଲା ।
ସେ ଦିନମାନଙ୍କରେ ମୁଁ କ୍ୱାରେଣ୍ଟିନ୍ରେ ଏକ ଡାକ୍ତର ହିସାବରେ କାର୍ଯ୍ୟ କରୁଥିଲି । ପ୍ଲେଗ୍ର ଭୟ ମୋ ମନ ଓ ମସ୍ତିସ୍କକୁ ଆଚ୍ଛାଦିତ କରି ରଖିଥିଲା । ସନ୍ଧ୍ୟାରେ ଘରକୁ ଫେରିବା ପରେ ମୁଁ ଦୀର୍ଘ ସମୟ ଧରି କାର୍ବୋଲିକ୍ ସାବୁନରେ ହାତ ଧୋଉଥିଲି ପ୍ରତିରୋଧକବର୍ଦ୍ଧକ ଘୋଳରେ ଗଳା ଗଳଗଳ କରୁଥିଲି ବା ପେଟକୁ ଜଳେଇଦେବା ଭଳି କଫି ଓ ବ୍ରାଣ୍ଡି ପିଉଥିଲି । କିନ୍ତୁ ଏହାର ପ୍ରଭାବରେ ନିଦ ଉଭେଇ ଯାଉଥିଲା ଓ ଆଖି ପୋଡ଼ିବା ଭଳି ସ୍ଥିତି ଉପୁଜିଥିଲା । ଅନେକବାର ବେମାର ପଡ଼ିଯିବାର ଭୟରେ ବାନ୍ତି କରେଇବା ଔଷଧ ଖାଇ ଶରୀରକୁ ସୁସ୍ଥ ରଖିବାର ପ୍ରୟାସ କରୁଥିଲି । ଯେବେ ବହୁତ ଗରମ କଫି ଓ ବ୍ରାଣ୍ଡି ପିଇବା ପରେ ପେଟ ଗରମ ହୋଇ ଗ୍ୟାସ୍ ସୃଷ୍ଟି ହୋଇ ମସ୍ତିସ୍କକୁ ପ୍ରଭାବିତ କରୁଥିଲା ତେବେ ଅର୍ଦ୍ଧ୍ୟଚେତନ ବ୍ୟକ୍ତି ଭଳି ମୁଁ ଅନେକ ପ୍ରକାରର ଭ୍ରମର ଶିକାର ହେଉଥିଲି । ଗଳାରେ ସାମାନ୍ୟ ଦରଜ ହେଲେ ମୋତେ ଲାଗୁଥିଲା ପ୍ଲେଗର ଲକ୍ଷଣ ଦେଖାଗଲାଣି…ଓଃ । ମୁଁ ବି ଏଇ ଭୟଙ୍କର ବେମାରର ଶିକାର ହୋଇଯିବି…ପ୍ଲେଗ । ଆଉ ତା’ପରେ କ୍ୱାରେଣ୍ଟିନ୍।
ସେ ଦିନମାନଙ୍କରେ ଖ୍ରୀଷ୍ଟ ଧର୍ମରେ ନୂଆ ନୂଆ ଦୀକ୍ଷିତ ୱିଲିୟମ ଭାଗବ ଝାଡ଼ୁବାଲା, ଯିଏ ମୋ ସାହିରେ ସଫେଇ କାମ କରୁଥିଲା, ଦିନେ ମୋ ପାଖକୁ ଆସିଲା ଓ କହିଲା, “ବାବୁଜୀ, ଘୋର ବିପଦ, ଆଜି ଆମ୍ବୁ ଏହି ୱାଡର଼୍ର ପାଖାପାଖି କୋଡ଼ିଏ ଜଣ ଓ ଆଉ ଜଣେ ବେମାରଙ୍କୁ ନେଇଯାଇଛି ।”
“ଏକୋଇଶ? ଆମ୍ବୁଲାସରେ? ” ମୁଁ ଆଶ୍ଚର୍ଯ୍ୟ ପ୍ରକଟ କଲି ।
“ଆଜ୍ଞା ହଁ…ପୂରା କୋଡ଼ିଏ ଓ ଆଉ ଜଣେ..କୋନଟୀନ (କ୍ୱାରେଣ୍ଟିନ୍) ନେଇ ଯିବେ…ଆହା…ସେ ବିଚରାମାନେ କ’ଣ ଆଉ କେବେ ଫେରିବେ? ”
ମୁଁ ପଚାରି ବୁଝିଲି ଭାଗବ ରାତି ତିନିରେ ଉଠେ । ଅଧା ପେଗ୍ ମଦ ପିଇନିଏ ଓ କର୍ତ୍ତୃପକ୍ଷଙ୍କ ଆଦେଶ ଅନୁସାରେ କମିଟିର ଗଳିରେ ଓ ନାଳରେ ଚୁନ ବିଞ୍ଚିବା ଆରମ୍ଭ କରିଦିଏ ଯାହା ଦ୍ୱାରା ଭୂତାଣୁ ବ୍ୟାପୀ ପାରିବନି । ରାସ୍ତାବଜାରରେ ପଡ଼ିଥିବା ଲାସ୍ସବୁକୁ ଏକାଠି କରିବା ତା’ର ରାତି ତିନିରେ ଉଠିବାର ଅନ୍ୟତମ କାରଣ ବୋଲି ସେ କହିଲା । ଏହା ବାଦ୍ ସେ କାମ କରୁଥିବା ୱାର୍ଡରେ ବେମାରୀ ଭୟରେ ଘରୁ ବାହାରୁନଥିବା ଲୋକଙ୍କର ଛୋଟମୋଟ କାମ କରିବାରେ ସୁଯୋଗ ବି ମିଳୁଥିଲା । ଭାଗବର ରୋଗ ପ୍ରତି କିଞ୍ଜିତ୍ ଭୟ ନଥିଲା । ତା’ର ଧାରଣା ଥିଲା ଯଦି ମୃତ୍ୟୁ ଆସିବାର ଅଛି ତ ସେ ଯେଉଁଠାକୁ ଗଲେ ବି ରକ୍ଷା ପାଇବ ନାହିଁ ।
ସେ ଦିନମାନଙ୍କରେ ଯେବେ କେହି କାହା ପାଖକୁ ଯିବାକୁ ମଙ୍ଗୁ ନଥିଲେ, ଭାଗବ ମୁଣ୍ଡରେ ଗାମୁଛା ଓ ମୁହଁରେ ତୁଣ୍ଡି ବାନ୍ଧି ବହୁତ ଉସôୁକତାର ସହ ଲୋକଙ୍କ ସାହାଯ୍ୟରେ ଲାଗିପଡ଼ୁଥିଲା । ଯଦିଓ ତା’ ଜ୍ଞାନ ଅତ୍ୟନ୍ତ ସୀମିତ ଥିଲା ତଥାପି ଅନୁଭବ ଆଧାରରେ ଜଣେ ଡାକ୍ତର ଭଳି ସେ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବାର କୌଶଳ କହୁଥିଲା । ସଫାସୁତୁରା ରହିବା, ଚୂନ ବିଞ୍ଚିବା, ଘରୁ ନ ବାହାରିବା ଆଦି ସୂତ୍ର ସବୁ ଏହି କୌଶଳ ଅନ୍ତର୍ଭୁକ୍ତ ଥିଲା । ଲୋକଙ୍କୁ ଖୁବ୍ ମଦ ପିଇବାକୁ କହୁଥିବାର ଦିନେ ମୁଁ ତାକୁ ଦେଖିଲି । ସେ ଦିନ ଯେବେ ସେ ମୋ ନିକଟକୁ ଆସିଲା ମୁଁ ପଚାରିଲି, “ଭାଗୁ ତୁମକୁ ପ୍ଲେଗ୍ର ଭୟ ବି ନାହିଁ?”
“ନା ବାବୁଜୀ …ସେ ବେଳା ନ ଆସିଲେ, ବାଳ ବି ବଙ୍କା ହବନି…ଆପଣ ଏତେ ବଡ଼ ହାକିମ, ଆପଣଙ୍କ ହାତରେ କେତେ ଆରୋଗ୍ୟ ହୋଇଛନ୍ତି, କିନ୍ତୁ ଯେବେ ମୋ ବେଳା ଆସିବ ଆପଣଙ୍କ ଔଷଧ ଇତ୍ୟାଦି ବି କରାମତି ଦେଖାଇ ପାରିବ ନାହିଁ…ଆପଣ ଖରାପ ଭାବିବେନି…ମୁଁ ଠିକ୍, ସଫା ଓ ଖୋଲା କଥା କହୁଛି” । ପୁଣି କଥାର ଦିଗ ବଦଳାଇ ସେ କହିଲା, “କିଛି କୋନଟୀନର କଥା କୁହନ୍ତୁ ବାବୁଜୀ,କୋନଟୀନର..” ।
ଭାଗବ ବେକ ଝୁଙ୍କାଇ, ମୁହଁରୁ କପଡ଼ା କାଢ଼ି, ମଦର ପ୍ରଭାବରେ ଲାଲ ଚେହେରାକୁ ଦେଖାଇ କହିଲା, “ବାବୁଜୀ..ମୁଁ କୋଉ କାମର..ମୋ ଦ୍ୱାରା କାହାର ମଙ୍ଗଳ ହେଇଯାଉ, ଏହି ନିକମା ଦେହ କାହାର କାମରେ ଲାଗିଯାଉ, ଏହାଠାରୁ ଆଉ ଭାଗ୍ୟର କଥା କ’ଣ ଅଛି । ବାବୁଜୀ ବଡ଼ ପାଦ୍ରୀ ଲାବେ ଯିଏ ଆମ ସାହିକୁ ପ୍ରାୟ ପ୍ରଚାର କରିବାକୁ ଆସନ୍ତି, କୁହନ୍ତି, ଈଶ୍ୱର ଯୀଶୁ ଶିଖାଇଛନ୍ତି, ବେମାରଙ୍କ ସେବାରେ ପ୍ରାଣପଣେ ଲାଗିଯାଅ” ।
ମୁଁ ଭାଗବର ସାହସକୁ ପ୍ରଶଂସା କରିବାକୁ ଚାହିଁଲି କିନ୍ତୁ ଭାବନା ତଳେ ଏଭଳି ଇଛା ଚାପି ହୋଇଗଲା । ତା’ ଆସ୍ଥା ଓ ସାର୍ଥକ ଜୀବନକୁ ଦେଖି ମୋ ମନରେ ଏକ ପ୍ରକାରର ଇର୍ଷା ଉତ୍ପନ୍ନ ହେଲା । ମୁଁ ନିଶ୍ଚୟ କଲି ଆଜି କ୍ୱାରେଣ୍ଟିନ୍ କେନ୍ଦ୍ରରେ ପୂରା ନିଷ୍ଠା ଓ ଯତ୍ନର ସହିତ କାର୍ଯ୍ୟ କରି ବହୁତ ରୋଗୀଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିବି । ସେମାନଙ୍କ କଷ୍ଟ ଲାଘବ ସକାଶେ ନିଜ ଜୀବନ ସୁଦ୍ଧା ବାଜି ଲଗେଇଦେବି । କିନ୍ତୁ କହିବା ଓ କରିବା ମଧ୍ୟରେ ଅନେକ ଫରକ ଥାଏ । କ୍ୱାରେଣ୍ଟିନ୍ରେ ପହଞ୍ଚି ଯେବେ ମୁଁ ରୋଗୀଙ୍କ ଭୟାନକ ଅବସ୍ଥା ଦେଖିଲି ଓ ସେମାନଙ୍କ ମୁହଁରୁ ତୀବ୍ର ଗନ୍ଧ ନାକରେ ବାଜିଲା ମୋ ଆତ୍ମ ଦୋହଲି ଗଲା ଓ ମୁଁ ଭାଗବ ପରି କାମ କରିବାକୁ ସାହସ ଜୁଟାଇପାରିଲି ନାହିଁ ।
ତଥାପି ସେଦିନମାନଙ୍କରେ ମୁଁ ଭାଗୁକୁ ସାଥିରେ ଘେନି କ୍ୱାରେଣ୍ଟିନ୍ରେ ଅନେକ କାମ କରିଥିଲି । ଯେଉଁ କାମ ରୋଗୀର ନିକଟରେ ରହି କରିହେବ ସେସବୁକୁ ଭାଗୁ ଦ୍ୱାରା କରେଇଲି ଓ ସେ ବିନା ଦ୍ୱିଧାରେ ସେସବୁ କରୁଥିଲା…ସ୍ୱୟଂ କିନ୍ତୁ ରୋଗୀଙ୍କଠୁ ଦୂର ଦୂର ରହୁଥିଲି କାରଣ ମୁଁ ମୃତ୍ୟୁକୁ ବହୁତ ଭୟ କରୁଥିଲି ଓ ତାହାଠୁ ବେଶି କ୍ୱାରେଣ୍ଟିନ୍କୁ ।
କିନ୍ତୁ କ’ଣ ଭାଗୁ ମୃତ୍ୟୁ ଓ କ୍ୱାରେଣ୍ଟିନ୍ର ଉର୍ଦ୍ଧ୍ୱରେ ଥିଲା?
ସେଦିନ ଚାରିଶହରୁ ଅଧିକ ରୋଗୀ କ୍ୱାରେଣ୍ଟିନ୍ରେ ଭର୍ତ୍ତି ହେଲେ ଓ ଦେଢ଼ଶହ ପାଖାପାଖି ଲୋକ ମୃତ୍ୟୁ ଶିକାର ହେଲେ ।
ଏହା ଭାଗବର ସାହସିକତାର ପରିଣାମ ଥିଲା ଯେ ମୁଁ ଅନେକ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବାରେ ସଫଳ ହେଲି । ସେ ନକ୍ସା ଯାହା ରୋଗୀଙ୍କ ସୁସ୍ଥ ହେବା ଗତି ଦର୍ଶାଇବାକୁ ଚିଫ ମେଡିକାଲ ଅଫିସରଙ୍କ ଦପ୍ତରରେ ଟଙ୍ଗା ହେଇଥିଲା, ସେଥିରେ ମୋ ତତ୍ତ୍ୱାବଧାନରେ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଶୀର୍ଷରେ ଥିଲା । ମୁଁ ପ୍ରତ୍ୟହ କିଛି ନା କିଛି ବାହାନା କରି ସେ କୋଠରୀକୁ ଯାଉଥିଲି ଓ ଗ୍ରାଫର ରେଖା ଶହେ ମୁହାଁ ଦେଖି ମନେ ମନେ ବହୁତ ପ୍ରସନ୍ନ ହେଉଥିଲି ।
ଦିନେ ମୁଁ ବ୍ରାଣ୍ଡି ଟିକେ ଅଧିକ ପିଇଦେଇଥିଲି । ମୋ ଛାତି ଧକ୍ ଧକ୍ କଲା ଓ ନାଡ଼ିର ଗତି ବଢ଼ିଗଲା । ମୁଁ ଏକ ଉନ୍ମାଦଙ୍କ ଭଳି ଏଠି ସେଠି ଦୌଡ଼ିବାକୁ ଲାଗିଲି । ମୋ ନିଜ ଉପରେ ସନ୍ଦେହ ହେଲା ଯେ ପ୍ଲେଗ୍ର ପ୍ରଭାବ ଶେଷରେ ମୋ ଉପରେ ହେଲାଣି ଓ ଖୁବ୍ ଜଲଦି ଗ୍ରନ୍ଥି ଫୁଲି ବେକ ବା ଗୋଡ଼ରେ ଦେଖାଯିବ । ମୁଁ ଅତି ବ୍ୟସ୍ତ ହୋଇପଡ଼ିଲି । ସେତେବେଳେ ମୁଁ କ୍ୱାରେଣ୍ଟିନ୍ରୁ ବାହାରି ଯିବାକୁ ଚାହିଁଲି । ଯେତେ ସମୟ ମୁଁ ସେଠି ରହିଲି ଭୟରେ କମ୍ପିଲି । ସେ ସମୟରେ ମୁଁ ଭାଗୁକୁ ଦୁଇଥର ଭେଟିଥିଲି ।
ଦ୍ବିପହରରେ ମୁଁ ତାକୁ ଏକ ରୋଗୀର ଅତି ନିକଟରେ ବସି, ବହୁତ ସ୍ନେହର ସହିତ ତା ହାତ ଥାପୁଡେ଼ଉଥିବା ଦେଖିଲି । ରୋଗୀଟି ନିଜର ସବୁ ଶକ୍ତି ଖଟେଇ କହୁଥିଲା, “ଭାଇ..ଆଲ୍ଲା ହିଁ ମାଲିକ । ଏ ଜାଗାକୁ ତ ଖୁଦା ଶତ୍ରୁକୁ ବି ନପଠାନ୍ତୁ । ମୋ ଦୁଇ ଝିଅ…” । ଭାଗବ ତାକୁ ଅଟକେଇ କହିଲା, “ଯୀଶୁ ଭଗବାନଙ୍କୁ ଧନ୍ୟବାଦ ଦିଅ ଭାଇ…ତୁମେ ଏବେ ସୁସ୍ଥ ହୋଇଆସୁଛି । “ହଁ …ଭାଇ, ଉପରବାଲାର ତ ଦୟା…ପୂର୍ବପେକ୍ଷା ଏବେ ଭଲ ଅଛି..ଯଦି ମୁଁ କ୍ୱାରେଣ୍ଟିନ୍ରୁ…”
ତା’ କଥା ସରି ବି ନିଥିଲା, ଶରୀରର ଶିରାପ୍ରଶିରା ଯନ୍ତ୍ରଣାର କାତର ହେଲେ, ମୁହଁରୁ କଫ ବାହାରିଗଲା । ଆଖି ପଥର ଭଳି ସ୍ଥିର ହୋଇଗଲା । ଅନେକ ଝଡ଼କା ଆସିଲା ଓ ସେ ରୋଗୀ ଯିଏ ଦୀର୍ଘ ସମୟରୁ ସମସ୍ତଙ୍କୁ ଖାସ୍ କରି ନିଜକୁ ସୁସ୍ଥ ଦେଖାଯାଉଥିଲା, ଏବେ ସବୁ ଦିନ ପାଇଁ ଚୁପ୍ ହୋଇଗଲା । କେହି ଦେଖି ପାରୁନଥିଲେ କିନ୍ତୁ ଭାଗୁ ତା’ ମୃତ୍ୟୁରେ ରକ୍ତର ଲୁହ ବୁହାଇଥିଲା; ଆଉ କିଏ କାନ୍ଦିଥା’ନ୍ତା ? ଯଦି ତାହାର କେହି ଥାଆନ୍ତେ ମାର୍ମିକ ବିଳାପର ଗୁଞ୍ଜରେ ଆକାଶ ଓ ଧରଣୀକୁ ଚିରି ପକାଇଥା’ନ୍ତେ । ଭାଗୁ ହିଁ ସମସ୍ତଙ୍କ ପାଇଁ ପରିବାରର ସଦସ୍ୟ ଭଳି ଥିଲା । ସମସ୍ତଙ୍କ ପାଇଁ ତା ହୃଦୟରେ ଦରଦ ଥିଲା । ସେ ସମସ୍ତଙ୍କ ପାଇଁ କାନ୍ଦୁଥିଲା ଓ ଦୁଃଖୀ ହେଉଥିଲା । ଥରେ ସେ ନିଜ ଇଷ୍ଟ ଦେବତା ପ୍ରଭୁ ଯୀଶୁଙ୍କ ସମ୍ମୁଖରେ ଅତି ବିନମ୍ରତାର ସହ ନିଜକୁ ସଂପୂର୍ଣ୍ଣ ମାନବ ଜାତିର ପାପର ପ୍ରକ୍ଷାଳନ ପାଇଁ ପେଶ୍ କଲା ।
ସେ ଦିନ ସନ୍ଧ୍ୟା ସମୟରେ ଭାଗବ ଦୌଡ଼ି ଦୌଡ଼ି ଅଣନିଶ୍ୱାସୀ ହୋଇ ମୋ ପାଖକୁ ଆସିଲା । ଏକ ବେଦନସିକ୍ତ କଣ୍ଠରେ କହିଲା, “ବାବୁଜୀ…ଏ କୋନଟୀନ ତ ନର୍କ…ନର୍କ…ପାଦ୍ରି ଫାଦର ଏହିଭଳି ନର୍କ ବିଷୟରେ ବଖାଣୁଥିଲେ ।
ମୁଁ କହିଲି, ହଁ…ଭାଇ ଏ ତ ନର୍କଠୁ ବି ଖରାପ । ମୁଁ ତ ଏଠୁ ପଳାଇଯିବା ପାଇଁ ଉପାୟ ଖୋଜୁଛି…ମୋ ଦେହ ଆଜି ବହୁତ ଖରାପ ।”
“ବାବୁଜୀ, ଆଜି ଏକ ରୋଗୀ ବେମାରୀ ଭୟରେ ଅଚେତ ହୋଇଗଲା; ମୃତ ଭାବି କେହି ତାକୁ ଶବମାନଙ୍କ ଗଦାରେ ରଖିଦେଲା । ଯେବେ ସେଥିରେ ପେଟ୍ରୋଲ ଢଳାଗଲା ଓ ନିଆଁ ଜଳିଉଠିଲା ମୁଁ ତାକୁ ହାତଗୋଡ଼ ଛାଟୁଥିବାର ଦେଖିଲି । ମୁଁ ଡେଇଁପଡ଼ି ତାକୁ ଉଠାଇ ଆଣିଲି ବାବୁଜୀ । ସେ ଭୟଙ୍କର ଭାବେ ଜଳିଯାଇଥିଲା । ଏହାଠାରୁ ବଡ଼ ଖବର ଆଉ କ’ଣ ହୋଇପାରେ! ତାକୁ ବଞ୍ଚାଇବାକୁ ଯାଇ ମୋ ଡାହାଣ ହାତ ପୂରା ଜଳିଗଲା । ”
ମୁଁ ଭାଗବର ହାତ ଦେଖିଲି । ହାତରେ ହଳଦିଆ ହଳଦିଆ ଚର୍ବି ଭଳି କିଛି ଦେଖାଯାଉଥିଲା । ମୁଁ ତାକୁ ଦେଖି ଓ ପଚାରିଲି, “କ’ଣ ସେ ଲୋକ ବଞ୍ଚିଗଲା, ତେବେ…?”
“ସେ ଜଣେ ବହୁତ ଉତ୍ତମ ମଣିଷ, ଯାହାର ଭଲ ସ୍ୱଭାବର ଲାଭ ଦୁନିଆଁ ଉଠାଇ ପାରିଲା ନାହିଁ । ଏତେ ଯନ୍ତ୍ରଣା ମଧ୍ୟରେ ବି ନିଜ ଜଳିଯାଇଥିବା ଶରୀର ଉଠାଇ ଅତି କରୁଣ ଚାହାଣୀରେ ମୋତେ ଅନାଇ ଧନ୍ୟବାଦ ଅର୍ପଣ କଲା ।”
“ଆଉ ବାବୁଜୀ…”, ଭାଗୁ ତା’ କଥାକୁ ଆଗେଇ ନେଇ କହିଲା, “କିଛି ସମୟ ପରେ ସେ ଏତେ କଷ୍ଟ ପାଇଲା, ଯେ ଆଜି ପର୍ଯ୍ୟନ୍ତ ମୁଁ କୌଣସି ରୋଗୀକୁ ଏଭଳି ଭୋଗିଥିବାର ଦେଖିନଥିବି । ଏହା ପରେ ସେ ମରିଗଲା । ତାକୁ ବଞ୍ଚେଇ ରଖି ମୁଁ କେବଳ ତା’ ଯନ୍ତ୍ରଣାକୁ ବଢେ଼ଇ ଦେଲି ସିନା, ସେ ବଞ୍ଚିଲା ବି ନାହିଁ । ଏବେ ଏହି ଜଳି ଯାଇଥିବା ହାତରେ ତାକୁ ସେହି ଗଦାରେ ପକାଇଦେଇ ଆସିଛି ।”
ଏହା ପରେ ଭାଗୁ କିଛି ବି କହିପାରିଲା ନାହିଁ । ମଝିରେ ମଝିରେ ଉଠୁଥିବା ବେଦନାର ହାବୁକାରେ ଆକ୍ତାମାକ୍ତା ହେଇ ସେ ରହି ରହି କହିଲା, “ଆପଣ ଜାଣିଛନ୍ତି, ସେ କେଉଁ ବେମାରିରେ ମଲା? ପ୍ଲେଗରେ ନୁହେଁ…କୋନ୍ଟୀନ ପାଇଁ …କୋନ୍ଟୀନ ପାଇଁ” ।
ଯଦିଓ ମୃତ୍ୟୁ ବା ମୃତ୍ୟୁର ସମ୍ଭାବନା ଏହି ଅଦ୍ଭୁତପୂର୍ବ, ଅତ୍ୟନ୍ତ କଷ୍ଟଦାୟକ କୁଚକ୍ରରେ ପୀଢ଼ିତ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ତଥା ମୁକ୍ତି ପ୍ରଦାନ କରୁଥିଲା, ମହାମାରୀର ପ୍ରକୋପରେ ଗ୍ରସ୍ତ ଲୋକଙ୍କ ଆର୍ତ୍ତ ଚିତ୍କାର ସାରା ରାତି କାନକୁ ଶୁଭୁଥିଲା ।
ଯେଉଁ ଗଳିରେ ପେଚା ବି ରାବିବାକୁ କୁଣ୍ଠିତ ହେଉଥିଲା ସେହି ସାହିବସ୍ତିରେ ମାଆମାନଙ୍କ ବିଳାପ, ଭଉଣୀଙ୍କ କାନ୍ଦଣା, ଶୋକରେ ଅଧିର ସ୍ତ୍ରୀ ଓ ପିଲାଙ୍କ କରୁଣ ଚିତ୍କାର ଏକ ଭୟଙ୍କର ଦୃଶ୍ୟ ରଚୁଥିଲା । ଯେବେ ସୁସ୍ଥସବଳ ଲୋକଙ୍କ ମନସ୍ଥିତି ଖରାପ ରହୁଥିଲା ସେତେବେଳେ ଭାବନ୍ତୁ ସେମାନଙ୍କ କ’ଣ ହେଉଥିବ ଯେଉଁମାନେ ଘରେ ବେମାର ପଡ଼ିଛନ୍ତି ଓ ଯେଉଁମାନଙ୍କୁ କୌଣସି ପୋଲିଓଗ୍ରସ୍ତ ଭଳି ଦୁଆର ଓ କାନ୍ଥରୁ କେବଳ ଦୁଃଖର ଝଳକ ହିଁ ଦେଖାଯାଉଥିଲା ଓ ପୁଣି କ୍ୱାରେଣ୍ଟିନ୍ରେ ଥିବା ଦୁଃସ୍ଥ ରୋଗୀ ଯେଉଁମାନଙ୍କୁ ଯମ ସାକ୍ଷାତ ଦେଖାଯାଉଥିଲେ । ସେମାନେ ଜୀବନ ସହିତ ଏମିତି ଲାଖି ରହିଥିଲେ ସେମିତି ତୋଫାନରେ କେହି ପର୍ବତ ଶିଖରକୁ ଜାବୁଡ଼ି ଧରିଥାଏ ଓ ପାଣିର ତୀବ୍ର ପ୍ରବାହ ସେହି ଶିଖରକୁ ବି ବୁଡେ଼ଇ ଦେବାକୁ ମାଡ଼ିଯାଉଥାଏ ।
ସେଦିନ ବେମାର ପଡ଼ିଯିବା ଭୟରେ ମୁଁ କ୍ୱାରେଣ୍ଟିନ୍କେନ୍ଦ୍ରକୁ ବି ଗଲିନାହିଁ । କିଛି ଜରୁରୀ କାମର ବାହାନା କରିଦେଲି । ମୋ ମସ୍ତିସ୍କରେ ଶକ୍ତ ବ୍ୟଥା ହେଲା…ମୋ ଦ୍ୱାରା କୌଣସି ରୋଗୀର ଲାଭ ହୋଇଯାଇ ପାରିଥାଆନ୍ତା କିନ୍ତୁ ଭୟ ମୋ ମନ ଓ ମସ୍ତିସ୍କକୁ ଅକ୍ତିଆରକୁ ନେଇଯାଇ ମୋ ପାଦକୁ ଜଞ୍ଜିରରେ ବାନ୍ଧି ରଖିଥିଲା । ରାତିରେ ଶୋଇବା ସମୟରେ ମୋତେ ଖବର ମିଲିଲା କି ଆଜି କ୍ୱାରେଣ୍ଟିନ୍ରେ ପାଞ୍ଚଶହରୁ ଉର୍ଦ୍ଧ୍ୱ ନୂଆ ରୋଗୀଙ୍କୁ ଭର୍ତ୍ତି କରାଯାଇଛି ।
ମୁଁ ଏବେ ପେଟକୁ ଜଳାଇଦେବା ଭଳି କଫି ପିଇସାରି ଶୋଇବାକୁ ଯାଉଥିଲି କି ଭାଗୁ ଦୁଆରେ ଡାକିଲା । ଚାକର ଦୁଆର ଖୋଲିଲା ମାତ୍ରେ ସେ ଧଇଁସଇଁ ହୋଇ ଭିତରକୁ ପଶିଆସିଲା । କହିଲା, “ବାବୁଜୀ, ମୋ ସ୍ତ୍ରୀ ବେମାର ପଡ଼ିଗଲା…ତା ତଣ୍ଟିରୁ ଗ୍ରନ୍ଥି ବାହାରି ଆସିଲାଣି…ଭଗବାନ ଦୟା କରିବେ ଆଜ୍ଞା, ତାକୁ ବଞ୍ଚେଇ ଦିଅନ୍ତୁ । ଦେଢ଼ ବର୍ଷର ଛୁଆଟି ମୋର ତାଠୁ କ୍ଷୀର ଖାଉଥିଲା, ସେ ବି ମରିଯିବ ଆଜ୍ଞା” ।
ଅନୁକମ୍ପା ବଦଳରେ ମୁଁ କ୍ରୋଧ ଜର୍ଜର ହୋଇ କହିଲି, “ପୂର୍ବରୁ କାହିଁକି ଆସି ପାରିଲନି? କ’ଣ ରୋଗ ଏବେ ଏବେ ଆରମ୍ଭ ହେଲା?”
“ସକାଳେ ମାମୁଲି ଜର ଥିଲା…ମୁଁ ଯେତେବେଳେ କୋନଟିନ୍ ଗଲି”
“ଆଚ୍ଛା ସେ ଘରେ ବେମାର ପଡ଼ିଥିଲେ କିନ୍ତୁ ତୁମେ କ୍ୱାରେଣ୍ଟିନ୍ଚାଲିଗଲ?”
“ହଁ…ବାବୁଜୀ, ଭାଗବ ଥରିଥରି କହିଲା..ସେ ବିଲକୁଲ ମାମୁଲି ବେମାର ଥିଲେ, …ଏହା ଛଡ଼ା ଆଉ କୌଣସି କଷ୍ଟ ନଥିଲା ଆଉ ପୁଣି ମୋ ଦି’ଭାଇ ଘରେ ହିଁ ଥିଲେ…ଓ ହଜାର ହଜାର ରୋଗୀ କୋନଟିନରେ ଅସହାୟ…”
“ତାହେଲେ ତୁମର ଅତ୍ୟଧିକ ଦୟା ଓ ତ୍ୟାଗ ଯୋଗୁଁ ଘରକୁ ରୋଗ ନେଇ ଆସିଲ ନା । ମୁଁ ତୁମକୁ କେତେଥର କହିଛି ରୋଗୀଙ୍କ ଏତେ ନିକଟକୁ ଯାଅ ନାହିଁ । ମୁଁ ଆଜି ଏହି କାରଣରୁ ସେଠାକୁ ଗଲି ନାହିଁ । ସବୁ ଦୋଷ ତୁମର । ମୁଁ ଏବେ କ’ଣ କରିପାରିବି । ତୁମ ଭଳି ଦୁଃସାହାସୀ ନିଜ ସାହାସର ମଜା ପାଇବା ଦରକାର ।”
ଭାଗବ ପ୍ରାର୍ଥନା କଲା ଭଳି କହିଲା, “ମାତ୍ର ପ୍ରଭୁ ଯୀଶୁ..ପାଦ୍ରୀ ଲାବେ…ଛାଡ଼ନ୍ତୁ ।”
ଭାଗବ ମୁଣ୍ଡ ନୂଆଁଇ ସେଠାରୁ ଚାଲିଗଲା । ଏହାର ଅଧ ଘଣ୍ଟା ପରେ ଯେବେ ମୋ ରାଗ ଶାନ୍ତ ହେଲା, ନିଜ ବ୍ୟବହାର ପାଇଁ ମୁଁ ଲଜ୍ଜିତ ହେଲି । ମୁଁ ଏତେ ସମ୍ବେଦନଶୀଳ ଥିଲି କେଉଁଠି ଯେ ପର ଦୁଃଖରେ ଦୁଃଖୀ ହେଇଥାଆନ୍ତି । ନିଃସନ୍ଦେହ ମୋ ପାଇଁ ସବୁଠାରୁ ବଡ ଶାସ୍ତି ଏହା ଥିଲା କି ନିଜ ସ୍ୱାଭିମାନକୁ ଦବେଇ ଭାଗବଠାରୁ ନିଜ ଆଚରଣ ଲାଗି କ୍ଷମା ମାଗି ତା’ ସ୍ତ୍ରୀର ଚିକିତ୍ସା ପୂରା ଧ୍ୟାନର ସହିତ କରିବି । ମୁଁ ଜଲଦି ଜଲଦି ପୋଷାକ ପିନ୍ଧିଲି ଓ ଦୌଡ଼ି ଦୌଡ଼ି ଭାଗବର ଘରେ ପହଞ୍ଚିଲି । ସେଠି ପହଞ୍ଚି ଦେଖିଲି ଭାଗବର ଦୁଇ ଭାଇ ସେମାନଙ୍କ ଭାଉଜଙ୍କୁ ଖଟିଆରେ ପକେଇ ବାହାରକୁ ଆଣୁଥିଲେ ।
ମୁଁ ଭାଗୁ ନିକଟକୁ ଯାଇ ପଚାରିଲି, “ଏହାଙ୍କୁ କୁଆଡ଼େ ନେଇ ଯାଉଛ?”
ଭାଗୁ ଧୀରେ ଜବାବ ଦେଲା, “କୋନଟୀନକୁ..”
“ତାହେଲେ କ’ଣ ଏବେ ତୁମ ଅନୁସାରେ କ୍ୱାରେଣ୍ଟିନ୍ବିପଦଜନକ ନୁହେଁ ଭାଗବ?”
“ଆପଣ ଯେଉଁ ଆସିବାକୁ ମନା କରିଦେଲେ ବାବୁଜୀ…ଆଉ ଚାରା କ’ଣ ଥିଲା? ମୁଁ ଭାବିଲି ସେଠାରେ ଅନ୍ତତଃ ହାକିମଙ୍କ ସାହାଯ୍ୟ ତ ମିଳିଯିବ ଓ ଅନ୍ୟ ରୋଗୀଙ୍କ ସହିତ ଏହାର ବି ଦେଖାରେଖା କରିପାରିବି ।”
“ଏଠି ରଖିଦିଅ ଖଟିଆ..ଏ ପର୍ଯ୍ୟନ୍ତ ଅନ୍ୟ ରୋଗୀଙ୍କ ଚିନ୍ତା ତୁମ ମନରୁ ଯାଇନି?…ବୁଦ୍ଧୁ…”
ଖଟିଆ ଭିତରେ ରଖିଦିଆଗଲା ଓ ମୋ ପାଖରେ ଯେଉଁ ଅମୋଘ ଔଷଧ ଥିଲା ଭାଗବର ସ୍ତ୍ରୀକୁ ପିଆଇଦେଲି ଓ ପୁଣି ନିଜର ଅଦୃଶ୍ୟ ପ୍ରତିଦ୍ୱନ୍ଦ୍ୱୀ ସହିତ ମୁକାବିଲା କଲି । ଭାଗବର ସ୍ତ୍ରୀ ଆଖି ଖୋଲିଲା ।
ଭାଗବ ଥର ଥର କଣ୍ଠରେ କହିଲା, ଆପଣଙ୍କ ଉପକାର ସାରା ଜୀବନ ଭୁଲିପାରିବିନି ବାବୁଜୀ…. ।
ମୁଁ କହିଲି, “ନିଜ ପୂର୍ବ ବ୍ୟବହାର ସକାଶେ ମୁଁ ବହୁତ ଦୁଃଖିତ ଭାଗବ…ଈଶ୍ୱର ତୁମ ସେବାର ପ୍ରତିବଦଳରେ ତୁମ ସ୍ତ୍ରୀକୁ ସୁସ୍ଥ କରି ଦିଅନ୍ତୁ ।
ଠିକ୍ ସେଇ ସମୟରେ ମୋର ଅଦୃଶ୍ୟ ପ୍ରତିଦ୍ୱନ୍ଦ୍ୱୀ ତା’ର ଅନ୍ତିମ ଅସ୍ତ୍ର ବ୍ୟବହାର କରୁଥିବାର ଦେଖିଲି । ଭାଗବ ସ୍ତ୍ରୀର ଓଠ ଥରିବାକୁ ଲାଗିଲା…ମୋ ହାତରେ ଥିବା ତା’ ନାଡ଼ିର ଗତି ଶୀତଳ ହୋଇ ଆସିଲା । ମୋର ଅଦୃଶ୍ୟ ପ୍ରତିଦ୍ୱନ୍ଦ୍ୱୀ ଯାହାର ପ୍ରାୟତଃ ବିଜୟ ହେଉଥିଲା, ଆଉ ଥରେ ପୁଣି ମୋତେ ହରାଇଦେଲା । ଜଣେ ହାରିଯାଇଥିବା ବ୍ୟକ୍ତିର ଲଜ୍ଜିତ ଭାବ ନେଇ ମୁଁ କହିଲ, “ଭାଗବ, ଅଭାଗା ଭାଗବ…ତୁମ ସେବା ତ୍ୟାଗର ଏହି ପରିଣାମ ଶେଷରେ ମିଲିଲା..ଓଃ…”
ଭାଗବ କଇଁ କଇଁ କାନ୍ଦି ଉଠିଲା । ଏ ଦୃଶ୍ୟ କେତେ ମର୍ମଭେଦୀ ଥିଲା । ଆତୁର କ୍ରନ୍ଦନରତ ନିଜ ଶିଶୁଟିକୁ ଭାଗବ ମା’ ଶରୀରରୁ ଅଲଗା କରିଦେଲା ଓ ମୋତେ ବିନମ୍ରତାର ସହ ବିଦାୟ ଦେଲା ।
ମୋର ଧାରଣା ଥିଲା ଯେ ଏବେ ଭାଗବ ନିଜ ଭବିଷ୍ୟତ ଅନ୍ଧକାରମୟ ବୋଲି ମାନିନେଇ ଆଉ କାହାର ଧ୍ୟାନ ରଖିବନି..କିନ୍ତୁ ପରଦିନ ହିଁ ତାକୁ ଆହୁରି ଅଧିକ ସଂଖ୍ୟକ ରୋଗୀଙ୍କ ସେବା କରୁଥିବାର ଦେଖିଲି । ଅନେକ ଘରର ଆଶା ଭରସାକୁ ଚିରଦିନ ପାଇଁ ଲିଭିଯିବା ପୂର୍ବରୁ ବଞ୍ଚେଇନେଲା… ଆଉ ନିଜ ଜୀବନକୁ ଖାତିର ବି କଲା ନାହିଁ । ମୁଁ ବି ଭାଗବର ପଦା ଅନୁକରଣ କରି ଅନେକ ଉତ୍ସାହର ସହିତ କାମରେ ଲାଗିପଡ଼ିଲି । କ୍ୱାରେଣ୍ଟିନ୍କେନ୍ଦ୍ର ଓ ହାସପାତାଳ କାର୍ଯ୍ୟରୁ ଫୁରୁସତ୍ ମିଳିବା କ୍ଷଣି ନିଜ ଫାଲତୁ ସମୟତକ ସହରର ଗରିବ ବସ୍ତିରେ, ଲୋକଙ୍କ ଘର ଯାହା ନାଳ ଧାରରେ ଥିବା ହେତୁ ଅଳିଆ ଆବର୍ଜନା ଯୋଗୁଁ ସଂକ୍ରମଣ କେନ୍ଦ୍ରସ୍ଥଳ ଥିଲା, ସେସବୁ ଅଞ୍ଚଳରେ କାମ କରିବାରେ ମନୋନିବେଶ କଲି ।
ଏବେ ବାତାବରଣ ମହାମାରୀ ବିଭୀଷିକାରୁ ବିଲକୁଲ ମୁକ୍ତ ହୋଇସାରିଥିଲା । ସହରକୁ ପୂରାପୁରି ଧୁଆ ଯାଇସାରିଥିଲା । ମୂଷାଙ୍କ ଚିହ୍ନବର୍ଣ୍ଣ ନଥିଲା । ସାରା ସହରରେ ମାତ୍ରେ ଏକ ଦୁଇ କେଶ୍ ଥିଲା ଓ ଏସବୁ ତୁରନ୍ତ ନିରାକରଣ ଯୋଗୁଁ ସଂକ୍ରମଣ ବଢ଼ିବାର ବିପଦ କ୍ଷୀଣ ଥିଲା ।
ସହରରେ ଦୋକାନ ବଜାର ଆଦି ବିଭିନ୍ନ ବ୍ୟବସାୟ ପୁନଃ ସଞ୍ଚାଳନ ହେଲା, ସ୍କୁଲ, କଲେଜ ଓ କାର୍ଯ୍ୟାଳୟ ଖୋଲିବାରେ ଲାଗିଲା ।
ଗୋଟିଏ କଥା ଯାହା ମୁଁ କିଛି ଦିନ ହେଲା ଅନୁଭବ କରୁଥିଲି ତାହା ହେଲା, ବଜାରରେ ଯାଉଥିବା ବେଳେ ଚାରିଦିଗରୁ ପ୍ରଶଂସାଭରା ନଜର ମୋତେ ଦେଖୁଥିଲେ । ଖବରକାଗଜରେ ପ୍ରଶଂସାମୂଳକ ବକ୍ତବ୍ୟ ସହିତ ମୋ ଫଟୋ ପ୍ରକାଶିତ ହେଉଥିଲା । ସବୁ ଆଡ଼ୁ ପ୍ରଶଂସା ଓ ବାଃ ବାଃର ସ୍ରୋତ ମୋ ମନରେ ଅହଙ୍କାରରେ ଜାଗ୍ରତ କଲା ।
ଶେଷରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଗଲା ଓ ଅନେକ ବିଶିଷ୍ଟ ଧନାଢ଼୍ୟ ବ୍ୟକ୍ତି ଓ ଡାକ୍ତରଙ୍କୁ ନିମନ୍ତ୍ରିତ କରାଗଲା । ନଗରପାଳିକା କାର୍ଯ୍ୟ ସମ୍ବନ୍ଧିତର ବିଭାଗୀୟ ମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କଲେ । ମୋତେ ଅଧ୍ୟକ୍ଷଙ୍କ ନିକଟରେ ବସିବାର ସୌଭାଗ୍ୟ ମିଳିଲା କାରଣ ଏହି କାର୍ଯ୍ୟକ୍ରମ ଅସଲରେ ମୋ ସମ୍ମାନରେ ଆୟୋଜନ କରାଯାଇଥିଲା । ଫୁଲମାଳାର ଓଜନରେ ମୋର ବେକ ନଇଁଯାଉଥିଲା ଓ ମୋର ବ୍ୟକ୍ତିତ୍ୱ ବହୁତ ପ୍ରତିଷ୍ଠିତ ଜଣାପଡ଼ୁଥିଲା । ନିଜକୁ ଗୌରାବନ୍ୱିତ ମନେ କରି ମୁଁ ଏପଟ ସେପଟ ନଜର ବୁଲଉଥିଲି । ସଂପୂର୍ଣ୍ଣ ନିଷ୍ଠାର ସହିତ ମାନବଜାତିର ସେବାକୁ ନିଜ ଧର୍ମ ମନେ କରି ପାଳନ କରିଥିବାରୁ କମିଟି କୃତଜ୍ଞତାରେ ଓତଃପ୍ରୋତଃ ହୋଇ ଏକ ହଜାର ଟଙ୍କାର ଛୋଟିଆ ରାଶିର ଥଳି ମୋତେ ଭେଟି ଦେଲେ ।
ସେଠାରେ ଉପସ୍ଥିତି ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ମୋର ସହଯୋଗୀଗଣ ଖାସ୍ କରି ମୋର ପ୍ରଶଂସା କରି କହିଲେ, ଗତ ପ୍ରକୋପରୁ ଯେତେ ଜୀବନ ମୋର କଠିନ ପ୍ରରିଶ୍ରମ ଯୋଗୁଁ ବଞ୍ଚାଯାଇ ପାରିଛି ତାହାର ହିସାବ ସମ୍ଭବ ନୁହେଁ । କି ରାତି, କି ଦିନ ସର୍ବଦା ନିଜ ଜୀବନକୁ ଦେଶ ଉଦ୍ଧେଶ୍ୟରେ ଉତ୍ସର୍ଗ କରି, ନିଜ ଧନସମ୍ପତ୍ତିକୁ ସମାଜର ଭାବି, ବେମାରିର ଗଡ଼ରେ ପହଞ୍ଚି ମୃତ୍ୟୁମୁଖରୁ ରୋଗୀଙ୍କୁ ଟାଣି ଆଣି ସୁସ୍ଥ କରେଇଛି ବୋଲି ସେମାନେ ମୋର ପ୍ରଶଂସା କରିଚାଲିଲେ ।
ମନ୍ତ୍ରୀ ମହୋଦୟ ଟେବୁଲର ବାଁ ପଟେ ଛିଡ଼ା ହୋଇ, ଏକ ପତଳା ବାଡ଼ି ଉଠେଇଲେ ଓ ଉପସ୍ଥିତି ଲୋକଙ୍କ ଧ୍ୟାନ କାନ୍ଥରେ ଟଙ୍ଗାଯାଇଥିବା ନକ୍ସାର ସେଇ କଳା ଗାର ଦିଗକୁ ଟାଣିନେଲେ ଯାହା ମହାମାରୀର ଚରମ ଦିନମାନଙ୍କରେ ରୋଗର ଉର୍ଦ୍ଧ୍ୱଗାମୀ ଓ ନିମ୍ନଗାମୀ ଦର୍ଶାଉଥିବା ପରିପ୍ରେକ୍ଷୀରେ ପ୍ରତି ମୂହୁର୍ତ୍ତରେ ଉପରରୁ ଉଠୁଥିଲା ବା ତଳକୁ ଖସୁଥିଲା । ଶେଷରେ ନକ୍ସାରେ ଖୋଦିତ ସେଇ ଦିନକୁ ମଧ୍ୟ ଦେଖାଇଲେ ଯେବେ ମୋ ଦାୟିତ୍ୱରେ ଚଉବନ ରୋଗୀଙ୍କୁ ରଖାଯାଇଥିଲା ଓ ସେମାନେ ସମସ୍ତେ ସୁସ୍ଥ ହୋଇଥିଲେ । ଏହାର ଅର୍ଥ ଚିକିତ୍ସା ଚେଷ୍ଟା ଶତପ୍ରତିଶତ ସଫଳ ହେଲା ଓ ସେ କାଳି ଗାର ଶୀର୍ଷ ଛୁଇଁଲା ।
ଏହା ପରେ ମନ୍ତ୍ରୀ ମହୋଦୟ ମୋ ସାହସର ଭୂୟସୀ ପ୍ରଶଂସା କଲେ ଓ କହିଲେ ଯେ ଜନତା ଏହା ଜାଣିକରି ବହୁତ ଖୁସି ହେବେ ଯେ, ବକ୍ସି ସାହେବଙ୍କୁ କର୍ତ୍ତବ୍ୟ ନିଷ୍ଠା ଓ ସେବା ପରାୟଣତା ସକାଶେ ଲେପ୍ଟନାଣ୍ଟ କର୍ଣ୍ଣେଲ ପଦବୀରେ ଅଧିଷ୍ଠିତ କରାଯାଉଛି ।
ହଲଟି ବାଃ ବାଃ ଓ ତାଳିମାଡ଼ରେ ଗୁଞ୍ଜି ଉଠିଲା ।
ସେ ତାଳିମାଡ଼ର କୋଳାହଳରେ ମୁଁ ସଗର୍ବେ ନିଜ ଶିର ଉପରକୁ ଉଠାଇ ଅଧ୍ୟକ୍ଷ ମହୋଦୟ ତଥା ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କଲି ଓ ଏକ ଲମ୍ବା ଚଉଡ଼ା ଭାଷଣ ଦେଲି । ଅନେକ କଥା ମଧ୍ୟରେ ମୁଁ ଏହା କହିଲି, ଆମର ଧ୍ୟାନ କେବଳ ହାସପାତାଳ ବା କ୍ୱାରେଣ୍ଟିନ୍ରେ କେନ୍ଦ୍ରୀତ ନଥିଲା ବରଂ ବସ୍ତି ଅଞ୍ଚଳରେ ବାସିନ୍ଦାଙ୍କ ଗୃହ ମଧ୍ୟ ଥିଲା । ସେସବୁ ଅଞ୍ଚଳର ଲୋକେ ହିଁ ରୋଗର ଶିକାର ହେଉଥିଲେ ଓ ନିଜକୁ ବଞ୍ଚେଇବାରେ ଅସମର୍ଥ ଥିଲେ । ମୁଁ ଓ ମୋର ସହଯୋଗୀ ବେମାରୀର ସଠି୍କ ଉପସ୍ଥିତ ସ୍ଥଳକୁ ଖୋଜି ରୋଗର ଚେରକୁ ଓପାଡ଼ି ଫୋପାଡ଼ି ଦେବାକୁ ପ୍ରଯତ୍ନ କଲୁ । ହାସପାତାଳ ବା କ୍ୱାରେଣ୍ଟିନ୍ର କାମ ପରେ ଆମେ ସାରାରାତି ସେହି ସବୁ ଜାଗାରେ ବିତାଉଥିଲୁ ।
କାର୍ଯ୍ୟକ୍ରମ ସମାପ୍ତି ପରେ ଏକ ଲେପ୍ଟନାଣ୍ଟ କର୍ଣ୍ଣେଲର ଉପାଧିରେ ଭୂଷିତ, ଗର୍ବିତ ମୁଁ ସମସ୍ତଙ୍କୁ ଧନବାଦ ଅର୍ପଣ କଲି ଓ ଏକ ହଜାର ଏକ ଟଙ୍କାର ଲୋକଙ୍କ ସାମାନ୍ୟ ଉପହାର ପକେଟରେ ନେଇ ଯେବେ ଗୃହରେ ପହଞ୍ଚିଲି, ଆସ୍ତେ କରି କିଏ ଡାକୁଥିବାର ଶୁଣିଲି ।
“ବାବୁଜୀ..ବହୁତ ବହୁତ ଶୁଭେଚ୍ଛା”
ଭାଗବ ତା’ର ସେଇ ପୁରୁଣା ଝାଡ଼ୁଟି ଆବର୍ଜନା ଡାଲାର ଢାଙ୍କୁଣି ଉପରେ ରଖି, ନିଜ ଦୁଇ ହାତରେ ଚେହେରାରୁ ଗାମୁଛା ଖୋଲିଦେଲା; ମୁଁ ସ୍ତମ୍ବିତ ହେଇଗଲି ।
“ ତୁମେ? ଭାଗବ ଭାଇ …”ବହୁତ କଷ୍ଟରେ କହିଲି, “ଦୁନିଆ ତୁମକୁ ଜାଣି ନାହିଁ ଭାଗବ, ତ କ’ଣ ହେଲା…ମୁଁ ତ ଜାଣେ, ପ୍ରଭୁ ଯୀଶୁ ତ ଜାଣନ୍ତି, ପାଦ୍ରୀ ଲାବେ ମଧ୍ୟ । ତୁମ ଉପରେ ପ୍ରଭୁଙ୍କ କୃପା ହେଉ ।”
ମୋ ଗଳା ଶୁଖି ଶୁଖି ଆସିଲା…ମୋ ମନକୁ ଆନ୍ଦୋଳିତ କଲା ଭାଗବର ମୃତା ସ୍ତ୍ରୀ ଓ ମା’ ଛେଉଣ୍ଡ ଶିଶୁର ବିମର୍ଷ ଚେହେରା । ଫୁଲମାଳାର ବୋଝରେ ମୋର ବେକ ଭାଙ୍ଗି ପଡ଼ୁଥିଲା ଓ ବଟୁଆର ବୋଝରେ ମୋ ପକେଟ ଫାଟି ଯାଉଥିଲା । ଏତେ ସମ୍ମାନ ପାଇଲା ପରେ ବି ନିଜକୁ ଅସମର୍ଥ,ବଦନାମ ମଣୁଥିଲି ଓ ପ୍ରଶଂସା, ସମ୍ବର୍ଦ୍ଧନା, ଅଭିନନ୍ଦନ ବାଣ୍ଟି କିଛି ବ୍ୟକ୍ତିଙ୍କୁ ପ୍ରତିଷ୍ଠିତ କରାଉଥିବା ଏ ସମାଜର ପକ୍ଷପାତି ଚୟନ ପ୍ରଣାଳୀ ବିଷୟରେ ଭାବି ଅତିଶୟ ଦୁଃଖିତ ହୋଇପଡ଼ିଲି ।
***
ମୂଳ ଉର୍ଦ୍ଧୁ – ରାଜିନ୍ଦର ସିଂହ ବେଦୀ