ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

“ତୁ ଥିଲେ ମୋର ତା’ ଚିନ୍ତା ନାହିଁ । ମୁଁ ଜାଣେ ତୁ ମୋ’ଠାରୁ ବି ମୋ ପୁଅର ଦାୟିତ୍ୱ ବେଶ୍ ଭଲ ଭାବରେ ନେଇପାରିବୁ ।” ଲୀନାକୁ ଏଇ କଥା ପଦିକ ଭାରି ଭଲ ଲାଗେ ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

ସେଦିନଠାରୁ ଆଜି ଭିତରେ ଢେର୍ ପରିବର୍ତ୍ତନ ଋତୁର, ସମୟର, ପରିସ୍ଥିତିର । ଲୀନାକୁ ତେର ବର୍ଷ ପୁରିଗଲାଣି । ସାନବାବୁ ବି ସେଦିନ ଠାରୁ ଆଜି ଆଉରି ବେଶୀ ପରିପକ୍ୱ ପାଲଟି ଯାଇଛନ୍ତି । ସେ ଲୀନାକୁ ଘରେ ପାଠ ପଢ଼ାଇ ମ୍ୟାଟ୍ରିକ୍ ପରୀକ୍ଷାଟା ଦେବାକୁ ଢେର୍ ପ୍ରବର୍ତ୍ତାଉଛନ୍ତି । ମାଲିକାଣୀ କିନ୍ତୁ ସାନବାବୁଙ୍କ ପ୍ରସ୍ତାବରେ ପୁରା ଖପା । ସେ ଜେଜେମାଆକୁ ପଚାରୁଛନ୍ତି- “କିଲୋ ପାର, ଲୀନା କ’ଣ ଚାକିରୀ କରିବାକୁ ଯିବ କି ବାହାରକୁ ? ଯାହାହେଲେ ବି ଘରକାମତକ କରିବ ନା ! ଏତେ ସବୁ କାମ ଆଉ ଆଜିକାଲି ତୁ କରିପାରୁନୁ । ଏ ସମୟରେ ତା’ର ପାଠପଢ଼ା. . . କେମିତି ହେବ ଏ କାମ ସବୁ ? ତୁ ସେ ବାଇଆଟା କଥାରେ ମୁଣ୍ଡ ପୁରାନି ଆଉ ଲୀନାକୁ ବି ବାରଣ କର ସେ ଆଗକୁ ପାଠ ନପଢୁ । ପଢ଼ିଲେ ଲାଭ ବି କ’ଣ ?” ଜେଜେମାଆ ବିଳପି ଉଠେ ନିରବ ବେଦନାରେ । ସେ ଜାଣେ ମାଲିକାଣୀ ତାରି ଭଳି ଲୀନାକୁ ବି ଜଡ଼ କରି ଦେବାକୁ ଚାହାଁନ୍ତି । ଆମମାନଙ୍କ ଉପରେ ଲଟା ପରି ବଢ଼ି ଯାଇ ରକ୍ତକୁ ଶୋଷିବାକୁ ବ୍ୟାକୁଳ ହୁଅନ୍ତି । ନ ହେଲେ ସେମାନେ ଜୀଇଁବେ କିପରି ? ଭଲରେ ବଞ୍ଚିବାକୁ ହେଲେ ସେମାନେ ଆମ ଉପରେ ନିର୍ଭର କରିବାକୁ ବାଧ୍ୟ । ଏ ଯୁଗରେ ସବୁବେଳେ ବୁର୍ଜୁଆ ଓ ଶାସକ ଶ୍ରେଣୀର ଲୋକ ଅଛନ୍ତି ଓ ରହିଥିବେ କାଳ କାଳ ଲାଗି । ନହେଲେ ଜଣେ ଅନ୍ୟ ଜଣକ ଉପରେ ପ୍ରାଧାନ୍ୟ ବିସ୍ତାର କରିବ କିପରି ?

ସେଥିପାଇଁ ଲୀନାର ଆଗକୁ ବଢ଼ିବାର ଚେରଟିକୁ କାଟି ସମୂଳେ ବିନାଶ କରିବାକୁ ଚାହାଁନ୍ତି । କାରଣ ଲୀନା ଅନେକ ଦାୟିତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିଚାଲିଛି । ମାଲିକ ଓ ମାଲିକାଣୀଙ୍କୁ ଭଲରେ ରଖିବାକୁ ଚେଷ୍ଟା ଜାରି ରଖିଛି । ମାଲିକାଣୀଙ୍କ ଠାରୁ ଏଭଳି କଥା ଶୁଣି ମନେ ମନେ ଦୁଃଖୀ ହୋଇପଡ଼େ ସେ । ମାଲିକାଣୀଙ୍କୁ କଥା ଦିଏ- “ସେ ପରୀକ୍ଷା ଦେଉ । ହେଲେ ସେ ପରୀକ୍ଷାର ମୂଲ୍ୟ କିଛି ରହିବନି । ସେ ବାହାରକୁ ଯାଇ ଚାକିରୀ ପାଇଁ ନୁହେଁ ବରଂ ନିଜର ଆତ୍ମସନ୍ତୋଷ ପାଇଁ ପଢୁ ।” ହେଲେ ମାଲିକାଣୀ ନାରାଜ୍ । ତାଙ୍କ ମତରେ ଲୀନା ଆଜି କାଲିକା ପିଲା । ପାଠପଢ଼ି ପରୀକ୍ଷା ଦେଲା ପରେ ତା’ ମନ କାଳେ ବଦଳିଯିବ । ଆଉ ସେ ଛୋଟ ମୋଟ ଚାକିରୀଟିଏ ପାଇଗଲେ କାଳେ ବାହାରକୁ ଚାଲିଯିବ । ତା’ପରେ କ’ଣ ହେବେ ଏ ଘରର ଅବସ୍ଥା ? ଏତେ ପିଲାଟି ଦିନରୁ ସେମାନେ ତା’ ସଂସାର ଉପରେ କରିଥିବା ଦୟା ଓ ସାହାଯ୍ୟର ଋଣ ତା’ହେଲେ କିଏ ସେ ଶୁଝିବ ? ଜେଜେମା’ ନିରବି ଗଲା । ସେ ଜାଣେ ମାଲିକାଣୀ ବେଳ ପଡ଼ିଲେ ଜାଣି ଶୁଣି ତା’ର ପୁରୁଣା କ୍ଷତକୁ ଉଖାରି ଦିଅନ୍ତି । ମନେପଡ଼େ ତା’ର ଉଜୁଡ଼ା ଅତୀତ. . . ! ସେ ବାଉଳି ଉଠେ ଦୁଃଖରେ । ମାଲିକାଣୀଙ୍କ ସହିତ ସେ ନ ଆସିଥିଲେ ହୁଏତ ତା’ ଜୀବନ ଆଜି ଅନ୍ୟପ୍ରକାରର ହୋଇଥାନ୍ତା । ଗୋଟେ ଦୁଃଖକୁ ସହିବାକୁ ସେ ଅନ୍ୟ ଏକ ଦୁଃଖ ଓ ଯନ୍ତ୍ରଣାର ପାହାଡ଼କୁ ଆବୋରି ନେଇଥିଲା ତା’ ଅଜାଣତରେ । ନହେଲେ ଅନାଦି ସହିତ ସଂସାର କରି ସେ ହୁଏତ ମନଇଚ୍ଛା ଜୀଉଁଥାନ୍ତା । ବସ୍ତି ନେଇଯିବା ପରେ ଆନ୍ଦୋଳନ ହେବାକୁ ସରକାରଙ୍କଠାରୁ ଅପ୍ରତ୍ୟାଶିତ ଭାବେ ଜାଗା ମିଳିଯିବ ବୋଲି ସେ କ’ଣ ଜାଣିଥିଲା ? ଜାଣିଥିଲେ ମାଲିକାଣୀଙ୍କ କଥାରେ ସେ କେବେ ବି ଆସିନଥାନ୍ତା ଏଠିକୁ, କି ବିକ୍ରି କରି ଦେଇ ନଥାନ୍ତା ତା’ ଅମୂଲ୍ୟ ସ୍ୱାଧୀନତାକୁ । ତଥାପି ସେ ଫେରିବାକୁ ଚାହୁଁଥିଲା ତା’ର ନୂଆ ଜାଗାକୁ । ମନରେ ଦମ୍ଭଥିଲା ଆଜି ସେ ଅଫିସର୍‌ଙ୍କୁ ଦେଖା କଲେ ହୁଏତ ଜାଗାଟିଏ ମିଳିଯିବ ମୁଣ୍ଡ ଗୁଞ୍ଜିବାକୁ । ହେଲେ ମାଲିକାଣୀ ଚିହିଁକି ଉଠିଲେ ଏକଥା ଶୁଣି । ରାଗରେ ଫଁ ଫଁ ହୋଇ କହିଲେ- “କିଲୋ ତୋର କି ଅଭାବ ହେଲା ଏ ବୟସରେ ? ତୋ ପାଇଁ ଏତେ କରି ବି ତୁ ସନ୍ତୋଷ ନୋହୁଁ । ଆଉ କ’ଣ ଚାହୁଁଛୁ ସଫାସଫା କହୁନୁ ?” ପାର ନିରବି ଗଲା ପୁଣି ଥରେ । ବିଫଳ ହେଲା ନିଜ ପ୍ରଚେଷ୍ଟା । ତାଙ୍କ ଦୃଢ଼ଫାଶରୁ ତଥାପି ମୁକୁଳିପାରିଲା ନାହିଁ ଏଯାବତ୍ । ସେ ଛନ୍ଦ ଏତେ ଦମ୍ଭ ଯେ ସାରାଜୀବନ ସେ ନିଜକୁ ମାରି ରହିଗଲା ।

xxxxxxxxxxxxxxxxxxxxxxxxxx

ଆଜିକାଲି ଜେଜେମା’ ଆଗଠାରୁ ଟିକେ ବୁଢ଼ୀ ହୋଇଗଲାଣି । ସେ ଆଉ ପୂର୍ବ ଭଳି କାମ କରିପାରୁନି । ସେ ଫୂର୍ତ୍ତିପଣ ଆଉ ନାହିଁ ତା’ କାମରେ । ଜୀବନଟା ଯାକ ତ କରିଛି ଅନ୍ୟପାଇଁ । ଆଉ କେତେ ବା ପାରିବ ? ଏବେ ସେ ଥକି ପଡ଼ିଲାଣି । ଆଉ ତା’ର ଶୂନ୍ୟସ୍ଥାନକୁ ଲୀନା ଏବେ ପୁରଣ କରିଛି । ସେ ଜେଜେମା’ ହାତରୁ ଧୀରେ ଧୀରେ କାମ ଛଡ଼େଇ ନେଇ କହୁଛି- “ତୁ ଟିକେ ବିଶ୍ରାମ କର ଜେଜେମା’, ମୁଁ କରିଦେବି ।” ଜେଜେମା’ ନ ଗଲେ ବି ସେ ତାକୁ ଜୋର୍ ଜବରଦସ୍ତ ଟାଣି ନେଇ ବସାଇ ଦେଉଛି ପିଣ୍ଢା ଉପରେ । ଆଉ ସବୁ କାମ ସେ କରିପକାଉଛି ନିଜେ ଏକାକୀ । ଜେଜେମା’ର ଆଖିରୁ ଝରିପଡୁଛି ଲୁହଧାର । ଏମିତି ଭାବୁ ଭାବୁ ରାତି ହୋଇଯାଇଥିଲା । ଖାଇବା ବି ପ୍ରସ୍ତୁତ ହୋଇସାରିଥିଲା । ଲୀନା ଖୁବ୍ ଯତ୍ନରେ ସାନବାବୁଙ୍କ ପାଇଁ ଆଜି ପୁରୀ ଓ ସିମେଇ ରାନ୍ଧିଥିଲା । ବାକି ମାଲିକ, ମାଲିକାଣୀ ଓ ସେ ଦୁଇଜଣଙ୍କ ପାଇଁ ରୁଟି ବନେଇଥିଲା । ବସିବା କାମ ଜେଜେମାଆକୁ ଦେଇ ଧାଁଦଉଡ଼ କାମ ସେ ନିଜେ କରେ । ଆଜି କାଲି ଜେଜେମାଆ ଖୁବ୍ ଦୁର୍ବଳ ।

ସବୁ କାମ ସରିଥିଲା । ଜେଜେମା’ ମାଲିକାଣୀଙ୍କ ପାଦରେ ତେଲ ଘଷି ସାରି ଟି.ଭି. ଆଗରେ ତା’ କାନିପାରି ଶୋଇ ପଡ଼ିଥିଲା ଏକରକମ । ହେଲେ ତା’ଠାରୁ ଶୁଣିଥିବା କଥାମାନ ଆଜି ରହି ରହି ମନେ ପଡୁଥିଲେ ତା’ର । ଗପ ଭଳି ତା’ ଆଖି ଆଗରେ ଭାସି ଉଠୁଥିଲେ । ହଠାତ୍ ଗାଡ଼ି ଭିତରକୁ ପଶିବାର ଶବ୍ଦ ଶୁଭିଲା । ଲୀନା ଘଣ୍ଟାକୁ ଚାହିଁଲା- ନ’ଟା ବାଜି ପଇଁତିରିଶ୍ ମିନିଟ୍ । ଚିଲ ଭଳି ସେ ଧାଇଁଗଲା କବାଟ ଖୋଲିବାକୁ । କବାଟ ଆଢୁଆଳରେ ସେ ଦେଖିଲା ସାନବାବୁଙ୍କ ଅବସନ୍ନ ମୁହଁଟିକୁ । ଆଜି ବେଶ୍ କ୍ଳାନ୍ତ ଦିଶୁଛନ୍ତି ସେ । ଦୂରକୁ ଯାଇଥିଲେ ବୋଧହୁଏ । ଗଗନଅଜା ଗାଡ଼ି ରଖି ତାଙ୍କ ଘରକୁ ଚାଲିଗଲେଣି । ସାନବାବୁଙ୍କ ହାତକୁ ପାଣିଗ୍ଲାସଟିଏ ବଢ଼ାଇ ଦେଇ ଗବାକ୍ଷରୁ ମୁଣ୍ଡଟେକି ଚାହିଁଲା ସେ । ସାନବାବୁ ଚାଲିଯାଉଥିଲେ ତାକୁ ଅତିକ୍ରମ କରି । ହଠାତ୍ ରହିଯାଇ ପଚାରିଲେ-

– “ତୁ କାଇଁ ଆଜିଫୁଲ ଦେଲୁନାହିଁ ?” ଚମକି ପଡ଼ିଲା ସେ । ଖୁସିରେ ବିହ୍ୱଳି ଉଠିଲା । ସାନବାବୁ ସେ ସକାଳର କଥାକୁ ମନେ ରଖିଛନ୍ତି ଏ ଯାଏଁ । ସେ ଭୁଲି ନାହାନ୍ତି ତା’ର ଫୁଲ ଆଜି ତା’ ଦେବତାଙ୍କୁ ସ୍ପର୍ଶ କରିପାରିନାହିଁ ବୋଲି । ସେ ତା’ହେଲେ ତା’ ପ୍ରତି ଧ୍ୟାନ ରଖନ୍ତି । ତା’ପରି ଏକ ଅନାମଧେୟ ମଣିଷଟିର ହିସାବ ନିଅନ୍ତି । ଅଧିର ହୋଇ ସେ ଧାଇଁ ଯାଇ ପାଣି ଭର୍ତ୍ତି ଗ୍ଲାସ୍‌ରୁ ଏବେ ଯାଏଁ ସତେଜ ଦିଶୁଥିବା ଫୁଲଟିକୁ ତରବରରେ ନେଇ ଆସି ସାନବାବୁଙ୍କ ହାତକୁ ବଢ଼ାଇ ଦେଲା । ଜେଜେମା’ ସେତେବେଳକୁ ଉଠିଯାଇ ଅବତାରଣା କରୁଥିଲା ସକାଳର ସେ କାହାଣୀ ଆଉ ସାନବାବୁ ନିରବରେ ହସୁଥିଲେ ସେସବୁ ଶୁଣିସାରି । ସେ ପଚାରିଲେ-

– “ଇଏ କ’ଣ ସେଇ ସକାଳର ଫୁଲ ?” ଲୀନା ମୁଣ୍ଡଟୁଙ୍ଗାରି ହଁ ଭରିଲା । ସାନବାବୁ ଚାଲିଗଲେ ଧୁଆ ଧୋଇ ହେବାକୁ । ହେଲେ ଲୀନାର ପେଟ ପୁରି ଯାଇଥିଲା । ତାକୁ ଆଉ ଭୋକ ଲାଗୁନଥିଲା । ଜେଜେମା’ର ଝାଳୁଆ କାନିକୁ ଧରି ସେ ସ୍ୱପ୍ନିଳ ଦୁନିଆଁ ଭିତରେ ଆତ୍ମବିସ୍ତୃତ ହେଲା । ତା’ ମନତଳେ ଅଦିନିଆଁ ମଳୟ ବହିଲା, ଅଜାଣତରେ ଓଠରେ ହସ ବୁଣି ହୋଇଗଲା । ବିନିଦ୍ର ରଜନୀ ପାହିଗଲା । ସକାଳର କିରଣର ପୃଥିବୀ ନ ଛୁଉଁଣୁ ଫୁଲଡ଼ାଲା ଧରି ଅତି ଆବେଗରେ ଲୀନା ଧାଇଁଲା ଫୁଲ ତୋଳିବାକୁ । ମାଲିକ ଭାରି ଗଛପ୍ରିୟ । ଯେଉଁଠୁ ଭଲଗଛଟିଏ ପାଆନ୍ତି ସେ ଧରିଆସନ୍ତି । ସାନବାବୁ ବି ଭାରିଫୁଲ ପ୍ରିୟ  . . . ଭଲ ଫୁଲଟିଏ ଦେଖିଲେ ସେ ଖୁସି ହୁଅନ୍ତି । ଫୁଲଟିକୁ ପାଖରେ ରଖି ତାକୁ ଦେଖି ହୁଅନ୍ତି । ତା’ର ସୁଗନ୍ଧରେ ଆତ୍ମହରା ହୁଅନ୍ତି । ଲୀନା ଫୁଲ ପ୍ରତି ଥିବା ତାଙ୍କ ଦୁର୍ବଳତାକୁ ହେତୁ ହେବା ଦିନଠାରୁ ଖୁବ୍ ଭଲ ଭାବରେ ଜାଣେ । ସେଥିପାଇଁ ତ ସେ ପ୍ରତିଦିନ ସକାଳୁ ଭଲ ଫୁଲଟିଏ ତୋଳେ ତାଙ୍କ ପାଇଁ । ଆଜି ଯାଏଁ ତ କେବେ ନିଅଣ୍ଟ ପଡ଼ିନି ଫୁଲ । ଆଗକୁ କ’ଣ ହେବ କିଏ ଜାଣେ ? ହେଲେ ସକାଳଟାରୁ ସେ ଆଖି ନ ଖୋଲି ବି ଠାକୁରଙ୍କୁ ଡାକେ- “ପ୍ରଭୁ, ଭଲ ଫୁଲଟିଏ ଫୁଟାଇଥିବ ସାନବାବୁଙ୍କ ପାଇଁ । ନ ହେଲେ ମୁଁ ଆଜି କ’ଣ ଦେବି ତାଙ୍କୁ ?” ସକାଳଟାରୁ ହଠାତ୍ ସେ ବିଳିବିଳେଇଲା ପରି ଡାକଦେଲା ।

– “ଜେଜେମା’. . . ଏ ଜେଜେମା’ ଟିକେ ଶୀଘ୍ର ଆସେ ।” ଏତେ କାମ ଭିତରେ ପାଗେଳୀଟା କାଇଁ ଡାକୁଛି । ହଅ କୋଉ ଗଛମୂଳେ କି ଡାଳରେ ସଁବାଳୁଆଟେ ଦେଖି ଦେଇଥିବ ନ ହେଲେ ତେଲୁଣୀ ପୋକ କି ଗଉଡୁଣିଆପୋକ ବଗିଚାରେ ବୁଲୁଥିବେ । ଆଉ ସେମାନଙ୍କୁ ଦେଖି ସେ ଗୋଟେ କୋଣରେ ଗୋଡ଼ ଯୋଡ଼ି ଛିଡ଼ା ହୋଇଥିବ ପ୍ରାର୍ଥନା ମୁଦ୍ରାରେ । ଆଜି ବି ପୋକଜୋକଙ୍କୁ ତା’ର ଭାରି ଭୟ. . . ସବୁବେଳେ ଗୋଡ଼ ଟେକି ଟେକି ଚାଲୁଥିବ । ତଥାପି ସେ ଡାକି ଚାଲିଛି ଛାନିଆଁ ସ୍ୱରରେ । ଜେଜେମା’ ବାଧ୍ୟ ହୋଇଗଲା ବଗିଚାକୁ । ଲୀନା ତା’ ଆଡ଼କୁ ହାତ ବଢ଼ାଇ କହିଲା- “ଦେଖିଲୁ ଜେଜେମା’, କେତେ ସୁନ୍ଦର ନୀଳଗୋଲାପ ଯୋଡ଼ିଏ. . . । ହେଲେ ଗୋଲାପ ତ ଗୋଲାପୀ ରଙ୍ଗର ହେବା କଥା. . . ନୀଳ ରଙ୍ଗର କେମିତି ହୋଇଛି ଜେଜେମା’ ?” ଜେଜେମା’ ଖୁସି ହୋଇ କହିଲା- “ମୁଁ ତୋତେ କାଲି କହୁନଥିଲି ଆଜି ନୀଳ ଗୋଲାପ ଗଛରେ କଢ଼ି ହୋଇଛି, କାଲିକୁ ଫୁଟିବ ବୋଲି । ମାଲିକାଣୀଙ୍କ ପାଖକୁ ନେଇଯା’ ସେ ଯଦି ଚାହିଁବେ ତେବେ ଠାକୁରଙ୍କୁ ଲାଗି କରିବେ ।” “ହେଲେ ଜେଜେମା’ ଏ ଫୁଲରୁ ମୁଁ ଗୋଟାଏ ନେବି ସାନବାବୁଙ୍କ ପାଇଁ, ତାଙ୍କ ପସନ୍ଦର ଗଛ ନା ଏଇଟା !” ଜେଜେମା’କୁ ବୁଝାଇବା ସ୍ୱରରେ କହିଲା ଲୀନା । ଜେଜେମା’ ବି କହିଲା- “ତୁ ଏ ନୂଆ ଜାତିର ଫୁଲକୁ ଆଗ ନେଇ ମାଲିକ, ମାଲିକାଣୀଙ୍କୁ ଦେଖା । ସେମାନେ କେତେ ଖୁସି ହେବେ ୟା’କୁ ଦେଖି । ତା’ପରେ ତାଙ୍କୁ କହି ଫୁଲଟାଏ ନେବୁ ।” “ହେଲେ ଯଦି ସେମାନେ ରାଜି ନ ହେବେ. . . ତେବେ ଆଉ ଅନ୍ୟ ଫୁଲ ଦେଇ ଦେବୁ ସାନବାବୁଙ୍କୁ । ବଗିଚାରେ ଫୁଲ କ’ଣ ଅଭାବ ପଡ଼ିଛି କି ? ଇଏ କିମିତିକା କଥା ତୁ ବେଳେବେଳେ କହୁ ଯେ ଜେଜେମା’ ? ଖାସ୍ ସାନବାବୁଙ୍କ ପାଇଁ ମୁଁ ବଗିଚାରେ କେତେ କାମ କରେ ? ଘାସ ବାଛେ, ପାଣି ଦିଏ । ଗଛର ଶୁଖିଲା ପତ୍ରସବୁକୁ ଓଳାଇ ବଗିଚା ସଫା କରେ । ସବୁଦିନ ଡାଲା ଭର୍ତ୍ତି ଫୁଲ ତୋଳେ ମାଲିକାଣୀଙ୍କ ଠାକୁରପୂଜା ପାଇଁ । ହେଲେ ସାନବାବୁଙ୍କୁ କାଇଁ ଦିଆଯାଇପାରିବନି ଭଲ ଫୁଲ । ତାଙ୍କର ତ ଅଧିକାର ଅଛି ଏ ସୁନ୍ଦର ସୁନ୍ଦର ଫୁଲମାନଙ୍କରେ କାରଣ ତାଙ୍କ ପାଇଁ ମୁଁ ଖଟିଛି ଏ ବଗିଚାରେ । ଆଉ ମୋ ଭାଗର ଫୁଲ ସବୁ ତାଙ୍କର ।” ଏଥର ସେ ଅଝଟ କରେ ଫୁଲଟିଏ ପାଇଁ ତା’ ଜେଜେମା’ ପାଖରେ । ଜେଜେମା’ର ଆଖି ଏତିକି ଶୁଣିବା ପରେ ଓଦା ହୋଇ ଆସେ । ସେ କହେ- “ସବୁ ଭଲ ଚିଜ୍ ଅନ୍ୟମାନଙ୍କୁ ଦେଇ ଦେଲା ପରେ ତୋ ପାଇଁ କ’ଣ ରହିବ କହିଲୁ ?” ସେ କିଛି ନ ଭାବି ଉତ୍ତର ଦିଏ- “ଖୁସି. . . ! ସାନବାବୁ ଖୁସି ହେଲେ ମୋତେ ବି ଖୁସି ଲାଗିବନି କି ? କେତେ ବୋକିଟାଏ ତୁ ଜେଜେମା’ । ଏଇ ସାମାନ୍ୟ କଥା ବି ବୁଝିପାରୁନୁ ତୁ ?”

ଏତିକି କହୁ କହୁ ମାଲିକ ମର୍ଣ୍ଣିୱାକରୁ ଫେରି ଆସିଥିଲେ । ଜେଜେମା’ ଓ ନାତୁଣୀ ଭିତରର ଝଗଡ଼ା ବି ଶୁଣିଲେ । ପ୍ରଥମ କରି ଫୁଟିଥିବା ନୀଳ ଗୋଲାପଟିକୁ ଦେଖି ଭାରି ଖୁସି ହେଲେ । ଲୀନାର ଏକା ଜିଦ୍- ସେ ଏଥିରୁ ଗୋଟାଏ ନେବ । ମାଲିକଙ୍କ ଠାରୁ ନୀଳଗୋଲାପଟିଏ ନେବାର ସ୍ୱୀକୃତି ପାଇ ସେ ବେଶ୍ ଖୁସି । ଅଫିସ୍ ଯିବାକୁ ସାନବାବୁ ରେଡ଼ି ହୋଇ ବାହାରକୁ ଆସୁଛନ୍ତି । ତାଙ୍କର ଯୋତା ମସ୍‌ମସ୍ ଶୁଭୁଛି ଦୂରରୁ । ସେ ବାହାର ଡ୍ରଇଂରୁମ୍ର ସ୍କ୍ରିନ୍ ଟେକି ବାହାରିବା କ୍ଷଣି ଲୀନା ଫୁଲ ଦେବାକୁ ଧାଇଁଲା । ସାନବାବୁ ଫୁଲଟିକୁ ଦେଖି କିଛି ସମୟ ରହିଗଲେ । ତା’ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ପଚାରିଲେ- “ଇଏ କ’ଣ ନୀଳ ଗୋଲାପ ? ଆଜି ନୂଆ କରି ତା’ହେଲେ ଗଛରେ ଫୁଟିଛି ?” ଲୀନା ମୁହଁ ତଳକୁ ପୋତି ହଁ ଭରିଲା ତା’ପରେ ସାନବାବୁ ଫୁଲଟିକୁ ତା’ ହାତରୁ ନେଇ ଖୁବ୍ ଖୁସିରେ ଚାଲିଗଲେ ତାଙ୍କ ବାଟରେ, ଚିରାଚରିତ ଭାବେ ଗାଡ଼ିରୁ ଧୂଆଁ ଉଡ଼େଇ । ତାଙ୍କ ଖୁସି ଦେଖି ଲୀନା ବି ଖୁବ୍ ଖୁସି ଆଜି । ସାନବାବୁ ଆଜି ତା’ ସହିତ ଧାଡ଼ିଟିଏ କଥା ହେଲେ, ଏଇଟା କ’ଣ ଗୋଟେ ପ୍ରାପ୍ତିଜନିତ ବିହ୍ୱଳତା ନୁହେଁ କି ତା’ ଲାଗି ? କାହିଁକି ସେ ସାନବାବୁଙ୍କ ସହିତ ଦି’ପଦ କଥା ହେଲେ ଏତେ ଶାନ୍ତି ପାଏ ? ଯଦିଓ ଆଜିକାଲି ତା’ ପିଲାଦିନ ଭଳି ସାନବାବୁ ତା’ ସହିତ କଥା ହୁଅନ୍ତିନି । ଆଗଠାରୁ ବି ନିରବ । ଅତି ଦରକାର ନହେଲେ ସେ କାହା ସହିତ ବି କଥା ହୁଅନ୍ତିନି । ଅହରହ ଖାଲି କାମ ଆଉ କାମ । ପିଲାଟି ଦିନରୁ ସେ ଏମିତି ବୋଲି ଜେଜେମା’ ଓ ମାଲିକାଣୀ କୁହନ୍ତି । ହେଲେ ଲୀନାକୁ ସାନବାବୁଙ୍କର ଏଭଳି ଗୁଣ ଜମାରୁ ଭଲ ଲାଗେନି । ସେ ବେଶି ନୁହଁ ଖାଲି ଦି’ପଦ କଥା ହେବାକୁ ଚାହେଁ ତାଙ୍କ ସହିତ । ଏମିତି କ’ଣଟା କ୍ଷତି ହୋଇଯାଉଛି ଯେ ତାଙ୍କର ପଦୁଟିଏ କଥା ହେଲେ ? କେବଳ ତାଙ୍କ ମୁହଁର ଭାବଭଙ୍ଗୀରୁ ତାଙ୍କର ଆବଶ୍ୟକତା ଓ ଉତ୍‌ଫୁଲ୍ଲିତ ହେବାର ସେ ଜାଣିପାରେ । ତାଙ୍କର କେବେ ପାଣିଗ୍ଲାସ୍‌ଟିଏ ଦରକାର । ତାଙ୍କୁ କେତେବେଳେ ଭୋକ ହୁଏ, କେତେବେଳେ ନିଦ ଲାଗେ, କେତେବେଳେ ଚା’ ଦରକାର ହୁଏ । ସେସବୁ ଲୀନା ଖୁବ୍ ଭଲ ଭାବରେ ଜାଣେ । ଏଥିପାଇଁ ମାଲିକାଣୀ ତାକୁ ଆଦର କରନ୍ତି । ଯଦିଓ ନିଜେ ଠିକ୍ ଭାବେ ମାଆର ଦାୟିତ୍ୱ ସମ୍ପାଦନ କରିପାରନ୍ତିନି । କାରଣ ତାଙ୍କ ପୁଅର ଦାୟିତ୍ୱ ଆଉ କେହି ତାଙ୍କ ଠାରୁ ବି ଢେର୍ ଭଲ ଭାବରେ ତୁଲାଇ ପାରୁଛି । ବେଳେବେଳେ ଅବସର ସମୟରେ ସେ ଲୀନାକୁ ପଚାରନ୍ତି- “ତୋ ସାନବାବୁ ଠିକ୍‌ରେ ଖିଆପିଆ କରୁଛି ନା ନାହିଁ ? ତା’ କଥା ବୁଝୁଛୁ ତ ଠିକ୍ ଭାବେ ?” ଲୀନା ଓଠ ଚିପି ହସେ ନିରବରେ । ସେ ରସିକତା କରି କହନ୍ତି- “ତୁ ଥିଲେ ମୋର ତା’ ଚିନ୍ତା ନାହିଁ । ମୁଁ ଜାଣେ ତୁ ମୋ’ଠାରୁ ବି ମୋ ପୁଅର ଦାୟିତ୍ୱ ବେଶ୍ ଭଲ ଭାବରେ ନେଇପାରିବୁ ।” ଲୀନାକୁ ଏଇ କଥା ପଦିକ ଭାରି ଭଲ ଲାଗେ । ସେ ଯେପରି ଚାତକ ପରି ଚାହିଁଥାଏ ସାନବାବୁଙ୍କ ପାଇଁ ତାକୁ ସାବାସୀ ମିଳୁ ବୋଲି ।

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top