ଉପନ୍ୟାସ

ପ୍ରତୀକ୍ଷା

T.Durga Prasad Rao's Odia Novel Pratikshaa

କହିଲି – କାହିଁ କିଛି ତ ହେଇନି । ତମେ କୋଉଠି କିଛି ହେବାକୁ ଦଉଛ କି ? ଅବଶ୍ୟ ଦ୍ୱିତୀୟ ବାକ୍ୟଟି ମୁଁ ମନେ ମନେ ଉଚ୍ଚାରଣ କଲି ।

ପ୍ରତୀକ୍ଷା

-: ପୂର୍ବରୁ :-

ଲୋପାମୁଦ୍ରା ଓ ମୋର ଜୀବନର ରାସ୍ତା ଅଲଗା ନିର୍ଦ୍ଧାରିତ ହୋଇଥିଲା । ନହେଲେ ଗୋଟିଏ ମୋଡ଼ରେ ସେ କଣ ମୋ ଠାରୁ ଅଲଗା ହୋଇପାରନ୍ତା ?

ସେଦିନ ପ୍ରସାଦ କଥାରେ ମୁଁ ଯେମିତି ତାତି ଉଠିଥିଲି, ସେ ଆଉ କୌଣସି ଦିନ ମୋତେ ବୁଝାଇବା କଥା ମନକୁ ଆଣି ନ ଥିଲା ।

ଶ୍ରୀୟା କହିଥିଲା – ସମ୍ଭ୍ରମ୍ । ତମର ବନ୍ଧୁତ୍ୱ କଥା ମନେ ପକାଇ ମୁଁ ଚୁପ୍ ରହିଯାଉଛି । ହେଲେ ଲୋପାମୁଦ୍ରା ବିଷୟରେ ତମର ଏ ବିଷୋଦ୍.ଗାର … ଭାରି ଅସହ୍ୟ… କଣ ଜାଣିଛ ତମେ ଲୋପାମୁଦ୍ରା ବିଷୟରେ ?

– ହାଃ ହାଃ ହାଃ… ତମେ ସାର୍ଟିଫିକେଟ୍ ଦବ ଲୋପାମୁଦ୍ରାର ? ମୋ ଠାରୁ ତମେ ଅଧିକ ଚିହ୍ନିଛ ଲୋପାମୁଦ୍ରାକୁ ? ଅତି ସୁନ୍ଦର ! ମୁଁ ନାଟକୀୟ ହୋଇଉଠିଲି କିଛି ସମୟ ପାଇଁ । ଦୁଇ ହାତ ପାପୁଲିକୁ ଏକାଠି କରି ଖୁବ୍ ଜୋର୍‌ରେ ତାଳି ମାରିଲି । ମୋ ଆଖିରେ ଯେମିତି ତାଚ୍ଛଲ୍ୟ ଫୁଟି ଉଠୁଥିଲା । ମୁଁ ଆହୁରି କିଛି ଶୁଣାଇବାକୁ ଉଦ୍ୟତ ହେଉଛି ପ୍ରସାଦ ଶ୍ରୀୟା ଉଦ୍ଦେଶ୍ୟରେ କହିଲା – ଛାଡ଼, ତାର ଆଜି ମାନସିକ ଅବସ୍ଥା ଠିକ୍ ନାହିଁ । ତାକୁ କିଛି ସମୟ ଏକୁଟିଆ ଛାଡ଼ି ଦେବା ହିଁ ଉଚିତ୍ ହେବ । ସେମାନେ ଯିବାକୁ ଉଦ୍ୟତ ହେଲେ ।

– ଆରେ, ଶୁଣିଯାଅ ନା… ତମେମାନେ ପରା ବେଶୀ ଜାଣୁଛ ? ଏତିକି ଜାଣି ପାରୁନାହଁ । ଏଠି ଜଣେ କୁହୁଳି କୁହୁଳି ପାଉଁଶ ହେବାକୁ ବସିଲାଣି, ଆଉ ତମେ ପାଣି ଢ଼ାଳିବା ପରିବର୍ତ୍ତେ ନିଆଁ ଲଗାଇବା ଲୋକର ସପକ୍ଷରେ ସଫେଇ ଦେଉଛ ?

ପ୍ରସାଦ ଓ ଶ୍ରୀୟା ଚାଲିଗଲେ । ମୁଁ କାଠଯୋଡ଼ିର କୂଳରେ ଏକୁଟିଆ ଆକାଶକୁ ଚାହିଁ ବସି ରହିଥିଲି । ଆକାଶ ପରି ନିର୍ଲିପ୍ତ ହୋଇ ପାରୁନଥିଲା ମୋର ମନ । ଅନେକ ଦ୍ୱନ୍ଦ୍ୱ, ଅନେକ ଅବୁଝା ଆଲୋଡ଼ନ ସେ ମନରେ । ଭାବୁଥିଲି ୟା ଭିତରେ କେଉଁଠି ଯେମିତି ଭୁଲ୍‌ଟିଏ ହୋଇଯାଇଛି । ବର୍ତ୍ତମାନର ଏ ପରିସ୍ଥିତି ପାଇଁ କାହାକୁ ଦାୟୀ କରିବି, କିଛି ଭାବି ପାରୁନଥିଲି । ଏଣେ ପ୍ରସାଦ, ସତୀଶ୍, ଶ୍ରୀୟା ଏମାନଙ୍କ ଉପରେ ରାଗି ମନର ଅବସାଦ ମେଣ୍ଟାଉଥିଲି । ମୋ ବନ୍ଧୁମାନେ ମୋତେ କଣ କହିବାକୁ ଚାହୁଁଛନ୍ତି ବୁଝିବାକୁ ମୁଁ ଯେମିତି ପ୍ରସ୍ତୁତ ନ ଥିଲି । ମନଟା ଚିଡ୍ ଚିଡ୍ ହୋଇ ଉଠୁଥିଲା ଅନେକ ସମୟରେ । କିନ୍ତୁ କାହିଁକି ? ସେ ପ୍ରଶ୍ନର ଉତ୍ତର ଏତେ ସ୍ପଷ୍ଟ ନ ଥିଲା । ମୁଁ କୁହୁଡ଼ିରେ ଭାସୁଥିଲି । ତେବେ ଲୋପାମୁଦ୍ରା ମୋ ହୃଦୟର ଏକମାତ୍ର ସାମ୍ରାଜ୍ଞୀ ଥିଲା ଆଉ ରହିବ । ଦ୍ୱିଧାଟା କେଉଁଠି ମୋ ବୁଝିବାର ବାହାରେ ଥିଲା ।

– ସମ୍ଭ୍ରମ ?

ହଠାତ୍ ଲୋପାମୁଦ୍ରାର ମୋ ପ୍ରତି ପ୍ରଶ୍ନବାଚୀର ଚାହାଣୀକୁ ମୁଁ ଯେମିତି ବିସ୍ମୟ ବିସ୍ଫାରିତ ନେତ୍ରରେ ସେଦିନ ଚାହିଁ ରହିଥିଲି ।

କିଛିକ୍ଷଣ ପରେ ଲୋପାମୁଦ୍ରା କରିଡୋର୍‌କୁ ଅଙ୍ଗୁଳି ନିର୍ଦ୍ଦେଶ କଲା । ମୁଁ ଦେଖିଲି, ସତୀଶ୍ ମୋତେ ହାତଠାରି ଡାକୁଛି । ମୁଁ ଲୋପାମୁଦ୍ରା ଆଡ଼କୁ ଆଉ ଥରେ ଦୃଷ୍ଟି ନିକ୍ଷେପ କରି ଉଠିଲି । ସତୀଶ୍ ଆଡ଼କୁ ଅଗ୍ରସର ହେଉ ହେଉ ଲୋପାମୁଦ୍ରାକୁ ଧନ୍ୟବାଦ ଜଣାଇବାକୁ ଭୁଲିଲି ନାହିଁ ।

ସତୀଶ୍ କହିଲା – ଏ କ୍ଲାସ୍ ହେଲା ଭଳି ନାହିଁ । ଅରୁଣା ମ୍ୟାଡାମ୍ କଲେଜ୍‌କୁ ଆସି ନାହାନ୍ତି । ମୁଁ ରୁମ୍‌କୁ ଫେରୁଛି । ତୁ ଯଦି ଆସିବୁ ତାହେଲେ ଚାଲ୍ । ବସି ବସି ବୋର୍ ହେବା ଅପେକ୍ଷା ଫ୍ରେସ୍ ହୋଇ ବ୍ୟାଣ୍ଡିଟ୍ କୁଇନ୍ ଦେଖିଯିବା । ବ୍ୟାଣ୍ଡିଟ୍ କୁଇନ୍ ନାଁଟା ଶୁଣିଲା କ୍ଷଣି ପାଖରେ ଠିଆ ହୋଇଥିବା ଜଣେ ସହପାଠୀ ଉତ୍ସୁକତାର ସହ କହିଲା – ଏ ଚାଲନା, ମୁଁ ବି ସାଙ୍ଗରେ ଯିବି । ଶୁଣିଛି ମୁଭି ବଡ଼ ଜବରଦସ୍ତ ହୋଇଛି । ରାକେଶ୍ ଆଉ ଶଙ୍କର ଗତ କାଲି ଦେଖି ଆସିଛନ୍ତି ।

ମୋର ଯିବାକୁ ଇଚ୍ଛା ହେଉ ନ ଥିଲା । ପ୍ରକୃତରେ ସିନେମା ଯିବାର ଇଚ୍ଛା ନ ଥିଲା କହିଲେ ଭୁଲ୍ ହେବ । କିନ୍ତୁ ସେଦିନ କାହିଁକି କ୍ଲାସ୍‌ରୁମ୍ ଛାଡ଼ିବାକୁ ଇଚ୍ଛା ହେଉ ନ ଥିଲା । ମୁଁ ମନେ ମନେ ଈଶ୍ୱରଙ୍କୁ ଡାକୁଥିଲି, ଅରୁଣା ମ୍ୟାଡାମ୍ ଆସନ୍ତୁ, କ୍ଲାସ୍ ନିଅନ୍ତୁ, ଆଉ ତିରିଶି ମିନିଟ୍ ଏମିତି ବିତିଯାଉ । ଆଉ ଥରେ ସେ ଲଳିତ ସ୍ୱର ଶୁଣିବାକୁ ମୋ କର୍ଣ୍ଣ ଯେମିତି ତନ୍ମୟ ହୋଇ ଉଠୁଥିଲା ।

ସତୀଶ୍ ଚାଲିଗଲା । ମୁଁ ଫେରିଲି ମୋ ସିଟ୍ ଆଡ଼କୁ । ସେଦିନ କିନ୍ତୁ ଆଉ କ୍ଲାସ୍ ହେଲା ନାହିଁ । ମୋ ସିଟ୍‌ରେ ବସିବାର କିଛିକ୍ଷଣରେ ହିଁ ଲୋପାମୁଦ୍ରା ଓ ତାର ସାଙ୍ଗମାନେ ବହିପତ୍ର ନେଇ କ୍ଲାସ୍‌ରୁମ୍‌ରୁ ବାହାରିଗଲେ । ଧୀରେ ଧୀରେ ଅନ୍ୟମାନେ ମଧ୍ୟ ବାହାରକୁ ବାହାରି ଆସିଲେ। ମୁଁ ମୋ ଡେସ୍କରୁ ନୋଟ୍ ବୁକ୍‌ଟା ଉଠାଇ ନେଇ ଲୋପାମୁଦ୍ରାକୁ ଅନୁସରଣ କଲି । ଯେଉଁ ନିର୍ଦ୍ଦିଷ୍ଟ ମୋଡ଼ରେ ମୋର ତାଙ୍କ ଠାରୁ ଅଲଗା ହେବା କଥା, ପାଦଟା କିନ୍ତୁ ଆପେ ଆପେ ତାଙ୍କର ଅନୁଧାବନ କରି ଚାଲିଥିଲା, ସେଇ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ସେମାନେ ରିକ୍ସାଟିଏ ଡାକି ସେଥିରେ ନ ଉଠିଛନ୍ତି ।

ଲୋପାମୁଦ୍ରାର ସାଙ୍ଗମାନଙ୍କ ଆଖିରେ ସିନା ମୁଁ ସେଦିନ ଧରାପଡ଼ି ନ ଥିଲି, କିନ୍ତୁ ଠିକ୍ ଧରାପଡ଼ିଥିଲି ସତୀଶ୍‌ର ଗୋଇନ୍ଦା ଆଖିରେ । ସତୀଶ୍ ସିନେମା ନ ଯାଇ ମୋରି ପଛେ ପଛେ ମୋ ଅଲକ୍ଷ୍ୟରେ ଯେ ଚାଲୁଥିଲା ମୁଁ ଜାଣି ପାରି ନ ଥିଲି ।

– ଶଃ ! ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ବେ ?

– କଣ ? ମୋ ଉଦ୍ଦେଶ୍ୟରେ କି ? ନିଜର ଭାବନାକୁ ଭିତରେ ଭିତରେ ଚାପି ରଖିବାକୁ ଚେଷ୍ଟା କରି କିଛି ନ ଜାଣିଲା ପରି ସତୀଶ୍‌କୁ ନ ଚାହିଁ ପଚାରିଲି ।

– ଆବେ, ଏଠି ତ ଆମେ ଦୁଇଟା ଅଛୁ । ତୋତେ ପଚାରୁନି ଆଉ କଣ ଏ ରାସ୍ତାକୁ ପଚାରୁଛି ।

– ହଁ କଣ ପଚାରୁଛୁ ? ମୁଁ ଟିକିଏ ରୁମାଲ୍‌ରେ ମୁହଁଟାକୁ ପୋଛି ପକାଇ ବେପରାୟ ହୋଇ କହିଲି ।

– ଆହା, କେଡ଼େ ସିଆଣିଆ ଦେଖିଲ ବନ୍ଧୁଟା ମୋର ! କିଛି ବି ଜାଣି ପାରୁନାହିଁ ।

ମୁଁ ଆଉ ମୋର ଭାବନାକୁ ଅଟକାଇ ପାରିଲି ନାହିଁ । ସତୀଶ୍ ମୋତେ ପୁରାପୁରି କଳି ସାରିଥିଲା । ଟିକିଏ ଲାଜେଇ ଯାଇ ହସିଦେଲି ।

– ଆରେ, ବାଃ କି ହସ ! କହି ଦେଇ ସତୀଶ୍ ସେ ରାସ୍ତା ଉପରେ ମୋତେ ଚାହିଁ ଘଡ଼ିଏ ଠିଆ ହୋଇଗଲା । ମୁଁ ତା ହାତ ଧରି ଟାଣିଲି ଚାଲିବାର କ୍ରମ ବଜାୟ ରଖିବା ଲାଗି । ଦୁହେଁ ହସ କୌତୁକରେ ଫାଟି ପଡ଼ିଲୁ ରାସ୍ତାସାରା । ରାସ୍ତାଯାକ ସତୀଶ୍ ମୋତେ ଚିଡ଼ୋଉଥାଏ ମୋର ରୋମିଓଗିରି ପାଇଁ ଆଉ ପଚାରୁଥାଏ ଲୋପାମୁଦ୍ରାର କଣ କଣ ସବୁ ମୋତେ ଆକୃଷ୍ଟ କରେ । ଥଟ୍ଟାତାମସା ତାର ଚାଲିଥାଏ ମୋତେ ଆଉ ଲୋପାମୁଦ୍ରାକୁ ନେଇ । ରୁମ୍‌ରେ ପହଞ୍ଚିବା ପୂର୍ବରୁ ମୁଁ ତାକୁ ହାତ ଯୋଡ଼ି ଅନୁନୟ କଲି ଏକଥା ଯେମିତି ଅନ୍ୟ କାହା କାନରେ ନ ପଡ଼େ । ନହେଲେ ଘରେ ନ ପଶୁଣୁ ଚାଳ ବାଜିଲା ପରି କଥା ହେବ । ସତୀଶ୍ କିନ୍ତୁ ଏ ଦିଗରେ ଖୁବ୍ ଭଦ୍ର ଓ ଭରସାର ପାତ୍ର । ସେ ଥରେ କଥା ଦେଲେ ପ୍ରାଣ ଚାଲିଯାଉ, ନିଶ୍ଚୟ ରଖିବ ।

ଏବେ ସତୀଶ୍ ଓ ମୋ ଭିତରେ ଲୋପାମୁଦ୍ରାର ସମ୍ପର୍କକୁ ନେଇ କିଛି ଅଛପା ନ ଥିଲା । ବରଂ ଏଇ ମଧୁର ଗୋପନୀୟତା ଆମର ବନ୍ଧୁତ୍ୱକୁ ଆଉ ଟିକିଏ ସୁଦୃଢ଼ କରି ଦେଇଥିଲା । ଲୋପାମୁଦ୍ରାକୁ ଦେଖିଲେ ହିଁ ସତୀଶ୍ ଆଖିରେ ଆଖିରେ ମୋତେ ଈଶାରା କରିଦିଏ। ମୁଁ ଦେଖେ ଲୋପାମୁଦ୍ରାକୁ ପାଖରୁ, ପୁଣି ଦୂରରୁ । ହୃଦୟର ଗଭୀରତାରୁ ତାକୁ ଅନୁଭବ କରିବାକୁ ଚେଷ୍ଟା କରେ । ପୁଣି ମନ ମସ୍ତିଷ୍କର ସବୁ ଶକ୍ତି ଖଟାଇ ତାକୁ, ତାର ଆଦବକାଇଦା, ମନୋଭାବ ଆଦିକୁ ବୁଝିବାକୁ ଚେଷ୍ଟା କରେ ।

ଦିନ ଗଡୁଥାଏ ମୁଁ ମନେ ମନେ ନିଜକୁ ପ୍ରସ୍ତୁତ କରାଉଥାଏ କେମିତି କଣ କରି ଲୋପାମୁଦ୍ରାର ନିକଟତର ହେବି । କହନ୍ତି ଭଲପାଇବା ମନରେ ଜାଗୁରିତ ହେବାକୁ ମାତ୍ର କ୍ଷଣଟିଏ ଲାଗେ । ମୁଁ ସେଇ କ୍ଷଣଟିକୁ ଅପେକ୍ଷା କରି ରହିଥାଏ କେଉଁଦିନ ଲୋପାମୁଦ୍ରାର ହୃଦୟ କୋଣରେ ଭଲପାଇବାର ବୀଜଟିଏ ମୋ ପାଇଁ ଅଙ୍କୁରିତ ହେବ ।

ଦଶହରାର ଲମ୍ବା ଛୁଟିରେ ମୁଁ ସେଥର ଘରକୁ ନ ଯାଇ ମାମୁଁ ଘରକୁ ଚାଲିଗଲି । ସାନମାମୁଁଙ୍କ ସହିତ ମୋର ଭାରି ଦୋସ୍ତି । ସାନମାମୁଁଙ୍କର ଥାଏ ଗୋଟିଏ ରେଡ଼ିଓ, ଟିଭି ମରାମତି ଦୋକାନ । ତାଙ୍କର ସେ ଦୋକାନରେ ତାଙ୍କ ସହିତ ସମୟ ବିତାଇବାକୁ ମୋତେ ଭାରି ଭଲ ଲାଗେ । ମୁଁ ଟିକିଏ ଖୁଡୁଖୁଡିଆ ପ୍ରକୃତିର ବୋଲି ସମସ୍ତେ କହନ୍ତି । ଦୋକାନରେ ବସି ମୁଁ ଟେପ୍ ରେକର୍ଡର୍ ବଜାଇ ଗୀତ ଶୁଣେ ଆଉ ମାମୁଁଙ୍କ ମରାମତି କାମକୁ ପଲକହୀନ ଭାବରେ ବସି ଦେଖେ । ତାଙ୍କର ପୁରୁଣା କିଛି ସର୍କିଟ୍ ବୋର୍ଡ୍ ଉଠାଇ ନିଜର ଏକ୍ସ୍.ପେରିମେଣ୍ଟ୍ ଚଳାଏ । ରେଜିଷ୍ଟର, କ୍ୟାପାସିଟର୍, ଟ୍ରାନ୍ଜିଷ୍ଟର୍ ଆଦି ବିଷୟରେ ମାମୁଁଙ୍କ ଠାରୁ କିଛି କିଛି ଜ୍ଞାନ ବି ପାଇଯାଏ । ମାମୁଁ ସକାଳ ନଅଟାରେ ଦୋକାନ ଖୋଲନ୍ତି, ରାତି ଆଠଟା ପୂର୍ବରୁ ବନ୍ଦ କରିଦିଅନ୍ତି । ମଝିରେ ଖରାବେଳେ ଖାଇବା ଛୁଟି ଘଣ୍ଟାଏ । ଭଲ ରୋଜଗାର ହୁଏ ମାମୁଁଙ୍କର । ଯେଉଁଦିନ ଗୋଟିଏ ଦିନରେ ଚାରି ପାଞ୍ଚଟା ଟିଭି ମରାମତି ସାରି ଡେଲିଭରି ଦିଅନ୍ତି, ସେଦିନ ମାମୁଁ ଖୁସିରେ ଉବୁଟୁବୁ ହୋଇ ମୋତେ ଦୋକାନ ପାଖରେ ଠିଆ କରେଇ ଦେଇ ଗଳି ଭିତର ମଦ ଭାଟି ଭିତରେ ପଶିଯାଆନ୍ତି । ଫେରିଲା ବେଳକୁ ତାଙ୍କ କଥାବାର୍ତ୍ତାରେ କିଛି ଠିକ୍ ଠିକଣା ରହେନାହିଁ । ଲାଗେ ଗୁଡ଼ିଏ ଅନାବଶ୍ୟକ କଥା କହୁଛନ୍ତି। କିଛି ବୁଝି ହୁଏନି ତାଙ୍କ କଥାରୁ । କଣ୍ଠସ୍ୱର ଅଧିକ ଗମ୍ଭୀର ହୋଇଯାଏ । ତେବେ ମୋ ପାଇଁ ଲାଞ୍ଚ ହିସାବରେ ଭଜା କାଜୁର ପୁଡ଼ିଆଟିଏ ମୋ ହାତରେ ଗୁଞ୍ଜି ଦିଅନ୍ତି । ଏମିତି ମାସରେ ତିନି ଚାରି ଥର ହିଁ ହୁଏ । ବାକି ଦିନ ମାନଙ୍କରେ ସେ ପୁରାପୁରି ଭଦ୍ର, ଅମାୟିକ । ଯେଉଁଥର ସେ ପିଇ ଦେଇ ଘରେ ପହଞ୍ଚନ୍ତି, ସେଦିନ ଖୁବ୍ ଭାବପ୍ରବଣ ମନେ ହୁଅନ୍ତି । ତାଙ୍କ ପାଟି କିଛି ମଞ୍ଜ କଥା କହିବ କହିବ ହୋଇ ଯେମିତି ଅନାବଶ୍ୟକ କଥାର ସୁଅରେ ଭାସିଯାଏ । ବେଳେ ବେଳେ ଅଖିଆ ଅପିଆ ଶୋଇଯାଆନ୍ତି ।

ସେଦିନ ବି ସେମିତି ସେ ନ ଖାଇ ନ ପିଇ ନିଶାରେ ଚୁର୍ ହୋଇ ଶୋଇଗଲେ । ମାଇଁ ଯେତେ ଡାକିଲେ ବି ଆଉ ଉଠିଲେ ନାହିଁ । ମାଇଁ ବି ଏସବୁ ଦେଖି ଦେଖି ଅଭ୍ୟସ୍ତ । ତାଙ୍କର ଓଜର ଆପତ୍ତି କିଛି ନାହିଁ । ସେ ସମସ୍ତଙ୍କୁ ବଢ଼ାବଢ଼ି କରି ବାସନକୁସନ ମାଜି ଦେଇ ମୋ ପାଇଁ ମାମୁଁଙ୍କ ପାଖରେ ବିଛଣାର ବ୍ୟବସ୍ଥା କରିଦେଲେ । ମୋତେ କିନ୍ତୁ ସେଥର ରାତି ସାରା ନିଦ ହେଲା ନାହିଁ । ମାମୁଁ ମଝିରେ ମଝିରେ ମୋତେ ଜାବୁଡ଼ି ଧରି ବିଳି ବିଳୋଉଥିଲେ । ମୋର ନିଦ ଯିବା ସମୟ ପାର ହୋଇ ଯାଇଥିବାରୁ ଆଉ ଭଲରେ ନିଦ ହେଲା ନାହିଁ । ରାତି ଯାକ ଛଟପଟ ହେଲା ପରେ ସକାଳ ସମୟରେ ମୋର ଆଖି ଲାଗି ଆସିଲା । ଉଠିଲା ବେଳକୁ ଘଡ଼ିରେ ନଅଟା । ମାମୁଁ ଜଳଖିଆ ଖାଇ ସାରି ହାତ ଧୋଉଥିଲେ ବେସିନ୍‌ରେ । ମୁଁ ମୁହଁଟାକୁ ଧୋଇବାକୁ ବେସିନ୍ ପାଖା ପାଖି ହୋଇ ତାଙ୍କ କାନ ପାଖରେ ପଚାରିଲି – ଲତା କିଏ କି ମାମୁଁ ? ମାମୁଁ ପୁରା ଚମକି ପଡ଼ିଲେ । ତାଙ୍କର ଇତସ୍ତତଃ ଚାହାଣୀ ଅନେକ କିଛି ବୟାନ କରୁଥିଲା । ସେ ମାଇଁଙ୍କ ଆଡ଼କୁ ତୀର୍ଯ୍ୟକ ଦୃଷ୍ଟିରେ ଥରେ ଚାହିଁ ଦେଇ ପାଟିରେ ଆଙ୍ଗୁଳି ରଖି ମାଇଁଙ୍କୁ କିଛି ନ କହିବା ପାଇଁ ଆଖିରେ ଆଖିରେ ଈଶାରା କଲେ । ତାପରେ ଟିକିଏ ହସି ଦେଇ କହିଲେ – ତୁ ଖାଇ ପିଇ ଦୋକାନକୁ ଆସେ କଥା ହେବା ।

ମୁଁ ଆଉ ଥୟ ଧରି ରହି ପାରୁନଥିଲି । ଯେଉଁ ମଞ୍ଜ କଥା ପ୍ରତିଥର ତାଙ୍କ ପାଟି ପାଖକୁ ଆସି ଅନ୍ୟ ଅନାବଶ୍ୟକ କଥାର ଢେଉରେ ଭାସି ଯାଉଥିଲା, ସେ କଥାଟିର ଅସଲ ଆମୂଳଚୁଳ ଇତିହାସ ଆଜି ତାଙ୍କର ନ କହି ଯେ ଉପାୟ ନାହିଁ ଜାଣି ପାରି ମୁଁ ଉତ୍କଣ୍ଠିତ ହୋଇ ଉଠିଥିଲି । ଯଥା ଶୀଘ୍ର ନିତ୍ୟକର୍ମ ସାରି ଦୋକାନ ଆଡ଼େ ବାହାରିଲି ।

ମାମୁଁ ଗୋଟିଏ ଟିଭିର ବୋର୍ଡକୁ କ୍ୟାବିନେଟ୍‌ରୁ ଅଧା ଟାଣିଦେଇ ମଲ୍ଟିମିଟର୍‌ରେ କିଛି ଚେକ୍ କରୁଥିଲେ । ମୋତେ ଦେଖି ବସିବା ପାଇଁ ଷ୍ଟୁଲ୍‌ଟେ ବଢ଼ାଇ ଦେଇ ପୁଣି ତାଙ୍କ କାମରେ ଲାଗିଗଲେ। ପ୍ରାୟ ଅଧା ଘଣ୍ଟା ପରେ ମଲ୍ଟିମିଟର୍‌କୁ ଗୋଟିଏ କଡ଼କୁ ଠେଲି ଦେଇ ମୋ ଆଡ଼କୁ ଚାହିଁ ଦେଇ ମୁରୁକି ହସିଦେଲେ । ମୁଁ ଚାହିଁଲି ମାମୁଁଙ୍କ ମୁହଁକୁ । ପ୍ରଥମ କରି ପ୍ରେମରେ ପଡ଼ିଲା ପରି ମୁହଁଟା ତାଙ୍କର ଉଜ୍ଜଳ ଦିଶୁଥିଲା । ମାମୁଁ ଆରମ୍ଭ କଲେ ତାଙ୍କର ଲତା ପ୍ରସଙ୍ଗ ।

“ଏଇଟା ମୁଁ ସ୍କୁଲ ପଢ଼ିବା ବେଳର କଥା । ସେତେବେଳେ ଏ ଗାଁ ଏତେ ବଡ଼ ନ ଥିଲା । ଏତେ ଦୋକାନ ବଜାର ବି ନ ଥିଲା । ଦେଖୁଛୁ ତ ଗାଁକୁ କେମିତି ପାହାଡ଼ ତିନି ଦିଗରୁ ଘେରି ରହିଛି । ତା ପାଦଦେଶରେ ଗାଁକୁ ଘେରି ଭରି ରହିଥିଲା କାଜୁ ଆଉ ଆମ୍ବ ତୋଟା। ଯାହା ଏବେ ପ୍ରାୟ ଆଉ ନାହିଁ କହିଲେ ଚଳେ । ଆମେ ଯେତେବେଳେ ପିଲା ଥିଲୁ ପ୍ରାୟ ଦିନ ଖରାବେଳଟାରେ ମେଳ ହୋଇ ଚାଲି ଆସୁଥିଲୁ ଏଇ ତୋଟା ଆଡ଼େ । ପଥର ମାରି ତଳେ ପକାଇ ଦେଉଥିଲୁ ଆମ୍ବ । ଆଉ ଲଙ୍କାଆମ୍ବ ତ ହାତ ପାହାନ୍ତାରେ । ଆମ୍ବ ଟିକିଏ ବଡ଼ ହୋଇ ଆସିଲା ବେଳକୁ ତୋଟା ଯାହାର ସେ ଜଗୁଆଳି ରଖନ୍ତି । ତେଣୁ ସେ ସମୟରେ ଆମେ ଜଗୁଆଳି ସହ ଲୁଚକାଳି ଖେଳ ଖେଳୁ । ତା ଅଗୋଚରରେ ଗଛରେ ଚଢ଼ି ବଡ଼ ବଡ଼ କଞ୍ଚା ଆମ୍ବ ସବୁ ତୋଳି ନେଉ । ବେଳେ ବେଳେ ଜଗୁଆଳି ଆମକୁ ଦେଖିପାରି ଠେଙ୍ଗା ଧରି ଗୋଡ଼ାଇ ଆସେ । ହେଲେ ବଳଦ କଣ ଠେକୁଆକୁ ଧରି ପାରିବ ? ଆମେ ସବୁ ସହଜରେ ଖସି ପାର ହୋଇଯାଉ । ହେଲେ ଦିନକର କଥା ମୋତେ ସେ ଧରି ପକାଇବାରେ ସମର୍ଥ ହୋଇଗଲା । ଗଛରୁ ପଡ଼ି ମୋର ଯେହେତୁ ଗୋଡ଼ ମକଚି ଯାଇଥିଲା, ମୁଁ ଆଉ ଅନ୍ୟମାନଙ୍କ ସହ ତାଳ ଦେଇ ଚାଲି ପାରି ନଥିଲି । ସେ ଦୌଡ଼ି ଆସି ଯେମିତି ଠେଙ୍ଗା ଉଞ୍ଚାଇ ମୋ ପିଠିରେ ଜୋର୍ କରି ପାହାରଟେ ବସାଇବାକୁ ଉଦ୍ୟତ ହେଲା ସେ ପାହାରର ଆଘାତର ଗଭୀରତାକୁ ଆକଳନ କରି ମୁଁ ଭୟରେ ଆଖି ବୁଜି ଦେଲି । ପାହାର ଶବ୍ଦ ତ ମୋତେ ଠିକ୍ ଶୁଭିଲା ହେଲେ ମୋତେ କେଉଁଠି କିଛି କଷ୍ଟ ହେଉନଥିଲା । ଆଖି ଖୋଲି ଦେଖେ ତ ଲତା ମୋ ପଛରେ ଠିଆ ହୋଇ ସେ ପାହାରକୁ ନିଜ ଉପରକୁ ନେଇ ସାରିଛି । ଆଉ ଆଶ୍ଚର୍ଯ୍ୟ କଥା କଣ ଜାଣୁ… ”
ଜଣେ ଗ୍ରାହକ ଆସୁଥିବାର ଦେଖି ମାମୁଁ କଥା ବନ୍ଦ କରି ସେଆଡ଼କୁ ଚାହିଁଲେ । ଲୋକଟା ଭିତରେ ଆସି ମାମୁଁଙ୍କୁ ଲାଗି ବସିଲା ଆଉ ଏକ ଷ୍ଟୁଲ୍‌ରେ । ମାମୁଁଙ୍କର ଚିହ୍ନା । ବସୁ ବସୁ କହିଲା – କଣ ମୋ ଟିଭି ଆଜି ହବ ତ ? ଛୁଟିରେ ସବୁ ନାତି ନାତୁଣୀ ଘରେ ହାଜର । ଟିଭିଟା ନ ଥିଲେ ତାଙ୍କର କୁଆଡ଼େ ସମୟ କଟୁନି । ସକାଳଠୁ ଘରଣୀ ଲଗେଇଛି ବୁଝି ଆସିବାକୁ । ହେଲେ ମୋତେ ସମୟ କାହିଁ? ଏବେ ଟିକେ ସମୟ ପାଇଲି ତ ତୋ ପାଖକୁ ଆସିଲି । ଲୋକଟା ଏମିତି କଥା ସବୁ ବାଗେଇ କହିଲା ସତେ ଯେମିତି ସେ ଏ ଜିଲ୍ଲାର ଜିଲ୍ଲାପାଳ, ସାରା ଜିଲ୍ଲାର କାମ ଯେତେକ ସେ ମୁଣ୍ଡେଇ ବସିଛି । ମୋଟରୁ ସମୟ ନାହିଁ । ଅଥଚ ଗପ ଏମିତି ଚାଲିଲା, ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ଚୟନଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ଯାଏଁ ଥମିବାର ନାଁ ଧରୁନଥିଲା । ମୁଁ ଧରିନେଲି ଆଜି ଆଉ ଲତା ପ୍ରସଙ୍ଗ ସମ୍ପୂର୍ଣ୍ଣ ହେବା ସମ୍ଭବ ନୁହେଁ । ମୁଁ ବିରକ୍ତ ହୋଇ ସାରିଥିଲି। ହେଲେ ଲୋକଟା ଜମା ସେଠାରୁ ଚଙ୍କୁ ନଥାଏ । ବାଧ୍ୟ ହୋଇ ମୁଁ ଉଠି ପଡ଼ି ବଜାର ଆଡ଼େ ଘେରାଏ ବୁଲି ଆସିବା ଉଚିତ୍ ମନେ କଲି ।

ସେଦିନ ସତକୁ ସତ ଲତା ପ୍ରସଙ୍ଗ ଆଉ ଆଗକୁ ବଢ଼ି ପାରିଲା ନାହିଁ । ମାମୁଁଙ୍କର କାମ ଭିଡ଼ ବଢ଼ି ଯାଇଥିଲା । ଲୋକମାନେ ବ୍ୟସ୍ତ କରୁଥିଲେ ନିଜ ନିଜର ଟିଭି ସଜାଡ଼ି ନେବା ପାଇଁ । ସବୁଦିନ ଅପେକ୍ଷା ସେଦିନ ଘରକୁ ଫେରିଲେ ବି ଡେରିରେ । ହାଲିଆ ହୋଇ ଖାଇ ପିଇ ଶୋଇ ପଡ଼ିଲେ ମୋ ମନର ଉତ୍କଣ୍ଠାକୁ ପ୍ରଶମିତ ହେବାକୁ ନ ଦେଇ ।

ଆର ଦିନ ସକାଳେ ମୁଁ ମାମୁଁଙ୍କୁ ମନେ ପକାଇଦେଲି – ମାମୁଁ କାହାଣୀ ଅଧା ରହିଗଲା ଯେ… । ମାମୁଁ ଟିକିଏ ହସିଦେଇ ମୁଣ୍ଡ ଟୁଙ୍ଗାରି ଆଖିରେ ଈଶାରେ କଲେ ଯେ ଦୋକାନରେ ବାକି ଅଧକ ଶୁଣାଇବେ ।

ଦୋକାନରେ ପହଞ୍ଚି ଦୋକାନ ଝାଡ଼ଝୁଡ଼ କରି ଧୂପ ଟିକିଏ ଠାକୁରଙ୍କ ପାଖରେ ଲଗାଇ ମାମୁଁ ବସିଲେ । ପଚାରିଲେ – ହଁ, କେଉଁଠି ରହିଲା ?

ମୁଁ ମନେ ପକାଇ ଦେଇ କହିଲି – ପାହାରଟା ଲତା ପିଠିରେ ବସିଗଲା ।

“ହଁ, ଲତା ମୋ ପଛରେ କେତେବେଳେ ଠିଆ ହୋଇ ପଡ଼ିଛି ଆଉ ସେ ପାହାର ମୋତେ ନ ବାଜି ତା ପିଠିରେ ବାଜିଛି ମୁଁ ଯେତେବେଳେ ପଛକୁ ଫେରି ଚାହିଁଲି ଜାଣିପାରିଲି । ହେଲେ ଲତା ପାଟିରୁ ଏତେ ଟିକିଏ କଷ୍ଟ ସୂଚକ ଶବ୍ଦ ବାହାରିଲା ନାହିଁ । ସେଇ ପାହାରର ପ୍ରଭାବରେ ଲତା ତିନିଦିନ ପର୍ଯ୍ୟନ୍ତ ଚାଲିବାକୁ ସକ୍ଷମ ହୋଇ ପାରିଲା ନାହିଁ । ତା ପରଠାରୁ ଲତାକୁ ଦେଖିଲେ କେମିତି ଗୋଟିଏ ଆପଣାର ଆପଣାର ଲାଗେ । ଆଉ ସେ ଘଟଣାଟା ପାଇଁ ମୋତେ ସେ କେବେ ହେଲେ ତା ପ୍ରତି କୃତଜ୍ଞ ରହିବାର ଅନୁଭବ ହେବାକୁ ଦେଇନାହିଁ । ଦିନେ ଏମିତି ଲତା ସହ ଏକୁଟିଆ ଥିଲା ବେଳେ ଭାବବିହ୍ୱଳ ହୋଇ ପଚାରିଦେଲି – ମୋ ପାଇଁ ତୁ ପିଠି ଦେଖେଇବା କଣ ଦରକାର ଥିଲା ? ମୋ ପାଇଁ ତୋର ଏତେ ଦରଦ କାହିଁକି ? ଲତା ଲାଜୁରା ଆଖିରେ ମୋ ଆଡ଼େ ଚାହିଁ କହିଲା – ଉଁ, ମୁଁ କି ଜାଣେ ? ସେତେବେଳେ ସେମିତି ମନେ ହେଲା, ପିଠି ଦେଖେଇଦେଲି । ମୁଁ ସେତେବେଳେ ବୁଝି ପାରିନଥିଲି ଲତା କଣ କହିବାକୁ ଚାହୁଁଛି । ଝିଅମାନେ ବୟସ ତୁଳନାରେ ଜ୍ଞାନୀ ହୋଇଉଠନ୍ତି । ଆଉ ପୁଅମାନେ ସାଧାରଣତଃ ତାଙ୍କ ସମବୟସ୍କ ଝିଅମାନଙ୍କ ଠାରୁ ସବୁ ବିଷୟରେ କମ୍ ବୁଝନ୍ତି । ହେଲେ ବୟସ ବଢ଼ିବା ସହିତ ଧିରେ ଧିରେ ମୁଁ ବୁଝି ପାରିଲି ଲତା ମନ ତଳର ଅଭିସନ୍ଧିତ୍ସା । ସେତେବେଳକୁ କିନ୍ତୁ ଲତା ବଡ଼ ହୋଇ ସାରିଥିଲା ଅନେକ । ତାକୁ ସବୁ କ୍ଷେତ୍ରରେ ଆକଟ, କଟକଣା । ପୂର୍ବ ପରି ସେ ମୋ ସହ ପ୍ରଗଳ୍ଭ ହୋଇ ପାରୁନଥିଲା । ଆଉ ଆସୁନଥିଲା ମୋ ସାଙ୍ଗରେ ତୋଟାମାଳରେ ବୁଲି ଆମ୍ବ ତୋଳିବାକୁ । ମୋତେ ଦେଖିଲେ ହିଁ ଯେମିତି ଲାଜେଇ ଯାଉଥିଲା । ଲୁଚି ଯାଉଥିଲା ଆଖି ଉହାଡ଼ରୁ । ତାର ସେ ପ୍ରତିକ୍ରିୟା ମୋତେ ତା ନିକଟକୁ ଆହୁରି ଆହୁରି ଭିଡ଼ି ନେଉଥିଲା । ମ୍ୟାଟ୍ରିକୁଲେସନ୍ ପରେ ତାର ପାଠରେ ଡୋରି ବନ୍ଧା ହେଲା । ଏଣିକି ତାକୁ ଟିକିଏ ଦେଖିବା ପାଇଁ ମୁଁ ତରସିଗଲି । ପ୍ରାୟ ସମୟ ମନଟା ଛଟପଟ ହେଲା ତାକୁ ଦେଖିବା ପାଇଁ । କିଛି ନା କିଛି ବାହାନା କରି ସାଇକେଲ୍ ନେଇ ମୁଁ ତା ଘର ସାମ୍ନାରେ ପଇଁତରା ମାରୁଥିଲି । ସେ କେତେବେଳେ ଲୁଗା ଶୁଖାଇବା ବାହାନାରେ ତ କେତେବେଳେ ଗଉଡ଼ଠାରୁ କ୍ଷୀର ନେବା ବାହାନାରେ ଦାଣ୍ଡ ପିଣ୍ଡାକୁ ଚାଲି ଆସୁଥିଲା । ବାସ୍, ସେଇ ସେତିକି ଦେଖିଦେଲେ ମୋ ଭିତରଟା ପୁରିଲା ପୁରିଲା ପରି ଲାଗୁଥିଲା । ଦିନେ ସକାଳ ସମୟ ମନ୍ଦିର ପାଖ ମଇଦାନରେ ଆମେ ଟୋକାଦଳ କ୍ରିକେଟ୍ ଖେଳୁଛୁ, ବଲ୍ ଗଡ଼ିଗଲା ଖଣ୍ଡେ ଦୂରକୁ, ମନ୍ଦିର ପଛପଟକୁ । ଖୋଜି ଖୋଜି ମୁଁ ମନ୍ଦିର ପଛପାଖ ରୋଷେଇ ପିଣ୍ଡା ତଳେ ଯାଇ ପହଞ୍ଚିଲି । ସେଇଠି କିଏ ଜଣେ ମୋ ହାତଟାକୁ ଭିଡ଼ି ନେଲା ଆଉ ଟିକିଏ ଉହାଡ଼କୁ । ଅତର୍କିତ କଣ କିଛି ଘଟି ଯାଉଛି ଭାବି ମୋ ପାଟିରୁ ଆଃ ବୋଲି ଶବ୍ଦଟିଏ ଉଚ୍ଚାରିତ ହେବାକୁ ଯାଉଛି, କୋମଳ କିଛି ଅଙ୍ଗୁଳି ଚାପି ହୋଇଗଲା ମୋ ଓଠ ଉପରେ । ବୁଲି ଦେଖିଲା ବେଳକୁ ଲତା । ଶାଢ଼ୀ ପିନ୍ଧି ବେଶଭୂଷା ହୋଇ ଗୋଟିଏ ହାତରେ ପୂଜା ଥାଳି ଧରି ଠିଆ ହୋଇଛି । ଅତି ପାଖରୁ ଲତାକୁ ଦେଖି ମୁଁ ଆଖିକୁ ବିଶ୍ୱାସ କରି ପାରୁନଥିଲି । ଲତା ଯେ ଦେଖିବାକୁ ଏତେ ସୁନ୍ଦର, ସେଦିନ ମୁଁ ପ୍ରଥମ କରି ଅନୁଭବ କଲି । ତା ଚେହେରା ଉପରୁ ମୋ ଆଖିଯୋଡ଼ିକ ହଟୁନଥିଲା । ସେ ବି ମୋ ଆଖିରେ ଆଖି ମିଶାଇ ଚାହିଁ ରହିଲା କିଛିକ୍ଷଣ । ସତେ ଯେମିତି ଅନେକ ଦିନର ତୃଷାର୍ତ୍ତ ଚକୋର ଚକୋରୀ ଅପେକ୍ଷା କରି ରହିଥିଲେ ବର୍ଷା ବୁନ୍ଦା ପାଇଁ । ଅଦ୍ଭୁତ ସେ ଆଖିର ଯାଦୁ । ନିଶା ଖାଇଲା ପରି ବାଉଳା ଲାଗିଲା ମୋତେ । ମୋ ହାତରେ ନଡ଼ିଆ ଖଣ୍ଡେ ଧରାଇ ଏପଟ ସେପଟ ଚାହିଁ ଗାଲରେ ଚୁପ୍ କିନା ଚୁମାଟିଏ ଆଙ୍କି ଦେଇ ତରତରରେ ଫେରି ଯାଉ ଯାଉ କହିଲା ଆଜି ରାତି ସାତଟାରେ ଏଇଠି ଦେଖା ହେବା । ଲତା ଓଠର ସେ ପ୍ରଥମ ସ୍ପର୍ଶ ଗାଲରେ ନୁହେଁ ସିଧା ମୋ ଛାତିରେ ଯାଇ ବାଜିଲା । ମୁଁ ମୋ ଛାତିଟାକୁ ଧରି ସେଇଠି ସେ ରୋଷେଇ ପିଣ୍ଡା ଉପରେ ଗଡ଼ି ପଡ଼ିଲି । ସେପଟୁ କିଏ ଜଣେ ପାଟି କଲା – ଆରେ ମିଳିଲା କି ? ମୋତେ ଆଉ ବଲ୍ କଣ ମିଳିବ ? ସେଦିନ ଯେମିତି ମୋର ଆଉ କଣ କଣ ସବୁ ହଜି ଯାଇଥିଲା, ଯାହାକୁ ମୁଁ ଖୋଜି ହେଉଥିଲି ରାତି ସାତଟା ଯାଏଁ ।”

ମୁଁ ହାଁ କରି ଚାହିଁଥିଲି ମାମୁଁଙ୍କ ପାଟିଟାକୁ । ମାମୁଁ ଉଠି ଠିଆ ହେଲେ । ପାଖ ହୋଟେଲ୍‌ର ନନାକୁ ଚାହା ପଠାଇବା ପାଇଁ କହିଦେଇ ପୁଣି ଆସି ବସିଲେ ଷ୍ଟୁଲ୍‌ଟାରେ । ମୁଁ ଟିକିଏ ଅଧୈର୍ଯ୍ୟ ହୋଇ ପଚାରିଲି – ତାପରେ କଣ ହେଲା ? ରାତିରେ ଲତା ଆସିଲା ? ମୋ ମନର କୌତୁହଳକୁ ଲକ୍ଷ୍ୟ କରି ମାମୁଁ ହସିଲେ । କହିଲେ- ଆସିଲା, ହେଲେ ଏକା ନୁହେଁ । ତା ସାଙ୍ଗରେ ଆସିଲେ ତାର ବାପା, ମାଆ, ଦୁଇ ଭାଇ, ଜେଜିମା ଆହୁରି ଜ୍ଞାତି ସମ୍ପର୍କୀୟ । ତାଙ୍କର ସେଦିନ ସେ ମନ୍ଦିରରେ ପୂଜା ଥିଲା ରାତି ସାତଟାରୁ ସାଢ଼େ ନଅଟା ପର୍ଯ୍ୟନ୍ତ । ମୁଁ କେବଳ ଦୂରରୁ ଯାହା ଦେଖିଲି ଲତାକୁ । ଏତେ ଲୋକଙ୍କ ଭିଡ଼ରେ ପାଖକୁ ଯିବାକୁ ଭରସି ପାରିଲି ନାହିଁ । ଲତା ମଧ୍ୟ ସୁଯୋଗ ଉଣ୍ଡୁଥିଲା । କାହିଁକି ନା ସେ ମଝିରେ ମଝିରେ ଉଦାସୀନୀ ଆଖିରେ ମୋ ଆଡ଼କୁ ଚାହିଁ ଦେଇ ମୁହଁ ଫେରାଇ ନେବା ମୁଁ ଦୂରରୁ ଥାଇ ଲକ୍ଷ୍ୟ କରି ପାରୁଥିଲି । ସେଦିନ ଆମେ ଦୁହେଁ ଆଉ ଏକାନ୍ତ ପାଇଲୁ ନାହିଁ ।

ମାମୁଁଙ୍କ ଅପେକ୍ଷା ମୋ ମୁହଁରେ ନିରାଶାର ଚିହ୍ନ ବେଶି ଫୁଟି ଉଠୁଥିଲା । ମୋର ମନେ ହେଉଥିଲା, ସେ ମୁହୁର୍ତ୍ତରେ ମୁଁ ଯେମିତି ସେ ଦୁହିଁଙ୍କୁ ଲକ୍ଷ୍ୟ କରି ବସି ରହିଥିଲି ମନ୍ଦିର ପ୍ରାଙ୍ଗଣରେ । ଦୁଇଜଣଙ୍କ ମନ, ହୃଦୟ ସେଦିନ ପରସ୍ପର ପାଇଁ କେତେ ବ୍ୟାକୁଳିତ ହୋଇ ଉଠିଥିବ ମୁଁ ଅନୁଭବ କରି ପାରୁଥିଲି ।

ପିଲାଟିଏ ଆସି ଚାହା ଦେଇଗଲା । ମୁଁ ଚାହା ପିଏ ନାହିଁ । ମାମୁଁ ଦଶ ଟଙ୍କାର ନୋଟ୍‌ଟିଏ ମୋ ହାତକୁ ବଢ଼ାଇ ଦେଇ କହିଲେ – ଯା ତୋ ପାଇଁ କିଛି ନେଇ ଆସିବୁ । ମୁଁ ଦଶ ଟଙ୍କାଟା ପକେଟ୍‌ରେ ପୁରାଇ ଦେଇ କହିଲି -ଏବେ ନୁହେଁ, ପରେ । ମାମୁଁ ଚାହାଟା ପିଇସାରି ହଠାତ୍ ଉଠି ଠିଆ ହୋଇ ପଡ଼ି କହିଲେ- ଲତାକୁ ଦେଖିବୁ ? ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଲି । ମୁଁ ଜାଣି ପାରିଲି ମାମୁଁ ପୁରାପୁରି ଭାବପ୍ରବଣ ହୋଇ ପଡ଼ିଛନ୍ତି ଲତାକୁ ନେଇ ତାଙ୍କ ଜୀବନ କାହାଣୀ ବାଢ଼ୁ ବାଢ଼ୁ । ତେବେ ଏବେ ଲତା କେଉଁଠି ଥିବ ଯେ ସେ ମୋତେ ନେଇ ଦେଖାଇବେ ! ମାମୁଁ ମୋର ବିସ୍ମୟ ଭାବକୁ ବାରି ପାରି କହିଲେ – କାଲି ଯେଉଁ ଭଦ୍ରଲୋକ ଆସିଥିଲେ, ସେ ହେଉଛନ୍ତି ଲତାର ବାପା । ଲତା ଛୁଟିରେ ପିଲାଛୁଆ ନେଇ ମା ଘରକୁ ଆସିଛି । ତାଙ୍କର ଟିଭି ଲଗାଇବା ବାହାନାରେ ଲତାକୁ ମୁଁ ତୋତେ ଦେଖାଇ ଦେଇପାରେ । ମୁଁ କହିଲି – ଟିଭି କଣ ସେମାନେ ନିଜେ ଲଗାଇ ପାରିବେ ନାହିଁ ? ତମେ ନେଇ ପହଞ୍ଚିଲେ ତାଙ୍କର କଣ ସନ୍ଦେହ ହେବନି ? ମାମୁଁ ମୋ ମୁଣ୍ଡର ବାଳକୁ ସାଉଁଳି ଦେଇ କହିଲେ – ଟିଭି ତ ମୋତେ ହିଁ ଲଗାଇବାକୁ ହେବ । କାରଣ ଟିଭିରେ ଆଣ୍ଟେନା, ବୁଷ୍ଟର, ଷ୍ଟାବିଲାଇଜର୍ ସବୁ କନେକ୍ସନ୍ ଦେବାକୁ ହୁଏ । କେମିତି ଦେବାକୁ ହୁଏ, ସେକଥା ମଉସା କି ତାଙ୍କର ପୁଅମାନେ କେହି ବୁଝନ୍ତି ନାହିଁ । ମୋ ମୁହଁଟା ଉଜ୍ଜଳ ଦିଶିଲା । ଏଇଥିପାଇଁ ଉଜ୍ଜଳ ଦିଶିଲା ଯେ ମୁଁ ତ ଦେଖିବି ଦେଖିବି, ବିରହ ବିଧୁରା ମାମୁଁ ବି ଲତାର ଗୋଟିଏ ଝଲକ ସେ ବାହାନାରେ ଦେଖିପାରିବେ । ଏବେ ଏତେଦିନ ପରେ ସେମାନଙ୍କ ମଧ୍ୟରେ କଣ ସବୁ କଥାବାର୍ତ୍ତା ଚାଲିବ ଦେଖିବାକୁ ଖାଲି ବାକି ରହିଲା ।

ମାମୁଁ ଟିଭିଟାକୁ ବାହାର କରି ଦୋକାନ ତାଲା ପକାଇଲେ । ମୋତେ କହିଲେ – ଧରି ବସି ପାରିବୁ ତ ? ମାମୁଁଙ୍କର ଥିଲା ଏମ୍‌.ଏଇଟି ଗାଡ଼ି । ନୂଆ ନୂଆ କିଣି ଥାନ୍ତି । ମୁଁ ମୁଣ୍ଡ ଟୁଙ୍ଗାରିଦେଲି । କଷ୍ଟେ ମଷ୍ଟେ ଓଜନିଆ ଟିଭିଟାକୁ ଫାଳେ ଜଙ୍ଘ ଉପରେ ରଖି ମୁଁ ବସିଲି ଗାଡ଼ିରେ । ମାମୁଁ ଖୁବ୍ ସନ୍ତର୍ପଣରେ ଗାଡ଼ି ଚଲେଇ ଆବୁଡ଼ା ଖାବୁଡ଼ା ରାସ୍ତା ପାର ହୋଇ ପହଞ୍ଚିଲେ ଯାଇ ଲତା ଘର ଦୁଆରେ । ସେଇଠୁ ହିଁ ଡାକ ଛାଡ଼ିଲେ ଲତାର ଭାଇ ଉଦ୍ଦେଶ୍ୟରେ । ଲତାର ଭାଇ ଘର ଭିତରୁ ଲୁଙ୍ଗି ଆଉ ଗେଞ୍ଜିରେ ପଦାକୁ ବାହାରି ଆସି ଟିଭିଟାକୁ ମୋ ହାତରୁ ନେଇ ଆମକୁ ଡାକିଦେଇ ଘର ଭିତରକୁ ଗଲା ।

ଘର ଭିତରେ ପଶୁ ପଶୁ ମୋର ନଜର ପଡ଼ିଲା ଦାଣ୍ଡ ଘରଟାରେ କିଏ ଜଣେ ମହିଳା ତାର ଛୁଆକୁ ବସି ଖୁଆଉଛି । ପାଖାପାଖି ମାଇଁ ବୟସର କିମ୍ବା ତାଠାରୁ ଟିକିଏ ଅଧିକ ହେବ । ଆମକୁ ଦେଖି ତରତରରେ ଭିତର ଘରକୁ ପଶି ଯାଇ ପରଦା ଟାଣି ଦେଲା । ମୁଁ ଭଲରେ ଦେଖି ପାରିଲି ନାହିଁ ମହିଳାକୁ । ବାହାରୁ ଖରାରେ ଆସି ଥିବାରୁ ଘର ଭିତରଟା କିଛି ସମୟ ପାଇଁ ଅନ୍ଧାରୁଆ ଛାଇ ଯାଇଥିଲା । ତେବେ ଅନୁମାନ କଲି ସେ ହିଁ ଲତା ହୋଇଥିବ । ଲତାର ଭାଇ ମୋ ଆଡ଼କୁ ପ୍ଳାଷ୍ଟିକ୍ ଚୌକିଟିଏ ବଢ଼ାଇ ଦେଇ ବସିବାକୁ ଇଙ୍ଗିତ କଲା । ମାମୁଁ ଲାଗିଗଲେ ତାଙ୍କ କାମରେ । ୟା ଭିତରେ ସେ ଗୋଟିଏ କଥାକୁ ଦୁଇଥର ପଚାରି ସାରିଲେଣି ଲତାର ଭାଇକୁ – ଲତା ଆସିଛି ବୋଧେ ? ଲତାର ଭାଇ କଣ ଉତ୍ତର ଦେଉଛନ୍ତି, ସେଥିପ୍ରତି ତାଙ୍କର ନିଘା ନାହିଁ । ସେ କାମରେ ଅନ୍ୟମନସ୍କ । ରହି ରହି ଚାହୁଁଛନ୍ତି ପରଦା ପଛକୁ । ପରଦା ଆଢ଼ୁଆଳରେ ଦୁଇଟି ପାଦ କିନ୍ତୁ ମାମୁଁଙ୍କ ଅଲକ୍ଷ୍ୟରେ ଅନେକ ସମୟରୁ ଠିଆ ହୋଇ ରହିଥିଲା । ଯାହା କେବଳ ମୋ ଚୌକି ପାଖରୁ ହିଁ ପରଦା ଫାଙ୍କ ଦେଇ ଦୃଷ୍ଟିଗୋଚର ହେଉଥିଲା । ମାମୁଁଙ୍କର କାମ ସରି ଆସିଲା ବେଳକୁ ଲତାର ଭାଇ ଡାକ ଛାଡ଼ିଲା – ଲତା କିରେ, ଭାଇ ପାଇଁ ସରବତ୍ ଟିକିଏ ନେଇକି ଆସେ । ଖରାଟାରେ ଆସିଛନ୍ତି । ମୁଁ ଦେଖିଲି ପରଦା ପଛର ପାଦ ଦୁଇଟି ଚଳଚଞ୍ଚଳ ହୋଇ ଉଠିଲା । କିଛି ସମୟ ପାଇଁ ଅଦୃଶ୍ୟ ହୋଇଗଲା ସେ ପାଦଦ୍ୱୟ । ତାପରେ ପରଦା ଆଡ଼େଇ ଟ୍ରେରେ ସରବତ୍ ତିନି ଗ୍ଳାସ୍ ନେଇ ଯିଏ ପହଞ୍ଚିଲା ମୁଁ ମୋ ଆଖିକୁ ବିଶ୍ୱାସ କରି ପାରିଲି ନାହିଁ । ଏ ପର୍ଯ୍ୟନ୍ତ ମୋତେ ଲାଗୁଥିଲା ମାମୁଁ ତାଙ୍କ କାହାଣୀରେ ସବୁ କିଛି ଅତିରଞ୍ଜିତ କରି କହୁଥିଲେ । କାରଣ ପ୍ରତ୍ୟେକ ପ୍ରେମିକ ଆଖିରେ ନିଜ ନିଜର ପ୍ରେମିକା ଅସାମାନ୍ୟା ସୁନ୍ଦରୀ ମନେ ହେବା ସ୍ୱାଭାବିକ ତାହା ଅନ୍ୟମାନଙ୍କ ଆଖିରେ ଯେତେ ସାଧାରଣ ହେଲେ ବି । ଲତାକୁ ଦେଖିଲା ପରେ ମୋର ସେ ଭ୍ରମ ଦୂର ହେଲା । ଦୁଇଟି ପିଲାର ମାଆ ହୋଇ ମଧ୍ୟ ତା ମୁଖର ଔଜଲ୍ୟ ଟିକିଏ ବି ଊଣା ପଡ଼ି ନ ଥିଲା। ଲତା ଟିକିଏ ହସିଦେଇ ଗ୍ଳାସ୍ ବଢ଼ାଇ ଦେଉ ଦେଉ ପଚାରିଲା – ଆଉ କେମିତି ଅଛୁ ? ମାମି କେମିତି ଅଛି ? ମାମି ମୋ ମାଇଁଙ୍କ ନାଆଁ । ତାପରେ ମୋ ଆଡ଼େ ଚାହିଁ କହିଲା – ଇଏ ସୋମୁ ନା ? କାଖ କରି ବୁଲୁଥିଲି । କେତେ ବଡ଼ ହୋଇଗଲାଣି । ମୁଁ ଚାହିଁଲି ଲତା ଆଡ଼େ । ସେ ମୋତେ ବି ମନେ ରଖିଛି । ଅଥଚ ମୋର କିଛି ମନେ ପଡୁନଥିଲା । ଆଉ କଣ ପଢ଼ୁଛୁ ? ମାଆ ଭଲ ଅଛନ୍ତି ? ମୋ ଆଡ଼େ ଚାହିଁ ପଚାରିଲା ଲତା । ମାମୁଁ କହିଲେ – ତାର ଏ ବର୍ଷ ବି.ଏ. ଫାଷ୍ଟ୍ ଇୟର । ଛୁଟି ଅଛି ତ ସିଧା ଚାଲି ଆସିଲା ଏଇ ଆଡ଼େ । ଗାଁ ଆଡ଼େ ଯାଇନାହିଁ । ଲତା କହିଲା – ମୋ ନଣନ୍ଦର ବି ସେଇ କ୍ଲାସ୍ । ତୋର କୋଉ କଲେଜ୍ କି ସୋମୁ ? ମୁଁ କହିଲି – ରେଭେନ୍ସା କଲେଜ୍ । ଲତା ପରଦା ଆଡ଼େଇ ଭିତରକୁ ଯାଇ କାହାକୁ ଡାକି ଆଣିଲା। କହିଲା – ତୁ ତାହେଲେ ଆକୁ ଚିହ୍ନିଥିବୁ ? ମୁଁ ଯେମିତି ଆକାଶରୁ ଖସିପଡ଼ିଲି । ଏମିତି ଏକ ମଧୁର ବିସ୍ମୟ ମୋ ପାଇଁ ଅପେକ୍ଷା କରିଥିବ ମୁଁ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିଲି । ମୋ ଆଗରେ ଠିଆ ହୋଇଥିଲା ମୋର ଚିର ଇପ୍ସିତ, ଯାହା ସହ ମୁଁ ପ୍ରତିଟି ଦିବସ ସକାଳୁ ସଞ୍ଜଯାଏଁ ଏକାଠି ବିତାଇଦେବାକୁ ଚାହେଁ, ପ୍ରତିଟି ରାତ୍ରି ଯାହା ସ୍ୱପ୍ନରେ ମୁଁ ବିଭୋର ହେବାକୁ ଚାହେଁ ସେଇ ସ୍ୱପ୍ନର ରାଜକୁମାରୀ ଶୁଶ୍ରୀ ଲୋପାମୁଦ୍ରା । ମୁଁ ଯେମିତି ମୁଗ୍ଧ ହୋଇ ଚାହିଁ ରହିଥିଲି ତା ଆଡ଼େ । ସେ ବି ମୋତେ ଦେଖି “ଆରେ ତମେ ସମ୍ଭ୍ରମ୍ ନା? ” କହି ଆଉ ଗୋଟିଏ ଚୌକିରେ ବସିପଡ଼ିଲା । ମାମୁଁ କଥା ଲମ୍ବାଇ ଦେଇଥିଲେ ଲତା ଆଉ ତାର ଭାଇ ସହିତ । ଆମେ ଦୁହେଁ ଗପି ଚାଲିଲୁ କଲେଜ କଥା, ପଢ଼ା କଥା, ଅଧ୍ୟାପକମାନଙ୍କ ଉପରେ ଥଟ୍ଟାମଜା କଥା । ମଝିରେ ଲତା କହିଲା – ଆଉ ଆଜି ଆମ ଘରେ ଖାଇ ଦେଇ ଯାଅ । ମାମୁଁ ହାତ ହଲାଇ କହିଲେ – ମାମି ମୋତେ ରଖିବ ? ନ ଖାଇ ଅନେଇ ବସିଥିବ ମୋ ଆସିବା ବାଟକୁ । ଆଉ ଦିନେ । ବୋଧହୁଏ ମାମୁଁ ତାର ଅନୁରୋଧ ରଖି ନ ଥିବାରୁ କି କଣ ଲତାର ମୁହଁଟା ଟିକିଏ ଫିକା ପଡ଼ିଗଲା । ଏକ ଆଶ୍ୱସ୍ତ ହୃଦୟରେ ମାମୁଁ ଭଣଜା ଦୁହେଁ ଫେରିଲୁ ଲତା ଘରୁ । ଖୁବ୍ ଉଶ୍ୱାସ ଲାଗୁଥିଲା ମନ । ମାଇଁଙ୍କ ହାତପରଷା ତୃପ୍ତିର ଭୋଜନଟେ ନେଇ ସାରିଲା ପରେ ମାମୁଁ ଆଉ ମୁଁ ଗଡ଼ିପଡ଼ିଲୁ ବିଛଣାରେ । ମାମୁଁ ତାଙ୍କ ଭାବନା ରାଜ୍ୟରେ ବ୍ୟସ୍ତ ଥିଲା ବେଳେ ମୁଁ ଆଖି ବୁଜି ସ୍ୱପ୍ନ ଦେଖୁଥିଲି ଲୋପାମୁଦ୍ରାକୁ ନେଇ । ମାମୁଁ କେତେବେଳେ ଉଠି ଚାଲି ଯାଇଥିଲେ ଦୋକାନକୁ ମୁଁ ଜାଣି ପାରିଲି ନାହିଁ । ଲୋପାମୁଦ୍ରାର ଓଠର ଭାବଭଙ୍ଗିମା, ଏକ ନିର୍ଦ୍ଦିଷ୍ଟ ଶୈଳୀରେ ତାର ହାତ ହଲାଇବା, କଥା କହିବା ଭିତରେ ଆଖି ଆଉ ଭୁରୁକୁ ନଚାଇବା ସେଇସବୁକୁ ହିଁ ହେଜି ହେଉଥିଲି ବିଛଣାରେ ପଡ଼ି ପଡ଼ି । ଆଉ ମନେ ମନେ ଖୁସି ହେଉଥିଲି ଏଇ କଥା ଭାବି ଯେ ଯାହାହେଉ ଏ ଛୁଟିଟା କିଛି ନ ହେଲେ ବି ଲୋପାମୁଦ୍ରାର ସଙ୍ଗସୁଖରେ ବିତିଯିବ ଅନ୍ତତଃ ଏଠି ଥିଲା ପର୍ଯ୍ୟନ୍ତ ।

ସେ ରାତି ମୁଁ ଅଦ୍ଭୁତ ଏକ ସ୍ୱପ୍ନ ଦେଖିଲି । ମାମୁଁ ଆଉ ମୁଁ ସନ୍ଧ୍ୟା ସମୟରେ ଗୋଟିଏ ପାର୍କରେ ପଦଚାରଣ କରୁଥାଉଁ । ବିଭିନ୍ନ ପ୍ରକାର ବୃକ୍ଷଲତାରେ ପରିପୂର୍ଣ୍ଣ ପାର୍କଟିର ଶୋଭା ବର୍ଦ୍ଧନ କରୁଥାଏ ରଙ୍ଗବେରଙ୍ଗର ଜାତି ଜାତିକା ଫୁଲ । ସ୍ଥାନେ ସ୍ଥାନେ ଆକର୍ଷଣୀୟ ସିମେଣ୍ଟର ବେଞ୍ଚ୍ ଏବଂ ପ୍ରତିଟି ବେଞ୍ଚ୍ ପାର୍ଶ୍ୱରେ ଆଲୋକରେ ସଜ୍ଜିତ ସୁନ୍ଦର ଭାସ୍କର୍ଯ୍ୟରେ ପୂର୍ଣ୍ଣ ସ୍ତମ୍ଭମାନ । ମଝିରେ ବିରାଟ ଏକ ପୁଷ୍କରିଣୀ । ବୁଲୁ ବୁଲୁ ଆମେ ଗୋଟିଏ ବେଞ୍ଚ୍‌ରେ ବସି ପଡ଼ି ପାର୍କର ସୌନ୍ଦର୍ଯ୍ୟକୁ ମନ ପୁରାଇ ଉପଭୋଗ କରୁଥାଉଁ । ହଠାତ୍ ଆମ ପଛ ପାଖରୁ ଦୁଇଟି ହଳଦୀ ଆଉ ଗୋଲାପ ରଙ୍ଗର କଢ଼ ଡେମ୍ଫ ବଢ଼ାଇ ଆମ ଆଗକୁ ଆସି ବାୟୁରେ ଦୋଳାୟିତ ହେଲେ । ଧିରେ ଧିରେ ଆମରି ଆଗରେ କଢ଼ ଦୁଇଟି ସମ୍ପ୍ରସାରିତ ହୋଇ ପୁଷ୍ପ ହୋଇ ଝୁଲିଲେ । ଆଲୋକ ସ୍ତମ୍ଭର ହାଲ୍କା ରୋଷଣୀରେ ଚମକୁଥିଲା ତାଙ୍କର ପାଖୁଡା। ବାସ୍ନା ଚହଟି ଯାଉଥିଲା ବାୟୁମଣ୍ଡଳ ସାରା । ଖୁବ୍ ମନଲୋଭା ଥିଲା ତାଙ୍କର ଦୋଳାୟନ । ସତେ ଯେମିତି ପୁଷ୍ପ ଦୁଇଟି ଆମରି ଆଗରେ ତାଙ୍କ ନାଟ୍ୟ ପ୍ରଦର୍ଶନ କରୁଛନ୍ତି । ମୋ ହାତଟି ଧିରେ ଲମ୍ବିଗଲା ଗୋଲାପ ରଙ୍ଗର ପୁଷ୍ପଟିକୁ ଛୁଇଁବାକୁ । ଠିକ୍ ସେମିତି ମାମୁଁଙ୍କର ହାତ ବି ଲମ୍ବି ଯାଇଥିଲା ହଳଦୀ ରଙ୍ଗର ପୁଷ୍ପଟିକୁ ଧରିନେବାକୁ । କିନ୍ତୁ ଏ କଣ ? ଆମ ସ୍ପର୍ଶ ମାତ୍ରକେ ପୁଷ୍ପଦ୍ୱୟ ମଧ୍ୟରୁ ଜଣେ କିଶୋରୀ ଆଉ ଜଣେ ତରୁଣୀରେ ପରିଣତ ହୋଇଗଲେ । ଜଣେ ପିନ୍ଧିଥିଲା ହଳଦୀ ରଙ୍ଗର ଶାଢ଼ୀଟିଏ ତ ଅନ୍ୟଟି ଗୋଲାପ ରଙ୍ଗର ଲମ୍ବା ଫ୍ରକ୍‌ଟିଏ । ତାଙ୍କ ପିଠି ପାଖରୁ ଗଜୁରୀ ଉଠିଲା ହଳେ ପାରଦର୍ଶୀ ଡେଣା । ଠିକ୍ ପରୀଟିଏ ପରି ଲାଗୁଥିଲେ ସେ ଦୁହେଁ । ଧୀରେ ଧୀରେ ମୁଖ ଦୁଇଟି ଲତା ଓ ଲୋପା ପରି ଦିଶିଲା । ମୋ ପାଟିରୁ ବାହାରି ଆସିଲା ଆରେ ଲୋପା ତମେ !

ମାମୁଁ ମୋ ହାତଟାକୁ ହଲାଇ ଦେଇ ଉଠାଇ ଦେଲେ ବୋଧେ । ନିଦଟା ମୋର ଭାଙ୍ଗିଗଲା । ମାମୁଁ ପଚାରିଲେ- କଣ ହେଲାରେ, ଏମିତି କଣ ବାଉଳି ହେଉଛୁ ? ସ୍ୱପ୍ନଟା ଅଧାରୁ ଭଣ୍ଡୁର କରିଥିବାରୁ ମୁଁ ମାମୁଁଙ୍କ ଉପରେ ବିରକ୍ତ ହୋଇ ଉଠିଲି । କହିଲି – କାହିଁ କିଛି ତ ହେଇନି । ତମେ କୋଉଠି କିଛି ହେବାକୁ ଦଉଛ କି ? ଅବଶ୍ୟ ଦ୍ୱିତୀୟ ବାକ୍ୟଟି ମୁଁ ମନେ ମନେ ଉଚ୍ଚାରଣ କଲି । ତାପରେ ଗୁଡ୍ ନାଇଟ୍ କହି ପୁଣି ଥରେ ସ୍ୱପ୍ନ ରାଇଜକୁ ଯିବାକୁ ଚେଷ୍ଟା କଲି । ହେଲେ ଆଉ ନିଦ ହେଲା ନାହିଁ କି ଲୋପାମୁଦ୍ରା ଆଉ ସ୍ୱପ୍ନରେ ଆସିଲା ନାହିଁ ।

ତା’ପରେ

ଲୋକପ୍ରିୟ ଲେଖା

To Top