ଉପନ୍ୟାସ

ପ୍ରତୀକ୍ଷା

T.Durga Prasad Rao's Odia Novel Pratikshaa

ଦିନେ ସେଇ ଉଦ୍ଦେଶ୍ୟରେ କଟକ ଛାଡ଼ି ଆସିଥିଲି ସୁଦୂର କୋରାପୁଟ ମୁର୍ଖଙ୍କ ଗଣିତ ହିସାବ ନେଇ । ଲୋପାମୁଦ୍ରାକୁ ଭୁଲିଯିବାର ସଂକଳ୍ପ ନେଇ । ଲୋପାମୁଦ୍ରା କଣ ସ୍ଥାନ ପରିବର୍ତ୍ତନରେ ଭୁଲି ହେବା ପରି ବସ୍ତୁଟିଏ ?

ପ୍ରତୀକ୍ଷା

-: ପୂର୍ବରୁ :-

ଭାଇ, ମୁଁ ଚାଲିଲି କଲେଜ୍। ତମେ ତମର ନିତ୍ୟକର୍ମ ସାରି ଯାହା ମାର୍କେଟିଂ କରିବା କଥା କର । ଯିବା ପୂର୍ବରୁ ଚାବିଟା କିନ୍ତୁ ଉପର ଘରେ ଦେଇ ଦେଇଯିବ। ନହେଲେ ମୁଁ ଆସି ଏଠି ଶ୍ୱାନ ପରି ଜଗିବାକୁ ପଡ଼ିବ ତମକୁ । ସନ୍ଦୀପ୍ ବୁଟ୍ ଗଳାଉ ଗଳାଉ ଏତକ ଶୁଣାଇ ଦେଇ ବାହାରିଗଲା ରୁମ୍‌ରୁ । ମୁଁ ଘଣ୍ଟାକୁ ଚାହିଁ ଦେଇ ବ୍ୟସ୍ତ ହୋଇପଡ଼ିଲି । ଆଠଟା ବାଜି ସାରିଥିଲା । ରାତିରେ ଡେରିରେ ନିଦ ଧରିଥିବାରୁ ଉଠିବା ବି ମୋର ବିଳମ୍ବ ହେଲା । ମୁଁ ତରତରରେ ବିଛଣାରୁ ଉଠି ବ୍ରସ୍ କରି ସ୍ନାନାଦି ସାରି ରେଡ଼ି ହୋଇ ବାହାରିଲି ମାର୍କେଟ୍ ଆଡ଼େ । ମନେ ପଡ଼ିଲା, ସନ୍ଦୀପ୍ ଚାବି ଉପର ଘରେ ଦେବାକୁ କହିଛି । ମୋର ଫେରିବାର ଠିକ୍ ଠିକଣା ନାହିଁ । ମୁଁ ଆସିବା ପୂର୍ବରୁ ପହଞ୍ଚିଲେ ବିଚରା ହଇରାଣ ହେବ । ଚାବି ଦେବାକୁ ସିଡ଼ିରେ ପହଞ୍ଚିଲି ଉପର ମହଲା । କଲିଂ ବେଲ୍ ମାରି ଅପେକ୍ଷା କଲି କିଛି ସମୟ । ଜଣେ ତନୁପାତଳୀ ଝିଅଟିଏ କବାଟ ଖୋଲିଲା । ମୋତେ ଦେଖୁ ଦେଖୁ ନମସ୍କାରଟିଏ କରି ପ୍ରଶ୍ନିଳ ଆଖିରେ ଚାହିଁ ରହି କହିଲା, ଆପ୍… ? ମୋର ମନେହେଲା ମୁଁ ଝିଅଟିକୁ ଚିହ୍ନିଛି । କହିଲି, ମେଁ ସନ୍ଦୀପ୍ କା ବଡ଼ା ଭେୟା । କାଲି ଆସି ପହଞ୍ଚିଛି । ଏ ଚାବିଟା ଦେବାକୁ ଥିଲା । ଆରେ, ପରିଚୟ କଣ ପ୍ରଦାନ କରୁଛନ୍ତି । ଭିତରକୁ ଆସନ୍ତୁ ନା । ଝିଅଟି ବୋଧହୁଏ ଅଳ୍ପ ସମୟର ଦ୍ୱିଧାବୋଧରୁ ଫେରି ମୋତେ ଚିହ୍ନି ସାରିଥିଲା । ମୁଁ କହିଲି, ନା, ମୁଁ ଟିକେ ବ୍ୟସ୍ତରେ ଅଛି । ଝିଅଟି ମୋ ହାତ ଧରି ଭିତରକୁ ଟାଣି ନେଇ କହିଲା, କଣ ଏମିତି ବ୍ୟସ୍ତ ଅଛନ୍ତି ଯେ ଅଳ୍ପ ସମୟ ବି ଆମ ଘରେ ବସିପାରିବେ ନାହିଁ । ଏକ୍ କପ୍ ଚାୟ ତୋ ପି ସକ୍ତେ ହୈ ନା । ମୁଁ ବାଧ୍ୟ ହେଲା ପରି ଯାଇ ସୋଫା ଉପରେ ବସିଲି । ଏ ଭିତରେ ଝିଅଟିର ନାଁ ମନେ ପକାଇବାକୁ ଚେଷ୍ଟାକଲି । ଗତ ବର୍ଷ ନଭେମ୍ବରରେ ଯେତେବେଳେ ସନ୍ଦୀପ୍ ପାଖକୁ ଆସିଥିଲି, ନୂଆ ନୂଆ ଏ ଘରକୁ ସିଫ୍ଟ ହୋଇଥାଏ ସନ୍ଦୀପ୍ । ପୁରୁଣା ଘରେ ତାର କଲେଜକୁ ଯାତାୟତ ଜନିତ ଅସୁବିଧା ହେଉଥିଲା । କଲେଜ୍ ଟିକିଏ ଦୂର ହେଉଥିଲା ତାର ବସାରୁ । କଲେଜ୍‌ରେ ପହଞ୍ଚିବା ପାଇଁ ନିହାତି ଚାଳିଶି ପଇଁଚାଳିଶ୍ ମିନିଟ୍ ଆଗରୁ ତାକୁ ବାହାରିବାକୁ ହେଉଥିଲା । କଥାଛଳରେ ସେ ଜାଣିବାକୁ ପାଇଲା ଏ ଝିଅଟିର ତଳ ଘର ଅଳ୍ପ ଦିନ ହେଲା ଖାଲି ଅଛି । ଝିଅଟି ସନ୍ଦୀପ୍ ର ଛାତ୍ରୀ । ଅବଶ୍ୟ ଗତ ବର୍ଷ ହିଁ ତାର ପଢ଼ାସରିଛି । ମାଆ, ଝିଅ ଦୁଇଜଣ ରହନ୍ତି । ବାପା ଚାକିରୀ କରନ୍ତି ହାଇଦେରାବାଦରେ । ମଝିରେ ମଝିରେ ଛୁଟି ନେଇ ଆସନ୍ତି ବିଶାଖାପାଟନମ୍ । ହଠାତ୍ ଝିଅଟିର ନାଁ ମନେ ପଡ଼ିଲା । ନିହାରିକା ! ନିହାରିକାର ମାଆ ଆସି ସାରିଥିଲେ । ମୁଁ ଯୋଡ଼ ହସ୍ତ ହେଲି । ସେ ମୋ ସାମ୍ନା ସୋଫାରେ ବସିଲେ । ଭାରି ଭଦ୍ର ମହିଳା । ଆଚାର ବ୍ୟବହାରରେ ପରକୁ ବି ଆପଣାର କରିନିଅନ୍ତି । ଶରୀର ଟିକେ ପୃଥୁଳକାୟ । କୁଶଳ ମଙ୍ଗଳ ଭିତରେ ମୋ ବାହାସାହା କଥା ମଧ୍ୟ ପଚାରିଲେ ? ହଠାତ୍ ବିବାହ ପ୍ରଶ୍ନରେ ମୁଁ ଟିକିଏ ଅନ୍ୟମନସ୍କ ହୋଇଗଲି । କିଛି ମନେ ପଡ଼ିଲା ପରି ଉଠି ଠିଆ ହୋଇପଡ଼ିଲି । କହିଲି, କିଛି ଖରାପ ଭାବନ୍ତୁ ନାହିଁ, ମୁଁ ଟିକେ ବ୍ୟସ୍ତରେ ଅଛି ।

ପୂର୍ବାହ୍ନ ସମୟଟା ସମ୍ପୂର୍ଣ୍ଣ ବ୍ୟସ୍ତ ରହିଲି ମାର୍କେଟିଂ ଆଦିରେ। ମାର୍କେଟିଂ ମୋର ମୁଖ୍ୟ କାମ ନ ଥିଲା। ମୁଖ୍ୟ କାମ ଥିଲା ଶ୍ରୀୟାକୁ ତା ଅଫିସ୍‌ରେ ଭେଟିବା । ପଢ଼ାପଢ଼ି ପରେ ଗୋଟିଏ ମଲ୍ଟିନ୍ୟାସ୍‌ନାଲ୍ କମ୍ପାନୀରେ ଜବ୍ କରୁଥିଲା । ପ୍ରାୟ ବର୍ଷରେ ଥରେ ଯେମିତି ହେଲେ ତା ସହ ମୋର ଦେଖା ହୋଇଯାଏ । ଫୋନ୍‌ରେ ତ କଥାବାର୍ତ୍ତା ହେଉ । କିନ୍ତୁ ସାକ୍ଷାତର ମଜା ହିଁ କିଛି ଅଲଗା । କଲେଜ୍ ସମୟର ଦୁଷ୍ଟାମୀ ସବୁ ମନେ ପକାଇ ମନ ହାଲ୍କା ହୋଇଯାଏ । ମୋ ପ୍ରଗଳ୍ଭତାରେ ସେ ଚଷମାଟିକୁ କପାଳକୁ ଉଠାଇ କେମିତି ଏକ ଶୂନ୍ୟ ଦୃଷ୍ଟିରେ ଚାହେଁ ମୋତେ ।

ଠିକ୍ ପାଞ୍ଚଟା ପାଖାପାଖି ମୁଁ ପହଞ୍ଚିଲି ତାର ଅଫିସ୍‌ରେ । ମୋତେ ଦେଖି ଖୁସି ହୋଇଗଲା ଶ୍ରୀୟା । ସିଟ୍‌ର ପେଣ୍ଡିଂ କାମ ସବୁ ସେମିତି ଥୋଇଦେଇ ଉଠି ଆସିଲା ସିଟ୍‌ରୁ । କ୍ୟାବିନ୍ ଲକ୍ କରି କହିଲା – ଚାଲ୍‌ କ୍ୟାଣ୍ଟିନ୍ ଆଡ଼େ ଯିବା । ମୁଁ ତା ପାଦ ସହ ପାଦ ମିଳାଇ ଚାଲୁ ଚାଲୁ କହିଲି – ଆଉ ଶ୍ରୀୟା, ତମ ସେ ଖଡୁସ୍ ବସ୍ ବଦଳି ହେଲେଣି ନା ଅଛନ୍ତି ?

– କିଏ ମିଃ ପଦ୍ମନାଭମ୍?

– ହଁ ।

– ସିଏ କଣ ଏତେ ଶୀଘ୍ର ଯିବେ ? ତେବେ ଆଗ ଭଳି ଆମମାନଙ୍କ ଉପରେ ଏତେ ଗାରୁ ଗାରୁ ହେଉନାହାନ୍ତି ।

– କାରଣ କଣ ?

– କାରଣଟା ନିହାତି ସାଧାରଣ। ସେ ବିବାହ କରିଛନ୍ତି। ଆଉ ବିବାହଟା ଏମିତି ଗୋଟିଏ ଲାଇଫ୍ ଚେଞ୍ଜିଂ ଇଭେଣ୍ଟ୍, କିଛି ଲୋକଙ୍କ ଭଲଗୁଣ ବିକଶିତ ହୋଇ ଅତ୍ୟଧିକ ପ୍ରେମଶୀଳ ହୋଇଯାନ୍ତି, ଆଉ ଥୋକେ ବୈବାହିକ ଜୀବନର ଚାପରେ ସବୁ ଖରାପ ଗୁଣକୁ ଲୋକ ଲୋଚନକୁ ଆଣି ଜୀବନକୁ ଛାରଖାର କରିଦିଅନ୍ତି ।

– ମାନେ, ତମ ମତରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ।

– ପ୍ରାୟ।

– କାହିଁ ତମ କ୍ଷେତ୍ରରେ ମୁଁ ତ କିଛି ପରିବର୍ତ୍ତନ ଦେଖୁନାହିଁ ?

– ମୋ କଥା ଅଲଗା। ଶ୍ରୀନିବାସନ୍ ଓ ମୁଁ ପରସ୍ପରକୁ ଆଗରୁ ଚିହ୍ନୁଥିଲୁ। ତେଣୁ ମୁଁ ତା ଲାଇଫ୍‌ରେ କି ସେ ମୋ ଲାଇଫ୍‌ରେ ବିଶେଷ କିଛି ହସ୍ତକ୍ଷେପ କରି ନାହୁଁ । ଆମେ ପରସ୍ପରର ଇଚ୍ଛା ଆକାଂକ୍ଷାକୁ ଯଥେଷ୍ଟ ସମ୍ମାନ ଦେଉ। ମୁଁ ଶ୍ରୀନିବାସନ୍ ପାଇଁ ମୋ ପ୍ରାୟୋରିଟିସ୍ ବଦଳାଇ ପାରିନାହିଁ ଆଜିଯାଏଁ । ଶ୍ରୀନିବାସନ୍ ମଧ୍ୟ କେବେ କିଛି ଆପତ୍ତି କରେ ନାହିଁ ଏଥିପାଇଁ । ତେବେ ବେଳେ ବେଳେ ମୋତେ ଲାଗେ ମ୍ୟାରେଜ୍ ଇଜ୍ ଏ କମ୍ପ୍ରମାଇଜ୍ । ପ୍ରଚୁର ଭଲପାଇବା ଭିତରେ ମଧ୍ୟ ଜଣେ ଅପରର ଧ୍ୟାନ ରଖୁ ରଖୁ ନିଜକୁ କମ୍ପ୍ରମାଇଜିଂ ସିଚୁଏସନ୍‌କୁ ଆଣିବାକୁ ବାଧ୍ୟ ହୋଇଥାଏ । ବେଳେ ବେଳେ ଲାଗେ, ମୁଁ ଶ୍ରୀନିବାସନ୍ ପ୍ରତି ଅନ୍ୟାୟ କରୁଛି । ସେ ବୋଲି ମୋତେ ବରଦାସ୍ତ କରି ଚାଲିଛି। ଆଉ କିଏ ହୋଇଥିଲେ…

– ଆଉ କିଏ ହୋଇଥିଲେ?

– କାନ ଦୁଇଟା ମୋଡ଼ି, ଜବ୍‌ରୁ ରେଜିଗ୍ନେସନ୍ କରାଇ ସିଧା ନେଇଯାନ୍ତା ତା କର୍ମସ୍ଥଳ କେତେଦିନ ସମ୍ଭ୍ରମ୍ ? ସେ ବାଙ୍ଗାଲୋର୍‌ରେ ଆଉ ମୁଁ ପଡ଼ିରହିଛି ଏଇଠି। ଏଇ ବିଶାଖାପାଟନମ୍‌ରେ। ଶ୍ରୀୟା ଟିକିଏ ଉଦାସ ହୋଇଗଲା।

ଶ୍ରୀୟା ସତେ କି ସେଇୟା ଚାହୁଁଥିଲା । ଶ୍ରୀନିବାସନ୍ ଆସୁ, ତାକୁ ଜୋର୍ ଜବରଦସ୍ତ ଜବ୍ ଛାଡ଼ିବାକୁ କହୁ । ଯଦିଓ ବିନା କାରଣରେ ଏତେ ସୁନ୍ଦର ଜବ୍ ହାତଛଡ଼ା କରିବାକୁ ଚାହୁଁନଥିଲା ଶ୍ରୀୟା । ମୁଁ ପଚାରିଲି – ଏ କମ୍ପାନୀର ବାଙ୍ଗାଲୋର୍‌ରେ ବ୍ରାଞ୍ଚ କିଛି ଥିବ ନିଶ୍ଚୟ।

– ଅଛି କିନ୍ତୁ ମୋ ପୋଷ୍ଟ ସେଠାରେ ନାହିଁ । ମୋର ଆଉ ଗୋଟିଏ ପ୍ରମୋସନ୍ ପରେ ହେଇପାରେ ମୋର ଟ୍ରାନ୍ସଫର୍ ବାଙ୍ଗାଲୋର୍‌କୁ । ସେତିକି ଦିନ ଜୋକ ମୁହଁରେ ଲୁଣ ଦେଲା ପରି ପଡ଼ି ରହିବାକୁ ହେବ।

ଅଫିସ୍ କ୍ୟାଣ୍ଟିନ୍‌ର ଗୋଟିଏ ଟେବୁଲ୍ ଅକ୍ତିଆର କରି ଆମେ ବସିଲୁ । ଶ୍ରୀୟା ନିଜ ପାଇଁ କଫି ଓ ମୋ ପାଇଁ ଚାହା ମଗାଇଲା ।

ଚଷମାକୁ ଆଖିରୁ ଅଲଗା କରି ଟେବୁଲ୍ ଉପରେ ରଖିଲା । ଚାହିଁଲା କିଛି ସମୟ ମୋ ଆଡ଼େ ଉଦାସ ଆଖିରେ । ବୟ ଆସି ଦେଇଗଲା କଫି ଓ ଚାହା । ମୁଁ ଚାହା କପ୍‌ଟିକୁ ପାଟିକୁ ନେଇ ଆଶାୟୀ ଆଖିରେ ଚାହିଁଲି ଶ୍ରୀୟା ଆଡ଼େ । ତେବେ ତାର ଉଦାସ ଚେହେରାରୁ ଅନୁମାନ କରି ପାରୁଥିଲି, ବୋଧହୁଏ ମୋ ପାଇଁ ଭଲ ଖବର କିଛି ନାହିଁ । ଶ୍ରୀୟା ଦୀର୍ଘଶ୍ୱାସ ନେଲା । ଚୁପ୍‌ଚାପ୍ ଚଷମାଟି ଉଠାଇ ଟିକିଏ ପୋଛି ନାକ ଉପରେ ଲଗାଇଲା । ଶ୍ରୀୟା ଜାଣେ ମୁଁ କାହିଁକି ପ୍ରତି ବର୍ଷ କୌଣସି ନା କୌଣସି ବାହାନାରେ ତା ପାଖକୁ ଆସେ । ସେ ମୋ ଆସିବାରୁ ହିଁ ଠଉରାଇ ନିଏ କଥାଟା । ତେବେ କିଛି ବର୍ଷ ହେଲା ସେ ପୁରା ଚୁପ୍‌ଚାପ୍ । ଲୋପାମୁଦ୍ରାର ଗୋଟିଏ ବି ଖବର ସତେକି ମୋତେ ଜଣାଇବା ସପକ୍ଷରେ ନାହିଁ । ମୁଁ ମଧ୍ୟ ମୁହଁ ଖୋଲି ପଚାରି ପାରେ ନାହିଁ କିଛି । ଲୋପାମୁଦ୍ରା ପ୍ରତି ମୋର ଅଭିମାନ ଓ ମୋର ଅହଂ ସେତକ ମୋ ଦ୍ୱାରା କରାଇ ଦିଏ ନାହିଁ । ଛାତିରେ ଛାତିଏ ବେଦନା ଧରି ମୁଁ ଉଠିଲି ।

ଶ୍ରୀୟା କହିଲା, ଆଜି ଅଛ ନା ? ମୁଁ ମୁଣ୍ଡ ହଲାଇ ଦେଇ କହିଲି, ମୋତେ ଫେରିବାକୁ ହେବ । ଶ୍ରୀୟା ତାର ହାତ ପାପୁଲିରେ ମୋର ମୁଣ୍ଡର କେଶକୁ ଅଲରା କରି ଦେଇ କହିଲା, ତମେ ସବୁବେଳେ ଏମିତି । କାହାକୁ ଅସୁବିଧାରେ ନ ପକାଇବାକୁ ଭାରି ଚେଷ୍ଟିତ ନିଜେ ପଛେ ହଇରାଣ ହେଉଥାଅ ।

ମୁଁ ହସିଦେଲି । ନା, ମୁଁ ଆଉ କି ହଇରାଣ ହେଉଛି ? ଭଲରେ ତ ଅଛି। ତମ ଭଳି ଦରଦି ବାନ୍ଧବୀଟିଏ ପାଇଛି । ମୋର ଆଉ କଣ ଅସୁବିଧା ? ଶ୍ରୀୟା ମୋର ଡାହାଣ ହାତକୁ ତା ଦୁଇ ହାତ ପାପୁଲିରେ ଜାବୁଡ଼ି ଧରି କହିଲା, ସମ୍ଭ୍ରମ୍, ମୋତେ ଭୁଲ୍ ବୁଝିବ ନାହିଁ । ଏ ବାନ୍ଧବୀ ତମକୁ କିଛି ବି ସାହାଯ୍ୟ କରି ପାରୁନାହିଁ ।

– ଆରେ ନା, ତମେ କାହିଁକି ଟେନ୍‌ସନ୍ ନେଉଛ? ଆଇ ଆମ୍ ଓକେ।

– ମୋର ଏକ ଅନୁରୋଧ ରଖିବ?

ମୁଁ ପ୍ରଶ୍ନିଳ ନୟନରେ ଚାହିଁଲି ଶ୍ରୀୟା ଆଡ଼େ । ଶ୍ରୀୟା ମଧ୍ୟ ଅନେକ ସମୟ ଚାହିଁଲା ମୋ ଆଡ଼େ । ବୋଧହୁଏ କଥାଟା କହିବ କି ନା ଭାବୁଥିଲା।

– ସମ୍ଭ୍ରମ୍…

– ହଁ…

– ତମେ… ଲୋପାମୁଦ୍ରାକୁ ଭୁଲିଯାଅ।

ମୁଁ ପ୍ରତ୍ୟୁତ୍ତରରେ କୃତ୍ରିମ ହସଟିଏ ହସି କହିଲି – ଓକେ, ବାଏ ।

ମୁଁ ବିଦାୟ ନେଲି ଶ୍ରୀୟାଠାରୁ।

ରୁମ୍‌କୁ ଫେରି ଦେଖିଲି ସନ୍ଦୀପ ଓ ନିହାରିକା ସିଡ଼ିର ପ୍ରଥମ ପାହାଚରେ ହାତ ଟଣାଟଣି ହେଉଛନ୍ତି। ମୋତେ ଦେଖି ନିହାରିକା ଦୌଡ଼ି ପଳେଇଲା ଉପରକୁ। ମୁଁ ରୁମ୍ ଭିତରେ ପଶି ମୋର ବ୍ୟାଗ ସଜାଡ଼ିଲି। ପଚାରିଲି – ଟିକେଟ୍ କଲୁ ମୋ ପାଇଁ। ସନ୍ଦୀପ ପକେଟ୍‌ରୁ ବସ୍ ଟିକେଟ୍ ବାହାର କରି ମୋ ହାତକୁ ବଢ଼ାଇ ଦେଇ ରୁମ୍‌ଟା ଭିତରେ ଇତଃସ୍ତତଃ ହେଲା । ତାର ସେ ଭାବଭଙ୍ଗୀ ଦେଖି ପଚାରିଲି – କିଛି କହିବୁ? ସେ ଚମକି ପଡ଼ିଲା । କିଛି ସମୟ ଦୋଦୋ ପାଞ୍ଚ ହୋଇ କହିଲା – ଭାଇ ତମେ ଯାହା ଦେଖିଲ, ସେସବୁ କିଛି ନୁହେଁ ।

– କେଉଁ ବିଷୟ ?

ସନ୍ଦୀପ କିଛି ନ କହି ଖୋସାମତି ହସଟିଏ ହସି ମୁଣ୍ଡ କୁଣ୍ଡେଇଲା । ମୁଁ ମଧ୍ୟ ମୋ ବ୍ୟାଗ୍ ସଜଡ଼ାରେ ମନ ଦେଲି । ସନ୍ଦୀପ କିନ୍ତୁ ମୋ ସହ ଖୋଲିକି କଥା ହେବାକୁ ଚାହୁଁଥିଲା । ସେ ଚାହୁଁଥିଲା ନିହାରିକା ବିଷୟରେ ମୋତେ ଜଣାଇବା ପାଇଁ । ମୁଁ ଆଖି ତୋଳି ଚାହିଁଲି ସନ୍ଦୀପକୁ । ସନ୍ଦୀପ ଅନ୍ୟମନସ୍କ ଲାଗୁଥିଲା । ପଚାରିଲି- କହ କଣ କହିବାକୁ ଚାହୁଁଛୁ ? ନିହାରିକା ବିଷୟରେ ତ ? ସନ୍ଦୀପ ମୁଣ୍ଡ ଟୁଙ୍ଗାରିଲା । ମୁଁ ସେମିତି ଗମ୍ଭୀର ଭାବରେ କହିଲି, ମୁଁ ଜାଣେ । ସେଇଥିପାଇଁ ତ ନିହାରିକାର ମାଆ ମୋତେ ମୋ ବାହାଘର ବିଷୟରେ ପଚାରୁଥିଲେ । ଆଉ ତୋ ଆଲବମ୍‌ରେ ତୋ ଫଟୋ ପଛରେ ନିହାରିକାର ଫଟୋ, ସେଇଟା ବି ମୋ ଆଖିରେ ପଡ଼ିଛି।

ସନ୍ଦୀପ୍ ଲାଜେଇ ଯାଇ ମୁହଁ ତଳକୁ କଲା । ମୁଁ ଉଠି ପଡ଼ି ତା କାନ୍ଧରେ ହାତ ରଖି କହିଲି – ମୋର କିଛି ଆପତ୍ତି ନାହିଁ । ନିହାରିକା ଭଲ ଝିଅଟିଏ ମନେ ହେଉଛି । ହେଲେ, ମୁଁ ପ୍ରଥମେ ମାଆ ସହ କଥା ହେଇଯାଏ । ସନ୍ଦୀପ୍‌ର ଗାଲ ଲାଲ୍ ଦିଶୁଥିଲା । ମୁଁ ବ୍ୟାଗ୍‌ଟିକୁ ଉଠାଇ କୋଣରେ ରଖିଦେଲି । ସନ୍ଦୀପ ଅଟୋ ଡାକିବା ପାଇଁ ବାହାରକୁ ଚାଲିଗଲା ।

ଘୁରି ଫେରି ମୋ ବାହାଘର ପାଖରେ ଅଟକି ଯାଉଛି ସବୁ କିଛି କଥା । ନିହାରିକା ମାଆଙ୍କ ପଚାରିବା ଉଦ୍ଦେଶ୍ୟ ମୁଁ ବାହା ନ ହେଲା ପର୍ଯ୍ୟନ୍ତ ସନ୍ଦୀପର ବାହାଘର ହୋଇପାରୁ ନାହିଁ । ଏଣେ ମାଆ ବି ବ୍ୟସ୍ତ କରି ପକାଉଛନ୍ତି ମୋର ବିବାହ କଥା ପଚାରି । ମୁଁ ତେବେ କାହାକୁ ଅପେକ୍ଷା କରିଛି ? ଲୋପାମୁଦ୍ରାକୁ ? ଯିଏ ମରୁଭୂମିର ଅସରାଏ ବର୍ଷା ପରି ମୋତେ ଭିଜାଇ ଦେଇ ଯାଇଛି ଯେ ଦୀର୍ଘ ବାର ବର୍ଷ ହେଲା ଫେରିବାର କୌଣସି ଉପକ୍ରମ ନାହିଁ । ତା ବିନା ଏବେ ଜୀବନଟା ଶୁଷ୍କ, ଉତ୍ତପ୍ତ ବାଲୁକା ପରି ସ୍ପନ୍ଦନହୀନ, ପ୍ରାଣହୀନ । ଦଲକାଏ ପବନରେ ଯେ ହଜାଇ ଦେଇପାରେ ନିଜର ସବିଶେଷ ଠିକଣା । ପ୍ରକୃତରେ ଠିକଣା କିଏ ହଜାଇଛି କାହାର ? ଲୋପାମୁଦ୍ରା ମୋର ନା ମୁଁ ଲୋପାମୁଦ୍ରାର ? ସେ ମୋତେ ଖୋଜିବାର ପ୍ରୟାସ କରୁନାହିଁ ନା ମୁଁ ତାକୁ ଖୋଜି ନାହିଁ ପୂର୍ଣ୍ଣ ପ୍ରାଣରେ ? କେଉଁଟା ଠିକ୍? ଅଥବା ମୋର ଅହଂ ମୋତେ ବାନ୍ଧି ରଖୁଛି ଲୋପାମୁଦ୍ରା ବିଷୟରେ କିଛି ବି ଜାଣିବା ପାଇଁ। କାହିଁ ସେ ବି ତ କିଛି ଖବର ନେଉନି ମୋର। ନଚେତ୍ କିଛି ନା କିଛି ତ କହନ୍ତା ଶ୍ରୀୟା। ଓଲଟି ଆଜି କହିଲା କଣ ? ଭୁଲିଯାଅ ଲୋପାମୁଦ୍ରାକୁ ! ସତରେ କଣ ଭୁଲି ଯାଇ ପାରିବି ଲୋପାମୁଦ୍ରାକୁ ? ଦିନେ ସେଇ ଉଦ୍ଦେଶ୍ୟରେ କଟକ ଛାଡ଼ି ଆସିଥିଲି ସୁଦୂର କୋରାପୁଟ ମୁର୍ଖଙ୍କ ଗଣିତ ହିସାବ ନେଇ । ଲୋପାମୁଦ୍ରାକୁ ଭୁଲିଯିବାର ସଂକଳ୍ପ ନେଇ । ଲୋପାମୁଦ୍ରା କଣ ସ୍ଥାନ ପରିବର୍ତ୍ତନରେ ଭୁଲି ହେବା ପରି ବସ୍ତୁଟିଏ ? ଯାହାକୁ ମୁଁ ହୃଦୟରେ, ମୋ ଆତ୍ମାରେ ଜଡ଼ାଇ ଧରି ବୁଲୁଛି, ସେ ତ ଯେଉଁଠିକି ଗଲେ ବି ମୋ ସାଙ୍ଗରେ ହିଁ ଯିବ । ଏତିକି ଛୋଟ କଥାଟିଏ ମୁଁ ବୁଝି ପାରିଲି ନାହିଁ କେମିତି ?

ତା’ପରେ

ଲୋକପ୍ରିୟ ଲେଖା

To Top