ଗଳ୍ପ

ଅଦ୍ୱିତୀୟା

Dr Ajit Kumar Tripathy's odia story Adwitiyaa

ମୋ ପାଇଁ ମୋ ପ୍ରେମ ହିଁ ମୋ ଜୀବନ । ବଡ଼ ଚାକିରୀରେ କ’ଣ ଥାଏ । ପଇସା ତ ହାଡ଼ି କମାଉଛି । ଆମେ ଇଚ୍ଛା କଲେ କ’ଣ ତୁମର ଅଧ୍ୟାପକ ଚାକିରୀରେ ଚଳିଯାଇପାରିବାନାହିଁ ।

ଅଦ୍ୱିତୀୟା

-: ପୂର୍ବରୁ :-

ବିଥିକା ପିଲାଦିନୁ ଛୋଟ ସହରରେ ରହିନାହିଁ । ଏବେ ମଧ୍ୟ କେଉଁଠାରେ ବା କେତେବେଳେ ସେ ଏକା ରହିପାରିବ ନାହିଁ । ଛୋଟ ସହର ବା ଗାଁକୁ ଯାଇ ସେଠି ଶାଢ଼ୀ ପିନ୍ଧା ଘରଣୀ ସାଜି ରୋଷେଇ କରିବ ନାହିଁ । ସେ କହିଲା ମୋର ବିଶୁଦ୍ଧ ପ୍ରେମ ଆବଶ୍ୟକ । ମୋର ଗୋଟାପଣେ ତୁମେ ଆବଶ୍ୟକ । ମୁଁ ତୁମକୁ କାହା ସଙ୍ଗେ ଭାଗ କରିପାରିବି ନାହିଁ । ମୋ ପାଇଁ ମୋ ପ୍ରେମ ହିଁ ମୋ ଜୀବନ । ବଡ଼ ଚାକିରୀରେ କ’ଣ ଥାଏ । ପଇସା ତ ହାଡ଼ି କମାଉଛି । ଆମେ ଇଚ୍ଛା କଲେ କ’ଣ ତୁମର ଅଧ୍ୟାପକ ଚାକିରୀରେ ଚଳିଯାଇପାରିବାନାହିଁ । ପ୍ରେମ ସହିତ ଅନ୍ୟ କୌଣସି ବିଷୟର ସାଲିସ୍ କରିବା ଆଦୌ ସମ୍ଭବ ନଥିଲା ବିଥିକା ପାଇଁ ।

ବିକାଶକୁ ସେତେବେଳେ ସାରା ସଂସାର ଦିଶୁଥିଲା ବିଥିକାମୟ । ବିଥିକାର ପ୍ରେମରେ ସେ ଥିଲା ଉବୁଟୁବୁ । କୌଣସି ବନ୍ଧୁ ବା ସମ୍ପର୍କୀୟ ବିଥିକାର ଏଭଳି ଅଜବ କର୍କଶ ଅସାମାଜିକ ବ୍ୟବହାର କଥା ଉଠାଇଲେ ବିକାଶ କହେ, ମୁଁ ଯେମିତି ଅଲଗା ଉପାଦାନରେ ଗଢ଼ା ମୋ ବିଥିକା ମଧ୍ୟ ସେମିତି ଅଲଗା ଉପାଦାନରେ ଗଢ଼ା । ବିଥିର ତୁଳନା ସେ ନିଜେ । ଆଉ କିଏ କ’ଣ କଲା, ସେ କଲାନାହିଁ, ଏ କଥା ମୁଁ ବିଥି ବିଷୟରେ ଶୁଣିବି ନାହିଁ । ସେ ନିଜେ ତା’ର ତୁଳନା । ସାରା ଦୁନିଆଁ ଗୋଟିଏ ପଟେ ହେଲେ, ବିଥି ଅନ୍ୟ ପଟେ, ଆଉ ମୁଁ ବିଥି ପଟେ । ଆମ ପ୍ରେମ ଅମର ପ୍ରେମ । ମୁଁ ତା’ର, ସେ ମୋର ।

ଦିନେ ସାରା ଦେଶରେ ପୋଜିସନ୍ ରଖି ଡାଇରେକ୍ଟ ରିକ୍ରୁଟ୍ ଅଫିସର୍ ଭାବେ ବିକାଶ ଏଲ୍.ଆଇ.ସି.ରେ ଯୋଗ ଦେଇଥିଲା । ଆଶା କରୁଥିଲା ଏଲ୍.ଆଇ.ସି.ର ଏମ୍.ଡ଼ି. ବା ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ପର୍ଯ୍ୟନ୍ତ ପ୍ରମୋଶନ୍ ପାଇବା ପାଇଁ । ତାକୁ ଛାଡ଼ି ସେ ଚାଲିଆସିଲା ଓଡ଼ିଶାରେ ଅଧ୍ୟାପକ ଚାକିରୀ କରିବା ପାଇଁ ଗୋଟିଏ ମହାନଗର ସ୍ଥିତ ଘରୋଇ କଲେଜ୍‌ରେ । କେମିତି ଚଳିବେ ସେମାନେ । କିପରି ଘରେ ରହିବେ ଏ ସବୁ ଭୌତିକ ଚିନ୍ତା କ’ଣ ପ୍ରେମିକ ପ୍ରେମିକା କେବେ କରନ୍ତି ।

ଚଳିବାକୁ ପଇସା ଅଣ୍ଟୁନାହିଁ ଏ କଥା ବିକାଶ ବିଥିକା ଜାଣିଲେ, ଯେତେବେଳେ ବାହାଘରର ଆଠବର୍ଷ ପରେ ଘରକୁ ଆସିଲା ପୁଅଟିଏ । ତା’ପରେ ଆରମ୍ଭ ହେଲା ଯେତେକ ଝିନ୍‌ଝଟ୍, ଯେତେକ ଖିଟ୍‌ଖିଟ୍ । ବିକାଶ ସଙ୍ଗେ ହରଦମ୍ କଳି ଲଗାଇ ଚାଲିଲା ବିଥିକା । ମୋ ପାଇଁ ଗୋଟେ ଚାକିରୀ ଖୋଜିଦିଅ । ଦୁଇ ବର୍ଷ ବିକାଶର ଚେଷ୍ଟା ପରେ ମିଳିଗଲା ଚାକିରୀଟିଏ । ଠିକା ଅଧ୍ୟାପକ ଚାକିରୀ, ଆଉ ଗୋଟିଏ ନବ ପ୍ରତିଷ୍ଠିତ ଘରୋଇ କଲେଜ୍‌ରେ । ସପ୍ତାହକୁ ଚାରିଗୋଟି କ୍ଲାସ୍ ନେବ ବିଥିକା । କ୍ଲାସ୍ ପ୍ରତି ଶହେ ଟଙ୍କା ଦରରେ ମାସକୁ ଷୋଳଶହ ଟଙ୍କା ମିଳିବ କିନ୍ତୁ ଯଦି ଛୁଟି ପଡ଼ିଗଲା, ତେବେ ଏ ଟଙ୍କା କମିଯିବ । ଏମିତି କିଛି ବର୍ଷ ଚାଲିଲା । ପରେ କିନ୍ତୁ ନିଅଣ୍ଟ ହେଲା ପ୍ରବଳରୁ ପ୍ରବଳତର । ବିକାଶ କହେ କନା ଯେତିକି ଅଛି ସେ ଅନୁଯାୟୀ କୋର୍ଟ କାଟିବା ଏ କଥା ତ ଦର୍ଜୀମାନଙ୍କର ଚିନ୍ତାର ବିଷୟ । ଘରଣୀମାନେ ଏଥିରେ ମୁଣ୍ଡ ପୂରାଇବେ କାହିଁକି ? ବିଶେଷ କରି ସପିଙ୍ଗମଲ୍, ବିଗ୍‌ବଜାର ଆଦି ବୁଲିଆସିବାର ସଉକି ସବୁ ବିଥିକା ଛାଡ଼ିପାରୁଛି ବା କେମିତି । ପୁଅ ପଢ଼ିଲେ କୁଆଡୁ ପଇସା ଆସିବ ଲାଗିରହିଲା ଏ ଚିନ୍ତା ।

ଏମିତି ଭାବୁ ଭାବୁ ବିକାଶକୁ ଆସିଯାଇଛି ଚତୁର୍ଥ ପ୍ରହରକୁ ଗାଢ଼ ନିଦ । ନିଦ ଭାଙ୍ଗିଲା ଟେଲିଫୋନ୍ ରିଙ୍ଗରେ । ସକାଳ ଆଠଟାକୁ ଆସିଛି ଆରପଟୁ ସେହି ବହୁ ପ୍ରତୀକ୍ଷିତ ଫୋନ୍ ଯାହାର କି ଅପେକ୍ଷା ଥିଲା ବିକାଶର । ବିଥିକାର ସ୍ୱର । ମୁଁ କହୁଛି, “ଜୟପୁରରୁ ।” ବିକାଶ କହିଲା, “ତମେ କ’ଣ ଏମିତି ଘର ଛାଡ଼ି ପଳେଇ ଭଲ କଲ ?” ସାମାନ୍ୟ କ୍ରୋଧ ଥିଲା ସ୍ୱରରେ ।

ଆରପଟୁ ସତେ ଯେପରି ହେଲା ଆଗ୍ନେୟଗିରିର ଉଦ୍ଗୀରଣ । ବିଥିକାର ଏ ଚଣ୍ଡୀ ରୂପ ଦେଖିନଥିଲା କେବେ ବିକାଶ । କାନ ଖୋଲି ଶୁଣ ବିକାଶ, ତମ ପୁଅ ଆଉ ମୁଁ ଏଠି ବାପାଙ୍କ ପାଖକୁ ଚାଲିଆସିଛୁ । ଦରକାର ନାହିଁ ତମେ କିଛି ଚିନ୍ତା କରିବା । କେଉଁଠି ମରି ହଜି ଯାଇନୁ । ବହୁତ ଇଚ୍ଛା ହେଉଥିଲା ଦୁହେଁ ଟ୍ରେନ୍ ଲାଇନ୍ ତଳେ ଶୋଇଯାଇଥାନ୍ତୁ । ଭିକାରୀ ଭଳି ଚଳିବା ଅପେକ୍ଷ ମରିଯିବା ଭଲ । ତମକୁ ଠିକ୍ ହୋଇଥାନ୍ତା । ମା’ ପୁଅ ରାସ୍ତାରୁ ଗଲେ ତମେ ଆଉ ଗୋଟେ ବାହା ହୋଇପଡ଼ି ଶାନ୍ତିରେ ଦିନ କଟାଇଥାନ୍ତ । କିନ୍ତୁ ଖୁସି ହୁଅ ନାହିଁ । ମୁଁ ଏ ପର୍ଯ୍ୟନ୍ତ ଏଭଳି କିଛି କରିନାହିଁ । କିନ୍ତୁ କେବେ କରିବି ଠିକ୍ ଠିକଣା ନାହିଁ ।

ତମେ ତ ଘର ଚଳାଇ ପାରୁନାହିଁ । ମୋ ବାପାଙ୍କ ପାଖରେ ଢେର୍ ପଇସା ଅଛି ମୁଁ ଓ ମୋ ପୁଅକୁ ଜୀବନ ସାରା ଚଳାଇ ନେବା ପାଇଁ । ମୋ ପୁଅ ପଢ଼ି ବହୁତ ବଡ଼ ମଣିଷ ହେବ । ମତେ ଯାହା ଲାଜ ନ ଥିଲା ତମ ହାତ ଧରି ବାହା ହୋଇଥିଲି ପ୍ରେମ କରି । ତମ ହାତରେ ଦେଖୁଛି ଖଡ଼ା ସିଝିବ ନାହିଁ ।

ବିକାଶ ଅଟକାଇଲା ବିଥିକାକୁ । ଶୁଣ ବିଥିକା ତମେ କହିବାରୁ ମୁଁ ଏଲ୍.ଆଇ.ସି.ର ଅଫିସର ଚାକିରୀ ଛାଡ଼ିଦେଲି । ତମେ ଓଡ଼ିଶା ଛାଡ଼ି ଅନ୍ୟ ପ୍ରଦେଶକୁ ଯିବ ନାହିଁ ବୋଲି ଏକା ଜିଦ୍ କଲ । ବଡ଼ ନଗରୀ ଛାଡ଼ି ଛୋଟ ସହରରେ ଆଦୌ ରହିପାରିବ ନାହିଁ କହିଲ । ସେଥିପାଇଁ ମୁଁ ଏଲ୍.ଆଇ.ସି. ଚାକିରୀ ଛାଡ଼ି ଏଠାକୁ ଆସିଗଲି ଏଇ ଅଧ୍ୟାପକ ଚାକିରୀକୁ । ଆମ ଅଭାବ ପାଇଁ ମୋଠାରୁ ତୁମେ ବେଶୀ ଦାୟୀ ।

ଆରପଟୁ ବଢ଼ିଗଲା ବିଥିକାର ରାଗ ଓ ପାଟି । ରଖ ହୋ ତମ ବଡ଼ ଚାକିରୀ ଛୋଟ ଚାକିରୀ । ମୋର ଆଉ ଇଚ୍ଛା ନାହିଁ ତମର ଅଲଣା ବାକ୍ ବିତଣ୍ଡା ଶୁଣିବାକୁ । ଧୈର୍ଯ୍ୟ ମଧ୍ୟ ନାହିଁ । ମତେ ଯଦି ଫେରି ପାଇବାକୁ ଚାହିଁ- କେତୋଟି କଥା କହି ରଖୁଛି, ଲେଖି ରଖ । ଯଦି ସବୁ କଥା ନ କରିବ ମୁଁ ଆଉ ତମ ଘରକୁ ଫେରିବି ନାହିଁ । ପୁଅ ବି ମୋ ପାଖରେ ରହିବ । ଭୁଲି ଯାଅ ଯେ ତୁମେ ଦିନେ ବାହା ହୋଇଥିଲ ।

ପ୍ରଥମେ ତମ ବୋଉଙ୍କ ନାମରେ ଥିବା ଲକର୍ ଯେଉଁଟା ବାପା ତମକୁ ଅଥରାଇଜ୍ କରିଛନ୍ତି ଅପରେଟ୍ କରିବାକୁ ସେଥିରୁ ସବୁ ସୁନା ରୂପା ଅଳଙ୍କାର କାଢ଼ିଆଣ । ଗୋଟିଏ ଟଙ୍କାର କଏନ୍‌ଟିଏ ରଖିଦେଇଥିବ ସେଥିରେ । ତମ ବାପାଙ୍କର ଆଉ ଶକ୍ତି ନାହିଁ ତାକୁ ଯାଇ ଭେରିଫାଇ କରିବେ କ’ଣ ଅଛି ନ ଅଛି । ତାଙ୍କୁ ସବୁବେଳେ କହୁଥିବ ଯେ ସବୁ ଠିକ୍ ଅଛି । ଖାନଦାନୀ ସୁନାଗହଣା ସେଥିରେ ବେଶ୍ ଅଛି ବୋଲି ମୁଁ ଜାଣିଛି ।

ମୁଁ ଶୁଣିଲି ବୋଉଙ୍କର ଯୋଜନା ଅଛି ଗଲା ପୂର୍ବରୁ ଦି’ଝିଅଙ୍କ ଭିତରେ ସମାନ ଭାବେ ସୁନାରୂପାତକ ବାଣ୍ଟି ଦେଇଯିବେ । ଗୋଟିଏ ଅଳଙ୍କାର ବି ମୋ ପାଇଁ ରହିବ ନାହିଁ । ସେ ଅଳଙ୍କାର ସବୁ କୁଆଡ଼େ ଝିଅମାନଙ୍କ ପାଇଁ ପିଲାଦିନୁ କରି ତମ ଘରେ ରଖା ହୋଇଥିଲା । ବାହାଘରରେ ଅଧା ଦିଆଯାଇଛି । ବାକି ଅଧା ପରେ ଦିଆଯିବ । ମୁଁ ଆଣିଥିବା ଗହଣା ମୋର- ତମେ ଜାଣିଛି ସେସବୁ ଆମ ଲକର୍‌ରେ ଅଲଗା ଅଛି । ତୁମ ପରିବାରରେ ମା’ ଗହଣାରେ କୁଆଡ଼େ ଝିଅ ଦୁଇଜଣଙ୍କର ପୂର୍ଣ୍ଣ ଅଧିକାର, ବୋହୂ କୁଆଡ଼େ କେବେ ମା’ ଗହଣା ପାଏ ନାହିଁ । ଏହା କେଉଁଠିକାର ଅଜବ ପ୍ରଥା ମୁଁ ଜାଣେ ନାହିଁ । ମୋର ଜାଣିବା ବି ଦରକାର ନାହିଁ । ବାପା ବୋଉ ଗଲା ପରେ, ଲକର୍ ଖୋଲା ହେଲା ବେଳକୁ ଦେଖିଯିବ ଟଙ୍କାଟିଏ ଅଛି । ତୁମେ କହିବ, ମୁଁ କେବେ ଲକର୍ ଖୋଲି ଦେଖିନାହିଁ । ମୁଁ କ’ଣ ଜାଣିବି କ’ଣ ଥିଲା କୁଆଡ଼େ ଗଲା । ନିଜ ଚିକିତ୍ସା ପାଇଁ ସେମାନେ ଖର୍ଚ୍ଚ କରିଥିବେ । ମୋତେ କିଛି କହିନାହାନ୍ତି ।

ବାପା ତାଙ୍କର ତିନୋଟି ବ୍ୟାଙ୍କ ପାଶ୍ ବହି, ଚେକ୍ ବହି ଓ ତା’ର ଏଟିଏମ୍ କାର୍ଡ ସବୁ ବିଶ୍ୱାସରେ ତୁମ ପାଖରେ ରଖିଛନ୍ତି । ତାଙ୍କର ଆଉ ଚେକ୍‌ରେ ଦସ୍ତଖତ କରିବାର କ୍ଷମତା ବା ସମ୍ଭାବନା ନାହିଁ କିମ୍ୱା ସେ ଏଟିଏମ୍ କାଉଣ୍ଟରକୁ ଯାଇ ପଇସା କାଢ଼ିବାର କଥା ଉଠୁନାହିଁ । ତେଣୁ ଦରକାର ଅଦରକାର ବେଳକୁ ଦୁଇଟି ଆକାଉଣ୍ଟରେ ପଚିଶ ହଜାର ଲେଖାଏଁ ରଖି ବାକି ସବୁ ପଇସା ଉଠାଇ ଆଣ । ତାଙ୍କର ପଇସା ଅଭାବ ହେବ ନାହିଁ । ତାଙ୍କର ପେନ୍‌ସନ୍ ଟଙ୍କା ମାସକୁ ମାସ କ୍ରେଡ଼ିଟ୍ ହୋଇଯାଉଥିବ । ଆମେ ସେଥିରୁ ଟଙ୍କା ଉଠାଇ ତାଙ୍କ ପାଖରୁ ରୀତିମତ ପଠାଇ ଦେଉଥିବା । ଦେହ ପା’ ଖରାପ ହେଲେ ଦେଖାଅଛି । ଆମ ସେଭିଂସ୍‌ରୁ ଡ୍ର’ କରି ଖର୍ଚ୍ଚ କରିବା । ସେମାନେ ଚାରିବର୍ଷ ହେଲା ଆମକୁ ଛାଡ଼ି ଗାଁକୁ ପଳାଇଛନ୍ତି । ଗାଁରୁ ଆସିବେ ନାହିଁ । ଆମର ଚିନ୍ତା କ’ଣ ? ଆଉ ଯେତେବେଳେ ଆସିବ ଆମେ ତାଙ୍କର ପିଛା ସେଇ ପଇସା ଖର୍ଚ୍ଚ କରିବା ।

ବାପାଙ୍କୁ ଲିଭ୍ ସାଲାରି, ଗ୍ରାଚୁଇଟି, ପ୍ରୋଭିଡ଼େଣ୍ଟ ଫଣ୍ଡରୁ ଯେଉଁ ଟଙ୍କା ମିଳିଥିଲା ତାକୁ ସେ କେତୋଟି ଫିକ୍ସଡ୍ ଡିପୋଜିଟ୍ ଆଉ ମ୍ୟୁଚୁଆଲ୍ ଫଣ୍ଡରେ ରଖିଥିଲେ । ସବୁଥିରେ ଅଛି ବୋଉ ନୋମିନି । ତାକୁ ବାପାଙ୍କଠୁ ଦସ୍ତଖତ ଆଣି ଏଥର ତମେ ନିଜକୁ ନୋମିନି କରିଦିଅ । ତମେ ଯେଉଁ କାଗଜର ଯେଉଁଠି ଦସ୍ତଖତ କରିବାକୁ କହିବ ବାପା ସେଠି ଦସ୍ତଖତ କରିବେ । ବାପା ବୋଉ କେହି ଜାଣିବେ ନାହିଁ ତୁମେ ନୋମିନି ବଦଳାବାକୁ ତାଙ୍କର ସମ୍ମତି ନେଉଛ ବୋଲି । ଏ ସବୁ ଛଡ଼ା ତାଙ୍କର ଗୁଡ଼ାଏ ବଣ୍ଡ୍ ଆଉ ସେୟାର୍ କାଗଜ ବି ତମ ପାଖରେ ଅଛି । ତାକୁ ଏବେ ଭଙ୍ଗାଇ ଦିଅ । ନ ହେଲେ ବିକି ଦିଅ । ସବୁର ପାୱାର୍ ଅଫ୍ ଅଟର୍ଣ୍ଣି ଅଛି ତୁମ ପାଖରେ । ଡେରି କଲେ କେତେବେଳେ ବାପା ବୋଉ ଚାଲିଯିବେ ସେ ପାୱାର୍ କାମ କରିବ ନାହିଁ । ତମ ଭଉଣୀମାନଙ୍କର ଭାଗ କଥା ସେଥିରେ ଆସିଯିବ । ନାନା କୋର୍ଟ କଚେରୀ ଦୌଡ଼ ।

ମୁଁ ହିସାବ କରିଛି ଏ ସବୁଥିରୁ ଆମକୁ ମିଳିଯିବ ବାଇଶିଲକ୍ଷ ଟଙ୍କା । ସେଥିରେ ବିନା ବିଳମ୍ୱରେ କିଣିଦିଅ ଗୋଟିଏ ମାରୁତି ଏ.ସି. ଅଲଟୋ ଗାଡ଼ି, ଭୁବନେଶ୍ୱରରେ ଗୋଟିଏ ଛୋଟିଆ ଫ୍ଲାଟ୍ । ବାକି ଟଙ୍କାକୁ ମୋ ପୁଅ ନାଁରେ ଫିକ୍ସିଡ୍ ଡିପୋଜିଟ୍ କରିଦିଅ । ଟଙ୍କା ସାତ ଆଠବର୍ଷକୁ ଥରେ ହେଉଥିବ ଦୁଇଗୁଣ । ପରେ ବଢ଼ିଚାଲିଥିବ, ଯେଉଁଟା କି ତା’ ପାଠ ପାଇଁ କାମରେ ଆସିବ । ମନେରଖ, ବାପା ବୋଉ ଗଲା ପରେ ଲିଗାଲ୍ ହେୟାର୍ ସାର୍ଟିଫିକେଟ୍, ସକ୍ସେସନ୍ ସାର୍ଟିଫିକେଟ୍ ବହୁ ଧନ୍ଦା । ଏବେ କାଗଜ ପତ୍ର ଏମିତି ରେଡ଼ି କରିଦେଇଥାଅ ଯେମିତି ବାପା ଆମକୁ ଗାଁ ଘରଟା ବିକି ଦେଇଛନ୍ତି । ଏଇଟା ତାଙ୍କର ନିଜ ଅର୍ଜିତ ସମ୍ପତ୍ତି । ତେଣୁ ଏ ଘରକୁ ବାପା ଜୀବଦ୍ଦଶାରେ ବିକି ପାରିବେ ଯାହାକୁ ଚାହିଁବେ । ଏବେ ଆମେ ଘରଟିକୁ କିଣିନେଇଥିଲେ ବାପାବୋଉ ଗଲା ପରେ ଆମେ ଏ ଘର ସେତେବେଳେ ବିକିଲେ କାହାରି କିଛି କହିବାର ନ ଥିବ । ତା’ହେଲେ ବିକ୍ରି ପଇସାରୁ ତମ ଦି’ଭଉଣୀଙ୍କର ଭାଗ ତୁମକୁ ଆଉ ଦେବାକୁ ପଡ଼ିବ ନାହିଁ । ଏଥିରୁ ଆମେ ଆଉ ପାଞ୍ଚ ଲକ୍ଷରୁ କମ୍ ପାଇବା ନାହିଁ । ଭଉଣୀମାନେ ପିତୃପୁରୁଷର ଡିହରେ ଥିବା ଭଙ୍ଗା ଚାଳଘରୁ ଭାଗ ପାଇଲେ ପାଇବେ ।

ତୁମେ ଗୋଟିଏ ବୋଲି ପୁଅ । ବାପା ବୋଉ ଗଲା ପରେ ଯଦି ତୁମେ ଭାବୁଥାଅ ଘର ମନକୁ ମନ ତମ ନାଁରେ ହୋଇଯିବ ତମେ ଭୁଲ୍ ବୁଝିଛ । ସେତେବେଳେ ଘରଟି ତିନି ଭାଗ ହବ । ତୁମ ଦି’ଭଉଣୀ ଓ ତୁମ ଭିତରେ ଘର ବା ଘର ବିକ୍ରୀ ପଇସା ବଣ୍ଟା ହେବ । ଏବେ ସେଇ ବାପାଙ୍କ ପଇସାରୁ ଯାହା କି ତୁମେ ବାପାଙ୍କ ଫିକ୍ସଡ୍ ଡିପୋଜିଟ୍, ସେୟାର୍ ଆଉ ମ୍ୟୁ ଚୁଆଲ୍ ଫଣ୍ଡରୁ ଉଠାଇଥିବ, ସେଥିରେ ବାପାଙ୍କ ଘର କିଣିନେବା ଆମେ । ଆଉ ତାଙ୍କ ଆକାଉଣ୍ଟରେ ଟଙ୍କା ଚଢ଼ାଇ ତାଙ୍କୁ ଦେଖାଇଦେବା । ଏହାକୁ କହନ୍ତି ମାଛ ତେଲରେ ମାଛ ଭଜା । ବାପାବୋଉଙ୍କର କାହାରି ମୁଣ୍ଡ ଆଉ ହାତ କାମ କରୁନାହିଁ । ତେଣୁ ସେ ବିଶ୍ୱାସରେ ତୁମକୁ ଘରର, ଆଉ ଆକାଉଣ୍ଟର ସବୁ କାଗଜ ପତ୍ର ବୁଝିବାକୁ ଧରାଇ ଦେଇଛନ୍ତି । ତେଣୁ ବାପାଙ୍କ ପଇସା, ଆଉ ତୁମ ପଇସାରେ ନାହିଁ କିଛି ହେଲେ ଫରକ୍ ।

ବାପା ବୋଉ ତ ଆମ ଦାୟିତ୍ୱ । ଆମେ ସେ କଥା ବୁଝିଲେ ହେଲା । ଏତେ ଗୁଡ଼ାଏ ପଇସା ଅଳଙ୍କାର ଧରି ସେମାନେ କରିବେ କ’ଣ ? ସାଙ୍ଗରେ ତ ନେଇପାରିବେ ନାହିଁ । ଏଠି କିଣିଥିବା ପ୍ଲଟ୍‌ରେ ଆମେ ଘର କରିବା ।

ତମକୁ ମୁଁ ବୁଦ୍ଧି ନ ଶିଖାଇଲେ କିଛି କରିପାରିବ ନାହିଁ । ତମେ ଜାଣିଛ, ତମେ ଗୋଟିଏ ଗବ, ଭୁସ୍ ପଣ୍ଡିତ । ଆଉ ଶୁଣି ରଖ, ଅଯଥା ଯୁକ୍ତି କରିବ ନାହିଁ । ଆଜି ନିଷ୍ପତ୍ତି ନିଅ ତମେ ତମ ବାପାବୋଉଙ୍କ ପୁଅ ହୋଇ ରହିବ, ନା ଏଥର ମୋ ବର ଆଉ ମୋ ପୁଅର ବାପା ହେବ । ସେଇ ଅନୁସାରେ କାର୍ଯ୍ୟ କର ନ ହେଲେ ଏ ଆମର ଶେଷ କଥାବାର୍ତ୍ତା । ମୋ ଧୈର୍ଯ୍ୟକୁ ପରୀକ୍ଷା କରିବ ନାହିଁ । ନ ହେଲେ ତମେ ଜାଣିବ ମୁଁ କେତେବେଳେ କ’ଣ କରିବସିବି । ଘଣ୍ଟାଏ ମଧ୍ୟରେ ମୋର ପରିଷ୍କାର ଉତ୍ତର ଦରକାର । ଯଦି ହଁ, ତେବେ ଦଶଦିନ ପରେ ମୋତେ ନେବାକୁ ଆସିବ । ମୁଁ କହିଥିବା ସବୁ ପଦକ୍ଷେପ ନେଇଥିବାର ଠୋସ୍ ପ୍ରମାଣ ମୋତେ ଦେଖାଇବ । ଉତ୍ତର ଯଦି ନା, ତେବେ ଏଠି ମୋତେ ଆଉ ପାଇବ ନାହିଁ । ମୁଁ କୁଆଡ଼େ ଯିବି, କ’ଣ କରିବି, ତମେ ଆଉ ମୋର ଟେର୍ ପାଇବନି । ମୁଁ ପୁଅ ଫୁଅ କଥା କିଛି ଭାବିବିନି ।

ସେପଟୁ ଆସିଲା ଫୋନ୍‌ଟାକୁ ଥୋଇଦେବାର ଶବ୍ଦ । ବିକାଶ ଚେଷ୍ଟା କଲା ଆଉ ଥରେ ରିଙ୍ଗ୍ କରି ନିଜେ କ’ଣ କହି ବୁଝାଇବାକୁ ବିଥିକାକୁ । ଏନ୍‌ଗେଜ୍ଡ ଶବ୍ଦ ଆସିଲା ତିନିଥର । ବିଥିକାର ଆଉ କିଛି ଶୁଣେଇବାକୁ ବା ବିକାଶର କିଛି ଶୁଣିବାକୁ ହୁଏତ ନ ଥିଲା ବାକି ।

ବିକାଶର ଅନେକ ଥର ନିଜେ କହିଥିବା କଥା ମନେ ପଡୁଥିଲା ଆଜି ତୁହାକୁ ତୁହା । ମୋ ବିଥି ନିଜେ ହିଁ ନିଜର ତୁଳନା । ତାକୁ ପୁରୁଣା ମୂଲ୍ୟବୋଧ, ରୀତିନୀତିର ତରାଜୁରେ ନେଇ ଚେଷ୍ଟା କରିବ ନାହିଁ ତଉଲିବାକୁ । ସେ ଯେ ଅତୁଳନୀୟା, ସେ ଅଦ୍ୱିତୀୟା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top