ଗଳ୍ପ

ଏବେ ମଧ୍ୟ ବଞ୍ଚିଛି

Godabarisha Mohapatra's Odia Story Ebe Madhyan Banchichhi

ଆଖି କ୍ରମେ ଓଦା ହୋଇ ଆସିଲା । ତା’ପରେ, ଦୁଇ ଟୋପା ଲୁହ ନିଗିଡି ତଳେ ପଡିଗଲା । ସେ କଣ କହିବ ବୋଲି ଚେଷ୍ଟା କଲା, ଓଠ କୋଣ ଥରି ଆସିଲା ।

ଏବେ ମଧ୍ୟ ବଞ୍ଚିଛି

(୧)

ବେଣୁଧର କ’ଣ କରିବ କିଛି ଠିକ୍‌ କରି ପାରିଲା ନାହିଁ ।

ଯେତେବେଳେ ଗାଁଯାକ ଲୋକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆହୁଏ । ଭାବେ,ଏତେ ଲୋକ ଯାଉଛନ୍ତି, ସମସ୍ତଙ୍କ ଆଗରେ ମୁଁ ହାତ ପତେଇ ଠିଆହୋଇ ମାଗିବାଟା ସୁନ୍ଦର ହେବ ନାହିଁ ।

ଯେଉଁଦିନ କେହି ଯାଆନ୍ତି ନାହିଁ , ସେଦିନ ବେଣୁଧର କାନ୍ଥରେ ଲଟକାଇ ଥିବା ଚିରା କାମିଜ୍‌ଟାକୁ ଦେହରେ ଗଳାଇ ଦେଇ ଖୁବ୍‌ ସାହାସରେ ଦାଣ୍ଡକୁ ବାହାରି ପଡ଼େ । ଦାଣ୍ଡ ଡେଇଁ, ବିଲ ପଡିଆ ଡେଇଁ ଯେତେବେଳେ ସେ ବଡ଼ ବରଗଛ ମୂଳେ ପହଞ୍ଚେ, ଟିକିଏ ବସିପଡେ । ଶ୍ୟାମଳ ପତ୍ର ଗହଳ ତଳେ ଶୀତଳ ପବନ ଟିକିଏ ପାଇ ସେ ଆଖି ବୁଜି ଅନେକ ଭାବେ । ଭାବେ,ସେ ଯିବ, କେନ୍ଦ୍ର ଦୁଆରେ ଠିଆ ହେବ । କିପରି ଠିଆ ହେବ ? ହାତ ଯୋଡିବ ନା ହାତ ଦୁଇଟା ଦୁଇ ପାଖକୁ ଝୁଲାଇ ରଖିବ ? ମୁଣ୍ଡ ଟିକିଏ ନୁଆଁଇବ ନା ମୁଣ୍ଡକୁ ବୀର ପରି ସିଧା ରଖି ଠିଆହେବ ? ହସିବ ନାଁ ଦୁଃଖରେ ମୁହଁ ଶୁଖାଇ ଚାହିଁବ ? କ’ଣ କରିବ କିଛି ସେ ସ୍ଥିର କରିପାରେ ନାହିଁ । ବିଚାରେ,ସେଠି ଯେ ଥିବେ ସେ ଯେବେ ଚିହ୍ନା ଲୋକ ହୋଇଥିବେ ତେବେ କଣ କରିବାକୁ ହେବ ?

ବସି ବସି, ବିଚାରି ବିଚାରି ସୁର୍ଯ୍ୟ ମୁଣ୍ଡ ଉପରକୁ ଉଠେ, ତାର ଭାବନା ଶେଷ ହୁଏ ନାହିଁ । ସେହି ଜନଶୂନ୍ୟ ବିଲମାଳ ଭିତରେ ଗଛ ଡାଳରେ ଯେତେବେଳେ ଦୁଇଟା ଗୁଣ୍ଡୁଚିମୂଷା ଚେଁ ଚେଁ ଶବ୍ଦ କରି ଏ ଡାଳରୁ ସେ ଡାଳକୁ ଧାଆଁନ୍ତି କିମ୍ବା କୁଆ କୋଇଲି ରାବି ଉଠନ୍ତି ସେ ଆଣ୍ଠୁ ଉପରୁ ମୁଣ୍ଡ ଉଠାଇ ଆଖି ଫିଟାଏ । କିନ୍ତୁ ଦେଖେ ସେଇ ନିତିଦିନର ସଂସାର ତାହାରି ଆଗରେ ! ଦୂରର ମରୀଚିକା ପାଣି ପରି ଭାସିଯାଏ । ତା’ର ଆଶା ଠିକ୍‌ ସେହି ପରି ଦୂରରୁ ଦୂରକୁ ବହିଯାଏ । ମୁହଁ ବୁଲେଇ ଦେଖେ ଦୂରରେ ଗଛ ଗହଳରେ ସିରେଇ ଗାଁ । ସେହିଠାରେ ଗୋଟାଏ ଚାଳ ଉପରେ ଗୋଟାଏ ଜାତୀୟ ପତାକା । ତାହାରି ତଳେ ସ୍ଵେଚ୍ଛାସେବକ, ଦେଶସେବକ, ମାତୃପୂଜକ, ଜନନାୟକ, ଦରିଦ୍ରସାଥି – ଯେ କେହି ଚାଉଳ ଧରି ବାଣ୍ଟିବାକୁ ବସିଥିବେ ବୋଲି ମନେ କରେ । ଅନ୍ୟ ଆଡେ ମୁହଁ ବୁଲେଇ ଦେଖେ ସେହିପରି ଗୁଡାଏ ଗଛ ଗହଳରେ ବାଗଲାପଡା – ତାହାରି ଭିତରେ ଗୋଟିଏ ଛୋଟ ଚାଳ ଘର, ସେହି ଚାଳ ଘର ଭିତରେ କେତୋଟି ପ୍ରାଣୀ, କାହା ପେଟରେ ଅନ୍ନ ନାହିଁ କି କାହା ମୁହଁରେ ହସ ନାହିଁ । ଦିନେ ନୁହେଁ ଦୁଇ ଦିନ ନୁହେଁ ପାଞ୍ଚଦିନ ହେଲା ସେହି କୁଡିଆ ତଳେ ଚୁଲୀ ଜଳିନାହିଁ, ସେ ଭିତରେ ଅଇଁଠା ପଡିନାହିଁ । ଏ କଥା ଭାବିଲାବେଳେ ସେ ପୁଣି ଆଖି ବୁଜିଦିଏ । ମାତ୍ର ନିଜ ଭିତରେ ସେ ଦେଖେ ଆଉ ଗୋଟାଏ ଜଗତ ! କି ସୁନ୍ଦର କି ଜୀବନମୟ ଜଗତ ସେ !! ସେ ଭିତରେ ବେଣୁଧର ବୋଲି ସତର ବର୍ଷର ଯୁବକ କେତେ ଖେଲିଲା, କେତେ ହସି ହସେଇଲା, କେତେ ନାଚି ନଚେଇଲା । ସେ ଗଲା ଘରଛାଡି ପାଠ ପଢିବାକୁ ଯେଉଁଠାରେ ଦେବତା ମଣିଷର ସାକ୍ଷୀ, ସେହିଠାରେ ସେ ପାଠ ପଢିଲା
ପାଠ ପଢ଼ି ପଢ଼ି ସେ ଭାବିଲା, ସେ ଜାଗିବ,ଦେଶକୁ ଜଗାଇବ !

ବେଣୁଧର ଆଖି ଫିଟେଇଲା । ସେ ଦେଖିଲା, ପୁଣି ସେହି ଆଖି ଆଗରେ ପୁରୁଣା ସଂସାର ! ସେହି ଭଂଗାରୂଜା ସଂସାର ଭିତରେ ତାର ପାଠପଢ଼ା ଅକାଳରେ ଶେଷ ହୋଇଛି , ସେହି ନିରସ ସଂସାର ଭିତରେ ତାର ଆଶାର ଝରଣା ଶୁଖି ଆସିଛି,ପ୍ରାଣର ରସ ମରିଯାଇଛି । ସେ ଆସିଛି ଭିକ ମାଗି କେତୋଟି ପ୍ରାଣୀକୁ ପୋଷିବ ବୋଲି !

ବେଣୁଧର ପାରିଲା ନାହିଁ । ବରଗଛ ମୂଳେ ଠିଆ ହୋଇ ମୁହଁ ବୁଲେଇଲା ଗାଁ ଆଡ଼କୁ । ଭାବିଲା “ନା, ମୁଁ ଏପରି ଭାବରେ ଭିକ ମାଗିବା ଟା ସୁନ୍ଦର ହେବ ନାହିଁ । କେହି ଯେତେବେଳେ ଯାଉନାହାନ୍ତି, ମୁଁ ଏକାକୀ ଗଲେ ସେମାନେ ମନେ କରିବେ କ’ଣ ? ବରଂ ଗହଳି ଭିତରେ ପଶି କାନି ପତେଇ ମାଗିଦେଲେ ଚଳିପାରେ । ”

ତଥାପି ବେଣୁଧର କ’ଣ କରିବା ବୁଝି ପାରିଲା ନାହିଁ । ଦିନେ ଗଲା ,ଦୁଇ ଦିନ ଗଲା, ଚାରିଦିନ ଗଲା , ଆଠ ଦିନ ଗଲା – ଦିନ ସତେ ଅବା ପାଣୀ ପରି ବହିଗଲା । ସେ ଦେଖିଲା ସେଇ ସୁଅରେ ତା’ନିଜ ଗାଁର ଶହ ଶହ ମହାପ୍ରାଣୀ ଭାସି ଭାସି, ପେଟ ଦେଖାଇ, କଙ୍କାଳ ଦେଖାଇ, କାନି ଦେଖାଇ ଯାଇ ଲାଗୁଛନ୍ତି ସିରେଇ ଗାଁର ଚାଉଳ ବଣ୍ଟା କେନ୍ଦ୍ର ଦୁଆରେ । ଯାହା ପାଉଛନ୍ତି ମୁଠାଏ ତାହା ସିଝେଇ ଖାଇବାକୁ ଦରକାର ପଡୁନାହିଁ । ଖରାବେଳେ ତଳ ତାତି ଓ ଉପର ତାତି ଭିତରେ ଯେ ପେଟ ଚାଖଣ୍ଡକ ତାତି ଉଠୁଛି,ତାହା ସେମାନେ ସମ୍ଭାଳି ନପାରି ମୁଠା ମୁଠା ଚାଉଳ ବ୍ୟାକୁଳଭାବରେ ପାଟିରେ ଭର୍ତ୍ତି କରୁଛନ୍ତି ।

ବେଣୁଧର ଘରକୁ ଫେରି ଅଇଲା । ଏପରି ଦିନେ ନୁହେଁ, ଦଶ ଦିନ ଯାଇ ଦଶ ଦିନ ଫେରିଲା । ସବୁ କଥାର ସୀମା ଅଛି;ମାତ୍ର ବେନୁଧରର କଥା ସୀମା ପାର ହୋଇଗଲା । ଘରେ ଯେତେବେଳେ ଖୁଦ କଣିକାଟାଏ ସୁଦ୍ଧା ନାହିଁ, ସେତେବେଳେ କି ସୀମା ଭିତରେ ରହି ହୁଏ ? ଶେଷରେ ଦିନେ ସେ କେନ୍ଦ୍ରରେ ଯାଇ ହାଜର ହେଲା ।

(୨)

ସିରେଇ ଗାଁର ସାହାଯ୍ୟକେନ୍ଦ୍ର ଦୁର୍ଭିକ୍ଷ-ରାକ୍ଷସର ତାହା ଗୋଟାଏ ବିରାଟ ଯାଦୁଘର । ଯେଉଁ ଦେଶରେ ଯୁଗ ଯୁଗ ଧରି ବିରାଟ ପଥରସ୍ତୁପ ଉପରେ ପତିତପାବନ ବାନା ଉଡୁଛି , ସେହି ଦେଶର ଲକ୍ଷ ଲକ୍ଷ ନରନାରୀଙ୍କ ବିକଳ ଧ୍ଵନି ସେତେବେଳେ ସିରେଇରେ ପ୍ରତିଧ୍ଵନିତ ହେଉଥିଲା । ଯେଉଁ ଦେଶରେ ମଣିଷର ସାକ୍ଷୀରୂପେ ସ୍ଵୟଂ ଦେବତା ବାଟ ଚାଲି ଆସିଥିଲେ ବୋଲି କଥା ଅଛି, ଦୁଃଖଦାରିଦ୍ର୍ୟର ସାକ୍ଷ୍ୟ ନେବା ପାଇଁ ସେହି ଭୂମିର ପରମ ସନ୍ନ୍ୟାସୀ ଉତ୍କଳମଣି ସେହି ଠାରେ ଉପସ୍ଥିତ ଥିଲେ ।

ସେତେବେଳେ ସିରେଇ ଗୋଟାଏ ବିରାଟ ମଶାଣି କହିଲେ ଚଳେ । ଦରମରା ମଣିଷଗୁଡାକ ସେଠାରେ ମରିବେ କି ଜୀଇବେ ଠିକ୍‌ କରିପାରୁ ନଥିଲେ । କାହା ଆଖିରେ ଜ୍ୟୋତି ନଥିଲା , କାହା ମୁହଁରେ ହସ ନଥିଲା, କାହା ପାଦରେ ବଳ ନଥିଲା, କାହା ପେଟରେ ଅନ୍ନ ନଥିଲା କି କଟିରେ କନା ନଥିଲା । ଥିଲା କେବଳ ସମସ୍ତଙ୍କ କଣ୍ଠରେ ବିକଟ ସ୍ଵର । ସମସ୍ତେ କହୁଥିଲେ ଦିଅ-ଦିଅ-ଦିଅ ।

ବେଣୁଧର ସେଇ ଭିତରେ ଯାଇ ଠିଆ ହେଲା । ସେ ଶବ୍ଦ ଶୁଣି ତାର କାନ ତାବ୍‌ଦା ପଡିଗଲା । ସେ ଦୃଶ୍ୟ ଦେଖି ତା’ଆଖିକି ଜାଲୁଜାଲୁଆ ଦିଶିଲା । ସେ ସେହି ଭିତରେ ଜଣେ ହୋଇ ଠିଆ ହେବାକୁ ଇଚ୍ଛା କଲା ନାହିଁ । ମନେକଲା, ଲୋକଲୋଚନ ଅଗୋଚରରେ କେଉଁଠି ମିଶିଯାନ୍ତା କି, କେଉଁଠି ସେ ଆପଣାର ମୁହଁଟା ଲୁଚାଇ ଠିଆ ହୋଇ ପାରନ୍ତା କି, କେଉଁଠି ନିଜକୁ ହରାଇ ପାଗଳ ହୋଇଯାନ୍ତା କି ?

ସେ ପଛକୁ ଘୁଞ୍ଚି ଆସିଲା । କାହାର ସ୍ନେହ ପାଳିତ ଗୋଟିଏ ଗଛମୂଳେ ପଥର ଉପରେ ବସି ପଡି ଖାଲି ଦେଖିଲା । ତାକୁ ଦିଶିଲା ଗୋଟାଏ ପ୍ରାଚୀନ ବିରାଟ ଜାତି ହଠାତ କିପରି ଭିକାରୀ ପାଲଟିଗଲା ! ଜୀବନ ଥାଉ ଥାଉ ଜାତିଟା କିପରି ଅପମାନ ବରଣ କରିନେଲା ! ଚାହୁଁ ଚାହୁଁ ବାଟ କିପରି ସେ ଭୁଲି ଆସିଲା !

ତାକୁ ଦିଶିଲା – ଏଇପରି ଏକ ପ୍ରଭାତ ଅବସରରେ ସେ ପାଠ ପଢ଼ିଥିଲା । ଚିରଶ୍ୟାମଳ ବକୁଳ ଛୁରୀଅନା ମୂଳେ ଶହ ଶହ ତରୁଣ ପ୍ରାଣରେ ଯେଉଁ ଶିକ୍ଷାର ମଞ୍ଜି ପୋତାଯାଇଥିଲା, ତାହା କ’ଣ ଶେଷକୁ ବଢି ଉଠିଲା ଏଇ ଭିକ ମାଗିବା ପାଇଁ ? ବେଣୁଧର କ’ଣ ଶେଷରେ ଏଇଆ ହେବ ବୋଲି ବହି ଧରିଥିଲା ?

ବେଣୁଧର ସେଠି ଅଛି କି ନାହିଁ ବୁଝିପାରିଲା ନାହିଁ ସେ ନିଜକୁ ଖୋଜିଲା । ତାର ଆଖି ରହିଲା ଭିତରେ, ତାର ମନ ରହିଲା ଭିତରେ, ତାର ଭାବନା ରହିଲା ଭିତରେ – ତାର ଶରୀରଟା କେବଳ ସିରେଇ ଗାଁର ଏକ ଗଛ ମୂଳେ ଥିଲା । ଚାଉଳ ଧରି ଲୋକ ଫେରି ଚାଲିଛନ୍ତି, ଗହଳି କ୍ରମେ ଭାଜି ଆସୁଛି , ଖରା କ୍ରମେ ମାଡି ଆସୁଛି । କିନ୍ତୁ ବେଣୁଧର ନିଜକୁ ହରେଇ ଗଛମୂଳେ ବସିଛି ।

(୩)

ଝାଞ୍ଜି ପବନର ସ୍ପର୍ଶ କିମ୍ବା କପୋତର କରୁଣ ଧ୍ଵନି ବେଣୁଧର ର ମୋହ ଭାଙ୍ଗି ପାରିଲା ନାହିଁ । ଗଛଟା ଯେପରି କାହାକୁ କିଛି ନ କହି ଅନେକଦିନୁ ଠିଆ ହୋଇଛି, ତାହାରି ତଳେ ବେଣୁଧର କାହାକୁ କିଛି ନ ମାଗି ସକାଳପହରୁ ବସିଛି ।

ତାର ଆଗରେ ପ୍ରଶ୍ନ ହେଲା
“ବାବୁ,ତୋର ଗାଁ ?”
ଦଶ ପାଞ୍ଚ ଥର ଏହିପରି ପଚାରିବା ପରେ ବେଣୁଧର ମୁହଁ ଟେକି ଚାହିଁଲା । ଚାହିଁଲା ସତେ, ଯେପରି କୋଣାର୍କର ଗୋଟାଏ ପଥର ମୁର୍ତ୍ତି କେତେ ଯୁଗ ହେଲା ପାଣି, ପବନ, ଖରା, ତରା, ସହି ସହି ପଡି ରହିଥିଲା, ହଠାତ କାହାର ଡାକରେ ତାର ଜଡ ପିଣ୍ଡରେ ପ୍ରାଣ ସଂଚାର ହେଲା !

ପୁଣି ତାକୁ ପଚରାଗଲା –
“ତୋର ଗାଁ କେଉଁଠି ବାବୁ ? ଚାଉଳ ନେଇଚୁ ? ”
ବେଣୁଧର ସେହିପରି ଚାହିଁ ରହିଲା ।

ତାପରେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଧୀରେ ଧୀରେ ତା ପାଖକୁ ଲାଗି ଆସିଲେ । ଗୋଟିଏ ଶୀତଳ କୋମଳ ହାତର ସ୍ପର୍ଶ ତା’ପିଠିରେ ଲାଗିଲା । ପିଠିର କାମିଜ୍‌, ଦେହର ଚମ, ଚମ ତଳର ରକ୍ତ ମାଂସ ହାଡ ଭେଦକରି ସତେ ଅବା ସେହି ସ୍ପର୍ଶ ବେଣୁଧରର କେଉଁ ଅନ୍ତର ଭିତରେ ବାଜିଲା । ତାର ଦେହ ଶୀତେଇ ଉଠିଲା । ତାର ଆଖିପତା ଥରିଲା । ଆଖି କ୍ରମେ ଓଦା ହୋଇ ଆସିଲା । ତା’ପରେ, ଦୁଇ ଟୋପା ଲୁହ ନିଗିଡି ତଳେ ପଡିଗଲା । ସେ କଣ କହିବ ବୋଲି ଚେଷ୍ଟା କଲା,ଓଠ କୋଣ ଥରି ଆସିଲା ।

ସେ ବ୍ୟକ୍ତି ପଚାରିଲେ
“ଚାଉଳ ନେଇଚୁ ବାବୁ ?”
“ନା” ଏତିକି କେବଳ ସେ କହିଲା
“ନେବୁ ”
“ନା, ମୁଁ ନେବାକୁ ଆସିନାହିଁ ।”
“ଆଉ ତେବେ-?”
ବେଣୁଧର ଆଉ ସମ୍ଭାଳି ପାରିଲା ନାହିଁ ଭୋ କରି କାନ୍ଦି ଉଠିଲା ଏତିକି କହିଲା –

“ଏଇପରି ଗଛମୂଳେ ଚରଣ ତଳେ ପରା ବସି କଥା ଶୁଣିଥିଲି -”

“ଜୀବନ ଥିଲେ ଭାଇ ପାତିବା ନାହିଁ ହାତ
ମଣିଷ ପରି ଦିନେ ମଣିଷ ହୋଇବା ତ”

ଏତିକି କହି ବେଣୁଧର ଭାଜି ଗଲା ପରି ସେଇ ପାଦ ତଳେ ପଡିଗଲା ।

ତା ପରେ – ତା ପରେ ଅନେକ କ୍ଷଣ ବିତିଗଲା । ବସିପଡି ଥିବା ବେଣୁଧରର ମୁଣ୍ଡରେ ହାତ ଦେଇ ଶାନ୍ତ ଉଦାର ମହାପୁରୁଷ ଦୂରରେ ଖୁବ ଦୂରରେ – ସୁଦୂର ଦିଗ୍‌ବଳୟ ସୀମାରେ ଚକ୍ଷୁ ସ୍ଥିର ରଖି ଅନେକ କ୍ଷଣ ଠିଆ ହେଲେ । ଦୁଇ ଧାର ଅଶ୍ରୁ ତାଙ୍କର କୃଷ୍ଣୋଜ୍ଜ୍ଵଳ ଶ୍ମଶ୍ରୁ ମଣ୍ଡଳରେ ବିନ୍ଦୁ ବିନ୍ଦୁ ହୋଇ ଖସୁଥିଲା । ଆଖି ମୁଦି ହୋଇଯାଇଥିଲା । ଯେତେବେଳେ ସେ ଆଖି ଫିଟାଇଲେ, ଦେଖିଲେ ସ୍ଵେଚ୍ଛାସେବକ ତାଙ୍କୁୁ ଡାକୁଛନ୍ତି, ବେଣୁଧର ପଥର ପରି ତଳେ ପଡିଛି ତାଙ୍କ ମୁହଁରୁ ପଦେ କଥା ବାହାରିଲା –

“ଏ ଜାତି ଏବେ ମଧ୍ୟ ବଞ୍ଚିଛି ।”

—————x————-

Samir Mishra
ଉଦ୍‌ଘୋଷକ – ସମୀର ମିଶ୍ର , ଘର – ଜଦୁଚନ୍ଦ୍ରପୁର, ଭିତରଗଡ଼, କେନ୍ଦ୍ରାପଡ଼ା -୭୫୪୨୨୫ । ବୃତ୍ତି କାର୍ଯ୍ୟକ୍ରମ ଉଦ୍‌ଘୋଷକ, ଅଲ୍‌ ଇଣ୍ଡିଆ ରେଡିଓ, କଟକ । ଠିକଣା – C/O-Gadadhar Barik, Plot No 2294/2497, Gandarpur New Colony, P.P. College Square, Cuttack – 753003, Odisha ।

ଲୋକପ୍ରିୟ ଲେଖା

To Top