ଗଳ୍ପ

ମାଗୁଣୀର ଶଗଡ଼

Godabarisha Mohapatra's Odia Story Maagunira Shagada

ନିଜେ ଦୁଇ ଟୋପା ଲୁହ ନିଜର ଚିରା କାନିରେ ପୋଛି ଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟାଏ ଗଳ୍ପ । ଲୋକଙ୍କ ବାଟ ସରିଯାଏ । କିନ୍ତୁ ତା’ର ଗଳ୍ପ ସରେ ନାହିଁ ।

ମାଗୁଣୀର ଶଗଡ଼

ଖଲିକୋଟର ଦୁଇଲକ୍ଷ ପ୍ରଜାଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି । କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି । ଏ ଖବର ରଖୁଛନ୍ତି ଗୃହପରିବାର ବା ସାଇ ପଡ଼ିଶାର ଲୋକେ । କିନ୍ତୁ ଯେଉଁଦିନ ମାଗୁଣୀ ଏ ସଂସାର ଛାଡ଼ି ଚାଲିଗଲା ସେଦିନ ଖବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା । ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନିରବ ରହି ଦୁଃଖରେ କହିଲା- “ମାଗୁଣୀ ଚାଲିଗଲା । ଆହା ! ବିଚରା ଚାଲିଗଲା ।”

ମାଗୁଣୀ କିଏ ? ଖଲିକୋଟର ସେ ରାଜା ନୁହେଁ, ଏ କଥା ନିଶ୍ଚୟ । ସେ ରାଜ୍ୟର ନେତା ନୁହେଁ, ଏ କଥା ସମସ୍ତେ କହିବେ । ସେ କର୍ମୀ ନୁହେଁ, ଏ କଥା ସମସ୍ତେ ଜାଣନ୍ତି । ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ । ତା’ ବେକରେ କିଏ ଫୁଲମାଳ ଲମ୍ୱାଇ ନାହିଁ, କି ସେ କାହା ଗଳାରେ ମାଳା ଲମ୍ୱାଇ ଦେବା ଦରକାର ପଡ଼ି ନାହିଁ । ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇନାହିଁ କି ଦିଅଁ-ଦେଉଳରେ ପରଜନ୍ମରେ ସ୍ୱର୍ଗ ଲାଭ ପାଇଁ ଜପତପ କରିନାହିଁ । ସେ କେବଳ କରିଛି ଗୋଟିଏ କାମ- ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନ ପଥରେ ଲଢେ଼ଇ କରିଛି । ସେ ଲଢେ଼ଇ ଦେଶ ପାଇଁ ନୁହେଁ, ଜାତିପାଇଁ ନୁହେଁ, ତାହା ନିଜର ପେଟ ଚା’ଖଣ୍ଡକ ପାଇଁ । ତଥାପି, ମାଗୁଣୀର ମୃତ୍ୟୁ ଖବର ପାଇ ସମସ୍ତେ କହିଲେ- “ଆହା ! ବିଚରା ଚାଲିଗଲା ।”

ଗଡ଼ରେ ପଚାରିଲେ ତ ସମସ୍ତେ କହିବେ ମାଗୁଣୀ କିଏ, ଦୂର ଜଙ୍ଗଲତଡ଼ ପଲ୍ଲୀରେ ମଧ୍ୟରେ ତା’ର ପରିଚୟ ମିଳିପାରିବ । ମାଗୁଣୀ ଖଲିକୋଟର କେହି ନୁହେଁ, ସେ ଜଣେ ଶଗଡ଼ିଆ- ଦୁଇଟା ବଳଦ ଓ ସେ- ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲେ ଯାହା କି ଦୁଇଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା ।

ପ୍ରତିଦିନ ଖଲିକୋଟ ଗଡ଼ରେ ସୂର୍ଯ୍ୟ ଉଏଁ ଓ ସୂର୍ଯ୍ୟ ଅସ୍ତ ହୁଏ । ଘନଘୋର ବର୍ଷାଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣୀକୁ ଦେଖି ବେଳ ଜାଣନ୍ତି । ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ିଘାଡ଼ି ହୋଇ ଲୋକେ ବସିଥିଲା ବେଳେ ମାଗୁଣୀ ନିଜ ପରିଚିତ ସାଙ୍ଗ ଦୁଇଟିକୁ ଶଗଡ଼ରେ ଯୋଚି ପାହାଡ଼ ତଳେ ଗୀତ ବୋଲି ଚାଲିଯାଏ । ଲୋକେ କହନ୍ତି, “ମାଗୁଣୀ ସେମାନଙ୍କର ଗୋଟାଏ ଘଣ୍ଟା । ବର୍ଷାଦିନେ ବର୍ଷା ଘୁଞ୍ଚି ଯାଇପାରେ, ଖରାଦିନେ ଖରା ତାତି ଉଣା ହୋଇପାରେ, କିନ୍ତୁ ମାଗୁଣୀର ଶଗଡ଼ ଦିନେ ହେଲେ ବନ୍ଦ ହୁଏ ନାହିଁ ।” ସେ କହେ “ରଜା ଘରେ ଯୋଡ଼ା ଯୋଡ଼ା ମୋଟରକାର ଅଛି ସତ, କିନ୍ତୁ ତା’ପରି ଇଞ୍ଜିନିୟର୍ ନାହାନ୍ତି । ତା’ ଶଗଡ଼ ରଜାଘର ମୋଟରଠୁଁ ବଳେ ।” ବାରବର୍ଷର ଅତି ପରିଚିତ ସାଥୀ କାଳିଆ ଓ କଷରା ବଳଦ ଉପରେ ସେ ହାତ ମାରି ଆଉଁସି ଦେଲେ ତା’ ଗାଡ଼ିରେ ପମ୍ପ ଦିଆହୁଏ । ଯେତେବେଳେ ସେ ଶଗଡ଼ ଉପରେ ବସି ଗୀତ ପଦେ ବୋଲି ଦିଏ- ରାମ ଯେ ଲଇଖଣ ଗଲେ ମୃଗମାରି ତା’ର ମୋଟର ଚାଲେ । ସେତେବେଳେ ଶ୍ୟାମଳ ତରୁ ପତ୍ର ତଳେ, ଗିରି କନ୍ଦରା ଭିତରେ ପ୍ରତିଧ୍ୱନି ଉଠେ । ଅର୍ଦ୍ଧସୁପ୍ତ କୁକୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି, ପଲ୍ଲୀର ବୁଲା କୁକୁର ଦଳ ଚମକି ଉଠି ଗାଁରେ ଚହଳ ପକାଇ ଦିଅନ୍ତି । ଘଡ଼ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ, ଷ୍ଟେସନ୍ ଅଭିମୁଖେ ।

ପଚାଶ ବର୍ଷର ମାଗୁଣୀ ବାର ବର୍ଷର ସାଥି ବଳଦଙ୍କୁ ଧରି ଯେତେବେଳେ ଭଡ଼ା ବୋହି ଚାଲେ ସତୁରୀ ଅଶୀବର୍ଷ ତଳର କାହାଣୀ ପାଣିପରି ବହିଯାଏ । ସେ କହେ “ଆଗ ତା’ ନିଜ କଥା । ତା’ର କେବେ ବାପ ମା’ ଥିଲେ, ସେ କେବେ ସୁଖରେ ବଢ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି ଦୁଇଓଳି ପେଟ ପୁରାଇ ଖାଉଥିଲା, ଆଉ, ଜଣକର ମଧୁର ବଚନ ଶୁଣି ଜୀବନର ସକଳ ଦୁଃଖ ଭୁଲିଯାଉଥିଲା । ସେ ଗଢ଼ିଥିଲା ଗୋଟାଏ ସ୍ୱପ୍ନ ରାଜ୍ୟ । ସେ ରାଜ୍ୟର ସେ ଥିଲା ରାଜା । ରାଣୀ କରି ଯାହାକୁ ଆଣିଥିଲା ଜୀବନଟା ସେ ହସାଇ ହସାଇ ନଚାଉଥିଲା । ତା’ର ଅଧର ତଳେ ସେ ଅମୃତ ପିଉଥିଲା, ତା’ର ଚାହାଁଣୀ ଭିତରେ ସେ ଜଗତ୍ ଦେଖୁଥିଲା, ତା’ର ନିଃଶ୍ୱାସରେ ସେ ସୁବାସ ବାରୁଥିଲା ଓ ତା’ର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା । କିନ୍ତୁ ସେ ସ୍ୱପ୍ନ ତା’ର ବେଶୀ ଦିନ ରହିଲା ନାହିଁ । ସ୍ୱପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେ ପାଖକୁ ।” ଏ ପାଖେ ଏ ଦୁଇଟି ବଳଦ ଘେନି ଗାଁରୁ ଷ୍ଟେସନ୍‌କୁ ଓ ଷ୍ଟେସନ୍‌ରୁ ଗାଁକୁ ଦିନକେ ଦୁଇଥର ଯାଇ ତାକୁ ଆରଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା ।

ଶଗଡ଼ ବାହିଲାବେଳେ ଏ କଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ । ନିଜେ ଦୁଇ ଟୋପା ଲୁହ ନିଜର ଚିରା କାନିରେ ପୋଛି ଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟାଏ ଗଳ୍ପ । ଲୋକଙ୍କ ବାଟ ସରିଯାଏ । କିନ୍ତୁ ତା’ର ଗଳ୍ପ ସରେ ନାହିଁ । ସେ କହେ, “ତା ଶଗଡ଼ରେ ନ ବସିଛି କିଏ ? ବସି ନଥିଲେ ବସି ନଥିବେ ଖଲିକୋଟର ରଜା । କିନ୍ତୁ, ଦେବାନ କହ, ମାନେଜର କହ, ଓକିଲ କହ, ମହାଜନ କହ, ଏପରିକି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ- ସମସ୍ତେ ବସିଛନ୍ତି ତା’ ଶଗଡ଼ରେ ।” ଏ ସବୁ କଥା କହିଲାବେଳେ ସେ ଏଡ଼େ ଉତ୍ସାହରେ କହେ ଯେ, ବେଳେ ବେଳେ ବଳଦ ଦୁଇଟା ଠିଆ ହୋଇଗଲେ ମଧ୍ୟ ସେମାନଙ୍କୁ ଉଡ଼ାଏ ନାହିଁ । ଜାଣିପାରିଲେ କହେ- “ଏ ପଶୁଗୁଡ଼ାକ ମଧ୍ୟ ଏ କଥା ଶୁଣିବାକୁ କାନଉଛନ୍ତି ।”

ମାଗୁଣୀର ଶଗଡ଼ ବଳଦ ଖଲିକୋଟର ଗୋଟାଏ ବିରାଟ ଇତିହାସ ନ ହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା । ସେ ଇତିହାସ କହେ- “ଏ ଶଗଡ଼, ରାଜ୍ୟର ସମସ୍ତିଙ୍କି ଚିହ୍ନିଛି । କେତେ ବାଳବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି, କେତେ ସୁହାସିନୀ କୂଳବଧୂ ବାପଘରୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି । ଖଜଣା ଗଣ୍ଡାକ ଦେଇ ନପାରି ଯେଉଁଦିନ ମଣ୍ଡଳ ଗାଁ ଗଦା ରାଉଳ ଜେଲ୍ ଗଲା ସେଇଦିନ ତା’ ଘରର ଛାଞ୍ଚୁଣୀମୁଣ୍ଡା ଆଦି ଏଇ ଶଗଡ଼ରେ ବୁହା ହୋଇ ଆସି ରଜାଘର କଚିରୀ ଦୁଆରେ ଜମା ହୋଇଥିଲା । ଯେଉଁଦିନ ବେନ୍ଦାଳିଆ ଗାଁର ମଧୁ ରଥେ ନରହତ୍ୟା ଅପରାଧରେ ଧରା ହେଲେ, ସେଦିନ ସେ ଏଇ ଗାଡ଼ିରେ ବସି ଯାଇଥିଲେ । ଏଇ ଗାଡ଼ିରେ ବସି ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି । ଏଇ ଗାଡ଼ିରେ ରଇତ ନେତାଏ ହାତକଡ଼ା ପଡ଼ି କଚିରୀ କି ଯାଇଛନ୍ତି । ଏଇ ଗାଡ଼ି ସୁଖ ଦେଖିଛି, ଦୁଃଖ ଦେଖିଛି । ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳଗଦି ଓଦା ହୋଇଯାଇଛି, ହସ ରୋଳରେ ଏଇ ଗାଡ଼ି କେତେ କମ୍ପିଛି ।”

ଏଇ ସବୁ କଥା କହି ମାଗୁଣୀ ଯେତେବେଳେ ଗାଡ଼ି ଚଲାଏ ମନେହୁଏ ମାଗୁଣୀ ଗୋଟାଏ ଜୀବନ୍ତ ଇତିହାସ । ଏଇପରି ଦଶ ପାଞ୍ଚଟା ଇତିହାସକୁ ଏକାଠି କଲେ ଓଡ଼ିଶାରେ ଗୋଟାଏ କୋଣାର୍କ ତିଆରି ହୁଅନ୍ତା ।

ଦିନେ ମାଗୁଣୀ ଶୁଣିଲା ତା’ ଗାଡ଼ିରେ ଆଉ ଲୋକେ ବସିବେ ନାହିଁ । କାରଣ ସିଂହଘର ଗୋଟାଏ ମୋଟର୍ ବାସ୍ ଆଣୁଛନ୍ତି । ଶୁଣିଲାମାତ୍ରେ ସେ ହସି ହସି ଆକାଶ ଫଟେଇ ଦେଲା । କହିଲା- “ମୋଟର୍ ବାସ୍ ! ତା’ କ’ଣ ମୋ କାଳିଆ କଷରାକୁ ଟପିଯିବ ? ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି ଲୋକେ କ’ଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବ ?” ତା’ର ଏ କଥା ଶୁଣି ସମସ୍ତେ ହସିଲେ ସତ, ମାତ୍ର ସେ ଖାତିରି କଲା ନାହିଁ । ଦୁଇ ଚାରିଦିନ ଗଲା, ଦେଖୁ ଦେଖୁ ଗଡ଼ରେ ମୋଟର୍ ବାସ୍ ପହଞ୍ଚିଲା । ଲୋକେ କହିଲେ- ଏଥର ମାଗୁଣୀର ବ୍ୟବସାୟ ବୁଡ଼ିଲା । ଏକାବେଳେକେ ୨୦ ଜଣଙ୍କୁ ଧରି ଘଣ୍ଟାକେ ଯେ ୪୦ ମାଇଲ୍ ଯିବା ମାଗୁଣୀ କି ତାକୁ ବଳିଯିବ ।

କଥା ସତ । ଦୈତ୍ୟଦାନବ ପରି ଗଡ଼ରେ ମୋଟର ବାସ୍‌ଟାକୁ ଦେଖି ମାଗୁଣୀର ମନରେ ଛନ୍କା ପଶିଗଲା । ସେ କାନ୍ଦି ପାରିଲା ନାହିଁ ସତ, କିନ୍ତୁ କାନ୍ଦ କାନ୍ଦ ହୋଇ ଭାବିଲା, ସେଦିନ ଯାଇଥିଲି କୋଦଳା ସଭାକୁ । କିଏ କହୁଥିଲେ କଳ ଜିନିଷଠୁଁ ହାତ ଜିନିଷ ଭଲ । ତା’ ହେଲେ ମୋଟର କଳଠୁଁ କ’ଣ ମୋ ଶଗଡ଼ ଭଲ ନୁହେଁ ? ଏତେ ଲୋକ ତ ସଭାରେ ବସି ଶୁଣୁଥିଲେ, ସେମାନେ କ’ଣ ମୋ ଦୁଃଖ ବୁଝିବେ ନାହିଁ ? କର୍ମୀ ନ ବୁଝିଲେ ଯିବି ଗାନ୍ଧୀଙ୍କ ପାଖକୁ । ଦରିଦ୍ରର ସାଥୀ ସେ, ଗରିବଙ୍କ ବନ୍ଧୁ ସେ, କ’ଣ କହିବେ ମାଗୁଣୀ ମରିଯାଉ, ଆଉ ଏ ସିଂହେ ବଞ୍ଚନ୍ତୁ ?

ଷ୍ଟେସନ୍‌ରୁ ଗଡ଼କୁ ସିଂହଙ୍କ ବସ୍ ଚାଲିଲା, ମାଗୁଣୀର ଶଗଡ଼ ମଧ୍ୟ ଚାଲିଲା । କିନ୍ତୁ ବସ୍ ପୂର୍ଣ୍ଣ, ଶଗଡ଼ ଖାଲି । ମାଗୁଣୀ ଯେତେ ଆଗରୁ ରାତି ଅଧରୁ ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍‌ରେ । ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଲେ ବସ୍ ମୁହଁକୁ । ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକେ ଚାହିଁଲେ ବସ୍ ଆଡ଼କୁ । ଦିନେ ଗଲା, ଦୁଇ ଦିନ ଗଲା । ସେ ଦୁଇ ଓଳି ଖାଇ କରି ଆସୁଥିଲା, ଓଳିଏ ଖାଇ ଅଇଲା । ସେ ଭାତ ଖାଇ ଆସୁଥିଲା, ତୋରାଣି ପିଇ ଅଇଲା । ସେ ଦୁଇ ଓଳିରେ ଥରେ ପିଇ ଆସୁଥିଲା, କ୍ରମେ ତିନିଓଳି ଚୂଲି ଲାଗିଲା ନାହିଁ । କାଳିଆ କଷରାର ଛାତି ହାଡ଼ ଦେଖାଗଲା । ସେମାନଙ୍କୁ ଧରି ସେ ଯେତେବେଳେ କାନ୍ଦିଲା- “କିଏ କହିଲା ପାଗଳ, କିଏ ବା କହିଲା ବାୟା ।”

ତା’ପରେ ଯେଉଁଦିନ ମାଗୁଣୀର କୁଡ଼ିଆ ଦୁଆର ଭାଙ୍ଗି ଗାଁ ଲୋକେ ତା’ ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ ପାଞ୍ଚଣ ବାଡ଼ି ଖଣ୍ଡିକ ଶୁଆଇ ଦେଇ ମାଗୁଣୀ ଆଖି ବୁଜି ଦେଇଛି । ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ, ପୃଥିବୀରେ ଦୁଇ ଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- “ଆହା, ମାଗୁଣୀ ଚାଲିଗଲା !”

ଲୋକପ୍ରିୟ ଲେଖା

To Top