ଗଳ୍ପ

ପ୍ରତିଭାବାନ୍

Odia Author Dr. Ajit Kumar Tripathy

ସାବିତ୍ରୀ ମାଉସୀଙ୍କ ମୁହଁରୁ ଶୁଖିଗଲା ରକ୍ତ । ନରି କ’ଣ କହୁଛି ? ଜୀବନସାରା କାଣି ହୋଇ ରହିଯିବି ? ଗୋଟିଏ ଆଖି ସେ କହୁଛି ଫୁଟାଇ ଦେବ । ଏମିତିକା ଏଠିକା ଡାକ୍ତର ତ କେହି କହୁନାହାନ୍ତି । ସମସ୍ତେ କହୁଛନ୍ତି, ଧୈର୍ଯ୍ୟ ଧର ।

ପ୍ରତିଭାବାନ୍

ଅବସରପ୍ରାପ୍ତ ଅଧ୍ୟାପକ ବାନାମ୍ୱରଙ୍କ ପାଦ ଆଜି ତଳେ ଲାଗୁନାହିଁ । ତାଙ୍କ ଅତି ପ୍ରିୟ ନାତି ଡାକ୍ତର ନରେଶ ବାରବର୍ଷ ପରେ ଆସୁଛି ଗାଁକୁ । ନରେଶ୍ ବାନାମ୍ୱରଙ୍କ ଝିଅ ସୁଚିତ୍ରାର ପୁଅ । ବାପା ପିଲାଟି ଦିନରୁ ଘର ଛାଡ଼ି ବାବାଜୀ ହୋଇ ଚାଲିଗଲା ପରେ ଅଜା ଘରେ ରହି ମଣିଷ ହୋଇଛି ନରେଶ୍ । ପିଲାଟି ଦିନରୁ ଶ୍ରେଣୀରେ ପାଏ ପ୍ରଥମ ସ୍ଥାନ । ଏମ୍.ବି.ବି.ଏସ୍.ରେ ପାଇଲା ଚାରୋଟି ଗୋଲ୍ଡ ମେଡ଼ାଲ୍, ଏମ୍.ଡ଼ି.ରେ ମଧ୍ୟ ବିଶ୍ୱବିଦ୍ୟାଳୟରେ ସେ ପାଇଥିଲା ପ୍ରଥମ ସ୍ଥାନ । ତା’ପରେ ରହିଲା ଆପୋଲୋ ହସ୍ପିଟାଲରେ ଦୁଇବର୍ଷ ରେସିଡ଼େଣ୍ଟ ସର୍ଜନ ଭାବେ । ଆମେରିକାର ଏକ ନାମକରା ପୋଷ୍ଟଗ୍ରାଜୁଏଟ୍ ମେଡ଼ିକାଲ୍ ଇନିଷ୍ଟିଚ୍ୟୁଟ୍‌ରେ ଆଉ ପାଞ୍ଚ ବର୍ଷର ପୋଷ୍ଟଡ଼କ୍ଟରାଲ୍ ଅଭିଜ୍ଞତା । ସେଠାରେ ଗବେଷଣା କରି ସେ ହାସଲ କରିଛି ପି.ଏଚ୍.ଡ଼ି. ଡିଗ୍ରୀ । ରହିଯାଇଛି ଆମେରିକାରେ ପତ୍ନୀ ସୁଲେଖାଙ୍କ ସହ ।

ଗଲା ଦୁଇବର୍ଷ ହେଲା ଡ. ନରେଶ୍ ରଥ ଗାଁକୁ ଆସିବ ବୋଲି ବାନାମ୍ୱରବାବୁ ଗ୍ରାମରେ ସମସ୍ତଙ୍କ ଆଗରେ ଗାଇ ବୁଲିଛନ୍ତି ତାଙ୍କର ଡାକ୍ତରୀ ବିଦ୍ୟାର ଅପୂର୍ବ କରାମତି । ନିଜ ପାଠରେ ନରେଶର ଏତେ ପାଣ୍ଡିତ୍ୟ ଯେ ସେ ତା’ର ପ୍ରଫେସର୍‌ମାନଙ୍କୁ ପାଠ ପଢ଼ାଏ । ତା’ର ଏକ ଶହରୁ ଅଧିକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ ହେଲାଣି ଆନ୍ତର୍ଜାତିକ ରିସର୍ଚ୍ଚ ମାଗାଜିନ୍ ଗୁଡ଼ିକରେ । ସେଥିରୁ ଅନେକ ପୁରସ୍କୃତ ହୋଇଛନ୍ତି ଓ ଅନେକ ଉଚ୍ଚ ପ୍ରଶଂସିତ ।

ବିଶ୍ୱର ତିନୋଟି ନାମଜାଦା ମେଡ଼ିସିନ୍ କମ୍ପାନୀ ଡ. ନରେଶ୍ ରଥଠାରୁ ଫର୍ମୁଲା କିଣି ଔଷଧ ତିଆରି କରୁଛନ୍ତି । ନିଜେ ଏମ୍.ଡ଼ି. ପଢୁଥିଲାବେଳେ ନରେଶ୍ କରୁଥିଲା ଏମ୍.ଡ଼ି. ପିଲାଙ୍କ ପରୀକ୍ଷା ଖାତା ସଂଶୋଧନ । ପି.ଏଚ୍.ଡ଼ି. କରୁଥିବାବେଳେ ସେ କରେ ଅନ୍ୟ ଡାକ୍ତରଙ୍କ ପି.ଏଚ୍.ଡ଼ି. ଥେସିସ୍ ସଂଶୋଧନ । ଦେଶର ନାମଜାଦା ନ୍ୟୁରୋ ସର୍ଜନମାନେ ଜଟିଳ କେଶ୍ ଅପରେଶନ୍ କଲା ପୂର୍ବରୁ ତା’ ସଙ୍ଗରେ ପରାମର୍ଶ କରନ୍ତି । ଟେଲି ମେଡ଼ିସିନ୍ ନେଟୱାର୍କ ଜରିଆରେ ସେ ମାର୍ଗ ଦର୍ଶନ କରାଏ ଅନେକ ବିଶେଷଜ୍ଞ ଡାକ୍ତରଙ୍କୁ ଚିକିତ୍ସାରେ ଓ ଅସ୍ତ୍ରୋପଚାରରେ । କେବଳ ନ୍ୟୁରୋ ସର୍ଜରୀ ନୁହେଁ, କାଡ଼ିଓଲଜି, ଡାଇବେଟିସ୍, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲଜି, ଇଉରୋଲଜି, ନେଫ୍ରୋଲଜି ଓ ହେମାଟୋଲଜିର ଅନେକ ଡାକ୍ତର ନରେଶ୍ ସଙ୍ଗେ ପରାମର୍ଶ କଲେ ହିଁ ଚିକିତ୍ସାରେ ଅଗ୍ରସର ହୁଅନ୍ତି । କ୍ୟାନସର୍ ସ୍ପୋସାଲିଷ୍ଟମାନେ ମଧ୍ୟ ବିଭିନ୍ନ ସମୟରେ କେମୋଥେରାଫି, ରେଡ଼ିଓଥେରାଫି ବା ସର୍ଜରୀ କରିବା ଆଗରୁ ନରେଶ୍ ସଙ୍ଗେ ଆଲୋଚନା କରନ୍ତି ।

ଡାକ୍ତର ନରେଶ୍ ଗାଁକୁ ଆସିବାର ଦୁଇବର୍ଷ ପୂର୍ବରୁ ତା’ର ପ୍ରଚଣ୍ଡ ସୁନାମ ଗାଁର ଘରେ ଘରେ ବ୍ୟାପି ଯାଇଥିଲା । ନରେଶ୍ ପହଞ୍ଚିବା ପରଦିନ ସକାଳୁ ଘରେ ପ୍ରଥମେ ଆସି ପହଞ୍ଚିଲେ ଗଣି କାକା । ପରିବାରର ଏବଂ ନରେଶର ପିଲାଦିନର ଅତି ଆଦରର ଗଣି କାକା । ପ୍ରଥମେ ସେ ନରେଶ ମୁଣ୍ଡରେ ହାତ ବୁଲାଇ ତାକୁ ଦେଲେ ଅଜସ୍ର ଆଶୀର୍ବାଦ । ତା’ପରେ ନରେଶ୍ ସାମନାରେ ଚଟାଣରେ ବସି ପଡ଼ି ନିଜ ପାଟି ଖୋଲି ଦେଖାଇଲେ । “ଦେଖିଲୁ ବାପା ନରି, ଏ ଜିଭ ତଳେ କ’ଣ ଘା’ ଭଳି ଦେଖାଯାଉଛି । ସଳସିମା ଭଳି ପୋଡୁଛି ବେଳେବେଳେ । ଆଉ କେତେବେଳେ ବାଜିଗଲେ କାଟୁଛି । ଲସା ପାଣି କିଛି ନାହିଁ । ଏଇଟା କ’ଣ ଭଲ ହେବ ନାହିଁ ? ଲୁଣ, ଲେମ୍ବୁ ବାଜିଗଲେ ପୋଡୁଛି । ଥଣ୍ଡା ଲାଗିଲେ ଧକଧକ କରୁଛି ।”

ଡାକ୍ତର ନରେଶ ସାମାନ୍ୟ ବିରକ୍ତି ଭାବକୁ ଲୁଚାଇ କହିଲା, “କାକା, ବ୍ଲଡ୍ ରିପୋର୍ଟ କାଇଁ ? ଏକ୍ସରେ ରିପୋର୍ଟ କାଇଁ ? କେଉଁ ଡାକ୍ତରକୁ ଦେଖାଇଥିଲ ତା’ ରିପୋର୍ଟ, ପ୍ରେସ୍କ୍ରିପ୍ସନ୍ କାଇଁ ? କେଉଁ ଔଷଧ ଖାଉଛ ? କିଛି କାଗଜପତ୍ର ନଥାଇ ମୁଁ କ’ଣ ତୁମକୁ ଦେଖିବି ? ଯାଅ, ଭୁବନେଶ୍ୱରରେ ହେମଲତା ହସ୍ପିଟାଲ୍‌ରେ ଦେଖାଅ, ନ ହେଲେ ମୁମ୍ୱାଇ ଆସ । ମୁଁ ଆମେରିକା ଫେରିଲା ପୂର୍ବରୁ ତୁମକୁ ଟାଟା ମେମୋରିଆଲ୍‌ରେ ଚେକ୍ ଅପ୍ କରାଇଦେବି ।”

ନରେଶ ଯେ ଗଣି କାକାଙ୍କ ଏଇ ପାଟି ଘାଆଟାର କୌଣସି ରିପୋର୍ଟ ନ ଦେଖି, ଘାଆଟିକୁ ନିଜେ ପରୀକ୍ଷା ନ କରି କ୍ୟାନସର୍ ହୋଇପାରେ ବୋଲି ଏଡ଼େ ସହଜରେ କହିଦେବ, ଏ କଥା ବାନାମ୍ୱରବାବୁଙ୍କୁ ଲାଗିଲା ବେଶ୍ ଆଶ୍ଚର୍ଯ୍ୟ । ଗଣି କାକା ମୁଣ୍ଡରେ ହାତ ଦେଇ ତଳେ ନଥ୍ କିନା ବସି ପଡ଼ିଲେ । ତା’ପରେ ଉଠି ପଡ଼ି ଭୂତ ଦେଖିଲା ଭଳି ସେ ପଳାଇଗଲେ ରୁମ୍ ଛାଡ଼ି । ଖବର ଆସିଲା ଗଣି କାକାଙ୍କ ଘରେ କ୍ୟାନସର ଖବର ଶୁଣି କାନ୍ଦ ବୋବାଳି ପଡ଼ି ଯାଇଛି । ବାନାମ୍ୱରବାବୁ ସଙ୍ଗେ ସଙ୍ଗେ ତାଙ୍କ ଘରକୁ ଯାଇ ସମସ୍ତଙ୍କୁ ଆଶ୍ୱାସନା ଦେଲେ । ସଠିକ୍ ଅନୁସନ୍ଧାନ ନ କରି କାଲିକା ପିଲାଟା କ’ଣ କହିଦେଲା ବୋଲି ତୁମେ ଏତେ ବ୍ୟସ୍ତ କାହିଁକି ହେଉଛ ? କିଛି ହୋଇନାହିଁ ଗଣିର । ତୁମେ ସମସ୍ତେ ନିଶ୍ଚିନ୍ତ ଥାଅ । ନରେଶ ଭଳି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡାକ୍ତର ଯେତେବେଳେ କ୍ୟାନସର କଥା କହୁଛି, ସେତେବେଳେ ତା’ କ’ଣ ଭୁଲ୍ ହୋଇପାରେ ? ବାନାମ୍ୱରବାବୁ ଯେତେ ବୁଝାନ୍ତୁ, ଗଣି କାକାଙ୍କ ପରିବାର ଥୟ ଧରିବେ କିପରି ?

ସେଦିନ ସନ୍ଧ୍ୟାବେଳକୁ ଘରକୁ ଆସିଲେ ସାବିତ୍ରୀ ମାଉସୀ । ବୟସ ଷାଠିଏ ବର୍ଷ । ଆସୁ ଆସୁ ନରେଶକୁ ସ୍ନେହ ଓ ଆଶୀର୍ବାଦରେ ପୋତି ପକାଇଲେ । “ବାପା, ମୋ ଆଖିଟା ଟିକିଏ ଦେଖିଲୁ । ମୋତିଆବିନ୍ଦୁ ଅପରେସନ୍ କରିଥିଲି ଗୋଟାଏ ଆଖି ଚାରିମାସ ତଳେ, ଆଉ ଗୋଟାଏ ଦୁଇମାସ ହେଲା । ବାଁ ଆଖି ବନ୍ଦ କଲେ, ଡାହାଣ ଆଖିରେ ଭଲ ଦିଶୁଛି । ଡାହାଣ ବନ୍ଦ କଲେ, ବାଁ ଆଖିରେ ସବୁ ଦିଶୁଛି । ହେଲେ ଦୁଇ ଆଖି ଖୋଲି ଦେଲେ ସବୁ ଜିନିଷ କ’ଣ ଦିଇଟା ଲେଖାଏଁ ଦିଶୁଛି ? ମୁଣ୍ଡ ବିନ୍ଧୁଛି, କିଛି ପଢ଼ି ହେଉନାହିଁ । ମୁଣ୍ଡ ବୁଲାଇ ଦେଉଛି ।” ନରେଶ୍ ନିଜର ବିରକ୍ତିକୁ ଚାପି ରଖି ମନଖୋଲା ହସଟାଏ ହସିଲା । “ମାଉସୀ, ମୁଁ କ’ଣ ଆଖି ଡାକ୍ତର ହୋଇଛି କି ? ତୁମ ଅପରେସନ୍ ଯଦି ଫେଲ୍ ହୋଇଗଲା ତେବେ ଆଉ କିଛି ଉପାୟ ନାହିଁ । ଯିବାକୁ ପଡ଼ିବ ହାଇଦରାବାଦ୍, ଦିଲ୍ଲୀ ନ ହେଲେ ଚେନ୍ନାଇ । ଗୋଟାଏ ଆଖିକୁ ହୁଏତ ସବୁଦିନ ପାଇଁ ବନ୍ଦ କରିଦେବାକୁ ହେବ । ତାହା ହେଲେ କିଛି ଅସୁବିଧା ହେବ ନାହିଁ । ତମେ ସବୁ ଦେଖିପାରିବ । ମୁଣ୍ଡ ବିନ୍ଧିବ ନାହିଁ ।”

ସାବିତ୍ରୀ ମାଉସୀଙ୍କ ମୁହଁରୁ ଶୁଖିଗଲା ରକ୍ତ । ନରି କ’ଣ କହୁଛି ? ଜୀବନସାରା କାଣି ହୋଇ ରହିଯିବି ? ଗୋଟିଏ ଆଖି ସେ କହୁଛି ଫୁଟାଇ ଦେବ । ଏମିତିକା ଏଠିକା ଡାକ୍ତର ତ କେହି କହୁନାହାନ୍ତି । ସମସ୍ତେ କହୁଛନ୍ତି, ଧୈର୍ଯ୍ୟ ଧର । ଅପେକ୍ଷା କର । ଯଦି ମନକୁ ମନ ଠିକ୍ ନ ହେଲା ତେବେ ଆଉ ଥରେ ଅପରେସନ୍ କରି ଠିକ୍ କରି ଦେଇ ହେବ । ହୁଏତ ପଡ଼ିପାରେ ପାୱାରବାଲା ଦାମିକିଆ ବାଇଫୋକାଲ୍ ଚଷମା ପିନ୍ଧିବାକୁ, ନ ହେଲେ ଲେନ୍ସ ବଦଳାଇବାକୁ ପଡ଼ିପାରେ । ଡୋଳାର ଆଡ଼ଜଷ୍ଟମେଣ୍ଟ୍ ଆଜିକାଲି ହୋଇପାରୁଛି । ପଇସା ଲାଗିବ । ସାବିତ୍ରୀ ମାଉସୀ ନିଜ କାନ୍ଦ ଅଟକାଇ ପାରିଲେ ନାହିଁ । କହିଲେ, “ବାପା, କାଣୀ ହୋଇ ବଞ୍ଚିବା ଅପେକ୍ଷା ମରିଯିବା ଭଲ ହେବ ।” ନରେଶ ବିରକ୍ତ ହୋଇ କହିଲା, “ମାଉସୀ, ମୋତେ ଏଇ କନ୍ଦାକଟା କିଛି ଭଲ ଲାଗେନି କହୁଛି । ବୟସ ଆସି ଏତେ ହେଲାଣି, ଗୋଟେ ଆଖି ବନ୍ଦ ହୋଇଗଲେ କ’ଣ ହୋଇଯାଉଛି ତମର ?”

ସାବିତ୍ରୀ କାନ୍ଦି କାନ୍ଦି ଯାଇ ବାନାମ୍ୱରବାବୁଙ୍କୁ ସବୁ କହିଲେ । ବାନାମ୍ୱରବାବୁ କରିବେ ବା କ’ଣ ? ମନେ ମନେ ନିଜକୁ ଗାଳି ଦେଲେ । ସେ ନାତି ନରେଶ୍ ବିଷୟରେ ଗାଁରେ ଏତେ ବଢେ଼ଇ ଚଢେ଼ଇ କହୁଥିଲେ କାହିଁକି ? ଗାଁଲୋକ କ’ଣ ଜାଣିବେ ଆଜିକାଲି ଆଖି, ନାକ, କାନ, ମୁଖ ଗହ୍ୱର, ଚର୍ମ, ପେଟ, ହାର୍ଟ, ମସ୍ତିଷ୍କ, ବୃକକ୍, ଫୁସ୍‌ଫୁସ୍, ହାଡ଼ଗୋଡ଼ ସବୁର ଡାକ୍ତର ଅଲଗା । କେହି କାହାର କଥା ଜାଣିବେ ନାହିଁ । ଗଦାଏ ପରୀକ୍ଷା, ଗଦାଏ ରିପୋର୍ଟ ନ ଆସିଲେ କେହି କିଛି ବୁଝିବେ ନାହିଁ । କିଛି ଶୁଣିବେ ନାହିଁ । ସାବିତ୍ରୀଙ୍କୁ ବୁଝାଇ କହିଲେ, “ଝିଅ, ଆମ ନରି ତ ଆଖି ଡାକ୍ତର ନୁହେଁ । ସେ କ’ଣ ତୁମକୁ କହିଲା ତୁମେ ଚିନ୍ତା କରୁଛ କାହିଁକି ? ମୁଁ ତୁମ ଆଖି ଠିକ୍ କରିବାର ଦାୟିତ୍ୱ ନେବି ।”

ତା’ପର ଦିନ ଆସି ପହଞ୍ଚିଲେ ବୃନ୍ଦାବନ ସାର୍ । ସେ ନରେଶ ପଢ଼ିଥିବା ପ୍ରାଇମେରୀ ସ୍କୁଲ୍‌ର ଶିକ୍ଷକ । “ବାପା, ତିନିଦିନ ହେଲା ମୋ ଦେହରୁ ଜ୍ୱର ଓହ୍ଲାଇଉ ନାହିଁ । ଟିକେ ଦେଖିଲୁ ବାପା ।” ମୋ ବୟସ ତ ଆସି ହେଲାଣି ଅଶୀ । ସାର୍‌ଙ୍କୁ ନରେଶ୍ ମାଗିଲା ବ୍ଲଡ୍, ଷ୍ଟୁଲ୍, ୟୁରିନ୍‌ର ରିପୋର୍ଟ । ବ୍ୟସ୍ତତା ଭିତରେ ସେ ଭୁଲି ଯାଇଥିଲା ଗାଁରେ ଏସବୁ କରିବା ସୁବିଧା ନାହିଁ । ଏ ସବୁ ରିପୋର୍ଟ ନ ଥାଇ ସେ ଆଦୌ ଚିକିତ୍ସା ଆରମ୍ଭ କରିପାରିବ ନାହିଁ ବୋଲି ସିଧା ସିଧା କହିଦେଲା । ଜ୍ୱର ବଢ଼ିଗଲେ ପାରାସିଟାମଲ୍ ଖିଆ ଯାଇପାରିବ । ଏତଦ୍‌ବ୍ୟତୀତ ଅନ୍ୟ କୌଣସି ଔଷଧ କଥା ନରେଶ୍ କହିଲା ନାହିଁ ।

ବାନାମ୍ୱରବାବୁ ନରେଶକୁ କହିଲେ- “ସାର୍‌ଙ୍କର ମ୍ୟାଲେରିଆ ହୋଇଥାଇପାରେ । ଲାରିଆଗୋ ଭଳି କ୍ଲୋରୋକୁଇନ୍ ଔଷଧ ଆରମ୍ଭ କରିଦେଲେ ହୁଏତ ଭଲ ହୋଇଥାନ୍ତା ।” ନରେଶ ବେଶ୍ ବଡ଼ପାଟିରେ କହିଲା “ଅଜା, ମୁଁ ଡାକ୍ତର ନା ତୁମେ ଡାକ୍ତର ? ବୃନ୍ଦାବନ ସାର୍ ମୋ ପାଖକୁ ଆସିଛନ୍ତି ନା ତୁମ ପାଖକୁ ଆସିଛନ୍ତି ? ଗାଁରେ ନିଜେ ନିଜେ ତୁମେ ଡାକ୍ତର ହୋଇପାର, କିନ୍ତୁ ମୋ ସାମନାରେ ଔଷଧ କହିଦେଉଛ କିପରି । ବ୍ଲଡ୍ ପରୀକ୍ଷା ନ କରି ମ୍ୟାଲେରିଆ ଚିକିତ୍ସା ଆରମ୍ଭ କରି ଦେବାର ସପକ୍ଷରେ ମୁଁ କେବେ ନାହିଁ ।” ବୃନ୍ଦାବନ ସାର୍ ଫେରିଗଲେ ଘରକୁ । ତିନିଦିନ ପରେ ଜଣାପଡ଼ିଲା ସାର୍‌ଙ୍କୁ ହୋଇଛି ସେରିବ୍ରାଲ୍ ମ୍ୟାଲେରିଆ । ସାର୍‌ଙ୍କୁ ବ୍ଲକ୍ ସି.ଏଚ୍.ସି. ନିଆଯାଇ ଗ୍ଲ୍ରକୋଜ୍ ସାଲାଇନ୍, କୁଇନାଇନ୍ ଆଦି ଦଶଟା ଇେଞ୍ଜକ୍ସନ୍ ଫୋଡ଼ା ହେଲା, ଚାରି ବୋତଲ ରକ୍ତ ଦିଆଗଲା । କିନ୍ତୁ ତାଙ୍କୁ ବଞ୍ଚାଇ ହେଲାନାହିଁ । ସମସ୍ତେ କଥା ହେଲେ ଯଦି ବାନାମ୍ୱରଙ୍କ କଥା ଅନୁସାରେ ସାର୍‌ଙ୍କୁ କ୍ଲୋରୋକୁଇନ୍ ଟାବ୍ଲେଟ୍ ତୃତୀୟ ବା ଚତୁର୍ଥ ଦିନଠାରୁ ପୁରା ଡୋଜ୍‌ରେ ଦିଆଯାଇଥାନ୍ତା ହୁଏତ ସାର୍ ବଞ୍ଚିଯାଇଥାନ୍ତେ । କୋଡ଼ିଏ ବର୍ଷ ତଳେ ପାର୍ବତ୍ୟ ଅଞ୍ଚଳରୁ ଟୁର୍ ଯାଇ ଫେରିଥିବା ଜଣେ ଆଇ.ଜି. ପୋଲିସ୍ କ୍ଲୋରୋକୁଇନ୍ ନ ଖାଇ ବ୍ରେନ୍ ମ୍ୟାଲେରିଆରେ ଦେହତ୍ୟାଗ କରିଥିଲେ । ସେହି ଟୁର୍‌ରୁ ଫେରି ତାଙ୍କ ଡ୍ରାଇଭର୍ ଜର ହେବା ମାତ୍ରେ କ୍ଲୋରୋକୁଇନ୍ ଖାଇ ଦେବାରୁ ବଞ୍ଚି ଯାଇଥିଲା । ରକ୍ତ ପରୀକ୍ଷାରେ ମ୍ୟାଲେରିଆ ଜୀବାଣୁ ବାହାରକୁ ଜଣା ନ ପଡ଼ନ୍ତୁ, କୁଇନାଇନ୍ ଖାଇ ଦେବା ନିହାତି ଜରୁରୀ । ବିଳମ୍ୱ ହୋଇଗଲେ ଆଉ ଔଷଧ ଶୁଣିବ ନାହିଁ । ଏ କଥା ଗାଁ ଲୋକେ କହିଲେ ।

ବୃନ୍ଦାବନ ସାର୍‌ଙ୍କ ପୁଅ ଆସି ନରେଶ୍‌କୁ ଯାହା ଇଚ୍ଛା ତାହା ଗାଳି ଦେଇଗଲା । “ବଡ଼ ଡାକ୍ତର ହୋଇ ପାଠ ଦେଖେଇ ହେଉଛ ବାବୁ । ଆମେ ମୂର୍ଖ ଲୋକ ଯାହା ଜାଣିଛୁ, ତୁମକୁ ସେତିକି ବି ଆସେନାହିଁ । ରକ୍ତ ପରୀକ୍ଷା ଦେଖାଉଛ ଆମକୁ । ମୋ ବାପାଟାକୁ ଦେଖୁ ଦେଖୁ ଖାଇଗଲ ତୁମେ । ତୁମ ଏମ୍.ଡ଼ି., ପି.ଏଚ୍.ଡ଼ି. ଗାତ ଚୁଲିକୁ ଯାଉ । ତମ ପାଠ ତମ ଘରେ ରଖିଥା’ ବାବୁ । ଆମ ଗାଁ ଲୋକଙ୍କୁ ଆଉ ମାର ନାହିଁ ।”

ସେତିକିବେଳକୁ ବାନାମ୍ୱରବାବୁଙ୍କ ଘରେ ଥିବା ପୂଜାରୀ ନନା ହରିର ବୋହୂର ପ୍ରଥମ ଡେଲିଭରି ହୋଇଥାଏ । କୁନି ପୁଅଟିଏ ହୋଇଥାଏ ଦଶ ବାରଦିନର । ତା’ ମା’ ତାକୁ ଆଣି ଡାକ୍ତର ନରେଶ୍‌ଙ୍କ ପାଖରେ ପହଞ୍ଚିଲା । ପିଲାଟା ଦେହରୁ ଜ୍ୱର ଛାଡୁନଥିଲା । ମଝିରେ ମଝିରେ ଆଖି ତରାଟି ଦେଉଥିଲା ସେ । ହରି ସ୍ତ୍ରୀ ପଦ୍ମାବତୀ ସାଙ୍ଗରେ ଆସିଥିଲା । କହିଲା, “ଡାକ୍ତରବାବୁ ପିଲାଟା ପାଣି ମାଗୁଛି, ମା’ ତାକୁ ଦଉନି । କହୁଛି, ଛୋଟ ପିଲା ଖାଲି ମାଆ କ୍ଷୀର ଖାଇବ । ଡାକ୍ତର ମନା କରିଛି ଆଉ କିଛି ଦେବାକୁ । ମୁଁ କହୁଛି, ଫୁଟା ପାଣି ମିଶିରି ପକାଇ ଥଣ୍ଡା କରି ପିଲାକୁ ମଝିରେ ମଝିରେ ଦିଅ । ବୋହୂ ଶୁଣିବାକୁ ନାହିଁ । ଦୁଇଦିନ ହେଲା ମୁଁ କହୁଛି । ତମେ ବି କୁଆଡ଼େ ଛୁଆକୁ ଆଉ କିଛି ଦେବାକୁ ମନା କରିଛ ।”

ଡାକ୍ତର ନରେଶ କହିଲା, “ବୋହୂ ଠିକ୍ କହୁଛି । ପିଲାକୁ ମାଆ କ୍ଷୀର ଛଡ଼ା ଆଉ କିଛି ଦିଅନାହିଁ । ବିଜ୍ଞାନ କହିଛି, ପିଲାର ଯାହା ପୁଷ୍ଟି ଦରକାର, ସବୁ ମାଆ କ୍ଷୀରରେ ଅଛି । ଅନ୍ୟ କୌଣସି ଖାଦ୍ୟ ଦରକାର ନାହିଁ ।”

ପଦ୍ମାବତୀ କହିଲା, “ବାବୁ, ତୁମେ କି ଘୋଡ଼ା ହାତୀ ପାଠ ପଢ଼ିଛ ମୁଁ ଜାଣିନି । ପିଲାକୁ ଗାଈ, ଛେଳି, ମଇଁଷି କ୍ଷୀର ଦେବା ଦରକାର ନାହିଁ । ଭାତ, ଜାଉ, ପେଜ, ତୋରାଣି, ଫଳ ଦେବା ଦରକାର ନାହିଁ । ଏ କଥା ତ ମୁଁ ଜାଣିଛି, ବୁଝୁଛି । ଆମେ ପିଲାଦିନେ ସବୁ ଖାଇ ହଜମ କରୁଥିଲୁ । ମାଆ କ୍ଷୀର ଯଦି ଯଥେଷ୍ଟ ହେଉ ନ ଥାଏ ଓ ସେଥିରୁ ଯେତିକି ପାଣି ପିଲା ଦେହକୁ ଯିବା କଥା ଯାଉ ନଥାଏ, ତେବେ ପିଲାଟା ବଞ୍ଚିବ କିପରି ? ତା’ ଦୁର୍ବଳିଆ ମା’ ଥନରୁ ଦିନକୁ ଚାରି ଚାମୁଚ କ୍ଷୀର ମଧ୍ୟ ବାହାରୁନି । ତୁମ କଥା ଅନୁସାରେ ଚଳିଲେ ତ ପିଲାଟା ଶୁଖି ଶୁଖି ଭୋକଶୋଷରେ ମରିଯିବ ।” ଡାକ୍ତର ନରେଶ କିନ୍ତୁ ସେହି ପାଠ ବହିରେ ବନ୍ଧା । ସେ ପଦ୍ମାବତୀ ଉପରେ ବିରକ୍ତ ହୋଇ କହିଲେ, “ତୁମେ ଡାକ୍ତର ନା ମୁଁ ଡାକ୍ତର ? ଯଦି ପାଣି ପିଆଇବାର ଥିଲା ତେବେ ମୋ ପାଖକୁ ଆଣୁଥିଲ କାହିଁକି ? ଯାଅ, ଜଲଦି ତାକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଅ । ସେଠାରୁ ଗ୍ଲୁକୋଜ୍ ସାଲାଇନ୍ ସେମାନେ ଲଗାଇଦେବେ । ପିଲା ଭଲ ହୋଇଯିବ ।”

ପିଲାଟିକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା । ସେଠାରେ ଗ୍ଲୁକୋଜ୍ ସାଲାଇନ୍ ଲାଗିଲା ବେଳକୁ ବହୁତ ଡେରି ହୋଇଯାଇଥିଲା । ନିର୍ଜଳୀକରଣର ଏକ ରକମ ଶେଷ ଅବସ୍ଥା । ଦେହ ଆଉ ଜଳୀୟ ଅଂଶ ଗ୍ରହଣ କରିବାର ଅବସ୍ଥାରେ ନଥିଲା । ସବୁଦିନ ପାଇଁ ପିଲାଟି ଆଖି ବୁଜି ଦେଲା ।

ତା’ପରେ

ଲୋକପ୍ରିୟ ଲେଖା

To Top