ହଁ, ତା’ ସହିତ ଏ ଜୀବନରେ ଦିନେ ଯେ ମୁହାଁମୁହିଁ ହେବି ମୁଁଏକଥା ଜାଣିଥିଲି, ହେଲେ ଏମିତି ଅବେଳରେ, ଅପ୍ରତ୍ୟାଶିତ ଭାବରେ ତାକୁ ଭେଟିବି ବୋଲି କେବେ ଭାବିନଥିଲି । ମୁଁ ତ ତାକୁ ଭେଟି ବୋକାଙ୍କ ପରି ଚାହିଁ ରହିଲି । ମୋ ଆଖିରୁ ଜୁଳୁଜଳିଆ ପୋକ ବାହାରିଗଲା ପରି ଲାଗିଲା । ପାଦତଳେ ଆଉ ମାଟି ନ ଥିବା ପରି ଅବସ୍ଥା । ଡାକ୍ତରବାବୁ ତାଙ୍କ ଭାବଲେଶହୀନ ମୁହଁରେ କହିବାକୁ ଆରମ୍ଭ କଲେ, “ଏତେ ପାନ କାହିଁକି ଖାଉଛ ଆଁ… । ଯେତେସବୁ ବଦଅଭ୍ୟାସ କରିବ, ଦୁଃଖ ଭୋଗିବନି ତ ଆଉ କ’ଣ । ଏବେ ତୁମକୁ ମୁଖଗହ୍ୱର କ୍ୟାନସର୍ । ଥାର୍ଡ ଷ୍ଟେଜ୍ରେ । ଆଉ ବଞ୍ଚିବାର ଚାନ୍ସ ନାହିଁ ।’’
ମୋର ସର୍ବାଙ୍ଗ ଥରିଗଲା । କାହାକୁ ମୁଁ ସାମ୍ନାରେ ଦେଖୁଛି ? ଏ ତ ନିଶ୍ଚିତ ମୃତ୍ୟୁ… । ଏ ଡାକ୍ତରବାବୁ କେତେଟା ପରୀକ୍ଷାର ରିପୋର୍ଟ ଦେଖି କେତେ ସହଜରେ ତା’ ସହିତ ମୋର ଭେଟ କରାଇଦେଲେ । ହେ ଭଗବାନ, ଏବେ ମୁଁ କ’ଣ କରିବି ? ମୁଁ ଅରୁଣ ମହାପାତ୍ର । ବୟସ ମାତ୍ର ପଇଁତିରିଶି ବର୍ଷ । ଆଠ ବର୍ଷ ହେଲା ବିବାହ କରିଛି । ମୋ ସ୍ତ୍ରୀ ଦେହରେ ମାୟାବୀ ଯୌବନ ଏବେ ବି ଲହଡି ଭାଙ୍ଗୁଛି । ତା’ ଢଳ ଢଳ ଆଖିରେ ଏବେ ବି ଅନେକ ପ୍ରଣୟର ଆମନ୍ତ୍ରଣ । ଅତିପ୍ରିୟ ପ୍ରିୟା ମୋର କେମିତି, କେମିତି ତାକୁ ଶୂନ୍ୟ ସୀମନ୍ତ,ଶୂନ୍ୟ କପୋଳ ଆଉ ଶୂନ୍ୟ ହସ୍ତ ଓ ଶୁଭ୍ର ବସନା କରି ଛାଡିଯିବି ? ତା’ ଉପରେ ଲଦିଦେବି ପାହାଡ ପରି ଜୀବନର ବୋଝ ଆଉ ଦୁଇଟି ଛୋଟ ଛୋଟ ଶିଶୁର ଦାୟିତ୍ୱ । କେମିତି ମୋ ଛଅ ବର୍ଷର ପୁଅ ଜାନ୍ ଆଉ ଚାରିବର୍ଷର ଝିଅ ଜୀନତ୍ କୁ ଛାଡିଦେଇ ଯିବି ? ମୋତେ ଛାଡି ସେମାନେ ଦିନଟେ ବି ରହିପାରନ୍ତି ନାହିଁ । କେମିତି ରହିବେ ସାରା ଜୀବନ ତାଙ୍କ ପ୍ରିୟ ବାପା ବିନା ?? ହେ ମୃତ୍ୟୁ ! ତୁମେ ଟିକେ ରହିଯାଅନା । ମୋ ପ୍ରିୟତମା ଆଉ ଟିକେ ଅଭିଜ୍ଞ ହୋଇଯାଉ । ମୋ ଉପରେ ଅତିମାତ୍ରାରେ ନିର୍ଭର କରୁଥିବା ସରଳା, ନିଷ୍ପାପ ପ୍ରିୟା ମୋର ଟିକେ ଦୁନିଆଦାରୀ ବୁଝିଯାଉ, ଦାୟିତ୍ୱବାନ ହୋଇଯାଉ, ତା’ ପରେ ମୋତେ ନେବ । ମୋ ଟିକି ଟିକି କଢସମ ସନ୍ତାନ ଦୁଇଟି ଟିକେ ପ୍ରସ୍ଫୁଟିତ ହୋଇଯାନ୍ତୁ୍, ମୋ ହାତ ଧରି ଚାଲିବା ଶିଖିଯାଆନ୍ତୁ, ତା’ ପରେ ମୋତେ ନେବ । ହେ ମୃତ୍ୟୁ ! ବଡ ଇଚ୍ଛା ଥିଲା ଝିଅଟି ମୋର ଉପଯୁକ୍ତ ହେଲା ପରେ ତା’ ବାହାଘର କରିବି । ମଥାରେ ପାଟ ଓଢଣୀ ଘୋଡେଇ ହୋଇ ଶଙ୍ଖା, ସିନ୍ଦୁର ଓ ଅଳତା ପିନ୍ଧି, ନାଲି ବନାରସୀରେ ମୋ ମା’ ର ବୋହୂ ରୂପକୁ ଘଡିଏ ଦେଖିବି । ହେଲେ ଆଉ ତ ଏ ସୌଭାଗ୍ୟ ମୋତେ ମିଳିବନି । ପୁଣି ଆଉ ଗୋଟାଏ ବଡ ଇଚ୍ଛା ଥିଲା ମୋ ପୁଅ ଜାନ୍ ପାଠପଢା ଶେଷ କରି ଚାକିରି ଆଉ ତା’ ପ୍ରଥମ ଦରମା ଆଣି ମୋ ହାତରେ ଧରାଇଦେଇ କହିବ, “ବାପା, ଏ ତୁମ ଆଶୀର୍ବାଦର ଫଳ ।’’ ଏ ସୁଖ ଆଉ ମୋ ଭାଗ୍ୟରେ ନାହିଁ ନା । ନ ହେଲେ ନାହିଁ ସେଥିପାଇଁ ମୋର ନାହିଁ । ହେଲେ ମୋ ସ୍ତ୍ରୀ -ପିଲା ମୁଣ୍ଡ ଗୁଞ୍ଜିବାକୁ ଆଗ ଘର ଖଣ୍ଡେ କରିଦିଏ । ମୋ ମୃତ୍ୟୁ ପରେ ସେଠାରେ ସେମାନେ ନିରାପଦରେ ରହିପାରିବେ । ହେ ମୃତ୍ୟୁ ! ଦୟାକରି ଆଉ କିଛିଦିନ ଅପେକ୍ଷା କର । ଏମିତି କିଛି ମୁଁ ପାଗଳଙ୍କ ପରି ବିଡିବିଡଉ ଥିଲି । ଘରକୁ ଯାଇ ମୋ ପ୍ରାଣପି୍ରୟାର ମୁହାଁମୁହିଁ ହେବାର ସାହସ ମୋର ନ ଥିଲା ।
ମୋ ପରିଚିତ ପାର୍କର ଏକ ନିଭୃତ କୋଣରେ ବସିଲି । ମୋର ସବୁ ପୌରୁଷକୁ ଅଟ୍ଟହାସ୍ୟ କରି, ମୋର ସବୁ ଦାମ୍ଭିକତାକୁ ପରିହାସ କରି ମୋ ଆଖିରୁ ଝରି ଚାଲିଲା ଅଶ୍ରୁଧାରା । ମୁଁ ଆଜି ନିଃସହାୟ, ଖୁବ୍ ନିଃସହାୟ ମୃତୁ୍ୟର ନିକଟରେ । କିଛି ମୋତେ ଆଜି ଭଲ ଲାଗୁନଥିଲା । ପାର୍କର ସୁନ୍ଦର ସୁନ୍ଦର ଫୁଲ ବସନ୍ତର ମୃଦୁ ମୃଦୁ ମଳୟ ଛୁଆଁ କି ରଙ୍ଗ ବେରଙ୍ଗ ପ୍ରଜାପତି ସମ ଘୂରି ବୁଲୁଥିବା ନବ ଯୌବନାମାନେ ମୋର ଦୃଷ୍ଟି ଆକର୍ଷଣ କରି ପାରୁନଥିଲେ । କେବଳ ଲୁହ ହିଁ ଆଜି ମୋର ସାଥୀ, ସହୋଦର ଓ ବନ୍ଧୁ ।
ଅତିକ୍ରାନ୍ତ ଗୋଧୂଳିରେ ପାର୍କ ଯେତେବେଳେ ନିରବୀ ଗଲା, ସେତେବେଳେ ମୁଁ ଲୁହ ସବୁକୁ ପୋଛି ପକାଇ ଘରମୁହାଁ ହେଲି । କ’ଣ କହିବି ପ୍ରିୟାକୁ ମୋର ମୁଁ ଭାବି ପାରୁନଥାଏ । ମୋ ପ୍ରତୀକ୍ଷାରେ ବାରମ୍ବାର ଝରକା ଫାଙ୍କରୁ ଗେଟ୍ ଆଡେ ନିଶ୍ଚୟ ଚାହିଁ ଦେଉଥିବ । ମୋର ଏତେ ବିଳମ୍ବ ଦେଖି ବ୍ୟସ୍ତ, ବିବ୍ରତ ହୋଇପଡୁଥିବ । ପିଲାଙ୍କୁ ପଢାଇ ପାରୁଥିବ ନା ଟି.ଭି. ଦେଖି ପାରୁଥିବ ।
ଜୀବନଟା କୌଣସି ଚଳଚ୍ଚିତ୍ର ବା ନାଟକ ନୁହେଁ, ତେଣୁ କୌଣସି ନାଟକୀୟତା ନ କରି , କିଛି ନ ଲୁଚାଇ ମୋ ସ୍ତ୍ରୀ ଆଗରେ ସବୁ ସତ ସତ କହିଦେଲି ଏବଂ ସବୁ ରିପୋର୍ଟ ହାତରେ ଧରାଇଦେଲି । କେହି କାହାକୁ ସାନ୍ତ୍ୱନା ଦେବା ଅବସ୍ଥାରେ ନ ଥିଲୁ । ଦୁହେଁ ଲୁହରେ ହିଁ ସ୍ନାନ କରୁଥିଲୁ । ୟା’ ପରେ ଆରମ୍ଭ ହୋଇଗଲା ମୃତ୍ୟୁ ସହିତ ମୁହାଁମୁହିଁ ଲଢେଇ । ମୋ ଶ୍ରୀମତୀ କହିଲେ, “ତୁମେ ବ୍ୟସ୍ତ ହୁଅନାହିଁ ।” ତୁମର କିଛି ହେବନି । ଆଜିକାଲି ବିଜ୍ଞାନ କେତେ ଅଗ୍ରଗତି କଲାଣି । କେତେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ବାହାରିଲାଣି । ଆମେ ସେସବୁ ଚିକିତ୍ସା କରାଇବା ଆଉ ମୋ ମନ କହୁଛି ତୁମେ ନିଶ୍ଚୟ ଭଲ ହୋଇଯିବ । ଯଦି ଦରକାର ପଡେ ଗାଁରେ ଥିବା ଘରଦ୍ୱାର, ଜମିବାଡି ସବୁ ବିକି ଦେବ । ମୁଁ ମନେ ମନେ ପ୍ରମାଦ ଗଣିଲି । ମୋର ଏମିତି କିଛି ବିଶେଷ ସଞ୍ଚୟ ନାହିଁ । ଭଡା ଘର ଖଣ୍ଡିକରେ ରହୁଛି । ଗାଁରେ ଜମିବାଡି କେତେଖଣ୍ଡ ଅଛି ଆଉ ଆଜବେଷ୍ଟସର ଘର ଚାରିବଖରା । ମୋ ବଡଭାଇ ସେଠାରେ ରହନ୍ତି । ସେ ଗାଁ ୟୁ.ପି. ସ୍କୁଲରେ ଶିକ୍ଷକତା କରନ୍ତି ଏବଂ ଜମିତକ ଚାଷ କରି ଦୁଃଖେ ସୁଖେ ଚଳିଯାଆନ୍ତି । ସେସବୁ ବିକିଦେଲେ ସେମାନେ ଚଳିବେ କିପରି ? ହେ ଭଗବାନ, ମୁଁ ତ ମରିବି କିନ୍ତୁ ତା’ ଆଗରୁ ସମସ୍ତଙ୍କୁ ତଳିତଳାନ୍ତ କରିଦେବି । ପୁଣି ଲୁହ ଓ କୋହରେ ମୁଁ ଫାଟିପଡିଲି ।
ଯାହା କିଛି ସଞ୍ଚୟ ଥିଲା ସବୁ ଡ୍ର କରି ଚିକିତ୍ସା ପାଇଁ ମୋ ଶଳା ସହିତ ମୁଁ ଭେଲୋର ଗଲି । ସେଠାରେ ପୁଣିଥରେ ସବୁ ପରୀକ୍ଷା ନିରୀକ୍ଷା ହେଲା । ଡାକ୍ତରମାନେ ସବୁ ରିପୋର୍ଟ ଦେଖି ଓ ମୋତେ ଯାଞ୍ଚ କରି ଶେଷରେ ନାସ୍ତିବାଣୀ ଶୁଣାଇଦେଲେ । ଭଲ ହେବାର କୌଣସି ଆଶା ନ ଥିବାରୁ ଅଯଥା ଅପରେସନ ନ କରି କେମୋଥେରାପୀ ନେବାପାଇଁ ଉପଦେଶ ଦେଲେ । ସେତେବେଳକୁ ମୁଁ ଆଉ ମୋ ପାଟି ଭଲକରି ଖୋଲି ପାରୁନଥିଲି । ବହଳା ଖାଦ୍ୟ ଖାଇପାରୁନଥିଲି । କେବଳ ତରଳ ଖାଦ୍ୟ ଖାଉଥିଲି । ମୋ ପାଟିରୁ ଅନବରତ ରକ୍ତ ଓ ପୂଜ ବାହାରୁଥିଲା । ଦୁଃଖ ଓ ନିରାଶରେ ମୁଁ ଭାଙ୍ଗିପଡୁଥିଲି ଆଉ କ୍ଷୀଣ ହୋଇଯାଉଥିଲା ମୋର ଶରୀର ।
ହତାଶା, ଦୁଃଖ ଓ ମୃତ୍ୟୁର ଭୟକୁ ସାଙ୍ଗରେ ନେଇ ଘରକୁ ଫେରିବା ପାଇଁ ଟ୍ରେନ୍ରେ ଚଢୁ ଚଢୁ ତାଙ୍କ ସହିତ ମୋର ଝଗଡା ହୋଇଗଲା । ମୋ ରିଜର୍ଭେସନ ବର୍ଥଟିରେ ସେ ଗୋଡ ହାତ ମେଲାଇ ବସି ପଡିଥିଲେ । ଏମିତି କଷ୍ଟ ଓ ଦୁଃଖରେ ମୋତେ ସବୁ କିଛି ବିରକ୍ତ ଲାଗୁଥିଲା । ତାଙ୍କ ମୋ ବର୍ଥରେ ବସିଥିବାର ଦେଖି ମୁଁ ରାଗରେ ନିଆଁ ହୋଇଗଲି । “ଉଠନ୍ତୁ , ଉଠନ୍ତୁ ମୋ ବର୍ଥରୁ ଉଠନ୍ତୁ । ମୁଁ ଖୁବ୍ ଅସୁସ୍ଥ । ମୁଁ କାହା ସହିତ ଆଡଜଷ୍ଟ କରିପାରିବି ନାହିଁ ।
ସେ ଅନୁରୋଧ କଲାପରି କହିଲେ, “ଆରେ ଆରେ , ଶୁଣନ୍ତୁ ନା…”
“ନା…ନା… ମୁଁ କିଛି ଶୁଣିବା ଅବସ୍ଥାରେ ନାହିଁ । ଆପଣ ଉଠନ୍ତୁ ନା, ମୋ ଦେହ କ’ଣ ହୋଇଯାଉଛି । ମୁଁ ଶୋଇବି…” ମୋ ଶଳା ମୋତେ ଧରିପକାଇ କହିଲେ, “ଭାଇ, ଟିକେ ଶାନ୍ତି ହୋଇ ଏପଟେ ବର୍ଥରେ ବସ । ମୁଁ ତାଙ୍କ ସହିତ କଥାବାର୍ତ୍ତା କରୁଛି ।” ବଡ ବିରକ୍ତର ସହିତ ମୁଁ ମୋ ଶଳା ପାଇଁ ଉଦ୍ଧିଷ୍ଟ ବର୍ଥରେ ବସିଗଲି ।
ଏଥର ଟିକେ କ୍ରୋଧ କମିଯିବାରୁ ଭଦ୍ରଲୋକଙ୍କୁ ଭଲକରି ଚାହିଁଲି । ମଧ୍ୟବୟସ୍କ, ଗୋରା, ଡେଙ୍ଗା, ଭଦ୍ର ଓ ମାର୍ଜିତ ଲାଗୁଛନ୍ତି । ମୋ ଶଳାଙ୍କ ସହିତ ଓଡିଆରେ କଥା ହେଉଛନ୍ତି । ଦୁଇଜଣ ହାତ ମିଳାଇ ହସୁଛନ୍ତି । ମୋ ଶଳା ତା’ଙ୍କୁ ମୋ ବର୍ଥରେ ବସାଇ ମୋ ପାଖକୁ ଆସିଲେ ଆଉ ହସି ହସି କହିଲେ, “ଭାଇ ମିହିରବାବୁ ହେଲେ କଟକର ଲୋକ । ଆଉ ସବୁଠାରୁ ବଡକଥା କଣ ଜାଣିଛ – ସେ ହେଲେ ଜଣେ ଡାକ୍ତର । ହଠାତ୍ ତାଙ୍କ ମା’ ଅସୁସ୍ଥ ବୋଲି ଫୋନ୍ ପାଇ ସେ ଯାଉଛନ୍ତି । ଗୋଟେ ଦିନରେ ତାଙ୍କୁ ତ ରିଜର୍ଭେସନ ମିଳିବନି, ତେଣୁ ସେ ଆମ ସାହାଯ୍ୟ ଚାହୁଁଛନ୍ତି । ତୁମେ ବ୍ୟସ୍ତ ହୁଅନାହିଁ । ଏ ବର୍ଥଟିରେ ଆରାମରେ ଶୁଅ । ମୁଁ ତାଙ୍କ ସହିତ ଆଡଜଷ୍ଟ କରି ଚାଲିଯିବି । ଆଉ ଦୟାକରି ରାଗନି ।”
ଏତେବେଳକୁ ମୋ ରାଗ ପୂରାପୂରା ଥଣ୍ଡା ହୋଇଯାଇଥିଲା । ଭଦ୍ରଲୋକ ଜଣକ ଡାକ୍ତର ବୋଲି ଜାଣିବା ପରେ ମୁଁ ରୋଗ ବିଷୟରେ ତାଙ୍କୁ ଜଣାଇଲି । ବେଶ୍ ଆଳାପ ଆଲୋଚନା ହେଲା । ସେ ମୋ ରିପୋର୍ଟ ସବୁ ଦେଖିଲେ । ମୁଣ୍ଡ ହଲାଇ କହିଲେ, “ବାସ୍ତବରେ ତୁମ ଅବସ୍ଥା ବହୁତ ଖରାପ । ଭଲ ହେବାର କୌଣସି ଆଶା ନାହିଁ । ତେବେ ଭଗବାନଙ୍କ ଉପରେ ଭରସା ରଖ । ତାଙ୍କ ଆଶୀର୍ବାଦ ଥିଲେ ନିଶ୍ଚୟ ଭଲ ହୋଇଯିବ ।”
ମୁଁ ଦୁଃଖରେ ଫାଟିପଡି କହିଲି, “ଭଗବାନଙ୍କ ଆଶୀର୍ବାଦ ଯଦି ଥାଆନ୍ତା, ତା’ ହେଲେ ଏ କଷ୍ଟ କାହିଁକି ମୋତେ ମିଳିଥାଆନ୍ତା ? ସେ ଟିକେ ଗମ୍ଭୀର ହୋଇଗଲେ । କିଛି ସମୟ କଣ ଚିନ୍ତା କଲେ ଆଉ ତା ପରେ କହିଲେ, “ଦେଖ, ମୋର ଜଣେ ସାଙ୍ଗ ଗୁଜୁରାଟରେ ରହୁଛନ୍ତି । ସେ କେବଳ ଏଇ ମୁଖଗହ୍ୱର କର୍କଟରୋଗୀମାନଙ୍କର ଚିକିତ୍ସା କରୁଛନ୍ତି । ଅନେକ ସିରିୟସ୍ ରୋଗୀମାନଙ୍କୁ ସେ ଭଲ କରିଦେଲେଣି । ତାଙ୍କ ପାଖରେ ଖୁବ୍ ଭିଡ । କେବଳ ଦେଖାକରିବା ପାଇଁ ପନ୍ଦରଦିନ ଲାଗିଯିବ । ତୁମେ ସେଠାକୁ ଯାଇପାରିବ ? ମୁଁ ବଡ ଆଗ୍ରହରେ ରାଜି ହୋଇଗଲି । ସେ କହିଲେ ତା’ ହେଲେ ଠିକ୍ ଅଛି କାଲି ମୋ ଘରକୁ ଆସ । ମୁଁ ତାଙ୍କ ଠିକଣା ଦେବି ଏବଂ ତା’ ସହିତ ଚିଠିଟିଏ ଦେଇଥିବି । ଚିଠିଟି ପଢିଲେ ସେ ତୁମର ଚିକିତ୍ସା ଓ ଅଳ୍ପ ଖର୍ଚ୍ଚରେ କରିଦେବେ । ମୋର ବିଶ୍ୱାସ ତାଙ୍କ ଚିକିତ୍ସାରେ ତୁମେ ନିଶ୍ଚୟ ଭଲ ହୋଇଯିବ ।”
ହେ ଭଗବାନ, ମୋ ନିଶ୍ୱାସରେ ଯେମିତି ମଲ୍ଲୀଫୁଲରେ ବାସ୍ନା ଚହଟିଗଲା ।
ଚଉଦିଗ ଯେମିତି ହୋଇଗଲା ସୁବାସିତ, ସୁରୋଭିତ । ସମସ୍ତେ ଆଶା ନାସ୍ତି ଆଶା ନାସ୍ତି କହୁଥିଲା ବେଳେ ଇଏ କ’ଣ କହିଲେଣି ନିଶ୍ଚୟ ଭଲ ହୋଇଯିବ ! ଇଏ ତ ଲଙ୍କାରେ ହରିନାମ ପରି । ଆଃ, ଏମିତି ପଦେ କଥା ଶୁଣି ମୁଁ ଯେମିତି ଅଧା ଭଲ ହୋଇଗଲି, ଆଉ ମୋ ଆଗରେ ବସିଥିବା ସେ ଡାକ୍ତରବାବୁ ଜଣକ ଯେମିତି ଠାକୁର ପରି ମନେହେଉଥିଲେ ।
ତହିଁ ଆରଦିନ ମୋ ଶଳା କଟକ ଯାଇ ସେ ଡାକ୍ତରବାବୁଙ୍କୁ ଦେଖାକଲେ । ସତକୁ ସତ ତାଙ୍କ ମା’ ଖୁବ୍ ସିରିୟସ୍ ଥିଲେ ତଥାପି ସେ ତାଙ୍କ ସାଙ୍ଗର ଠିକଣା ଦେଲେ ଓ ଆମକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରି ଚିଠିଟିଏ ଦେଲେ । ପୁଣି ଆରମ୍ଭ ହୋଇଗଲା ମୋର ଗୁଜୁରାଟ ଯିବାପାଇଁ ପ୍ରସ୍ତୁତି ପର୍ବ । ମୋର ସବୁଠାରୁ ବଡ ସମସ୍ୟା ଥିଲା ଟଙ୍କା ଯୋଗାଡ କରିବା । ମୋ ଶ୍ରୀମତୀ ଗହଣାତକ ଆଣି ଧରାଇଦେଲେ । ମୋ ଲୁହଭିଜା ଆଖିକୁ ଚାହିଁ କହିଲେ, “ଦେଖ, ତୁମେ ଆଗ ଭଲ ହୋଇ ଆସ । କେତେ ଗହଣା କରାଇ ଦେବ । ଏ ଗହଣା ସବୁ ଥାଏ କାହିଁକି ? ଏମିତି ବିପଦ ବେଳାରେ କାମରେ ଆସିବା ପାଇଁ ତ ।” ମୁଁ କିଛି କହି ପାରୁନଥିଲି । ମୋର ବଞ୍ଚିବାର ପ୍ରବଳ ଇଚ୍ଛା କେବଳ ମୋ ଓଠକୁ ଥରାଇ ଦେଉଥିଲା ।
ଗହଣା ସବୁ ବିକିଦେଇ ମୁଁ ଗୁଜୁରାଟ ଯିବା ପାଇଁ ପ୍ରସ୍ତୁତ ହେଲି । ଏଥର ମଧ୍ୟ ମୋ ସହିତ ମୋ ଶଳା ଗଲେ । ନିର୍ଦ୍ଧିଷ୍ଟ ଠିକଣାରେ ପହଞ୍ଚିବା ପରେ ଡାକ୍ତରଙ୍କ ଠାରୁ ଆପଏଣ୍ଟମେଣ୍ଟ ନେଲି । ଏମିତିରେ ଲାଇନ୍ରେ ରହି ମୋତେ ଆଠ, ଦଶ ଦିନ ଅପେକ୍ଷା କରିବାକୁ ପଡିଥାଆନ୍ତା । ତେବେ ସେ ଚିଠିଟି ଡାକ୍ତରବାବୁଙ୍କ ପାଖକୁ ପଠାଇ ଦେବାରୁ ମୋତେ ଦୁଇଦିନ ପରେ ସାକ୍ଷାତ୍ କରିବାକୁ ଅନୁମତି ମିଳିଗଲା । ଆଶା, ନିରାଶାର ଦୋଳାରେ ମୋ ମନ ଦୋଳାୟିତ ହେଉଥିଲା । ସତେ କ’ଣ ମୁଁ ଭଲ ହେବି ? ବଞ୍ଚିବି ମୋ ପରିବାରକୁ ନେଇ ??
ସେ ଗୁଜୁରାଟୀ ଡାକ୍ତରଙ୍କୁ ଦେଖିଦେଇ ମୁଁ ଧଡ୍କରି ଚମକି ଗଲି । ଏଇତ ରାବଣର ଅନ୍ୟ ରୂପ କଳା ମଚମଚ ହୃଷ୍ଟପୃଷ୍ଟ, ବିରାଟ ଚେହେରା । ମୁଣ୍ଡରେ ପାଚିଲା, ଦର ପାଚିଲା ହୋଇ ଗୋଛାଏ ବାଳ କାନ୍ଧ ଉପରକୁ ଝୁଲିପଡିଛି । ମୋଟା ମୋଟା ଆର୍ମିକଟ୍ ନିଶ । ଦେଖିଦେଲେ ମଣିଷ ଶଙ୍କିଯିବ । ସେ ମୋତେ ଦେଖୁ ଦେଖୁ ହସିଦେଲେ । ଝରିଗଲା ଫୁଲର ଫଗୁଣ । ସବୁ କଠୋର ଆବରଣକୁ ଯେମିତି ଘୋଡାଇ ପକାଇଲା ହସର ମଲ୍ଲୀ । ମୋତେ ହିନ୍ଦୀରେ ପଚାରିଲେ, “ତୁମକୁ ମିହିର ପଠାଇଛି ?” ମୁଁ ମୁଣ୍ଡ ଟୁଙ୍ଗାରି ହଁ କଲି । ସେ ମୋର ସବୁ ରିପୋର୍ଟ ଦେଖିଲେ । ମୋ ମୁଖଗହ୍ୱରକୁ ପରୀକ୍ଷା କଲେ ।
ତା ପରେ ହସି ହସି କହିଲେ, “ହଁ, ବାସ୍ତବରେ ଆପଣଙ୍କ ଅବସ୍ଥା ସଙ୍କଟାପନ୍ନ । ତେବେ ଆପଣଙ୍କ ପରି ଜଣେ ଯୁବକଙ୍କୁ ତ ଆଉ ମୃତୁ୍ୟର ଜିମା ଦେଇପାରିବାନି । ମୁଁ ନିଶ୍ଚୟ ଅପରେସନ୍ କରିବି । ଆଉ ଭଗବାନଙ୍କ ଉପରେ ଭରସା ରଖ, ସେ ନିଶ୍ଚୟ ତୁମକୁ ଆରୋଗ୍ୟ କରିଦେବେ ।” ଆଶାର କିରଣରେ ମୋ ଆଖି ଦୁଇଟା ଝିଲିମିଲି କରି ଉଠିଲା । ସେ ମୋ ମୁହଁର ଅନନ୍ଦଭାବକୁ ଲକ୍ଷ୍ୟ କରି ପୁଣି କହିଲେ, “ତେବେ ଗୋଟିଏ କଥା । ଅପରେସନରେ ଆପଣଙ୍କ ମୁହଁଟା ସାମାନ୍ୟ ବିକୃତ ହୋଇଯିବ ଏବଂ କଥାବାର୍ତ୍ତା ମଧ୍ୟ ପରିଷ୍କାର ଭାବରେ କହିପାରିବେ ନାହିଁ । ଏଥିରେ କିଛି ଆପତ୍ତି ଅଛି କି?” ମୁଁ ଖୁସିରେ ଗଦ୍ ଗଦ୍ ହୋଇ କହିଲି, “ନାଇଁ ଆଜ୍ଞା, ମୋର କିଛିବି ଆପତ୍ତି ନାହିଁ । ଯେତେବେଳେ ମୁଁ ମରିବାକୁ ଯାଉଛି, ସେତେବେଳେ, ସୌନ୍ଦର୍ଯ୍ୟର ଆଉ କି ପ୍ରୟୋଜନ । ଯଦି ମୋ ମୁହଁ ସାମାନ୍ୟ ବିକୃତ ହୋଇ ଓ ମୁଁ ସାମାନ୍ୟ ଖନା ହୋଇ ବଞ୍ଚିଯାଏ, ତାହା ତ ମୋ ପାଇଁ ବହୁତ ବଡକଥା । ମୋ ପରିବାର କୂଳରେ ଲାଗିଯିବେ, ମୁଁ ଆପଣଙ୍କ ପାଖରେ ଚିର କୃତଜ୍ଞ ରହିବି ।”
ସେ ପୁଣି ମଧୁର ହସ ଖେଳାଇ କହିଲେ, “ଦେଖ, ଆମ ହାତରେ ସମୟ ବହୁତ କମ୍ । ତେଣୁ କାଲି ଅପରେସନ୍ କରିଦେବା । କିନ୍ତୁ ମୋତେ କଥା ଦେବ ଏ ପାନ, ତମାଖୁ ଆଉ ଜୀବନରେ କେବେ ଖାଇବ ନାହିଁ ।” ମୁଁ ମ୍ଳାନ ହସିଲି । ବହୁତ ଦିନ ପରେ ହୁଏତ ହସିଲି ଆଉ କହିଲି, “ଆପଣ ଆଜ୍ଞା ଯାହା ଛାଡିବାକୁ କହିବେ ସବୁ ଛାଡିଦେବି । ମୋତେ ଭଲ କରିଦିଅନ୍ତୁ ନହେଲେ ମୋର ଛୋଟଛୋଟ ପୁଅଝିଅ ଦୁଇଟି ନିଃସହାୟ ହୋଇଯିବେ ।” ସେ ଠିକ୍ ଅଛି, ଠିକ୍ ଅଛି କହି ମୋ ପିଠି ଥାପୁଡାଇ ଦେଲେ । ତା’ ପରେ କାଲିର ଅପରେସନ୍ ପାଇଁ ତାଙ୍କ ଷ୍ଟାଫ୍ମାନଙ୍କୁ କିଛି ସୂଚନା ଦେଲେ । ମୁଁ ମୁଗ୍ଧ ହୋଇ ତାଙ୍କୁ ଦେଖୁଥିଲି । ଆଃ, ଏ ତ ରାବଣ ରୂପରେ ସ୍ୱଂୟ ରାମଚନ୍ଦ୍ର ।
ତହିଁ ଆରଦିନ ମୋ ମୁଖଗହ୍ୱରର ଗୋଟିଏ କଡ ଅପରେସନ୍ କରି କାଟି ଦିଆଗଲା । ପନ୍ଦର ଦିନରେ ଭିତରେ ମୁଁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଗଲି । ଗୋଟେ ନୂଆ ଜୀବନ ନେଇ ମୁଁ ଫେରିଲି ମୋ ଘରକୁ, ମୋ ପରିବାର ପାଖକୁ । ତା’ ପରେ ବଞ୍ଚିଲିଣି ଦୀର୍ଘ ତିରିଶ ବର୍ଷ । ମୋ ପୁଅ, ଝିଅ ଦୁହେଁ ଚାକିରି କରି ବାହାସାହା ହୋଇ ସାରିଲେଣି । ମୁଁ ଏ ଭିତରେ ଚାକିରିରୁ ଅବସର ନେଇ ସାରିଲିଣି । ଏଇ ଦୁଇବର୍ଷ ହେଲା ମୋ ଶ୍ରୀମତୀ ମୋତେ ଛାଡି ଆରପାରିକୁ ଚାଲିଗଲେଣି । ଏକା ଏକା ଏବେ ଅପେକ୍ଷା ସେଇ ମୃତୁ୍ୟକୁ । ତାହା ମୋ ପାଇଁ ଏବେ ବହୁ ବାଞ୍ଛିତ । ଆଉ ତାକୁ ଡର ନାହିଁ କି ତା’ ଆଗମନରେ ଦୁଃଖ ନାହିଁ । ହେଲେ ଜୀବନର ମଧ୍ୟାହ୍ନରେ ଦିନେ ତା’ ସହିତ ଯେ ମୋର ମୁହାଁମୁହିଁ ହୋଇଯାଇଥିଲା, ସେ ଅନୁଭବ ମୋ ପାଇଁ ଏକ ଅଭୁଲା ସ୍ମୃତି ।
