ଗଳ୍ପ

ପ୍ରତିଭାବାନ୍

Odia Author Dr. Ajit Kumar Tripathy

ମୁଁ ଜାଣିପାରିଲି, କେବଳ ଗୋଟିଏ ଚେମେଡ଼ା ରୋଗ ଅଛି ଯିଏ କି ରକ୍ତରେ ସହଜରେ ଧରା ପଡ଼େନାହିଁ ଏବଂ ଆଣ୍ଟିବାୟୋଟିକ୍ ଦ୍ୱାରା ଅଳ୍ପ ଦବିଗଲେ ସିନା ସିମ୍ପଟମ୍‌କୁ ଘୋଡ଼ାଇ ଦିଏ କିନ୍ତୁ ଭଲ ହୁଏନାହିଁ ।

ପ୍ରତିଭାବାନ୍

-: ପୁର୍ବରୁ :-

ବାନାମ୍ୱରବାବୁ ଜାଣିପାରିଲେ କେବଳ ତାଙ୍କ ଗାଁର ସ୍ୱାସ୍ଥ୍ୟ କେନ୍ଦ୍ରର ଏମ୍.ବି.ବି.ଏସ୍. ଡାକ୍ତର ବା ଧାଇ ନୁହେଁ, ହରିର ଅଶିକ୍ଷିତ ସ୍ତ୍ରୀ ପଦ୍ମାବତୀର ଯେତିକି ସ୍ୱାସ୍ଥ୍ୟ ସମ୍ୱନ୍ଧରେ ସାଧାରଣ ଜ୍ଞାନ ଅଛି, ସେତିକି ମଧ୍ୟ ଡାକ୍ତର ନରେଶର ନାହିଁ । ଗାଁର ଆଶାକର୍ମୀ ଜ୍ୱର ହେଲେ କ୍ଲୋରକୁଇନ୍ ବଟିକା ଖାଇଦିଅ କହି କେତେ ରୋଗୂଙ୍କୁ ମ୍ୟାଲେରିଆରୁ ବଞ୍ଚାଇଲା ବେଳକୁ ଡାକ୍ତର ନରେଶ ବୃନ୍ଦାବନ ସାର୍‌ଙ୍କୁ ବଞ୍ଚାଇ ପାରିଲାନାହିଁ । ଗଣି କାକାର ଆଲାର୍ଜି ଜନିତ ପାଟି ଘା’ଟାକୁ କ୍ୟାନସର୍ ହୋଇପାରେ ବୋଲି ତାକୁ ଡରାଇ ତାଙ୍କ ବଂଶରେ ନୈରାଶ୍ୟ ହାହାକାର ଭରିଦେଲା । ଚଷମାର ଲେନ୍ସ ଆଡ଼ଜଷ୍ଟମେଣ୍ଟକୁ ଠିକ୍ ଭାବରେ ପରୀକ୍ଷା କରାଇ ନିଅ ନ କହି, ଆଖିକୁ ପରୀକ୍ଷା ନ କରି ସାବିତ୍ରୀ ମାଉସୀଙ୍କର ଗୋଟିଏ ଆଖି ଫୁଟାଇ ଦେବା ପାଇଁ ନରେଶ ବିନା ଦ୍ୱିଧାରେ କହି ପାରିଲା ।

ନରେଶର ଗାଁରୁ ଫେରିଯିବାକୁ ଆଉ ଦୁଇଦିନ ଅଛି, ତାକୁ ଆସିଲା ଭୀଷଣ ଜ୍ୱର । ହାତ, ପିଠି, ମୁଣ୍ଡ, ଅଣ୍ଟା ସବୁ ଭୀଷଣ ପୀଡ଼ା ହୋଇ ବିନ୍ଧିଲା । ଜ୍ୱର ହଠାତ୍ ଶହେ ଚାରି ପାଞ୍ଚ ଯାଏ ମଧ୍ୟ ଉଠିଯାଉଥାଏ । ପାରାସିଟାମଲ୍ ଖାଇ କିଛିବେଳ ଜ୍ୱରକୁ କମାଇ ରଖାଯାଉଥାଏ । ପରେ ପୁଣି ଜ୍ୱର ବଢ଼ି ଯାଉଥାଏ । ନରେଶର ଫେରିଯିବା ଦିନକୁ ଗଡ଼ାଇ ଦିଆଗଲା । ଏଭଳି ଅବସ୍ଥାରେ ଶେଜରୁ ଉଠିବା ମଧ୍ୟ ମନା । ବରଫଥଳି ମୁଣ୍ଡରେ ଦିଆଚାଲିଥାଏ । ନରେଶ ବୋଉ ତା’ର ଚିକିତ୍ସାରେ ଅନବରତ ଲାଗିଥାନ୍ତି । ଭାରତର ଯେତେ ଜଣ ସ୍ପେଶିଆଲିଷ୍ଟ ଡାକ୍ତର ନରେଶର ଚିହ୍ନା ପରିଚୟ ଥିଲେ ଏବଂ ଯେଉଁମାନେ ମଝିରେ ମଝିରେ ତା’ ସହିତ ପରାମର୍ଶ କରୁଥିଲେ, ନରେଶ ଫୋନ୍‌ରେ ସମସ୍ତଙ୍କ ସଙ୍ଗେ କଥାବାର୍ତ୍ତା କଲା । ଜ୍ୱରର ଦ୍ୱିତୀୟ ଦିନ ମଳମୂତ୍ର ଆଦି ସଂଗ୍ରହ କରି ସହରକୁ ପାଥୋଲୋଜି ଟେଷ୍ଟିଂ ପାଇଁ ପଠାଗଲା । କେଉଁଠାରୁ କିଛି ଇନ୍‌ଫେକ୍ସନ୍‌ ଥିବା କଥା ଜଣା ପଡ଼ିଲାନାହିଁ । ନରେଶ ନିଜେ ନିଜର ବ୍ଲଡ୍ ପ୍ରେସର ମାପି ମଝିରେ ମଝିରେ ପରୀକ୍ଷା କରୁଥାଏ । ଥର୍ମୋମିଟର ଜ୍ୱର ମାପି ବୋଉ ତା’ର ରେକର୍ଡ ରଖୁଥାନ୍ତି । ବାନାମ୍ୱରବାବୁଙ୍କ କଥାମାନି ଚତୁର୍ଥ ଦିନ ମ୍ୟାଲେରିଆର ନିବାରଣ ପାଇଁ ଲାରିଆଗୋ ମେଡ଼ିସିନ୍ ମଧ୍ୟ ନରେଶ ଖାଇବା ଆରମ୍ଭ କଲା । ଯଦିବା ଜ୍ୱର ଏଥିରେ ଓହ୍ଲାଇଲା ନାହିଁ ତେବେ ଅନ୍ତତଃ ମ୍ୟାଲେରିଆ ଯେ ଭୟଙ୍କର ରୂପ ଧରିପାରେ ଏ ଭୟ ରହିଲା ନାହିଁ ।

ଭୁବନେଶ୍ୱରରୁ ଦିଲ୍ଲୀ ଓ ଦିଲ୍ଲୀରୁ ଆମେରିକା ଯିବା ଟିକଟ୍‌କୁ ମାସେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା । ନରେଶର ପତ୍ନୀ ସୁଲେଖାଙ୍କର ଫୋନ୍ ଆସୁଥାଏ ଆମେରିକାରୁ ଘନଘନ । ସେଠି କାହିଁକି ପଡ଼ି ରହିଛ । ଭାରତରେ ଦେହ ଭଲ ହେବ ନାହିଁ । ଏଠାକୁ ଚାଲିଆସ ।

ଅଜା ଓ ବୋଉଙ୍କ ସେବା ଶୁଶ୍ରୁଷା ନରେଶକୁ ଏତେ ଭଲ ଲାଗୁଥାଏ ଯେ ସେ ଦେହ ଭଲ ନ ହେବା ଯାଏ ଗାଁ ଛାଡ଼ିବ ନାହିଁ ବୋଲି କହିଲା । ଅଷ୍ଟମଦିନ ଉଇଡ଼ାଲ୍ ଟେଷ୍ଟ କରାଗଲା । ଭୁବନେଶ୍ୱରରୁ ଲ୍ୟାବ୍ ଟେକନିସିଆନ୍ ଓ ଫାର୍ମାସିଷ୍ଟ ଆସି ଆଉ ଥରେ ବ୍ଲଡ୍‌ର ସାମ୍ପୁଲ୍ ନେଇଗଲେ । ଟାଇଫଏଡ୍‌ର ଜୀବାଣୁ ମଧ୍ୟ ମିଳିଲା ନାହିଁ । କେଉଁ ଆଡୁ ନରେଶ ନିଜର ଚିକିତ୍ସା ଆରମ୍ଭ କରିବ ଜାଣିପାରୁନଥାଏ । ବ୍ଲଡ୍ ସ୍ପେକଟ୍ରମ୍ ବହୁତ ଦାମିକିଆ ଆଣ୍ଟିବାଓଟିକ୍ ଦୁଇଟାର ପୁରା କୋର୍ସ ନେଲା ନରେଶ । ଜଣ୍ଡିସ୍ ପାଇଁ ମଧ୍ୟ ଟେଷ୍ଟିଂ ହେଲା ।

ବାରଦିନ ହୋଇଗଲା ଜ୍ୱର ଭଲ ହେବାର ନାମ ନେଉନଥାଏ । ଇତିମଧ୍ୟରେ ଭୁବନେଶ୍ୱର ଓ କଟକରୁ ଚାରି ପାଞ୍ଚଜଣ ସ୍ପେଶିଆଲିଷ୍ଟ ଦେଖି କରି ଗଲେଣି । ନରେଶ ଯଦି ନିଜେ ଗୋଟିଏ ଚିକିତ୍ସାର ବିଜ୍ଞାନ ଓ କାରଣଟି ନ ବୁଝିବ ସେ ନିଜ ଉପରେ ପରୀକ୍ଷା କରିବ ନାହିଁ । ଦେହ ତାର ଝଡ଼ି କଣ୍ଟା ହେଲାଣି । ନରେଶର ବୋଉ ଓ ଅଜା ଦେବଦେବୀଙ୍କ ପାଖରେ କେତେ ଯେ ମାନସିକ କଲେଣି ତା’ର କଳନା ନାହିଁ ।

ଜ୍ୱରର ପନ୍ଦରଦିନ ଗାଁ ଡିସ୍ପେନ୍‌ସରିର ଡକ୍ଟର ଗୌତମ ମହାପାତ୍ର ଆସି ମନକୁ ମନ ଘରେ ପହଞ୍ଚିଲେ । ବାନାମ୍ୱରବାବୁ ନରେଶ ସଙ୍ଗେ ତାଙ୍କୁ ପରିଚୟ କରାଇଲେ । ପନ୍ଦର ମିନିଟ୍ ସେ ନରେଶର ନାଡ଼ି ପରୀକ୍ଷା କଲେ । ବ୍ଲଡ୍ ପ୍ରେସର୍‌ଟା ମାପିଲେ । ଷ୍ଟେଥସ୍କୋପ୍ ଦେଇ ପେଟ, ପିଠି, ଛାତି ସବୁ ପରୀକ୍ଷା କଲେ । ହାତରେ ଦେହର ବିଭିନ୍ନ ଯାଗା ଚିପି ଦେଖିଲେ । ତଣ୍ଟି, ନାକ, ଜିଭ ଆଦି ପରୀକ୍ଷା କରି ଦେଖିଲେ । ରେକର୍ଡିଂ ହୋଇଥିବା ଜ୍ୱର ଓ ରିପୋର୍ଟ ସବୁ ମଧ୍ୟ ପଢ଼ିଲେ । ଦେଶର ବିଖ୍ୟାତ ଡାକ୍ତରମାନଙ୍କ ଫୋନ୍ ଯୋଗେ ଦେଇଥିବା ପ୍ରେସ୍‌ସ୍କ୍ରିପ୍‌ସନ୍ ସବୁ ମଧ୍ୟ ପଢ଼ି ଦେଖିଲେ । ନରେଶ ସଙ୍ଗେ କୌଣସି ଚିକିତ୍ସା ବିଷୟ ଆଲୋଚନା କରିବାର ସାହସ ସେ କରି ପାରିଲେ ନାହିଁ । ଡକ୍ଟର ମହାପାତ୍ର ବାହାରକୁ ଆସିଲା ପରେ ବାନାମ୍ୱରବାବୁ ଅତ୍ୟନ୍ତ ଉତ୍ସୁକ ଭାବେ ତାଙ୍କୁ ଅନାଇ ରହିଲେ ଯେପରି କି କିଛି କହିବେ । ତାଙ୍କୁ ଦାଣ୍ଡଘରକୁ ଡାକି ନେଇ ଡକ୍ଟର ମହାପାତ୍ର କହିଲେ, ଆପଣ ମୋ ଠାରୁ କିଛି ଆଶା ରଖିଛନ୍ତି କି । ଆମେରିକାରୁ ତ ଔଷଧ ଆସି ଚାରି ପାଞ୍ଚଦିନ ହେଲା ଖିଆ ହେଉଛି, ଧୈର୍ଯ୍ୟ ଧରନ୍ତୁ ।

ବାନାମ୍ୱରବାବୁ ଆବେଗ ଆତିଶଯ୍ୟରେ ଗୌତମଙ୍କ ହାତ ଧରି ପକାଇଲେ । କହିଲେ, କ’ଣ କିଛି ଆଶା ଦେଖୁଛନ୍ତି । ସେ ଚାହିଁଥିଲେ ଆମେ ତାକୁ ସାତଦିନ ହେଲା ଆମେରିକା ପଠାଇ ସାରିଥାନ୍ତୁ । ସେ ଏଠି ଆମ ପାଖରେ ରହିବ ବୋଲି ଜିଦ୍ ଧରିଛି । ଅବସ୍ଥା ଅସମ୍ଭାଳ ହେଲେ ଆମକୁ ବଡ଼ ହସ୍ପିଟାଲ୍‌ରେ ଆଡ଼ମିଟ୍ କରିବାକୁ ହେବ । କିନ୍ତୁ ଏବେ ଆପଣ କ’ଣ କହୁଛନ୍ତି ? ଜ୍ୱର ଛାଡ଼ିନାହିଁ କାହିଁକି ?

ଗୌତମ କହିଲେ, ଏସବୁ ଅନ୍ଧାରରେ ବାଡ଼ି ବୁଲା ନ୍ୟାୟରେ ଚିକିତ୍ସା ଚାଲିଛି । ମୁଁ ଗୋଟିଏ ଚିକିତ୍ସା କରିବି ଯଦି ଆପଣ ହଁ କରିବେ ଓ ଡାକ୍ତର ନରେଶ ବାବୁ ଜାଣିବେ ନାହିଁ । ମୁଁ ତାଙ୍କୁ କେଉଁ ଔଷଧ ଦେଉଛି । ଔଷଧର ନାମ ଜାଣିଗଲେ ସେ ନିଶ୍ଚୟ ଖାଇବାକୁ ମନା କରିବେ । ତେଣୁ ମୁଁ ଚିକିତ୍ସା କରିପାରିବି ନାହିଁ । ଚାରୋଟି ଇେଞ୍ଜକସନ୍ ମୁଁ ଦେବି ଚାରିଦିନ ପାଇଁ । ଆମେ ତାଙ୍କୁ କହିବା ପାୱାରଫୁଲ୍ ମଲ୍ଟି ଭିଟାମିନ୍ ଆଣ୍ଡ ଆଣ୍ଟିଅକ୍ସିଡ଼ାଣ୍ଟ ଦେଉଛି ବୋଲି, ଯାହାକି ତାଙ୍କୁ ଫ୍ରେସ୍ ଲାଗିବା ପାଇଁ ଦିଆଯିବ । ଆପଣଙ୍କର ଯଦି ମୋ ଉପରେ ବିଶ୍ୱାସ ଅଛି, ତେବେ ଜାଣି ରଖନ୍ତୁ ମୋ ଇେଞ୍ଜକ୍ସନ୍‌ର କୌଣସି ସାଇଡ୍ ଇଫେକ୍ଟ ହେବ ନାହିଁ । ନରେଶବାବୁଙ୍କ ଅବସ୍ଥା ଏବେ ଯାହା ଅଛି ତାହାଠାରୁ କୌଣସି ଅବନତି ହେବ ନାହିଁ । ନୂଆ ବୈଜ୍ଞାନିକ ପନ୍ଧତିରେ ତିଆରି ମେଡ଼ିସିନ୍ ଯାହାର ସାଇଡ୍ ଇଫେକ୍ଟ କିଛି ନାହିଁ । ଅନ୍ୟ ଯେଉଁ ଔଷଧ ଖାଉଛନ୍ତି ଖାଆନ୍ତୁ, କାରଣ ତାକୁ ବନ୍ଦ କଲେ ସେ ସନ୍ଦେହ କରିବେ । ମୁଁ କିଛି ନୂଆ ମେଡ଼ିସିନ୍ ତାଙ୍କୁ ଦେଉଛି ଯାହାକୁ ସିଏ ନ ଜାଣି ନେବେ ନାହିଁ । ଏବେ ଯାହା ଚାଲୁଛି ସେଥିରେ ସେ ହୁଏତ ଶୀଘ୍ର ଭଲ ହେବ ନାହିଁ ।

ବାନାମ୍ୱରବାବୁ ଗାଁର ଆରାଧ୍ୟ ଦେବୀ ଜାଙ୍ଗୁଲେଇଙ୍କୁ ମୁଣ୍ଡିଆ ମାରି ଏଥିରେ ସମ୍ମତି ଦେଲେ । ବୁଡ଼ିଯାଉଥିବାଲ ଲୋକ ତ କୁଟା ଖିଅକୁ ଧରିପକାଏ । ନରେଶବାବୁଙ୍କୁ ବହୁତ ବୁଝାଇ ସେହି ମଲ୍ଟି ଭିଟାମିନ୍ ଓ ଆଣ୍ଟି ଅକ୍ସିଡ଼ାଣ୍ଟ ଇେଞ୍ଜକ୍ସନ୍ ଚାରିଦିନରେ ଚାରୋଟି ଦିଆଗଲା । ପୂର୍ବେ ନେଉଥିବା ଆମେରିକା ଡାକ୍ତରଙ୍କର ଔଷଧ ଯେପରି ଚାଲିଥିଲା ଚାଲିଲା ।

ଅତି ଆଶ୍ଚର୍ଯ୍ୟ ଭାବେ ପଞ୍ଚମଦିନ ଜ୍ୱର ପୂରା ଭାବେ ଛାଡ଼ିଗଲା । ଷଷ୍ଠଦିନ ନରେଶ ଉଠି ଚାଲବୁଲ କଲା । ବାନାମ୍ୱରବାବୁ ଓ ତାଙ୍କ ଝିଅ ସୁଚିତ୍ରାଙ୍କ ଆନନ୍ଦ ବର୍ଣ୍ଣନା କରିହେବ ନାହିଁ । କୋଡ଼ିଏ ଦିନର ଯେଉଁ ଅଜଣା ବେମାରୀ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଡାକ୍ତରମାନଙ୍କ ସମସ୍ତ ଚିକିତ୍ସାକୁ ଖାତିର କରୁନଥିଲା, ସେ ଗାଁର ଏମ୍.ବି.ବି.ଏସ୍.ଙ୍କ ଚାରୋଟି ଇେଞ୍ଜକ୍ସନ୍‌ରେ କୁଆଡ଼େ ଚାଲିଗଲା । ସବୁ ପ୍ରକାରର ପରୀକ୍ଷା ଆଉ ଥରେ କରାଗଲା । କୌଣସି ଇନ୍ଫେକ୍ସନ୍ ଆଉ ପତ୍ତା ସତ୍ତା ନ ଥିଲା । ସବୁ ସିଷ୍ଟମ୍ ନର୍ମାଲ୍ । ବ୍ଲଡ୍ ଦେବା ମଧ୍ୟ ଦରକାର ପଡ଼ିଲା ନାହିଁ ।

ବାନାମ୍ୱରବାବୁ ଡ. ଗୌତମଙ୍କୁ କିଭଳି ଭାଷାରେ ଧନ୍ୟବାଦ୍ ଦେବେ ଜାଣିପାରୁନଥିଲେ । ନରେଶ ଭଲ ହୋଇ ଆମେରିକା ଗଲାପରେ ଥରେ ଡାକ୍ତର ସେ ଗୌତମଙ୍କୁ ପଚାରିଲେ ଆପଣ ମୋତେ କେଉଁ ଔଷଧ ଦେଲେ କହିବେ ନାହିଁ ? ଡାକ୍ତର ଗୌତମ କହିଲେ, ନିଶ୍ଚୟ କହିବି । ଆପଣ ନାତିଙ୍କୁ କିମ୍ୱା ଆପଣଙ୍କ ଝିଅଙ୍କୁ କିମ୍ୱା କାହାରିକୁ କହିବେ ନାହିଁ ସେ ବେମାରୀ କ’ଣ ଥିଲା ଏବଂ କେଉଁଥିପାଇଁ ଚିକିତ୍ସା କରାଗଲା । ଆପଣ ମା’ ଜାଙ୍ଗୁଲେଇଙ୍କ ନାମରେ ପଣ କରି କୁହନ୍ତୁ । କାରଣ ଏବେ ଯଦି କାହାକୁ କହିଦେବେ ତେବେ ଡାକ୍ତର ନରେଶବାବୁଙ୍କୁ ସାଇକୋସେମାଣ୍ଟିକ୍ ଜ୍ୱର ଆଉ ଥରେ ଚାଲି ଆସିବ ଯେ କିଭଳି ସୁପର୍ ସ୍ପେଶିଆଲିଷ୍ଟ ଜଣେ ଡାକ୍ତରଙ୍କୁ ଏଭଳି ମେଡ଼ିସିନ୍ ଦେବାକୁ ଜଣେ ସାହସ କରିପାରିଲା । ଯଦି ରିଆକ୍ସନ୍ ହୋଇଥାନ୍ତା, ତେବେ ସେ କିପରି ଆଉ ବଞ୍ଚିନଥାନ୍ତେ, ଏ କଥା ଚିନ୍ତା କରି ସେ ପୁଣି ଥରେ ବେମାର ହୋଇଯିବେ ।

ବାନାମ୍ୱରବାବୁ ମାଆ ଜାଙ୍ଗୁଲେଇଙ୍କ ନାଁରେ ଶପଥ କଲେ । ଡାକ୍ତର ଗୌତମ କହିଲେ, ମୁଁ ନରେଶଙ୍କ ନାଡ଼ି, ଲଙ୍ଗସ୍, ପେଟ, ପିଠି ସବୁ ବାହାରୁ ପରୀକ୍ଷା କରି ଦେଖିଲି ଓ ସବୁ ରିପୋର୍ଟ ପଢ଼ିଲି । ଯେଉଁସବୁ ଦାମିକିଆ ଆଣ୍ଟିବାୟୋଟିକ୍ ଟ୍ରିଟମେଣ୍ଟ୍ କରାଯାଇଥିଲା ତାକୁ ଦେଖିଲି । ମୁଁ ଜାଣିପାରିଲି, କେବଳ ଗୋଟିଏ ଚେମେଡ଼ା ରୋଗ ଅଛି ଯିଏ କି ରକ୍ତରେ ସହଜରେ ଧରା ପଡ଼େନାହିଁ ଏବଂ ଆଣ୍ଟିବାୟୋଟିକ୍ ଦ୍ୱାରା ଅଳ୍ପ ଦବିଗଲେ ସିନା ସିମ୍ପଟମ୍‌କୁ ଘୋଡ଼ାଇ ଦିଏ କିନ୍ତୁ ଭଲ ହୁଏନାହିଁ । ସେ ହେଉଛି ଆମର ଭାରତର ଅତି ପୁରାତନ ଫାଇଲେରିଆ ବେମାରି । ଦେହର ବିଭିନ୍ନ ସ୍ଥାନରେ ଏହା ଆକ୍ରମଣ କରିପାରେ । ଖାଲି ହାତଗୋଡ଼ ଫୁଲିଲେ ଯେ ଫାଇଲେରିଆ ତାହା ନୁହେଁ, ନରେଶବାବୁଙ୍କ ସ୍ମଲ୍ ଇଣ୍ଟେଷ୍ଟାଇନ୍‌ ଏହି ରୋଗ ଜୀବାଣୁ ଲୁଚି ରହିଥିଲା । ମୁଁ ନିଷ୍ପତ୍ତି ନେଲି, ଫାଇଲେରିଆ ଟ୍ରିଟ୍‌ମେଣ୍ଟ କରିବି ଇେଞ୍ଜକସନ୍ ଦ୍ୱାରା । କାରଣ ଟାବ୍ଲେଟ୍ ଦେଲେ ନରେଶବାବୁ ଜାଣିପାରିଥାନ୍ତେ । ଏତେ ବଡ଼ ଡାକ୍ତରଙ୍କୁ ଏଇ ଗରିବଗୁରୁବାଙ୍କ ଗନ୍ଧିଆ ଫାଇଲେରିଆ ଆକ୍ରମଣ କରିପାରେ, ଏ କଥା ମାନିବାକୁ ତାଙ୍କୁ ଲାଜ ମାଡ଼ିଥାନ୍ତା ଏବଂ ଏହା ଯେ ସେ ଓ ତାଙ୍କ ବଡ଼ ଡାକ୍ତରମାନେ ଜାଣିପାରି ନାହାନ୍ତି ତାକୁ ମାନିବା ପାଇଁ ଆହୁରି ଲାଜ ମାଡ଼ିଥାନ୍ତା । ତେଣୁ ସେ ଏଇ ଟ୍ରିଟମେଣ୍ଟ ନେଇନଥାନ୍ତେ ଏବଂ କେବେ ହେଲେ ଭଲ ହୋଇନଥାନ୍ତେ ।

ମୁଁ ତାଙ୍କୁ ମଲ୍ଟି ଭିଟାମିନ୍ ଇେଞ୍ଜକ୍ସନ୍ ନାଁରେ ଫାଇଲେରିଆ ଇେଞ୍ଜକ୍ସନ୍ ଚାରୋଟି ଦେଲି ଓ ସେତିକିରେ ଫାଇଲେରିଆ କୁଆଡ଼େ ଚାଲିଗଲା ଆପଣ ଜାଣିପାରିଲେ ନାହିଁ । ଆପଣଙ୍କୁ ଯିଏ ପଚାରିବ ଆପଣ କହିବେ ମା’ ଜାଙ୍ଗୁଲେଇଙ୍କ ପାଖରେ ଆପଣ ଯେଉଁ ପ୍ରାର୍ଥନା ଓ ମାନସିକ କରିଥିଲେ, ସେହିଥିରେ ନରେଶ ଭଲ ହୋଇଗଲା । ଗୋଟିଏ ଦରିଦ୍ର ଭୋଜନ ମାଆଙ୍କ ମନ୍ଦିରରେ କରାଦେବେ । ନରେଶ ଏ ବିଷୟରେ ଜାଣିବା ଦରକାର ନାହିଁ । କାରଣ ଆମେରିକାରେ ଲୋକେ ହୁଏତ ମା’ ଜାଙ୍ଗୁଲେଇଙ୍କ ଦୟା ଉପରେ ବିଶ୍ୱାସ କରିବେ, କିନ୍ତୁ ନରେଶ ଯେ ଦିନେ ନିଜ ଗାଁରେ ଇଣ୍ଟେଷ୍ଟାଇନାଲ୍ ଫାଇଲେରିଆରେ ଭୋଗିବେ ଓ ତାଙ୍କ ଗାଁର ଜଣେ ଅନାମଧେୟ ସରକାରୀ ଜେନେରାଲ୍ ପ୍ରାକ୍ଟିସନର୍‌ଙ୍କ ଦ୍ୱାରା ଚାରିଦିନରେ ଆରୋଗ୍ୟ ହୋଇଯିବେ ଏ କଥା ପୃଥିବୀରେ କେହି ବିଶ୍ୱାସ କରିବେ ନାହିଁ । ଯଦି ଦୁଇ ତିନିବର୍ଷ ପରେ ଆଉଥରେ ଏପରି ବେମାରୀ ଆସେ ମୋତେ କହିଲେ ମୁଁ ଡାକ୍ତର ନରେଶଙ୍କ ସଙ୍ଗେ ଆଲୋଚନା କରି ସବୁ କହିଦେବି ।

ଲୋକପ୍ରିୟ ଲେଖା

To Top