ସାବିତ୍ରୀ ଦୁଃଖ

Kalindicharana Panigrahi's odia Story Sabitri Duhkha

ସେଟଲମେଣ୍ଟ ଅଫିସରଙ୍କର ନିୟମ କରିବା ଉଚିତ୍ ଯେ ଯେଉଁମାନେ ଏଥିରେ ଚାକିରୀ କରିବେ, ସେମାନଙ୍କୁ ଅବିବାହିତ ରହିବାକୁ ହେବ କିମ୍ୱା କେବଳ ଅବିବାହିତ ପୁରୁଷ ଏଥିରେ ଚାକିରୀ କରିବେ

ସାବିତ୍ରୀ ଦୁଃଖ

ସେଥର ଦଶହରା ବନ୍ଦରେ ଗୃହିଣୀ ଏକାନ୍ତ ଧରି ବସିଲେ ଗୃହକୁ ଯିବେ । ଏତେ ଯଦି ଆଗ୍ରହ, ତେବେ ଯାଅ ବାବୁ । ନା, ଏକା ଯିବେ ନାହିଁ, ସାଥିରେ ଗୋଟିଏ ଲୋକ ଦରକାର । ତାହା ହେଲେ ଘରୁ ଭାଇ ଫାଇ ଗୋଟିଏ କାହାକୁ ଡାକି ପଠାଏ । ନା, ତାହା ମଧ୍ୟ ହେବ ନାହିଁ । ସ୍ୱୟଂ ମତେ ସଙ୍ଗରେ ଘେନି ଯିବାକୁ ହେବ ଏବଂ ସାତ ଆଠି ଦିନ ଘରେ ରହି ପୁଣି ଫେରସ୍ତ ଆଣିବାକୁ ହେବ । ଏକେ ତ ସେଟେଲମେଣ୍ଟ ଚାକିରୀ, ଉପର ହାକିମଙ୍କ ହୁକୁମରେ ପ୍ରାଣ ପ୍ରାୟଶ୍ଚିତ୍ତ କରି ଖରା ବର୍ଷା ନ ମାନି ମାଟି ମାପ କରିବାକୁ ହେଉଛି, ସେଥିରେ ପୁଣି ଘରେ ମଧ୍ୟ ଏ ଜାରି ।

କହିଲି, “ତମେ ବାବୁ ଗୋଟିଏ ଚଳନ୍ତି ବୋକ୍ଚା । ଈଶ୍ୱର ଖାଲି ଚାଲିବା ପାଇଁ ଯାହା ପାଦ ଦୁଇଟା ଦେଇଛନ୍ତି । ବାକି ଯେ ହାତ, ଆଖି, ମୁହଁ ପାଇଛି, ସେ ଖାଲି ଘର ଭିତରେ ଆମରି ନିରୀହମାନଙ୍କ ପାଇଁ । ଏକା ଏକା ଯଦି ଚାଲିଯାଇ ପାରୁଥାନ୍ତି- କିନ୍ତୁ ଆଉ ଆମ ଉପରେ ତ ହାକିମିଟା- ।”

ଉତ୍ତର ଦେଲା, “ଆମେ ଦାଣ୍ଡକୁ ବାହାରିଲେ, ତୁମେ ସବୁ ଯେବେ ଆଖି ତରାଟି କରି ନ ଚାହାନ୍ତ, ତେବେ ଏକା ହୋଇ ନ ଯାନ୍ତୁ କାହିଁକି ମ ?”

ମୁଁ କହିଲି, “ଅବଶ୍ୟ, ସେ ଦୋଷ ଦୁଇ ପକ୍ଷରୁ ରହିଛି । ଆଚ୍ଛା, ଘରକୁ ଆଉ କାହା ସାଥିରେ ଗଲେ”- ଗୃହିଣୀ ତମତମ ହୋଇ କହିଲେ, “ରଖ ରଖ, ସେ ସବୁ କଥା । ତୁମକୁ ହିଁ ଯିବାକୁ ହେବ ।” ସେ ସାଧାରଣ ବୁଦ୍ଧିରୁ ବଞ୍ଚିତା ନୁହନ୍ତି । ସାଙ୍ଗରେ ନ ଗଲେ ନାନାପ୍ରକାର ବାହାନା କରି ପୁଣି ଆଣିବାକୁ ବିଳମ୍ୱ କରିପାରେ, ମୋ ଏ ବଦଅଭ୍ୟାସଟି ଅନୁମାନ କରିବା ତାଙ୍କ ପକ୍ଷରେ କଷ୍ଟକର ନୁହେଁ । କାରଣ ବନ୍ଦୋବସ୍ତ ଚାକିରୀ କରି ସେଥିରେ ପରିବାର ଘେନି ରହିବା ଏକ ଅସାଧ୍ୟସାଧନା, ବରଂ ମହାତ୍ମାଗାନ୍ଧୀ ଦେଶସେବକମାନଙ୍କୁ ପରାମର୍ଶ ଦେଲାପରି ସେଟଲମେଣ୍ଟ ଅଫିସରଙ୍କର ନିୟମ କରିବା ଉଚିତ୍ ଯେ ଯେଉଁମାନେ ଏଥିରେ ଚାକିରୀ କରିବେ, ସେମାନଙ୍କୁ ଅବିବାହିତ ରହିବାକୁ ହେବ କିମ୍ୱା କେବଳ ଅବିବାହିତ ପୁରୁଷ ଏଥିରେ ଚାକିରୀ କରିବେ । କାରଣ, ସେଟେଲମେଣ୍ଟରେ କେବଳ ଅଧିକ ଅର୍ଥ ଉପାର୍ଜନର ପନ୍ଥା ନ ଥିଲେ ଉଭୟେ ସମାନ ଦେଶଭକ୍ତ । ଉଭୟଙ୍କୁ ଗ୍ରାମେ ଗ୍ରାମେ ବୁଲି ଦେଶବାସୀଙ୍କର ସେବା କରିବାକୁ ହୁଏ । ମୋର ତ ମନେହୁଏ, କେବଳ ରମଣୀମାନେ ଟିକିଏ ଅଳଙ୍କାର ପ୍ରିୟା ହୋଇ ନ ଥିଲେ, ସମଗ୍ର ବନ୍ଦୋବସ୍ତ କ୍ୟାମ୍ପ ଗୋଟିଏ ଗୋଟିଏ ସ୍ୱରାଜ-ଆଶ୍ରମ ହୋଇଉଠନ୍ତା । ଏସବୁ କଥା ଆବଶ୍ୟକ ନିର୍ଜୀବ ଅକ୍ଷର କେତେଟାରେ ଲିପିବଦ୍ଧ କରୁଛି । ମୁହାଁମୁହିଁ ଗୃହିଣୀଙ୍କ ନିକଟରେ ପ୍ରକାଶ କଲେ, ଏକାବେଳକେ ସିଡ୍‌ସନ୍ ହୋଇ ଉଠିବ ।

ଯାହାହେଉ ଯେତେବେଳେ ଆଦେଶ ହେଲା ଯେ, ତୁମକୁ ହିଁ ଯିବାକୁ ହେବ, ତା’ ଉପରେ ଆଉ ପ୍ରତ୍ୟୁତ୍ତର ପାଇଁ ମୋ ଦେହରେ ରକ୍ତ ନ ଥିଲା । ଯେ ଆଜ୍ଞା କହି ସେ ଆଦେଶ ଶିରାଧାର୍ଯ୍ୟ କଲି, କିନ୍ତୁ ଏତିକିରେ କ’ଣ ସବୁ ହେଲା ! ଯାତ୍ରା ପୂର୍ବରୁ ସାଜସଜ୍ଜା ତ ଅଛି । ମୃଦୁ ହାସ୍ୟ ସହିତ ବରାଦ ହେଲା, କାହା ଝିଅ ବେକରେ କିପରି ହରଡ଼ଫାଳ ମାଳ ଅଛି, ତାହା ସମୁଦୁଣୀର କିପରି ଜରିଧଡ଼ିଆ ଶାଢ଼ି ଅଛି, ତାହା ବୋହୂ ହାତରେ କିପରି ସୁନାକାଚ ଅଛି, ଇତ୍ୟାଦି ଇତ୍ୟାଦି ଯୋଗାଇବାକୁ । ସେଟେଲ୍‌ମେଣ୍ଟ୍‌ କାନଗୋଇ, ଛ ମାସିଆ ଟଙ୍କା ଶହେଟାର ଚାକିରୀ, ସେଥିରେ ଏସବୁ କିପରି ଯୋଗାଇଲି, ପାଠକେ ଟିକିଏ ବିସ୍ମିତ ହେବେ, କିନ୍ତୁ ଅର୍ଥ ପ୍ରଲୋଭନଟା ପ୍ରେସିଡ଼େଣ୍ଟ ଇଉଲସନ୍‌ଙ୍କ ଭଳି ଲୋକଙ୍କୁ ମଧ୍ୟ ପରାସ୍ତ କଲା ବୋଲି ଶୁଣାଯାଏ । ମୁଁ ଛାର ପୁଣି କିଏ ? ଲାଞ୍ଚ ନେବାଟାକୁ ମନେ ମନେ ଘୃଣା କଲେ ହେଁ, ଚାକିରୀର ଏପରି ଅସ୍ଥାୟୀ ରୀତିଗତ ପରିଶ୍ରମର ଏପରି ଆଧିକ୍ୟ, ଖର୍ଚ୍ଚର ଏପରି ନାନା ଉପସର୍ଗ ଓ ଆୟର ଏପରି ସହଜ ସୁଗମ ପନ୍ଥା ଯେଉଁଠାରେ ଅଛି, ସେଠାରେ ବଡ଼ ବଡ଼ ଲୋକ ଓ ନିଃସ୍ୱାର୍ଥ ଦେଶ-ସେବକମାନଙ୍କ ନାମରେ ତ କେତେ କ’ଣ ଶୁଣାଯାଉଛି, ଆଉ ମୁଁ ଅବା କେତେ ମାତ୍ର ?

ବାକ୍ୟବ୍ୟୟ ନ କରି ସବୁ ଆଦେଶ ନିରବରେ ପାଳନ କଲି । ଯିବାର ଦିନ ସ୍ଥିର କରାଗଲା । ସେଦିନ ସନ୍ଧ୍ୟାରେ ବିଛଣା ପତ୍ର ସଜାଡ଼ିବାରେ ଲାଗିଛି, ଦ୍ୱାରଦେଶରେ କାହାର ନାସିକାର ଖରଶ୍ୱାସର ଶବ୍ଦ ଶୁଣି ଚାହିଁ ଦେଖିଲି, ସାବିତ୍ରୀ ଠିଆ ହୋଇ କାନିରେ ଆଖି ମଳୁଛି । ପଚାରିଲି, “କିଲୋ ସାବି, ତୋର ପୁଣି କ’ଣ ହେଲା ?” ସାବି ଆହୁରି ପୁଳାଏ ଲୁଗା ଆଖିରେ ମାଡ଼ି ଦେଇ ଏପରି ଏକ କ୍ରନ୍ଦନ ଆରମ୍ଭ କରିଦେଲା ଯେ, ସେଥିରେ ତା’ର ସମଗ୍ର ସ୍ଥୂଳ ଶରୀରଟି କମ୍ପମାନ ହେବାକୁ ଲାଗିଲା । ବାରମ୍ୱାର ପଚାରି ଅତି କଷ୍ଟରେ ବୁଝିଲି ଯେ, ସାନ୍ତାଣୀ ତାକୁ ସଙ୍ଗରେ ନେବାକୁ ମନା କରି ଦେଇଛନ୍ତି । ଏହା ହିଁ ତା’ର ଦୁଃଖର କାରଣ । ତାକୁ ପ୍ରବୋଧ ଦେଇ କହିଲି, “ଆଲୋ ନାହିଁ, ତୁ କ’ଣ ଏକୁଟିଆ ରହିପାରିବୁ ?” ସାନ୍ତାଣୀ ତୋତେ ଥଟ୍ଟାରେ କହିଛନ୍ତି, କିନ୍ତୁ ସାବି ଏତିକିରେ ଛାଡ଼ିବା ପାତ୍ରୀ ନୁହେଁ ସେ ସାନ୍ତାଣୀଙ୍କୁ ମୁକାବିଲା କରାଇ ମୋ ମୁହଁରେ ଏହି କଥା ଆଉ ଥରେ କୁହାଇ, ତେବେ ଯାଇ ସ୍ଥିର ହେଲା ।

ସାବି ଏକ ଅଦ୍ଭୁତ-ଚରିତ୍ରା ! ସେ ଏହି ସେଟେଲମେଣ୍ଟ ଚାକିରୀର ଆମଦାନୀ ଦିନେ ସନ୍ଧ୍ୟାରେ ତମ୍ବୁ ଭିତରେ ବସି କାଗଜପତ୍ର ଘାଣ୍ଟୁଛି, ଗୃହିଣୀ ଆସି ନିକଟରେ ହାଜର ହେଲେ । ଅସମୟରେ ଆଗମନର କାରଣ ପଚାରନ୍ତେ କହିଲେ, “ଆଜି ତୁମ ପାଖରେ ମୋର ଗୋଟିଏ ଗୁହାରି ଅଛି, ଶୁଣିବ ?” ଉତ୍ତର କଲି, “ଗୁହାରି ତ ନୁହେଁ, ଆଦେଶ ପାଳନ କରିବି ।” ହସି ହସି ଗୃହିଣୀ କହିଲେ, “ନାହିଁ, ଥଟ୍ଟା ନୁହେଁ, ଗୋଟିଏ ଲୋକ କେତେଥର ତା’ର ଦୁଃଖ ତୁମକୁ ଜଣାଇବାକୁ ମୋତେ କହିଲାଣି, ବେଳ ମିଳେ ନାହିଁ ବୋଲି ତୁମକୁ କହିପାରେ ନାହିଁ ।” ହାତରୁ କଲମ ଛାଡ଼ି ପଚାରିଲି, “ଲୋକଟିଏ ହଠାତ୍ ତୁମର ପରିଚିତ ହୋଇଗଲା ଯେ ।” ସ୍ତ୍ରୀ ଟିକିଏ ସ୍ୱରରେ କହିଲେ, “ନାହିଁ, ମାଇପିଟିଏ, ଆମରି କରଣ ଘରର ଝୁଅ । ବୟସ ୩୦ ଉପରେ ହେବ । ବାହା ହୋଇ ୨୦ ବର୍ଷରୁ ବିଧବା । ଜମିବାଡ଼ି କିଛି ଥିଲା, ସାତ ଆଠମାଣ ଭିତରେ । ଶାଶୂ, ଶଶୁର, ଦିଅର ଜାଆ କେହି ନାହିଁ, ଏକାକୁ ଏକା । ତା’ ଘରବାଡ଼ି ସବୁ କୁଆଡ଼େ ସେ ଗାଁରୁ କେଉଁ ପଟ୍ଟନାୟକ ଲେଖାଇ ନେଇ ବିଚାରୀକୁ ତା’ ଘରୁ ବାହାର କରି ଦେଇଛନ୍ତି ।” କଥା ଗୁଡ଼ାକ କହିଯିବାକୁ ସ୍ତ୍ରୀ ଯେପରି ଆଗ୍ରହ ପ୍ରକାଶ କରୁଥାନ୍ତି, ମୋର ଶୁଣିବାକୁ ତାହା ନ ଥାଏ । କାରଣ, ଏପରି କେତେ ପଟ୍ଟନାୟକ, ପଟ୍ଟଯୋଷୀଙ୍କ କୀର୍ତ୍ତି ଶୁଣି ଶୁଣି ପ୍ରତିଦିନ କର୍ଣ୍ଣ ବଧିର ହୋଇଛି । ସହଜ ଭାବରେ ଉତ୍ତରଟି ଦେଲି, ତାକୁ କହିଦିଅ, “ପଟ୍ଟନାୟକଙ୍କଠାରୁ ସେ ସବୁ ଫେରସ୍ତ ଦେବାକୁ ମୋର କ୍ଷମତା ନାହିଁ ।”

ଉତ୍ତରଟା ଗୃହିଣୀଙ୍କୁ ବଡ଼ କଟୁ ବୋଧ ହେଲା । ଅଭିମାନରେ ମୁହଁଟା ଭାରି କରି ଦେଇ, “ହଉ, ହଉ, ମୋର କହିବା ସେତିକି କହି ଫେରି ଯାଉଥିଲେ ।” ଅନର୍ଥକ ଏକ ପ୍ରଳୟର ସୂଚନା ଦେଖି ଡାକିଲି, “ଶୁଣ, ଶୁଣ, କଥାଟା ନ ସରୁଣୁ ଫେରିଯାଉଛ କାହିଁକି ?” ସେ କ’ଣ ନିଜେ ଯାଇ ତା’ର ସବୁ ସମ୍ପତ୍ତି ରେଜେଷ୍ଟରୀ କରି ଦେଇଛି । ନିଜେ ନ ଯାଇ ଆଉ କେମିତି କରି ଦିଅନ୍ତା ମ । ହଁ ଠିକ୍ କଥା, କାହିଁକି ରେଜେଷ୍ଟରୀ କରିଦେଲା, କ’ଣ ଅଛି, ଧରିଥିଲା । ଗୃହିଣୀ ବିରକ୍ତ ହୋଇ କହିଲା, “ମୁଁ ତୁମକୁ ଏତେ ବୁଝାଇ ପାରିବି ନାହିଁ । କଥାଟା ତ ଶୁଣିଲ, ଏତେ ଖୋଳି ତାଡ଼ି କରି ପଚାରି ହେଉଛି କାହିଁକି ?” କହ ବାବୁ, ସବୁକଥା ନ ଶୁଣିଲେ କିପରି କ’ଣ କରିବା ? ସ୍ତ୍ରୀ କଥା ଢୋକି ଢୋକି କହିଲେ, “ୟା’ର ତା’ର କ’ଣ ଭାବୁ ଭାବୁ ଥିବ କି କ’ଣ ?” ପଚାରିଲି, “ସେ ତେବେ ଏକ୍ଷଣି କ’ଣ ଚାହୁଁଛି ?” . . . ସେ କହେ, “ତା’ର ତ ଘର ନାହିଁ କି ଦ୍ୱାର ନାହିଁ, ଏତେବେଳେ ଆଉ ଉପାୟ କ’ଣ ?” ମନେ ମନେ ହସିଲି, ଦୁନିଆଟାକୁ ଉପାୟ ବତାଇ ଦେବାକୁ ଯେ ସେଟେଲ୍‌ମେଣ୍ଟ୍‌ କାନଗୋଇର ସୃଷ୍ଟି ହୋଇ ନାହିଁ, ଏକଥା ଅଜ୍ଞାନ ନାରୀ କାହୁଁ ବୁଝିବ ।

କଥାଟାର କୌଣସି ମୀମାଂସା କରି ନ ପାରି ମୁଁ ଶ୍ରୀମତୀଙ୍କୁ ପଚାରିଲି, “ତୁମେ ଭଲା କ’ଣ ଉପାୟ ଦେଖିପାରୁଛ ।” ସେ ଦୃଢ଼ଭାବରେ କହିଲେ, “ମୁଁ କହୁଛି, ତା’ ଘରବାଡ଼ି ଫେରି ପାଇବାର ଯଦି କିଛି ଉପାୟ ନଥାଏ, ତେବେ ଏଇ ଲାଗେ ସେ ଆମ ଘରେ ରହୁ ।” ଏକଥା ସେ ପରିହାସରେ କହୁଛନ୍ତି କି ନିରନ୍ତରରେ କହୁଛନ୍ତି, ମୁଁ ବୁଝିପାରିଲି ନାହିଁ । କାରଣ କୌଣସି ପତିତା ରମଣୀର କଥା ଶୁଣିଲେ ଯାହାର ନାହିଁ ଡିଏଁ ସେ ଯେ ଏପରି ଏକ ରମଣୀକୁ ନିଜ ଗୃହରେ ଆଶ୍ରୟ ଦେବାକୁ ଯିବ, ଏ କଥାରେ କିଏ ବିଶ୍ୱାସ କରିବ । ପଚାରିଲି, “ଆମ ଘରେ ସେ କ’ଣ କରିବ ?” ସବୁ କାମ କରିବ, ଖାଲି ପାଣିଟି ଦେବା ଛଡ଼ା । ଯାହା ହେଉ ଏତେ ଦୂର ପର୍ଯ୍ୟନ୍ତ ଯେ ଶ୍ରୀମତୀ ମୋର ସହଧର୍ମିଣୀ ହୋଇପାରିଛନ୍ତି, ଏଥିରେ ମୁଁ ଯେଥଷ୍ଟ ଆନନ୍ଦ ଅନୁଭବ କଲି ଏବଂ ସେହିଦିନୁ ସାବିତ୍ରୀ ଆମ କ୍ଷୁଦ୍ର ପରିବାରଭୁକ୍ତ ହେଲା ।

ତା’ପରେ

ଲୋକପ୍ରିୟ ଲେଖା

To Top