ଗଳ୍ପ

ଉଡନ୍ତା ବାଘର ପଞ୍ଝା

Sangram Mohapatra's odia story Udantaa Baaghara Panjhaa

ଅଧିକାଂଶ ସମୟରେ ଏକାକୀ ଆଗନ୍ତୁକମାନଙ୍କ ଉପରେ ଲମ୍ଫ ପ୍ରଦାନ କରି ସେମାନଙ୍କ ଠାରୁ ସର୍ବସ୍ଵ ଲୁଟିନେବା ସହିତ ଜୀବନରେ ମଧ୍ୟ ମାରି ଦେଇଥାନ୍ତି। ଗୋଟିଏ ଡକାୟତିରେ ସେମାନଙ୍କର ତିନି ଚାରି ମାସ ଜୀବିକା ସମ୍ପନ୍ନ ହୋଇଯାଏ ।

ଉଡନ୍ତା ବାଘର ପଞ୍ଝା

-୧-

ଦୁଇଟି ପାହାଡ ବେଶ ସମାନ ଓ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ଶୀର୍ଷ ଦେଶରୁ ପ୍ରବାହମାନ ଜଳପ୍ରପାତ ମାହେଲା ପାହାଡକୁ କରିଥାଏ ଅତି ଆକର୍ଷଣୀୟ । ସୁଉଚ୍ଚଜଳପ୍ରପାତ, ଘଞ୍ଚ ବଣରାଜି, ପଶୁ ପକ୍ଷୀମାନଙ୍କର କାଁ ଭାଁ ସ୍ଵର ସହିତ ବିତି ଜୀବନ ଅତିବାହିତ କରିଥାନ୍ତି । “ମାହେଲା” ବନବାସୀ । ବେଶ ନିରୀହ, ଗୋଷ୍ଠୀ ଜୀବନକୁ ଆପଣେଇ ଥିବା ସରଳ ଲୋକମାନେ ସତରେ ଯେମିତି ସ୍ଵର୍ଗାବତରଣ କରିଥିବା ଆଦିମ ଗନ୍ଧର୍ବ ଗଣ ! ପାରମ୍ପରିକ ଅସ୍ତ୍ର ଶସ୍ତ୍ର ବିହୀନ, ସଙ୍ଗୀତର ସାତ ସ୍ଵରରେ ବନ୍ଧା ମଣିଷ ଗୁଡିଏ, ନା ମନରେ ଅଛି ଈର୍ଷା, ନା କପଟ, ନା ଘୃଣା କି ପ୍ରତିଯୋଗିତାରୁ ସୃଷ୍ଟ ପ୍ରତହିଂସା । ସେମାନଙ୍କର ଦୁନିଆ କହିଲେ ‘ପାହାଡ’ ‘ବଣ’ ‘ଝରଣା’ ଓ ଜୀବନର ଅନ୍ତିମ ଖୁସି କହିଲେ ପୌଷ ରାତ୍ରର ପୂର୍ଣ୍ଣିମା । ସୁନୀଳ ମେଘମୁକ୍ତ ଆକାଶରେ ପରିପୂର୍ଣ୍ଣ ଯୁବତୀ ଜହ୍ନର ଆକର୍ଷଣରେ ମାହେଲା ପୃଥିବୀ ଯେପରି ପ୍ରକମ୍ପିଉଠେ ବାଦ୍ୟ ଓ ସଙ୍ଗୀତରେ, ସେ ଉକ୍ତ ରାତ୍ରରେ ଯୁବକ, ଯୁବତୀମାନେ ଏକତ୍ର ହୋଇ ନୃତ୍ୟ ସଙ୍ଗୀତର ତାଳେ ତାଳେ ଜୀବନ ସାଥୀକୁ ବାଛିଥାନ୍ତି ।

କିନ୍ତୁ ସବୁ କିଛି ମାହେଲା ମାନଙ୍କ ପାଇଁ ସୁଖ ପୂର୍ଣ୍ଣ ନଥାଏ । ଏଭଳି ଏକ ସୁଖଦ ଅନ୍ତରଙ୍ଗ ମୁହୁର୍ତ୍ତରେ ଲମ୍ଫ ପ୍ରଦାନ କରି ଯୁବତୀକୁ ଅପହରଣ କରିଥାନ୍ତି ‘ରୁମି’ ସମ୍ପ୍ରଦାୟର ଜନଜାତି । ଭିନ୍ନ ଏକ ପାହାଡ, ଯାହାର ନାଁ ରୁମି, ବୃକ୍ଷ ହୀନ, ଟାଙ୍ଗର, ଗୁମ୍ଫା ଭର୍ତ୍ତି, ବିସ୍ତୀର୍ଣ୍ଣ ପ୍ରସ୍ତର ଖଣ୍ଡମାନଙ୍କରେ ଭରପୁର ସେହି ପାହାଡର ଅଧିବାସୀ । ଦୁର୍ଦ୍ଦଷ , ଭୟଙ୍କର, ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ରୁମିକୁ ଦେଖିଲେ ଯେ କୌଣସି ମଣିଷର କାହିଁକି ହିଂସ୍ର ପଶୁଟିର ମଧ୍ୟ କମ୍ପନ ଜାତ ହୁଏ ! ଏମାନେ ଗୋଷ୍ଠୀ ଜୀବନରେ ବିଶ୍ଵାସ କରନ୍ତି ନାହିଁ, ଅଧିକାଂଶ ସମୟରେ ଏକାକୀ ଆଗନ୍ତୁକମାନଙ୍କ ଉପରେ ଲମ୍ଫ ପ୍ରଦାନ କରି ସେମାନଙ୍କ ଠାରୁ ସର୍ବସ୍ଵ ଲୁଟିନେବା ସହିତ ଜୀବନରେ ମଧ୍ୟ ମାରି ଦେଇଥାନ୍ତି। ଗୋଟିଏ ଡକାୟତିରେ ସେମାନଙ୍କର ତିନି ଚାରି ମାସ ଜୀବିକା ସମ୍ପନ୍ନ ହୋଇଯାଏ । ରୁମି ସମ୍ପ୍ରଦାୟର ଏକ ଅଭୁତ ପରମ୍ପରା ଯେ ସେମାନେ ଅପହରଣ କରି ଜୀବନ ସାଥୀ ବାଛନ୍ତି ଆଉ ସେମାନଙ୍କର ପ୍ରିୟ ନିରୀହ ମାହେଲା ଯୁବତୀ । ଥରେ ଅପହରଣ ହୋଇ ଆସିଲେ ମାହେଲା ଯୁବତୀ ସୁନ୍ଦର କର୍ତ୍ତବ୍ୟ ପରାୟଣ ଗୃହିଣୀ ଭାବରେ ରୂପାନ୍ତରିତ ହେବାକୁ ଖୁବ କମ ସମୟ ନେଇଥାଏ । ରୁମି ପାଇଁ “ପୌଷ ପୂର୍ଣ୍ଣିମା” ଅପହରଣର ଶ୍ରେଷ୍ଠ ସମୟ କାରଣ ସେ ରାତ୍ରରେ ସମସ୍ତ ମାହେଲା ଯୁବତୀ ଏକ୍ରତିତ ହୋଇଥାନ୍ତି । ଅପରପକ୍ଷେ ଅପହୃତ ହୋଇ ମଧ୍ୟ ନା ହିଂସା କି ଘୃଣା ଜାତ ହୋଇଥାଏ ମାହେଲା ଯୁବତୀ କି ଅଧିବାସୀଙ୍କ ମନରେ ! ସେମାନେ ବି ନିରୁପାୟ । ପ୍ରତିବାଦ କରି ପୂର୍ବେ କିଛି ମାହେଲା ଯୁବକ ମୃତ୍ୟୁବରଣ କରିଛନ୍ତି । ଅବଶ୍ୟ ଏପରି ଅପହରଣ ପ୍ରତି ବର୍ଷ ହୁଏନାହିଁ । ବିଗତ କିଛି ବର୍ଷ ହେବ ଏହା ଆଦୌ ନାହିଁ କହିଲେ ଚଳେ ।

ଏ ବର୍ଷ ସମଗ୍ର ଜଙ୍ଗଲରେ ନିଆଁ ଭଳି ବ୍ୟାପିଯାଇଛି ‘ଉଡନ୍ତା ବାଘ’ ର ଲୋମହର୍ଷଣକାରୀ ଭୟ । ପ୍ରଚଣ୍ଡ ଦୁର୍ଦ୍ଦାନ୍ତ, ମାରାତ୍ମକ ଓ ଭୟଙ୍କର ରୁମି ସମ୍ପ୍ରଦାୟର ନୂତନ ଦଳପତି । ବୟସ ମାତ୍ର ପଚିଶ, ଶରୀରରେ କ୍ରୋଧ ଓ ବଳର ପ୍ରାଚୁର୍ଯ୍ୟ, ମନରେ ସର୍ବଦା ଆକ୍ରମଣ ଓ ପ୍ରତିହିଂସାର ବହ୍ନି । ଉଡନ୍ତା ବାଘର ଅଣ୍ଟାରେ ଆବର୍ତ୍ତ ସୁଦୀର୍ଘ ରଜ୍ଜୁ , ଅନାୟସରେ ଫାଶ ପକାଇ ସେ ମୁହୂର୍ତ୍ତକରେ ଉଡିଯାଏ ବୃକ୍ଷରୁ ବୃକ୍ଷ, ଲମ୍ଫ ପ୍ରଦାନ କରେ ପଥରରୁ ପଥର । ଏପରି ଉଡିଯିବାର ଅଭୁତ ଶକ୍ତି ଯେପରି ସେ ଆହରଣ କରି ନାହିଁ ବରଂ ଦିବ୍ୟ ଦତ୍ତ । ବାନର ଶ୍ରେଷ୍ଠ ହନୁମାନ ଏକଦା ପ୍ରଭାତର କୋମଳ ସୂର୍ଯ୍ୟ ପ୍ରତି ଲମ୍ଫ ପ୍ରଦାନ କରିଥିବାର ଯେଉଁ କିମ୍ବଦନ୍ତୀ ଅଛି ତାହା ଉଡନ୍ତା ବାଘ କ୍ଷେତ୍ରରେ ଟିକେ ଭିନ୍ନ । ପୌଷ ରାତ୍ରର ପୂର୍ଣ୍ଣିମା ଜହ୍ନ ତାକୁ ଲାଗେ ଏକ ବର୍ତ୍ତୁଳ କାର ବରଫ ଖଣ୍ଡ । ସେ ଲମ୍ଫ ପ୍ରଦାନ କରି ସେ ବରଫ ଖଣ୍ଡକୁ ତା ପଞ୍ଝାରେ ମାଡି ବସି ଗୁଣ୍ଡ ଗୁଣ୍ଡ କରି ଚୂର୍ଣ୍ଣ କରିବ, ଆହା ଟିଡ଼ିଆର ଅଦମ୍ୟ ଇଚ୍ଛା ଓ ଅଧୁର ସ୍ଵପ୍ନ । ଦିନେ ଦିନେ ତାର ଏପରି ଅଧୁର ସେ ସ୍ଵପ୍ନକୁ ସାକାର କରିବ ।

ଉଡନ୍ତା ବାଘର ଦୌରାତ୍ମ୍ୟ, ଦିନକୁ ଦିନ ଉଗ୍ର ହେବାରେ ଲାଗିଲା । ରୁମି ପାହାଡ ଆଖପାଖ ଦେଇ ଆଉ କୌଣସି ମଣିଷମାନଙ୍କର ଯାତାୟାତ ସମ୍ଭବ ହେଲା ନ।ହିଁ । ରୁମି ପାହାଡ ଅତିକ୍ରମ କଲେ ପଡିବ ମାହେଲା ପାହାଡ ଯେଉଁଥିରେ ଅସରନ୍ତି ଦାମୀ ବୃକ୍ଷ, ଲଟା , ମାଟି ତଳେ ଭୂସମ୍ପଦ । ଏହା ଇଂରେଜମାନଙ୍କୁ ଚିନ୍ତାରେ ପକାଇଲା । ଉଡନ୍ତା ବାଘର ଭୟରେ କୌଣସି ବ୍ୟାପାରୀ ମାହେଲା ପାହାଡକୁ ପ୍ରବେଶ କରିପାରିଲା ନାହିଁ । ଇଂରେଜମାନେ ମଧ୍ୟ ଏଥିରେ ସମର୍ଥ ହେବାରେ ବିଫଳ ହେଲେ । କିନ୍ତୁ ଦୁଇଟି ପାହାଡ ଯେହେତୁ ଦେଶୀୟ ରାଜ୍ୟ ମହିଶାପାଟ ଅଧୀନରେ ଥିଲା, ଇଂରେଜମାନେ କେବଳ ମହିଷାପାଟରେ ରାଜା ନରେନ୍ଦ୍ର ଦେଓଙ୍କୁ କେବଳ ତାଗିଦ ସହିତ ଯାହା ଅନୁରୋଧ କରୁଥିଲେ । ରାଜା ଜାଣିଥିଲେ ଯେ ରୁମି ସମ୍ପ୍ରଦାୟ ବୃତ୍ତିଗତ ଭାବେ ଅପରାଧି ହୋଇପାରନ୍ତି ସତ କିନ୍ତୁ ସେମାନଙ୍କୁ ପ୍ରକୃତି ତ ଆଉ କିଛି ଭିନ୍ନ ପନ୍ଥା ମଧ୍ୟ ପ୍ରଦାନ କରି ନାହିଁ ଯାହାପାଇଁ ସେମାନେ ବଂଶାନୁକ୍ରମିକ ଭାବେ ଏପରି ବୃତ୍ତିକୁ ବାଛିନେଇଛନ୍ତି । କିନ୍ତୁ ସଭ୍ୟ ଇଂରେଜମାନଙ୍କ ପାଇଁ ସେମାନେ ଥିଲେ ହତ୍ୟାକାରୀ, ଘୃଣ୍ୟ ନରପିଶାଚ ।

ନିଜର ସାମର୍ଥ୍ୟ ଅପେକ୍ଷା ବର୍ଷକର ଗୁଜୁରାଣ ମେଣ୍ଟାଇବା ପାଇଁ ଉଡନ୍ତା ବାଘ ଦିନେ ନିଷ୍ପତି ନେଲା ପାହାଡର ଅନତିଦୂର ଗ୍ରାମମାନଙ୍କରେ ଆକ୍ରମଣ କରିବ । ଯଦି ନିଜ ଗୁଜୁରାଣଠାରୁ ଅଧିକ ହେଲା ତେବେ ନିଜ ରୁମି ସମ୍ପ୍ରଦାୟ ମଧ୍ୟରେ ବାଣ୍ଟିଦେବେ । ଏକଥାକୁ ରୁମି ସମାଜ ମଧ୍ୟ ଆକଣ୍ଠ ସମର୍ଥନ ଦେଲା ।

ନିଶାର୍ଦ୍ଧରେ ଲୁଣ୍ଠନ କରିବାରେ ଉଡନ୍ତ ବାଘ ଥିଲା ଅପ୍ରତିଦ୍ଵନ୍ଦୀ । ଅତି ସନ୍ତର୍ପଣରେ ସେ ଗୃହ ମଧ୍ୟରେ କେମିତି ପ୍ରବେଶ କରେ କେହି ତାର ତିଳେ ମାତ୍ର ସୁରାକ ପାଆନ୍ତି ନ।ହିଁ । ସକାଳେ ସେମାନେ ଦେଖନ୍ତି ଉନ୍ମୁକ୍ତ ଦ୍ଵାର ସହିତ କପର୍ଦକ ଶୂନ୍ୟ ଗୃହ । ପାହାଡ ତଳି ଗ୍ରାମବାସୀ ବୃନ୍ଦ ଉଡନ୍ତ ବାଘର ନିଷ୍ଠୁରତା ଓ ବର୍ବରତା ବିଷୟରେ ବେଶ ସଚେତନ ଥିଲେ । ପ୍ରତିବାଦ କରି ମୃତ୍ୟୁବରଣ କରିବା ଅପେକ୍ଷା ସେମାନେ ନୀରବରେ ସହ୍ୟ କରିବାକୁ ଶ୍ରେୟସ୍କର ମଣୁଥିଲେ। ସେମାନଙ୍କର ଜୀବନ ଓ ପରିବାର ପ୍ରତି ଥିଲା ଦୁର୍ବାର ଲୋଭ ।

ଏହାର କ୍ରମାଗ୍ରତ ବୃଦ୍ଧି ହୁଅନ୍ତେ ଗ୍ରାମବାସୀ ମାନେ ମିଳିତ ହୋଇ ରାଜା ନରେନ୍ଦ୍ର ଦେଓଙ୍କ ପାଖରେ ଫେରାଦ ହେଲେ । ସେ ଜାଣିଥିଲେ ରୁମି ମାନଙ୍କୁ ପ୍ରତ୍ୟକ୍ଷ ଯୁଦ୍ଧରେ ସମୁଖୀନ ହେବ କଷ୍ଟକର ଏତଦ ବ୍ୟତିତ ରାଜ୍ୟର ସୈନ୍ୟ ସାମନ୍ତ ମଧ୍ୟ ଏପରି ଯୁଦ୍ଧରେ ଆଦୌ ସିଦ୍ଧ ହସ୍ତ କି ପାରଙ୍ଗମ ନୁହନ୍ତି । ରାଜା ନିଜର ଶକ୍ତି ଓ ସାମର୍ଥ୍ୟ ସମ୍ବନ୍ଧରେ ବେଶ ସଚେତନ ଥିଲେ । ତଥାପି ପାହାଡ ତଳି ଗ୍ରାମବାସୀମାନଙ୍କର ସଦିଛା ଓ ବିଶ୍ଵାସ ବଜାୟ ରଖିବା ପାଇଁ ସେ କିଛି ସୈନ୍ୟ ସାମନ୍ତଙ୍କୁ ପଠାଇ ଥିଲେ ଯେଉଁମାନଙ୍କ ମଧ୍ୟରୁ ଅର୍ଦ୍ଧେକ ହେଲେ ମୃତ ଏବଂ ଅର୍ଦ୍ଧେକ ବିକଳାଙ୍ଗ । ନିରୁପାୟ ରାଜା ଇଂରେଜମାନଙ୍କର ଥଟ୍ଟା ଉପହାସକୁ ସହି ନପାରି ଶେଷରେ ଇଂରେଜ ସୈନ୍ୟକୁ ଉଡନ୍ତା ବାଘକୁ ଶାସ୍ତି ଦେବାପାଇଁ ଆମନ୍ତ୍ରଣ କଲେ । ସୁଯୋଗର ଫାଇଦା ନେଇ ଚତୁର ଇଂରେଜ କରିବସିଲେ ଏକ ସର୍ତ୍ତ । ଯଦି ଉଡନ୍ତା ବାଘ ଧରା ପଡେ ତେବେ ଦୁଇଟି ପାହାଡ ହେବ ସଂପୃର୍ଣ୍ଣ ଇଂରେଜ କତୃତ୍ଵାଧିନ ଯାହା ମହିଷା ପାଟ ରାଜ୍ୟର ସମ୍ପତ୍ତି କି ସୀମା ଭାବରେ ପରିଗଣିତ ହେବ ନାହିଁ । ଗୋହତ୍ୟା ଓ ବ୍ରହ୍ମ ରାକ୍ଷସ ମଧ୍ୟରେ ଫସିଯାଇଥିବା ରାଜା ନରେନ୍ଦ୍ର ଦେଓ ଶେଷରେ ଇଂରେଜମାନଙ୍କ ସର୍ତ୍ତରେ ରାଜି ହେଲେ ।

ସର୍ତ୍ତ ହେବାର ମାତ୍ର କିଛି ଦିନ ମଧ୍ୟରେ ଚାରି ଜଣ ଅଶ୍ଵାରୋହୀ ଇଂରେଜ ସୈନ୍ୟ ମହିଷାପାଟରେ ପହଞ୍ଚି ଆକ୍ରମଣର ରୂପରେଖକୁ ଶେଷ ସ୍ପର୍ଶ ଦେବାରେ ଲାଗିପଡିଲେ । ସମସ୍ତେ ଥିଲେ ଯୁବକ, ପୂର୍ବରୁ ଭିନ୍ନ ଭିନ୍ନ ଯୁଦ୍ଧ ଅଭିଜ୍ଞତା ଓ ଅନୁଭୂତି ସଂପର୍ଣ୍ଣ ଦୁଃସାହସୀ ଯୋଦ୍ଧା ତଥା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ।

ରୁମି ପାହାଡର ଅନତିଦୂରରେ ଥିବା ଏକ ଗାଁରେ ସେମାନଙ୍କର ତମ୍ବୁ ପଡିଲା । ଏ ଖବର ମଧ୍ୟ ଉଡନ୍ତା ବାଘ ପାଖରେ ପହଞ୍ଚିଲା । ସେ ବିଚଳିତ ହେଲା ନାହିଁ । ସେ ଦୃଢ ନିଶ୍ଚିତ ଥିଲା ଗୋରା ସୈନ୍ୟ ମାନେ ସାହସ ସଞ୍ଚି କେବେ ହେଲେ ପାହାଡ ଚଢିବେ ନ।ହିଁ । ପାହାଡୀ ଯୁଦ୍ଧରେ ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ କିନ୍ତୁ ତଳ ଗାଁମାନଙ୍କର ସମତଳ ଅଞ୍ଚଳରେ ଉଡନ୍ତା ବାଘ ପାଇଁ ବିପଦ । ଏଣୁ ସେ ନିଷ୍ପତି ଗ୍ରହଣ କଲା କିଛି ମାସ ପାଇଁ ପାହାଡ ତଳି ଗାଁ କୁ ଶିକାର ଓ ଡକାୟତି ପାଇଁ ଯିବା ଜୀବନ ପାଇଁ ବିପଦ ପୂର୍ଣ୍ଣ । କିନ୍ତୁ ଏହା ଦ୍ଵାରା ସେମାନଙ୍କର ଦୈନନ୍ଦିନ ଗୁଜୁରାଣ, ଜୀବନ ଜୀବିକା ମଧ୍ୟ ଘର ପ୍ରଭାବିତ ହେଲା । ତଥାପି ଉଡନ୍ତା ବାଘର ନିଷ୍ପତ୍ତିକୁ ରୁମି ସମାଜ ସାଦରେ ଗ୍ରହଣ କରିଥିଲା ।

ଧୀରେ ଧୀରେ ରୁମି ପାଇଁ ଖାଦ୍ୟଭାବ ଉତ୍କଟ ହେବାରେ ଲାଗିଲା । ଅପରପକ୍ଷେ ଇଂରେଜ ସୈନ୍ୟମାନେ ମଧ୍ୟ ଧୈର୍ଯ୍ୟହରା ହେଉଥାନ୍ତି । ଏପରି ଛକା ପଞ୍ଝା ପରିସ୍ଥିତି ସତ୍ତ୍ୱେ, ଖାଦ୍ୟ ଭାବକୁ ମେଣ୍ଟାଇବା ପାଇଁ କେବେହେଲେ ଉଡନ୍ତା ବାଘା ମାହେଲା ଅଧିବାସୀମାନଙ୍କ ଉପରେ ଆକ୍ରମଣ କରିନାହିଁ । ତାର ଏକ ନୀତି ଥିଲା ସମତଳ ଅଞ୍ଚଳର ଚାଷୀ, ଭଣ୍ଡାର ଘରୁ ଶସ୍ୟ ଲୁଟ କରିବା , ମାହେଲା କୁଡିଆ ଘରୁ ନୁହେଁ ।

ଉଡନ୍ତା ବାଘ ମନକୁ ଏକ ବୁଦ୍ଧି ଜୁଟିଲା । ସମାଜକୁ ଏକାଠି କରି କହିଲ ସମସ୍ତେ ଏକତ୍ର ଆକ୍ରମଣ କରିବା । ଏକତ୍ର ଆକ୍ରମଣ କରିବା ରୁମି ପରମ୍ପରାରେ ନଥିଲା, ଏହା ମଧ୍ୟ ସେମାନଙ୍କ ସମାଜ ବିରୋଧୀ । ବିଭିନ୍ନ ବାଦ ବିବାଦ ସତ୍ତ୍ୱେ ଉଡନ୍ତା ବାଘ କଥାରେ କେହି ଏକମତ ହୋଇ ପାରିଲେ ନାହିଁ । କିନ୍ତୁ ଦରକାର ପଡିଲେ ଉପାସରେ ମୃତ୍ୟୁବରଣ କରିବା ପନ୍ଥା ପ୍ରତି ସଂଖ୍ୟାଧିକ ମତ ପ୍ରକାଶ ପାଇଲା । ଯୁକ୍ତି ଥିଲା ସାମାଜିକ ପରମ୍ପରା ହେଉଛି ଏକାକୀ ଯୁଦ୍ଧ, ସାମଗ୍ରିକ କି ଗୋଷ୍ଠୀଗତ ନୁହେଁ, ଏହା ଭଙ୍ଗ କରାଯିବ ନାହିଁ । ଉଡନ୍ତା ବାଘ ନୀରବ ରହି ନିଷ୍ପତ୍ତି ନେଲା ସେ ପ୍ରଥମେ ଲଢିବ ।

-୨-

ନିଶାର୍ଦ୍ଧ । ଆକଣ୍ଠ ମଦ୍ୟପାନ କରି ଦୁଇ ଜଣ ଇଂରେଜ ସୈନ୍ୟ ଶୟନରତ ଥିବା ବେଳେ ବାହାରେ ଦୁଇ ଜଣ ବନ୍ଧୁକ ଧରି ବସିଥାନ୍ତି । ଆଖି ମୁଦି ହୋଇ ଆସୁଥାଏ । ଅନେକ ମାସ ହେଲାଣି ଏମିତି କେତେ ରାତି ବିତିଗଲାଣି । ଉଡନ୍ତା ବାଘର ଖୋଜ ଖବର ନାହିଁ । ଗ୍ରାମବାସୀମାନେ ମଧ୍ୟ ଆଶ୍ଵସ୍ତ । ସେମାନେ ନିଶ୍ଚିତ ଯେ ଇଂରେଜ ସୈନ୍ୟ ଭୟରେ ସେ ଲୁଚି ଯାଇଛି । ହଠାତ ଜଣଙ୍କ ବେକରେ ଶକ୍ତ ରଜ୍ଜୁର ଫାଶ ଭିଡି ହୋଇଯାଉଥିବା ବେଳେ ଅନ୍ୟ ଜଣଙ୍କ ବେକରେ ଶକ୍ତ ପଞ୍ଝାର ନିଷ୍ଠୁର ଚାପ । ପାଟି ଫିଟିବାର ସାମାନ୍ୟତମ ସ୍ଵର ପୂର୍ବରୁ ଉଡିଯାଇଥିଲା ଦୁଇ ଇଂରେଜ ସୈନ୍ୟଙ୍କ ପ୍ରାଣବାୟୁ । ଚୌକି ଉପରେ ମୃତ ବତ ବସିଥିଲେ ସେମାନେ । ନିଶାର୍ଦ୍ଧର ଅନ୍ଧକାର ମଧ୍ୟରେ ଅତ୍ୟାଧୁନିକ ବନ୍ଧୁକ ଓ ଗୁଳିଗୋଳା ସହ ଉଭାନ ହୋଇଯାଇଥିଲା ‘ଉଡନ୍ତା ବାଘ’ । ସକାଳର ସୂର୍ଯ୍ୟାଲୋକର ସ୍ପର୍ଶରେ ବିହଙ୍ଗମାନେ ଉଲ୍ଲସିତ ହେବା ପୂର୍ବରୁ ଭୟଙ୍କର ପ୍ରତିହିଂସା ଓ ଉନ୍ମାଦନାରେ ଚିତ୍କାର ଛାଡୁଥିଲେ ଶଯ୍ୟା ତ୍ୟାଗକରିଥିବା ଅବଶିଷ୍ଟ ଦୁଇ ଇଂରେଜ ସୈନିକ । ତୁରନ୍ତ ସେମାନେ ଅଶ୍ଵାରୋହଣ ପୂର୍ବକ ଅଗ୍ରସର ହୋଇଥିଲେ ରୁମି ପାହାଡ ଅଭିମୁଖେ । ଏହା ଆଣିଦେଇଥିଲା ଉଡନ୍ତା ବାଘ ପାଇଁ ସୁବର୍ଣ୍ଣ ସୁଯୋଗ । ପାହାଡର ଉପର ମୁଣ୍ଡରୁ ତୀର ବିନ୍ଧି ବାକି ଦୁଇ ଜଣଙ୍କୁ ହତ୍ୟା କରିବାରେ ତାକୁ କୌଣସି କଷ୍ଟ ସ୍ଵୀକାର କରିବାକୁ ପଡିନଥିଲା । ସମଗ୍ର ରୁମି ସମାଜ ଆନନ୍ଦରେ ଉଛୁଳି ପଡିଥିଲା । ଉଡନ୍ତା ବାଘକୁ କ।ନ୍ଧରେ ବୋହି ବନ୍ଧୁକରୁ ପାଞ୍ଚ ଛଅ ଥର ଶୂନ୍ୟକୁ ଗୁଳିବର୍ଷଣ କରାଗଲା ।

ଉତ୍‌କ୍ଷିପ୍ତ ଓ କ୍ରୋଧଜର୍ଜରିତ ଇଂରେଜ ପ୍ରଶାସକ ରାଜା ନରେନ୍ଦ୍ର ଦେଓଙ୍କୁ ଭୀଷଣ ତିରସ୍କାର କରିବା ସହିତ ଶେଷ ଚେତାବନୀ ମଧ୍ୟ ପ୍ରଦାନ କାଲେ । ରାଜା ଯେ କେବଳ ସଂପୂର୍ଣ୍ଣ ଦାୟିତ୍ଵହିନତାର ପରିଚୟ ଦେଇଛନ୍ତି ତା ନୁହେଁ ବରଂ ଗୁପ୍ତରେ ଉଡନ୍ତା ବାଘ ସହ ସମ୍ପର୍କ ସ୍ଥାପନ କରି ଇଂରେଜମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି । ଚାରିଜଣ ଇଂରେଜ ସୈନ୍ୟଙ୍କର ମୃତ୍ୟୁ ପାଇଁ ରାଜା ମଧ୍ୟ ସମ ପରିମାଣରେ ଦାୟୀ । ଏଣୁ ଯଦି ଆଗାମୀ ଛଅ ମାସ ମଧ୍ୟରେ ଉଡନ୍ତ ବାଘ ସହିତ ରୁମି ସଂପ୍ରଦାୟର ମୂଳୋତ୍ପାଟନ ନହୁଏ ତେବେ ରାଜାଙ୍କୁ ହତ୍ୟା ଦୋଷରେ ଦାୟୀ କରାଯାଇ ଫୌଜଦାରୀ ମୋକଦମା ଆରମ୍ଭ କରାଯିବା ସହିତ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ସମଗ୍ର ମହିଷାପାଟ ରାଜ୍ୟକୁ ନିଜ ଅଧିନକୁ ନେବ ଇଂରେଜ ଶାସନ ।

ଏପରି ନିଷ୍ଠୁର ଚେତାବନୀ ଓ ଧମକରେ ରାଜା ନିଜର ମାନସିକ ଭାରସାମ୍ୟ ହରାଇବାକୁ ଲାଗିଲେ । ସମସ୍ତ ରାଜ ପାରିଷଦ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ସେ ନିଷ୍ପତ୍ତି ନେଲେ ମାହେଲା ମାନଙ୍କୁ ବିଶ୍ୱାସକୁ ନେଇ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଦେଇ ଉଡନ୍ତା ବାଘକୁ ନିପାତ କରିବେ । ଅଥଚ ସେ ମହେଲାମାନଙ୍କ ପାଖରେ ପହଞ୍ଚିବେ କିପରି ? ରୁମି ପାହାଡ ଦେଇ ଅତିକ୍ରମ କରିବା ତ ଦୁରୂହ ବ୍ୟାପାର । କିନ୍ତୁ ରାଜା ଯେ ନିରୂପାୟ । ଏପଟେ ହତ୍ୟା ଦୋଷ ଓ ରାଜ୍ୟ ଶାସନ ହାତରୁ ଯିବାର ଚରମ ଭୟ ଓ ଆଶଙ୍କା । ଏପରି ଅପମାନ ଓ କଳଙ୍କରୁ ମୁକ୍ତି ପାଇବା ପାଇଁ ମାହେଲା ଅଧିବାସୀଙ୍କ ସହ ମିଶି ଉପାୟ ବାନ୍ଧି ଚେଷ୍ଟା କରିବାରେ ଅନ୍ତତଃ କିଛିଟା ଆତ୍ମସମ୍ମାନ ରକ୍ଷା ହୋଇପାରେ । ନିଜ ଜୀବନକୁ ପାଣିଛଡାଇ ରାଜା ନରେନ୍ଦ୍ର ଦେଓ ନିଜେ ଯିବାକୁ ମନସ୍ତ କଲେ । ସାଙ୍ଗରେ ଜଣେ ମାତ୍ର ଅଙ୍ଗରକ୍ଷୀ । ଦୁହେଁ ସାଧା ପୋଷାକ ପିନ୍ଧି କେବଳ ରାତ୍ରିର ଘନ ଅନ୍ଧକାରରେ ପାହାଡ ଓ ଗାଁ ଅତିକ୍ରମ କରିବେ ନିଃଶବ୍ଦରେ, ଅପରିଚିତ ଆଗନ୍ତୁକ ଭାବେ, ଭିକ୍ଷୁକର ଛଦ୍ମବେଶରେ ।

ଦୁହେଁ ଅଗ୍ରସର ହେଲେ ନିଭୃତ ଅମା ଅନ୍ଧାରରେ, ଛଦ୍ମବେଶୀ ଭିକ୍ଷୁକ, କାନ୍ଧରେ ଭିକ୍ଷାଥାଳ, ହାତରେ ଯଷ୍ଟି । ହଠାତ୍ କୌଣସି ବିପଦର ସମ୍ମୁଖୀନ ହେଲେ ମୁଖନିଃସୃତ ହୋଇପଡେ ଭଗବାନଙ୍କର ନାମ ଉଚ୍ଚାରଣ । ସମ୍ମୁଖରେ ପଡିଲା ସେହି ରୁକ୍ଷ ରୁମି ପାହାଡ, ପ୍ରସ୍ତର କଙ୍କର ଭରା ଆବୁଡା ଖାବୁଡା ରାସ୍ତା । ଦୁହେଁ ଦୀର୍ଘଶ୍ଵାସ ଛାଡିଲେ, ମନକୁ ଦୃଢ କରି ଅଗ୍ରସର ହେଲେ । ବେଶ କିଛି ପଥ ଅତିକ୍ରମ କରିସାରିଥାନ୍ତି । କ୍ଷୁଧା, କ୍ଳାନ୍ତି ଓ ଅନିଶ୍ଚିତତା ଶରୀର ପ୍ରାଣ କରିଦେଇଥାଏ ଅବସ । ତଥାପି ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ହେବ । ରୁମି ପାହାଡରେ ସେମାନେ ଭେଟିଥାନ୍ତି ଜଣେ ଦୁଇ ଜଣ ସାରିଥାନ୍ତି ଦୁର୍ଦ୍ଦାନ୍ତ ରୁମିକୁ । ଗୁମ୍ଫା ଭିତରେ ସତେ ଯେମିତି ହିଂସ୍ର ପ୍ରାଣୀଟିଏ ଚାହିଁ ରହିଥାଏ ତାର ନିରୀହ ଖାଦକକୁ । ଆଉ ଗୋଟିଏ ଦିନର ଯାତ୍ରା ପରେ ପଡିବ ମହେଲା ପାହାଡ । ମନରେ ସାହସ ଓ ବଳ ସଞ୍ଚିବା ବ୍ୟତୀତ ଅନ୍ୟ ଉପାୟ ବା କ’ଣ ?

ହଠାତ ରାତ୍ରର ନିରବତାକୁ ବିଦୀର୍ଣ୍ଣ କରି ସମ୍ମୁଖରେ ଅକସ୍ମାତ ଉଭା ହେଲା ଉଡନ୍ତା ବାଘ । ରାତ୍ରର କ୍ଷୀଣ ଅନ୍ଧାର ରାଜାଙ୍କୁ ତାର ଚେହେରା କି ଭୟାନକ ପ୍ରତୀୟମାନ ହେଲା । ସୁଦୀର୍ଘ, ଉଚ୍ଚ ଫୁଙ୍ଗୁଳା ବଳିଷ୍ଠ ଶରୀର, ଅଣ୍ଟାରେ ଆବର୍ତ୍ତ ଶକ୍ତ ରଜ୍ଜୁ, ହାତରେ ଉନ୍ମୁକ୍ତ ତରବାରୀ, କାନ୍ଧରେ ଧନୁ, ତୀର, ଭୟାନକ ଦୃଶ୍ୟ । ତାର ଅଟ୍ଟହାସ୍ୟରେ ସୁପ୍ତ ପହଡତ ଯେମିତି ଚିହିଙ୍କି ଉଠିଲା । ତରବାରୀର ଶାଣିତ ଆଗ୍ରରେ ସେ ଭିକ୍ଷୁ (ରାଜା) ର କଣ୍ଠାଗ୍ରକୁ ସ୍ପର୍ଶ କରି ଅଟ୍ଟହାସ୍ୟ କରି ଚାଲିଲା । ରାଜା ଜାଣି ମଧ୍ୟ ସାହସ ବାନ୍ଧି ପଚାରିଲେ “ତୁମେ କିଏ ? ଏଭଳି ରାତ୍ରରେ ଏକାକୀ ଆଉ ଏପରି ଗର୍ଜନ କାହିଁକି କରୁଛ ? ସେ ଅତ୍ୟଧିକ ମାତ୍ରାରେ ଅଟହାସ୍ୟ କରି କହିଲା, “ମୋତେ ଚିହ୍ନିନାହୁଁ ଭିକ୍ଷୁକ, ମୁଁ ବାଘ, ଉଡନ୍ତା ବାଘ ଏ ପାହାଡ଼ରୁ ସେ ପାହାଡ , ଏ ଜଙ୍ଗଲରୁ ସେ ଜଙ୍ଗଲ ଶିକାର କରିବା ମୋର ଧର୍ମ । ବାଘର ଧର୍ମ ଗର୍ଜନ, ସେ ଗର୍ଜନ କରେ ଯେତେବେଳେ ସେ ଶିକାର ପାଏ ସେତେବେଳେ ସେ ଗର୍ଜନ କରେ, ହାଃ ହାଃ ।

“ଆମେ ଭିକ୍ଷୁକ, କଣ ଲୁଣ୍ଠନ କରିବ, ଆମର ଦାରିଦ୍ର୍ୟ ।“

“ଆଗନ୍ତୁକକୁ ହତ୍ୟା କରିବାରେ ଆନନ୍ଦ ଥାଏ, ଆଉ ଏ ପଞ୍ଝାରେ ଯଥେଷ୍ଟ ଶକ୍ତି ଅଛି କି ନାହିଁ ତାକୁ ମଧ୍ୟ ମୁଁ ପରୀକ୍ଷା କରେ ।“ “ତେବେ ମୁଁ ପ୍ରସ୍ତୁତ, ତମେ ପରୀକ୍ଷା ନେଇପାର ।“ ଭିକ୍ଷୁକଟିର ଏପରି ପ୍ରତିବାଦହୀନ ସାହସରେ ଉଡନ୍ତ। ବାଘ ଆଶ୍ଚର୍ଯ୍ୟ ହେଲା । ସେ କେବେ ସଂସାର ପରିତ୍ୟାଗୀ ଭିକ୍ଷୁକ ଦେଖି ନଥିଲା । ସେ ଭାବିଥିଲା ଏକମାତ୍ର ସେ ଦୁଃସାହସୀ କିନ୍ତୁ ସାମାନ୍ୟ ଭିକ୍ଷୁକଟିଏର ମଧ୍ୟ ମୃତ୍ୟୁକୁ ଭୟ ନାହିଁ । ଉନ୍ମୁକ୍ତ ତରବାରୀକୁ ସେ ଭିକ୍ଷୁକର କଣ୍ଠାଗ୍ରରୁ ମୁକ୍ତ କରି ନିଜ ହାତରେ ଝୁଲାଇଲା ଏବଂ ତାଗିଦ କରି କହିଲା, “ଏଥର ଛାଡିଦେଲି, ଆଉ ଯେପରି ଦୁଃସାହସ ନ କରୁ” ଏବଂ ତତକ୍ଷଣାତ କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଗଲା । ରାଜା ଏପରି ବାର୍ତ୍ତାଳାପ କରିବା ସମୟରେ ନିଜ ଅଙ୍ଗରକ୍ଷୀର ହାତକୁ ଶକ୍ତ ଭାବେ ଧରିଥାନ୍ତି । ଏପରି ଦୁର୍ଦ୍ଦାନ୍ତ ମଣିଷଟିଏକୁ କବଳିତ କରିବା ସ୍ପଷ୍ଟ ଦିବାଲୋକରେ ତାଙ୍କ ପାଇଁ କଣ ସମଗ୍ର ରାଜ୍ୟର ସୈନ୍ୟ ସାମନ୍ତଙ୍କ ପାଇଁ କାଠିକର ପାଠ ନିଶ୍ଚୟ ! କିନ୍ତୁ ରାଜାଙ୍କର ଛଦ୍ମବେଶ ଓ ପରିଶ୍ରମ ତାଙ୍କୁ ପ୍ରତ୍ୟକ୍ଷ ଅନୁଭୂତି ଆଣିଦେଲା । ସେମାନେ ଅଗ୍ରସର ହେଲେ ।

ମାତ୍ର ଦିନଟିଏର ଯାତ୍ର।ପରେ ପଡିଲା ମହେଲା ପାହାଡ ! ପ୍ରକୃତିର କି ଅପରୂପ ଶୋଭା ! କି ସୁନ୍ଦର ଜଳପ୍ରପାତ, ପକ୍ଷୀଙ୍କ କାକଳି କଳ କଳ ଝରଣା, ଅଙ୍କା ବଙ୍କା ସାରୁ ରାସ୍ତା ଛୋଟ ଛୋଟ କୁଡିଆ, ନିରୀହ ଲୋକମାନଙ୍କର ଅଳସ ଜୀବନଯାତ୍ରା । ଦୁଇ ଛଦ୍ମବେଶୀ ଭିକ୍ଷୁକ କିଛି ସମୟ ଝରଣା ପାଖରେ ବସି ପାଣି ପିଇବା ସହିତ ଶରୀର ଓ ମନକୁ ହାଲୁକା କଲେ । କିଛି ସମୟ ମଧ୍ୟରେ ଧିରେ ଧିରେ ମହେଲା ଗୁରୁଜନମାନେ ଏକାଠି ହେଲେ । ରାଜା ନିଜର ଛଦ୍ମବେଶକୁ କାଢି ନିଜର ପରିଚୟ ପ୍ରଦାନ କରିବା ମାତ୍ରକେ ସମସ୍ତେ ନତମସ୍ତକ ହୋଇ ପ୍ରଣିପାତ କଲେ । ସତେ ଯେପରି ସେମାନଙ୍କର ଭାଗ୍ୟ । ରାଜା ନରେନ୍ଦ୍ର ଦେଓ ନିଘଞ୍ଚ ଜଙ୍ଗଲରେ ପାଇ, ନିଜ ଗ୍ରହଣରେ ଦେଖି ସେମାନେ କୁତକୃତ୍ୟ ହୋଇଗଲେ । ରାଜା ଓ ଅଙ୍ଗରକ୍ଷୀଙ୍କୁ ସୁସ୍ଵାଦୁ ଭୋଜନ ସହିତ ସେମାନେ ଅlପ୍ୟାୟିତ କଲେ । ସେଦିନ ରାତ୍ରରେ ରାଜାଙ୍କ ଅନୁରୋଧରେ ମାହେଲାମାନଙ୍କର ଏକ ବୈଠକ ଡକାହେଲା । ଜଣ ଜଣ କରି ସମସ୍ତ ଯୁବକ , ବୟସ୍କ , ଗୁରୁଜନ ଉପସ୍ଥିତ ହେଲେ । ଏକତ୍ର ହୋଇସାରିବା ପରେ ରାଜା ନିଜର ବକ୍ତବ୍ୟ ଆରମ୍ଭ କଲେ, “ମାହେଲା ସମ୍ପ୍ରଦାୟର ସାହସୀ ପୁରୁଷବୃନ୍ଦ, ନିଜ ରାଜପ୍ରସାଦର ସୁଖ ସ୍ଵାଚ୍ଛନ୍ଦ୍ୟ ପରିତ୍ୟାଗ କରି ମୁଁ ଆପଣମାନଙ୍କ ପାଖକୁ ସାହାଯ୍ୟ ଓ ସହଯୋଗର ହାତ ବଢେଇବା ପାଇଁ ଆସିଛି । ଆପଣମାନେ ନିଶ୍ଚିତ ଭାବେ ରୁମି ସଂପ୍ରଦାୟର ଅତ୍ୟାଚାରର ଭୁକ୍ତଭୋଗୀ ବିଶେଷ କରି ଉଡନ୍ତା ବାଘର ଦୌରାତ୍ମ ଯୋଗୁ ଚାରିଜଣ ଇଂରେଜ ସୈନ୍ୟ ମୃତ୍ୟୁ ବରଣ କରିସାରିଲେଣି । ପୂର୍ବରୁ କେତେ ଜଣ ରାଜ୍ୟର ସୈନ୍ୟ ମଧ୍ୟ ମୃତ ଓ ବିକଳାଙ୍ଗ । ଆପଣମାନଙ୍କ ସହଯୋଗ ମିଳିଲେ , ଉଡନ୍ତା ବାଘ ଏବଂ ରୁମିମାନଙ୍କ କବଳରୁ ମହିଷାପାଟକୁ ମୁକ୍ତ କରାଯାଇପାରିବ । “ ସମସ୍ତ ଶ୍ରୋତାବୃନ୍ଦ ନିରବ ।

ରାଜା ପୁଣି କହିଲେ, “ଆପଣମାନେ ଅବଗତଥିବେ, ଏପର୍ଯ୍ୟନ୍ତ ଆପଣମାନଙ୍କୁ ମୋ ତରଫରୁ କୌଣସି ପ୍ରକାର ଅତ୍ୟାଚାର କରାଯାଇନାହିଁ । ଆପଣମାନଙ୍କୁ ଏଯାବତ କୌଣସି ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରାଯାଇନାହିଁ କିନ୍ତୁ ରାଜ୍ୟବାସୀ ଭାବେ ଆପଣଙ୍କର ମଧ୍ୟ ଦାୟିତ୍ଵ ଓ କର୍ତ୍ତବ୍ୟବୋଧ ରହିଛି , ଏ ଘଡିସନ୍ଧି ମୁହୁର୍ତ୍ତରେ ରାଜାଙ୍କୁ ସାହାଯ୍ୟ କରିବା । ଯଦି ଆପଣମାନେ ପ୍ରତ୍ୟାଖ୍ୟାନ କରନ୍ତି ତେବେ ଏ ରାଜ୍ୟ ଇଂରେଜ ମାନଙ୍କ କବଳକୁ ଯିବ ଏବଂ ମୁଁ ହତ୍ୟା ଦୋଷରେ ମଧ୍ୟ ଦୋଷୀ ହୋଇ ଦଣ୍ଡ ପାଇବି ।

ମାହେଲା ଗୁରୁଜନ ପ୍ରଶ୍ନ କାଲେ, “ରାଜା, ଆମେ ନିରୀହ , ଶାନ୍ତିପ୍ରିୟ ସମାଜ । ଆମେ କଣ କରିପାରିବୁ ? ଏ ଭୟଙ୍କର ରୁମି ସମାଜ ସହିତ ଆମେ ଲଢିବା ପାଇଁ ଦୁଃସାହସ ମଧ୍ୟ କରିପାରିବୁ ନାହିଁ ।“ ଶ୍ରୋତାମାନଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହେଲା ।

ରାଜା କହିଲେ, “ସହଯୋଗ ଅର୍ଥ ଆପଣମାନେ ଅସ୍ତ୍ର ଧରିବେ , ଆପଣମାନଙ୍କ ଯୁବତୀକୁ ଅପହରଣ କଲା ସମୟରେ ପ୍ରତିବାଦ କରିବେ, ଲଢିବେ, ଦରକାର ପଡିଲେ ବଳିଦାନ ଦେବେ । ମୋ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ , ସହଯୋଗ ଯୋଗାଇ ଦିଆଯିବ ।

“ନିଜ ନିଜ ମଧ୍ୟରେ ବାର୍ତ୍ତାଳାପ ଓ ମନ୍ତ୍ରଣା କରିସାରି ସବୁଠାରୁ ବୟସ୍କ ମହେଲା ଉତ୍ତର ଦେଲା, “ରାଜା, ଆପଣଙ୍କର ସାହାଯ୍ୟ ପାଇଁ ଆମେ କୃତଜ୍ଞ । ଆପଣ ଏତେ ପରିଶ୍ରମ କରି ରୁମିମାନଙ୍କୁ ଭୟ ନକରି ବିଶେଷ କରି ଉଡନ୍ତା ବାଘକୁ ବେଖାତିର କରି ଆମ ପାଖରେ ପହଞ୍ଚିପାରିଲେ ଏହା ଆମର ଭାଗ୍ୟ । ଆମେ ମଧ୍ୟ ଆମ ଉପରେ ରୁମିମାନଙ୍କ ଅପହରଣ ଯୋଗୁ ଆପଣଙ୍କ ଚିନ୍ତା ପାଇଁ ଧନ୍ୟବାଦ ଜଣାଉଛୁ । ଆମ ଯୁବକ ମାନଙ୍କ ସମ୍ମୁଖରେ ରାତ୍ରରେ ଯୁବତୀକୁ ଅପହରଣ କରିନେବା ଭଳି ଅପମାନ ଓ ଲାଞ୍ଛନା ପାଇଁ ଆମ ସମାଜ ବ୍ୟତିବ୍ୟସ୍ତ । ହେଲେ ଆମେ ନିରୂପାୟ । କ୍ଷମା କରିବେ । “

ରାଜା ଅଧର୍ଯ୍ୟ ହୋଇ କହିଲେ, “ତେବେ ଇଂରେଜମାନଙ୍କ ଅତ୍ୟାଚାର ପାଇଁ ପ୍ରସ୍ତୁତ ହୋଇ ରୁହ । ଏ ବଣ, ଝରଣା, କୁଡିଆ ସବୁ ଧ୍ଵଂସ ପାଇବ । ଇଂରେଜମାନେ ସବୁ ଧ୍ଵଂସ କରି ବିକ୍ରୟ କରିବେ । ତୁମମାନଙ୍କର ଅସ୍ତିତ୍ଵ ନିଶ୍ଚିହ୍ନ ହେବ ।“

ଶ୍ରୋତାମଣ୍ଡଳୀ ନିରବ, ଗଭୀର ଭାବରେ ରାଜାଙ୍କ କଥାକୁ ଶୁଣୁଥାନ୍ତି । ରାତ୍ର ଯେତେ ଅଧିକ ହେଉଥାଏ ପରିବେଶ ସେତେ ଅଧିକ ଉଷ୍ଣ ଆଡକୁ ଯାଉଥାଏ । କିଛି ସମୟ ନୀରବତା ଭାଙ୍ଗି ମାହେଲା ବୃଦ୍ଧ ଜଣଙ୍କ କହିଲେ, “ରାଜା, କ୍ଷମା କରିବେ । ଆମେ ଅତ୍ୟାଚାର, ଅପହରଣ ସହିଆସିଛୁ, ସହିପାରିବୁ, ଏ ଶକ୍ତି ଆମର ଅଛି । ଆମର ଯୁବତୀ ଥରେ ଅପହରଣ ହେଲାପରେ ସେ ରୁମି ରକ୍ତର ସନ୍ତାନକୁ ପ୍ରସବ କରେ । ସେ ରକ୍ତରେ ବି ଥାଏ ମାହେଲା ରକ୍ତ । ସେ ବଡ ହୋଇ ଦୁର୍ଦ୍ଦାନ୍ତ ହୁଏ । ଲୁଣ୍ଠନ କରେ, ଏହା ମଧ୍ୟ ସତ୍ୟ । କିନ୍ତୁ ଆମ ସମାଜ ସବୁ ଜାଣେ, ସବୁ ସହେ । ଆମେ ଦୁର୍ବଳ, ନିରୀହ ବନବାସୀ । ପ୍ରକୃତି ଆମକୁ ଏପରି କରିଛି । ଆମେ ଆମ ସମାଜ ପରମ୍ପରାରେ ବଞ୍ଚୁ, ଆମକୁ ଦୁଃଖ ଲାଗେ ସତ କିନ୍ତୁ ରୁମି ସମାଜର ପରମ୍ପରାକୁ ଆମେ ବନ୍ଦ କରିବାକୁ କିଏ ? ଆମେ ଅସ୍ତ୍ର ଧରି ଲଢିବୁ କାହିଁକି ? ରାଜା, ଆପଣ କୁହନ୍ତୁ, ଆପଣଙ୍କ ପାଖରେ ଏତେ ସୈନ୍ୟ, ସାମନ୍ତ, ଅଶ୍ଵ, ହସ୍ତୀ, ଅସ୍ତ୍ର ଧନ ସମ୍ପତ୍ତି ସବୁ ଥାଇ ମଧ୍ୟ ଆପଣ ଏପରି ଦୁର୍ବଳ ଓ ଅସହାୟ କାହିଁକି ? ଆପଣଙ୍କ ଶାସନର ମୁଖ୍ୟ ଦାୟିତ୍ଵ ହେବା କଥା ରୁମିମାନଙ୍କୁ ଦମନ କରିବା । ଉଡନ୍ତା ବାଘକୁ ଶାସ୍ତି ଦେବା । ଯେଉଁଠି ଆପଣ ଅସଫଳ ହୋଇଛନ୍ତି, ଆପଣ କିପରି ଭାବୁଛନ୍ତି ଆମେ କେତୋଟି ନିରୀହ ମାହେଲା ଆପଣଙ୍କ ଲକ୍ଷକୁ ସଫଳ କରିପାରିବୁ । ଆମ ପାଇଁ ରାଜା ଓ ଇଂରେଜ ସମାନ ନ ହୋଇପାରନ୍ତି କିନ୍ତୁ ରୁମି ଓ ମାହେଲା ମଧ୍ୟରେ କୌଣସି ପାରମ୍ପରିକ ଶତ୍ରୁତା ନ।ହିଁ । “ସଭାରେ ସମସ୍ତେ ସମର୍ଥନ ଜଣାଇଲେ । ରାଜା ନୀରବ ରହିଲେ ବୃଦ୍ଧ ଜଣଙ୍କର ଅକାଟ୍ୟ ଯୁକ୍ତି ସମ୍ମୁଖରେ । ରାଜାଙ୍କ ପାଖରେ ଧର୍ଯ୍ୟ କି ଉପାୟ ନଥିଲା । ତଥାପି ସେ ଶେଷ ଅନୁରୋଧ କଲେ । ପୁନଶ୍ଚ ବୟସ୍କ ଜଣଙ୍କ ଉତ୍ତର ଦେଲେ, “ ରାଜା, ଆପଣଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇ ଆମକୁ ରୁମି ଓ ଉଡନ୍ତା ବାଘର ପ୍ରତିଯୋଗୀ କରନ୍ତୁ ନାହିଁ ଆମ ସଂସାର, ସମାଜ ଉଜୁଡିଯିବ । କେତୋଟି ମୂହୁର୍ତ୍ତ ଲାଗିବ ନାହିଁ ଆମକୁ ସମୂଳେ ନିପାତ କରିବା ପାଇଁ । କେବଳ ଉଡନ୍ତ ବାଘର ପଞ୍ଝା ଆମ ସରଳ ସମାଜର ଗଣହତ୍ୟା ପାଇଁ ଯଥେଷ୍ଟ । ଆମେ ମାହେଲା ପାହାଡ ଛାଡି ଯାଇ ପାରିବୁ ନାହିଁ କି ଆମେ ଅସ୍ତ୍ର ଧରିବୁ ନ।ହିଁ । ଏହା ଆମର ଧର୍ମ ଓ ସମାଜ ବିରୁଦ୍ଧ। “

ରାଜାଙ୍କ ଏତେ ପରିଶ୍ରମ ଓ ଆଶା ଯେପରି ଭୁଲୁଣ୍ଠିତ ହେଲା । ତାଙ୍କର ଅନୁରୋଧ, ଗୁହାରି, ଉପଦେଶ, ଆଶ୍ଵାସନା ସବୁ ନିଷ୍ଫଳ । ସେ ରିକ୍ତ ହସ୍ତରେ ଫେରିଯିବାକୁ ଶ୍ରେୟସ୍କର ମଣିଲେ । ଫେରିବା ବେଳେ ତାଙ୍କ ମନରେ ଲେଶ ମାତ୍ର ଭୟ ନଥିଲା । ତାଙ୍କର ଭବିଷ୍ୟତ ତାଙ୍କ ସମ୍ମୁଖରେ ଉଜ୍ଜଳ ହୋଇ ଦୃଶ୍ୟମାନ ହେଉଥାଏ । ସେ ବନ୍ଦୀ , ନିଷ୍ଠୁର ଭାବେ ରାଜ୍ୟ ସିଂହାସନରୁ ବିତାଡିତ , ମହିଷପାଟର କେତେ ଶହ ବର୍ଷର ରାଜପ୍ରସାଦ ହେଉଛି ରିକ୍ତ, ରାଜ ପରିବାର ଶୂନ୍ୟ । ପ୍ରତ୍ୟାବର୍ତ୍ତନ ପଥରେ ରୁମି ପାହାଡରେ ଅତର୍କିତ ଭାବେ ଉଡନ୍ତ ବାଘର କବଳରେ ପଡି ମୃତ୍ୟୁବରଣ କଲେ ଅନ୍ତତଃ ନିଜର ସ୍ଵାଭିମାନ ବଞ୍ଚିଯିବ ଯୁଗ ଯୁଗକୁ । କଥା ରହିବ ଯେ ରାଜା ଉଡନ୍ତ ବାଘ ଶହ ପ୍ରତ୍ୟକ୍ଷ୍ୟ ସଂଘର୍ଷରେ ନିହତ ହେଲେ ।

କିନ୍ତୁ ସେପରି କିଛି ହେଲା ନାହିଁ । ପ୍ରତ୍ୟାବର୍ତ୍ତନ ପଥରେ ଉଡନ୍ତା ବାଘର ସମ୍ମୁଖ ଦର୍ଶନ ମିଳିଲା ନାହିଁ । ମୃତ୍ୟୁମୁଖୀ ମଣିଷ ବେଳେବେଳେ ମଧ୍ୟ ଅନୁଭବ କରିଥାଏ ମୃତ୍ୟୁଞ୍ଜୟର ସ୍ଵାଦ । ହତାଶ ଓ କିଂକର୍ତ୍ତବ୍ୟବିମୁଢ ରାଜା ।

-୩-

ପୌଷ ପୂର୍ଣ୍ଣିମାର ଶୀତଳ ଜହ୍ନ । ସୁନୀଳ ଆକାଶରେ ଠାଏ ଠାଏ ଶୁଭ୍ର ବାଦଲର ମେଖଳା ଏହି ଜହ୍ନ ଉଡନ୍ତା ବାଘକୁ ପ୍ରତୀୟମାନ ହୁଏ ବର୍ତ୍ତୁଳାକାର ବରଫ ଯାହାକୁ ସେ ଲମ୍ଫ ପ୍ରଦାନ କରି ନିଜ ପଞ୍ଝାରେ ମାଡିବସି ଗୁଣ୍ଡ ଗୁଣ୍ଡ କରିବ ! ଆଉ ସେ ଗୁଣ୍ଡ ଗୁଣ୍ଡ ବରଫକୁ ନିଜ ଶରୀର ଉପରେ ଫିଙ୍ଗିବ । ଆଃ, ତାର ପଞ୍ଝାରେ ସେ ବରଫ ଜହ୍ନ, ସେ ଉଲ୍ଲସିତ ହେଲା । ରୁମି ସମାଜ ନିଷ୍ପତ୍ତି ନେଇଛି ଏ ଥର ଉଡନ୍ତା ବାଘର ପାଳି , ଦଳପତି ନିଜର ମନଲାଖି କନ୍ୟା ଅପହରଣ କରିବ , ମାହେଲା ପାହାଡର ବାଦ୍ୟ ଓ ସଙ୍ଗୀତର ଭାସମାନ ସ୍ଵରକୁ ଅପେକ୍ଷା ।

ଉଡନ୍ତା ବାଘ ତା ଅଣ୍ଟାର ଦଉଡି, ତରବାରୀ, ଧନୁ ଓ ତୀର ସବୁକୁ ପରଖି ନେଲା । ଆଜି ତାର ପାଳି । ପୂର୍ଣ୍ଣମୀର ଚନ୍ଦ୍ରକୁ ଚାହିଁ ଚାହିଁ ସେ ମାଡି ଚାଲିଲା ଆଗକୁ । ସେ ଲୁଣ୍ଠନ କରିଛି, ହତ୍ୟା କରିଛି ଅଥଚ ଯୁବତୀ ଅପହରଣ କରି ନାହିଁ । ତା ଦେହରେ ଶିହରଣ ଖେଳିଗଲା । ପୁଣି ଥରେ ନିଜ ବାହୁର ମାଂସପେଶୀକୁ ସ୍ପୀତ କରି ତୀକ୍ଷଣ ଦୃଷ୍ଟି ନିକ୍ଷେପ କଲା । ସମ୍ଭବ । ପୂର୍ବଥର ମାନଙ୍କରେ କୌଣସି ମାହେଲା ଯୁବକ ପ୍ରତିବାଦ କରି ନାହିଁ । ଏ ଥର !

ବାଦ୍ୟ ଓ ସଙ୍ଗୀତର ମୂର୍ଚ୍ଛନାର କ୍ରମଶଃ ନିକଟତର ହେଲା ଉଡନ୍ତା ବାଘ ଖପ କରି ଓହ୍ଲାଇପଡିଲା ବୃକ୍ଷ ଶୀର୍ଷରୁ । ଆଢୁଆଳରେ ଛପି ଛପି ଆଗକୁ ବଢିଲା । ଉଦ୍‌ଭାସିତ ଅଗ୍ନିର ଚତୁଃପାର୍ଶ୍ଵରେ ନୃତ୍ୟରତା ଯୁବତୀ ଓ ବାଦ୍ୟ ଯନ୍ତ୍ରରେ ଉନ୍ମାଦ ଯୁବକ । କିଛି ଯୁବକ ଓ ଯୁବତୀ ଆଲିଙ୍ଗନ ମୁଦ୍ରାରେ ଦଣ୍ଡାୟମାନ । ଅଧିକ ନିକଟତର ହେବା କ୍ଷଣି ଉଡନ୍ତା ବାଘ ଶିହରି ଉଠିଲା । ଆଲୋକର ଉତ୍ତୁଙ୍ଗ ଶିଖାରେ ଏ କଣ ଦେଖୁଛି ସେ ! ଅପରୂପା ସୁନ୍ଦରୀ ତରୁଣୀ, ଶୀତଳ ବରଫ ଜହ୍ନର ରୂପାନ୍ତରିତ ପ୍ରେୟସୀ , ଚନ୍ଦ୍ରର ଧରାବାରଣ । ଚକ୍ଷୁ ଅଧିକ ସ୍ପୀତ କରି ସେ ନିରିଖେଇ ଚାହିଁଲା । ନିଜ ଚକ୍ଷୁକୁ ବିଶ୍ଵାସ କରିପାରୁନାହିଁ ସେ ! ମାହେଲା ସୁନ୍ଦରୀ ମସଗୁଲ ଥାଏ ନୃତ୍ୟରେ, ନିଜ ଜୀବନ ସାଥୀକୁ ବାଛିବାର ଶ୍ରେଷ୍ଠ ସମୟ । ଉଡନ୍ତା ବାଘ ଅଣ୍ଟାର ରଜ୍ଜୁକୁ ଉନ୍ମୁକ୍ତ କରି ନିଜକୁ ପ୍ରସ୍ତୁତ କଲ। । ଫାଶଟା ଚଟ କରି ଲାଗିଲା ବୃକ୍ଷର ଶକ୍ତ ଡାଳରେ । ଉଡନ୍ତା ବାଘ ଝୁଲିପଡିଲା ନିମିଷକରେ । ଶୂନ୍ୟରେ କୁଦା ମାରି ଏକା ଝାମ୍ପରେ ଉଠାଇ ଆଣିଲା ତା ସ୍ଵପ୍ନର ବରଫ ସୁନ୍ଦରୀକୁ । ଇତଃସ୍ତତ ଚିତ୍କାର କରି ପଳାୟନ କରୁଥାନ୍ତି ମୃତ୍ୟୁରତ ମାହେଲା ଯୁବକ ଯୁବତୀଗଣ । କାନ୍ଧରେ ଉଠାଇଆଣି ଧାଇଁ ଚାଲିଲା ଉଡନ୍ତା ବାଘ । ଯୁବତୀର ମୁହଁକୁ ଚାପିଧରିଥାଏ ନିଜ ପଞ୍ଝାରେ । ଯୁବତୀଟି ବି ଅଚେତ ଅବସ୍ଥାରେ । କିଛି ସମୟର ପରିଶ୍ରମ ପରେ ସେ ପହଞ୍ଚିଲା ତା ଇଲାକାରେ । ନିଜ ଜୀବନର ଶ୍ରେଷ୍ଠ ପୁରସ୍କାର ପାଇଛି ସେ । ସକାଳର ସୂର୍ଯ୍ୟାଲୋକରେ ଜଣ ଜଣ କରି ରୁମି ଦେଖି ତଟସ୍ଥ ହେଲେ । ଦଳପତି ସଠିକ ତରୁଣୀ ପାଇଛି , ସମାଜ ନିଷ୍ପତ୍ତି ନେଲା ଉଡନ୍ତା ବାଘର ସମ୍ମାନାର୍ଥେ ଆଉ ଦୁଇ ଦିନ ପରେ ଭୋଜିର ଆୟୋଜନ ହେବ । ବେଶ ଧୂମଧାମରେ ରୁମି ପାହାଡ ଜୀବନ୍ତ ହୋଇ ଉଠିବ ।

ରାଜା ନରେନ୍ଦ୍ର ଦେଓଙ୍କ ପାଖରେ ଏ ଖବର ପହଞ୍ଚିଲା । ସେ ପାଗଳ ପରି ଉନ୍ମାଦ ହୋଇଉଠିଲେ । ଆଉ ଅପେକ୍ଷା ନାହିଁ , ରାଜ ପରିଷଦର ଉପଦେଶ ନ ମାନି ସେ ଏକାକୀ ବାହାରିଗଲେ ଲଢିବା ପାଇଁ । ରାଜପ୍ରସାଦର ସୁଖ ସ୍ଵାଚ୍ଛନ୍ଦ୍ୟ ପୂର୍ଣ୍ଣ କୋଣରେ ଲୁଚି ରହିବା ଏବେ କାପୁରୁଷତ୍ଵର ଲକ୍ଷଣ । ସାଙ୍ଗରେ ମଧ୍ୟ ଅଙ୍ଗରକ୍ଷୀ ନାହିଁ, କେବଳ ଅଶ୍ଵ ଓ ଅସ୍ତ୍ର ।

ରୁମି ପାହାଡରେ ପହଞ୍ଚିବାକୁ ଦୁଇ ଦିନ ସମୟ ଲାଗିବ ।

ଅପହରଣର ଦୁଇ ଦିନ ପରେ ରୁକ୍ଷ ରୁମି ପାହାଡ ଯେପରି ଜୀବନ୍ତ ହୋଇ ପଡିଛି । ଉଡନ୍ତା ବାଘ ହୋଇଛି ଧରାପୃଷ୍ଠରେ ସ୍ଥିର, ତାର ପଞ୍ଝା ହୋଇଛି କୋମଳ, ପ୍ରେୟସୀ ଶୀତଳ ଚନ୍ଦ୍ରମା ସୁନ୍ଦରୀର ସ୍ପର୍ଶରେ । ମଦ, ନୃତ୍ୟ, ସଙ୍ଗୀତର ଆୟୋଜନ କରାଯାଇଛି । ସେ ସୁବର୍ଣ୍ଣ ମୂହୁର୍ତ୍ତ ଉପସ୍ଥିତ ହେଲା । ଉଡନ୍ତା ବାଘର ଆଜି ଏ କି ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ । ଅଣ୍ଟାରେ ଶକ୍ତ ରଜ୍ଜୁ ନାହିଁ, ହାତରେ ଅସ୍ତ୍ର କି ତରବାରୀ ନ।ହିଁ, କେବଳ ବେକରେ ଫୁଲମାଳଟିଏ । ହାତକୁ ହାତ ଛନ୍ଦି ପହଞ୍ଚିଲେ ଉଭୟେ । ଘେରି ବସିଥାନ୍ତି ବୟସ୍କ ରୁମି ସମାଜ । ପୂର୍ଣ୍ଣିମା ବସୀ ମଳିନ ଜହ୍ନ ହୋଇଉଠିଲେଣି ଦୀପ୍ତ । ଉଡନ୍ତା ବାଘ ଅଟ୍ଟହାସ୍ୟ କରି ଉଠି ନିଜ କାନ୍ଧରେ ଟେକିଧରିଲା ତାର ଜୀବନ ସାଥୀକୁ । ସମସ୍ତେ ଏକ ସ୍ଵରରେ ଜୟ ଜୟ ଗାନ କଲେ । ନୃତ୍ୟ, ସଙ୍ଗୀତର ପର୍ବ ଆରମ୍ଭ ହେଲା । ଉଡନ୍ତା ବାଘର ନିବିଡ ଆଲିଙ୍ଗନରେ ଥାଏ ଅପହୃତ ମାହେଲା ସୁନ୍ଦରୀ ।

ନୃତ୍ୟ, ସଙ୍ଗୀତ ପାନ ପର୍ବରେ ମଧ୍ୟରାତ୍ର ଅତିକ୍ରମି ସାରିଥାଏ । ସମସ୍ତେ ନିଜ ନିଜ ଗୁମ୍ଫାକୁ ଫେରିଗଲେ । ମାହେଲା ଯୁବତୀ ଉଡନ୍ତା ବାଘର ଓଠରେ ଓଠ ଥାପି ସେମିତି ଚକ୍ଷୁ ମୁଦି ବସିଥାଏ । ସେ ଶୁଣିଥାଏ ଉଡନ୍ତା ବାଘର ସ୍ଵପ୍ନ, ସେ ନିଜେ କାଳେ ସେ ବରଫ ଜହ୍ନର ମଣିଷ ରୂପ ! ଯାହାକୁ ସେ ନିଜ ପଞ୍ଜାରେ ଚୂନା କରି ଦେବ ଟିକ ଟିକ କରି । ଉଡନ୍ତା ବାଘର ପଞ୍ଝା ଆଜି କୋମଳ , ସୁନ୍ଦରୀର ବକ୍ଷ ଉପରେ ସ୍ଥିର । ଯୁବତୀ ଅନୁରୋଧ କଳା ସେ ଅଭୂଲା ରାତ୍ରରେ ଆହୁରି ଅଧିକ ନିବିଡ ହେବା ପାଇଁ । ଚନ୍ଦ୍ରର ତଳେ ଦିଶୁଥିବା ଶୀର୍ଷ ପଥର ମୁଣ୍ଡିଆ ଉପରେ ଉଡନ୍ତା ବାଘର ଉନ୍ମୁକ୍ତ ବକ୍ଷ ଉପରେ ନିଜକୁ କିଛି ସମୟ ଲୋଟି ଦେବା ପାଇଁ । ଉଡନ୍ତ। ବାଘ ଓ ସେ ଆଗକୁ ଚାଲିଲେ । ଉଡନ୍ତ। ବାଘ ପଥର ଉପରେ ଶୋଇ ରହି ଜହ୍ନଟାକୁ ଟିକ ଟିକ କରି ଗୁଣ୍ଡ କରିବ ଆଜି ରାତ୍ରରେ । ଜହ୍ନ ଆହୁରି ଶୁଭ୍ର ହୋଇଉଠୁଥାଏ । ଉଡନ୍ତ। ବାଘର ହାତକୁ ଧରି ଝୁମି ଝୁମି ଚାଲିଥାଏ ମାହେଲା ଯୁବତୀ । ନିଜ ଜୀବନର ଶ୍ରେଷ୍ଠ ସାଥୀ । ପଥର ମୁଣ୍ଡିଆ ଉପରେ ଠିଆହୋଇ ଜହ୍ନକୁ ହାତ ବଢେଇଲ। ଉଡନ୍ତା ବାଘ , ପାର୍ଶ୍ଵରେ ତା ପ୍ରେୟସୀ, ଅପହୃତା ରୂପସୀ କନ୍ୟା । ଅକସ୍ମାତ ପଶ୍ଚାତପଟୁ ସଟ କରି ତରବାରୀର ପ୍ରଥମ ଚୋଟ ପଡିଲା ଉଡନ୍ତା ବାଘର କାନ୍ଧରେ । ସେ ବୁଲିପଡି ସମ୍ମୁଖ କଲା ପୂର୍ବରୁ ଦ୍ଵିତୀୟ ଚୋଟ ପଡିଲା ତା ବେକରେ । ଚିତ୍କାର କରି ତା ପଞ୍ଝାରେ ଜାବୁଡି ଧରିଲା ଆକ୍ରମଣକାରୀକୁ । ତାର ରକ୍ତାକ୍ତ ଶରୀର କ୍ରମଶଃ ଯନ୍ତ୍ରଣାରେ ଶିହରି ଉଠୁଥାଏ । ଆକ୍ରମଣକାରୀ ତାକୁ ଚିହ୍ନା ଚିହ୍ନା ଲାଗିଲା । ସେହି ଭିକ୍ଷୁକ, ଯାହାକୁ ଦିନେ ସେ ହାବୁଡି ଥିଲା କିଛି ମାସ ପୂର୍ବେ । ଛଦ୍ମବେଶୀ ଭିକ୍ଷୁକ ଥିଲେ ରାଜା ନରେନ୍ଦ୍ର ଦେଓ । ରାଜା ନରେନ୍ଦ୍ର ଦେଓ କ୍ଷତାକ୍ତ ଉଡନ୍ତା ବାଘର ପଞ୍ଝାର ଶକ୍ତ ଫାଶରେ ଚିତ୍କାର କରି ଉଠିଲେ ରାଜା ଶ୍ଵାସରୁଦ୍ଧ । ଶେଷ ଚୋଟ ପଡିଲା ଉଡନ୍ତା ବାଘର ବକ୍ଷରେ । ଉଡନ୍ତା ବାଘ ଏ କଣ ଦେଖୁଛି ! ମାହେଲା ସୁନ୍ଦରୀର ହାତରେ ତରବାରୀ । ଶେଷ ଚୋଟରେ ଧରାଶାୟୀ ହେଲା ଉଡନ୍ତା ବାଘ । ଉନ୍ମୀଳିତ ଚକ୍ଷୁର ଅପସୃୟମାଣ ପଲକରେ, ଚନ୍ଦ୍ରର ତୋଫା ଆଲୋକରେ ଜାଣିପାରିଲା ସେ, ହୃଦୟଙ୍ଗମ କରିପାରିଲା ବିଶ୍ଵାସଘାତକତାର ଶିକାର ହୋଇଛି ସେ । ତାର ସୁପ୍ତ ଶରୀରର ବକ୍ଷ ଉପରେ ପଦ ଓ ତରବାରୀ ଠିଆହୋଇଥିଲା ସେ ମାହେଲ। ଯୁବତୀ ….. ଚକ୍ଷୁ ବନ୍ଦ ହେବ। ପର୍ଯ୍ୟନ୍ତ ସେ ଚାହିଁଥିଲା । ଶୀତଳ ଚନ୍ଦ୍ରର ବରଫ ଖଣ୍ଡ ଓ ତାକୁ ଧରିବା ତାକୁ ଧୋକା ଦେଲା । ଠେକୁଆଟିଏର ମଧ୍ୟ ସେହିପରି ଅବସ୍ଥା ହୋଇଥିଲା । ଚନ୍ଦ୍ର ହିଁ ଧୋକା ଦେଇଥାଏ । ଉଡନ୍ତା ବାଘର ପ୍ରାଣବାୟୁ ଉଡିଗଲା ।

ରାଜା ନରେନ୍ଦ୍ର ଦେଓ ନିଜ ବକ୍ଷରେ ଆଉଜି ଆଣିଲେ ସେ ଯୁବତୀକୁ । ମାହେଲା ସୁନ୍ଦରୀ ନୁହେଁ, ନିଜର ଅଲିଅଳୀ ଏକମାତ୍ର କନ୍ୟା, ଶୀତଳ ଚନ୍ଦ୍ରର ବରଫ ପ୍ରେୟସୀ , ମହିଷାପାଟର ରାଜକୁମାରୀ । ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ଉଡନ୍ତା ବାଘ ଏ କଥା ଜାଣିପାରିନଥିଲା କି ରାଜାଙ୍କ ବ୍ୟତୀତ ଏ କଥା କେହି ଜାଣିନଥିଲେ । ସେଦିନ ଅମା ଅନ୍ଧକାରରେ ଦୁଇ ଜଣ ଭିକ୍ଷୁ ମଧ୍ୟରୁ ଜଣେ ଥିଲେ ରାଜା ଓ ଅଙ୍ଗରକ୍ଷୀ ଜଣକ ଥିଲେ ତାଙ୍କର ଅଲିଅଳୀ ଏକମାତ୍ର ସନ୍ତାନ, ରାଜକୁମାରୀ ମହିଷାପାଟର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ରାଜକୁମାରୀ ନେଇଥିଲେ ଏପରି ଚରମ ପଦକ୍ଷେପ । ନିଜେ ମାହେଲା ମାନଙ୍କ ମଧ୍ୟରେ ରହି, ଅପହୃତ ହୋଇ, ନିଜର ଯୌବନକୁ ଲୁଣ୍ଠିତ କରି ଉଡନ୍ତା ବାଘକୁ ବିନାଶ କରିବା ରାଜକୁମାରୀଙ୍କର ଥିଲା ଚରମ ପ୍ରତିଜ୍ଞା , କଠୋର ନିଷ୍ପତ୍ତି ଓ ସୂଚତୁର ଚାଲ । ପିତା ନରେନ୍ଦ୍ର ଦେଓଙ୍କର ଉତ୍ପୀଡନ ଓ ଅପମାନ ତାଙ୍କ ପାଇଁ ଥିଲା ଅସହ୍ୟ ଓ ଉତ୍ପୀଡକ ।

ରାତ୍ରର ଶେଷପ୍ରହରରେ ଉଡନ୍ତା ବାଘର ମୃତ ଦେହକୁ ଅଶ୍ଵ କାନ୍ଧରେ ପକାଇ ରାଜା ଓ ରାଜକୁମାରୀ ଛୁଟିଆସିଥିଲେ ମହିଷାପାଟ ରାଜପ୍ରସାଦ ଅଭିମୁଖେ ।

ପରଦିନ ବାଡବାଗ୍ନି ପରି ଚାରିଆଡେ ଏ ଖବର ନିଆଁପରି ଦ୍ୟାପିଗଲା । ମହିଷାପାଟ ରାଜ୍ୟରେ ଆଶ୍ଵସ୍ତି ଅନୁଭବ ହେଲା । ଚାରିଆଡେ ରାଜା ଓ ରାଜକୁମାରୀଙ୍କର ଜୟଗାନ ହେଲା ।

ମାତ୍ର କିଛି ଦିନ ପରେ ରାଜା ନରେନ୍ଦ୍ର ଦେଓ ବିଷାଦଗ୍ରସ୍ତ ରହି ଆତ୍ମଗ୍ଲାନିରେ ଜର୍ଜରିତ ହୋଇ ରାଜ୍ୟ ପରିତ୍ୟାଗ କରି ସଂସାର ତ୍ୟାଗୀ ହୋଇଯାଇଥିଲେ । ରାଜସିଂହାସନ ସୁରକ୍ଷିତ ରଖିବା ପାଇଁ ଲୁଣ୍ଠିତା କନ୍ୟାର ମୁହଁକୁ ନିତି ଚାହିଁବା ରାଜାଙ୍କୁ ଚରମ ପାପ ଭଳି ଲାଗୁଥିଲା । ରାଜକୁମାରୀ ପରବର୍ତ୍ତୀ ଜୀବନରେ ବିବାହ କରିନଥିଲେ । ନିଜର ଯୌବନ ଲୁଣ୍ଠିତ କରାଇଥିବା ରାଜକୁମାରୀକୁ କିଏ ବା ଜ୍ଞାତସାରରେ ବିବାହ ! ସେଦିନ କାଳ ରାତ୍ର କଥା ମନେ ପଡିଲେ ରାଜକୁମାରୀଙ୍କର ହଠାତ ମତିଭ୍ରମ ସହ ନିଦ୍ରା ବ୍ୟାଘାତ ହୋଇଯାଉଥିଲା । କି ଭୟଙ୍କର ସେ ଚେହେରା, ମଣିଷକୁ ହାତରେ ଜାବୁଡି ଧରି ଗୋଟିଏ ରଜ୍ଜୁରେ ଭାସିଯିବାର କି ଦୁର୍ବାର ଶକ୍ତି, ଆଉ ସେ ପଞ୍ଝା କି ଅଦ୍ଭୁତ ଶକ୍ତି । ବିବାହ ରାତ୍ରର ଆୟୋଜନ ପାଇଁ ତାଙ୍କରି ଅନୁରୋଧ ରକ୍ଷା କରି ଉଡନ୍ତ ବାଘ, ତାର ଲୌହ ନଖ , ଶକ୍ତ ରଜ୍ଜୁ , ତରବାରୀ , ଧନୁ , ତୀରସବୁ ଛାଡି ଦେଇଆସିଥିଲା ନିଜ ଗୁପ୍ତ ଆଡ୍ଡାରେ । ଦୁଇଦିନ ଧରି କେବଳ ତା ଆଖିରେ ରାଜକୁମାରୀ ଉଜ୍ଜୀବିତ କରାଇଥିଲେ ଚନ୍ଦ୍ର, ପ୍ରେମ ଓ କାମନାର ଲେଲିହାନ ଅଗ୍ନିଶିଖା । ଯାହା ଭସ୍ମ୍ କରିଥିଲା ଉଡନ୍ତା ବାଘକୁ । ମାହେଲା ମାନଙ୍କ ମଧ୍ୟରେ ଯେଉଁ କିଛି ମାସ ରାଜକୁମାରୀ କଷ୍ଟ ସ୍ଵୀକାର କରି ରହିଥିଲେ ପରବର୍ତ୍ତୀ ଦିନମାନଙ୍କରେ ପ୍ରଶାସନ ପ୍ରତି ତାଙ୍କ ଆଭିମୂଖ୍ୟରେ ଯଥେଷ୍ଟ ସହାୟକ ହୋଇଥିଲା ।

ରାଜକୁମାରୀ ଅବିବାହିତା ରହି ମୃତ୍ୟୁବରଣ କଲାପରେ ରାଜ ସିଂହାସନ ପାଇଁ ସର୍ବଦା କଳହ ଲାଗିରହିଲା । ଇଂରେଜମାନେ ମହିଷାପାଟ ରାଜ୍ୟକୁ ନିଜ କବଳକୁ ନେବାର ମାତ୍ର କେତୋଟି ବର୍ଷ ପରେ ସ୍ଵାଧୀନତା ସଂଗ୍ରାମର ବହ୍ନି ପ୍ରଜ୍ଵଳିତ ହେଲା । ସ୍ଵାଧୀନତା ସଂଗ୍ରାମର ଆଦର୍ଶ ନଥିଲେ ରାଜକୁମାରୀ ବରଂ ଉଡନ୍ତା ବାଘ । ଏକଦା ତାର ଲୁଣ୍ଠନ, କ୍ରୁରତା ଅବଙ୍ଗ ନିଷ୍ଠୁରତା ପାଇଁ କୁଖ୍ୟାତ ଅପରାଧୀ ସମୟ ଚକ୍ରର ପରିବର୍ତ୍ତନରେ ହେଲା ସାହସିକତା ଓ ସ୍ଵାଧିନତାର ଜ୍ଵଳନ୍ତ ଉଦାହରଣ କଳା କାରଣ ସେ ଚାରିଜଣ ଇଂରେଜ ସୈନ୍ୟଙ୍କୁ ହତ୍ୟା କରିଥିଲା । ଉଡନ୍ତା ବାଘ ବୀରତ୍ଵର ଉଦାହରଣ ମହିଷାପାଟ ରାଜ୍ୟରେ ସ୍ଵାଧୀନତା ସଂଗ୍ରାମର ସ୍ଲୋଗାନ ହେବା ସହ ସେ ମହାନ ସ୍ଵାଧୀନତା ସଂଗ୍ରାମୀ ଭାବେ ଆଖ୍ୟା ପାଇଲା ।

ଅଧୁନା ରୁମି ପାହାଡ ଅସ୍ତିତ୍ଵହୀନ । ପାହାଡ ଭଙ୍ଗା ହୋଇ ତାର ପଥର ଗୁଣ୍ଡରେ ରାଜରାସ୍ତା ହୋଇଛି । ଆଉ ସେ ରାଜରାସ୍ତା ଯାଇଛି ମହେଲା ପାହାଡକୁ ଯେଉଁଠାରେ ଅହର୍ନିଶି ଭୂତଳ ଖଣିରୁ ଲୌହ ପଥର ଉତ୍ତୋଳନ କରାଯାଇ ସୁଦୂର କଳ କାରଖାନାକୁ ପଠାଯାଉଛି । କିଛି ବର୍ଷ ପରେ ମାହେଲା ପାହାଡର ଅସ୍ଥିତ୍ଵ ହଜିଯିବ ଖାଲି ଭୂଗୋଳ ପୃଷ୍ଠାରୁ ନୁହେଁ ବରଂ ଜନମାନସରୁ ମଧ୍ୟ ଜଳପ୍ରପାତ ତଳେ ପାନୀୟ ପ୍ରକଳ୍ପ ଯାହା ବର୍ଷଯାକ ବନ୍ଦ । ଉଡନ୍ତା ବାଘର ଲୌହ ନଖ, ତରବାରୀ, ଧନୁ ଇତ୍ୟାଦି ସଂଗ୍ରହାଳୟରେ ସ୍ଥାନିତ ।

ରାଜା ନରେନ୍ଦ୍ର ଦେଓ ଓ ରାଜକୁମାରୀଙ୍କ ତ୍ୟାଗ ଆତ୍ମୋତ୍ସର୍ଗ ଓ ପରାକାଷ୍ଠାଟିର ଶବ୍ଦଟିଏ ମଧ୍ୟ ଇତିହାସର ପୃଷ୍ଠା ମଣ୍ଡନ କରିନାହିଁ । ଭଗ୍ନ ରାଜପ୍ରସାଦକୁ ଦୂରରୁ ଦେଖିଲେ କେତୋଟି ଦୟନିୟ ଆତ୍ମାର କରୁଣ ପ୍ରସ୍ତର ଅବୟବ ବୋଲି ପ୍ରତୀୟମାନ ହୁଏ । ରୁମି ଓ ମାହେଲା ସମାଜ ଏବେ ଧ୍ଵଂସାଭିମୁଖ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top