କବିତା

ସ୍ମୃତି ନିରନ୍ତର

Brundabana Das's odia poem Smruti Nirantara

ତମ ରଙ୍ଗର ଝଲକରେ
ମୋ ହଜିବାର ବହୁ ଆଗରୁ
ହଜି ସାରିଥିଲା ଚତୁପାର୍ଶ୍ୱସ୍ଥ ଦୃଶ୍ୟସମୂହ
ନିଖୁଣ ସ୍ୱପ୍ନର ପ୍ରବଣତାରେ ।

ସ୍ମୃତି ନିରନ୍ତର

ଆଉ ଭାବିବିନି ବୋଲି
ନିଜକୁ ଯେତେ ତାଗିଦ୍‌ କଲେ ବି
କାଲି ପରି ଲାଗୁଥିବା ଗୋଟେ ଗୋଟେ ଯୁଗ ପରେ
ଅଭିମାନର ବୋଝ ଉତାରି କେତେବେଳେ ପହଞ୍ଚିଯାଅ
ପୁଣି ଭାବନାର ଶ୍ୟାମଳ କ୍ଷେତ୍ରଟିଏ
ପ୍ରସ୍ତୁତ ହୋଇଯାଏ
ଶିହରିତ ସୁହାଗର କୋମଳ ପଶ୍ଚାତାପରେ ।

କହି ପାରିବିନି
କେଉଁ ଲଗ୍ନରେ କେମିତି ପଶି ଆସିଲ ଭିତରକୁ
ଆଚ୍ଛନ କରିଦେଲ ହୃଦୟକୁ ମୋ
ବିଭୋରତାର ପହିଲି ସ୍ପର୍ଶ ପୁଲକରେ
ଜାଣିଲା ବେଳକୁ ମୋ ନିରୀହ ପୃଥିବୀରେ
ଏମିତି ଛାଇହୋଇ ଯାଇଥିଲ ଯେ
ମୁଁ ନ ଥିଲି କି ମୋ ସନ୍ଦିଗ୍ଧ ମନର
ଯାବତୀୟ ଦୁଃଖ ଅବସୋସ ଅବିଶ୍ୱାସ ।

ତମ ରଙ୍ଗର ଝଲକରେ
ମୋ ହଜିବାର ବହୁ ଆଗରୁ
ହଜି ସାରିଥିଲା ଚତୁପାର୍ଶ୍ୱସ୍ଥ ଦୃଶ୍ୟସମୂହ
ନିଖୁଣ ସ୍ୱପ୍ନର ପ୍ରବଣତାରେ ।

ତମ ଜାଗାରେ ତମେ ନିଶ୍ଚୟ ଥିଲ
ତମକୁ ଗଭୀର ନିଦରୁ ଉଠେଇ ଉସ୍‌କେଇ
କେଉଁଠି ରହିଗଲି
ଆଜିଟା ସ୍ୱାଗତୋକ୍ତି
ଖାଲି ନିଜକଥା ନିଜକୁ ଶୁଣାଏ
ବଦଳୁଥିବା ନିଜ ଠିକଣାକୁ
ଅସହାୟତା ମୋ ପିଛା କରୁଥିବାବେଳେ
ମୁଁ ନିରୁଦ୍ଧିଷ୍ଟ ହେଉଥାଏ ବାରମ୍ବାର
କେଉଁ ଗୋପନବାସରେ ।

ତମେ ଖୋଜିଚ ମତେ ?
ନା’ ତମ ଐଶ୍ୱର୍ଯ୍ୟ , ପ୍ରେମ, ଘୃଣା କି ଅବବୋଧର
ଅନ୍ତରଙ୍ଗ ଦୁନିଆରେ ମୁଁ ଏକ ଅପଳାପ !!
ତମେ ହିଁ ତାର ସଠିକ୍‌ ଉତ୍ତର ହଁ କି ନା’
ପ୍ରତି ଯୁଗ ପରେ ଅବସାଦର ପାହାଚ ପରେ ପାହାଚ
ଅବତରଣ ବେଳେ ତମ ଅଲକ୍ଷ୍ୟରେ
ତମେ ଖୋଜା ପଡୁଥାଅ ଯେଣୁ ।

ମୋ ଆତ୍ମଘୋଷିତ ନିର୍ବାସନ ପରେ
ତମ ଜାଗାରେ ତମେ ଥିବ ନିଶ୍ଚୟ
ମୁଁ ବି ମୋ ଜାଗାରେ
ସ୍ମୃତିର ଇଗଲ ହୁଏତ ଚକ୍କର ମାରୁଥିବ
କେବେକେବେ ତମ ବିପୁଳ ଆକାଶର
କେଉଁ କୋଣରେ ।

ନିରବ ଆଳାପରେ ନିଶ୍ଚେ ଅତୀତର ସେଇ
ମୋହଗ୍ରସ୍ତ ମୁହୂର୍ତ୍ତ ସଙ୍ଗେ କଥା ହେଉଥିବ
କେଉଁ ସନ୍ଧ୍ୟାରେ
କେବେ ଦୀପ ହୋଇ ମୁଁ ଜଳେ କି ନ ଜଳେ
ତମେ କିନ୍ତୁ ଜଳୁଥାଅ ଅହରହ ମୋ ଭିତରେ
ମୋ ଅନ୍ଧାରି ଚେତନାକୁ ଧିକ୍କାର କରି ।

ଇଚ୍ଛା ଅନିଚ୍ଛାର ଅବରୁଦ୍ଧ କୋଠରିକୁ
ଧସେଇ ପଶିପାର ବୋଲିତ
ତମ ଅନୂପ୍ରବେଶରେ ଚାରା ନ ଥାଏ ମୋର;
ସ୍ୱପ୍ନ ଭାବପ୍ରବଣତାର
ଆଜି କିଛି ମାନେ ନଥିଲାବେଳେ
ତମ ପାଇଁ ଯାହା କିଛି ମାନେ ହୋଇପାରେ ।

ଲୋକପ୍ରିୟ ଲେଖା

To Top