ପ୍ରବନ୍ଧ

ଲେଖକୀୟ ସ୍ୱାଧୀନତା ଓ ତସ୍‌ଲିମା ପ୍ରସଙ୍ଗ

Biraja Routray's odia prose Lekhakiya Swadhinataa o taslima prasanga

ମୁଦ୍ରିତ ଗଣମାଧ୍ୟମର ବିକାଶ ଓ ପ୍ରସାର ସହିତ ପ୍ରକାଶ କରିବାର ସ୍ୱାଧୀନତା ବା ଲେଖିବାର ସ୍ୱାଧୀନତା ପ୍ରସଙ୍ଗଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

ଲେଖକୀୟ ସ୍ୱାଧୀନତା ଓ ତସ୍‌ଲିମା ପ୍ରସଙ୍ଗ

ସ୍ୱାଧୀନ ଭାବରେ ମତବ୍ୟକ୍ତ କରିବା ଓ ନିଜସ୍ୱ ବିଚାରଧାରାକୁ ପରିପ୍ରକାଶ କରିବା ଏକ ମୁକ୍ତ ଗଣତାନ୍ତ୍ରିକ ସମାଜର ଅଂଶବିଶେଷ । ବରଂ ଦେଖିବାକୁ ଗଲେ ଏହା ଉକ୍ତ ସମାଜର ଅଭିବୃଦ୍ଧି ଓ ସଂସ୍ଥିତି ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ । ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକଙ୍କୁ ସ୍ୱାଧୀନ ଭାବରେ ସେମାନଙ୍କର ନିଜର ମତ ପ୍ରକାଶ କରିବାର ଅଧିକାରକୁ ଏକ ମୌଳିକ ଅଧିକାର ରୂପେ ମାନ୍ୟତା ନ ମିଳିଛି ସେ ପର୍ଯ୍ୟନ୍ତ ଏହି ଲକ୍ଷ୍ୟପ୍ରାପ୍ତି କଦାପି ସମ୍ଭବ ନୁହେଁ । ମୁଦ୍ରିତ ଗଣମାଧ୍ୟମର ବିକାଶ ଓ ପ୍ରସାର ସହିତ ପ୍ରକାଶ କରିବାର ସ୍ୱାଧୀନତା ବା ଲେଖିବାର ସ୍ୱାଧୀନତା ପ୍ରସଙ୍ଗଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

ଏକଦା ଭାବପ୍ରକାଶ ପାଇଁ ମଣିଷ ଦ୍ୱାରା ଭାଷାର ଅବିଷ୍କାର ହୋଇଥିଲା । ଭାଷାର ବାହକ ହେଉଛି “ଲିପି” । ଏହି ଲିପିର ସର୍ବୋତ୍ତମ ସୃଷ୍ଟି ହେଉଛି “ପୁସ୍ତକ” । “ପୁସ୍ତକ” ମାଧ୍ୟମରେ ଲେଖକ ନିଜର ଚିନ୍ତାଧାରାକୁ ପାଠକମାନଙ୍କ ମଧ୍ୟରେ ସମ୍ପ୍ରସାରିତ କରିଥାଏ । ଯାହା ପଢୁଥିବା ବ୍ୟକ୍ତିବିଶେଷ ବା ଗୋଷ୍ଠୀ ବିଶେଷଙ୍କ ମଧ୍ୟରେ ଏକ ନୂତନ ଭାବନାର ଉଦ୍ରେକ କରାଇଥାଏ । କେବଳ ଏହି କାରଣ ନିମନ୍ତେ ସବୁ କାଳରେ ସବୁ ସମୟରେ ସମାଜର ତଥାକଥିତ ବଡ଼ପଣ୍ଡା, ସ୍ଥିତାବସ୍ଥାରେ ବିଶ୍ୱାସ କରୁଥିବା ଶାସକ ବର୍ଗ ଓ ରକ୍ଷଣଶୀଳ ଧାର୍ମିକ ଅନୁଷ୍ଠାନ ପ୍ରଭୃତି ଏହି ମୁକ୍ତକଣ୍ଠର ଗଳାରୁଦ୍ଧ କରିବା ନିମନ୍ତେ ଆଗେଇ ଆସିଛନ୍ତି । ଇତିହାସ ସାକ୍ଷୀ ରହିଛି ଯେ ଏହି ମୁକ୍ତ ବିଚାର ପାଇଁ ଦିନେ ଗ୍ରୀକ୍‌ର ଦାର୍ଶନିକ ସକ୍ରେଟିସ୍‌ଙ୍କୁ ମଧ୍ୟ ବିଷପାନ କରିବାକୁ ପଡ଼ିଥିଲା ।

ଲେଖକମାନେ ସାଧାରଣତଃ ମୁକ୍ତଚିନ୍ତା ଓ ମୁକ୍ତ ସାମାଜିକ ବ୍ୟବସ୍ଥାରେ ବିଶ୍ୱାସ ରଖିଥାନ୍ତି । ଏଥିରେ ବ୍ୟତିକ୍ରମ ଦେଖିଲେ ନିଜ ଲେଖନୀ ଜରିଆରେ ପ୍ରତିବାଦ କରିବାକୁ ପଛାଇ ଯାଇନଥାନ୍ତି । ଏଥିପାଇଁ ସେମାନଙ୍କୁ ପ୍ରଚଳିତ ବ୍ୟବସ୍ଥାକୁ ସମାଲୋଚନା କରିବାକୁ ପଡ଼ିଥାଏ । ଯାହାଫଳରେ ପରିବର୍ତ୍ତନ ଓ ସଂସ୍କାରକୁ ସହଜରେ ଗ୍ରହଣ କରିପାରୁନଥିବା ରୁଢ଼ିବାଦୀ ସମାଜର ଚକ୍ଷୁରେ ଏମାନେ ଖୁବ୍‌ଶୀଘ୍ର ଚକ୍ଷୁଶୀଳ ହୋଇପଡ଼ିଥାନ୍ତି । ଗତାନୁଗତିକତାରେ ବିଶ୍ୱାସ ରଖୁଥିବା ସମାଜରେ ଏହିପରି ସ୍ୱାଧୀନ ଭାବରେ ନିଜର ବିଚାର ବା ପ୍ରତିକ୍ରିୟାକୁ ପ୍ରକାଶ କରୁଥିବା ଲେଖକମାନେ ନିଶ୍ଚିତରୂପେ ଯେ ଜଣେ ଦୁଃସାହସୀ ଏକଥା କହିବା ବାହୁଲ୍ୟ ହେବ । ବିବାଦୀୟ ବାଂଲାଦେଶୀ ଲେଖିକା ତସଲିମା ନସରିନ୍ ଏହିପରି ଜଣେ ଦୁଃସାହସୀକା ଲେଖିକା ରୂପେ ପରିଚିତ । ସାଧାରଣତଃ ଏକ ଇସଲାମୀୟ ସମାଜରେ ନାରୀର ସ୍ଥାନ ପର୍ଦ୍ଦା ଆଢୁଆଳରେ । ଏହି ସମାଜରେ ତା’ର ଦୁର୍ବଳ ଉପସ୍ଥିତି ପରି ସ୍ୱର ମଧ୍ୟ ଖୁବ୍ ଦୁର୍ବଳ । ମାତ୍ର ତସଲିମା ଏହି ବ୍ୟବସ୍ଥାର ଏକ ବ୍ୟତିକ୍ରମ । ନାରୀ ପ୍ରତି ନିଷ୍ଠୁର ସାମାଜିକ ଓ ଧର୍ମୀୟ ଆଭିମୁଖ୍ୟ ବିରୁଦ୍ଧରେ ଅପ୍ରିୟ ସତ୍ୟକୁ ନିଜର ଲିଖିତ ପୁସ୍ତକ ମଧ୍ୟରେ ଉପସ୍ଥାପନା କରି ସେ ବାରମ୍ୱାର ବିବାଦୀୟ ହୋଇପଡ଼ିଛନ୍ତି ଓ ବାରମ୍ୱାର ବିପଦକୁ ନିମନ୍ତ୍ରଣ ଜଣାଇଛନ୍ତି । ଏପରିକି ଏହାର ପରିଣାମ ସମ୍ପର୍କରେ ସଚେତନ ଥାଇ ସୁଦ୍ଧା ସେ ଯେପରି ଅସାମାନ୍ୟ ସାହସ ଦେଖାଇ ଏହିସବୁ ଘଟଣାର ଖୋଲାଖୋଲି ଆଲୋଚନା ନିଜର ଗୋଟିକ ପରେ ଗୋଟିଏ ରଚନା ମାଧ୍ୟମରେ କରିଯାଇଛନ୍ତି, ତାହା ତାଙ୍କୁ ବିଶ୍ୱ ସାହିତ୍ୟ ଦରବାରରେ ଏକ ନିର୍ଭୀକ ଲେଖିକାର ମର୍ଯ୍ୟାଦା ପ୍ରଦାନ କରିଛି ।

ନିକଟରେ ଭାରତରେ ଅବସ୍ଥାନ କାଳରେ ତାଙ୍କ ରଚିତ ଆତ୍ମଜୀବନୀ ପୁସ୍ତକ ଦ୍ୱିଖଣ୍ଡିତକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଥିଲା । ଏହି ବିବାଦ ଏପରି ଚରମ ସୀମା ନିକଟରେ ଯାଇ ପହଞ୍ଚିଥିଲା ଯେ ଶେଷରେ ତସଲିମାଙ୍କ ନିରାପତ୍ତା ନିମନ୍ତେ ସ୍ୱୟଂ ଭାରତ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ତାଙ୍କର ଉପସ୍ଥିତି ବିରୁଦ୍ଧରେ କଲିକତାରେ ଯେପରି ହିଂସ୍ର ପ୍ରତିବାଦର ଆୟୋଜନ କରାଯାଇଥିଲା ସେଥିପାଇଁ ତାଙ୍କୁ ଶେଷରେ କଲିକତା ଛାଡ଼ି ଦିଲ୍ଲୀରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଶ୍ରୟ ନେବାକୁ ପଡ଼ିଥିଲା । ଏବେ ସେଠାରେ ସେ ଠିକଣା ବିହୀନ ଆତ୍ମଗୋପନରେ । ଏଠାରେ ସୂଚନା ଦିଆଯାଇପାରେ ଯେ ତସ୍‌ଲିମାଙ୍କ ଆତ୍ମଜୀବନୀ ପୁସ୍ତକ ଦ୍ୱିଖଣ୍ଡିତ ପ୍ରକାଶିତ ହୋଇଥିଲା ୨୦୦୨ ମସିହାରେ । ପୁସ୍ତକ ଆକାରରେ ପ୍ରକାଶିତ ହେବାର ପ୍ରାୟ ପାଞ୍ଚବର୍ଷ ପରେ ଏହି ବିବାଦର ସୂତ୍ରପାତ ଘଟିଛି । ଅର୍ଥାତ୍ ଏହା ପଛରେ ନ୍ୟସ୍ତସ୍ୱାର୍ଥୀ ରାଜନୈତିକ ଦଳ ଓ ମୌଳବାଦୀ ଧାର୍ମିକ ସଂଗଠନର ସଂକୀର୍ଣ୍ଣ ମାନସିକତା ଉହ୍ୟ ରହିଛି । ଲଜ୍ଜା ଉପନ୍ୟାସ ରଚନା ପରଠାରୁ ତସଲିମାଙ୍କ ଜୀବନ ଆକାଶରୁ ବିପଦର କଳାବାଦଲ ଏପର୍ଯ୍ୟନ୍ତ ଅପସରି ଯାଇ ନାହିଁ । ଏହାର କାରଣ ହେଉଛି ସେ ନିଜର ଲେଖକୀୟ ସ୍ୱାଧୀନତା ସହିତ କୌଣସି ବୁଝାମଣା କରିନାହାନ୍ତି । ଧର୍ମ ନାମରେ ସଂଖ୍ୟାଲଘୁମାନଙ୍କ ଉପରେ ସଂଖ୍ୟାଧିକମାନଙ୍କର ବର୍ବରତାକୁ ଚିତ୍ରଣ କରି ନିଜ ଦେଶ ବାଂଲାଦେଶ ମାଟିରୁ ବିସ୍ଥାପିତ ହେବା ପରଠାରୁ ବିଭିନ୍ନ ଦେଶମାନଙ୍କରେ ଆଶ୍ରୟ ଖୋଜି ଶେଷରେ କଲିକତାଠାରେ ଅତିଥି ରୂପେ ଅବସ୍ଥାନ କରୁଥିବା ସମୟରେ ପୁଣି ନିଜର ପୁସ୍ତକକୁ ନେଇ ବିବାଦର ସୂତ୍ରପାତ ଘଟିଥିଲା । ନାଟକୀୟ ଜଙ୍ଘରେ ପରିସ୍ଥିତି ପଛକୁ ପଛ ଏପରି ଘଟିଚାଲିଥିଲା ଯେ ଶେଷକୁ ସେ ନିଜର ଏହି ବିବାଦୀୟ “ଆତ୍ମଜୀବନୀ” ପୁସ୍ତକରୁ କିଛି ଅଂଶ ବାଦ ଦେବେ ବୋଲି ଘୋଷଣା କରିଥିଲେ । ଯାହା ତାଙ୍କୁ ନେଇ ଉପୁଜିଥିବା ଏହି ଅଣାୟତ ପରିସ୍ଥିତିକୁ କେତେକାଂଶରେ ପ୍ରଶମିତ କରିଥିଲା ।

ମାତ୍ର ଏହା ଯେପରି ଏକ ବିବଶ ନିରୂପାୟ ଲେଖକୀୟ ଆତ୍ମାର ଦ୍ୱିଖଣ୍ଡିତ ଅବସ୍ଥା ପରି । ଏହି ବିବାଦୀୟ ପୁସ୍ତକରେ ଅଶୀ ଦଶକରେ ବାଂଲାଦେଶର ତତ୍କାଳୀନ ସାମରିକ ସରକାରଙ୍କ ଦ୍ୱାରା କିପରି ଦେଶର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ନଷ୍ଟ କରାଯାଇଥିଲା ତାହାର ନିର୍ଭୀକ ସ୍ମୃତି ଚିତ୍ରଣ ବର୍ଣ୍ଣିତ । ଯେଉଁଥିପାଇଁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ସେ ବିବାଦୀୟ ହୋଇପଡ଼ିଥିଲେ । ପୂର୍ବରୁ ସଲମାନ ରସିଦ୍‌ଙ୍କଠାରୁ ଆରମ୍ଭ କରି ତସଲିମା ନସରିନ୍‌ଙ୍କ ପର୍ଯ୍ୟନ୍ତ ଲେଖକମାନଙ୍କର ଲେଖାକୁ ନେଇ ଘଟିଯାଇଥିବା ଘଟଣାର ସାକ୍ଷୀ ସମୟ ରହିଛି । ଏବେ ପୁଣି ତସଲିମାଙ୍କୁ ନେଇ ସମ୍ପ୍ରତି ଯେଉଁ ବିବାଦ ମୁଣ୍ଡ ଟେକିଛି ତାହା ସମ୍ପୂର୍ଣ୍ଣ ରୂପେ ରାଜନୈତିକ ଓ ଧର୍ମାନ୍ଧତା ପ୍ରଣୋଦିତ ଏକ ସଂଗଠିତ ବିଦ୍ରୋହ । ଏହାର କିଛିଦିନ ପୂର୍ବରୁ ହାଇଦ୍ରାବାଦ୍‌ଠାରେ ସଂଖ୍ୟାଲଘୁ ମୁସଲିମ୍ ସମ୍ପ୍ରଦାୟର କିଛି ମୌଳବାଦୀମାନଙ୍କ ଦ୍ୱାରା ତାଙ୍କୁ ଖୋଲାଖୋଲି ଏକ ସଭାସ୍ଥଳଠାରେ ଆକ୍ରମଣ କରାଯାଇଥିଲା । ମସୀ ଉପରେ ଅସୀର ଏହି ଅତ୍ୟାଚାରକୁ ସାରା ଭାରତବର୍ଷର ଦର୍ଶକ ଟେଲିଭିଜନ୍ ପରଦା ଉପରେ ଦେଖିପାରିଥିଲେ । ଏହି ଘଟଣା ଜଣେ ସଚ୍ଚା ଲେଖକର ମେରୁଦଣ୍ଡ ଭାଙ୍ଗି ଦେବା ପରି କଥା । ଯାହାଫଳରେ ଲେଖକଟିଏଓ ନିଜର ବକ୍ତବ୍ୟ ଓ ଉଦ୍ଦେଶ୍ୟକୁ ସ୍ୱାଧୀନ ଭାବରେ ପ୍ରକାଶ କରିବାରେ ବିଫଳ ହୋଇଯାଏ । ସେ ନିଜର ନୈତିକ ବଳ ହରାଇ ନିରୁତ୍ସାହିତ ହୋଇଥାଏ । ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି ଭାରତ ପରି ମୁକ୍ତ ବିଚାର ଓ ଧର୍ମନିରପେକ୍ଷବାଦ ଉପରେ ବିଶ୍ୱାସ ରଖୁଥିବା ଏହି ଦେଶର ରାଜନୈତିକ ଦଳଗୁଡ଼ିକ ମଧ୍ୟ ତସଲିମାଙ୍କ ଏହି ଅସହାୟତାକୁ ନେଇ ସଂକୀର୍ଣ୍ଣ ରାଜନୀତି କରିବାକୁ ସୁଦ୍ଧା ପଛାଇଲେ ନାହିଁ ।

ଶିକ୍ଷା ଓ ଅଶିକ୍ଷାର, ସଂସ୍କାର ଓ କୁସଂସ୍କାରର, ଧର୍ମ ଓ ଅନ୍ଧବିଶ୍ୱାସରେ ଭରା ଏହି ମିଶ୍ରିତ ଭାରତବର୍ଷରେ କୁହାଯାଇଥାଏ- “It is very difficult to be different in India” । କାରଣ ଏଠି କିଛି ଅଲଗା କରିବା କି ଭିନ୍ନ ଏକ ଦୃଷ୍ଟିରେ କୌଣସି କଥାକୁ ଦେଖିବା ସହଜରେ ଗ୍ରହଣୀୟ ହୋଇନଥାଏ । ଏଥିପାଇଁ ପ୍ରତି ପଦକ୍ଷେପରେ ପ୍ରତିରୋଧକୁ ସାମନା କରିବାକୁ ପଡ଼ିଥାଏ, ଯାହା ଘଟିଛି ଏବେ ତସଲିମାଙ୍କ ଭାଗ୍ୟରେ । ଧର୍ମ ନାମରେ ବହୁମତର ରୋଷର ଶିକାର ହେବାକୁ ପଡ଼ିଛି ଏହି ଭିନ୍ନମତରେ ବିଶ୍ୱାସୀ ଲେଖିକା ଜଣଙ୍କୁ । ଏଥିପାଇଁ ବାକ୍ ସ୍ୱାଧୀନତାର ସାମ୍ୱିଧାନିକ ସୁରକ୍ଷା କିମ୍ୱା ଧର୍ମନିରପେକ୍ଷବାଦ କେହି ହେଲେ ଲେଖକଟିର ସ୍ୱାଭିମାନ ରକ୍ଷା ପାଇଁ ଢାଲ ସଦୃଶ କାମ କଲେ ନାହିଁ । ଏହାର ବିରୋଧାଭାସ ସ୍ୱରୂପ ଏଠାରେ ଅଥଚ ଦେଖାଯାଇଛି ଯେଉଁମାନେ ଶକ୍ତିଶାଳୀ ଆଉ କ୍ଷମତାଶାଳୀ ସେମାନଙ୍କୁ ସେମାନଙ୍କର ବାକ୍ ସ୍ୱାଧୀନତା ପାଇଁ କାହାର ସ୍ୱୀକୃତିକୁ ଅପେକ୍ଷା କରିବାକୁ ପଡ଼େନାହିଁ । ଯେତେବେଳେ ଯେଉଁ ସମୟରେ ସେମାନେ ଚାହାନ୍ତି ଯେକୌଣସି ଘଟଣାକୁ କେନ୍ଦ୍ର କରି ରାଜରାସ୍ତାକୁ ଓହ୍ଲାଇ ଅସଭ୍ୟୋଚିତ ଭାବରେ ନିଜର ସ୍ୱାଧୀନତାକୁ ଜାହିର କରିପାରନ୍ତି । ଏଠି ତେଣୁ ଦୁର୍ବଳ ଓ କ୍ଷମତାହୀନମାନଙ୍କ ପାଇଁ ବାକ୍‌ସ୍ୱାଧୀନତାର ଆବଶ୍ୟକତା ଅଧିକ ଗୁରୁତ୍ୱପୂର୍ଣ୍ଣ । ପାଶ୍ଚାତ୍ୟ ଦେଶମାନଙ୍କରେ ଯେପରି କୌଣସି ବିପରୀତ ମତ ବା ଦୃଷ୍ଟିକୋଣକୁ ଧୈର୍ଯ୍ୟଶୀଳତାର ସହ ଶୁଣାଯାଇଥାଏ, ରକ୍ଷଣଶୀଳତା ଓ ଧାର୍ମିକ ମୌଳବାଦ ଅଧ୍ୟୁଷିତ ଭାରତରେ ସେପରି ସୁସ୍ଥ ପରମ୍ପରା ଦେଖାଯାଇ ନଥାଏ ।

ବାକ୍ ସ୍ୱାଧୀନତା ନାଁରେ ଦେଖାଯାଇଛି ଅନେକ ସମୟରେ କିଛି ଲେଖକ କିଛି ଅପ୍ରାସଙ୍ଗିକ ବିତର୍କିତ ବିଷୟବସ୍ତୁକୁ ଆଧାର କରି ବହିଟିଏ ଲେଖି ବିତର୍କର ବଳୟ ମଧ୍ୟକୁ ଆସିବାକୁ ଶସ୍ତା ପ୍ରୟାସ କରିଥାନ୍ତି । ଏପରି ସ୍ଥଳେ ସେମାନେ ପାଠକମାନଙ୍କର ଭାବାବେଗ ସହ ଖେଳିବା ସହିତ କୌଣସି ଏକ ସମାଜ, ଗୋଷ୍ଠୀ ବା ସମ୍ପ୍ରଦାୟର ସତ୍ତାକୁ ଜ୍ଞାତସାରରେ ଅସମ୍ମାନ ପ୍ରଦର୍ଶନ କରିଥାନ୍ତି । ପ୍ରକୃତ ଲେଖକ ଏହି ଦିଗରୁ ନିଜର ଲେଖକୀୟ ଉତ୍ତରଦାୟିତ୍ୱ ଓ ଧର୍ମକୁ ନେଇ ଯଥେଷ୍ଟ ସଚେତନ ରହିଥାଏ । ମୁକ୍ତ ଭାବରେ ନିଜର ବିଚାରଧାରାକୁ ପ୍ରକାଶ କରିବାର ସ୍ୱାଧୀନତା କେତେ ପରିମାଣରେ ସମ୍ପୂର୍ଣ୍ଣ ଓ ନିୟନ୍ତ୍ରଣ ରହିତ ରହିବ ତାହା ଲେଖକଟିର ବିବେକାନୁମୋଦିତ ହେବା ଆବଶ୍ୟକ । କୌଣସି ପ୍ରାକ୍ ସର୍ତ୍ତାବଳୀକୁ ଆଖିଆଗରେ ରଖି କିମ୍ୱା ରାଷ୍ଟ୍ର, ଗୋଷ୍ଠୀ ବା ସମ୍ପ୍ରଦାୟର ନାଲିଆଖିକୁ ଭୟ କରି ଲେଖକଟିଏ ନିଜର ଅନୁଭବର ଭାଷାକୁ ସଙ୍କୁଚିତ କରାଇଭବା ଏକ ସଭ୍ୟତା ସମ୍ପନ୍ନ ସମାଜରେ ନିଶ୍ଚିତ ଭାବରେ ଅଯୌକ୍ତିକ । ସବୁଠାରୁ ବଡ଼ଦ୍ଵିଧା ହେଉଛି ଲେଖକୀୟ ସ୍ୱାଧୀନତା ଓ ଲେଖକୀୟ ସ୍ୱେଚ୍ଛାଚାରିତା ମଧ୍ୟରେ ସୀମା ନିର୍ଦ୍ଧାରଣ କରିବା । ପୁଣି ଧର୍ମ ନାମରେ ଓ ରାଜନୈତିକ ସ୍ୱାର୍ଥ ଆଳରେ ଏହି ସ୍ୱାଧୀନତାକୁ ନିଷ୍ଠୁର ଭାବେ ପାଦରେ ଦଳି ଏହାକୁ ସ୍ୱେଚ୍ଛାଚାରିତାର ଆଖ୍ୟା ଦେଇ ଦେଶସାରା ହିଂସାର ବହ୍ନି ଜଳାଇବା । ଏକବିଂଶ ଶତାବ୍ଦୀର ପୃଥିବୀରେ ଏହା ସବୁଠାରୁ ବଡ଼ ଅସଭ୍ୟତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top