କବିତା

ଦେହ

Pradipta Sundar Moharana's odia poem Deha

ବାହ୍ୟେନ୍ଦ୍ରିୟ ତୋଷି ଦେହ ଚର୍ମ ଆକର୍ଷଣ
ଆଘାତେ ବୟସାପରାହ୍ନେ ସାଜେ ବିକର୍ଷଣ

ଦେହ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆବରଣ ବିନା କି ଅବା ଅଛି ନାମରେ
ତତ୍ ତ୍ଵମ୍ ଅସି, ମୁଁ ମଧ୍ୟ ତାହା ମଧ୍ୟରେ
ଭଣିଛନ୍ତି ଏହା ସୁଧୀ ଧୀରେ ବେଦାନ୍ତରେ
ମାତ୍ର ଏ ନସ୍ୱର ଲୌକିକ ଜଗତରେ;
ଦେହ ଆଧ୍ୟାସକୁ ଯେବେ ଶ୍ରୁତି କରେ ବାରଣ
ଜାଣେ ମୁଁ ଏ ଦେହ ମୋର ଦେହ-ଆବରଣ। (୧)

ଆବରଣ ବାନ୍ଧି ପାରିନାହିଁ ଜୀବ ପ୍ରାଣ
ହେଉସେ ନର, କିମ୍ବା ନରରୁପୀ ନାରାୟଣ
କାଳେ ଆରମ୍ଭନ୍ତି ଯାତ୍ରା ମହାପରିନିର୍ବାଣ
ହେଜ କି ତେବେ ଏ ଦେହର କିବା ପ୍ରୟୋଜନ
ପ୍ରତି ଭୋଜନର ପୂର୍ବେ କରି ଅନ୍ନ ବ୍ରହ୍ମାର୍ପଣ
ଭାଗବତପ୍ରୀତ୍ୟାର୍ଥେ କରେ ଏ ଦେହ ଧାରଣ (୨)

ସମାଜେ ଦେହଧାରଣ ପନ୍ଥା ବୋଲାଏ ଜୀବିକା
କା’ପାଇଁ ସହଜଲବ୍ଧ କା’ପାଇଁ ତାହା ମରୀଚିକା
ଯେବେ ବିଦଗ୍ଦ ମନ କାମ ଅଗ୍ନିରେ ଜଳି ଜଳିକା
ଦେହ ସାଜେ କାହାପାଇଁ ଆମୋଦର ମରୀଚିକା
ପରଦେହ ଉପଶମେ ସେ ଅଗ୍ନି ସାଜି ପୁତ୍ତଳିକା
ଉଦରାଗ୍ନି ଉପଶମି କାହାଲାଗି ଦେହ ଜୀବିକା (୩)

ବାହ୍ୟେନ୍ଦ୍ରିୟ ତୋଷି ଦେହ ଚର୍ମ ଆକର୍ଷଣ
ଆଘାତେ ବୟସାପରାହ୍ନେ ସାଜେ ବିକର୍ଷଣ
ରଜ ପ୍ରସାଧନେ ବୟସକୁ ଧରିବାର ଆଶା
ଭୋଗ ଓ ସମ୍ଭୋଗର ଏକ ଅଶାନ୍ତ ଲାଳସା
ଛଅ ଖଣ୍ଡ କାଠେ ଶୋଇ କରେ ଯାତ୍ରା ଶେଷ
ମୁଠାଏ ଭସ୍ମ ହୋଇ ରହେ ଦେହ ଅବଶେଷ (୪)

ହୁଏ ପଞ୍ଚତତ୍ତ୍ୱେ ଲୀନ ଏ ଦେହ-ଆବରଣ,
ପୁନରପି ଜଠରେ ମୁଁ କରେ ଦେହ-ଧାରଣ,
ଦେହ ସାଜେ ମାଧ୍ୟମ କରି ଅନ୍ନ ସଂସ୍ଥାନ
ଦେହ ସାଜେ ଦେବାଳୟ ଧରି ହରି-ନାରାୟଣ
ଦେହ ସାଜେ ଆକର୍ଷଣ, ଦେହ ପୁଣି ବିକର୍ଷଣ
ଦେହ-ପୁତ୍ତଳିକା ପୁଣି ପ୍ରମୋଦର ପ୍ରାଙ୍ଗଣ
ଦେହଧାରୀ ଦେହ ତ୍ୟାଗେ ଯେ ନୁହେଁ ମ୍ରିୟମ୍ରାଣ
ଧରା ବକ୍ଷେ ସ୍ଥିତପ୍ରଜ୍ଞ ତାକୁ ଏକା ଜାଣ
ସର୍ବ ଦେହ-ଦେବାଳୟେ ଯେ ଦେଖେ ନାରାୟଣ
ଧରା ବକ୍ଷେ ସେହି ଏକା ବୋଲାଏ ବ୍ରାହ୍ମଣ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top