ସମ୍ପାଦକୀୟ

ଧର୍ମ ଓ ପିଠା କଳି

ଜନସାଧାରଣ ପାଞ୍ଚ ବର୍ଷରେ ଥରେ ମତଦାନ କରିସାରିଲା ପରେ ଭକୁଆ ପାଲଟିଯାଆନ୍ତି ।

ଧର୍ମ ଓ ପିଠା କଳି

ପରମାଣୁ ବୋମାର ଉଦ୍ଭାବନ ପରେ ମଣିଷର ବୁଦ୍ଧିମତା ଯେ ଅପରସୀମ ସେକଥାକୁ ଅନୁଭବ କରିହେଲା । କିନ୍ତୁ ତାର ପରିଣାମ ଯେ ଏତେ ଭୟଙ୍କର ହେବ ସେକଥା ହିରୋସୀମା ନାଗାସାକୀରୁ ପ୍ରମାଣିତ ହୋଇଗଲା । ବିଜ୍ଞାନର ଅଗ୍ରଗତି ହେଲା ସତ୍ୟ ମାତ୍ର ସୃଷ୍ଟି ବିଲୟମୁଖୀ ହେବାର ଭୟ ଘାରିଲା । ମଣିଷ ଯେତେଯେତେ ଉଦ୍ଧ୍ୱର୍ଗାମୀ ହେଲା ସେତେସେତେ ନୂଆ ନୂଆ ସମସ୍ୟା ପ୍ରତିଭାତ ହେଲେ । ଗଳଦ୍ଘର୍ମ ହୋଇପଡିଲା ସୃଷ୍ଟିର ବୁଦ୍ଧିମାନ ଜୀବ । ଯାନ୍ତ୍ରିକ ଜ୍ଞାନକୌଶଳ ସହିତ ବିଜ୍ଞାନର ଅଗ୍ରଗତି ପ୍ରମାଣିତ କଲା ଯେ ମଣିଷ ଅସଂଭବ କ୍ଷମତାଶାଳୀ । ଅପରିସୀମ ବୁଦ୍ଧି, ଚତୁରତା ଓ ଜ୍ଞାନର ଅଧିକାରୀ ହୋଇ ନୂତନ ପରୀକ୍ଷଣ କରୁକରୁ ସେ ଯେ ଧ୍ୱଂସମୁଖୀ ପାଲଟିଯାଇଛି, ଆମନ୍ତ୍ରଣ କରିଆଣିଛି ଦୁଃଖଶୋକ, ରୋଗଭୟ, ଏକାକୀତ୍ୱ ସେସବୁ ହେଜିପାରିଲା ନାହିଁ । ନୂତନ ଉପଲବ୍ଧି ତାକୁ ଯେତିକି ସଫଳତା ସହିତ ପରିଚୟ କରାଇଲା ସେତିକି ଅସହାୟବୋଧରେ ମ୍ରିୟମାଣ ବି କଲା ।

ପ୍ରମାଣ ସ୍ୱରୂପ ନିଜେ ବନାଇଥିବା ରୋବଟ୍ ଯେ ଦିନେ ମାନବ ସମାଜକୁ ଧ୍ୱଂସମୁଖୀ କରିବ ସେ ଚେତାବନୀ ସେ ନିଜକୁ ଦେଇସାରିଛି । କ୍ଷମତା, ପ୍ରତିପତ୍ତି, ଉପଭୋଗ, ମୋହମାୟା ମଣିଷକୁ ଏତେ ମାତ୍ରାରେ ଅନ୍ଧ, ମୂକ ଓ ବଧିର ବନେଇ ଦେଇଛି ଯେ ସେ ନିଜ ସ୍ଥିତି ନିଜେ ଜାଣେନାହିଁ କି ବୁଝେନାହିଁ । ଚୀନର ଗବେଷଣାଗାରରୁ କୋଭିଡ୍ ଭୂତାଣୁର ଜନ୍ମ । ଯାହା ନିଜକୁ ଧ୍ୱଂସମୁଖୀ କରାଇବାର ପ୍ରମାଣ । ୟା ବାଦ୍ ଅନେକ ଘଟଣା ରହିଛି ଯାହା ବୁମେରାଂ ହୋଇଯାଏ ମଣିଷ ପାଇଁ । ନିଜ ପାରିପାର୍ଶ୍ଵିକ ଦୁରାବସ୍ଥା ପାଇଁ ନିଜେ ମଣିଷ ହିଁ ଦାୟୀ । ତେଣୁ ସବୁବେଳେ ପ୍ରକୃତିକୁ ମାନବହନ୍ତା କହିବା ଅନୁଚିତ୍ ହେବ । ବହୁ ସମୟରେ ଗବେଷଣା ମଧ୍ୟ ଧ୍ୱଂସ ଘଟାଇପାରେ । କିଛି କିଛି ଗବେଷଣା ଯେ ମୃତ୍ୟୁ ଆଡକୁ ଟାଣିନିଏ କେବେକେବେ ଏକଥା ଜାଣି ମଧ୍ୟ ଚୀନ ସଂକୋଚ କରିନଥିଲା । କିନ୍ତୁ ଚୀନକୁ ପ୍ରତିରୋଧ କରିବା ଅସଂଭବ ବୋଲି ଅନ୍ୟ ଦେଶମାନେ ଚୁପ୍ ରହିବାକୁ ବାଧ୍ୟ ହେଲେ ସ୍ୱାର୍ଥ ଦୃଷ୍ଟିରୁ । କାରଣ ଚୀନର ଆର୍ଥିକ ଓ ସାମରିକ କ୍ଷମତା ବର୍ତ୍ତମାନ ଅପ୍ରତିହତ । ଭାରତର ସୀମାକୁ ଅନୁପ୍ରବେଶ କରି କିଛି ଅଂଶ ନିଜ ସୀମାରେ ମିଶାଇ ସାରିଲାଣି । ସେଥିପାଇଁ ଆମ ପଡୋଶୀ ଦେଶମାନଙ୍କ ସହିତ ତାର ସୁସଂପର୍କ ସୁଦୃଢ କରିବାରେ ଲାଗିଛି ।

ଆମେ କିନ୍ତୁ ପରସ୍ପର ପିଠା କଳିରେ ବ୍ୟସ୍ତ । ଆମ ଘର ରାଜନୀତିରେ ଆମେ ଏତେ ମଗ୍ନ ଯେ ଆମ ଚାରିପଟେ କଣ ଘଟୁଛି ଓ ତାର ମୁକାବିଲା କରିବାର ପ୍ରସ୍ତୁତି କିଭଳି ହେବା ଉଚିତ୍ ସେ ଚିନ୍ତା ଆମଠାରେ ନାହିଁ । ଆମ ଦେଶରେ ଷ୍ଟାଡିୟମ ର ନାମ ବଦଳିବ, ରାସ୍ତାଘାଟ, ବିମାନ ବନ୍ଦର ଆବଶ୍ୟକ ପଡିଲେ ଭାରତ ମହାସାଗର ମଧ୍ୟ ବ୍ୟକ୍ତିଗତ ନାମକୁ ନେଇ ନାମିତ ହୋଇପାରେ ଆଗକୁ, ଆଶ୍ଚର୍ଯ୍ୟ ହେବାର ନାହିଁ । ସେଥିପାଇଁ ରାଜନୀତି ହୁଏ, କିଛିଜଣ ସମର୍ଥନ କରନ୍ତି । କିଛିଜଣ ମୁହଁ ମୋଡନ୍ତି । କିଛି ଲୋକ ପୁରାଣ ଇତିହାସ, କିମ୍ବଦନ୍ତୀ ନହେଲେ ବିଜ୍ଞାନ ବହି ଉଣ୍ଡାଳି ତର୍ଜମା କରିବସନ୍ତି । ବିତର୍କ ଚାଲେ.. ଚା ଖଟିରୁ ଆରଂଭ କରି ବିଧାନସଭା ପର୍ଯ୍ୟନ୍ତ । ଦଳଗତ ସହମତି, ଅସହମତି ସହିତ ସାମାଜିକ ଗଣମାଧ୍ୟମରେ ଢେର୍ ଚର୍ଚ୍ଚା ହୁଏ, କାଦୁଅ ଫିଙ୍ଗାଫିଙ୍ଗି ସହିତ ଗାଳିମନ୍ଦଯାଏଁ କଥା ଯାଏ କିନ୍ତୁ ସେଥିରେ କିଛି ଫରକ୍ ପଡେନା । ଯାହା ହେବାର ଥାଏ ହୁଏ । ଜନସାଧାରଣ ପାଞ୍ଚ ବର୍ଷରେ ଥରେ ମତଦାନ କରିସାରିଲା ପରେ ଭକୁଆ ପାଲଟିଯାଆନ୍ତି । କାରଣ ଆଗାମୀ ପାଞ୍ଚ ବର୍ଷଯାଏଁ ସେମାନଙ୍କୁ ଭକୁଆ ବନାଯିବାର ଖସଡା ପ୍ରସ୍ତୁତ ହେଉଥାଏ । ସବୁଜାଣି ମଧ୍ୟ ସେମାନେ ନିଜ ମୁଣ୍ଡ ପାତି ଦେଇଥାନ୍ତି । ଏହା ଅସହାୟତା ନୁହେଁ ଅପାରଗତା ଓ ବୁଦ୍ଧିଶୂନ୍ୟତା । ଅଳପ ଦେଖି ମୁଣ୍ଡ ଏତେ ବାଇଆ ହୋଇଯାଏ ଯେ ଅଧିକ ପାଇଁ ଚିନ୍ତା କରିହୁଏନାହିଁ ସେମାନଙ୍କ ଦ୍ୱାରା । ପୁଣି ସେହି ଅଳପ ଜିନିଷ ଏମାନଙ୍କଠାରୁ କୌଶଳରେ ନିଆଯାଇଥାଏ ସେକଥାଟି ଏମାନଙ୍କ ହେଜରେ ନଥାଏ ବା ଭେଜାରେ ନଥାଏ ।

ସେଥିପାଇଁ ଆମେ ଗୋଦରା କୋଡେ ଯେତେ ମାଡେ ସେତେ ଭଳି । କେତେବେଳେ ଆସ୍ତିକ ନାସ୍ତିକଙ୍କୁ ନେଇ ଅଯଥା ତର୍କବିତର୍କ ତ କେତେବେଳେ ଶ୍ରୀରାମ, ଶ୍ରୀ ଜଗନ୍ନାଥଙ୍କୁ ନେଇ ପକ୍ଷଭୁକ୍ତ ହେବାକୁ ପଡେ । ଘର ଭିତରେ ଜଣେ ଆମିଷ ଖାଇବାକୁ ଭଲପାଉଥିଲେ ଆଉଜଣେ ନିରାମିଷ ପସନ୍ଦ କରୁଥିବ । କେହିଜଣେ ଫୁଲରେ ଶ୍ରଦ୍ଧା ରଖିଥିବ ତ କେହିଜଣେ ଫଳରେ । ଜରୁରୀ ନୁହେଁ ଆମେ ସମସ୍ତଙ୍କୁ ନିଜ ପସନ୍ଦକୁ ଗ୍ରହଣ କରିବାକୁ ବାଧ୍ୟ କରିବା ବା ଅନ୍ୟର ପସନ୍ଦକୁ ସର୍ବସମ୍ମୁଖରେ ନୀଚ ସ୍ତରକୁ ଯାଇ ବିରୋଧ କରିବା । ଅନ୍ୟର ଭାବାବେଗକୁ କ୍ଷୁଣ୍ଣ କରିବା ମାନବତା ତ ନୁହେଁ । ତେଣୁ ଆମ ଭିତରେ ଘରୋଇ କଳିର ମାତ୍ରା ଏତେ ଯେ ବାହ୍ୟଶତ୍ରୁମାନଙ୍କୁ କଡା ଜବାବ୍ ଦେବାକୁ ଆମ ପାଖରେ ନା ଅଛି ବୁଦ୍ଧି ନା ଅଛି ଯଥେଷ୍ଟ ଜ୍ଞାନକୌଶଳ । ଯେତିକି ଅଛି ସେତିକି ଯଥେଷ୍ଟ ନୁହେଁ ।

ସେଥିପାଇଁ ବାହ୍ୟ ଶତ୍ରୁଙ୍କ ମନକଥା ଜାଣି ସୁଦ୍ଧା ଅଜଣାଅଶୁଣା ପରି ପଛମୁହାଁ ହେଉ ନହେଲେ ବାଟ ବଦଳାଉ । କିନ୍ତୁ ନିଜ ଘରଲୋକଙ୍କ ସହିତ କଳିଗୋଳ କରିବାର ସୁଯୋଗ ଉଣ୍ଡୁଥାଉ । ଏହା ହିଁ ଆମ ଲୋକ ଚରିତ୍ର । ଦଳେ ଲୋକ ଚିନ୍ତା କଲେ ଶ୍ରୀରାମ ମନ୍ଦିର ହେବ । ସେଥିପାଇଁ ଇତିହାସର ପୃଷ୍ଠା ଓଲଟାଗଲା । ପ୍ରମାଣିତ ହେଲା ଯେ ନିର୍ଦ୍ଧାରିତ ସ୍ଥାନରେ ଶ୍ରୀରାମଙ୍କ ମନ୍ଦିର ଥିଲା । ଯେହେତୁ ମୋଗଲଙ୍କ ଦ୍ୱାରା ଆମେ ଶାସିତ ହୋଇଥିଲେ, ଅତ୍ୟାଚାରିତ ହେବା ସହିତ ଆମ ଧର୍ମାନୁଷ୍ଠାନଗୁଡିକୁ ଧ୍ୱଂସ କରିଦିଆଯାଇଥିଲା ତେଣୁ ଏବେ ସମୟ ଆସିଛି ଆମ ଧର୍ମକୁ ସ୍ଥାପନ କରିବା । ମନ୍ଦ ନୁହେଁ ଏ ପ୍ରଚେଷ୍ଟା । ଧର୍ମନିରପେକ୍ଷତାର ଯୁକ୍ତି ବାଢି ବାଢି ଆମେ ଏତେ ଉଦାର ହୋଇଗଲେ ଯେ ସ୍ଥାନ ଓ ଖାଦ୍ୟ ଅଭାବରେ ଲୋକେ ମରୁଛନ୍ତି, ଦେଶ ଛାଡୁଛନ୍ତି ନହେଲେ ହତ୍ୟା କରୁଛନ୍ତି ସେକଥା ବୁଝିବାର ଇଚ୍ଛା ନାହିଁ! ଅନୁପ୍ରବେଶକାରୀଙ୍କ ଥଇଥାନର ବ୍ୟବସ୍ଥା କରି ନିଜଲୋକଙ୍କ ମୁହଁରୁ ସ୍ଥାନ ସହିତ ଆହାର ଛଡାଯାଉଛି କେବଳ ଶସ୍ତା ଭୋଟ୍ ରାଜନୀତି ପାଇଁ! ଏକଥା ଜନସାଧାରଣ ହେଜିବାବେଳକୁ ସେମାନେ ସ୍ଥାୟୀ ବାସିନ୍ଦା ପାଲଟିସାରିବେଣି ।

ଆମେ କିନ୍ତୁ ଧର୍ମ ନାମରେ ଲଢିବା, ନିଜର ଲୋକମାନଙ୍କୁ ଆମ୍ପୁଡିବା କାମୁଡିବା ଶସ୍ତା ରାଜନୀତି ପାଇଁ, ଆମ ପାଦତଳୁ ମାଟି ପଛେ ଖସିଯାଇଥାଉ ! ଗାଉଁଲି କଥାରେ ଅଛି- ଘଇତା ମରୁ ପଛେ ସଉତୁଣୀ ରାଣ୍ଡ ହେଉ ଏ ନ୍ୟାୟରେ ଆମେ ନିଜେ ଧ୍ୱଂସମୁଖୀ । ଏସବୁ ନିକୃଷ୍ଟ ସ୍ୱାର୍ଥପରତା, ହୀନମାନସିକତାର ଉଦାହରଣ । ସନାତନ ସଂସ୍କୃତିକୁ ମାରିଦେବାର ଚକ୍ରାନ୍ତ ରଚାଯାଇଥିଲା ପୂର୍ବରୁ ଏକଥାର ପ୍ରମାଣ ଅଛି ଇତିହାସରେ । ମନ୍ଦିରଗୁଡିର ଧ୍ୱଂସାବଶେଷ, ବିଭିନ୍ନ ସ୍ଥାନର ନାମକରଣ, ଦେଶ ବିଭାଜନର କାରଣ, ସାମ୍ବିଧାନିକ ନିର୍ଦ୍ଧିଷ୍ଟ ନୀତିନିୟମରୁ ସ୍ପଷ୍ଟ ଅନୁମେୟ । ହିନ୍ଦୁଧର୍ମ ଧର୍ମ ନିରପେକ୍ଷତା ନାମରେ ହଜିଆସୁଥିଲା ଏକଥାକୁ ମଧ୍ୟ ସ୍ୱୀକାର କରିବାକୁ ହେବ । ରାମ ମନ୍ଦିର ତୋଳାଗଲେ ଯେ ହିନ୍ଦୁମାନେ ଜାଗିଉଠିବେ ତାହା ନୁହେଁ, ଇତିହାସର ଧ୍ୱଂସସ୍ତୁପ ତଳୁ ସତ୍ୟଟିଏ ପୁନରୁଦ୍ଧାର ହେବ ବା ଉନ୍ମୋଚିତ ହେବ, ଏହା କଣ କମ୍ ଗୌରବର କଥା ! ସନାତନ ଧର୍ମକୁ ବିଶ୍ୱସ୍ତରର ଲୋକମାନେ ସମ୍ମାନ କରନ୍ତି, ଯାହାକୁ ଅସମ୍ମାନ କରିବାକୁ ଆମେ ତିଳେମାତ୍ର ବି ପଛାଉନାହୁଁ ।

କୁକୁରମାନେ ବି ନିଜ ନିଜ ଇଲାକାର ସିଂହ । ସେମାନଙ୍କ ଇଲାକାକୁ ନିଜ ପ୍ରଜାତିର କେହି (ଅନ୍ୟ କୁକୁର) ପଶିଆସିଲେ ସମ୍ମିଳିତ ହୋଇ ସେମାନେ ଘଉଡେଇବାକୁ ଚେଷ୍ଟା କରନ୍ତି । ଏକତା ବଳରେ ସଫଳ ବି ହୁଅନ୍ତି । ଅଥଚ ଆମେ ମଣିଷ ବିଦେଶୀଙ୍କୁ ଆଶ୍ରୟ ଦେଇ ଘରଲୋକଙ୍କୁ ହିଁ ବାହାରକୁ ତଡିଦେଉ । ଏଇଟା କୋଉ ହିସାବରେ ନ୍ୟାୟ ଓ ଦୟାଶୀଳତାରେ ଗଣା ହେବ?

କିଛି କିଛି ପ୍ରସଂଗ ଆମ ଏକତାକୁ ନଷ୍ଟ କରିଛି ଆଗରୁ । ସେଥିମଧ୍ୟରୁ ଧର୍ମ ଅନ୍ୟତମ । କାରଣ ଏହା ଆମ ଦୁର୍ବଳତା ଭାବରେ ପ୍ରତିପାଦିତ । ସେଥିପାଇଁ ଏତେ ବିଭେଦ, ହିଂସା, ହାଣକଟା । କୌଣସି ଏକ ଧର୍ମର ଶ୍ରେଷ୍ଠତା ପ୍ରତିପାଦିତ କରିବାକୁ ଅଧର୍ମର ସାହାରା ନେଲେ ତାହା ହିଂସା ହୋଇଯାଏ । ଆଗରୁ ହୋଇଥିବା ଧର୍ମୀୟ ପ୍ରତାଡନା ଲୋକମାନଙ୍କୁ ସ୍ୱଧର୍ମରୁ ବିକର୍ଷିତ କରିଛି ସତ୍ୟ କିନ୍ତୁ ପ୍ରାୟ ସବୁଠାରେ ସତ୍ୟ ନାମରେ କିଛି ନା କିଛି ଅର୍ଦ୍ଧସତ୍ୟ, କୁସଂସ୍କାର, ଅନ୍ଧବିଶ୍ୱାସ ଚଳିଆସିଛି ଯାହା ମୌଳିକ ନୁହେଁ ବରଂ ସମୟାନୁସାରେ ଏହା ପରିବର୍ଦ୍ଧିତ ରୂପ ବା ଅତିଶୟୋକ୍ତି । ସେତିକି ବର୍ଜିତ ହେଲେ ବାକିତକ ଶୁଦ୍ଧ ସୁବର୍ଣ୍ଣ ।

ବିଡମ୍ବନାର ବିଷୟ ଏହା ଯେ ଆଗକୁ ଦଳେ ଶ୍ରୀରାମଙ୍କୁ ନେଇ ରାଜନୀତି କଲେ ଆଉଦଳେ ଜଗନ୍ନାଥ, ମହାଦେବ, ଗଣେଶ, ବିଷ୍ଣୁ, କାଳୀ, ସରସ୍ୱତୀ, ଲକ୍ଷ୍ମୀ ବା ଅନ୍ୟ ଦେବାଦେବୀଙ୍କୁ ନେଇ ଲଢାଲଢି ହେବେ ! ପିଠାକଳି ପରି ଲଜ୍ଜାକର କଥା ଏସବୁ ! ଈଶ୍ୱରଙ୍କୁ ନେଇ କିମ୍ବା ଈଶ୍ୱରଙ୍କ ସାମ୍ନା( ଦେବାଳୟ)ରେ ଭିକ୍ଷା ମାଗିବାର ପରମ୍ପରା ଆମ ଦେଶରେ ହିଁ ରହିଛି । କିନ୍ତୁ ଈଶ୍ୱରଙ୍କୁ ନେଇ ଭୋଟ୍-ଭିକ୍ଷା କେତେ ଦୂର ବିଚାରସଂଗତ ଆଲୋଚନା ସାପେକ୍ଷ ।

ସମୟ ଥିଲା ଈଶ୍ୱରଙ୍କ ନାମରେ ସବୁଠାରୁ ଅଧିକ ରୋଜଗାର ସହିତ ଲୋକମାନଙ୍କୁ ଖୁବ୍ ସହଜ ଓ ଅଧିକ ଠକି ହେଉଥିଲା । ଏବେ ବି ତାହା ଚାଲିଛି ଅବଶ୍ୟ ଉପାୟ ଟିକେ ଉନ୍ନତଧରଣର । ମନ୍ଦିରର ଦିଅଁ ସ୍ୱର୍ଣ୍ଣ ଆଭୂଷଣରେ ଲଦି ହୋଇଥିବାବେଳେ ଲୋକଟିଏ ଭୋକରେ ମରୁଛି ! ପୂଣ୍ୟଲାଭ ଲୋଭରେ ଭିଡରେ ଅଣନିଃଶ୍ୱାସୀ ହୋଇ ଲୋକଟିଏ ମମୃତ୍ୟୁ ବରଣ କରୁଛି ! ଏଥିରୁ ଅନୁମେୟ ଯେ ଆମ ଲୋକେ ବାସ୍ତବବାଦୀ ନୁହଁନ୍ତି କଳ୍ପନାବିଳାସୀ । କର୍ମଦକ୍ଷତା ଅପେକ୍ଷା ଅପାରଗତା ବେଶି ପରିଲକ୍ଷିତ ସେମାନଙ୍କଠାରେ । ସେଥିପାଇଁ ସେମାନେ ଗୋଟେ ଲେଖାଁ ଅଲୌକିକତାକୁ ଅପେକ୍ଷା କରନ୍ତି । ଏଭଳି କଳ୍ପନାବିଳାସୀମାନଙ୍କୁ ଠକିବାକୁ କିଛି ଲୋକଙ୍କୁ ତାଲିମ୍ ଦିଆଯାଏ । ଭଗବାନ ଙ୍କ ବିଭିନ୍ନ ଆୟୁଧ ସେମାନଙ୍କ ସଂକେତ ବା ପରିଚୟ ପାଲଟିଯାଏ । ହିଂସାଦ୍ୱେଷରେ ଗଢାହୁଏ ସେମାନଙ୍କ ଧର୍ମ । ପୁଣି କେବେ ସଂସ୍କୃତି ଓ ପରମ୍ପରା ନାମରେ ବିଦ୍ୟାନୁଷ୍ଠାନଗୁଡିକରେ ପରୋକ୍ଷ ପ୍ରଚାର କରାଯାଏ । ଈଶ୍ୱର ମୁଖ୍ୟ ନହୋଇ ଗୌଣ ହୋଇଯାନ୍ତିି । ଦଳମାନଙ୍କ ଈଶାରାରେ ଈଶ୍ୱରମାନେ ବିଭିନ୍ନ ମୁଖାରେ ନୃତ୍ୟ କଲା ପରି ମନେ ହୁଅନ୍ତି । ଆଗକୁ ଆହୁରି ଅଭିନବ ଦୃଶ୍ୟର ପରିକଳ୍ପନା କରାଯାଇପାରେ । ଧର୍ମ ବିକଶିତ ହେଉ । ଧର୍ମର ବିପର୍ଯ୍ୟୟ ନହେଉ ଦଳଗତ କନ୍ଦଳରେ । ପିଠା କଳି ପରି ଦୁର୍ଦ୍ଧଶାଜନିତ ଅନ୍ତ ନଘଟୁ ।

ଯେପର୍ଯ୍ୟନ୍ତ ମଣିଷ ଗୁଡେ ସଂକୀର୍ଣ୍ଣ ବିଚାରର ଉଦ୍ଧ୍ୱର୍କୁ ନଉଠିବ, ସେପର୍ଯ୍ୟନ୍ତ ତାର ଦୁର୍ବଳତାକୁ ନେଇ ରାଜନୀତି ଚାଲିଥିବ । ମଣିଷର ଚରମ ଦୁର୍ବଳତା ଧର୍ମ ଯାହାକୁ ନେଇ ଖୁବ୍ ହୋ ହଲ୍ଲା ।

ଲୋକମାନେ ଭୁଲିଯାଇଛନ୍ତି ଭଗବାନ୍ ଦଳବଳ ନିର୍ବିଶେଷରେ ସମସ୍ତଙ୍କର, ସବୁ ଧର୍ମର । କୌଣସି ନିର୍ଦ୍ଧିଷ୍ଟ ବର୍ଗର ନୁହନ୍ତି । ଦଳୀୟ ସଂକୀର୍ଣ୍ଣତାର ଉଦ୍ଧ୍ୱର୍କୁ ଉଠି ଦେବତାଙ୍କ ଜୟଗାନ ହେଉ । ବିଦ୍ୱେଷର ମଞ୍ଜି ଖୋଜାନଯାଉ । ମଣିଷର ପ୍ରକୃତ ଧର୍ମ ମାନବିକତା ହେଉ । ସନାତନ ଧର୍ମ ବହୁ ପ୍ରାଚୀନ । ଏମିତି ଗୋଷ୍ଠୀ କନ୍ଦଳ ଦ୍ୱାରା ତାର ଅବମାନନା, ମର୍ଯ୍ୟାଦାହାନୀ କି ଅପମାନ ନହେଉ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top