ସୂର୍ଯ୍ୟ ଲିଭିଯିବା ପରେ, ସ୍ଵପ୍ନ ଆସେ,
ଝିଲିମିଲି ତାରାଙ୍କ ଶେଯରେ
ଚେଇଁ-ଶୋଇ ମୁଚୁକି ହସୁଥିବା
ତମ ମୁହଁ ମନେ ପଡ଼େ
ତମେ ମୋ ପାଖରେ ନାହଁ ସିନା
ତମ ଅପେକ୍ଷାର ଥରଥର ନିଶ୍ଵାସ
ମୋ କାନ୍ଧରେ ବାଜୁଛି
ତମ ଗଭାର ବାସ୍ନାରେ ବିଭୋର
ମୋ ଚାରିଆଡ଼ ଏବେ,
ପୁଲକିତ ନବ କିଶଳୟ ପରି
ନୂଆ ନୂଆ ଆଶାରେ ସଜେଇ ହେଇ
ମନ ମୋର ତମ ରଙ୍ଗରେ ଭାସୁଛି
ତମ ମୁହଁରେ ପହଁରୁଥିବା ଭଉଁରୀ
ତମ ଗହଳ କେଶରେ
ବାଟବଣା ହେଇଯାଇଥିବା କଳା ଭଅଁର
ତମ ଅଞ୍ଚଳରେ ହଜିଯାଇଥିବା ପବନ
ଅମାନିଆ ହେଇଥିବା କେଶକୁ ସଜଉଥିବା
ତମ ଆଙ୍ଗୁଳି ସବୁର ସ୍ପର୍ଶ
ଛୁଇଁଯାଏ ମୋତେ ଏବେ
ଢଳ ଢଳ ଆଖିରେ ତମର
ଲୁହ ଲୁଚେଇବାର ଚେଷ୍ଟା ମନେ ପଡ଼େ
କାଳେ ମୋତେ ଭିଜେଇ ଦେବ
କାନ୍ଦି ନାହଁ ତମେ କେବେ ଝର ଝର
ଝରଣାଟେ ପରି ମୋ ଆଗରେ
ମୁହଁକୁ ଲୁଚେଇ, ଲାଜ ନେସା
ତମ ମାପିଚୂପି ହସିବାର କଳା
ଚିତ୍ରଟିଏ ପରି ଆଙ୍କିହୁଏ ତୂଳିଟିରେ
ତମ ଖିଲି ଖିଲି ହସର ଗୁଞ୍ଜନ ପାଇଁ
ମୋର ଅପେକ୍ଷା ଏବେ ବି,
କାଳେ ଖୁସିରେ ନଜର ଲାଗିବ ବୋଲି
ତମ ମିଛ ମିଛ ଭୟକୁ ଆଡ଼େଇ
ମନ ଖୋଲି ହସନ୍ତନି ତମେ, ସବୁ କାଳେ !
ନିଜକୁ ଅଜାଡ଼ି ଦେବାର
ସାବଲୀଳ ତମ କମନୀୟ ଭଙ୍ଗୀ
ତରଙ୍ଗ ପରେ ତରଙ୍ଗର ମାୟା
ଦେହାତୀତ ଆତ୍ମାର ସ୍ପନ୍ଦନ
ଜନ୍ମ ଜନ୍ମାନ୍ତରର ବିଶ୍ୱାସ ବେଢ଼େଇ
ମୋ ଭିତରେ ତମେ
ତମ ଭିତରେ ମୁଁ
ମିଳେଇ ଯିବାର ଅନୁଭବସବୁ
ମଧୁର, ଅପୂର୍ବ, ସ୍ୱର୍ଗୀୟ
ତମ ସଙ୍ଗେ କ୍ଷଣସବୁ,
ମୋ ସାଉଁଟା ମୋତି,
ମୋ ଜୀବନ ପାଥେୟ

Kishore Parhi
June 27, 2024 at 5:48 am
Excellent