କବିତା

ତଥାପି ସରିନାହିଁ

Puspanjali Panda's odia poem Tathapi Sarinahin

ତଥାପି ସରିନାହିଁ କାହା ମନରେ
ରହିଥିବାର ଆସକ୍ତି
ଅବ୍ୟକ୍ତ ଅନୁରକ୍ତି ଜୀବନ ପ୍ରତି ।।

ଯିବାବେଳେ ହେଲା
ତଥାପି ସରିନାହିଁ କିଛି ।
ସମସ୍ତ ଙ୍କ ପରି
ମୁଁ ବି ଯିବି
ଆଖି ଖୋଲାଥିବ କି ବୁଜିଥିବି
ଚାଲୁଥିବି କି ଶୋଇ ଶୋଇ
ଜାଣିନି
କି ଜାଣି ପାରିବିନି
କିନ୍ତୁ ଯିବା ନିଶ୍ଚିତ ।
ଏଠୁ ନ ଯାଇ କ’ଣ ରହିହେବ ?
ତଥାପି ସରିନାହିଁ ନଯିବାର ମୋହ ।।

ମୁଁ ଗଲାପରେ
ସମୟ ଅଟକି ଯିବନି ଜମା ।
କିଞ୍ଚିତ ବଦଳିପାରେ
ମୋ ଆଖପାଖର
ବ୍ୟବହାରକରା ଅଦରକାରୀ ବସ୍ତୁ ।
ସାମୟିକ ଭାବରେ
କିଞ୍ଚିତ ଦୁଃଖଦ ହେଇପାରେ ସମୟ,
ସୁଖ ବେଳ ଆସିବାକୁ ଲାଗିପାରେ
ବାର ତେର ଦିନ ର ଅବଧି ,
ଛୁଆଁ ଅଛୁଆଁ ସବୁକିଛି
ଧୁଆଧୋଇ ହେଇ ରହିଯିବେ
ଯେଝା ସ୍ଥାନରେ ।।

ମୋ ଯିବାରେ
ଦୁଃଖ ଦେଖାଉଥିବା
ମଣିଷର ଲୁହଝର ,
କମିବ ଧୀରେଧୀରେ
ପୁଣି ସୁଖ ଖୋଜା ପଡ଼ିବ
ମୁଁ ଫଟ ହେଇସାରିଥିବି ।।

ତଥାପି ସରିନାହିଁ କାହା ମନରେ
ରହିଥିବାର ଆସକ୍ତି
ଅବ୍ୟକ୍ତ ଅନୁରକ୍ତି ଜୀବନ ପ୍ରତି ।।

ସବୁଦିନେ କଣ ମୁଁ କାହା ମନକୁ ଆସିପାରିବି..!
ନାଁ ମୁଁ କାହାକୁ ଛୁଇଁ ପାରିବି
କାହା ଆଖି ରେ
ଧସେଇ ପଶି ଝର ଝର ଝରିପାରିବି.. !!

ଯିବା ସମୟଟା ମୁଁ ଚାରିଆଡ
ଶୁନ ଶାନ ହେଇପାରେ
ସକଳ, ସନ୍ଧ୍ୟା କି ନିଶାର୍ଦ୍ଧରେ
ଦେବଦୁତ କି ଯମଦୂତମାନେ
ଓହ୍ଲାଇ ଖସିବେ, ବସିବେ ମୋ ପାଖରେ
ମତେ ବାନ୍ଧି ନେବାର ଉପକ୍ରମ ରେ
ବନ୍ଧନ ମୁକ୍ତିର ଆୟୋଜନ କରିବେ !!
ଏମିତି କ’ଣ ସେ ଦେଖିଲା କି ମୋଠି କେଜାଣି ?

ଯା’ ବି ହେଉ
ମୁଁ ଯିବା ଯିବା ହେଲା ବେଳକୁ
କେହି କେହି ମୋ ପାଇଁ
ନ ଯିବାର ବାହାନା ଖୋଜିବେ
ତେର ଦିନ ଯାଏ ନିଇତି ସ୍ମୃତିପାଳିବେ ।।

କ’ ଣ ନେଇଗଲି,ଛାଡିଲି
ଏଇଠି ,ଏତେ ବର୍ଷ ଭିତରେ ?

ଦିନେ ବି ଶାନ୍ତିରେ ଶୋଇନି
ଚା ଖଟିରେ ଖଟି କରିନି
ଫେରିନି ଘରକୁ ରାତି ଦଶଟାରେ
କମ୍ ପୀଡା ଦେଇଛି କି ଜୀବନ.. !!

ବୟସର ଅୟସ ଏମିତି ସରିଗଲା,
ମନ ଝୁରି ହେଲା, ପଛ ସମୟ କୁ,
ଯିଏ କେବେ ଫେରିଲା ନି
କି ଫେରିବାର ପ୍ରଯତ୍ନ ବି କଲାନି !

ମୁଁ ଗଲାପରେ
ଆପଣା ବୋଲାଉଥିବା
ଅନାତ୍ମିୟ ସବୁ
ଦୁଃଖ ପାଳିବେ
ଭିତରେ କୁରୁଳୁଥିବେ
ଅଲୋଡା ବନ୍ଧୁ ବାନ୍ଧବ ବି
ଲୋଡା ପଡ଼ିବେ
ତେର ଦିନ ଯାଏ

ତେର ଦିନ ପରେ ଆଉ କ’ ଣ ଥାଏ କି !!
ଭାବୁଛି ମୋ’ଭଲ କାମ ସବୁ
କେବେ କେମିତି ଆଲୋଚନା ହୋଇପାରେ,
ହେଲେ ମୋ ଯିବା ବନ୍ଦ ହେଇ ନପାରେ ।।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top