ଅନୁବାଦ ସାହିତ୍ୟ

ସ୍ୱାଧୀନ ଭାରତ – ବ୍ରିଟିଶ ପ୍ରଭାବର ଛାୟା

Swadhinata Bhaarat - British Prabhabara Chhaya Blunder number - 10 by Jawaharlaal Nehru

ଇତିହାସକାରମାନଙ୍କ ମତାନୁସାରେ ସ୍ୱାଧୀନ ଭାରତର ଗଭର୍ନର-ଜେନେରାଲ୍ ଭାବେ ମାଉଣ୍ଟବ୍ୟାଟେନ୍‌ଙ୍କୁ ରଖିବାରେ ଜବାହରଲାଲ ନେହେରୁଙ୍କ ଭୂମିକା ମୁଖ୍ୟ ଥିଲା ।

୧୯୪୭ ମସିହାରେ ଭାରତ ଦୀର୍ଘ ସଂଗ୍ରାମ ପରେ ସ୍ୱାଧୀନତା ଲାଭ କଲା । କିନ୍ତୁ ଏକ ଆଶ୍ଚର୍ୟଜନକ ପ୍ରଶ୍ନ ଆଜିଯାଏ ଇତିହାସର ପୃଷ୍ଠାରେ ରହିଯାଇଛି — ସ୍ୱାଧୀନତା ପରେ ଭାରତ କାହିଁକି ଜଣେ ବ୍ରିଟିଶ, ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କୁ ଦେଶର ଗଭର୍ନର-ଜେନେରାଲ୍ ଭାବେ ନିଯୁକ୍ତ କଲା ? ଏହା ଅନେକଙ୍କ ପାଖରେ ଆଜିଯାଏ ଅବୁଝା ନିଷ୍ପତ୍ତି ଭାବେ ଲାଗେ ।

ଏହି ପରିସ୍ଥିତିରେ ପାକିସ୍ତାନର ନେତା ମହମ୍ମଦ ଅଲୀ ଜିନ୍ନାଙ୍କ ଉଦାହରଣ ଅଲଗା ଥିଲା । ସେ ନିଜେ ପାକିସ୍ତାନର ପ୍ରଥମ ଗଭର୍ନର-ଜେନେରାଲ୍ ହୋଇଥିଲେ । କିନ୍ତୁ ଭାରତରେ ମହାତ୍ମା ଗାନ୍ଧୀ କୌଣସି ଆଧିକାରିକ ପଦ ଗ୍ରହଣ କରିଲେ ନାହିଁ । ସେ ନିଜେ ଗଭର୍ନର-ଜେନେରାଲ୍ ହୋଇପାରିଥାନ୍ତେ, କିମ୍ବା ଅନ୍ୟ କୌଣସି ଭାରତୀୟଙ୍କୁ ସେହି ପଦରେ ନିଯୁକ୍ତ କରାଯାଇପାରିଥାନ୍ତା । ତଥାପି ସେହି ସମୟର ରାଜନୈତିକ ନିଷ୍ପତ୍ତି ଭିନ୍ନ ଦିଗକୁ ଗଲା ।

ଲର୍ଡ ମାଉଣ୍ଟବ୍ୟାଟେନ୍ ବ୍ରିଟେନର ପ୍ରତିନିଧି ଥିଲେ । ତେଣୁ ବ୍ରିଟିଶ ହିତ ସୁରକ୍ଷା କରିବା ଓ ସେହି ହିତକୁ ଆଗେଇ ନେବା ତାଙ୍କ ପାଇଁ ସ୍ୱାଭାବିକ ଥିଲା । ତାଙ୍କର ଦାୟିତ୍ୱ ମଧ୍ୟ ଥିଲା ବ୍ରିଟିଶ ସରକାରକୁ ସମସ୍ତ ଘଟଣାବଳୀ — ଏପର୍ଯ୍ୟନ୍ତ ଗୋପନୀୟ ବିଷୟଗୁଡ଼ିକ — ସୂଚିତ କରିବା ।

ଇତିହାସକାର ନରେନ୍ଦ୍ର ସିଂହ ସରିଲା ତାଙ୍କ ପୁସ୍ତକ “The Shadow of the Great Game” ରେ ଲେଖିଛନ୍ତି ଯେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପରିସ୍ଥିତିକୁ ବହୁତ ପ୍ରଭାବିତ କରିଥିଲା —ଜବାହରଲାଲ ନେହେରୁଙ୍କ ପକ୍ଷରୁ ମାଉଣ୍ଟବ୍ୟାଟେନ୍‌ଙ୍କୁ ଭାରତୀୟ କ୍ୟାବିନେଟ୍‌ର ରକ୍ଷା ସମିତିର ଅଧ୍ୟକ୍ଷ କରିବା ପ୍ରସ୍ତାବ । ସେହି ସମିତି ହିଁ କାଶ୍ମୀର ଯୁଦ୍ଧ ସମ୍ବନ୍ଧୀୟ ମୁଖ୍ୟ ନୀତିଗତ ସିଦ୍ଧାନ୍ତ ନେଉଥିଲା । ଫଳରେ ଗଭର୍ନର-ଜେନେରାଲ୍ ଭାବେ ମାଉଣ୍ଟବ୍ୟାଟେନ୍ ଯୁଦ୍ଧର ଦିଗକୁ ପ୍ରଭାବିତ କରିବା ପାଇଁ ବ୍ୟାପକ ଶକ୍ତି ଲାଭ କରିଥିଲେ ।

ବ୍ରିଟେନର ଏକ ମୂଳ ରଣନୀତିକ ଲକ୍ଷ୍ୟ ଥିଲା କାଶ୍ମୀର ଉପରେ ପ୍ରଭାବ ରଖିବା । କାଶ୍ମୀର ଏକ କୌଶଳଗତ ଅଞ୍ଚଳ ହେବାରୁ ସେଥିରେ ବ୍ରିଟିଶ ପ୍ରଭାବ ରହିବା ତାଙ୍କ ପାଇଁ ଅତ୍ୟନ୍ତ ଦରକାର ଥିଲା। ଏହା ସମ୍ଭବ ଥିଲା ଯଦି କାଶ୍ମୀର ସ୍ୱାଧୀନ ରହେ କିମ୍ବା ପଶ୍ଚିମପକ୍ଷୀ ପାକିସ୍ତାନ ସହିତ ଯୋଗ ଦେଇଥାଏ ।

ଏହି ପରିପ୍ରେକ୍ଷିତରେ ମାଉଣ୍ଟବ୍ୟାଟେନ୍ ନିଜକୁ କେବଳ ଏକ ଔପଚାରିକ ଗଭର୍ନର-ଜେନେରାଲ୍ ଭାବେ ସୀମିତ ରଖିଲେ ନାହିଁ । ସେ ନିଜକୁ ଭାରତର ରକ୍ଷା ସମିତିର ମୁଖ୍ୟ ଭାବେ ସ୍ଥାପିତ କରିଥିଲେ। ତାହାର ଫଳରେ ଭାରତ ଓ ପାକିସ୍ତାନ—ଦୁହିଁ ଦେଶର ସେନାପତି ଏବଂ ସେତେବେଳର ସୁପ୍ରିମ କମାଣ୍ଡର ଅଚିନଲେକ୍ — ତାଙ୍କୁ ରିପୋର୍ଟ କରୁଥିଲେ।

ଏହି ପଦବୀର ଅବସ୍ଥାନକୁ ବ୍ୟବହାର କରି ସେ ପାକିସ୍ତାନ ସେନାର ବ୍ରିଟିଶ ସେନାପତିଙ୍କ ସହ ଗୋପନ ସମନ୍ୱୟ କରୁଥିଲେ । ଭାରତୀୟ ନେତାମାନଙ୍କ ଅଜ୍ଞାତରେ ଭାରତୀୟ ସେନାର ବ୍ରିଟିଶ କମାଣ୍ଡରମାନଙ୍କ ସହ ଗୋପନୀୟ ରଣନୀତିକ ବୈଠକ ମଧ୍ୟ ହୋଇଥିଲା । ଏହି ସବୁ ପଦକ୍ଷେପ ଦ୍ୱାରା ବ୍ରିଟିଶ ସରକାର ଚାହୁଁଥିବା ଦିଗକୁ ଘଟଣାବଳୀକୁ ପ୍ରଭାବିତ କରିବାର ଚେଷ୍ଟା ହୋଇଥିଲା ।
ଭାରତୀୟ ନେତାମାନେ ବୋଧେ ଭାବିଥିଲେ ଯେ ବ୍ରିଟିଶ ଗଭର୍ନର-ଜେନେରାଲ୍ ଓ ବ୍ରିଟିଶ ସେନାପତି ଥିଲେ କିଛି ଲାଭ ହୋଇପାରେ । କିନ୍ତୁ ସେହି ବ୍ୟବସ୍ଥା କେତେକ ସ୍ଥିତିରେ ପ୍ରତିକୂଳ ହୋଇପାରେ ବୋଲି ଭାବିନଥିଲେ । ତାଙ୍କର ମୂଳ ନିଷ୍ଠା ବ୍ରିଟେନ ପ୍ରତି ଥିବାରୁ କେତେକ ନିଷ୍ପତ୍ତି ଭାରତର ହିତବିରୋଧୀ ମଧ୍ୟ ହୋଇଥିଲା ।

ଜୁନାଗଡ଼, ହାଇଦ୍ରାବାଦ ଓ ଜମ୍ମୁ-କାଶ୍ମୀର—ଏହି ତିନୋଟି ରଜୱାଡ଼ାର ଏକତ୍ରୀକରଣ ସମୟରେ ମାଉଣ୍ଟବ୍ୟାଟେନ୍‌ଙ୍କ ଭୂମିକା ନେଇ ଇତିହାସରେ ଅନେକ ପ୍ରଶ୍ନ ଉଠିଛି । ଯେଉଁଠାରେ ବ୍ରିଟିଶ ହିତ ପ୍ରଭାବିତ ହେଉନଥିଲା, ସେଠାରେ ସେ ଭାରତକୁ ସହଯୋଗ କରିଥିଲେ। କିନ୍ତୁ ଯେଉଁଠାରେ ବ୍ରିଟିଶ ହିତ ଭାରତୀୟ ହିତ ସହିତ ମୁକାବିଲା କରୁଥିଲା, ସେଠାରେ ସେ ବ୍ରିଟିଶ ହିତକୁ ପ୍ରାଧାନ୍ୟ ଦେଇଥିଲେ।

ଜୁନାଗଡ଼ ଓ ହାଇଦ୍ରାବାଦ ମାମଲାକୁ ଜାତିସଂଘକୁ ନେବାର ପ୍ରୟାସ ମଧ୍ୟ ହୋଇଥିଲା । କିନ୍ତୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏହାକୁ ଦୃଢ଼ତାର ସହିତ ଅସ୍ୱୀକାର କରିଥିଲେ। ହାଇଦ୍ରାବାଦରେ ଭାରତୀୟ ସେନା ଅଭିଯାନକୁ ରୋକିବା ପାଇଁ ବ୍ରିଟିଶ ପକ୍ଷରୁ ବହୁ ପ୍ରୟାସ ହୋଇଥିବା ମଧ୍ୟ ଇତିହାସରେ ଉଲ୍ଲେଖ ମିଳେ।

ଇତିହାସକାରମାନଙ୍କ ମତାନୁସାରେ ସ୍ୱାଧୀନ ଭାରତର ଗଭର୍ନର-ଜେନେରାଲ୍ ଭାବେ ମାଉଣ୍ଟବ୍ୟାଟେନ୍‌ଙ୍କୁ ରଖିବାରେ ଜବାହରଲାଲ ନେହେରୁଙ୍କ ଭୂମିକା ମୁଖ୍ୟ ଥିଲା ।

ସାମ୍ବାଦିକ ଦୁର୍ଗା ଦାସ ତାଙ୍କ ପୁସ୍ତକ “India from Curzon to Nehru & After” ରେ ଲେଖିଛନ୍ତି ଯେ ସର୍ଦ୍ଦାର ପଟେଲ କହିଥିଲେ—ନେହେରୁ ମାଉଣ୍ଟବ୍ୟାଟେନ୍‌ଙ୍କ ପ୍ରଭାବରେ ଅତ୍ୟଧିକ ପ୍ରଭାବିତ ହୋଇପଡ଼ୁଥିଲେ । ପଟେଲଙ୍କ ମତରେ ନେହେରୁ ସଦା କାହା ଉପରେ ଭରସା କରୁଥିଲେ — ପୂର୍ବରୁ ସେ ବାପୁଙ୍କ ସୁରକ୍ଷା ଛାୟାରେ ଥିଲେ, ପରେ ସେ ମାଉଣ୍ଟବ୍ୟାଟେନ୍‌ଙ୍କ ଉପରେ ନିର୍ଭର ହେବାକୁ ଲାଗିଲେ।

ଏହା ସହିତ ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଇତିହାସରେ ଉଠିଛି — ଲେଡି ଏଡ଼ୱିନା ମାଉଣ୍ଟବ୍ୟାଟେନ୍‌ଙ୍କ ପ୍ରଭାବ ନେହେରୁଙ୍କ ଉପରେ ପଡ଼ିଥିଲା କି ? ନେହେରୁଙ୍କ ନିକଟତମ ସହଯୋଗୀ ମୌଲାନା ଅବୁଲ କଲାମ ଆଜାଦ୍‌ ତାଙ୍କ ଆତ୍ମଜୀବନୀରେ ଏହା ନେଇ ଆଶ୍ଚର୍ୟ ପ୍ରକାଶ କରିଥିଲେ । ସେ ଲେଖିଥିଲେ ଯେ ଜବାହରଲାଲ ପରି ଜଣେ ଦୃଢ଼ଚିତ୍ତ ନେତା କିପରି ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କ ପ୍ରଭାବରେ ପଡ଼ିଗଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ନେହେରୁ କେବେ କେବେ ଆବେଗଶୀଳ ଓ ବ୍ୟକ୍ତିଗତ ପ୍ରଭାବରେ ପଡ଼ିଯାଉଥିଲେ —ଏବଂ ଏହି ପରିସ୍ଥିତିରେ ଲେଡି ମାଉଣ୍ଟବ୍ୟାଟେନ୍‌ଙ୍କ ଭୂମିକା ଥିଲା କି ନାହିଁ, ସେଥି ପ୍ରଶ୍ନ ମଧ୍ୟ ଉଠିଥିଲା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top