ଗୋଟେ ସମୟରେ
ବୋଝ ନିକାଲୁଥିବା ମଣିଷଟି ବୋଝ ପରି ଲାଗେ
ଲାଭ କ୍ଷତି ହିସାବ ନିକାଶ ଧାଁ’ ଦୌଡ଼
ପ୍ରତିଯୋଗିତାରେ ପଛରେ ପଡିଯାଏ
ସମୟ ଆସେ
ଉଜ୍ଜ୍ଵଳ ସମ୍ଭାବନାର ଅଜସ୍ର ଚିତ୍ର ଆଙ୍କୁଥିବା
ସେଇ କାଁ’ ଭାଁ’ ମଣିଷଟି
ସବୁ ଅଣଦେଖାକୁ ନିଜର କରେ
ନିରବରେ ନିରବରେ
ଅଙ୍ଗେନିଭା ଅତୀତର ସୃତିକୁ ଉଖାରେ ।
କିଛି ଘଟିବାର ବହୁ ପୂର୍ବରୁ ସେ
ବୁଝିକି ବୁଝି ନଥାଏ
ଦେଖିକି ଦେଖ ନଥାଏ ବୋଲିତ
ସମ୍ପର୍କ ଉତ୍ତରଦାୟିତ୍ଵର ଅର୍ଥ ସେ ହିଁ
କେବଳ ବୁଝିବ ଅଙ୍ଗେ ନିଭେଇବ
ଅନ୍ୟ ପାଇଁ ସୂର୍ଯ୍ୟ ହୋଇ ଜଳି ଅନ୍ଧାର ଲୁଟିବ ।
ସ୍ୱପ୍ନ ଆବେଗର ଶତ ସିଂହ ବଳ ଉତ୍ସାହରେ
ପାହାଡ଼ ଚଢ଼ୁଥିବା ଅନୁଭବୀ ଜଣକ
ସବୁବେଳେ ଅନ୍ୟର ଜିତାପଟରେ
କା’ ସଫଳ ଆରୋହଣର ପ୍ରତି ସୋପାନରେ
ନିଜକୁ ଥାପେ
ନିଜ ପାଦର କ୍ଷରିତ ରକ୍ତକୁ
ବିଜୟ ତିଳକ ମନାଇ
ବିରଳ ଆନନ୍ଦରେ ନିଜକୁ ମସ୍ଗୁଲ କରେ ।
କେହି ତାକୁ ବୋଝ ବୋଲି ଭାବୁ କି
ଆଡ଼ ଆଖିରେ ନ ଚାହୁଁ
ଏଥିରେ ତା’ର କି ଯାଏ ଆସେ
ଜୀବନବ୍ୟାପି ବୋଝ ମୁଣ୍ଡେଇବାର
ଗୁରୁ ଦାୟିତ୍ୱ ବହନ କରି
ଲେଖି ଦେଇଥାଏ ସେ ହାତ କାଟି – ଚୁକ୍ତି
ତା’ର କ୍ଷୋଭ ନାହିଁ ଦୁଃଖ ନାହିଁ
ତଥାପି କିଛି ପାଇବାର
ସର୍ବଶେଷ ଆଶା ଟିକକ ତାକୁ ହିଁ
ଜିଇଁବାର କଳା ଶିଖେଇ ଥାଏ ।
