– ପୂର୍ବରୁ –
ଏ ଭିତରେ ଖରାଯାଇ ବର୍ଷା ଆସିଯାଇଥିଲା । ସବୁବେଳେ ଆକାଶଟା କଳା ମେଘରେ ଓଢ଼ଣୀ ଘୋଡ଼େଇ ହୋଇ ରହୁଥିଲା । ବେଳା ଅବେଳାରେ ଅସରାକୁ ଅସରା ବର୍ଷା ବର୍ଷି ଯାଉଥିଲା । ଏ ବର୍ଷା ଦିନଟା ଗରିବମାନଙ୍କ ପାଇଁ ବଡ଼ ଦୁଃଖଦାୟକ । ଏ ସନ କୁଡ଼ିଆ ଖଣ୍ଡ ଛପର କରିପାରିନି ଲବଙ୍ଗ । ଜେଜିର ସୁଧିକ୍ରିୟାକୁ ଯେଉଁ କରଜ ଆଣିଥିଲା, ‘ମା’ ପ୍ରତିମାସରେ ଦରମା ଟଙ୍କାରୁ କିଛି କିଛି କାଟି ଦେଉଛନ୍ତି । ବାବୁଙ୍କ ଘରେ ଦୁଇବେଳା ଗଣ୍ଡେ ଖାଇବାକୁ ମିଳୁଛି ବୋଲି, ନଇଲେ ତ କେବେଠାରୁ ଭୋକରେ ମରିଯା’ନ୍ତାଣି । ଲବଙ୍ଗ ଭାବେ, କଣ୍ଟ୍ରାକ୍ଟ୍ରି ତ ହୋଇଗଲା, ଏବେ ବାହାଘରଟା ହୋଇଗଲେ ଭଲ ହୁଅନ୍ତା । ଏ ଦୁଃଖ, ଅଭାବ ଭରା ଜୀବନରୁ ମୁକ୍ତି ପାଇଯା’ନ୍ତି । ପୁଣି ଏବେ ସପନ ଦେଖିବାକୁ ଆରମ୍ଭ କଲାଣି ଲବଙ୍ଗ । ସାନବାବୁଙ୍କୁ ନେଇ ତା ଘର ସଂସାରର ସପନ, ସୁଖର ସପନ । ଏସବୁ ଅପରଛନିଆ କାମବାଲୀର ହୀନମାନିଆଁ ଜୀବନ ସେଠାରେ ନାହିଁ । ସେଠାରେ ବାବୁଆଣୀ ଜୀବନ, ଅର୍ଥ ଓ ପ୍ରାଚୁର୍ଯ୍ୟର ଜୀବନ । ସୁଖ ଓ ଶାନ୍ତିର ଜୀବନ ।
କାଲି ଅଲଣୀ ଆସିଥିଲା । କ’ଣ ହୋଇଛି ତା ଅବସ୍ଥା ! ଦୋଅର ପକ୍ଷରେ ବାହା ହୋଇଥିଲା । ଆଗପକ୍ଷର ପୁଅ, ଝିଅ ଯୋଡ଼େ ଥିଲେ, ପୁଣି ଅଲଣୀର ଦୁଇଟା ଝିଅ ହେଲାଣି । ଚାରି ଚାରିଟା ପିଲାଙ୍କୁ ପାଳିବା କ’ଣ ସହଜ ହୋଇଛି ? ତା ବରଟା ଷ୍ଟେସନରେ କୁଲି କାମ କରେ । ସେଠି ଷ୍ଟେସନ ପାଖରେ ଚାଳିଘର ଖଣ୍ଡେ କରି ରହିଛନ୍ତି । ସାନ ପିଲାଙ୍କୁ ଛାଡ଼ି ଅଲଣୀ କାମ କରିବାକୁ ଯାଇପାରେ ନାହିଁ । ଯେଉଁଦିନ କୁଲି କାମରୁ କିଛି ନ ମିଳିଲା, ସେଦିନ ଖାଡ଼ା ଓପାସ ରହିବାକୁ ପଡ଼ୁଛି । ଛୋଟ ପିଲାଗୁଡ଼ାକ ପେଜ, ତୋରାଣୀ ମୁନ୍ଦେ ପାଇଁ ବିକଳ ହୋଇ କାନ୍ଦନ୍ତି । ଓଃ, ଏତେ ଦୁଃଖ ପାଇବା ଅପେକ୍ଷା ବାହା ନ ହେବା ଭଲ ।
ତା ବୋଉର କଥା ମନେ ପଡ଼ିଗଲା ଲବଙ୍ଗର । କେମିତି ତା ବାପାଠାରୁ ନିଇତି ମାଡ଼ ଖାଉଥିଲା ସେ କଥା, ଚଳଚ୍ଚିତ୍ର ପରି ତା ଆଖି ଆଗରେ ଭାସିଗଲା । ନା… ନା… ସେ ଏମିତି ଅଛି, ଭଲ ଅଛି । ସେ ଏ ଗରିବ ଗୁରୁବାଙ୍କୁ ବାହା ହେବନି କି ହଟହଟା ହେବନି । ତା’ର ଦରକାର ବଡ଼ବାବୁ ଘର ପରି ସ୍ୱଚ୍ଛଳ ପରିବେଶ, ଧନ, ଧାନ୍ୟ, ଗୋପ, ଲକ୍ଷ୍ମୀ ଭରି ରହିଥିବା ଘର ଆଉ ଏସବୁ ତାକୁ ଦେଇପାରିବେ ସାନବାବୁ । ପୁଣି ସପନ ଦେଖିବା ଆରମ୍ଭ କରିଦିଏ ଲବଙ୍ଗ । ସୁଖମୟ ଜୀବନର ସ୍ୱପ୍ନ, ମଧୁର ଦାମ୍ପତ୍ୟ ଜୀବନର ସ୍ୱପ୍ନ । ଏଥର ତା’ର ସ୍ୱପ୍ନ ସତ୍ୟ ହେବାର ଦିନ ପାଖେଇ ଆସୁଛି । ସାନବାବୁ ତ ଯୋର୍ ସୋର୍ରେ କଣ୍ଟ୍ରାକ୍ଟ୍ରି କାମରେ ଲାଗିଛନ୍ତି, ବାହାଘର ପାଇଁ ଆଉ ଡେରି କରୁଛନ୍ତି କାହିଁକି ? ସେଦିନ ତ ‘ମା’ ନିଜେ ବାବୁଙ୍କୁ କହୁଥିଲେ, “କ’ଣ କହୁଛ ଯେ, ଏଥର ବାହାଘରଟା କରିଦେବା ?” ବାବୁ ଖବର କାଗଜ ଉପରୁ ମୁହଁ ଉଠାଇ କହିଲେ, “ଆରେ ବାବା, ଆଗ ଝିଅ ଠିକ୍ କର ।”
ଲବଙ୍ଗ ସେଇ ପାଖରେ ବସି ଅଟା ଚକଟୁଥିଲା । ‘ମା’ ତା ଆଡ଼କୁ ଚାହିଁ ଅଳ୍ପ ହସି ଉତ୍ତର ଦେଲେ, “କନ୍ୟା ପରା ମୋ ଆଖି ଆଗରେ ଅଛି, ତୁମେ ହଁ କହିଲେ ହେଲା ।” ଲବଙ୍ଗ ଲାଜରେ ଉଠିଗଲା ।
ନିଜ ବାହାଘର କଥା କେମିତି ବସି ଶୁଣିବ ? ଏଡ଼େ ଅଲାଜୁକୀ ତ ସେ ନୁହେଁ । ସେ ଗଲାପରେ ମା ଆଉ କ’ଣ କହିଲେ ସେ ଶୁଣିନି, କିନ୍ତୁ ଅନୁମାନ କରିନେଲା ଯେ, ମା ତାରି ବିଷୟରେ ନିଶ୍ଚୟ କହିଥିବେ, ଆକାଶ କୁସୁମଟା ତା ହାତପାହାନ୍ତାରେ ମିଳିଗଲା ଅବା । ମିଠା, ମିଠା ମଧୁର ସ୍ୱପ୍ନରେ ସେ ହଜିଗଲା ।
ଆଖି ଖୋଲୁ ଖୋଲୁ କାବା ହୋଇଗଲା ଲବଙ୍ଗ । ଏ… ମା… ଏତେବେଳ ହୋଇଗଲାଣି । ସେ ଆଜି ଶୋଇ ପଡ଼ିଛି । ଖରା ଆସି ଚାଳର କଣାବାଟେ ତା ମୁହଁରେ ପଡୁଛି । କେତେବେଳେ କାମକୁ ଯିବ ଯେ… । ଧଡ଼ପଡ଼ ହୋଇ ଉଠୁ ଉଠୁ ବସିପଡ଼ିଲା, ମୁଣ୍ଡଟା ଏମିତି ବୁଲାଇ ଦେଉଛି କାହିଁକି ? ନାଳମୁହଁ ପାଖକୁ ଉଠିଯାଇ ବହେ ବାନ୍ତି କରି ପକାଇଲା । କ’ଣ ହୋଇଛି, ଏମିତି କାହିଁକି ହେଲା ବୁଝିବା ପାଇଁ ଆଉ ଅସୁବିଧା ହେଲା ନାହିଁ । ହେ ଭଗବାନ, ବୋଝ ଉପରେ ପୁଣି ନଳିତା ବିଡ଼ା ।
ମନକୁ ମନ ଭାବିଲା ଲବଙ୍ଗ, ଯାହା ସେ ଦୁଃସ୍ୱପ୍ନ ପରି ଭୁଲିଯିବାକୁ ଚାହୁଁଥିଲା, ପାଟ ଓ ସେ ଗହଣାକୁ ଭଙ୍ଗା ବାକ୍ସରେ ଲୁଚାଇ ରଖିଲା ପରି, ଯାହାକୁ ସେ ସ୍ମୃତିର ଅଳିଆ ଗଦାରେ ଲୁଚାଇ ରଖିଥିଲା, ସେ ତ ସ୍ପଷ୍ଟ ଦିବାଲୋକ ପରି ଉଜ୍ଜ୍ୱଳ ହୋଇ ଉଠିଲାଣି । କେମିତି ଲୁଚାଇ ରଖିବ ସେ, ତା’ କଳଙ୍କିତ ଜୀବନର ଏ ଇତିବୃତ୍ତିକୁ ? କାନ୍ଦିଲା ଲବଙ୍ଗ, ମଥା ପିଟି ପିଟି କାନ୍ଦିଲା, ନିଜକୁ ଧିକ୍କାରିଲା, ନିଜ ଭାଗ୍ୟକୁ ନିନ୍ଦା କଲା ଶେଷରେ କାନ୍ଦି କାନ୍ଦି ଆଖିରୁ ସବୁ ଲୁହ ଶୁଖିଗଲା । ଦୁଇଦିନ କାଳ କାନ୍ଦି କାନ୍ଦି ଓ ବାନ୍ତି କରି କରି କତରା ଲଗା ହୋଇ ପଡ଼ିଲା ଲବଙ୍ଗ । କିଏ ପଚାରୁଛି ଏ ପଡ଼ାରେ କାହାକୁ ? କେହି କାହାର ଭାଇ, ବନ୍ଧୁ କି କୁଟୁମ୍ବ ନୁହନ୍ତି । ପେଟ ବିକଳରେ କିଏ କେଉଁଠୁ ଆସି ଏଠାରେ ମୁଣ୍ଡ ଗୁଞ୍ଜିଛନ୍ତି, ରୋଜ ଖଟିଲେ ଯାଇ ରୋଜ ଖାଆନ୍ତି । ଥରେ ଅଧେ ଲବଙ୍ଗର ହାଲ୍ଚାଲ ପଚାରିଦେଇ, ଯା କାମରେ ଯିଏ ବାହାରି ଯାଆନ୍ତି । ଲବଙ୍ଗ ବାହାନା କରି କହେ, ପେଟ ମୋଡ଼ି ହେଉଛି, ଝାଡ଼ା ହେଉଛି, ବାବୁଘର ଭୋଜି ହୋଇଥିଲା ତ, ତାକୁ ଖାଇ ଏ ଅବସ୍ଥା, କାମକୁ ଯିବା ଆଗରୁ ଓ କାମରୁ ଫେରିଲେ ବାମନା ଆସେ । କେତେବେଳେ ପାଉଁରୁଟି ଗୋଟେ କି ବିସ୍କୁଟ ଦୁଇଖଣ୍ଡ ଆଣିଦିଏ । ଲବଙ୍ଗକୁ କିଛି ପଚାରେ ନାହିଁ, ଖାଲି କହେ, “ଖାଇଦେ ଟିକେ, ଏମିତି ନ ଖାଇ ନ ପିଇ ପଡ଼ିରହିଲେ ବଞ୍ଚିବୁ କେମିତି ?” ବଞ୍ଚିବାର ଇଚ୍ଛା ଯେ ଲବଙ୍ଗ ମନରୁ ମରିଯାଇଛି ଏ କଥା ସେ ବାମନାକୁ କହିପାରେନି । ହେଲେ ନିଜକୁ ନିଜେ କହେ, “କେମିତି ବଞ୍ଚିବି ଏ ନିର୍ଲଜ ମୁହଁ ନେଇ ?” ଦୁଇଦିନ ପରେ ଆଜି ଟିକେ ଭଲ ଲାଗୁଛି ଲବଙ୍ଗକୁ । ନିଜ ମନକୁ ସେ ଦୃଢ଼ କଲା । କାହିଁକି ସେ ଲଜ୍ୟା କରିବ ? କାହିଁକି ଡରିବ ? ସେ ମାଙ୍କ ପାଖକୁ ଯିବ, ସବୁ ସତ ସତ କହିଦେବ । ସାନବାବୁଙ୍କୁ ବିଶ୍ୱାସ କରି ତ ଆଜି ଏ ଦଶା, ମା’ ତ ନିଜେ ଜଣେ ନାରୀ । ସେ ନିଶ୍ଚୟ ଲବଙ୍ଗର ଦୁଃଖ ବୁଝିବେ । ପୁଣି ଭାବିଲା, ନା… ନା… ମାଙ୍କୁ କହିବ ନାହିଁ, ସାନବାବୁଙ୍କୁ କହିବ । ସେ କଣ୍ଟ୍ରାକ୍ଟ୍ରି ପାଇବେ ବୋଲି ତ ଏତେ କଥା… । ସେ ଯଦି ଏ ପିଲାକୁ ବାପର ପରିଚୟ ଦେବେ ଓ ଲବଙ୍ଗକୁ ବାହାହୋଇ ପଡ଼ିବେ, ତେବେ ଏ କଳଙ୍କ ଚନ୍ଦନର ଟୀକା ହୋଇଯିବ । ଦୁନିଆଁ ଆଉ ଜାଣିବ କେମିତି ? ପୁଣି ଭାବିଲା, ସାନବାବୁ ଯଦି ଏ ପିଲାଟାକୁ ନଷ୍ଟ କରିଦେବାକୁ ଚାହିଁବେ… । ନା… ନା… ସେ ଏ କାମ କରିପାରିବ ନାହିଁ । ତା ପ୍ରଥମ ଗର୍ଭକୁ ନଷ୍ଟ କରିପାରିବ ନାହିଁ । ଦିନା ମଦୁଆ ମାଇପ ତ, ଏମିତି ପ୍ରଥମ ଗର୍ଭକୁ ନଷ୍ଟ କରିଦେଇ ଆଜି ବାଞ୍ଝ ହୋଇଯାଇଛି ।
ତେଣୁ ସେ ଠିକ୍ କଲା, ସଫା ସଫା ସାନବାବୁଙ୍କୁ କହିଦେବ, ତାଙ୍କ ପାଇଁ ହୋଇଥିବା ପାପକୁ ସେ ମୁଣ୍ଡାନ୍ତୁ । ତା ପେଟ ଭିତରେ ବଢ଼ୁଥିବା ଭ୍ରୂଣ ଟିର ବା ଦୋଷ କ’ଣ?
ଏମିତି ଚିନ୍ତାରେ ଚିନ୍ତାରେ ଅଥୟ ହୋଇ ପଡ଼ିଲା ଲବଙ୍ଗ । ଶେଷରେ ଖୁବ୍ ସାହସ କରି ବାବୁଙ୍କ ଘରକୁ ବାହାରି ପଡ଼ିଲା । ସେ ଜାଣିଥିଲା, ମା ଦେଖୁ ଦେଖୁ ବକିବେ । କହିବେ, ଦେହ ଯଦି ଭଲ ନ ଥିଲା, କାହାକୁ ପଠାଇ ଦେଲୁନି କାହିଁକି?
ମା’ ତ ଭାରି ଭଲ ଲୋକ । ସେ ଏତେ କଥା ଜାଣିବେ କୁଆଡ଼ୁ ?
ବାବୁଙ୍କ ଘରେ ପହଞ୍ଚୁ, ପହଞ୍ଚୁ ମା ଦେଖିଦେଇ କହିଲେ, “ହଇଲୋ ଲବଙ୍ଗ, କୁଆଡ଼େ ଦୁଇଦିନ ହେଲା ଥିଲୁ ? ତୋ ଦେହ କ’ଣ ଭଲ ନାହିଁ କି ?” ଲବଙ୍ଗ ଥଙ୍ଗେଇ ଥଙ୍ଗେଇ କହିଲା, “ନାଇଁ ମା, ଭଲ ଅଛି ଯେ… “ଆଲୋ ଯେ ପୁଣି କ’ଣ… ? ନେ ଆଗ ଏ ଲଡ଼ୁଟା ଖା, ତୋ ସାନବାବୁର କାଲି ନିର୍ବନ୍ଧ ହୋଇଗଲା ।” ନିର୍ବନ୍ଧ… ସତେ ଯେପରି ଲବଙ୍ଗର ଗୋଡ଼ ତଳୁ ମାଟି ଖସିଗଲା । କେଉଁ ଏକ ବିରାଟ ଖାଲରେ ସେ କେବଳ ତଳକୁ, ଗଭୀର ତଳକୁ ଖସିପଡୁଥିଲା । ଲଡ଼ୁଟା ହାତରେ ଧରି ସେ କାବା ହୋଇ ଚାହିଁଲା ‘ମା’ଙ୍କୁ । ହଇଲୋ ବୋକାଙ୍କ ପରି ଚାହୁଁଛୁ କ’ଣ ବା ? ଏକା ଏକା ଯେଉଁ ହଇରାଣ, ଯା ହେଉ ନାନୀ ଆସିଲେ ବୋଲି ଟିକେ ସୁବିଧା ହେଲା, ନଇଲେ ମୁଁ କ’ଣ ପାରିଥାନ୍ତି ?
ଲବଙ୍ଗ ସେମିତି ଲଡ଼ୁଟା ଧରି ଠିଆ ହୋଇଥିଲା, ଏତେବଡ଼ ଲଡ଼ୁଟା ତାକୁ ବିଷ ମୁଣ୍ଡା ପରି ଦିଶୁଥିଲା । ମା ଲବଙ୍ଗର ଏ ପରିବର୍ତ୍ତନକୁ ଲକ୍ଷ୍ୟ ନ କରି କହିଲେ, ଜାଣିଛୁ, ତୋ ସାନବାବୁ ଏ କଣ୍ଟ୍ରାକ୍ର୍ଟି କାମ ଖୁବ୍ ଭଲ କରୁଛି । ସେଥିପାଇଁ ଜଗମୋହନ ବାବୁ ବୋଲି ଜଣେ ବଡ଼ କଣ୍ଟ୍ରାକ୍ଟର ନିଜେ ଆସି ତାଙ୍କ ଝିଅ ପାଇଁ ପ୍ରସ୍ତାବ ଦେଲେ ଝିଅଟି ବି.ଏ. ପଢ଼ିଛି, ଦେଖିବାକୁ ସୁନ୍ଦର, ପୁଣି ଦୁଇ ଲକ୍ଷ ଟଙ୍କା ନଗଦ ଦେବେ । ସେଦିନ ତୋ ବଡ଼ବାବୁଙ୍କ ଆଗରେ ମୁଁ ତାଙ୍କରି ବିଷୟ କହୁଥିଲି ପରା । ଲବଙ୍ଗ ନିଜକୁ ନିଜେ ଧିକ୍କାରିଲା, “କେଡ଼େ ବୋକା ମୁଁ ସତେ, ମା ୟା’ଙ୍କ ବିଷୟରେ କହୁଥିଲେ, ଆଉ ମୁଁ ଭାବିଲି ମୋ ବିଷୟରେ ବୋଲି ।”
“ମମି ଟିକେ ଚା ଦେଲ”, ଉପର ଘରୁ ସାନବାବୁ ଡାକ ଛାଡ଼ିଲେ । ‘ମା’ କହିଲେ, ପଛେ ବାସନ ମାଜିବୁ, ଆଗ ସାନବାବୁକୁ ଟିକେ ଚା କରି ଦେଇଦେ । ତୁ ନିଜେ ମଧ୍ୟ ପିଅ ଆମେ ତୋ ବଡ଼ବାବୁ ଓ ମୁଁ ଚା ପିଇ ସାରିଲୁଣି ।
ଲବଙ୍ଗର ପାଟି ଶୁଖି ଯାଉଥିଲା, ତଣ୍ଟି ଅଠା ଅଠା ହୋଇଯାଉଥିଲା । ଗୋଡ଼ହାତ ଥରୁଥିଲା । ତଥାପି ସେ ଧୈଯ୍ୟ ଧରିଲା । ଶେଷ ଆଶାଟିକକ ତା’ର ମଉଳି ନଥିଲା । “ସାନବାବୁ ଏ ପର୍ଯ୍ୟନ୍ତ କ’ଣ କହିପାରିଲେ ନାହିଁ ଯେ ସେ ଲବଙ୍ଗକୁ ଭଲ ପାନ୍ତି ବୋଲି ? ଭାରି ଲାଜକୁଳା ।” ନିଜକୁ ନିଜେ କହିଲା ଲବଙ୍ଗ, ପୁଣି ଚା’ ତିଆରି କରୁ କରୁ ଭାବିଲା, ହୁଏତ ମୋତେ ଅପେକ୍ଷା କରିଛନ୍ତି । ଆଜି ନିଶ୍ଚୟ ମୋ ହାତ ଧରି କହିବେ, “ମା, ମୁଁ ଲବଙ୍ଗକୁ ଭଲ ପାଏ ।” ପିଲାବେଳୁ ଭଲପାଏ । ଲବଙ୍ଗ ଛଡ଼ା ଆଉ କାହାକୁ ବାହା ହେବିନି । ଏ ବାହାଘର ଭାଙ୍ଗିଦିଅ । ଏମିତି କେତେ କ’ଣ, ଯାହାସବୁ ଲବଙ୍ଗ ସିନେମାରେ ଦେଖିଥିଲା, ସେସବୁ କଳ୍ପନା କରୁ କରୁ ଚା’ ନେଇ ସାନବାବୁଙ୍କ ବଖରାକୁ ଗଲା ।
ସାନବାବୁ ଚଉକୀରେ ବସି ଗୋଟେ ଫଟୋକୁ ଏକଲୟରେ ଦେଖୁଥିଲେ । ବାବୁ, ଚା… । ହଁ, ସେଇଠି ରଖିଦେ ଆଖି ନ ଉଠାଇ କହିଲେ ସାନବାବୁ । ବାବୁ… । କ’ଣ କିଛି କହିବୁ ? ଏଥର ଲବଙ୍ଗର ମୁହଁକୁ ଚାହିଁଲେ ସାନବାବୁ । ବାବୁ, ଅଘଟଣ ଘଟି ଯାଇଛି । ମୋ ପେଟରେ ତୁମ ସାଙ୍ଗମାନଙ୍କର ପିଲା … । ଚମକି ଚାହିଁଲେ ସାନବାବୁ, କ’ଣ କହିଲୁ… ? ଲବଙ୍ଗ ଆଖିରୁ ଥପ୍ଥପ୍ ଲୁହ ଗଡ଼ିଗଲା ।
ହଉ… ହଉ, ଠିକ୍ ଅଛି । ତୁ କାନ୍ଦେନା, ମୋର ଜଣେ ସାଙ୍ଗ ଡାକ୍ତର ଅଛି । ତାକୁ କହିଲେ ସବୁ ସଫା କରିଦେବ। ମୁଁ ତାକୁ ଫୋନ୍ କରିଦେଉଛି । ତୁ ଆଜି ସନ୍ଧ୍ୟା ବେଳେ ସେଠାକୁ ଯା ।
ନାଇଁ… ବାବୁ… ମୁଁ କ’ଣ କହୁଥିଲି କି…। କ’ଣ କହିବୁ କହୁନୁ । ପ୍ରଥମ ଗର୍ଭ ନଷ୍ଟ କରିଦେଲେ ଜଣ ଜଣଙ୍କର ଆଉ ପିଲା ହେଉନି ତେଣୁ…
ସାନବାବୁ କଟମଟ କରି ଲବଙ୍ଗକୁ ଚାହିଁଲେ ।
ଲବଙ୍ଗ ସାହସ କରି କହିଲା, “ତେଣୁ ଯଦି ବାହାଘରଟା ହୋଇଯାଆନ୍ତା, ୟାକୁ ମୋ ପିଲା ବୋଲି ପରିଚୟ ଦେଇ ହୁଅନ୍ତା ।”
ବାହାଘର ? ତୁ ବାହା ହେବା ପାଇଁ ଚାହୁଁଛୁ ? କ’ଣ କୌଣସି ରିକ୍ସାବାଲାକୁ ଠିକ୍ କରିଛୁ କି? ଦେଖ, ସେ ଯଦି ଏ ପିଲାକୁ ବାପର ପରିଚୟ ଦେଇ ରଖିବାକୁ ରାଜି ହେବ, ମୋର ଆପତ୍ତି ନାହିଁ ।”
ଲବଙ୍ଗର ତଣ୍ଟି ଶୁଖିଗଲା । ଦେହ ମୁଣ୍ଡ ଝିମିଝିମି କରିଗଲା । ସେ କେଉଁ ରିକ୍ସାବାଲାକୁ ବାହାହେବ ? ସାନବାବୁଙ୍କ ପ୍ରତି ତା ପ୍ରେମ, ପ୍ରଣୟ ଓ ଭଲ ପାଇବା ସବୁ ତେବେ କ’ଣ ମିଛ ? ସିନେମାର ହିରୋ ପରି ତ ସାନବାବୁ କାହିଁ ତା ହାତ ଧରି କହୁନାହାନ୍ତି, ‘ତୁ ଜମାରୁ ବ୍ୟସ୍ତ ହେନା ଲବଙ୍ଗ, ମୁଁ ତୋତେ ବିବାହ କରିବି, ସମାଜ, ଜାତି, ଯୌତୁକ ଯେ ଆମ ପଥରେ ଠିଆ ହେବ, ମୁଁ ତା’ଠାରୁ ଦୂରେଇ ଯିବି, ହେଲେ ତୋତେ ଛାଡ଼ି ବଞ୍ଚି ପାରିବି ନାହିଁ ।’
ଲବଙ୍ଗର କହିବାକୁ ଇଚ୍ଛା ହେଉଥିଲା ଯେ, “ସାନବାବୁ, ମୁଁ ତୁମ ଛଡ଼ା ଆଉ କାହାକୁ ବାହା ହୋଇପାରିବି ନାହିଁ । ପିଲାଟି ବେଳୁ ମୁଁ ତୁମକୁ ଭଲପାଇ ବସିଛି । ତୁମରି ପାଇଁ ନିଆଁକୁ ଅଣ୍ଟିରେ ପୂରାଇଛି ।” ହେଲେ ଲବଙ୍ଗ ପାଟିରୁ କଥା ବାହାରିଲା ନାହିଁ । ଅମାନିଆଁ କୋହଗୁଡ଼ାକ ତାକୁ ବାକ୍ରୁଦ୍ଧ କରି ପକାଇଲା । କେବଳ ନୀରବରେ କାନ୍ଦିଲା ସେ ।
ଲବଙ୍ଗ ଆଡ଼କୁ ପଚାଶ ଟଙ୍କିଆ ନୋଟ୍ ଗୋଟେ ବଢ଼ାଇଦେଇ ସାନବାବୁ କହିଲେ, “ହଉ ଯା… ଯା… ଏଠାରେ ଆଉ ଏତେ ସୁଆଙ୍ଗ କରନା, ସେ ପିଲାକୁ ରଖ କି ମାର, ଯାହାକୁ ଇଚ୍ଛା ବାହା ହ, ମୋର କିଛି ଯାଏ ଆସେ ନାହିଁ ।” ଲବଙ୍ଗ ଟଙ୍କାଟା ନେଲା ନାହିଁ, କେବଳ କୋହ ଦେଇ କାନ୍ଦିଲା । ସାନବାବୁ ବିରକ୍ତ ହୋଇଗଲେ, ସକାଳୁ ସକାଳୁ ଆଜି ମନଟା ଭାରି ଭଲ ଥିଲା । ଏତେବଡ଼ କଣ୍ଟ୍ରାକ୍ଟରଙ୍କ ଜୋଇଁ ହେବି, ପୁଣି ଦୁହିତାଟି ଏଡ଼େ ସୁନ୍ଦର, ଫଟୋଟାକୁ ମୁହୂର୍ତ୍ତେ ମଧ୍ୟ ପାଖରୁ ଛାଡ଼ିବାକୁ ଇଚ୍ଛା ହେଉନାହିଁ ।
ଏତିକି ବେଳକୁ ଏ ଝାମେଲା । ସେ ପଚାଶ ଟଙ୍କା ସହିତ ଆଉ ପଚାଶ ଟଙ୍କା ମିଶାଇ ଲବଙ୍ଗ ଆଡ଼କୁ ବଢ଼ାଇଦେଲେ, କହିଲେ, ନେ, ଶହେ ଟଙ୍କା ନେ, ଆଉ କାନ୍ଦେନା । ତୋ ପରି ଝିଅମାନଙ୍କୁ କୋଡ଼ିଏ କି ତିରିଶି ଟଙ୍କା ଦେଲେ ଆସୁଛନ୍ତି, ମୁଁ ଖାଲି ଚିହ୍ନା ଝିଅଟା ବୋଲି ପଚାଶ ଟଙ୍କା ଦେଲି ଯେ ତୋ ମନପାଉନି । ନେ ଶହେ ଟଙ୍କା ନେଇ ଚୁପ୍ କରି ଚାଲିଯା । ତୋ ନୂଆ ସାନ ମା ଆସିଲେ ତାଙ୍କୁ କହିବି ତୋତେ ଗୋଟିଏ ଭଲ ଶାଢ଼ୀ ଦେବେ । ଲବଙ୍ଗ ସେ ଟଙ୍କାକୁ ଛୁଇଁଲା ନାହିଁ । ସେମିତି କାନ୍ଦୁ, କାନ୍ଦୁ ଥୁ କରି ସାନବାବୁଙ୍କ ଉପରକୁ ମେଞ୍ଚାଏ ଛେପ ଫୋପାଡ଼ି ଦେଇ ଦଉଡ଼ି ଦଉଡ଼ି ପଳାଇ ଆସିଲା ଗେଟ୍ ବାହାରକୁ ଆସିଲାଣି, ମା’ ଦେଖି ଦେଲେ କି କ’ଣ, ଡାକ ଛାଡ଼ୁଥିଲେ, ଆଲୋ ଲବଙ୍ଗ, କୁଆଡ଼େ ଯାଉଛୁ, ଶୁଣ… ଶୁଣ…
ଲବଙ୍ଗ ଚାଲିଛି ଯେ ଚାଲିଛି, ନାକସିଧା ଚାଲିଛି ।
କେତେ ବାଟ ଆସିଲାଣି, ସେଥିକୁ ହେଜ ନାହିଁ । ଆସି ନଦୀ ବନ୍ଧ ଉପରେ ପହଞ୍ଚିଗଲାଣି । ଜାଗାଟା ସାମାନ୍ୟ ନିରୋଳା । କେହି କୁଆଡ଼େ ନାହାନ୍ତି । ନଦୀ ବନ୍ଧ ଉପରେ ଥକ୍କା ମାରି ବସି ପଡ଼ିଲା । ସେ ସକାଳ ପହରୁ କିଛି ଖାଇନି । ପେଟ ଭିତରୁ ଖାଲି ଓକାର ବାହାରି ଆସୁଛି । ଆଖିରୁ ଯେତେ ଲୁହ ପୋଛିଲେ ବି ଲୁହଗୁଡ଼ା ସରୁନି । ଶେଷରେ ସାନବାବୁ ତାକୁ ଗୋଟେ ବେଶ୍ୟା ଭାବିଲେ ! ତା ହେଲେ ସେ ସିନେମାରେ ଯାହା ସବୁ ଦେଖି ଆସିଛି, ସେସବୁ ଏକବାର ମିଛ କଥା । ସେଠି ତ ଭଲପାଇବା ବଦଳରେ ଭଲ ପାଇବା ମିଳେ, ଏଠି ଏ ପ୍ରତାରଣା କାହିଁକି ? ଗାଲରେ ହାତ ଦେଇ ବସି ଭାବୁଥାଏ ଲବଙ୍ଗ, ଯେ ସେ ଯାହା ଚିନ୍ତା କରୁଥିଲା, ଯେଉଁ ସ୍ୱପ୍ନରେ ବିଭୋର ଥିଲା, ସବୁ ତେବେ ମିଛ, ଡାହା ମିଛ ! ସ୍ୱପ୍ନ ଭଙ୍ଗର ଏ କଷ୍ଟ ସେ ସହିବ କିପରି ? କେମିତି ବଞ୍ଚିବ ଏ ନିର୍ଲଜ, କଳଙ୍କିତ ଜୀବନକୁ ନେଇ । ଛି, ନିଜ ଉପରେ ତା’ର ଖୁବ୍ ଘୃଣା ଆସିଲା । ଏ ଘୃଣ୍ୟ ଜୀବନ ନେଇ ଆଉ ବଞ୍ଚି ଲାଭ କ’ଣ? ନଦୀ ବନ୍ଧ ତଳକୁ ଚାହିଁଲା ଲବଙ୍ଗ, ଶ୍ରାବଣ ମାସର ଗୋଳିଆ ବର୍ଷା ପାଣି ଘୁ… ଘୁ… ହୋଇ ବୋହିଯାଉଛି । ସେ ଉଠି ଠିଆ ହେଲା । ମୁଣ୍ଡଟା ବୁଲାଇ ଦେଉଛି । ଡେଇଁପଡ଼ିଲେ ସବୁ କଷ୍ଟ ଦୂର ହୋଇଯିବ । ଏ ହୀନିମାନିଆଁ, ଅଲୋଡ଼ା ଜୀବନରୁ ମୁକ୍ତି ମିଳିଯିବ ।
ଏ… କ’ଣ, ସେ ଡେଇଁ ପାରୁନି କାହିଁକି ? ସତେ ଯେମିତି ମହଣ ମହଣ ଓଜନର କିଛି ଗୋଟେ ତା ପାଦ ଦୁଇଟାକୁ ଭିଡ଼ି ଧରିଛି । ଚମକି ଚାହିଁଲା ଲବଙ୍ଗ । ଆରେ… ଏ ତ ବାମନ… । ବାମନ ତା ଗୋଡ଼ ଯୋଡ଼ିକ ଭିଡ଼ିଧରି ପାଟି କରୁଛି, “ଲବଙ୍ଗ, ଏ କାମ କରନା ଲବଙ୍ଗ” ଲବଙ୍ଗ ବିକଳରେ କାନ୍ଦି,କାନ୍ଦି କହିଲା, “ମୋତେ ଛାଡ଼ିଦେରେ ବାମନା, ମୁଁ ଆଉ ବଞ୍ଚି ରହିବା ପାଇଁ ଉପଯୁକ୍ତ ନୁହେଁ ।” ମୋର ସବୁ ସରିଯାଇଛିରେ ବାମନା, ସାନବାବୁ ମୋତେ ଧୋକା ଦେଲେ । ଠକିଦେଲେ । ମୁଁ ଆଉ କାହା ପାଇଁ ବଞ୍ଚିବି ?
ବାମନା କହିଲା, “ମୁଁ ସବୁ ଜାଣିଛି, ତୁ କାରରେ ବସି ସାନବାବୁଙ୍କ ସହିତ ହୋଟେଲ୍କୁ ଗଲାବେଳେ ଦେଖିଥିଲି । ମଲାପରି ହୋଇ ଯେତେବେଳେ ଫେରିଆସିଥିଲୁ, ମୁଁ ସବୁ ବୁଝିପାରିଥିଲି । ଏଇ ଯେ ଦୁଇଦିନ ହେଲା ଉଠୁନଥିଲୁ, ବାନ୍ତି କରୁଥିଲୁ ତା ମଧ୍ୟ ମୁଁ ଜାଣେ । ମୁଁ ବାମନଟିଏ ହେଲି ବୋଲି କ’ଣ ମଣିଷ ନୁହେଁ, ମୁଁ କ’ଣ ଏ ଦୁନିଆଁର ଭଲ ମନ୍ଦ ସବୁ କଥା ବୁଝିପାରୁନି?”
“ଯଦି ଏତେ କଥା ବୁଝିପାରୁଥିଲୁ, ମୋତେ କାହିଁକି ବୁଝାଇ ଦେଲୁନି, ” ଲୁହ ପୋଛି ପଚାରିଲା ଲବଙ୍ଗ । ତୋତେ ବୁଝାଇବାକୁ ବହୁତ ଚେଷ୍ଟା କରିଛି ଯେ, ତୁ ମାୟାମିରିଗ ଧରିବାକୁ ଚେଷ୍ଟା କରୁଛୁ, ମରିଚିକାକୁ ପାଣି ଭାବି ଧାଉଁଛୁ, ଆକାଶ କୁସୁମ ତୋଳିବାକୁ ଇଚ୍ଛା କରୁଛୁ, ହେଲେ ତୁ କ’ଣ କେତେବେଳେ ମୋ କଥା ଶୁଣୁ। “ତୁ ତ ସିନେମା ଦେଖି ଦେଖି ଆଖିରେ ଗୋଟିଏ ରଙ୍ଗୀନ୍ ଚଷମା ପିନ୍ଧିଥିଲୁ ଯେ ତୋ ଆଖିକୁ ସବୁ ସୁନ୍ଦର ଦିଶୁଥିଲା । ମୋତେ ଦେଖିଲେ ମୁହଁ ଛିଞ୍ଚାଡୁଥିଲୁ । ମୁଁ ଆଉ କ’ଣ କରିଥାନ୍ତି ଯେ ? ମୁଁ ଜାଣିଥିଲି, ଦିନେ ତୋ ସପନ ଭାଙ୍ଗିବ ଆଉ ତୁ ପୁଣି କାମବାଲୀ ଲବଙ୍ଗ ହୋଇ ଫେରି ଆସିବୁ । ସେଇ ଦିନର ଅପେକ୍ଷାରେ ମୁଁ ଥିଲି, ହେଲେ ମୁଁ କ’ଣ ଜାଣିଥିଲି ତୁ ଏମିତି ନିଜକୁ ନିଜେ ନିସ୍ୱ କରିଦେବୁ ବୋଲି, କହିସାରି ଦୀର୍ଘନିଶ୍ୱାସ ମାରିଲା ବାମନ ।
ଫୁଲି ଫୁଲି କାନ୍ଦୁ କାନ୍ଦୁ ଲବଙ୍ଗ କହିଲା, “ସବୁ ସପନ ଭାଙ୍ଗିଗଲା ପରେ, ସବୁ ଆଶା ମରିଗଲାରେ, ଏ ଅବାଞ୍ଛିତ ପାପଗର୍ଭକୁ ନେଇ ଆଉ କାହିଁକି ବଞ୍ଚିବି ?” ମୋତେ ମରିଯିବାକୁ ଦେ ରେ ବାମନା”, କହୁ କହୁ ପୁଣି ପାଣିକୁ ଡେଇଁ ପଡ଼ିବା ପାଇଁ ଉଠି ପଡ଼ିଲା ଲବଙ୍ଗ । ବାମନା ତାକୁ ଦୁଇଟି ଛୋଟ ଛୋଟ ବାମନ ହାତରେ ଭିଡ଼ିଧରି କହିଲା, “ତୁ କ’ଣ ଏକା ମରିଗଲେ ଭାବୁଛୁ ସମସ୍ୟାର ସମାଧାନ ହୋଇଯିବ ? ତୋ’ ପରି ହଜାର ହଜାର ଲବଙ୍ଗମାନଙ୍କୁ ଏ ବଡ଼ଲୋକମାନେ ଅର୍ଥର ମୋହରେ ଅନ୍ଧ କରାଇ କେତେ ପ୍ରକାରରେ ପ୍ରଲୋଭିତ କରି ନଷ୍ଟ କରିଦେଉଛନ୍ତି । କେତେକଙ୍କୁ ନେଇ କୋଠୀରେ ବସାଇ ବେଶ୍ୟା କରିଦେଉଛନ୍ତି, ଆଉ କେତେକଙ୍କୁ ଅର୍ଦ୍ଧଉଲଗ୍ନ କରି ସିନେମାମାନଙ୍କରେ ନଚାଇ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି । ପୁଣି କେତେକଙ୍କର ଅଶ୍ଳୀଳ ଫଟୋ ଉଠାଇ ବ୍ଲୁ ଫିଲ୍ମ କରି ବିକୁଛନ୍ତି । ଯେଉଁ ନାରୀ ଜନନୀ, ଭଗିନୀ ଓ ଜାୟା ରୂପରେ ଚିର ପୂଜ୍ୟା, ତା’ ଦେହକୁ ନେଇ କେତେ ପ୍ରକାରର ବେପାର କରୁଛନ୍ତି । ତେଣୁ ତୁ ବଞ୍ଚିରହି ଯଦି ଏମିତି କେଉଁ ଲବଙ୍ଗକୁ ନଷ୍ଟ ମୁହଁରୁ ବଞ୍ଚାଇ ପାରିବୁ, ତେବେ ସେଇଟା ହେବ ତୋ ଜୀବନର ବଡ଼ କାମ ।”
ବାମନାର କଥା ଶୁଣି ଆଁ ହୋଇ ଚାହିଁ ରହିଲା ଲବଙ୍ଗ । ମନେ ମନେ ଭାବିଲା, କେତେ କଥା ଜାଣିଲାଣି ବାମନା, କେତେ ବୁଦ୍ଧି ହେଲାଣି ତା’ର ! ହେଲେ ଏ ତ ଦୁନିଆଁର ଦୁଃଖ, ତା ନିଜ ଦୁଃଖ ତ ବଳେଇ ପଡ଼ୁଛି, ଦୁନିଆଁ କଥା ଭାବିବ କ’ଣ ? ପୁଣି ଭୋ… ଭୋ… କାନ୍ଦି କହିଲା, “କେମିତି ବଞ୍ଚିବିରେ ବାମନ ? ଚାରିଆଡ଼େ ତ ମୋତେ ଅନ୍ଧାର ଦିଶୁଛି । ଏ ପାପଗର୍ଭକୁ ଦେଖି କିଏ ଆଉ ମୋତେ ଆପଣା କରିବ ? କାହା ଭରସାରେ ବଞ୍ଚିବି? ନିଜେ ବଞ୍ଚିଲେ ସିନା ମୋ’ପରି ଅନ୍ୟ ଦୁଃଖୀମାନଙ୍କ କଥା ଭାବିବି ।
ବାମନା ତା ଛୋଟ ଛୋଟ ହାତ ଦୁଇଟିରେ ଲବଙ୍ଗର ହାତକୁ ଧରି କହିଲା, “ବ୍ୟସ୍ତ ହନା ଲୋ ଲବଙ୍ଗ, ତୋର ସାହା ଭରସା ହେବା ପାଇଁ ସବୁଦିନ ମୁଁ ପ୍ରସ୍ତୁତ ଅଛି । ତୁ ମୋ’ ସହିତ ଆ, ମୁଁ ତୋତେ ବଞ୍ଚିବାର ନୂଆ ରାସ୍ତାଟିଏ ଦେଖାଇ ଦେବି । ତା ସହିତ ତୋ ଉପରେ ହୋଇଥିବା ଅନ୍ୟାୟର କିପରି ପ୍ରତିଶୋଧ ନେବୁ ସେ ଉପାୟ ମଧ୍ୟ ବତାଇ ଦେବି ।” ଲବଙ୍ଗ କାବା ହୋଇ ଭାବୁଥିଲା, ବାମନାର ପୁଣି ଏତେ ବୁଦ୍ଧି। ଆଜି ବାମନାର ହାତ ଧରି ଘରକୁ ଫେରିଲା ବେଳେ ତା’ର ଏ ଅପରଛନିଆଁ ରୂପ ଆଉ ବାମନା ଚେହେରା ଲବଙ୍ଗକୁ ଭାରି ଭଲ ଲାଗୁଥିଲା ।
– ପରେ –
