କବିତା

ନିଃସଙ୍ଗ ଶିଳ୍ପି

Binay Mohapatra's odia poem Nihsanga Shilpi

ହେ କୋଣାର୍କ ସୁନ୍ଦରୀ,
ତୁମେ ତ ପଥରରେ ଜୀବନ୍ତ ମୁର୍ତ୍ତୀ,
ତୁମର ସେ ଲାସ୍ୟମୟୀ ରୂପରେ
ଆଜି ବି ଝଟକୁଛି ପ୍ରେମର ଲାବଣ୍ୟ,
ତୁମ ଓଠ, ଚିବୁକର ଚମକରେ ।

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କିଏ ବା ଜାଣିଛି, କହି ଦେବ,
କୋଣାର୍କର ସେଇ ଶିଳ୍ପୀ,
କେଉଁ ବୟସର ଥିଲା ?
ଯିଏ ପଥର ବୁକୁରେ,
ନିହଣକୁ ହାତୁଡି଼ରେ ପିଟି ପିଟି,
ନିଜର କ୍ଷତାକ୍ତ ହାତରେ,
ପଥରକୁ ଲାସ୍ୟମୟୀ, ପ୍ରେମିକାର
ପ୍ରେମିକାର ରୂପ ଦେଇ ଦେଲା,
ଲହୁ ଲୁହାଣ ହୃଦୟକୁ ମାରି
ପାଷାଣରେ ଜୀବନ୍ୟାସ ଦେଲା ।

କିଏ ବା ପାରିବ କହି,
କାହା ରୂପ ନାଚୁ ଥିଲା,
ତା ଆଖି ଆଗରେ, ତାର କଳ୍ପନାରେ,
ତାର ବିରହ ବିଧୁର ମାନସ ପଟରେ ?
କାହା କଥା ଭାବୁ ଥିଲା ସିଏ,
ତାର ପତ୍ନୀ, ନା’ ପ୍ରେମିକାର କଥା?
କେଉଁ ସ୍ୱପ୍ନ ଆବୋରି ନେଇ ଥିଲା
ତାର ନିଦ୍ରାହୀନ ତୃଷାର୍ତ୍ତ ଆଖିରେ ?

ହେ କୋଣାର୍କ ସୁନ୍ଦରୀ,
ତୁମେ ତ ପଥରରେ ଜୀବନ୍ତ ମୁର୍ତ୍ତୀ,
ତୁମର ସେ ଲାସ୍ୟମୟୀ ରୂପରେ
ଆଜି ବି ଝଟକୁଛି ପ୍ରେମର ଲାବଣ୍ୟ,
ତୁମ ଓଠ, ଚିବୁକର ଚମକରେ ।
ଆଜି କି ମନେ ପଡ଼େ ସେଇ ଶିଳ୍ପୀ,
ତାର ମାଂସାଳ ବାହୁ ଆଉ,
ଚଉଡା ଲୋମଶ ଛାତି ତଳେ,
କେତେ ପ୍ରେମ ଲୁଚି ଥିଲା,
ଦୁକ୍ ଦୁକ୍ ହେଉଥିବା
ତା’ର ସେହି ପ୍ରେମିକ ହୃଦୟରେ ?

ଆଜି କି ମନେ ପଡେ ସିଏ,
ଯିଏ, ନିଜେ ତ ମରି ଗଲା,
ତିଳ ତିଳ ଜଳି ଜଳି ବିରହରେ,
କାମନାର ଜ୍ୱଳନ୍ତ ଅଗ୍ନିରେ,
ବୈଶାଖର ନିଦାଘ, ଦିନ ଦିପହରେ,
ଅବା ଶ୍ରାବଣର ବର୍ଷିଳ, ନିସଙ୍ଗ ସଂଧ୍ୟାରେ,
କିନ୍ତୁ ଅମର କରି ଗଲା, ତାର ପ୍ରେୟସୀକୁ
ତୁମ ପାଷାଣ ପ୍ରତିମାରେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top