ପିଲାବେଳର କଥା । ସବୁଦିନ ପରି ସ୍କୁଲ୍କୁ ବାହାରିଥିଲୁ ମୁଁ ଆଉ ମୋ ସାନ ଭଉଣୀ । ଆମେ ଦୁହେଁ ଘରେ କେବଳ ମା’ର ହିଁ ନିକଟତର । ମା’ ଆମକୁ ଭାରି ଆଦର କରେ ହେଲେ ଆଜି ତା’ର କ’ଣ ହୋଇଛି କେଜାଣି ? ଘରେ ଝିଅମାନଙ୍କୁ କେହି ଖାସ ପସନ୍ଦ କରନ୍ତିନି, ଏମିତିକି ବାପା ବି ଆମକୁ ଅଣଦେଖା କରିଦିଅନ୍ତି । ମୋ ମା’ର ସେମିତି କିଛି ସମ୍ମାନ ନ ଥିଲା ଘରେ । ତେଣୁ ଭଲ ମନ୍ଦ ଖାଇବା ପିନ୍ଧିବା ଆମ ପାଇଁ ଏକ ସ୍ୱପ୍ନ ପରି । କିନ୍ତୁ ତଥାପି ମୋ ମା’ ଏସବୁ ମଧ୍ୟରେ ରହିବି ଆମ ପାଇଁ ଟିକିଏ ଖୁସି ଆଣିଦିଏ । ଆଉ ଆମେ ପିଲାମାନେ ସେଇଥିରେ ଖୁସି ହୋଇଯାଉ ଆଉ ବେଳେ ବେଳେ ବିରୋଧ କରି ମା’କୁ ଦୁଃଖି ବି କରିଦେଉ । ସେ ଯାହା ହେଉ ଆଜି ମା’କୁ କ’ଣ ହୋଇଛି ଆମେ ବୁଝିପାରି ନଥିଲୁ । ସକାଳୁ ସବୁ କାମ ତ କରୁଛି ଖାଲି ଆମ ପାଇଁ କିଛି ଭଲ ରାନ୍ଧିନି । ଏତେ ବେଳ ହେଲାଣି । ମାଗି ମାଗି ବାପାଠୁ ଗାଳି ବି ଶୁଣିଲୁଣି । ଭାରି ରାଗ ମାଡୁଥିଲା ମା’ ଉପରେ । ଶୁଖିଲା ପଖାଳ ମୁଠିଏ ବାଢ଼ିଦେଲା ଆମ ଲାଗି । ଆଖି ଛଳଛଳ କରି ରାଗରେ ମା’କୁ ଚାହିଁଲି । ବାପାଙ୍କୁ ବାହାରକୁ ଯିବାର ଦେଖି ମା’ ତା’ କାନିରୁ ଟଙ୍କାଟିଏ ବାହାର କରି ଥିରି କରି ମୋ ହାତରେ ଖେଞ୍ଚି ଦେଲା କହିଲା କଣ କିଣିକି ଖାଇଦେବ । ମୋ ମା’ଟା ପରା ଏବେ ଯାଇଥା’ ଆସିଲେ ଯାହା କହିବୁ କରିକି ଦେବି । ରାଗିକି ମୁଁ ଚାଲିଗଲି । ଆଉ କିଛି ସମୟ ପରେ ସେସବୁ କଥା ଭୁଲିଗଲି ।
ସନ୍ଧ୍ୟାରେ ଘରକୁ ଫେରିଲା ବେଳେ ଆମ ଘରେ ସାହି ସ୍ତ୍ରୀ ଲୋକମାନଙ୍କୁ ଦେଖିଲି । ଆମେ ଦୁହେଁ ଜଲଦି ଘର ଭିତରକୁ ଦୌଡ଼ିଗଲୁ ତ ଜେଜେମା’ କହିଲେ ଦେଖିବୁ ଯା’ ତୋର ଭାଇ ଆସିଛି । ଖୁସିରେ ଗୋଡ଼ ତଳେ ଲାଗୁନଥିଲା । ରକେଟ୍ ପରି ମା’ ପାଖରେ ପହଞ୍ଚିଗଲି । ସକାଳ ରାଗ କୁଆଡ଼େ ଉଭେଇ ଯାଇଥିଲା । ଗାଁ ଘରର ସେ କ’ଣ ଗମ୍ଭୀରି ଘରେ ମୋ ମା’ ମୋ ଭାଇକୁ ଧରି ବସିଥିଲା । ମତେ ଦେଖି ତା ଆଖି ଗୁଡ଼ିକ ଚମକାଇ ପଚାରିଲା “ଧରିବୁ ଭାଇକୁ ??”
ଆଜି କୋଡ଼ିଏ ବର୍ଷ ପରେ ଯେତେବେଳେ ମୁଁ ମେଡ଼ିକାଲ୍ ବେଡ୍ରେ ପଡ଼ି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲି ମୋ ପାଖରେ ମୋ ମା’ ହାତ ଧରି ରହିଥିଲା । ମୋ ସ୍ୱାମୀ ଏବଂ ଅନ୍ୟ ପରିବାର ଲୋକ ମୋ ପାଖେ ପାଖେ ଥିଲେ । ମୋର ସେତେବେଳେ ମାର ଗର୍ଭାବସ୍ଥା କଥା ମନେ ପଡ଼ିଯାଉଥିଲା । ସେ ଯାହା ହେଉ ବହୁତ ସମୟର କଷ୍ଟ ପରେ ଆମର ଝିଅଟିଏ ହେଲା । ଘରେ ସମସ୍ତଙ୍କ ଖୁସି କହିଲେ ନସରେ । ସବୁ କାର୍ଯ୍ୟର ସମାପ୍ତି ପରେ ମୁଁ ମା’ଙ୍କୁ ପଚାରିଲି “ମା” କେମିତି ତୁମେ ବିନା କାହାରି ସାହାଯ୍ୟ, ସହାନୁଭୂତିରେ ଏକା ଏକା ଗାଁର ଛୋଟିଆ ଘରଟିରେ ଆମକୁ ଜନ୍ମ ଦେଇଥିଲ ? ଏତେ କଷ୍ଟ କେମିତି ସହୁଥିଲ ?” ମା’ ମୋ ଛୁଆକୁ ଗେଲ କରି ଟିକେ ହସିଲା କହିଲା “ତମେ ସବୁ ଥିଲ ନା ମୋ ସହ ।”
ତା’ କଥା ଶୁଣିଲା ପରେ ମୋ ଭିତରର କଷ୍ଟ କିଛି କମିଗଲା ପରି ଲାଗୁଥିଲା ।

bk senapati
February 17, 2017 at 8:19 pm
maa ra bikalpa nahi . dhanyabad lekhika nku
paramita
February 18, 2017 at 3:08 pm
Thanks for your valuable ccomments. Nobody can replace maa…