କବିତା

ନୂଆବୋହୂ

Manjurani Mishra's odia poem Nooaabohoo

ଆଉ ନୂଆ ନୂଆ ରଚନା
ମିଛ ମିଛ ବାଲିଘର
ହୋଇଛି ସତ ଘରକରଣା
ତା’ର ପୃଥିବୀର ମାନଚିତ୍ର

ନୂଆବୋହୂ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାହା ଆଗରେ
କହି ଦେଲେ ଭୁଲ୍ ହେବ
ଡାଏରୀରେ ଲେଖିଦେଲେ
ଧରାପଡ଼ିଯିବ
ଏବେ ତ ହଁ ନାହିଁର ବଳୟ ଭିତରେ
ତା’ର ସୁନେଲି ଦିନର ହସ୍ତାକ୍ଷର
ଆଉ ନୂଆ ନୂଆ ରଚନା
ମିଛ ମିଛ ବାଲିଘର
ହୋଇଛି ସତ ଘରକରଣା
ତା’ର ପୃଥିବୀର ମାନଚିତ୍ର
ଦାଣ୍ଡପିଣ୍ଡାରୁ ଘର ଅଗଣା
ମାଆ ହାତ ପରଷା ମନେ ପଡୁଛି
ଫିକା ପଡ଼ି ଆସିଲାଣି ଝିଅ ଦିନର ସ୍ୱପ୍ନ
ଘର ଭିତରେ ଗୁରେଇ ହେଉଛି
ଅରଣା ମନ
ଝରକା ଫାଙ୍କରେ ଲୁଚି ଲୁଚି

ଚାହିଁ ଦେଉଛି
କୁମାର ପୂର୍ଣ୍ଣମୀ ଜହ୍ନ
ମାଆ ଶିଖାଇଥିଲା ସାଣ୍ଠଣା
ବସୁନ୍ଧରା ପରି ସହିଯିବାକୁ
ଭାଉଜ କହିଥିଲେ ମନ ନେଇ ଚଳିବ
ନିଜକୁ ପାଶୋରି ଦେବ
ସବୁ ଦୁଃଖ ଯନ୍ତ୍ରଣାକୁ କଦଳୀ ପଟୁକା କରି
ନଈରେ ଭସେଇ ଦେବ
ସତରେ ତ-
କଥା କହି ନ ଜାଣିଲେ
ଦୋଷ ହେବ
ଝିମିଟି ଖେଳରୁ ମହାଭାରତ
ପୃଥ୍ୱୀ ଓଲଟିବ
ଅରଣ୍ୟରେ ନିଆଁ ଲାଗିଯିବ
ଉଠିବାକୁ ହେବ
ସହଳ ସହଳ

ଅଳସ ନିଦକୁ ହାତରେ
ପୋଛି ଦେଇ
ଆଙ୍କି ଦେବ କିଛି କଥା କବିତାର
ଲତା
ସଭିଙ୍କର ମଙ୍ଗଳ କାମନା କରି
ଦୀପଟିଏ ଜାଳିଦେବ
ଅନୁଚ୍ଚାରିତ ଶବ୍ଦରେ
ମୁଖସ୍ଥ କରିବା ଗୀତ
ଆବୃତ୍ତି କରିବ
ତୁଳସୀ ଚଉରା ମୂଳେ
କାଉକୁ ବାଢ଼ିଦେବ ଦି’ମୁଠା ଚାଉଳ
ଆସୁଥିବେ ବାପଘରୁ କେହି
ଆସୁଥିବ ବୋଝ ବୋଝ
ସ୍ୱପ୍ନର ଚାଙ୍ଗୁଡ଼ି
ବାସୁଥିବା ମହ ମହ
ସ୍ମୃତିର ସକାଳ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top