ଭାରି ଭଲ ଲାଗେ
ଯେବେ ସହରଟା ଭିଜିଯାଏ
ଅସରାଏ ବର୍ଷାରେ !
ଛାଡ଼ିଯାଏ ବର୍ଷା
କିନ୍ତୁ ତା’ ସ୍ପର୍ଶର ଚିହ୍ନ ରହିଯାଏ
ସହରର କଳା ମଚମଚ ରାସ୍ତାରେ !
ରାସ୍ତାର ଦେହ ଧୋଇ ଗାଧୋଇ ଦେଇ ସହରଟାକୁ
ମେଘ ଫେରିଯାଏ ନୀଳ ଆକାଶକୁ !
ସତରେ ଭାରି ଭଲ ଲାଗେ
ଯେବେ ଭାରିଯାଏ ସହରରେ ଶୀତଳତା
ପୁଣି କୁଢ଼ କୁଢ଼ ନିର୍ଜନତା !
କାଁ ଭାଁ କେଉଁଠି କେମିତି
ଓଦା ଜୁଡୁବୁଡୁ କୁତି କୁକୁରଟା
କିମ୍ୱା ମଦୁଆ ରିକ୍ସାବାଲା,
ଅବା ବୁଢ଼ୀ ପାଗେଳିଟା
ତା’ର ଲୁଟି ଯାଇଥିବା
ଯୌବନକୁ ଖୋଜୁଥାଏ ।
ଚା’ ଦୋକାନର
ଅଧାଲିଭା ଆଞ୍ଚ ଜମିଥାଏ ।
ସତେ କେତେ ଆପଣର ଲାଗେ ଏ ସବୁ
ବର୍ଷାଭିଜା ରାତିରେ !
ଏସବୁକୁ ଆଡ଼େଇ, ନିର୍ଜନତାର ଭିଡ଼କୁ ଠେଲିପେଲି
ମୋ ମନ, ମୋ ଦେହ
ଘୂରି ବୁଲୁଥାନ୍ତି ସହରଟା ସାରା,
ପୁଣି ପାହିଯାଏ ରାତି
ତୁମ ପ୍ରତୀକ୍ଷାରେ !