ଆସ ଦେଖିଯିବା ଆମେ ବାଲି ଯାତରା
ଆମ ଦାମ, ମନ୍ଦାକିନୀ, ବାସୁ, ମକରା ।
ଖାଇବା ଠୁଙ୍କା ପୁରୀ, ସାଥେ ଛେନା ତର୍କାରୀ
ରସାବଳୀ, ରସଗୋଲା, ଛେନା କାକରା ।।
କେତେ ରକମର ଚିଜ ଭଳିକି ଭଳି
ସରକସ, ରେଳଗାଡ଼ି, ଚରିକି ଦୋଳି
ବୁଲିବା ଘିରି ଘିରି, କିଣିବା ବେଲୁନ୍ ତୁରୀ
ହରଷେ ସରସ ହୃଦ ହୋଇବ ପରା ।।
ଓଡ଼ିଆ ସାଧବେ କେତେ ଦରବ ଧରି
ଯାଉଥିଲେ ବୋଇତରେ ବାଣିଜ୍ୟ କରି
ଅତୀତ ଗାଥା ରାଜି, ମରମେ ଉଠେ ବାଜି
ସେଥିଲାଗି ଏ ଉତ୍ସବ ପାଳନ ପରା ।।
ବଇଷ୍ଣବ ପାଣି ମଞ୍ଚ ପାଶେ ବସିବା
ଓଡ଼ିଶୀ, ସମ୍ୱଲପୁରୀ ନାଚ ଦେଖିବା
କେତେ ଗୀତ ଭଜନ, ଖୁସି ହୋଇବ ମନ
ଉତ୍କଳ କଳାର ମେଲି ଅଛି ପସରା ।।
ମହାନଦୀ ପଠା ଆଜି ଦିଅଇ ଡାକ
ଉଠରେ ଉଠରେ ଜାଗି ଓଡ଼ିଶା ଯାକ
ଗରିବୀ ମୁଖେ କାଳି ବୋଳି, ସମୃଦ୍ଧିଶାଳୀ
ହୋଇବା, ଜଗତେ ହେବ ନାମ ଡାକରା ।।