ଦୁଷ୍କର୍ମ ପରେ ମୃତ୍ୟୁ
ପାଞ୍ଚ ବର୍ଷର ଫ୍ରକ ପିନ୍ଧା
କୁନି ଝିଅଟେ
କେଉଁ କାମାନ୍ଧରେ
ଯୌନ ପିପାଶାରେ
ଦଳି ମକଚି ଚାପି ହୋଇଯାଇଛି
ଗାଁ ପାଖ କିଆବୁଦା ମୂଳେ
ତା କୁନି କୁନି ପାଦ ପାଇଁ
ଆଦରରେ ବାପା କିଣି ଦେଇଥିବା
ପାଉଁଜି ହଳକ ଆଉ ହାତେ ପୁଣି
ଚୁମକି ଲଗା
ପ୍ଲାଷ୍ଟିକ ଚୁଡ଼ି ଦୁଇପଟ
ସେଇମିତି ଚିକମିକ କରୁଥିଲା
କୁନିଝିଅ ଶବଟି ଦେହରେ
ଟିଭିରେ ଦେଖୁଥିଲା ବେଳେ ଲାଗୁଥିଲା
ଆମମାନଙ୍କ କୁନିଝିଅ ପରି
ଅବା କେଉଁ ଭାଇଟିର ଅଲିଅଳୀ
ଭଉଣୀଟେ ପରି
କାଲି କାଲି ଚାଲି
ଶିଖିଥିବା କୁନି ଝିଅଟେ
ସବୁ ମଣିଷଙ୍କୁ ଆପଣାର କରିନିଏ
କାହା କାହା ପିଠିରେ
ଲାଉ ଭଳି ଓହଳି ପଡେ ତ
ଆଉ କାହା କାନ୍ଧପରେ ବସି
ଆକାଶରୁ ଜହ୍ନପାଇଁ ଅଳି କରିବସେ
ତା ନିଷ୍ପାପ ଆଖିରେ
ସବୁ ମଣିଷ ତ ସମାନ ,
ସେ ଜାଣେନା ଭଲ ମନ୍ଦ କିଛି
ଠିକ ସେ ଭଲ ପାଉଥିବା
ତାର ବାପା ଭାଇ ପରି ।।
କୁନି ଝିଅ ବୁଝେ ନାହିଁ
ତା ଫୁଙ୍ଗୁଳା ବୟସରେ ବି
ମୂଲ ଦେବାକୁ ହେବ
ଯୌବନର ଜୀବନର,
କେଉଁ ପିଶାଚର କପଟ
ଫାଶର ପଡ଼ି
ଖଣ୍ଡ ଖଣ୍ଡ ହୋଇଯିବ
ତା କଅଁଳ ଦେହର
ଯେତେ ହାଡ଼ ରକ୍ତ ମାଂସ
ବିଶ୍ୱାସର ବାଲିଘର ସମାଧିସ୍ଥ ହେବ
ଚିର ଦିନ ପାଇଁ ।।
ଏମିତି ଅଜସ୍ର ବେଦନାମାନ
ନିଇତି ନିଇତି ଆସି
ଭାଙ୍ଗି ଦିଏ ମନ
କାହାକୁ ବା ଦୋଷ ଲଦି ହେବ
କାହା ପାଶେ ଗୁହାରୀ କରିବ
ଏ ଦୁଃଖର ସମାଧାନ ପାଇଁ
କହିହେବ ଏଇଠି ବୋଧେ
ଦୋଷ ରହିଗଲା
ୟାକୁ କାଢ଼ି ଫିଙ୍ଗିଦେଲେ
ବଦଳି ଯିବ କୁନି ଝିଅର
ଭାଗ୍ୟ ଭବିଷ୍ୟତ
ସମାଜରେ ଭରିଯିବ
ଅସୀମ ଆନନ୍ଦ
ଏ ଦିନ କ’ଣ ଆସିବନି ଆଉ !!!
