କବିତା

ଗୋଟେ ମାତାଲ ଗାଁ

Jachindra Kumar Rout's odia poem Gote Maataal Gaan
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଭଲ ଲାଗୁନି ବୋଲି ଗାଁ
କିଣିଦେଲି ଖଣ୍ଡେ ଜାଗା ରାଜଧାନୀରେ
ଋଣରେ ଠିଆ ହୋଇଗଲା ଘର
ଗୋଟେ ଦମ୍ଭ-ସହରୀ ସଂସ୍କାର
ଦିକଦାର ଲାଗିଲାଣି ଦାନ୍ତ କାଠିରେ ଦାନ୍ତଘସା
ଠାକୁର ଘରର ଢଂଗ ଢଂଗ ଘଣ୍ଟ ଧ୍ୱନୀ
ଗୋରୁଗାଈଙ୍କ ହଁମା ରଡ଼ି
ବାଉରୀ ବୁଢ଼ୀର କଟା ସମ୍ପା
ବହୁଚୋରୀ-ବାଗୁଡ଼ି, କବାଡି
ଦାଣ୍ଡ ନଡ଼ିଆଗଛ ବାଉଙ୍ଗାରେ
ଝୁଲୁଥାଏ ବାସି ଜହ୍ନ
ବିନ୍ଦୁ ବିନ୍ଦୁ କାକର ଠୋପାରେ
ମୁହଁ ଧୋଇ ଠିଆ ହୁଏ ବଗିଚାର ଫୁଲଗଛ
‘କରାଗ୍ରେ ବସତି ଲକ୍ଷ୍ମୀ -କର ମଧ୍ୟେ ସରସ୍ୱତୀ’
ପଣହୁଏ ପାପୁଲି ଆଇନାରେ
ଦେଖିହୁଏ ସକାଳ ଈଶ୍ୱର
ଏବେ ବାରବାଟୀ ଖେଳପଡିଆରେ
ତିଆରି ଚାଲିଛି ରେଳଷ୍ଟେସନ

ଆମ୍ବ ତୋଟାରେ ଚାଲିଛି କ୍ରସର କଳ-କାରଖାନା
ଘାସ ପିଠିରେ ନଦୀ ହେଇଯାଇଚି
ଗୋଡ଼ି -ଗଇଁନ୍ତି-ଗୁଣ୍ଡାଗିରି
ପିଲାଙ୍କ ଗୋଡ଼-ଗୋଇଠି
ଗାଈଙ୍କ ପାଟି ପେଟ ଏକଦମ ଥମ
ବନ୍ଧାପଡ଼ିଚି ପ୍ରଗତି ପେଟରେ ଖେଳପଡ଼ିଆ
ହାଡ଼ସନ୍ଧିର ପରାସ ପରି ଲାଗେ ଆମ ଗାଁ ସ୍କୁଲ
ବଥ ବଥା-ବୋଝ ମଧ୍ୟାହ୍ନ ଭୋଜନ
ବହି-ବାହୁସ୍ଫୋଟ-ବାଇସାଇକେଲ
ବଦନାମ ସର୍ବଶିକ୍ଷା ଅଭିଯାନ
ପ୍ରଧାନମନ୍ତ୍ରୀ ସଡକ ଦେଇ ପଶିଆସିଲେ ସହର
ସରକାର-ଶାସନ ଗାଁ ମଝିକୁ
ବଢ଼ିପାଣି ପରି ଧୋଇଦେଲା
ପୋଥି ପୁରାଣ-ପୂରାତନ-ପରମ୍ପରା
ପିମ୍ପୁଡି ପର ପରି ଗଜୁରି ଉଠିଲା ସଂସ୍କାର ସନାତନ
ସଭ୍ୟତା-ସହର ସଇତାନ
ଏବେ ଗାଁ ମାଡ଼ରେ ମାତାଲ
ଝୁଲି ଝୁଲି ଗାଁ ଚାଲୁଚି ବିଶ୍ୱବଜାର କୁ… ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top