କବିତା

ଗୋଟେ ମାତାଲ ଗାଁ

Jachindra Kumar Rout's odia poem Gote Maataal Gaan

ଭଲ ଲାଗୁନି ବୋଲି ଗାଁ
କିଣିଦେଲି ଖଣ୍ଡେ ଜାଗା ରାଜଧାନୀରେ
ଋଣରେ ଠିଆ ହୋଇଗଲା ଘର
ଗୋଟେ ଦମ୍ଭ-ସହରୀ ସଂସ୍କାର
ଦିକଦାର ଲାଗିଲାଣି ଦାନ୍ତ କାଠିରେ ଦାନ୍ତଘସା
ଠାକୁର ଘରର ଢଂଗ ଢଂଗ ଘଣ୍ଟ ଧ୍ୱନୀ
ଗୋରୁଗାଈଙ୍କ ହଁମା ରଡ଼ି
ବାଉରୀ ବୁଢ଼ୀର କଟା ସମ୍ପା
ବହୁଚୋରୀ-ବାଗୁଡ଼ି, କବାଡି
ଦାଣ୍ଡ ନଡ଼ିଆଗଛ ବାଉଙ୍ଗାରେ
ଝୁଲୁଥାଏ ବାସି ଜହ୍ନ
ବିନ୍ଦୁ ବିନ୍ଦୁ କାକର ଠୋପାରେ
ମୁହଁ ଧୋଇ ଠିଆ ହୁଏ ବଗିଚାର ଫୁଲଗଛ
‘କରାଗ୍ରେ ବସତି ଲକ୍ଷ୍ମୀ -କର ମଧ୍ୟେ ସରସ୍ୱତୀ’
ପଣହୁଏ ପାପୁଲି ଆଇନାରେ
ଦେଖିହୁଏ ସକାଳ ଈଶ୍ୱର
ଏବେ ବାରବାଟୀ ଖେଳପଡିଆରେ
ତିଆରି ଚାଲିଛି ରେଳଷ୍ଟେସନ

ଆମ୍ବ ତୋଟାରେ ଚାଲିଛି କ୍ରସର କଳ-କାରଖାନା
ଘାସ ପିଠିରେ ନଦୀ ହେଇଯାଇଚି
ଗୋଡ଼ି -ଗଇଁନ୍ତି-ଗୁଣ୍ଡାଗିରି
ପିଲାଙ୍କ ଗୋଡ଼-ଗୋଇଠି
ଗାଈଙ୍କ ପାଟି ପେଟ ଏକଦମ ଥମ
ବନ୍ଧାପଡ଼ିଚି ପ୍ରଗତି ପେଟରେ ଖେଳପଡ଼ିଆ
ହାଡ଼ସନ୍ଧିର ପରାସ ପରି ଲାଗେ ଆମ ଗାଁ ସ୍କୁଲ
ବଥ ବଥା-ବୋଝ ମଧ୍ୟାହ୍ନ ଭୋଜନ
ବହି-ବାହୁସ୍ଫୋଟ-ବାଇସାଇକେଲ
ବଦନାମ ସର୍ବଶିକ୍ଷା ଅଭିଯାନ
ପ୍ରଧାନମନ୍ତ୍ରୀ ସଡକ ଦେଇ ପଶିଆସିଲେ ସହର
ସରକାର-ଶାସନ ଗାଁ ମଝିକୁ
ବଢ଼ିପାଣି ପରି ଧୋଇଦେଲା
ପୋଥି ପୁରାଣ-ପୂରାତନ-ପରମ୍ପରା
ପିମ୍ପୁଡି ପର ପରି ଗଜୁରି ଉଠିଲା ସଂସ୍କାର ସନାତନ
ସଭ୍ୟତା-ସହର ସଇତାନ
ଏବେ ଗାଁ ମାଡ଼ରେ ମାତାଲ
ଝୁଲି ଝୁଲି ଗାଁ ଚାଲୁଚି ବିଶ୍ୱବଜାର କୁ… ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top