ସିଦ୍ଧାର୍ଥ ସମ୍ଭାଷିଲେ,
ମୃତ୍ୟୁ ପରେ ଫେରିବା ଅନିଶ୍ଚିତ
ଦେଖ, ବେଶ୍ କରି ଦେଖ ନଗ୍ରଜନ
ମୁଁ ଫେରିଛି ପୁନଶ୍ଚ-ନିରଞ୍ଜନା ତଟ ।।
ସିଦ୍ଧାର୍ଥ ବୋଇଲେ,
ନିରୂପାୟ ଜୀବନ ଅଙ୍କାବଙ୍କା ପଥ ଅତିକ୍ରମୀ
ନିଜକୁ ସଅଁପିଦିଏ ମୁହାଣରେ
ମହୁମୁହାଣ କି ମୃତ୍ୟୁ ମୁହାଣ
ସିଏ ଜାଣେନା-
ଯେଉଁଠୁ କେହି ଫେରିନି ଅଦ୍ୟପି
ହାତପାତି ବହୁରୂପୀ ମହାକାଳ ଠିଆ
ଜଳରେ-ସ୍ଥଳରେ-ଆକାଶରେ
ଦୀର୍ଘାୟିତ ତା’ର ଆଲିଙ୍ଗନୀ ମୁଦ୍ରା ।।
ଦେଖ, ଥରୁଟିଏ ଦେଖ
ମୁଁ ଫେରିଛି ଏକା ଏକା
ଉଲଗ୍ନ ସନ୍ନ୍ୟାସୀଟି ପରି
ସାମୁଦ୍ରିକ ଜୁଆର ପରି
ଯେମିତି ଫେରିଥିଲା ଦିନେ
ବ୍ରହ୍ମପିଣ୍ଡ ବେଳାଭୂମି ।।
କେହି ଫେରୁ କି ନ ଫେରୁ
ସିଏ ଫେରେ, ତା’ ସାଥିରେ ମୁଁ
ସମୁଦ୍ରରେ ଢେଉ, ଶବ୍ଦରେ କମ୍ପନ
ଏବଂ ଅଙ୍କୁରିତ ବୀଜରେ ପଲ୍ଲବ ପରି
ମୁଁ ଫେରେ ଆପଣା ଘରକୁ ।।
ଘର ବାହୁଡ଼ା ବାଟୋଇର କି ଯାଏ ଆସେ
ପଥ ହୁଡୁ କି ଘରେ ପହଞ୍ଚୁ
ବାଟ କଢ଼େଇ ନେବା ଲୋକଟି
ସଙ୍ଗ ଦେଲେ ହେଲା ।
