କବିତା

ଭୋକ ପାଇଁ ବ୍ରହ୍ମ ଅସ୍ତ୍ର

Surendra Kumar Behera's odia poem Bhoka Paain Astra

ଭୋକର ନିଧନ ପାଇଁ ଏବେ
ଚାଲୁଅଛି ଦୋହଲ୍ଲା, ପାଟିତୁଣ୍ଡ
ଆଉ ବିଧାନସଭାରେ ଭାରି ହଟ୍ଟଗୋଳ,

ଭୋକ ପାଇଁ ବ୍ରହ୍ମ ଅସ୍ତ୍ର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଯୁଗାବଧି ଲଢ଼ିଲି ତ କେତେ
ଭୋକ ପାଇ,
ହେଲେ ପାରିନାହିଁ କେବେ
ସମ୍ମୁଖ ଯୁଦ୍ଧରେ
ଭୋକକୁ ପରାହତ କରି ।

ଲଢ଼ିଛି, ଦେହଟାକୁ ମାଟିକରି
ଆଖି ଦି’ଟାକୁ ଲୁହା କରି
ଆଉ ଛାତିକୁ ପଥର କରି. . .
ତଥାପି. . . ଯାଇଛି ମୁଁ ହାରି
ଖାଲି ହାରି ନାହିଁ,
ବରଂ ଭୋକର ଗୁଳିଚୋଟ ଖାଇ
ରକ୍ତ ସବୁ ମୋ ଦେହରୁ
ପାଣି ହୋଇ ନିଗିଡ଼ ଯାଇଛି ତ
ଭୋକର ଶରାଘାତରେ
ଅନ୍ତବୁଜୁଳା, କଲିଜା ପଦାକୁ
ପିଚିକି ପଡ଼ିଛି, ଆଉ. . .
ବାରବାର ଭୋକର
ଶକ୍ତ ଗଦା ପ୍ରହାରରେ
ସଂଜ୍ଞାହୀନ ହୋଇ, କର୍ମଭୂଇଁ ପରେ
ତାଟିଆ କାମୁଡ଼ି ହିଁ ପଡ଼ି ରହିଛି ।

ହାରୁ ନାହିଁ ଭୋକ କି
ସରୁନାହିଁ, କରମର କୁରୁକ୍ଷେତ୍ରେ
ଜିଇଁବାର ଯୁଗାନ୍ତକ ଯୁଦ୍ଧ ।
କେହି ଜଣେ ଦେଶଭକ୍ତ
ଆଶ୍ୱାସନା ଦେଇ କହିଥିଲା,
ଥୟଧର ହେ, ଚକ୍ରଧର. . .
ଦେଶ ସ୍ୱାଧୀନ ହେଲେ ଯାଇଁ
ଭୋକ ନିଶ୍ଚେ ତୋର
ହୋଇଯିବ ଦୂର ।

ଦେଶ ସ୍ୱାଧୀନ ହେଲା,
ସର୍କାର ପରେ ସର୍କାର ଗଢ଼ା ହେଲା,
ପ୍ରଗତିର ରଥଚକ ଗଡ଼ିଚାଲିଲା,
ଆଗକୁ. . . ଆହୁରି ଆଗକୁ. . .
କିନ୍ତୁ କାହିଁ, ଏ ଯାଏଁ ତ
ମରି ନାହିଁ ଭୋକ, କି
ପୁରୁ ନାହିଁ ପେଟ ।

ଭୋକର ନିଧନ ପାଇଁ ଏବେ
ଚାଲୁଅଛି ଦୋହଲ୍ଲା, ପାଟିତୁଣ୍ଡ
ଆଉ ବିଧାନସଭାରେ ଭାରି ହଟ୍ଟଗୋଳ,
ଆଗପଛକୁ ଲକ୍ଷ୍ୟ କରି, ଏଇ ଆମ
ସର୍କାର ଘୋଷଣା କରିଦେଲେ,
ଯଦି ମରୁ ନାହିଁ ଭୋକ,
ଦେଇଦିଅ, ଟଙ୍କିକିଆ ଚାଉଳର ବ୍ରହ୍ମଅସ୍ତ୍ର
ବ୍ରହ୍ମଅସ୍ତ୍ରର ଅଫେରନ୍ତା ବାଣରେ. . .
ନିଶ୍ଚେ ନାଶ ଯିବ ଅଜର ଅମର ଭୋକ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top