ବାସ୍ନା
ବଦଳିଯାଇଛି କାଲିର
ଓଦା ମାଟିର ଆଉ
ସଜଫୁଲ କିଆରୀର
ବର୍ଷା ଫୁଟା ପାଳଛତୁ
ଛାତଉପରେ
ଦାଣ୍ଡ ଅଗଣାରେ ଗୋବର ଲିପା
ଅବା ସେ
ଗୁହାଳର
ବାସ୍ନା …
ଛାଇ
ସେପଟେ ପୁଣି
ଭାଙ୍ଗିଲାଣି ମାଟି କାନ୍ଥ
ଉଠିବାକୁ ତତ୍ପର
କଙ୍କ୍ରିଟ୍ର
ସେ ନୂଆ ପ୍ରାଚୀର…
ଅଗଣା
ଡ଼ାଇନିଙ୍ଗ୍ ହଲ ହେଲାଣି
ଆଉ ନାହିଁ
ସେ ପୁରୁଣା ଆମ୍ବ, ନଡ଼ିଆ ଗଛ
ଛାଇ ତ ଗଲାଣି
ଆଲୁଅ କାହିଁ ?
ଆଲୁଅ
ହଜିଲାଣି…
ଦିବାନିଶି ସବୁ ଏକ
ନିଶବ୍ଦ
ଚାରିଆଡ଼େ
ସତେ କେହି
ଯେପରି ଖୋଜୁଛି
କାହାକୁ
କିଛି ସ୍ୱର
ବାପା ବାପା ବୋଲି…
ନୂଆ ବୋହୁ କିନ୍ତୁ
ଅପେକ୍ଷାରେ
ରଙ୍ଗ ଯେ ହଟିନି
ଅଳତାର
ପୁଣି
ଅପେକ୍ଷାରତ
ମିଳନକୁ
ରାଜୁତି
ସବୁ
ଖାଁ ଖାଁ …
ତଥାପି ସଭିଏଁ ବ୍ୟସ୍ତ
ଯେପରି କିଛି ହେଇନାହିଁ ।
ପୁଣି ଅନେକ ପର୍ବ
ମିଳନ ମିଳନ ମିଳନ …
ସମ୍ପର୍କରେ ନୂଆ ହକଦାର
ହେଉଅଛି ପ୍ରସ୍ତୁତ
କରିବାକୁ ଏଠି
ରାଜୁତି…
ଯିଏ ଯାହା କାର୍ଯ୍ୟରେ ଲିପ୍ତ
କାହାରିକୁ ନାହିଁ ଟେର ।
ଅଭ୍ୟାସ
ମା’ର ଜିଦ
ଛାଡ଼ିବାକୁ ନାରାଜ
ତା କୋମଳ
ଗେହ୍ଲା
ବାଛୁରି ଦୁଇ ଓ ଗାଈକୁ
ପଠାଣ ବଜାରେ …
ବାପା ସିନା ଗଲେ
ହେଲେ ଏମାନେ ତ
ତାରି ଛୁଆ ନା ‘ !
ଏ ତ ପୁରୁଣା ଅଭ୍ୟାସ
କିପରି ଯେ ବଦଳିବ ?
ଲାଗିଲାଣି ସେ
ତାଙ୍କ ସେବାରେ
ବାରିପଟ…
ସୁଶିଳା
ଝିଅଟିଏ…
ନା’ ତାର ସୁଶିଳା
ଏବେ ଏବେ ପାଦ ଥାପିଛି
ଯୌବନରେ
ଯେପରି ନାମ
ସେପରି ଗୁଣ
କାମରେ
କେହି ନ ଖୁଣନ୍ତି ତାକୁ
ହେଲେ ଟିକେ
ବୋକି
ଦେହ କ’ଣ /
ଯୌବନ କ’ଣ /
ପ୍ରେମ/ ସମ୍ପର୍କ
ଏ ସବୁ କିଛି ଜାଣେନା …
ବିଜ୍ଞାପନ
ମୋ ଭାଷାରେ
ଏହା ଏକ ବିଜ୍ଞାପନଠୁଁ ବହୁତ କିଛି …
ହଁ !
ସୁଶିଳା ପାଇଁ ଆସିଛି ।
ଭାଉଜର ଭାଇର ସାଙ୍ଗ ସେ
ଆଜିକାଲିଆ ଟୋକା
ସିଧାସଳଖ ପ୍ରସ୍ତାବ ଦେଇଛି ।
ସୁଶିଳାର କିଛି ଯାଏଆସେ ନାହିଁ
ଏବେ କିନ୍ତୁ
ନୂଆ ନୂଆ
ଲାଜେଇଲାଣି ।
ଭୁଲ କାହାର ?
ସେପଟେ ହଠାତ୍
ବଡ଼ ଭଉଣୀ
ଲେଉଟି ଆସିଛି
ରୁଷି,
ପେଶିହୋଇ
ଶାଶୁଘରୁ…
ଫେରିବନି
ଜିଦ୍ ଧରିଛି ।
ପାଞ୍ଚବର୍ଷ ହେଲାଣି
ସନ୍ତାନ ନାହିଁ
ହେଲେ ଭୁଲ କାହାର ?
ଇଏ ବାଞ୍ଝ ନା’ ସେ
କାପୁରୁଷ !
ରାଜନୀତି
ପ୍ରାରମ୍ଭିଲା
ରାଜୁତି –
ଭାଉଜର ।
କଥା କଥାରେ
କାନ୍ଦବୋବା
ଜାଣିଶୁଣି ରୁଷେ
କଳିକରେ
ମା ସହ, ଭାଇ ସହ
ନିଜେ ନିଜେ ଖାଇନିଏ
ନିଜେ ରୋଷେଇ କରି
ଆଉ ଦିନସାରା ପ୍ରଚାରଚାଲେ
ରାଜନୀତି
ମୋବାଇଲ୍ରେ
ପୁରୁଣା ନୂଆ ରୂପରେ
ଖାଲି ଖୋଳପାଟା
ବଦଳିଛି,
ଆଉ କିଛି ନୁହଁ …
ସବୁ ସେହି
ଏକା ଠିକଣା
ସଭିଏଁ ସେଠି
ମିଛ ମାୟା
ହାଟନାଟେ
କଥାକଥାରେ
ହୋ ହଲ୍ଲା
ରାଗ ରୁଷା
ପ୍ରେମର ଅଭାବୀ
ସବୁ…
ଆଉ କେହି
ସ୍ୱପ୍ନର ବୁଢ଼ିଆଣୀ
ବାରମ୍ବାର ବୁଣିଚାଲେ
ଜାଲ ତାର
ପୁରୁଣା ସବୁ ନୂଆ ରୂପରେ ।।
