ସମ୍ପୂର୍ଣ୍ଣା କରୁଣା ଦୃଷ୍ଟିରେ ତା’ର ବାମ ହାତଘଣ୍ଟାକୁ ଚାହିଁଲା । ସାଢ଼େ ଚାରି । ଶୀତ ଦିନ । ପାଞ୍ଚଟା ଆଗରୁ ଦିନର ସୁବର୍ଣ୍ଣ ଜ୍ୟୋତି ମଳିନ ପଡ଼ିଆସିଲାଣି । ବର୍ତ୍ତମାନ କଟକ-ପୁରୀ ଟ୍ରେନ ପ୍ଲାଟ୍ଫର୍ମ ଛାଡ଼ି , ଧୂଆଁ ଉଦ୍ଗିରଣ କରି ଚାଲି ଯାଉଥିବ । ତାର ଏଇ ଟ୍ରେନ୍ରେ କ୍ୟାପିଟାଲ୍ ଫେରିବା କଥା । କିନ୍ତୁ ଅଫିସ୍ କାମ ଶେଷ ହେଲା ନାହିଁ ।
ଗୋଟାଏ ଅତୃପ୍ତ ଦୀର୍ଘଶ୍ବାସ ତାର ଛାତି ପଞ୍ଜରା ଦୋହଲାଇ ବାହାରି ଆସିଲା । ତାର ଅଣତ୍ରିଶ ବର୍ଷର କୁମାରୀ ଛାତି ତଳେ ଏମିତି କେତେ ସହସ୍ର ଅତୃପ୍ତ ଦୀର୍ଘଶ୍ବାସ ଚାପା ପଡ଼ି ଫସିଲ୍ ହୋଇଯାଇଛି । ସେଥିପାଇଁ ତାର ଶୋଚନା ନାହିଁ, ଆଜି ଆସିଲା ବେଳେ ବୋଉର ଦେହ ଭଲ ନ ଥିଲା । ଏଇ କେଇ ଦିନ ହେଲା ତାର ଦେହ ଭଲ ରହୁ ନାହିଁ । କୌଣସି ଔଷଧ ମଧ୍ୟ ଧରୁ ନାହିଁ । ବୈଧବ୍ୟ ଆଉ ବୟସର ଭାରରେ ତାର ଦେହ ଭାଙ୍ଗି ପଡ଼ୁଛି । ଅଫିସ୍ ଆସିଲା ବେଳେ ବାରମ୍ବାର କହିଥିଲା – ଟିକିଏ ଚଞ୍ଚଳ ଫେରି ଆସିବୁ । ତୋର ଫେରିବା ଡେରି ହେଲେ ମୋ ଛାତି ଭିତରର ଧଡ଼ ଧଡ଼ ଶବ୍ଦ ବେଶି ଶୁଭାଯାଏ ।
କିନ୍ତୁ ତାର ଦୁର୍ଭାଗ୍ୟ, ଯେତେ ଚେଷ୍ଟା କଲେ ମଧ୍ୟ ସାଡେ ଚାରିଟା ଆଗରୁ କାମ ସଇଲା ନାହିଁ । ଲୋକାଲ୍ ଟ୍ରେନ୍ ଚାଲିଗଲା । ବର୍ତ୍ତମାନ ଇଷ୍ଟ୍କୋଷ୍ଟ୍ ହିଁ ଭରସା ।
ସାନ ଭାଇ ଠିକ୍ ସମୟରେ ଘରକୁ ଫେରିଥିବ କି ନାହିଁ କେଜାଣି ! ସେ ବଦଳି ହୋଇ କଟକ ଚାଲି ଆସିଲା ପରେ ସାନ ଭାଇ ଉପରେ ଆଖି ରଖିବାର ଆଉ ତାର ଉପାୟ ନାହିଁ । ଖେଳୁଛି ଯଦି ଖେଳୁଛି , ବୁଲୁଛି ଯଦି ବୁଲୁଛି ଅଥଚ ଦେ ବିଜେବି କଲେଜ୍ ରେ ପଢୁଛି ବୋଲି ଇଚ୍ଛା କଲେ ମଧ୍ୟ ଭୁବନେଶ୍ୱର ଛାଡ଼ି ସେ କଟକ ଆସି ପାରୁ ନାହିଁ । ତାକୁ ପଛେ ନୀତି ଟ୍ରେନ୍ରେ ଯିବା ଆସିବା କରିବାର କଷ୍ଟ ହେଉ; ସାନ ଭାଇର ପାଠପଢ଼ାରେ କିଛି ବିଘ୍ନ ନ ଘଟୁ; ସେଇଥି ପାଇଁ ସେ ଡେଲି ପାସେଞ୍ଜର ହୋଇଛି ।
ତା ପାଇଁ ସେ ଏକ କୄଚ୍ଚ୍ଛ ସାଧନା କରୁଛି , ଏ କଥା କଣ ବୁଝେ ସୁକୁମାର !
ଆଜିକାଲି ଏକଥା କୌଣସି ପିଲା ବୁଝନ୍ତି ନାହିଁ ।
ତାର ସାନ ଭାଇ ସୁକୁମାର ସେମାନଙ୍କ ମଧ୍ୟରୁ ବ୍ୟତିକ୍ରମ ନୁହେଁ ।
ସୁପର୍ଣ୍ଣା ତାର ଶେଷ ଫାଇଲ୍ଟାରେ ଫିତା ବାନ୍ଧି ବଡ଼ ସାହେବଙ୍କ ପାଖକୁ ପଠାଇଦେଲା । ତା’ପରେ ନିଜର ହାତବ୍ୟାଗ୍ ସାବଧାନତାର ସହିତ କାନ୍ଧରେ ଝୁଲାଇ ଉଠି ଠିଆ ହେଲା ।
ରିକ୍ସା ଧରି ଷ୍ଟେସନ୍ରେ ପହଁଚିଲା ବେଳକୁ ଇଷ୍ଟ୍କୋଷ୍ଟ୍ ପ୍ଲାଟ୍ଫର୍ମରେ ପ୍ରବେଶ କଲା । ଯାଃ, ମଣିଷ ବଞ୍ଚିଗଲା । ଏଇ ଟ୍ରେନ୍ ଧରି ପାରି ନ ଥିଲେ ପୁଣି ବସ୍ଷ୍ଟାଣ୍ଡ୍କୁ ଯିବାକୁ ପଡ଼ିଥାନ୍ତା । ତା’ର ଟ୍ରେନ୍ରେ ମାସିକିଆ ଟିକେଟ୍ । ବସ୍ରେ ଗଲେ ଆଉ ପାଞ୍ଚ ଟଙ୍କା ଅଧିକ ଖର୍ଚ୍ଚ ହୋଇଯାଇଥାଆନ୍ତା । ଆଜି କାଲି ପାଞ୍ଚଟା ଟଙ୍କା ମଧ୍ୟ ତାକୁ ଖୁବ୍ ବେଶୀ ମନେ ହୁଏ ।
ତାର ସୌଭାଗ୍ୟ, ସେ ମଧ୍ୟ ଗୋଟିଏ ଝରକା ପାଖ ସିଟ୍ ପାଇଗଲା । ସାଇଡ୍ ସିଟ୍ ପାଇବା ଏ ଟ୍ରେନ୍ରେ କିଛି ସହଜ କଥା ନୁହେଁ , କିଛି ସମୟ ଆତ୍ମମଗ୍ନ ଭାବରେ ବସି ରହିବା ପରେ ସେ ଅନୁଭବ କଲା, ସାମ୍ନାରେ ଜଣେ ସୁଟ୍ ପିନ୍ଧା ଲୋକ ତାକୁ ନିରେଖି ନିରେଖି ଚାହୁଁଛି । ମୁହଁଟା ମଧ୍ୟ ତାର ଚିହ୍ନା ଚିହ୍ନା ମାନେ ହେଲା । କିନ୍ତୁ ଭଦ୍ରଲୋକଙ୍କୁ ସେ ଠିକ୍ କେଉଁଠି ଦେଖିଛି ମାନେ ପକାଇ ପାରୁ ନ ଥିଲା ।
ଆସନ୍ତା ଫଗୁଣରେ ଅଣତିରିଶ ପୂରିଯିବ । ଶୀତ ତ ଶେଷ ହୋଇ ଆସୁଛି, ଫାଲ୍ଗୁନ ଅବା ଆଉ କେତେ ଡେରି ? କିନ୍ତୁ ତାର ସ୍ମରଣଶକ୍ତି ଦୂର୍ବଳ ହୋଇ ଆସୁଛି । ବେଶି ଦିନର ପୁରୁଣା କଥା ସେ ମନେ ପକାଇ ପାରୁନି ।
ଲୋକଟା ନିର୍ଲଜ୍ଜ ଭାବରେ ତାକୁ ଚାହିଁ ରହିଛି , କିନ୍ତୁ ଖରାପ ଲାଗୁ ନାହିଁ , ଆଜିକାଲି ତାକୁ ଦେଖି ସାଙ୍ଗେ ସାଙ୍ଗେ ଆଖି ଫେରାଇ ନେଲେ, ତାକୁ ଅପମାନ ଲାଗେ । ବୁଢ଼ୀ ବୁଢ଼ୀ ମନେହୁଏ । କିନ୍ତୁ ପାଞ୍ଚବର୍ଷ ତଳେ ତାକୁ ଏମିତି ଏକ ଲୟରେ ତୃଷିତ ଦୃଷ୍ଟିରେ ଚାହିଁଲେ, ତାର ଦେହ ଅପବିତ୍ର ହୋଇଗଲା ଭଳି ସେ ଅସ୍ବସ୍ତି ବୋଧ କରୁଥିଲା ।
ଏମିତି କିଛି ସମୟ ଚାଲିଗଲା । ଭଦ୍ରଲୋକ ଗୋଟାଏ ସିଗାରେଟ୍ ଲଗାଇଲେ, ଦିଆସିଲି କାଠି ଲିଭାଇଲେ । ସିଗାରେଟ୍ ଧୂଆଁକୁ ସାବଧାନତାର ସହ ବାହାରକୁ ଛାଡିଲେ, ଉଚ୍ଚିଷ୍ଟ ଧୂଆଁର ଉତ୍ତପ୍ତ ଅଶ୍ଳୀଳତା ସୁପର୍ଣ୍ଣାକୁ ଯେପରି ସ୍ପର୍ଶ ନ କରେ !
ତାଙ୍କର ଏ ସିଗାରେଟ୍ ଖାଇବା ଭଙ୍ଗୀଟି ତାକୁ ଖୁବ ଭଲ ଲାଗିଲା ।
ତାର ମନେ ହେଲା ଲୋକଟା ପ୍ରକୃତରେ ଭଦ୍ର, ଅପରିଚିତ ଭଦ୍ର ମହିଳାଙ୍କ ସାମ୍ନାରେ କିପରି ସିଗାରେଟ୍ ଖାଇବାକୁ ହୁଏ, ଜାଣିଛି ।
ତାପରେ ଲୋକଟି ପ୍ରତି ସୁପର୍ଣ୍ଣା ମନରେ ମାୟା ହେଲା, କମ୍ପାର୍ଟମେଣ୍ଟ୍ ଅନେକାଂଶରେ ନିର୍ଜନ । ଅନେକ ଓଡ଼ିଆ ଯାତ୍ରୀ ଓହ୍ଲାଇ ଯାଇଛନ୍ତି । ଆଉ ଯେଉଁ ଅଣଓଡ଼ିଆ ଦକ୍ଷିଣା ଯାତ୍ରୀ ଅଛନ୍ତି, ସେମାନେ ନିଜ ନିଜ ଭିତରେ ଗଳ୍ପ କରିବାରେ ବ୍ୟସ୍ତ । ସେ ଦୁହିଁଙ୍କ ପ୍ରତି ସେମାନଙ୍କର ଦୃଷ୍ଟି ନାହିଁ । ସେ କେତେ ସମୟ ଚୁପ୍ଚାପ୍ ବସି ରହିଥିବ ?
– ଆପଣଙ୍କୁ ଆଗରୁ କେଉଁଠି ଦେଖିଲା ଭଳି ମନେ ହେଉଛି । କେଉଁଠି ଦେଖିଛି କୁହନ୍ତୁ ତ ।
ସୁପର୍ଣ୍ଣା ସାହସ ସଂଚୟ କରି ପଚାରିଲା ।
ଭଦ୍ରଲୋକ ସିଗାରେଟ୍ ଖଣ୍ଡକ ଦୂରକୁ ଫିଙ୍ଗି ଦେଇ କହିଲେ – ମତେ ଆଗରୁ ଦେଖିଛନ୍ତି ? ହୁଏତ ଓଡ଼ିଆ ସିନେମାରେ ଦେଖିଥିବେ । ଚାରି ବର୍ଷ ତଳେ ଗୋଟାଏ ଓଡ଼ିଆ ଫିଲ୍ମରେ ରୋଲ୍ କରିଥିଲି – ହୀରୋ ରୋଲ୍ ।
ସୁପର୍ଣ୍ଣା ବୁଝିପାରିଲା ତାର ଧାରଣା ଭୁଲ । ସେ ଏ ଲୋକଟିକୁ ଆଗରୁ କେବେ ଦେଖିନାହିଁ । କାରଣ ସେ ଖୁବ୍ ଅଳ୍ପ ଓଡ଼ିଆ ଛବି ଦେଖିଛି ଏବଂ ସେ ଦେଖିଥିବା କୌଣସି ଫିଲ୍ମରେ ଏ ଭଦ୍ରଲୋକ ଅଭିନୟ କରିଥିବା ତାର ଆଦୌ ମାନେ ପଡୁନ ଥିଲା ।
– ଆପଣ ଫିଲ୍ମରେ ରୋଲ୍ କରିଥିଲେ ? କେଉଁ ଫିଲ୍ମ କୁହନ୍ତୁ ତ ।
– ‘ଧୂଳିଘର’ ଫିଲ୍ମଟା ବେଶୀ ଦିନ ଚାଲିନଥିଲା । ଫ୍ଲପ୍ କଲା ବୋଲି ମତେ ଆଉ କେହି ଫିଲ୍ମରେ ଚାନ୍ସ ଦେଇ ନାହାନ୍ତି ଆମ୍ ୱାନ୍ ଫିଲ୍ମ ଓଲ୍ଡ଼ ହୀରୋ !
ବାକ୍ୟଟା ଇଂରାଜୀରେ ଉଚ୍ଚାରଣ କରି ଭଦ୍ରଲୋକ ହସିଲେ । ମ୍ଳାନ ହସ । ପୌଷରେ ଝରାପତ୍ର ଭଳି ଭଦ୍ରଲୋକଙ୍କ କଥାଗୁଡାକ କମ୍ପାର୍ଟମେଣ୍ଟ୍ ସାରା ବିଛେଇ ହୋଇ ପଡିଲା । କିନ୍ତୁ ଝରାପତ୍ରର ବିଷାଦରେ ସୁପର୍ଣ୍ଣାର ମନ କରୁଣ ହୋଇ ଉଠିଲା ।
ୱାନ୍ ଫିଲ୍ମ ଓଲ୍ଡ଼ ହୀରୋ !
ଆଃ, ବିଚାରୀ !
– ଆଜିକାଲି ଅନେକ ଓଡ଼ିଆ ଫିଲ୍ମ ହେଉଛି । ଆପଣ ଚେଷ୍ଟା କେଲେ ରୋଲ୍ ମିଳିବା କିଛି କଷ୍ଟ ହୁଅନ୍ତା ନାହିଁ ସୁପର୍ଣ୍ଣା ଭଦ୍ରଲୋକଙ୍କୁ ସାନ୍ତ୍ୱନା ଦେଲା ଭଳି କହିଲା ।
– ଥରେ ହୀରୋ ହେଲା ପରେ ଆଉ କାହା ପାଖରେ ଗୋଡ଼ ଭାଙ୍ଗି ଠିଆ ହେବାକୁ ଇଚ୍ଛା ହୁଏ ନାହିଁ । ତା’ ଛଡ଼ା ପ୍ରତି ପ୍ରଡ୍ୟୁସରଙ୍କୁ ଧରି ଅନେକ ଚାମ୍ଚା ଥାନ୍ତି । ସେ ଚାମ୍ଚାମାନଙ୍କୁ ଖୁସି କରି ନ ପାରିଲେ ଯେତେ ଅଭିନୟ ଦକ୍ଷତା ଥିଲେ ମଧ୍ୟ ତମକୁ କେହି ଡାକିବେ ନାହିଁ । – ଭଦ୍ରଲୋକ କଥା ଶେଷ କଲାବେଳକୁ ତାଙ୍କ ମୁହଁର ରେଖା ସବୁ ଚିନ୍ତାରେ କୁଞ୍ଚିତ ହୋଇଯାଇଥିଲା ।
– ବଡ଼ ଦୁଃଖର କଥା । ଆଜିକାଲି ସବୁ କାମରେ ଧରାଧରି । ମରାମରି । ଟ୍ୟାଲେଣ୍ଟର ମୂଲ୍ୟ କେହି ବୁଝନ୍ତି ନାହିଁ । – ସୁପର୍ଣ୍ଣା ସ୍ୱଗୋତୋକ୍ତି ଭଳି କଥା କହି ଝରକାର ରେଲିଂ ବାଟେ ବାହାରକୁ ଚାହିଁଲା ।
ଶୀତଦିନ । ପାଞ୍ଚଟା ବେଳକୁ ଚାରିଆଡ ଅନ୍ଧାରୁଆ ହୋଇ ଆସିଲାଣି । ଶୀତ ଶୀତ ଲାଗୁଛି । ଟ୍ରେନ କ୍ୟାପିଟାଲରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା । ବୋଉ ଅନାଇଥିବ । ସେ ଗଲେ ସକାଳର ଅଇଁଠା ବାସନ ମାଜିବ । ଘର ଓଲାଇବ । ଚାହା କରିବ । ସାନ ଭାଇ ଫୁଟ୍ବଲ ଖେଳି ଘରକୁ ଫେରିଥିଲେ ତା’ପାଇଁ ଜଳଖିଆ ତିଆରି କରିବାକୁ ହେବ । ବାପାଙ୍କ ମୃତ୍ୟୁ ପରେ ଏଇ ଗତ କେଇବର୍ଷ ହେଲା ସେ ଏମିତି ଘାଣ୍ଟି ହେଉଛି । ମୁକ୍ତି ନାହିଁ । ପଳାୟନର ପଥ ନାହିଁ ।
ବୋଉ ଅବଶ୍ୟ ଅନେକ ଥର କହିଲାଣି ଆମ ପାଇଁ ତୁ ଘାଣ୍ଟି ହେବୁ କାହିଁକି ? ଆମେ ମାଆ ପୁଅ ଗାଁକୁ ଚାଲି ଯାଉଛୁ । ତୁ ବାହା ହୋଇ ଯାଆ ବୟସ ହୋଇଗଲା !
ହଁ-ବୟସ ହୋଇଗଲା ଗୋଟିଏ ବ୍ୟାଙ୍କ କିରାଣୀ ଓଡ଼ିଆ ଝିଅ ପକ୍ଷରେ ଅଣତିରିଶ ତିରିଶ ବର୍ଷ କିଛି କମ୍ ନୁହେଁ । କିନ୍ତୁ ସୁକୁମାରର କଲେଜ ପଢ଼ା କଥା ଭାବି ସେ ନିଜର ବୟସ ଆଉ ବିବାହ କଥା ଭୁଲିଯାଇଛି । ଗାଁ ପାଖରେ ଅବଶ୍ୟ ଗୋଟାଏ ପ୍ରାଇଭେଟ୍ କଲେଜ୍ ଅଛି – କିନ୍ତୁ ସେଠାରେ ପାଠପଢ଼ା ଭଲ ହୁଏ ନାହିଁ ।
ଆପଣ କଣ କୌଣସି ସ୍କୁଲ୍ର ଶିକ୍ଷୟିତ୍ରୀ ? ଭଦ୍ରଲୋକଙ୍କ ଅଦ୍ଭୁତ ପ୍ରଶ୍ନଟି ଶୁଣି ସୁପର୍ଣ୍ଣା ଚମକି ଉଠିଲା । ତାର ଘରଚିନ୍ତା ଓଲଟପାଲଟ ହୋଇଗଲା ।
– ନା, ବ୍ୟାଙ୍କ କିରାଣି । ଜାତୀୟକରଣ ବ୍ୟାଙ୍କ୍ । ଏଇ ଚାରିମାସ ହେଲା କଟକ ବଦଳି ହୋଇ ଆସିଛି । ସୁପର୍ଣ୍ଣା ବଡ଼ ନିର୍ଲିପ୍ତ ଭାବରେ ଉତ୍ତର ଦେଲା , ତାର କଥାରେ, ଭାଷାରେ କୌଣସି ଉଷ୍ମତା ନ ଥିଲା ।
– ଘରେ ଆଉ କିଏ ?
– ମାଆ , ଭାଇ , ଗାଁ ରେ ଦାଦା, ଖୁଡୀ ଏବଂ ତାଙ୍କ ପିଲାମାନେ ।
ଭଦ୍ରଲୋକ ଆଉ କ’ଣ ପଚାରିବାକୁ ଚାହୁଁଥିଲେ । ସମ୍ଭବତଃ ତାର ବାହାଘର କଥା, କାହିଁକି ସେ ଏ ପର୍ଯ୍ୟନ୍ତ ବାହା ହୋଇନି । କିନ୍ତୁ କଣ ଭାବି ସେ ଢ଼ୋକ ଗିଳି ନେଲେ ଏବଂ ଠିକ ସେଇ ସମୟରେ ଇଷ୍ଟକୋଷ୍ଟ ଯାତ୍ରାରମ୍ଭ କଲା ।
– ଆପଣ ବର୍ତ୍ତମାନ କଣ କରୁଛନ୍ତି ? ସୁପର୍ଣ୍ଣା ହଠାତ୍ ପ୍ରଶ୍ନ କଲା ।
ମୃଦୁ ଧକ୍କା ଖାଇଲାଭଳି ଚମକି ପଡିଲେ ଭଦ୍ରଲୋକ, ତା ପରେ ନିଜକୁ ସଜାଡି ନେଇ କହିଲେ –
– ଗୋଟିଏ ଫିଲ୍ମ ତିଆରି କରିବି ବୋଲି ଚେଷ୍ଟା କରୁଛି । ଚଳଚ୍ଚିତ୍ର ଅର୍ଥନିଗମକୁ ୠଣ ପାଇଁ ଆବେଦନ କରିଛି । ସେମାନେ ସ୍କ୍ରିପ୍ଟ ଗ୍ରହଣ କରିଛନ୍ତି , ୠଣ ଖୁବ ଶୀଘ୍ର ମିଳିଯାଇପାରେ ।
ଭଦ୍ରଲୋକଙ୍କ କଥା ଶୁଣି ସୁପର୍ଣ୍ଣା ବିଶେଷ ଉତ୍ସାହ ବୋଧ କଲା ନାହିଁ । ସବୁ ସମ୍ଭାବନାର କଥା । କୌଣସି କଥାରେ ନିଶ୍ଚିତତା ନାହିଁ । ଋଣ ମିଳିପାରେ , ଫିଲ୍ମ ତିଆରି ହୋଇପାରେ । ଫିଲ୍ମ ଚାଲି ପାରେ । ଫିଲ୍ମ ଫ୍ଲପ୍ ହୋଇଯାଇପାରେ ।
ସୁପର୍ଣ୍ଣାକୁ ବଡ଼ ହତାଶ ଲାଗିଲା ।
ସେ ପଚାରିଲା – ଆପଣଙ୍କ ଘରେ ଆଉ କିଏ କିଏ ?
ସ୍ତ୍ରୀ, ଦୁଇ ପୁଅ, ବାପା , ଗାଁ ରେ ମାଆ । ସାନ ଭାଇ ତାର ପିଲାମାନେ ।
– ଆପଣ ଚାକିରୀ କରନ୍ତି ନାହିଁ ? ଚାରିବର୍ଷ ହେଲା ଫିଲ୍ମରେ କୌଣସି ରୋଲ୍ କରି ନାହାନ୍ତି । ସଂସାର ଚାଳେ କେମିତି ?
ଭଦ୍ରଲୋକଙ୍କ ମୁହଁ ଈଷତ୍ ଫିକା ଦେଖାଗଲା । ସେ ଟିକିଏ ଦ୍ଵିଧା ଜଡିତ କଣ୍ଠରେ କହିଲେ –
– ସ୍ତ୍ରୀ ଅଧ୍ୟାପିକା, ସେ ସଂସାର ସମ୍ଭାଳି ଚାଲିଛନ୍ତି । ମୋ ମୁଣ୍ଡ ଉପରେ କିଛି ବୋଝ ନାହିଁ, ଚଳଚ୍ଚିତ୍ରର ନିଶା ମତେ ଏ ପର୍ଯ୍ୟନ୍ତ ଛାଡି ନାହିଁ, କିନ୍ତୁ ହୀରୋ ହେବାର ବୟସ କିମ୍ବା ଚେହେରା ମଧ୍ୟ ଆଉ ନାହିଁ । ସେଥିପାଇଁ ଫିଲ୍ମ ପ୍ରଡ୍ୟୁସ୍ କରିବାକୁ ଯାଉଛି । ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟ୍ରୁ ଡିଗ୍ରୀ ପାଇଛି । କିନ୍ତୁ କୌଣସି ଚିତ୍ର ପ୍ରଯୋଜକ ମତେ ଖୋଜନ୍ତି ନାଇଁ ।
ଭଦ୍ରଲୋକଙ୍କ ସ୍ପଷ୍ଟ ସ୍ବୀକାରୋକ୍ତି ସୁପର୍ଣ୍ଣାକୁ ଖୁବ ଭଲ ଲାଗିଲା । କୌଣସି ଅପରିଚିତ ଭଦ୍ରଲୋକ । ତା ସହିତ ଏଥିପୂର୍ବରୁ ଏଭଳି ଆନ୍ତରିକତାର ସହିତ କଥାବାର୍ତ୍ତା କରି ନ ଥିଲେ । ଭଦ୍ରଲୋକଙ୍କର ‘ହୀରୋ ‘ର ଅହଂକାର ଅଛି , କିନ୍ତୁ ନିଜର ଅକ୍ଷମତା ଅସହାୟତା ସମ୍ପର୍କରେ ମଧ୍ୟ ସେ ଖୁବ ମୁକ୍ତ-ଜିହ୍ବ !
କେତେ ହେବ ଲୋକଟିର ବୟସ । ବାମପଟ କାଣାମୂଳ କଲିରେ କେତେଗୋଟି କେଶ ଧଳା ହୋଇଗଲାଣି । ସମ୍ଭବତଃ ଚାଳିଶର ଆଘାତ ସହିବାକୁ ଆରମ୍ଭ କରିଛନ୍ତି ଭଦ୍ରଲୋକ, ଏଭଳି ଜଣେ ଅଭିଜ୍ଞ ଲୋକଙ୍କୁ କଣ ତା ପକ୍ଷରେ ଉପଦେଶ ଦେବା ଠିକ୍ ହେବ ।
ତଥାପି ଲୋଭ ସମ୍ଭାଳି ପାରିଲା ନାହିଁ ସୁପର୍ଣ୍ଣା ।
– ଋଣ ନେଇ ଫିଲ୍ମ କରିବେ ? ଯଦି ଆପଣଙ୍କ ଅଭିନୀତ ‘ଧୂଳିଘର’ ଭଳି ସେ ଛବି ହଲ୍ ରେ ନ ଚାଲେ, ଋଣ ଶୁଝିବେ କିପରି ?
ସେ କଥା ଭାବି ଭାବି ଗତ ତିନି ବର୍ଷ ହେଲା ଛବି କରି ପାରି ନାହିଁ , କିନ୍ତୁ ଏବେ ସେ ଭଳି ଭାବନା ମନରେ ସ୍ଥାନ ଦେଇନାହିଁ । ରିସ୍କ ନେବାକୁ ହେବ , ରିସ୍କ ନ ନେଲେ ଜୀବନରେ କିଛି ବଡ଼କଥା କରି ହୁଏ ନାହିଁ । ଆପଣ ଭାବନ୍ତୁ ଯଦି ଫିଲ୍ମତ ହିଟ୍ କରିଯାଏ । ?
ଶେଷ ବାକ୍ୟଟି ଉଚ୍ଚାରଣ କଲାବେଳେ ଭଦ୍ରଲୋକଙ୍କ ମୁହଁ ଏକ ଅଜ୍ଞାତ ଆନନ୍ଦର ଆଲୋକରେ ଉଦ୍ଭାସିତ ହୋଇ ଉଠିଲା ।
ସୁପର୍ଣ୍ଣା ବୁଝି ପାରିଲା, ପରିକଳ୍ପିତ ଚଳଚ୍ଚିତ୍ରଟି ତାଙ୍କ ପୂର୍ଣ୍ଣପ୍ରେକ୍ଷାଳୟୱେବ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଥିବାର ସ୍ୱପ୍ନରେ ଭଦ୍ରଲୋକ ଖୁବ ଉତଫୁଲ୍ଲ ହୋଇ ଉଠିଛନ୍ତି ।
ମୋ ଛବିର ଚିତ୍ରନାଟ୍ୟ ଗୋଟିଏ ଝିଅକୁ ନେଇ, ନାୟିକା ଉପରେ ନିର୍ଭର କରୁଛି ଛବିର ସଫଳତା । ସେଥିପାଇଁ ମୁଁ ଗୋଟିଏ ନୂଆ ମୁହଁ ଖୋଜୁଛି । ଆପଣଙ୍କୁ ଦେଖିଲା ପରେ ମାନେ ହେଉଛି, ଆପଣ ଯଦି ରାଜି ହୁଅନ୍ତେ …
ଲୋକଟିର କଥା ଶୁଣି ସୁପର୍ଣ୍ଣାର ମାନେ ହେଲା ଖୁବ୍ ନିକଟରେ ଯେପରି କୌଣସି ବିସ୍ଫୋରଣ ଘଟିଗଲା ।
ମୁଁ ଆପଣଙ୍କ ଫିଲ୍ମରେ ନାୟିକା ହେବି ? ଆପଣ କ’ଣ କହୁଛନ୍ତି ? ହିରୋଇନ ହେବା ପାଇଁ ମୋର ରୂପ ଅଛି ?
ଆପଣ ବେଶ ସୁନ୍ଦରୀ । ମୋ ଚିତ୍ରନାଟ୍ୟର ନାୟିକାର ରୂପ ସ୍ଵଭାଵ ଚରିତ୍ର ସହିତ ଆପଣଙ୍କର ବେଶ୍ ମେଳ ଅଛି । ମୋର ହିରୋଇନ ଜଣେ ସ୍କୁଲ ଶିକ୍ଷୟିତ୍ରୀ …
ସେଇଥିପାଇଁ ଆପଣ ଜାଣିବାକୁ ଚାହୁଁଥିଲେ ଶିକ୍ଷୟିତ୍ରୀ କି ନୁହେଁ । ନା ?
ତାଙ୍କ ବାକ୍ୟଟି ସମ୍ପୂର୍ଣ୍ଣ କରିଦେଇ ସୁପର୍ଣ୍ଣା ମନେ ମନେ ହସିଲା
ତାପରେ ଚାପା କଣ୍ଠରେ କହିଲା- ହୁଏତ ମୋର ସ୍କୁଲ ଶିକ୍ଷୟିତ୍ରୀର ରୂପ ଅଛି ।
ହେଲେ ମୋର କ’ଣ ଅଭିନେତ୍ରୀର ସୌନ୍ଦର୍ଯ୍ୟ ଅଛି ? ଓଡ଼ିଶାର ସବୁ ଝିଅ ସ୍କୁଲ ଶିକ୍ଷୟିତ୍ରୀ ହୋଇ ପାରନ୍ତି । କିନ୍ତୁ ସମସ୍ତେ ଚଳଚ୍ଚିତ୍ର ଅଭିନେତ୍ରୀ ହୋଇ ପାରନ୍ତି ନାହିଁ । ରୂପେଲି ପରଦାରେ ସାଧାରଣ ଗୃହବଧୂକୁ ମଧ୍ୟ ଦର୍ଶକ ମାନେ ରୂପସୀ ଉର୍ବଶୀ ଭାବରେ ଦେଖିବାକୁ ଚାହାନ୍ତି ।
ତାର କଥା ଶୁଣି ଭଦ୍ରଲୋକଙ୍କ ମୁହଁ ଶୁଖିଗଲା । କମ୍ପାର୍ଟମେଣ୍ଟରେ ସେତେବେଳକୁ ଶେଷ ଅପରାହ୍ନରେ ମ୍ଳାନ ଛାୟା ତାର କାୟା ବିସ୍ତାର କରୁଥିଲା, ସେଇ ମଳିନ ଆଲୋକରେ ବଡ଼ କରୁଣା ଦେଖାଯାଉଥିଲା ଭଦ୍ର ଲୋକଙ୍କ ମୁହଁ ।
କିଛି ସମୟ ପରେ ସେ ନିମ୍ନ କଣ୍ଠରେ କହିଲେ –
ଅଭିନୟ ଦକ୍ଷତା କଥା ଭାବନ୍ତୁ ନାହିଁ । ସିନେମାରେ ଯେଉଁମାନେ ମେନକା, ଉର୍ବଶୀ ଭଳି ଦେଖାଯାଆନ୍ତି, ସେମାନେ ସେଭଳି କିଛି ଅପୂର୍ବ ସୁନ୍ଦରୀ ନୁହନ୍ତି । ସେ ସବୁ ଛାୟା ଲୋକର ମାୟା ।
ଡ୍ରେସିଂ, ପେଣ୍ଟିଂ ର ଯାଦୁ । ଯଦି ହିଟ୍ କରିଥାଏ, ସବୁ ଘରର ବନ୍ଦ -ଦରଜା ଝରକା ଖୋଲିଯିବ । ମୋର ସ୍ୱଳ୍ପ – ବ୍ୟୟ ଅଟକଳର ଛବି । ମୁଁ ଆପଣଙ୍କୁ ଯଥେଷ୍ଟ ଟଙ୍କା ହୁଏତ ଦେଇପାରିବି ନାହିଁ । କିନ୍ତୁ ମୋର ଧାରଣା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମୁଁ ଏକ ଉଜ୍ଜ୍ୱଳ ତାରକା ଉପହାର ଦେଇ ପାରିବି । ମୋର ନିଜ ଉପରେ ପ୍ରଗାଢ଼ ବିଶ୍ବାସ ନ ଥିଲେ ମୁଁ ଆପଣଙ୍କୁ ଏ ପ୍ରସ୍ତାବ ଦିଅନ୍ତି ନାହିଁ ।
ସୁପର୍ଣ୍ଣା ଦ୍ୱନ୍ଦ୍ୱରେ ପଡ଼ିଗଲା ।
ଯଦି ତାର ଫିଲ୍ମ ହିଟ୍ କରିଯାଏ, ତାହା ହେଲେ ତାର ମୁକ୍ତିର ପଥ ଖୋଲିଯିବ । ପ୍ରତିଦିନ ଦଶଟାରୁ ପାଞ୍ଚଟା ଯାଏ ଅଫିସ୍କୁ ଦୌଡ଼ିବା , ଟ୍ରେନ ଧରିବା, ରୋଷେଇ କରିବା, ବାସନ ମାଜିବାର ଯନ୍ତ୍ରଣାରୁ ସେ ମୁକ୍ତ ହୋଇଯିବ । ଯଦି ଫିଲ୍ମଟା ଫ୍ଲପ୍ କରେ ତା’ ହେଲେ ସେ ଏହି ଲୋକଙ୍କ ପରି ସେ ୱାନ୍ ଫିଲ୍ମ ଓଲ୍ଡ଼ ହିରୋଇନ୍ ହୋଇ ରହିଯିବ ।
ଟ୍ରେନ୍ ପ୍ଲାଟ୍ଫର୍ମ ରେ ପ୍ରବେଶ କଲା । ଭୁବନେଶ୍ୱର ଷ୍ଟେସନ । ତାକୁ ଓହ୍ଲାଇ ଯିବାକୁ ହେବ । ଭଦ୍ରଲୋକ ଯିବେ ୱାଲଟିୟର । ତାଙ୍କର ଓହ୍ଲାଇବାର ବ୍ୟଗ୍ରତା ନାହିଁ । ଏଇ କେତେ ଘଣ୍ଟାର ପରିଚୟ ଏତିକିରେ ସମାପ୍ତ ।
ତାର ହଠାତ୍ ବୋଉ କଥା ମାନେ ପଡିଲା । ତାର ଦେହ ଖରାପ ଥିଲା, ଖୁଁ ଖୁଁ ହୋଇ କାଶୁଥିଲା, ଜ୍ୱର ଥିଲା ଦେହରେ । ଅଇଁଠା ବାସନ ସବୁ ଜମା ହୋଇ ପଡ଼ିଥିବ ।
ମାଛି ବସୁଥିବେ ସେଥିରେ । ସାନ ଭାଇ ଘରକେ ଫେରି ଖାଇବ ଖାଇବ ହେଉଥିବ ।
ଏଇ କିଛି ସମୟ ବାସ୍ତବ ଜୀବନର ଏଇ କୁତ୍ସିତ ରୂପଟା ଏକ ମଧୁର ସ୍ୱପ୍ନର ଆଢୁଆଳରେ ରହିଯାଇଥିଲା । ସେ ଦେଖିବାକୁ କୁଆଡେ ବେଶ ସୁନ୍ଦରୀ , ଫିଲ୍ମଟା ହିଟ୍ କରିଯାଇ ପାରେ । ହିଟ୍ ଫିଲ୍ମର ଅଭିନେତ୍ରୀ ସମସ୍ତେ ଅପୂର୍ବ ସୁନ୍ଦରୀ ନୁହନ୍ତି, ଅବା ରିସ୍କ ନ ନେଲେ ଜୀବନରେ କିଛି ଉନ୍ନତି କରିହୁଏ ନାହିଁ ।
ସୁପର୍ଣ୍ଣା ଉଠି ଠିଆ ହେଲା । ଯତ୍ନ ସହକାରେ ହ୍ୟାଣ୍ଡ୍ ବ୍ୟାଗ୍ ଟା କାନ୍ଧରେ ଝୁଲାଇଲା । ନିଜ ମୁହଁରେ ହସର ଏକ ଆଲୋଡନ ସୃଷ୍ଟି କଲା ।
ଭଦ୍ରଲୋକ ନିଜ ଆଟାଚ୍ରୁ ଗୋଟିଏ ମୁଦ୍ରିତ କାର୍ଡ ବାହାର କରି ତାକୁ ଦେଲେ ।
କହିଲେ ଏ କାର୍ଡ ରେ ମୋର ଠିକଣା । ଯଦି ଆପଣ ମୋ ଫିଲ୍ମରେ ଅଭିନୟ କରିବାକୁ ମନ ସ୍ଥିର କରନ୍ତି, ମତେ ଜଣାଇବେ । ଅନ୍ୟମାନଙ୍କ ସହ ଆଲୋଚନା କରି ମନ ସ୍ଥିର କରନ୍ତୁ । ତରବର ହେବାର କିଛି କାରଣ ନାହିଁ – ମୁଁ ଅପେକ୍ଷା କରିବି ।
ଟ୍ରେନ ଛାଡିବାର ହୁଇସିଲ୍ ଶବ୍ଦ ଶୁଣାଗଲା ।
ସ୍ୱପ୍ନର ଟ୍ରେନ୍ରୁ ଧୀର ମନ୍ଥର ପଦକ୍ଷେପରେ ସୁପର୍ଣ୍ଣା ଓହ୍ଲାଇ ଆସିଲା ନିଷ୍କରୁଣ ବାସ୍ତବତାର ପ୍ଲାଟ୍ଫର୍ମ ଉପରକୁ ।
