କବିତା

ଅଭିଶପ୍ତା କଳିକା

Prahallad Behera's odia poem Abhishaptaa Kalikaa

ମନ୍ଦିର ରୁ ମନ୍ଦିର, ବିୟୋଗରୁ
ବିଭାଘର
ଉପସ୍ଥିତି ତାର ପ୍ରତି ଉତ୍ସବର
ଉଦ୍ୟାନେ,
ସଫଳତାର ସାବାସୀ କିମ୍ବା
ପ୍ରେମ କି ଉଦାସୀ,
ଉଛୁଳେ ମହକ ତା’ର କିନ୍ତୁ
ରକ୍ତିମ ବଳିଦାନେ।

ଅଭିଶପ୍ତା କଳିକା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କଳିକାଟିଏ ସେ ଆଉ ଏକ ଦଳିତା
ଈଶ୍ୱର ସୃଷ୍ଟିରେ ଭିନ୍ନ ଏକ
ନିଷ୍ପେସିତା,
ଉତ୍ସର୍ଗୀକୃତ କାହିଁ କେଉଁ
ଐତିହ୍ୟ ପୃଷ୍ଠାରୁ
ଦେବାଦେବୀ ଠାରୁ କଳୁଷିତ ସମାଜ
ପାଇଁ।

ମନ୍ଦିର ରୁ ମନ୍ଦିର, ବିୟୋଗରୁ
ବିଭାଘର
ଉପସ୍ଥିତି ତାର ପ୍ରତି ଉତ୍ସବର
ଉଦ୍ୟାନେ,
ସଫଳତାର ସାବାସୀ କିମ୍ବା
ପ୍ରେମ କି ଉଦାସୀ,
ଉଛୁଳେ ମହକ ତା’ର କିନ୍ତୁ
ରକ୍ତିମ ବଳିଦାନେ।

ବୟସର ପରିପକ୍ଵତା ଏବେ ଛୁଉଁ
ଛୁଉଁ
ତୋଳି ନେଲେ ତାକୁ ସ୍ଵପ୍ନର
ଅଧୁରା ବୃନ୍ତରୁ,
ଏବେ ତ ମାଖିଥିଲା ସେ ମହକର
ଲାବନ୍ୟତା
ବିଛିନ୍ନା କିନ୍ତୁ ଆଜି କାହାର
ପ୍ରଣୟ ସେଜରେ।

ସ୍ଥାନ ତାର ବାସ୍ତବରେ କେଉଁଠି,
ଈଶ ଶିରେ ନା କୁଳଟାର କବରିରେ,
ଉତ୍ସବରେ ନା କାହାର ବିଲୟ ରେ,
କ’ଣ ତାର ପରିଚୟ, କିଏ ତାର ନିଜର?

ପ୍ରୀତି ଛଳିଆ ମହୁଲୋଭା ଭ୍ରମର,
ନା ଗୁଜୁରାଣ ରୁଜ୍ଜୁରେ ବନ୍ଧା
ନିରୁପାୟ ମାଳିଟା,
କାହାକୁ ସେ ଆତ୍ମୀୟତାର ପରିଚୟ
ମାଗିବ, ଯହିଁ
ପ୍ରତିଟି ନଜରେ ଲାଳସାର
ଲୁକ୍କାୟିତ ଅଧିଜିହ୍ଵା।

ଏସବୁ ପାଇଁ ଦାୟୀ ପ୍ରକୃତରେ
କିଏ,
ଯେବେ ସେ ନିଜେ ଜଳି ଅନ୍ୟ
ଚୁଲିର ନିଆଁ ପାଲଟିଛି
ତେବେ କେଉଁ ତୃଟିର ଏ ଅଭିଶପ୍ତ
ଜନମ ତାର ?
ଆହାଃ, ବିଧାତାର ଏ କି ନିଷ୍ଠୁର
ରଚନା, ସେ କୋମଳ ମଲାଟେ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top